Unknown

 

 

 

 

 

 

 

 

 

ନଷ୍ଟଚରିତ୍ର

ଉମେଶ ଚନ୍ଦ୍ର ଜେନା

 

ଉପକ୍ରମଣିକା

 

ସୂର୍ଯ୍ୟଙ୍କ ପରିପ୍ରକାଶରେ ଉଷା ବିଦିତ ହୁଏ ଜନମାନସରେ । ବନ୍ଧୀୟମାନ ସୂର୍ଯ୍ୟଙ୍କ ତେଜ ସାମ୍ନାରେ କ୍ରମେ ଅସ୍ତିତ୍ୱ ହରାଏ ଉଷା । ସୂର୍ଯ୍ୟ ଅଗ୍ରସର ହୁଅନ୍ତି ଏବଂ ସନ୍ଧ୍ୟାର ରଙ୍ଗରେ ରମଣୀୟ ହୋଇ ଉଠନ୍ତି । ମାତ୍ର କାଳ ସହେ ନାହିଁ, କ୍ରମେ ସନ୍ଧ୍ୟା ନିର୍ବାପିତ ହୋଇଯାଏ ଏବଂ ସୂର୍ଯ୍ୟଙ୍କ ମୁହଁ ଲୁଚିଯାଏ ରଜନୀର ଅନ୍ଧକାରମୟ କଳାପଣତରେ । ଏଇତ ପ୍ରକୃତି । ଚିରନ୍ତନ ସତ୍ୟ-। ନିରନ୍ତର ପ୍ରତୀୟମାନ । ଏହି ନ୍ୟାୟକୁ ନେଇ ଗଢ଼ି ତୋଳିଛି ଉପନ୍ୟାସଟିର କାହାଣୀ । ପ୍ରକାଶର ତେଜ ଧବଳ ରଙ୍ଗ ମଧ୍ୟରେ ପ୍ରତ୍ୟୁଷ ପ୍ରଦୋଷର ସମସ୍ତ ରଙ୍ଗ, ମାତ୍ର ରଜନୀର କଳା ରଙ୍ଗରେ ସେ ମଧ୍ୟ ବିଲୁପ୍ତ । ବାଃ ରେ ସ୍ରଷ୍ଟା । ଅପୂର୍ବ ତୋର ସମୀକରଣ ।

 

 

ଉମେଶ ଚନ୍ଦ୍ର ଜେନା

ଲେଖକ

***

 

 

 

କର୍ମଣ୍ୟେ ବାଧିକାରସ୍ତେ ମା ଫଳେଷୁ କଦାଚନ

ମା କର୍ମଫଳହେତୁର୍ଭୂର୍‍ ମା ତେ ସଂଗୋଽକର୍ମଣି ।।

ଅନାଶିତଂ କର୍ମଫଳଂ କାର୍ଯ୍ୟକର୍ମ କରୋତି ଯଃ

ସଃ ସନ୍ୟାସୀ ଚ ଯୋଗୀ ଚ ନ ନିରାଘ୍ନିର୍ନ ଚାକ୍ରିୟଃ ।।

ବ୍ରହ୍ମଣ୍ୟାଧାୟ କର୍ମଣି ସଙ୍ଗତ୍ୱକ୍ତ୍ୱା କରୋତି ଯଃ

ଲିପ୍ୟାତେ ନନ ସଃ ପାପେନ ପଦ୍ମପତ୍ର ମିତ୍ତାମ୍ଭୁସା ।

 

***

 

‘ଏକ’

 

ଗୃହ ଫେରନ୍ତା ମନ ।

 

ବମ୍ବେ-ହାଓଡ଼ା ଏକ୍ସପ୍ରେସ୍ ମାଡ଼ିଚାଲିଛି ଅନ୍ଧକାରର ବକ୍ଷ ଚିରି ଆଗକୁ ଆଗକୁ । ରେଳପଥ ପାର୍ଶ୍ୱର ସମସ୍ତ ଖାଲ ଢିପ ନଈ, ନାଳ, ବଣ, ପାହାଡ଼, ସବୁଜିମା ଧୂସରିଆ ସବୁ ଏକାକାର । ଅନ୍ଧକାରମୟ ରଜନୀର କି ଅପୂର୍ବ ଶକ୍ତି । ଭେଦଭାବ ସବୁ ନିଜ । ପଣତରେ ଘୋଡ଼ାଇ ପକାଇ ସର୍ବେ ଏକାକାର କରି ନେଇଛି ।

 

ସେକଣ୍ଡ କ୍ଲାସ ସୁପର କୋଚର ଗୋଟାଏ କମ୍ପାର୍ଟମେଣ୍ଟରେ ମୁଣ୍ଡତଳେ ତକିଆଟାଏ ଥୋଇ ବେଡ଼ସିଟ୍‍ଟା ଉପରେ ଦେହଟା ମେଲାଇ ଦେଇ ପଡ଼ି ରହିଛି ସବା ଉପର ବର୍ଥରେ ପ୍ରକାଶ-। ପ୍ରକାଶ କୁମାର, ଖଣି ଯନ୍ତ୍ରୀ, ମନରେ ଅନେକ ସ୍ମୃତି, ଅନେକ ସ୍ଵପ୍ନ । ଛାତିତଳେ ଅଦମ୍ୟ ସାହସ ଓ ଧୈର୍ଯ୍ୟ । ହୃଦୟରେ ଉବ୍ଦୀପନା, ସମ୍ବେଦନର ତାଳେ ତାଳେ । ମସ୍ତିଷ୍କ ମଧ୍ୟରେ ତାର ବିଗତ ସ୍ମୃତି ଏବଂ ଭବିଷ୍ୟତର ସ୍ୱପ୍ନର ଦେଣ ନେଣର ଗୋଟେ ହାଟ । ଖୁବ୍ କୋଳାହଳମୟ । ମନକୁ କିଣିବା ପାଇଁ ଦୁଇଟି କ୍ରେତାର ଖୁବ୍ ଟଣାଟଣି । ଗୋଟିଏ ପାଖରେ ତାର ଜନ୍ମଗତ ପ୍ରକୃତି, ଆଜନ୍ମ ସୌକ, ଅନ୍ୟ ପାଖେ ଦୀର୍ଘଦିନର ଶିକ୍ଷାର ପରିଣାମ । କାର୍ଯ୍ୟକାରୀ ହେବାକୁ ସଦାତତ୍ପର ।

 

ପ୍ରକାଶ ଜଣେ ଖଣି ଯନ୍ତ୍ରୀ । ବ୍ୟବହାରିକ ଜ୍ଞାନ, କର୍ମ ସବୁ ଖଣିଜ ପରି ଟାଣ । ମାତ୍ର ଭିତରେ ଖୁବ୍ ଗୋଟିଏ କୋମଳ ହୃଦୟ । ପଥରର ଭାଷା ମଧ୍ୟ ବୁଝି ପାରିବା ଭଳି ସମ୍ବେଦନଶୀଳ-

 

ଖଣି ଭିତରେ ତ୍ରିଲ ପଥର ଦେହରେ ଗାତ କଲାବେଳେ ପଥରର ଆର୍ତ୍ତଚିତ୍କାର ଅନୁଭବ କରି ଆଖିରୁ ଲୁହ ପୋଛୁଥିବା ପ୍ରକାଶ କୌଣସି ଏକ ସମୟରେ କେହି ଏକ ଗରିବ ମଜଦୁରର ଭୁଲ ପାଇଁ ସାତଦିନ ସସ୍‍ପେଣ୍ଡ ଆଦେଶନାମା ଉପରେ ନିର୍ଦ୍ୱନ୍ଦରେ ସନ୍ତକ କରିପାରେ ଏହା ଜାଣିସୁଦ୍ଧା ଯେ ତାର ସାତଦିନ କାମ ବନ୍ଦ ହେବା ସଙ୍ଗେ ସଙ୍ଗେ ତା’ ଘରର ଚୁଲି ମଧ୍ୟ ବନ୍ଦ ହୋଇ ଯିବ ସାତ ଦିନଯାଏ ।

 

କଠିନତା ଏବଂ କୋମଳତାର ଏକ ଅପୂର୍ବ ସମ୍ମିଶ୍ରଣ ।

 

ବେଳେବେଳେ ଖୁବ୍ ଅଣନିଃଶ୍ୱାସୀ ଅନୁଭବ କରେ ପ୍ରକାଶ । ଅଧିକାରୀର ଅଧିକାରପୂର୍ଣ୍ଣ ଚୌକି ତାକୁ ଖାଇ ଗୋଡ଼ାଏ । କାମ ଉପରାନ୍ତେ ସନ୍ଧ୍ୟାବେଳେ ନିଜର ବ୍ୟବହାରିକ କର୍କଶତାଠାରେ ଲଜ୍ଜିତ ହୋଇ ଅନ୍ତରରେ କୋମଳତାଠାରେ ମୁହଁ ଗୁଞ୍ଜେ ସହର ଉପକଣ୍ଠର ବରଗଛ ମୂଳେ । ନିଜର ବ୍ୟାବହାରିକ ରୁକ୍ଷତା କ୍ରମେ ତରଳିଯାଏ, ବୋହିଯାଏ ଆଖି ଦେଇ । ନିରୀହ ମଜଦୁରଙ୍କର ଫୁଙ୍ଗୁଳା ଦେହର ଚର୍ମ ଓ ହାଡ଼ ମଝିରେ ବ୍ୟବଧାନ ସୃଷ୍ଟି କରିଥିବା ଦୁର୍ବଳ ମାଂସପେଶୀଗୁଡ଼ିକର ଦୟନୀୟତା ଆଖିରେ ଭାସେ । କେବେ କେଉଁ ଖଣି ମଜଦୁର ମଦ ନିଶାରେ ଟଳି ପଡ଼ିଥିଲେ କେଉଁ ରାସ୍ତାକଡ଼ରେ, ତା’ ଉପରେ ଦୟାଆସେ । ସକାଳେ ଏଇ ମାଂସପେଶୀ ଯେଉଁ ଅତ୍ୟଧିକ ଚାପର ଶୀକାର ହୋଇଥିଲେ, ତାରି ପୀଡ଼ାର ଉପଶମ ମହୁଲି ନିଶାର ରିମ୍‍ଝିମ୍ ବ୍ୟତୀତ ଆଉ କ’ଣ ହୋଇପାରେ ।

 

ଖଣି ମଜଦୁର ଖୁବ୍ କାମ କରେ । ଖୁବ ପଇସା କମାଏ । ଖୁବ୍ ପିଏ, ଖୁବ୍ ଖର୍ଚ୍ଚ କରେ । ଅଗତ୍ୟା ସଦା ଗରିବ । ସଦା ଦୁଃଖୀ, ୟାର ବିକଳ୍ପ ନାହିଁ ।

 

ଏଇମିତି ଶହ ଶହ ଗରିବ ଦୁଃଖୀ ମଜଦୁରଙ୍କର ସାହେବ ଥିଲା ସେ ଆଜିତକ । ନୂଆ ପିଲାଟିଏ ଭର୍ତ୍ତିହେଲେ ତାର ଓ ଓସାରିଆ ଛାତି ଏବଂ କଠିନ ମାଂସପେଶୀ ଦେଲେ ପ୍ରକାଶ କାକୁସ୍ଥ ହୁଏ । ଏହି ସୌମ୍ୟ ବଳିଷ୍ଠ ଶରୀର ଭବିଷ୍ୟତର ରୂପରେଖ କଳ୍ପନା କରି ସଙ୍କୁଚିତ ହୁଏ ପ୍ରକାଶର ମନ । ମାଟି ମାର ଅଭ୍ୟନ୍ତରକୁ କାଟି ଖୋଳି ବିବର୍ଣ୍ଣ କରି ପକାଉଥିବା ଏଇ ଜୀବଗୁଡ଼ିକୁ ମାଟି ମା ଶୋଷି ପକାଏ ପରା । ଅକାଳ ବାର୍ଦ୍ଧକ୍ୟ ଆଣିଦିଏ । ଶିରା ପ୍ରଶିରାରେ ରକ୍ତ ବଦଳରେ ମଦ ବୁହାଏ-। ମାଂସପେଶୀକୁ ପେଶି ପେଶି କ୍ଷୀଣ କରି ପକାଏ । ଖଣି ମଜଦୁରୀ... କି ଦୈନ୍ୟ ଏ ଜୀବିକା ।

 

ଯା’ ହେଉ ଏପରି ଗୋଟେ ଜଞ୍ଜାଳିଆ ଜୀବନରୁ ମୁକ୍ତି ମିଳିଗଲା । ପ୍ରକାଶ ଆଜି ସବୁଦିନ ପାଇଁ ଖଣି ଯନ୍ତ୍ରୀର ସେବା ଛାଡ଼ି ଚାଲିଛି ସୁଦୂର ଚନ୍ଦ୍ରପୁରରୁ କେନ୍ଦୁଝର ଅଭିମୁଖେ । ରାଉରକେଲା ଷ୍ଟେସନରୁ ଓହ୍ଲାଇ ବସ୍ ଯୋଗେ ଯିବ କେନ୍ଦୁଝର । ତାର ବାଞ୍ଛିତ ଚାକିରିଟିଏ ମିଳିଛି । ହେଉ ପଛେ କମ୍ ଦରମା, ତେବେ କର୍ମକ୍ଷେତ୍ର କେବଳ ଅଫିସ୍‍ରେ ହିଁ ସୀମିତ । ମାଇନିଂ ଅଫିସର୍ । ଅଫିସର୍ ଶବ୍ଦଟା ସହ ମାଇନିଂ ଶବ୍ଦଟା ଯଦିଚ ଜଡ଼ିତ ତେବେ ଏଠି ସେଇ ମାନବରୂପୀ ଦୟନୀୟ ଜୀବଗୁଡ଼ିକ ଦୃଷ୍ଟି ଗୋଚର ହେବେ ନାହିଁ । ଯାହାର ଓଠ ତ କଥା କହେ ନାହିଁ ମାତ୍ର ପ୍ରତ୍ୟେକଟି ଅଙ୍ଗ କଥା କହେ । ସେକଥା କେହି ବୁଝି ନ ପାରିଲେ ବି ପ୍ରକାଶ ବୁଝେ ।

 

ସ୍ଲିପର କୋଚର ଦ୍ୱାର ପାଖରେ ଦୁଇ ତିନିଟା ଚା’ ପାନ ବାଲା ବସି କଥା ହେଉଛନ୍ତି ଭୁଟ୍ ଭାଟ୍ । ରାତ୍ରିର ବିଳମ୍ବିତ ପ୍ରହର ଏମାନଙ୍କୁ ମଧ୍ୟ ବିଶ୍ରାମ କରିବାକୁ ସୁଯୋଗ ଦିଏନାହିଁ । କ’ଣ ଗୋଟେ କଥା ଚାଲିଛି ।

 

ପ୍ରକାଶର ଆଖିରେ ଉତ୍କଣ୍ଠା, ମନରେ ଉଦ୍‍ବେଗ । ନିଦର ଚିହ୍ନ ନାହିଁ । ଶୁଣିଲା, କିଏ ଗୋଟେ କହୁଛି ତୁ ବିଶ୍ଵାସ କରିବୁ ନାହିଁ ଦୋସ୍ତ, ଶାଳୀ ମୋତେ ଭାରି ଭଲ ପାଏ । ମୋତେ ରୋଜ କହୁଛି ଭାଗି ଯିବାକୁ । ହେଲେ ତାର ବୁଢ଼ା ବାପଟା ପାଇଁ ଚିନ୍ତା କରୁଛି । ଶଳା ବୁଢ଼ା ମରୁନାଇଁ କି ଏ କଥାରେ ରାଜି ହେଉନି....

 

ଅଭଦ୍ର ଗୁଡ଼ାକ, ପ୍ରକାଶକୁ ଏ ସବୁ ଭଲ ଲାଗେ ନାହିଁ । ସବୁ କିଛିର ଗୋଟେ ସମୟ ଅଛି-। ପାଠ ବେଳେ ପାଠ । ଆରେ ପିଲାବେଳେ ପାଠ ପଢ଼ିବ ନାଇଁ । ଖାଲି ଝିଅଙ୍କ ପଛରେ ଗୋଡ଼ାଇ ପ୍ରେମ କରିବ, ଫେଲ୍ ହେବନି ଆଉ କ’ଣ । ଥରେ ଫେଲ ହେଲେ ଏମିତିଆ ଚା’ ବାଲା କି ପାନ ବାଲା ବନିବା ବ୍ୟତୀତ ଆଉ କି ଚାରା ଅଛି ।

 

ପ୍ରକାଶ ଭାବିଲା । ସେତ ତାର ପଢ଼ା ସାରିଛି । ଚାକିରି ବି ମିଳି ସାରିଛି । ଏବେ ତ ମନ ପସନ୍ଦର ଚାକିରି ମିଳିଗଲା । ତେବେ ଏବେ ବିବାହ; ଝିଅଟିଏ ! ଓଃ ମନ ତା’ର ରୋମାଞ୍ଚିତ ହୋଇଯାଉଛି । କ୍ରମେ କ୍ରମେ କଳ୍ପନାରେ ହଜିଗଲା ସେ, ବାପା ମା ତା ପାଇଁ ଝିଅଟିଏ ଦେଖିବେ । ସେ ବିବାହ କରିବ । ସ୍ଵାମୀ ବନିବ, ତା'ପରେ... ବାପା...

 

ହାତ ଘଡ଼ି ଦେଖିଲା । ରାତି ୪,୪୫ । ପାଞ୍ଚଟା ବେଳେ ରାଉରକେଲାରେ ପହଞ୍ଚିବାର ନିର୍ଦ୍ଧାରିତ ସମୟ । କାନ୍ଧରେ ଏୟାର ବେଗ୍‍ଟାଏ, ବାଁ ହାତରେ ବେଡିଂଟାକୁ ଘୋଷାରି ଘୋଷାରି ଟ୍ରେନ୍‍ରୁ ଓହ୍ଲାଇଲା । ଟେମ୍ପୋ ଯୋଗେ ବସଷ୍ଟାଣ୍ଡ ପହଞ୍ଚିଲା । ୫.୩୦ରେ କେନ୍ଦୁଝର ବସ୍ । ଷ୍ଟାଣ୍ଡ ସଂଲଗ୍ନ ଶୌଚାଳୟରେ ଫ୍ରେସ୍ ହେଲା । ଠିକ୍ ସମୟରେ ବସ୍‍ରେ ବସିଲା । କେନ୍ଦୁଝର-ସୁନ୍ଦରଗଡ଼ ସୀମାବର୍ତ୍ତୀ ଘନ ଜଙ୍ଗଲ ଓ ଦୁର୍ଭେଦ୍ୟ ପାହାଡ଼ ପର୍ବତମାଳାକୁ ଚିରି ରାଜ୍ୟ ରାଜପଥ ଲମ୍ବିଯାଇଛି ସର୍ପିଳ ଗତିରେ । କେନ୍ଦୁଝର ବସ୍ ଗଡ଼ି ଚାଲିଥିଲା । ସାଥରେ ଆଗେଇ ଚାଲିଥିଲା ପ୍ରକାଶ । ସକାଳର ସୂର୍ଯ୍ୟକିରଣର ଆଭାରେ ଝଲକୁ ଥିଲା ସମଗ୍ର ପ୍ରକୃତି । ଦୁଇ ହାତ ପ୍ରସାରି ପାଛୋଟି ନେଉଥିଲା ଘରକୁ ଓ ଘରର ପୁଅକୁ।

***

 

ଦୁଇ

 

କେନ୍ଦୁଝର ସହର । ଚତୁର୍ଦ୍ଦିଗରେ ନୀଳ ପାଚେରୀ, ସୁ-ଉଚ୍ଚ ପର୍ବତମାଳା । ଉପରେ ନୀଳ ଚାନ୍ଦୁଆ ମୁକ୍ତାକାଶ । ମନୋରମ ରଙ୍ଗିନ ପରିବେଶକୁ ମତୁଆଲା କରେ ସହରର ନିର୍ଜୀବ ଧଳା ହଳଦିଆ କୋଠାଗୁଡ଼ାକ । ଚାରି ଦିଗରୁ ପାହାଡ଼ କାଟି କଳା କଳା ଲମ୍ବା। ରାସ୍ତାଗୁଡ଼ିକ ଲମ୍ବିଆସି ଛନ୍ଦି ହୋଇ ପଡ଼ିଛନ୍ତି ଏଇ ସହରର ହୃତ୍‍ପିଣ୍ଡଠି । ପାହାଡ଼ ନିଜର ଶିରାଳ ହାତଗୁଡ଼ିକରେ ନିଜ କୋଳରେ ଗଢ଼ି ଉଠିଥିବା ରମ୍ୟ ସହରକୁ ଆଦର କଲାପରି । ଦକ୍ଷିଣ ଦିଗର ଲମ୍ବ ପର୍ବତମାଳାର ମଝିରୁ ବୋହି ଆସେ ସ୍ରୋତସ୍ଵିନୀ ନିର ‘ଅରଡେଇ’ ଏଇ ସହରର ମଧ୍ୟ ଭାଗକୁ । ସହରକୁ ସିକ୍ତ କରେ, ସକାଳ ସନ୍ଧ୍ୟାରେ କଳ କଳ ରାଗିଣୀ ଗାଇ ସ୍ମୃତି ସମୋହନ କରେ, ପୁଣି ଦୁଃଖ ସୁଖ, ଗାରିମା, ବଡ଼ିମା, ଭକ୍ତ ତ୍ୟକ୍ତକୁ ନିଜ ଭିତରେ ସାଉଁଟି ଚାଲିଯାଏ କେଉଁ ଏକ ଅଜଣା ପ୍ରଦେଶକୁ କଳ କଳ ଗାଇ ।

ସହରରେ ବିଚରନ୍ତି ଅନେକ ବୁଦ୍ଧିମନ୍ତ, କାମନାଯୁକ୍ତ ଶକ୍ତିମନ୍ତ୍ର ପ୍ରାଣୀ, କେତେକ ନିରୀହ, କେତେକ ପଶୁ ସମାନ ।

କେନ୍ଦୁଝର ଗୋଟେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ମାତ୍ର ସହରର ହୃତ୍‍ପିଣ୍ଡଠାରେ ଏଇ ଆଦିବାସୀଙ୍କର ସ୍ଥାନ ନାହିଁ କାରଣ ଏମାନଙ୍କର ସହରରେ ରହିବାର ଯୋଗ୍ୟତା ନାହିଁ । ସହରଟା କେବଳ ଧୋବଧୋବଳିଆଙ୍କର ଜାଗିର ! !

ସହର ତଳି ଅଞ୍ଚଳକୁ ବାଛି ନେଇଛନ୍ତି ଆଦିବାସୀମାନେ । ସ୍ୱତଃ ଅଧିକାର ଛାଡ଼ି ଦେଇଛନ୍ତି ବିଦେଶୀ ଧୋବଧୋବଳିଆଙ୍କ ହାତରେ । ଏଇ ବିଦେଶୀମାନେ କେଉଁଠୁ ଆସନ୍ତି କେଜାଣି, ଆସିଲା ବେଳେତ ୟାଙ୍କ ପରି ଦେଖାଯାନ୍ତି । କେଉଁଠି ଗଛମୂଳରେ କି କେଉଁ ଘର ବାରଣ୍ଡାରେ ପାନ ବିଡ଼ି ବିକି ଏଇମାନଙ୍କର ସେବା କରନ୍ତି । କ୍ରମେ ବନ୍ଧୁତା କରନ୍ତି । ଶସ୍ତାରେ ଘର ଡିହର ସନ୍ଧାନ ନିଅନ୍ତି । ପୁଣି ପୁଟ କିଣି ଏଇମାନଙ୍କୁ ହଁ ଲଗାନ୍ତି ନିଜ ଘର ତିଆରି କାମରେ ବନ୍ଧୁତା କ୍ରମେ ପରିବର୍ତ୍ତନ ହୁଏ ମାଲିକ ଓ ଚାକରର ସମ୍ପର୍କରେ । ଏଇମାନେ କିଛି ଭାବନ୍ତିନି, ନିର୍ବିକାରରେ ସହନ୍ତି ।

ଏଇଟା ନୂଆ ନୁହେଁ । ନିତ୍ୟନୈତ୍ତିକ୍ ସତ୍ୟ । ଏଠାକାର ଏବେକାର ବାସିନ୍ଦା ଆଦିବାସୀଙ୍କର ବାପା ଗୋସପା ଅମଳରୁ ଅଦ୍ୟାବଧି ପ୍ରଚଳିତ । ବରଂ କେବେ ସହରତଳି ଗାଁ ମଝିରେ ଥିବା ବରଗଛ କି ତେନ୍ତୁଳି ଗଛ ମୂଳରେ ଚବୁତରା ଉପରେ ଗଞ୍ଜେଇର ଆସର ଜମିଲା ବେଳେ କିଏ ଗପ ଆରମ୍ଭ କରେ କୋଉ ମହାନ୍ତି ଆସିଲାବେଳେ ତାର ବିଡ଼ି ବାସଟା କାହାକୁ ବୁହାଇଥିଲା । ଆଉ ତାରି ଦୟା ଯୋଗୁ କିପରି ପୁଟ ଖଣ୍ଡେ ପାଇ ଏବେ ଚାରି ମହଲା କୋଠା କରିଛି । ଆଉ କିଏ କହେ ଅମୁକ ସାହୁର ଚଣାବସ୍ତାଟା ମୁଣ୍ଡାଇ ଯଦି ବସ୍‍ଷ୍ଟାଣ୍ଡରୁ ସେ ଆଣି ନଥାନ୍ତା, ହୁଏତ ସେ ବସ୍‍ଷ୍ଟାଣ୍ଡ ପାଖର ଏକେର ତିନି ମହଲିଆ ହୋଟେଲ କମ୍ ରେଷ୍ଟୁରାଣ୍ଟଟା କରି ନଥାନ୍ତା ।

କେନ୍ଦୁଝର ମାଟି ସୁନାର ମାଟି । ଯିଏ ପାଦ ଦେଇଛି ସେ ମଣିଷ ହୋଇଛି । ସହରରେ ଅଛି ତିନିଟା ହାର୍ଡୱାର ଫ୍ୟାକ୍‍ଟରୀ । ବିବି ଅଗ୍ରୱାଲ କୁଆଡ଼ୁ ଆସିଲା କେହି ଜାଣିନି, ମାତ୍ର ମାସ ଦୁଇଟାରେ ତେଲ କିରୋସିନ୍‍ର ମାଲିକ ବନି କେନ୍ଦୁଝରର ମୁକୁଟବିହୀନ ଯୁବରାଜ ବନି ପାରିଲା । ଏହା ହେଉଛି କେନ୍ଦୁଝର ମାଟିର ବୈଚିତ୍ରୀ ।

ତେବେ କେନ୍ଦୁଝର ସହରର ଉନ୍ନତି ହୋଇଚାଲିଛି । ଖୁବ୍ ଉନ୍ନତି କରିଛି ୟା ମଧ୍ୟରେ । ସହର ଉପକଣ୍ଠରେ ଅନେକ ବହୁତଳ ପ୍ରାସାଦ ନିର୍ମିତ ହେଲାଣି । ତିନିଟା କଲେଜ ହେଲାଣି ସହର ମଧ୍ୟରେ ବୈଷୟିକ ଶିକ୍ଷାର ପ୍ରତିଷ୍ଠାନ ହେଲାଣି । ସହର ମଝିର ଏବେର ରାସ୍ତା ୧୦ ବର୍ଷ ତଳର ରାସ୍ତାଠାରୁ ଦୁଇଗୁଣ ଚଉଡ଼ା ହୋଇଗଲାଣି । ରାତିରେ ଏବେ ସେଠି ମରକ୍ୟୁରୀ ଓ ନିଅନ୍ ଲାଇଟ୍ ଜଳେ । ସହର କ୍ରମବର୍ଦ୍ଧିଷ୍ଣୁ, ଫଳତଃ ସହର ତଳି ଆଦିବାସୀ ବସ୍ତିଗୁଡ଼ିକ କ୍ରମେ ସଂକୁଚିତ ହୋଇ ଯାଉଛି । ପାର୍ଶ୍ୱସ୍ଥ ବହୁତଳ ପ୍ରାସାଦ ନିକଟରେ କ୍ଷୁଦ୍ର ଝାଟିମାଟିର ଘର ଆତ୍ମଗ୍ଲାନିର ଶିକାର ହୋଇ କ୍ରମେ ଜୀର୍ଣ୍ଣ ହୋଇଯାଇଛି, କେତେକ ଲୀନ ହୋଇଯାଇଛି । ବାସିନ୍ଦାଙ୍କୁ ଉପେକ୍ଷା କରି । ଉପେକ୍ଷିତ ବାସିନ୍ଦା ଆଶ୍ରୟ ନେଇଛି ଅନ୍ୟ କୌଣସି ପଡ଼ାରେ । ପ୍ରାସାଦ ଉଲ୍ଲାସରେ ପ୍ରସାରିତ କରିଛି ନିଜର ଅବୟବ, ଝାଟିମାଟିର ଅସ୍ତିତ୍ୱକୁ ନିଭାଇ ।

 

ସ୍କୁଲ, କଲେଜ ସଂଖ୍ୟା ବଢ଼ିଯାଇଛି । ତଥାପି ପିଲା ଜାଗା ହୁଅନ୍ତି ନାହିଁ । ସ୍କୁଲ କଲେଜ ଟାଇମ୍‍ରେ ସହରର ପ୍ରତ୍ୟେକ ରାସ୍ତା ପ୍ରତ୍ୟେକ ଗଳି କୋମଳ ମତି ବାଳକ, ବାଳିକା, କିଶୋର, କିଶୋରୀ ଓ ଯୁବକ ଯୁବତୀଙ୍କ ଦ୍ୱାରା ଭରି ଉଠେ । ପ୍ରତ୍ୟେକଙ୍କ ମୁହଁରେ ଦେଖାଯାଏ ସହରି ଆଭିଜାତ୍ୟର ରଙ୍ଗ । ମାତ୍ର ଏଠାକାର ସ୍ଥାୟୀ ଅଧିବାସୀ ଆଦିବାସୀର ନିରୀହ ଶାନ୍ତ ଚେହେରାଟିଏ ଏମାନଙ୍କ ଗହଣରେ ଦେଖାଯାଏ ନାହିଁ ।

 

ତଥାପି କେନ୍ଦୁଝର ସହର ଉନ୍ନତି କରୁଛି। ଏହା ସ୍ୱୀକାର୍ଯ୍ୟ ମାତ୍ର ସହରତଳି ଗାଁଗୁଡ଼ିକ କ୍ରମେ ଜୀର୍ଣ୍ଣ ହୋଇଯାଉଛି ।

 

ଗୁମୁରା, ଘୁଟୁରୁ, କବିତରା, ଧୋବାଡ଼ିହା, ଗୋବିନ୍ଦପୁର, ରାଙ୍କି, ମଣ୍ଡୁଆ ପରି ସହର ତଳି ଗାଁଗୁଡ଼ିକ ମଧ୍ୟରେ ଶିରିଶପାଳ ଅନ୍ୟତମ । ଏଗାଁର ଯୁବଗୋଷ୍ଠୀଙ୍କର ଛାତି ତଳେ ସବୁ ସହର ତଳି ଗାଁ ଭଳି ଅଫୁରନ୍ତ ଉନ୍ମାଦ ଓ ଉତ୍ତେଜନା । ଷ୍ଟାଇଲ ନାଁରେ ନଗ୍ନତା ଓ ଅଶ୍ମୀଳତା ଏଠାକୁ ମଧ୍ୟ ସଂକ୍ରମିତ ହୋଇ ସାରିଛି ଅନେକ ଦିହୁଁ । ସହରର ସମସ୍ତ ଘୃଣ୍ୟ ଉପାଦାନଗୁଡ଼ିକ ସହରରୁ ବୋହି ଆସନ୍ତି ଏଇ ସହର ତଳି ଗାଁଗୁଡ଼ିକୁ । ମାତ୍ର ସହରର ସଭ୍ୟତା, ଶିକ୍ଷା ଓ ସଂସ୍କୃତି ଦୂରେଇ ରହେ କେମିତି କେଜାଣି ।

 

ଶିରିଶପାଳ । ପାହାଡ଼ର ପାଦ ଦେଶରୁ ଅଳ୍ପ ଦୂରରେ। ଠିକ୍ ସେତିକି ଦୂରରେ ସହର । ରାତିର ଅନ୍ଧାରରେ ଗୋହିରୀରୁ ବିଲୁଆର ଡାକ ଶୁଣୁ ଶୁଣୁ କେହି ଯଦି ସହର ଆଡ଼କୁ ମୁହଁ କରେ ତେବେ ଦେଖାଯାଏ ସହରର ରଙ୍ଗ ବେରଙ୍ଗ ଆଲୋକର ସମାହାର । ପୁଣି ମୁହଁ ବୁଲାଇ ପଛକୁ ଚାହିଁଲେ ପାହାଡ଼ ଉପରେ ନିଆଁ ଲାଗି ସ୍ଥିର ନାଲି ରେଖାଟିଏ । ଗୋଟିଏ ପାର୍ଶ୍ଵରେ ନିର୍ଭୀକ ଦେହର ହୀରା ମୋତି ଖଚିତ ଆଭରଣର ଝଲକ ଏବଂ ଅନ୍ୟ ପାଖେ ଶାନ୍ତ ସ୍ନିଗ୍ଧ ଗ୍ରାମ୍ୟ ବଧୂର ସୀମନ୍ତର ସିନ୍ଦୂର ସୌନ୍ଦର୍ଯ୍ୟର ସୁନ୍ଦର ଉପଲବ୍ଧି ।

 

ସହରଠୁଁ ମାତ୍ର ୩ କିଲୋମିଟର ଦୂର । ଏଇ ଦୂରତ୍ୱ ପାଇଁ ସବୁଦିନିଆ ରାସ୍ତାଟିଏର ଦରକାରିତା ଅନୁଭବ କରି ନାହାନ୍ତି ଏଇ ଗାଁର ବାସିନ୍ଦାମାନେ ଏଯାଏ କି ସହରର ଉନ୍ନତି ରଥକୁ ଜୋରକରି ଠେଲି ନେଉଥିବା ସମାଜର ଠିକାଦାରମାନେ ।

 

ଏଇ ଗାଁର ବାସିନ୍ଦା ପ୍ରାୟ ଆଦିବାସୀ ସମ୍ପ୍ରଦାୟର । ଯେଉଁ କେତେକ ସବର୍ଣ୍ଣ ପରିବାର ଅଛନ୍ତି, ସେମାନଙ୍କର ଆଚରଣ ଓ ପେଶା ମଧ୍ୟ ଆଦିବାସୀଙ୍କ ପରି । ଜଙ୍ଗଲ ଏମାନଙ୍କୁ ନିଜ ଦେହରେ ଦିଏ ଜୀବିକାର ଉତ୍ସ । ସୂର୍ଯ୍ୟଙ୍କ ଗତିସହ ଆରମ୍ଭ ହୁଏ ଏଠାକାର ବାସିନ୍ଦାଙ୍କର ଗତି । ସୂର୍ଯ୍ୟ କେବଳ ଗୋଟିଏ ଦିଗରେ ଗତିକରେ, ଗୋଟିଏ ମୁଣ୍ଡରୁ ଆରମ୍ଭ କରି ଆର ମୁଣ୍ଡରେ ସାରେ ମାତ୍ର ଏଠାକାର ବାସିନ୍ଦା ଆରମ୍ଭ କରନ୍ତି ଠିକ୍ ମଝିରୁ । ପ୍ରଥମେ ଜଙ୍ଗଲ, ପୁଣି ଗାଁ ପୁଣି ସହର । ପୁଣି ଗାଁ, ନିତ୍ୟ ନୈମିତିକ।

 

କେତେକ ସାଇକେଲର ଘଣ୍ଟି ବଜାଇ ସକାଳୁ ଦୌଡ଼ନ୍ତି ସହରକୁ । ସହରର ଅର୍ଦ୍ଧନିର୍ମିତ କୋଠାଗୁଡ଼ିକରେ ନିଜର ପରିଶ୍ରମ ଜନିତ ଝାଳ ବୁହାଇ ଆସନ୍ତି ମୁହଁ ସଞ୍ଜକୁ । ସହରର ପ୍ରତ୍ୟେକ କୋଠାରେ ଏମାନଙ୍କର ହାତ ଲାଗିଛି । କେତେ ମୋଜାଇକ୍ ଫ୍ଲୋର ଘସିଛନ୍ତି ଏମାନେ । ରାତିରେ ହେଁସ ଉପରେ ଶୋଇ ଶୋଇ ଏମାନେ ଦିନ ବେଳେ ଘସିଥିବା ମୋଜାଇକର ଚିକ୍କଣତା ଓ ମସୃଣତାକୁ ସ୍ୱପ୍ନ ଦେଖି ଅନୁଭବ କରନ୍ତି ଗୋବରଲିପା ମାଟି ଚଟାଣରେ ହାତ ବୁଲାଇ । ପର ପାଇଁ ଏମାନେ ସୌଧ ତିଆରନ୍ତି ମାତ୍ର ରହନ୍ତି ଝାଟିମାଟିର କୁଡ଼ିଆରେ ଶ୍ରମିକ ଏଇମାନେ, ସରକାରଙ୍କ ଏଇମାନଙ୍କ ପାଇଁ ଖୁବ ଦରଦ । ପାର୍ଲାମେଣ୍ଟରେ ଏଇମାନଙ୍କର ବିଷୟ ନେଇ ଖୁବ୍ ଗରମା ଗରମ ଆଲୋଚନା ଚାଲେ । ବିଲ୍ ପାସ୍ ହୁଏ ଉନ୍ନତି ସାଧନ ନିମନ୍ତେ । ମାତ୍ର ନିମ୍ନମୁଖୀ ଏମାନେ । ଜୀର୍ଣ୍ଣ ହେବା ଏମାନଙ୍କର ଧର୍ମ । ବନ୍ଧବାନ୍ଧି କିଏ ଏମାନଙ୍କୁ ଉର୍ଦ୍ଧ୍ୱମୁଖୀ କରିବ । ସ୍ଵାର୍ଥୀ ଭାଷକ ଜନନାୟକ ! ! !

 

କେତେକ ସ୍ଵାଭିମାନୀ । ପରିଶ୍ରମ କରିବୁ ତ ପୈତୃକ ସମ୍ପତ୍ତି ଉପରେ। ନିଜେ ନିଜର ଝାଳର ଫଳ ଖାଇବୁ । ଚାଷ କରନ୍ତି ଏମାନେ । ଏମାନଙ୍କର ଶ୍ରମର ଫଳଗୁଡ଼ିକୁ ବଜାରରେ ଖୁବ କମ୍ ବିନିମୟରେ ଅନ୍ୟ ହାତରେ ଟେକି ଦେଇ ଫେରିଲା ବେଳେ ମନରେ ମସ୍ତିଷ୍କରେ ଅଶାନ୍ତର ଝଡ଼ ବୁହାନ୍ତି । ମାତ୍ର ସବୁ ଦେହସୁହା । କୃଷକ ଏମାନେ । ଏମାନଙ୍କ ହାତରେ ତୁଳୀ । ପ୍ରକୃତିକୁ ରଙ୍ଗ ଦିଅନ୍ତି ସମୟ ଜାଣି। ।

 

ଏଇ ତିନୋଟି ବର୍ଗଙ୍କ ସହ ଏ ଗାଁରେ ଆଉ ଗୋଟିଏ ବର୍ଗ ଅଛନ୍ତି । ଯଦିଓ ଏମାନଙ୍କର ସଂଖ୍ୟା ଗଣତିରେ ଖୁବ୍ କମ୍ ତେବେ ଏମାନଙ୍କର ପ୍ରତିପତ୍ତି ଖୁବ୍ ବେଶୀ ।

 

ଏମାନେ ସମ୍ପୂର୍ଣ୍ଣ ଭାବେ ଘହରୀ । ଖୁବ ଗୋଟାଏ ବିଶେଷ କାରଣ ଯୋଗୁ ଭିଟାମାଟିକୁ ଛାଡ଼ି ପାରି ନାହାନ୍ତି ସିନା ମାତ୍ର ଚଳଣି କାଇଦା ସବୁ ସହରୀ ପରି । ଅନ୍ୟ ବର୍ଗର ଲୋକେ ଏମାନଙ୍କର ସାମ୍ନାରେ ନିଜକୁ ଇତର ମଣନ୍ତି । ଏମାନେ ସହରର ବିଭିନ୍ନ କାର୍ଯ୍ୟାଳୟର କର୍ମଚାରୀ-। କିରାଣୀ, ପିଅନ, ଚୌକିଦାର ଆଦି । ଗାଁର ସମସ୍ତଙ୍କର ପ୍ରିୟ ଚଲା ରାସ୍ତା ଏମାନଙ୍କୁ ଭଲ ଲାଗେ ନାହିଁ । କାରଣ ଚାଲିବାଟା ସହରୀ କାଇଦାରେ ଯାଏନାହିଁ । ଏଣୁ ନିଜର ସୁବିଧା ନିମନ୍ତେ ଗାଁର ଅନ୍ୟ ଭଲ ରାସ୍ତା ଯାହା ମାପକୁ ୧୦କିମି ତକ ହୁଏ, ସେଥିରେ ଯିବା ପାଇଁ ଦୁଇ ଚକିଆ ଗାଡ଼ି କେତୋଟି ରଖିଛନ୍ତି । ଏଇ ଗାଡ଼ି ଦିନ ୧୦ଟା ବେଳେ କି ସନ୍ଧ୍ୟା ୫ଟା ବେଳେ ଗାଁ ରାସ୍ତାର ଲାଲମାଟି ଉଡ଼ାଇ ଚାଲିଗଲା ବେଳେ ଏଇ ଗାଁ ଧନ୍ୟ ହୋଇଉଠେ ।

 

ସୁଧାଂଶୁ ବାବୁ ଏଇ ଗାଁର ଜଣେ ଶିକ୍ଷିତ ବ୍ୟକ୍ତି । ଶେଷବର୍ଗ ମଧ୍ୟରେ ଜଣେ ଅସ୍ତଗଣ୍ୟ ବ୍ୟକ୍ତି । ପ୍ରକାଶ ତାଙ୍କର ପୁଅ । ପାଞ୍ଚଟି ସନ୍ତାନ ମଧ୍ୟରୁ ଅନ୍ୟତମ । ତଥାପି ପରିବାରରେ ତାର ପ୍ରଭୁତ୍ଵ ଜାହିର ହୁଏ ପ୍ରତ୍ୟେକ କଥାରେ । ଏଇତ ବାପା ତାର ନିଜେ ଛୁଟି ଆସିଛନ୍ତି ତାକୁ ପାଛୋଟି ନେବାକୁ ବସ୍‍ଷ୍ଟାଣ୍ଡକୁ ।

 

ବାଁ କାନ୍ଧରେ ଏୟାର ବ୍ୟାଗଟି ଓ ଡାହାଣ ହାତରେ ସୁଟକେଶ୍‍ଟା ନେଇ ବସ୍‍ ଓହ୍ଲାଇ ଆସୁ ଆସୁ ନଇଁପଡ଼ି ପାଦ ଧୂଳି ନେଲା ବାପାଙ୍କର । ବାପା ଗଦଗଦ ହୋଇ ଛାତି ଉପରକୁ ଟାଣି ନେଲେ ପ୍ରକାଶକୁ । କାଲି ପରି ଲାଗୁଛି ଏଇ ପ୍ରକାଶ ଟିକିଟିଏ ଥିଲା । ଏଇ ଛାତିରେ ପାଦ ରଖି ଚାନ୍ଦକୁ ଡାକୁଥିଲା । ପୁଣି ସେ ଆଜି ସମୟ ସହ ବଦଳି ଯାଇଛି । ବାପାଙ୍କ ଉଚ୍ଚତା ଠାରୁ ଦୁଇ ତିନି ଇଞ୍ଚ ଉଚ୍ଚ ହୋଇ ଯାଇଛି । ତାର ବଳିଷ୍ଠ ବାହୁକୁ ସାଉଁଟି ଛାତିରେ ଲଗାଇଲେ ସୁଧାଶୁଙ୍କର ବୃଦ୍ଧ ଛାତି ଫୁଲି ଉଠେ । ପିତୃତ୍ୱର ଗର୍ବରେ ।

 

ସିଟ୍‍ତଳ ହୁକ୍‍ରେ ସୁଟ୍‍କେଶ୍‍ଟା ଝୁଲାଇ ଦେଇ ବାଲାନ୍‍ସ କରି ରଖିଲା ପ୍ରକାଶ । ଏୟାରବେଗ୍‍କୁ ବାପାଙ୍କର ହାତକୁ ବଢ଼ାଇ କିକ୍ କଲା ସ୍କୁଟରକୁ। ଏଇ ସ୍କୁଟରକୁ ଖୁବ୍ ଭଲପାଏ ପ୍ରକାଶ । ଏ ସହରର ଅନେକ ଗଳି କନ୍ଦି ମଧ୍ୟରେ ସାଙ୍ଗ ସାଥୀର ଘର ସାମ୍ନାକୁ ବୋହି ନେଇଛି ଅନେକ ଥର । ୟୁଟର ସାଥରେ ତାର ଅନେକ ସ୍ମୃତି ।

 

ପକ୍‍କା ସଡ଼କ ପାର ହୋଇ କଚ୍ଛା ମାଟି ରାସ୍ତାରେ ଚାଲିଲା ସ୍କୁଟର । ସାମ୍ନାରେ ବଳଦ ଗାଡ଼ିଟିଏ, ସାବଧାନ ହେଉ ହେଉ ବାପା କହିଲେ, କାଲି ତୋର ଲାଷ୍ଟ ଡେଟ୍ ଅଛି ଜଏନ୍ କରିବାର-। ବଲାଙ୍ଗିର ମାଇନିଂ ଅଫିରେ ପୋଷ୍ଟିଂ ହୋଇଛି । ମୁଁ ଭାବୁଛି ତୁ ଆଜି ରାତି ବସ୍ ଯୋଗେ ଚାଲି ଯା। ।

 

‘ହାଁ’ ବେଶୀ କଥା କହି ପାରେନି ପ୍ରକାଶ ସୁଧାଂଶୁଙ୍କର ସାମ୍ନାରେ । ଆଜି ଯାଏ ସବୁ ଅଳିଅର୍ଦ୍ଦଳି କେବଳ ମା’ଙ୍କ ପାଖରେ ପେଶ୍ କରି ଆସିଛି ସେ । ଏମିତି ସାଧାରଣ ଭାବେ ଖୁବ ବାଚାଳ ହେଲେ ମଧ୍ୟ ବାପାଙ୍କ ପାଖରେ ବାପାଙ୍କଠୁ ବି ବେଶି ବେଶି ଗମ୍ଭୀର ହୋଇପଡ଼େ ପ୍ରକାଶ-

 

ଏଇଟି ତାର ଗାଁ । ଏଇ ଗାଁର ବାସ୍ନା ତାକୁ ଭାରି ଭଲ ଲାଗେ । ପ୍ରତ୍ୟେକ ଜିନିଷ ଏବେ ବି ଅପରିବର୍ତ୍ତିତ । ଏବେ ବି ଅଛି ସେଇ ବନ୍ଧ ହିଡ଼ ତଳର କିଆବୁଦା, ଗାଁ ମୁଣ୍ଡ ଝଙ୍କା ବରଗଛ, ନଈ ତଳ ଗୋହିରି, ଗାଁ ମଧ୍ୟରେ ବିସ୍ତୀର୍ଣ୍ଣ ଖେଳ ପଡ଼ିଆ । ଖାଲି ବଦଳି ଯାଇଛି ସେ । ବଦଳି ଯାଇଛି ତାର ଅନୁଭୂତି, ତାର ଭାବନା, କିଆବୁଦା ମୂଳେ ମହାବଳ ବାଘର ଉପସ୍ଥିତି କେବଳ ଛୁଆଙ୍କ ମନରେ ଭୟ ଉପୁଜାଇବା ପାଇଁ କଥିତ ବୋଲି ଏବେ ହୃଦୟଙ୍ଗମ ହୋଇଛି ତାର । ବରଗଛ ମୂଳର ବାବନା ଭୁତ ଏବେ ଏକ ଅନ୍ଧ ବିଶ୍ୱାସ ବୋଲି ହୃଦୟଙ୍ଗମ ହୋଇଛି ତାର ।

 

ସାମୁରେ ତୋରଣ ଆକାରରେ ସଜ୍ଜିତ ମଧୁମାଳତୀ ଲତାଟିକୁ ଦେଖି ବ୍ରେକ୍ ଉପରେ ପାଦର ଚାପ ପକାଇଲା । ଏଇଟା ତାର ଘର। ରାତିରେ ପୁଷ୍ଠିତ ହୋଇଥିବା ଫୁଲଗୁଡ଼ିକରେ ଭାରି ହୋଇ ପଡ଼ିଛି ଲତାଟା ସାରା । ରାତ୍ରିର ଧବଳ ବର୍ଷ ବୟସ ବଢ଼ିବା ସଙ୍ଗେ ସଙ୍ଗେ ରକ୍ତିମ ହୋଇଯାଇଛି । ପ୍ରକୃତିର ନିର୍ଦ୍ଦେଶ ଏୟା, ବୈଚିତ୍ର୍ୟର ସୂକ୍ଷ୍ମତା ।

 

ସ୍କୁଟର ଗଡ଼ାଇ ଘରେ ପଶିଲା ପ୍ରକାଶ । ପଛେ ପଛେ ବାପା ସୁଧାଂଶୁ ଶେଖର ।

***

 

 

‘ତିନି’

 

ସୁଧାଂଶୁ ଆଜି ପ୍ରଫୁଲ୍ଲିତ ପ୍ରକାଶର ଉପସ୍ଥିତିରେ । ନିଜର ଅସଲ ପାରିବାପଣିଆ ଜାହିର କରିବାରେ ବ୍ୟସ୍ତ । ପୂରା ଆଠମାସ ପରେ ଘରକୁ ଫେରିଛି ପୁଅ । ତାର ଖୁସିରେ ଯେପରି କିଛି ବାଧା ନହୁଏ । ବଡ଼ଝିଅ ଜ୍ୟୋତ୍ସ୍ନା, ତା ସାନ ଝିଅ ଜ୍ୟୋତି ଏବଂ ସବା ସାନଝିଅ ପ୍ରଭା, ସ୍ତ୍ରୀ ତାରା ସମସ୍ତେ ବ୍ୟସ୍ତ । ଅଳ୍ପ ସମୟ ପରେ ପ୍ରକାଶ ପୁଣି ଚାଲିଯିବ ବଲାଙ୍ଗିର ଅଭିମୁଖେ, ହେଳା ହେବା ଅନୁଚିତ ।

 

ପ୍ରକାଶର ଅଭାବରେ ସୁଧାଂଶୁର ଘରେ ଅନ୍ଧାର ଛାଇଯାଏ । ତାରା ନିରବରେ ପ୍ରକାଶକୁ ଝୁରେ । ସୁଧାଂଶୁ ପ୍ରକାଶ କରେ ନାହିଁ । ନିରବତା ତାକୁ ଭଲ ଲାଗେ ନାହିଁ । ପ୍ରକାଶ ବିନା ଜ୍ୟୋତି, ଜ୍ୟୋସ୍ମା, ପ୍ରଭା ସମସ୍ତେ ସ୍ନାନ ହୋଇ ଯାଆନ୍ତି । ସାନ ଭାଇ ପ୍ରଦୀପ୍ତ ମଧ୍ୟ ଗୁମ୍‍ସୁମ୍‍ ମେସିନଟିଏ ପାଲଟିଯାଏ । ମାତ୍ର ପ୍ରକାଶର ଆଗମନରେ ଝଟକି ଉଠନ୍ତି ସମସ୍ତେ । ଜ୍ୟୋସ୍ନା କର୍ମ ବ୍ୟସ୍ତତା ମଧ୍ୟରେ ମା ତାରା ସହ ସାରା ଘରେ ପ୍ଲାବିଯାଏ । ଜ୍ୟୋତି, ପ୍ରଭା, ପ୍ରଦୀପ୍ତ ସମସ୍ତେ ଚଞ୍ଚଳ ମୁଖର ହୋଇ ଉଠନ୍ତି ।

 

ଆଜି ପ୍ରକାଶ ଆସିଛି । କିଛି କ୍ଷଣ ପାଇଁ ରହିବ ।

 

ସୁଖର ଘଡ଼ି କ୍ଷଣିକ ପାଇଁ ହେଲେ ମଧ୍ୟ ଖୁବ୍ ଲୋଭନୀୟ ଓ ରୋମାଞ୍ଚକର। । ପ୍ରକାଶ ପାଇଁ ଘରେ ତାଙ୍କର ଆଲୋଡ଼ନ । ସମସ୍ତଙ୍କର ପ୍ରୀୟ ସେ । ଗାଁରେ ପ୍ରକାଶର ସାଙ୍ଗ ନାହିଁ କହିଲେ ଚଳେ । ଖୁବ କମ୍ ସମୟ ପାଇଁ ଗାଁକୁ ଆସେ ସେ । ଯେବେ ବି ଆସେ, ଏଇ ଚାରି ପାଞ୍ଚ ଜଣ ସାଙ୍ଗ ସହଚର୍ଯ୍ୟ ଛାଡ଼ି ଆଉ କୋଉଠିକୁ ଯିବାକୁ ଇଚ୍ଛା କରେ ନାହିଁ ।

 

ମା ଭାତଥାଳି ସଜାଡ଼ି ଡାକିଲେ ପ୍ରକାଶକୁ । ପ୍ରଦୀପ୍ତ କହୁଛି ମୁଁ ଭାଇ ସହ ଖାଇବି । ସାନ ଭାଇଟି ସେ । କୋଳେଇ ନେଇଗଲା ଥାଳି ପାଖକୁ । କବାଟ କୋଣରେ । ଜ୍ୟୋତି ଏବଂ ପ୍ରଭା । ପ୍ରକାଶ ଡାକିଲା ଆସ ଖାଇବା ଆସ । ଆସ ଧୋଇ ହୁଅ ।

 

ମା ତାଗିଦ୍ କଲେ ଗୋଟିଏ ଥାଳିରେ କେତେଜଣ ଖାଇବ କିରେ । ଜ୍ୟୋତି, ପ୍ରଭା ରୁହ, ତୁମେ ପରେ ଖାଇବ । ପୁଅଟା ମୋର ମୁ ଭଲ କରି ଖାଇ ସାରୁ । ଭାଇର ଡାକ ଶୁଣି ହାତ ଧୋଉ ଥିଲା ଜ୍ୟୋତି । ପ୍ରଭା ତା' ପାଖରେ । ଚୁପ୍ କରି ଲୋଟାଟା ତଳେ ଥୋଇ ଦେଲା ଜ୍ୟୋତି, ପ୍ରକାଶକୁ ଭଲ ଲାଗିଲାନି । କହିଲା ମା ତାଙ୍କୁ ରାଗନି, ତାଙ୍କ ସହ ଖାଇଲେ ମୋ ପେଟ ପୂରି ଯିବ-। ଆସରେ ଆସ, ଧୋଇ ହୋଇ ଜଲଦି ଆସ । ସଙ୍ଗେ ସଙ୍ଗେ ଦୁହେଁ ହାତ ଧୋଇ ଆସି ଥାଳି ଚାରି ପାଖରେ ବସିଗଲେ ।

 

ସେତିକି ବେଳକୁ କାଖରେ ପାଣି ଗରାଟି ଧରି ଜୋତ୍ସ୍ନା ହାଜର । ସନ୍ତର୍ପଣରେ କାଖରୁ ଗରାଟି ଓହ୍ଲାଇ ରୋଷାଇ ଘରକୁ ପଶି ଆସି ଥୋଇ ଦେଲା ଗୋଟିଏ କୋଣରେ । ତୀର୍ଯ୍ୟକ୍‍ ଦୃଷ୍ଟିରେ ଭାତ ଥାଳି ଉପରେ ନଜର ବୁଲାଇ ଆଣି କାନି ଚିପୁଡ଼ି ଚିପୁଡ଼ି ମା’ ପାଖରେ ଠିଆ ହେଲା-। ପ୍ରକାଶ କହିଲା, ଜୋତ୍ସ୍ନା ଆ ଖାଇବା ।

 

ମା ଆଡ୍‍କୁ ଚାହିଁଲା ଜୋତ୍ସ୍ନା । ଆରେ ନିବେଦନ

 

ମା କହିଲେ, ଯା ମୋତେ ଚାହୁଁଛୁ କ’ଣ ? ତୁମେ ଡାହାଣୀମାନେ କ’ଣ ମୋ ପୁଅକୁ ଗଣ୍ଡେ ଶାନ୍ତିରେ ଖାଇବାକୁ ଦେବ ?

 

ଜୋତ୍ସ୍ନା କଡ଼େଇ ଚାଲି ଯାଉଥିଲା । ହାତ ବଢ଼େଇ ନାଁ ହାତଧରି ଟାଣି ଆଣି ବସାଇଦେଲା ଥାଳି ପାଖରେ ପ୍ରକାଶ ।

 

ତାରା ଦେବୀଙ୍କର ଆରେ ଆଖିଏ ଲୁହ । ଏଇମାନେ ତାଙ୍କର ଗର୍ବ ଗୌରବର କାରଣ ମାତୃତ୍ଵ ଫୁଲି ଫୁଲି ଉଠିଲା ।

 

ଅନତି ଦୂରରେ ସୁଧାଂଶୁ ଉତ୍‍ଫୁଲ୍ଲିତ । ସଂସାର ତାଙ୍କର ହସୁଛି, ଝଟକୁଛି ।

 

ଭାତ ହାଣ୍ଡିରୁ ଭାତ ଥାଳି ଥାଳି କରି ଆଣି ଅଜାଡ଼ି ଦେଉଛନ୍ତି ଖାଉଥିବା ଥାଳିଟିରେ । ଡାଲି, ତରକାରି, ଅଣ୍ଡା ଭଜା, ସବୁ ଅଜାଡ଼ି ଚାଲିଛନ୍ତି ତାରା ଦେବୀ । ଖୁସିରେ ଖାଉଛନ୍ତି ପାଞ୍ଚଟି ତୁଣ୍ଡ । ବିଞ୍ଛିହୋଇ ପଡ଼ୁଛି ଭାତ ଥାଳି ଚାରିପଟେ । ହାତକୁ ହାତ ଛନ୍ଦି ହୋଇ ପଡ଼ୁଛି ।

 

ଆନନ୍ଦରେ ଆତ୍ମହରା ହୋଇ ପଡ଼ୁଛନ୍ତି ସୁଧାଶୁ । ସାଥରେ ତାର ଖାଇବା ପର୍ବ ଶେଷ ହେଲା । ଏବେ ପୁଣି ଯିବାବେଳ ହେଲା ପ୍ରକାଶର । ତାର ଜିନିଷପତ୍ର ଖୋଲା ହୋଇ ନାହିଁ । ଯେମିତି ଥିଲା ସେମିତି ଅଛି । ବାପା ବଢ଼ାଇ ନେଲେ ନିଯୁକ୍ତି ପତ୍ରଟା । ଜାକେଟ୍ ପକେଟରେ ପୂରାଇଲା । ପକେଟ୍‍ରୁ ଶହେ ଟଙ୍କିଆ ୧୦ଟା କାଢ଼ି ମା ହାତକୁ ବଢ଼ାଇ ଦେଲା । କୁଣ୍ଠିତ ହାତରେ ଗ୍ରହଣ କରୁ କରୁ କହିଲେ ତୋର ଚଳିବା ପାଇଁ ରଖୁଛୁଟି ।

 

ମୁଣ୍ଡ ଟୁଙ୍ଗାରିଲା ପ୍ରକାଶ । ଏଥରକ ଯିବ । ବାପା କେତେ ବେଳଠୁଁ ସ୍କୁଟର ବାହାର କରି ସୁଟ୍‍କେଶ ଲଗାଇ ରଖିଲେଣି । କାନ୍ଧରେ ଏୟାରବେଗ୍‍ଟା ଝୁଲାଇ ଠିଆ ହୋଇଛନ୍ତି ସ୍କୁଟର ପାଖରେ ।

 

ନଇଁ ପଡ଼ିଲା ପ୍ରକାଶ । ମାଙ୍କର ପାଦ ଛୁଇଁଲା । କଲ୍ୟାଣ କଲେ ମା ତାରାଦେବୀ । ତାପରେ ଜଣକ ପରେ ଜଣେ ନଇଁପଡ଼ି ପ୍ରଣାମ କଲେ ପ୍ରକାଶକୁ । ପ୍ରଥମେ ପ୍ରଦୀପ୍ତ ତାପରେ ଜ୍ୟୋତି, ପ୍ରଭା ଓ ଶେଷରେ ଜ୍ୟୋସ୍ନା । କଲ୍ୟାଣ କରି ଜାଣେନି ପ୍ରକାଶ । ନିର୍ବାକ ।

 

ମୁହଁ ବୁଲାଇ ପାଦ ଉଠାଇ ଚାଲିଲା ପ୍ରକାଶ ସ୍କୁଟର ପାଖକୁ । କିକ୍ କଲା, ଡ୍ରାଇଭର ସିଟରେ ବସି ଗାଡ଼ି ଛୁଟାଇଲା । ବସ୍‍ଷ୍ଟାଣ୍ଡ ଅଭିମୁଖେ ପଛ ସିଟରେ ବାପା ସୁଧାଂଶୁ । ୮ଟା ୨୫ ହେଲାଣି । ନଅଟାରେ ବସ୍ ।

 

ବାପା କହିଲେ, ନୂଆ ଜାଗା, ଜଗି ରଖି ଚଳିବୁ । କାଉଣ୍ଟରକୁ ଯାଇ ଖଣ୍ଡେ ଟିକେଟ୍ କରି ପକାଇଲା, ୨୩ ନମ୍ବର, ଚଳିବ, ପିଲାଲୋକ । ସୁଟକେଶ୍ ଏୟାରବେଗ୍‍, ବେଡିଂ ସବୁ ନେଇ ବସ୍‍ରେ ସାଇତି ରଖିଲା । ବାପାଙ୍କର ପାଦ ଧୂଳି ନେଇ ଗାଡ଼ିରେ ଚଢ଼ିଲା ବେଳକୁ ଶୁଣିଲା ପହଞ୍ଚୁ ପହଞ୍ଚୁ ଭଲ ମନ୍ଦ ଲେଖିବୁ ।

 

ଗାଡ଼ି ଷ୍ଟାର୍ଟ ହେଲା, ଝରକାରେ ହାତ ଗଳାଇ ହଲାଉ ହଲାଉ କ୍ଷଣକ ପରେ ବାପା ତାର ଅଦୃଶ୍ୟ ହୋଇଗଲେ। ଷ୍ଟାଣ୍ଡର ମୋଡ ବୁଲିଲା କେନ୍ଦୁଝର ବସ୍ ।

***

 

‘ଚାରି’

 

ତେଇଶ ନମ୍ବର ସିଟ୍ । ଲେଡ଼ିଜ୍ ସିଟ୍‍ର ଠିକ୍ ପଛକୁ । ଝରକାକୁ ଲାଗି କରି ବି ନୁହେଁ । ଯାହାହେଉ ଯାତ୍ରା ତ କରିବାକୁ ପଡ଼ିବ । ଏକୋଇଶ ବାଇଶ ସିଟ୍ ଦୁଇଟା ଖାଲି। ଝରକା ପାଖକୁ ଘୁଞ୍ଚଗଲା ପ୍ରକାଶ । ସହରର ନିର୍ଜୀବ ବତୀଖୁଣ୍ଟର ରଙ୍ଗୀନ୍ ଆଲୋକରେ ଉଦ୍‍ଭାସିତ ପ୍ରକାଶ । ସହରର ଦୋକାନ ସମୂହ । କେତେକ ବନ୍ଦ, କେତେକରେ ଗହଳି ।

 

ମୁଣ୍ଡ ବୁଲାଇ ଛକର ବତୀଖୁଣ୍ଟକୁ ଦେଖିଲା । ନିଅନ ଆଲୋକରେ ଚତୁର୍ଦ୍ଦିଗ ଉଦ୍‍ଭାସିତ । ମାତ୍ର ଯେଉଁଠୁ ଆରମ୍ଭ ଏ ଆଲୋକର ସଭା ସେଇ ବତୀଖୁଣ୍ଟଟି ନିରବ । ପ୍ରତିକ୍ରିୟାହୀନ, ଆମ୍ ଗର୍ବ ନାହିଁ, ଆମ୍ ସନ୍ତୋଷ ନାହିଁ, କେବଳ କର୍ମରତ, ମନେ ପଡ଼ିଲା ଗୀତାରେ କୃଷ୍ଣଙ୍କର ଉପଦେଶ-। ନିଷ୍କାମ କର୍ମ ହିଁ ପ୍ରାଣୀକୁ ମହାନ୍ ବନାଏ । ଉଜଳ ଦୃଷ୍ଟାନ୍ତ ଏଇ ବତୀ ଖୁଣ୍ଟଟି ।

 

କେନ୍ଦୁଝର ପୁରୁଣା ବଜାର ବସ୍‍ଷ୍ଟାଣ୍ଡ । ବସ୍ ଅଟକିଲା । ପାର୍ଶ୍ୱରେ ଶ୍ରୀ ଶ୍ରୀ ଗୋପାଳ ଜୀଉଙ୍କର ସୁଉଚ୍ଚ ମନ୍ଦିର। ବଡ଼ ଦେଉଳ, ସ୍ଵତଃ ହାତ ଯୋଡ଼ିକ ଯୋଡ଼ି ହୋଇଗଲା ପ୍ରଭୁଙ୍କର ଉଦ୍ଦେଶ୍ୟରେ । ହେ ପ୍ରଭୁ ଯାତ୍ରା ସଫଳ କର । କାମନା କଲା ସେ । କେନ୍ଦୁଝର ରାଜାଙ୍କର ଅନବଦ୍ୟ ସୃଷ୍ଟି ଏଇ ମନ୍ଦିର । ଉଚ୍ଚ କାରୁକାର୍ଯ୍ୟ ପୂର୍ଣ୍ଣ କଳାର ସ୍ମାରକୀ । କେନ୍ଦୁଝରବାସୀ ହୋଇଥିବାରୁ ନିଜକୁ ଗୌରବାନ୍ୱିତ ମନେ କରୁକରୁ ମନ୍ଦିର ଚୂଳର ଫିକା ପତାକା ଏବଂ ମନ୍ଦିର କାନ୍ଥର ସିମେଣ୍ଟ ଉପରେ ଶିଉଳି ଜନିତ କଳା ରଙ୍ଗ ଦେଖି ସ୍ଵୟଂ ଉପହସିତ ହେଲା । ଏଇମାନେ ହେଲେ ଦେଶର ନାଗରିକ । ନିଜେ ନିଜକୁ ଶାସନ କରୁଛନ୍ତି । ସ୍ୱାୟତ୍ତ ଶାସନ । ନିଜ ପ୍ରତିନିଧି ଯାଇ ରାଜଧାନୀରେ ଭାଷଣ ଦେଇ ବିଭାଗ ଖୋଲିଛନ୍ତି ପ୍ରତ୍ନତତ୍ତ୍ୱ ବିଭାଗ, ଯୋଜନା ଚାଲିଛି । ପ୍ରତ୍ୟେକ ବର୍ଷ ଏଇ ବିଭାଗ ନାଁରେ ବଜେଟରେ ଅର୍ଥ ବରାଦ୍ ହେଉଛି । ମାତ୍ର କେତେ କାଳରୁ ନିର୍ମିତ ଏଇ ସୁଉଜ ମନ୍ଦିର ଧୀରେ ଧୀରେ କଳା ହୋଇ ଯାଉଛି ଅଧିଷ୍ଠିତ ଦେବ କାଳିଆଙ୍କ ପରି । ସେଥିପାଇଁ ବୋଧହୁଏ ଗ୍ଲାନି ଜର୍ଜରିତ ହୋଇ ଏଇ ମନ୍ଦିର ଚୂଡ଼ାରେ ବାସ କରିଥିବା ପକ୍ଷୀମାନେ ଝାଡ଼ା ଫେରିବା ବାହାନାରେ କି ଧବଳଙ୍ଗ ପ୍ରଦାନ କରୁଛନ୍ତି ମନ୍ଦିର ଗାତ୍ରରେ । ଧନ୍ୟରେ ପ୍ରଜାତନ୍ତ୍ର, ସ୍ୱାୟତ୍ତ ଶାସନ ।

 

ମା ଏଇ ଆଡ଼କୁ ଆସ । ଏଇଠି ଆମର ସିଟ୍... ପୁରୁଣା ବଜାର ବସ୍‍ଷ୍ଟାଣ୍ଡରୁ ଉଠିଥିବା ଚାରି ପାଞ୍ଚ ଜଣଙ୍କ ମଧ୍ୟରୁ କାନ୍ଧରେ ସୁନ୍ଦର ଭ୍ୟାନିଟି ବେଗ୍ ଝୁଲାଇ ହାତରେ ଓଜନିଆ ସୁଟ୍‍କେଶଟା ଉଠାଇ ଆଣି ଲଥକିନା ବସି ପଡ଼ିଲା ଜଣେ।

 

ପ୍ରକୃତିସ୍ଥ ହେଲା ପ୍ରକାଶ । ଆଖି ଉଠାଇ ଦେଖିଲା । ପାଖରେ ସୁଶ୍ରୀ ଲଳନା, କୋମଳତାର ଭଣ୍ଡାର, ଲହୁଣୀମୟ, ଦେହରେ ମାଦକତା ଭରା ବାସ୍ନା ।

 

ଶିହରିତ ହେଲା, ପୁଣି ସଙ୍କୁଚିତ ହେଲା । ତେବେ କ’ଣ ଏଇ ସିଟ୍ ଯୋଡ଼ିକ ଏଇମାନଙ୍କର । ଆଡଭାନ୍‍ସ ବୁକ୍‍ଡ । ସଙ୍କୁଚିତ ହୋଇ ବସୁ ବସୁ ବୃଦ୍ଧା ଜଣକ ସିଟ୍ ପାଖରେ ହାଜର । ସୁଟ୍‍କେଶକୁ ଆଡ଼େଇ ରଖୁ ରଖୁ ଇତସ୍ତତଃ ହୋଇ କାହାକୁ ଲକ୍ଷ୍ୟକରି ପ୍ରଶ୍ନ କଲେ କିରେ ରାଜନ୍ ତୁ ସାଇଡ ସିଟ୍‍ଟା ବୁକ୍ କରି ପାରିଲୁ ନାଇଁ ନା । ଗେଟ୍ ପାଖରେ କେହି ଜଣେ ସୁଟ୍ ପରିହିତ ସୌମ୍ୟ ଯୁବକ । ସେ ଉପରକୁ ଚଢ଼ି ଆସୁ ଆସୁ କହିଲା ସାଇଡ୍ ସିଟ୍ ହିଁ ତ ବୁକ୍ କରିଛି ।

 

ପ୍ରକାଶ ବୁଝିଲା, ସଂକୁଚିତ ମାତ୍ର ସ୍ପଷ୍ଟ କଣ୍ଠରେ କହିଲା ମାଉସୀ ଏଇ ସିଟ୍‍ଟା ଆପଣଙ୍କର । ମୋର ସେଇ ପାଖ ସିଟ୍‍ଟା । ୨୩ ନମ୍ବର, ଆସନ୍ତୁ ।

 

ହଁ ହଁ, ଏଇ ବସ୍ ଭିତର ହାୱା ମୋତେ ଭଲ ଲାଗେ ନାଇଁ ତ । ତୁମେ କୋଉଠିକୁ ଯିବକି ପୁଅ ? ପ୍ରଶ୍ନ କରୁ କରୁ ଝରକାକୁ ଲାଗି ସିଟ୍‍ରେ ବସି ପଡ଼ିଲେ ବୃଦ୍ଧା ।

 

‘.....ବଲାଙ୍ଗୀର', ମୃଦୁ କଣ୍ଠରେ ଛୋଟ ଉତ୍ତରଟିଏ ଦେଲା ପ୍ରକାଶ । ଆଛା... ଆଛା’ କହି ଭଲ ଭାବରେ ଜମେଇ ବସୁ ବସୁ ଓମେନ୍ ମାଗାଜିନ୍‍ଟିରେ ମନ ଦେଲେ ବୃଦ୍ଧା ।

 

୨୩ନମ୍ବର ସିଟ୍‍ରେ ପ୍ରକାଶ । ପାଖରେ ସୁଶ୍ରୀ ଲଳନା, ସୁଢ଼ଳ ଚେହେରା । ପ୍ରକାଶର ପ୍ରାଣ ରୋମାଞ୍ଚିତ । ହୃଦୟ ଉଦ୍‍ଫୁଲିତ । ମାତ୍ର ମନ ସଙ୍କୁଚିତ । ଠିକ୍ କରି ମୁହଁକୁ ଚାହିଁ ପାରୁନି ପ୍ରକାଶ । କଣେଇ ଦେଖୁଛି । ସୁନ୍ଦର ନାକଟିଏ ଶୁଆ ଥଣ୍ଟପରି । ଅଗରେ ନାକଚଣା ଉପରେ ଧଳା ପଥର ଚକ୍‍ମକ୍ କରୁଛି । ତଳକୁ ଦେଖିଲା, ସଲୱାର ପଞ୍ଜାବୀ ପରିହିତା ଲଳନାର ହାତ ଜଙ୍ଘ ଉପରେ ସ୍ଥିର । ଚମ୍ପାକଢ଼ି ସଦୃଶ ସୁନ୍ଦର ପାଞ୍ଚଟି ଆଙ୍ଗୁଠି । ଆଉ ଦେଖି ପାରିଲାନି ପ୍ରକାଶ । ବେଶ୍ ଭିତରୁ ରବିବାର ମାଗାଜିନ୍‍ଟା କାଢ଼ି ତହିଁରେ ମନ ଦେଲା ପ୍ରକାଶ ।

 

‘ବଲାଙ୍ଗୀରରେ କ’ଣ ଆପଣଙ୍କର ଘର ?’ ସୁଲଳିତ କଣ୍ଠ ସ୍ୱର ଶୁଣି ସମ୍ବିତ ପାଇଲା ପ୍ରକାଶ ।

 

‘ନାଇଁ ପୋଷ୍ଟିଂ ହୋଇଛି । ପ୍ରଥମ କରି ଯାଉଛି ।’

 

‘କୋଉଠି ପୋଷ୍ଟିଂ ହୋଇଛି ? କୋଉ ଅଫିସ୍‍ରେ ?

 

‘ମାଇନିଂ ଅଫିସରେ, ମାଇନିଂ ଅଫିସର୍‍ ଭାବରେ’

 

‘ଓହୋ ସେଇ ଅଫିସଟା ତ ଆମ ଘରଠୁ ଅଳ୍ପ ଦୂରରେ ।’

 

‘ମାତ୍ର ଆପଣ ଏଇଠୁଁ ! !’

 

-ହଁ ଏଇଠି ମୋର ମା’ର ଘର ଥିଲା ।

 

-ମାନେ ?

 

-ମୋ ମା ଏଇଠି ଜନ୍ମ ହେଲା, ଏଇଠି ବଢ଼ିଲା, ଆଉ ଏବେ ବଲାଙ୍ଗୀରରେ ।

 

-ଓହୋ । ଏବେ କିଏ ଅଛନ୍ତି ଏଠି ?

 

-ମୋ ମାମୁଁ, ମୋ ମାଇଁ, ଲୁଟୁ, ଲିଲି, ବୁଲୁଭାଇ ଆଉ ସିନି ମାଉସୀ । ଏସ୍‍ବିଆଇ ବ୍ରାଞ୍ଚ ମ୍ୟାନେଜର ମା ମାମୁଁ ସୁବୋଧ ପଟ୍ଟନାୟକଙ୍କୁ ଆପଣ ଜାଣିଛନ୍ତି ନା... ?

 

-ନା ଜାଣିନି, ଏଇ ଯୋଉ...

 

‘କେନ୍ଦୁଝର ଷ୍ଟେଟବ୍ୟାଙ୍କ ଅଫ୍ ଇଣ୍ଡିଆର ବ୍ରାଞ୍ଚ ମ୍ୟାନେଜରଙ୍କୁ ଆପଣ ଜାଣିନାହାନ୍ତି । ତାତ୍ସଲ୍ୟର ବାକ୍ୟଟିଏ କହି ଖିଲି ଖିଲି ହୋଇ ହସି ଉଠିଲା ।

 

ପ୍ରଗଲ୍‍ଭା... ସ୍ଵାଗତୋକ୍ତି କଲା ପ୍ରକାଶ । ଯେମିତି ୟା’ ମାମୁଁ ଜଣେ ଭି.ଭି.ଆଇ.ପିଟେ କି ମନ୍ତ୍ରୀଟେ । ଶ... ତାକୁ ମୋର ଜାଣିବା କ’ଣ ଦରକାର ।

 

‘ଆପଣଙ୍କର କ’ଣ ଏସ୍‍ବିଆଇରେ ଏକାଉଣ୍ଟ ନାହିଁ ?’

 

‘ନାଇଁ । ପୁଣି ସେଇ ଖିଲି ଖିଲି ହସ । ‘ଆପଣ ସବୁ ଟଙ୍କା ହାତରେ ଧରି ରଖିବାକୁ ଭଲ ପାଆନ୍ତି ନା । ଲକ୍ଷ୍ମୀଧାରୀ ଲକ୍ଷ୍ମୀବନ୍ତ ।’

 

ନନ୍‍ସେନ୍ସ.... ସ୍ଵଗତୋକ୍ତି କଲା ପ୍ରକାଶ । ‘ମୁଁ କେନ୍ଦୁଝରରେ ରହୁ ନାହିଁ ।’

 

‘...ମାତ୍ର ଆପଣତ କହିଲେ ଆପଣଙ୍କ ଘର କେନ୍ଦୁଝରରେ । ‘ଘରଥଲେ କ’ଣ କେହି ରହେ ବୋଲି ନିଶ୍ଚିତ କୁହାଯାଇ ପାରେ । ମୁଁ ମହାରାଷ୍ଟ୍ରର ଚନ୍ଦ୍ରପୁରଠାରେ ବିଗତ ଚାରିବର୍ଷ ହେଲା ଥିଲି।’

 

‘ଓ ଆଇଏମ୍ ସରି...’

 

‘ନେଭର ମାଇଣ୍ଡ- ଇଟସ୍ ଅଲରାଇଟ୍ ।’

 

ସନ୍ ଡେର ଟପିରେ ମନ ଦେଲା ପ୍ରକାଶ । ହାଇ ମାରି ମା କାନ୍ଧରେ ମୁଣ୍ଡ ଥୋଇଲା ସୁଶ୍ରୀ ଲଳନା, କପାଳ ଉପରକୁ ଝୁଲି ପଡ଼ିଥିବା ବାଳକୁ ସଜାଡ଼ୁ ସଜାଡ଼ୁ, ଯୁବତୀ ଦେହରୁ ହାଲୁକା ସୁବାସର ଏକ ଝୋଙ୍କ ନାକରେ ପଶି ଶିହରିତ କଲା ପ୍ରକାଶର ମନକୁ । ବୃଦ୍ଧା ବହୁ ବେଳୁ ଝରକାକୁ ଆଉଜି ଆଖିବନ୍ଦ କରି ବସିଛନ୍ତି । କୋଳରେ ତାଙ୍କର ଖୋଲା ହୋଇ ପଡ଼ିଛି ଓମେନ୍ ମାଗାଜିଟି।

 

ବସ୍ ଗଡ଼ିଚାଲିଛି ଛ ନମ୍ବର ଜାତୀୟ ରାଜପଥର ଅଙ୍କାବଙ୍କା ପାହାଡ଼ିଆ ରାସ୍ତା ଉପରେ । ପଥ ପାର୍ଶ୍ଵର ଜଙ୍ଗଲର ବୃହତ୍ ମେରୁ ବୃକ୍ଷରାଜି ଅନ୍ଧକାର ମଧ୍ୟରେ ଛନ୍ଦ ନର୍ତ୍ତନ । ଗାଡ଼ିର ଘରଘର ଶବ୍ଦକୁ ଜଙ୍ଗଲର ନିସ୍ତବ୍ଧତା ମଧ୍ୟର ପବନର ସାଇଁ ସାଇ ଶବ୍ଦ । ରୋମାଞ୍ଚକର ପରିବେଶ । ଗାଡ଼ି ଭିତରେ ଡ୍ରାଇଭର କେତେବେଳୁ ଲାଇଟ୍ ଲିଭାଇ ଦେଇ ସାରିଲାଣି । ମନେ ହେଉଛି ଗାଡ଼ିଟା ଉଡ଼ୁଛି । ରାତିରେ ଜାତୀୟ ରାଜପଥରେ ସାଧାରଣତଃ ଟ୍ରାଫିକ୍ ନଥାଏ ।

 

ସମସ୍ତ ପାସେଞ୍ଜର ପ୍ରାୟ ନିଦ୍ରାସକ୍ତ । କ୍ଲିନର ଝୁଲି ପଡ଼ିଛି ବସ୍ କବାଟରୁ । ପ୍ରକାଶ ଆଖିବନ୍ଦ କଲା । ମନରେ ଉତ୍ତେଜନା । ପରିବେଶ ରୋମାଞ୍ଚକର । ପାଖରେ ଯୁବତୀ, ଶରୀରର ସୁଗନ୍ଧ ବେଶୀ ମତୁଆଲା କରୁଛି । ମନର ସଂଯମର ଡୋର ଢିଲା ହୋଇପଡ଼ୁଛି ।

 

... ନାଁ ସେପରି ଭାବିବାଟା ଠିକ୍ ନୁହେଁ । ପ୍ରକାଶ ଭାବିଲା ଉଷା କଥା । ଉଷା ତାଙ୍କ ଗାଁ ଝିଅ ସରଳ ନିଷ୍ପାପ ଉଷା, ତାର ବାପା ମା ତାକୁ ବୋହୁ କରିବାକୁ ଅନେକ ଦିନରୁ ସ୍ଥିର କରିଛନ୍ତି । ଯଦିଓ ତା ପରିବାର କେହି ଏକଥା ତା ଠାରେ ପ୍ରକାଶ କରି ନାହାନ୍ତି ତଥାପି ସେ ଏକଥା ଜାଣେ, ବୋଧହୁଏ ଉଷା ମଧ୍ୟ ଏକଥା ଜାଣିଛି । ସେଥିପାଇଁ ତ ପ୍ରକାଶକୁ ଦେଖିଲେ ଲୁଚେ ସେ ।

 

ବୋଉ ତାରାଦେବୀ ଖୁବ୍ ଶ୍ରଦ୍ଧା କରନ୍ତି । ଉଷାକୁ ତା ଉପରେ ଗୋଟାପଣେ ଅଧିକାର ଜାହିର କରନ୍ତି । ପରିବା କଟା କରାନ୍ତି । ରୋଷେଇ କଲାବେଳେ ଚୁଲି ଜାଳିବାକୁ କହନ୍ତି । ଉଷା ବୋଉ କହି ଡାକିଲେ ମଧ୍ୟ ସେ କେବେ ତାକୁ ଝିଅ ସମ୍ବୋଧନ କରନ୍ତି ନାହିଁ । କୌଣସି କାମ ବରାଦ ପାଇ ଚାଲି ଗଲା ବେଳେ ମୁଗ୍ଧ ନୟନରେ ଉଷାର ଚଲାପଥକୁ ଚାହିଁରୁହନ୍ତି ତାରାଦେବୀ । ଖୁବ ସୁଧାର ଝିଅଟିଏ, ବେଳେ ବେଳେ କହନ୍ତି ସେ ।

 

ସେଦିନ ତା ବୋଉ ବାପାଙ୍କୁ କହୁଥିବାର ଶୁଣିପାରିଥିଲା ପ୍ରକାଶ ।

 

“ହଇହେ ଶୁଣୁଛ ଆମର ଉଷା ପ୍ରକାଶକୁ ଖୁବ୍‍ ମାନିବ ।”

 

‘ହେଲେ ପ୍ରକାଶ ମାନିବତ ?’

 

‘ମଲା ମୋ ପୁଅ, ପୁଣି ମୋ ପସନ୍ଦରେ ଅମତ ହେବ । ସେ ଆଗ ଓଡ଼ିଶାକୁ ଆସିଯାଉ ଚାକିରି ବଦଳାଉ, ଦେଖିବ ମୋ କଥାରେ କେମିତି ରାଜି ହେବ ।’

 

ମନେ ମନେ ଖୁସି ହୋଇଥିଲା ସେଦିନ ପ୍ରକାଶ । ଉଷା ସାକ୍ଷାତ୍ ଉଷା ପରି, ଶୀତଳ, ନିର୍ମଳ, କୋମଳ ଓ ଶାନ୍ତ । ତାର ସାବନା ରଙ୍ଗ ସକାଳର କଅଁଳ ଖରାପରି । ସ୍ୱଜାତିର, ପାଠ ବି ପଢ଼ିଛି ଯାହା କିଛି । କ୍ଷତି କ’ଣ ବରଂ ଖୁବ ଭଲ ।

 

ଆଉ ରଜ ପୁନେଇ ଅବସରରେ ସେ ଦିନ ନିରୋଳାରେ ଉଷାକୁ ପାଇ ପ୍ରକାଶ ଯେବେ କହିଥିଲା ଶୁଣିଲୁଣି ଉଷା, ତୋର ମୋର ବାହାଘର ହେବ ।

 

ଇସ୍ ଧେତ୍ କହି ମୁହଁ ତଳକୁ କରି ଟିକିଏ ଲାଜେଇ କରି କଣେଇ ଚାହିଁଦେଇ ଦୌଡ଼ି ଚାଲି ଯାଇଥିଲା ସେଦିନ ଉଷା, ମୁହଁଟି ଲାଜରେ ରକ୍ତିମ ହୋଇ ଯାଇଥିଲା ଠିକ୍ ନବୋଦିତ ସୂର୍ଯ୍ୟଙ୍କ ପରି । ସେଦିନର ସେ ଚାଲିଟା ବନ ହରିଣୀଠୁ ବଳି ଯାଉଥିଲା । ମନରେ ଲାଖି ଯାଇଥିଲା ସେଦିନର ସେ ଦୃଶ୍ୟଟା ।

 

ତା’ ପରଠୁ ଅନେକ ନିସଙ୍ଗ ଘଡ଼ିରେ ପ୍ରକାଶ ଉଷା କଥା ଭାବେ । ଗାଁର ଛନ୍ଦିହୀନ ଚପଳା କିଶୋରୀ ସେ । ସବୁବେଳେ ହସ ହସ ଚଞ୍ଚଳା ବନ୍ୟ ଝରଣାଟି ପରି । ବ୍ୟବହାରରେ ମୃଦୁତା, ଭାବ ଭଙ୍ଗୀରେ ମଞ୍ଜୁଲତା, କେତେ କ’ଣ କଳ୍ପନା କରିଯାଏ ପ୍ରକାଶ । ନିଜ ଜ୍ଞାନ ଗରିମା ଦାନ କରି ଦିନେ ଉଷାକୁ ଝଟକାଇବ ସମାଜର ଜନମାନସରେ । ସୁଖୀ ସଂସାର କରିବ।

 

ସମ୍ବଲପୁର ବସ୍‍ଷ୍ଟାଣ୍ଡ ।

 

ବସ୍ ଗତି କ୍ଷୀଣ କରୁ କରୁ ଦୁଇ ଚାରିଟା ବସ୍‍କୁ କାଟି ସ୍ଥିର ହୋଇ ଗଲା ଗୋଟିଏ ନିର୍ଦ୍ଦିଷ୍ଟ ଜାଗାରେ । ବୃଦ୍ଧା ଆଖି ମଳୁ ମଳୁ ସିଟ୍ ତଳ ସ୍ଥିତ ୱାଟର ବୋତଲଟା ବାହାର କରି ମୁହଁରେ ଲଗାଇ ଢକ୍‍ଢକ୍ କରି ପିଇ ଚାଲିଲେ । ବସ୍‍ର ଗତି ରୋକିବା ସାଥେ ସାଥେ ପ୍ରକାଶର ଭାବନାରେ ପୂର୍ଣ୍ଣଛେଦ ପଡ଼ିଲା । ପ୍ରକୃତିସ୍ଥ ହେଲା । ପାର୍ଶ୍ୱସ୍ଥ ଯୁବତୀଟି ଇତି ମଧ୍ୟରେ ପ୍ରକାଶର କାନ୍ଧରେ ମୁଣ୍ଡ ରଖି ଖୁବ୍ ଆରାମରେ ଶୋଇଯାଇଛି । ମୁହଁ ପୁରାଇ ଦେଖିଲା ପ୍ରକାଶ । ଶରୀର ତଥା ବାଳର ସୁଗନ୍ଧରେ ନିଜ ନାସିକା ଉଦ୍‍ଫୁଲିତ ହେବାର ଅନୁଭବ କରିବା ସଙ୍ଗେ ସଙ୍ଗେ ଯୁବତୀଟିର ନିଶ୍ୱାସ ପ୍ରଶ୍ୱାସ ପର୍ଯ୍ୟାୟରେ ସରଳ ଓ ସୁନ୍ଦର ନାସିକାଟି ଫୁଲି ଉଠୁଥିବା ଲକ୍ଷ୍ୟକଲା । ନାକ ଅଗର ପଥର ବସା ନାକଚଣାଟି ଏଇ ତଳ ଉପର ନର୍ତ୍ତନ ଛଳରେ ଅନେକ କିଛି ବ୍ୟକ୍ତ କରି ଚାଲିଛି ନିଜର ଓ ନିଜର ମାଲିକାଣିର ।

 

ପୁଅ । ପାଣି ବୋତଲଟା ଟିକିଏ ଭରି ଆଣିବ । ବୃଦ୍ଧାଙ୍କର ଆଦେଶପୂର୍ଣ୍ଣ ଅନୁରୋଧ । କଣ୍ଠସ୍ୱରରେ ଅଧିକାରର ବାସ୍ନା ପାଇଲା ପ୍ରକାଶ ।

 

ଡାହାଣ ହାତରେ ଯୁବତୀର କଅଁଳ ଗାଲକୁ ସ୍ପର୍ଶକରି ସିଧା କରି ଦେଉ ଦେଉ ଉଁ କହି ମା କାନ୍ଧ ଉପରକୁ ଜଳିଗଲା ଯୁବତୀଟି ।

 

ପ୍ରକାଶ ପାଖ ଚା ଦୋକାନୀକୁ ପାଣି ମଗଟା ମାଗି ବୋତଲରେ ଭରିଲା ବେଳକୁ ଭାବୁଥିଲା, ହୁଁ ବୁଢ଼ୀଟା ବି ଝିଅ ପରି । ପର ପୁରୁଷର କାନ୍ଧ ଉପରେ ମୁଣ୍ଡରଖି ଆରାମରେ ଝିଅ ଶୋଇଛି ଆଉ ମା ତାହା ଦେଖିଲା ପରେ ବି ନିର୍ବିକାର । ପୁଣି ପାଣି ଭରି ଆଣିବାକୁ ନିର୍ଦ୍ଦେଶ । ହଁ....

 

ପାଣି ଭରି ବୋତଲଟା ଧରି ବସ୍ ଉପରକୁ ଉଠିଲା ବେଳକୁ ଯୁବତୀଟି ସିଧା ହୋଇ ବସିଛି । ଆଖିରେ ଆଖି ମିଶିଗଲା ପ୍ରକାଶର । ସୁନ୍ଦର ଆଖି ଯୋଡ଼ାକ ସଜଳ, ଢଳଢଳ, ସଦା ପ୍ରକାଶଶୀଳ। ଆଖିର ଗଭୀରତା ଆକଳନ, ତା ମଧ୍ୟରେ ଅନେକ ସୁର, ଅନେକ ଗାଥା । ଆଖି ନୋଇଁଲା ପ୍ରକାଶ । ଭାବିଲା ତାର ଅନୁପସ୍ଥିତିରେ ନିଶ୍ଚୟ ବୃଦ୍ଧା ଗାଳି କରିଛି ଝିଅକୁ ପର ପୁରୁଷର କାନ୍ଧରେ ମୁଣ୍ଡ ରଖି ଶୋଇବାରୁ ।

 

ଦିଅନ୍ତୁ ମୋତେ ବୋତଲଟା, ଏଇ ନେ ମା... ରାପର କ୍ଲଥଟା ଗୁଡ଼ାଇ ରଖିଦେ ।

 

ଆଚ୍ଛା ପୁଅ ତୁମ ନାଁ କ’ଣ ?

 

ପ୍ରକାଶ.... ।

 

ପ୍ରକାଶ: ବାଃ ଭଲ ନାଆଁଟେ ତ, ନାଇଁ ମା । ଆଚ୍ଛା ମୋ ନା ସନ୍ଧ୍ୟା । କହନ୍ତୁ, ଭଲ ନାଁଟେ ନା ।

 

ହିଁ ଭଲ । ବିରକ୍ତି ମିଶା କଣ୍ଠରେ କହିଲା ପ୍ରକାଶ । ଭାବିଲା ଉପରେ ପଡ଼ି କଥା ହେବା ବୋଧହୁଏ ୟାର ଅଭ୍ୟାସ ।

 

କୋଉ ଅଫିସରେ ଚାକିରି ପାଇଛି ଯେ ?

 

ମାଇନିଂ ଅଫିସ୍ ।

 

କଲେଜ ପାଖରେ ଯୋଉଟା ଅଛି ସେଇଟା ତ ।

 

ମୁଁ ଜାଣିନି ଭଲକରି । ଶୁଣିଛି ତାହା କଲେଜ କ୍ୟାମ୍ପସ ଭିତରେ ବୋଲି ।

 

କୋଉଠି ରହିବ ।

 

ଏବେ ତ କିଛି ଠିକଣା ନାହିଁ । ଜଏନ୍ କଲା ପରେ ଦେଖିବା ।

 

ଏତେ ଗୁଡ଼ାଏ ଜିନିଷ ନେଇ କୁଆଡ଼େ ବୁଲିବ ?

 

ମା ତାଙ୍କୁ କହୁନୁ ଆମ ଘରେ ଜିନିଷପତ୍ର ରଖିଦେଇ ଯିବେ । ଯୁଆଡ଼େ ଯାହା ସୁବିଧା ହେଲେ ଆସିକରି ନେଇଯିବେ । କ’ଣ ସାର ଠିକ୍ କହିଲି ନା ।

ହଁ... କିନ୍ତୁ... ନାଇଁ...ଆପଣ...ଦ୍ୱିଧାଗ୍ରସ୍ତ ଉତ୍ତର ପ୍ରକାଶର ।

ହଁ ମ ଆମେ ଆପଣଙ୍କର ଜିନିଷ ଚୋରାଇ ନେବୁ ନି । ହଁ ପୁଅ ସେମିତି କରିବ । ଆମ ଘରତ ବସ୍‍ଷ୍ଟାଣ୍ଡ ପାଖ । ତୁଛାଟାରେ ଅସୁବିଧାରେ ପଡ଼ିବ କାହିଁକି ?

ଆପଣଙ୍କର ଘର କ’ଣ ?

ଆମଘର ବଲାଙ୍ଗୀର ହାଟପଡ଼ାରେ । ବସ୍‍ଷ୍ଟାଣ୍ଡକୁ ଲାଗି ଆମର ଘର ଅଛି । ମୋ ବାପାଙ୍କର ନିଜସ୍ୱ ନର୍ସିଂହୋମ୍ ଟାଏ ଅଛି । ଆପଣଙ୍କର କିଛି ଅସୁବିଧା ହେବନି, ବୁଝିଲେ ।

...ଆପଣ କ’ଣ କରୁଛନ୍ତି ? ଯୁବତୀକୁ ଲକ୍ଷ୍ୟକରି ପ୍ରଶ୍ନକଲା ପ୍ରକାଶ ।

ମୋତେ ଆପଣ ବୋଲି କ’ଣ କହୁଛନ୍ତି । ମୁଁ ଏବର୍ଷ ବିଏସି ଆଡ଼ମିସନ ନେଇଛି ହେଲା-। ମାଥମେଟିକ୍ସ ଅନର୍ସ ରଖିଛି ହେଲା । ବଲାଙ୍ଗୀରରେ କୌଣସି ଅସୁବିଧା ହେବନାହିଁ । କହୁ କହୁ ମାକାନ୍ଧରେ ମୁଣ୍ଡ ରଖି ଆଖି ବୁଜିଲା ସନ୍ଧ୍ୟା ।

ପ୍ରକାଶ ସିଟ୍‍କୁ ଆଉଜି ଭାବିଲା ଚଞ୍ଚଳା ଝିଅଟିଏ । ବନ୍ୟ ହରିଣୀ କି ବନ୍ୟ ଝରଣା ପରି ଛନ୍ଦମୟୀ । ସରଳ ନିଶ୍ଚିତ ଭାବେ । ସୁଗନ୍ଧ ପରି ଛନ ଛନ । ପିଲାଟିଏ ପରି ସରଳ । ଯୌବନର ଔଦ୍ଧତ୍ୟ ନାହିଁ । ତୁଳନା କଲା ତାର ଉଷା ସହ ।

ଉଷା ଓ ସନ୍ଧ୍ୟା ଜଣେ ନିର୍ମଳ ଶୁଭ୍ର ଓ ଅନ୍ୟ ଜଣେ ରଙ୍ଗର ସମାହାର । ଜଣେ ସ୍ଥିର ଜଣେ ଚଞ୍ଚଳ । ଜଣେ ମେଘ, ଜଣେ ବିଜୁଳି । ଜଣେ ପୁଷ୍ପ, ଜଣେ ସୁବାସ ।

 

ଛାଡ଼ ଅପରିଚିତ ବ୍ୟକ୍ତିଙ୍କ କଥା ଭାବି ଲାଭ କ’ଣ । ଆଖିବୁଜିଲା ପ୍ରକାଶ । ଆଖିରେ ଝରକା ଫାଙ୍କରେ ବାଟ ଦେଇ ଆସୁଥିବା ମନ୍ଦ ପବନର ମୃଦୁସ୍ପର୍ଶ । ନାକରେ ସନ୍ଧ୍ୟାଦେହର ହାଲୁକା ସୁବାସ । ନିଦ ରାଣୀ ଧୀରେ ଧୀରେ ବିରାଜିଲା । ଗ୍ରାସକଲା କ୍ଷଣକ ମଧ୍ୟରେ ପ୍ରକାଶକୁ ।

***

 

‘ପାଞ୍ଚ’

 

ଏଇ ଉଠନ୍ତୁ, ବଲାଙ୍ଗିର ପହଞ୍ଚି ଗଲା ଯେ ।

ଆଖି ମଳି ମଳି ଚାହିଁଲା ପ୍ରକାଶ । ଉତ୍କଳ ପ୍ରକାଶ ସର୍ବବ୍ୟାପ୍ତ । ବଲାଙ୍ଗୀର ବସ୍‍ଷ୍ଟାଣ୍ଡ । ବସ୍ ଦୀର୍ଘଯାତ୍ରା ପରେ ସ୍ଥିର ଏକ ଅଳିକରି ରାହାଧରି କାନ୍ଦୁଥିବା ଚପଳ ବାଳକଟି ତାର ଇପ୍‍ସିତ ଲାଭ କଲା ପରି ।

ସ୍ନିଗ୍ଧ ବାତାବରଣ । ଅଦିନିଆ ଅସରାଏ ବର୍ଷା ଦ୍ୱାରା ସର୍ବତ୍ର ଆର୍ଦ୍ରାଅର୍ଦ୍ଧେକ ଯାତ୍ରୀ ବସ୍‍ରୁ ଓହ୍ଲାଇ ସାରିଲେଣି। ପାଖରେ ସନ୍ଧ୍ୟା, ବ୍ୟସ୍ତ । ବୃଦ୍ଧା ଶାଲ ଚଉତି ବାସ୍କେଟ୍‍ରେ ଭରୁଛନ୍ତି । ଏୟାର ବେଗ୍‍ଟିକୁ କାନ୍ଧରେ ଝୁଲାଇଲା ପ୍ରକାଶ । ବାଁ ହାତରେ ସୁକେଶ ଓ ଡାହାଣ ହାତରେ ବେଡ଼ିଟାକୁ ଘୋଷାରି ଘୋଷାରି ଓହ୍ଲାଇଲା ପ୍ରକାଶ । ସାମ୍ନାରେ ରିକ୍ସାବାଲାଙ୍କର ଅନୁଗ୍ରହ ।

‘‘ଆଜ୍ଞା ରିକ୍ସା... ରିସା ଆଜ୍ଞା ।”

ପଛକୁ ଚାହିଁଲା ପ୍ରକାଶ । ସନ୍ଧ୍ୟାର ହସ ହସ ମୁହଁ । ଏୟାଡକୁ ଆସନ୍ତୁ ପ୍ରକାଶ ବାବୁ । ରୂପସୀର ଲାଳିତ୍ୟମୟ କଣ୍ଠରେ ନିଜ ନାମ ପୁଣି ନିଜତ୍ୱ ବାସ୍ନା । କିଛି ପ୍ରତିକ୍ରିୟା ପ୍ରକାଶ କରିବା ପୂର୍ବରୁ ସନ୍ଧ୍ୟାର ଇଙ୍ଗିତ ପାଇ ସାମ୍ନାରେ ଥିବା ରିକ୍‍ସାବାଲାଟା ଆସି ହାତରୁ ସୁଟକେଶ ଏବଂ ବେଡିଂଟା ନେଇ ରିସାରେ ଥୋଇଲା । କିଂକର୍ତ୍ତବ୍ୟବିମୂଢ଼ ପ୍ରକାଶ ।

“ମା ତୁ ରିକ୍‍ସା ନେଇ ଚାଲିଯା, ଆମେ ଚାଲି ଚାଲି ଆସୁଛୁ ।”

“ଅଦ୍‍ଭୁତ ।” ସ୍ଵଗତୋକ୍ତି କଲା ପ୍ରକାଶ । “କି ଉଦ୍ଦେଶ୍ୟ ଅଛି ଏଇ ମା ଝିଅଙ୍କର’’ ପ୍ରଶ୍ନଟା ଉକୁଟି ଉଠୁଥିଲା ପ୍ରକାଶର ମସ୍ତିଷ୍କରେ । ଦେଖୁ ଦେଖୁ ରିକ୍ସାଟା ମୋଡ଼ବୁଲି ଅଦୃଶ୍ୟ ହୋଇଗଲା । ସାଙ୍ଗରେ ବୃଦ୍ଧାଙ୍କର ଚେହେରା ।

‘ଆପଣ ଅମିତ୍ ଭାଇ ଭଳି ବୁଦ୍ଦୁଟେ ।’

‘ଉଁ’

ସବୁ ଜିନିଷ ରିସାରେ ଗଲା, ଆଉ ଆପଣ ଏଇ ଏୟାରବେଗ୍‍ଟା କାନ୍ଧରେ ଝୁଲାଇ ରଖିଛନ୍ତି ।

ଓଃ ସ୍ୱତଃ ହସର ଝଲକଟିଏ ଆସିଗଲା ପ୍ରକାଶର ଓଠ ଧାରକୁ । ସାଙ୍ଗରେ ସନ୍ଧ୍ୟାର ଖିଲିଖିଲି ହସ ।

 

ସାମ୍ନାରେ ଗୋଟିଏ ଦ୍ୱିତଳ ପ୍ରସାଦ । ଗେଟ୍ ସାମ୍ନାରେ ସେଇ ପୂର୍ବ ବର୍ଣ୍ଣିତ ରିକ୍‍ସାଟା ଅଟକି ଥିବାର ଦେଖ୍ ଆତ୍ମ ବିସ୍ମୃତି ଲାଭ କଲା ପ୍ରକାଶ । ଏତେ ବଡ଼ ଘରର ଅଧିକାରୀ ଏମାନେ !-! ଦୁଇଟା ବଳୁଆ ଲୋକ ଜିନିଷ ଓହ୍ଲାଉଛନ୍ତି । ଘରର ଚାକର ହୋଇଥିବେ ନିଶ୍ଚୟ ।

 

....ଆସନ୍ତୁ । ଆ ପୁଅ ଏଇଟା ନିଜ ଘର ଭାବିବ।

 

ଯନ୍ତ୍ରଚାଳିତ ପରି ନିର୍ଦ୍ଦେଶକ୍ରମେ ସବୁ ନିତ୍ୟକର୍ମ ସାରିଲା । ବ୍ରେକ୍ ଫାଷ୍ଟ ଟେବୁଲରେ ବସି ବ୍ରେଡ୍‍ରେ ବଟ୍‍ର ଲଗାଇ ସାଣ୍ଡୱିଚ୍ କଲା ବେଳକୁ ନିଜର ଇତିହାସ ଭାବୁଥିଲା ପ୍ରକାଶ । ଏମିତି ପରିବେଶ ତା’ ପାଇଁ ଯେ ନୂଆ ଏକଥା ନୁହଁ । ମାତ୍ର ତା ଜୀବନରେ ଏମିତି ସମ୍ଭ୍ରାନ୍ତପଣର ଆଲୋକ ଯେତେ ଥର ପଡ଼ିଛି ସେତେ ଥର ତାର ମଳିନ ଇତିହାସକୁ ସ୍ମରଣ କରି ସ୍ନାନ ଜର୍ଜରିତ ହୋଇଛି ।

 

ସବୁ ପରିସ୍ଥିତିରେ ନିଜକୁ ସହଜ କରି ତୋଳିବାର ଗୋଟିଏ ଅଦ୍‍ଭୁତ ଶକ୍ତି ତାର ଅଛି । ଗାଁରେ କେଉଁ ବନ୍ଧୁବାନ୍ଧବ ଘରେ ଆଲୁମିନିୟମ ଥାଳିରୁ ବହୁତଳ ପ୍ରାସାଦର ଡାଇନିଂ ସେଟ୍‍ରେ ଜଙ୍ଘରେ ରୁମାଲ ପକାଇ କଣ୍ଟା ଚାମଚ ବ୍ୟବହାର କରି ବ୍ରେଡ୍‍ରେ ବଟର ଲଗାଇ ଖାଇବା ହେଉ, ଖୁବ ସହଜତାର ସହ ସମ୍ପନ୍ନ କରିପାରେ ପ୍ରକାଶ ।

 

ସାଢ଼େ ନ’ଟାରେ ରିକ୍‍ସା ଯୋଗେ ମାଇନିଂ ଅଫିସ ଅଭିମୁଖେ ଯାତ୍ରାକଲାବେଳେ ଭାବୁଥିଲା ପ୍ରକାଶ । ଏତେ ବଡ଼ ଘରେ କ’ଣ ଲୋକ କେବଳ ଦୁଇଜଣ । ସନ୍ଧ୍ୟାର ବାପାଙ୍କର ବି ତ ଦେଖାନାହିଁ । ବୃଦ୍ଧା ଗମ୍ଭୀର ମନେ ହେଲେ ହେଁ ତାଙ୍କର ହୃଦୟ ଯେ ସର୍ବଦା ମମତା ସାଗରରେ ଟଳମଳ ଏକଥା ତାଙ୍କର ଏଇ କେଇପଦ କଥା ମଧ୍ୟରେ ଉନ୍ମୋଚିତ । ଏତେ ବଡ଼ ପ୍ରତିଷ୍ଠା ତଥା ସମ୍ପନ୍ନ ସମ୍ପଦର ଅଧିକାରିଣୀ ହୋଇ ରିକ୍ସାବାଲାକୁ ପୁଅ ସମ୍ବୋଧନ କରିବାର ଅର୍ଥ ଆଉ କ’ଣ ହୋଇପାରେ । ସନ୍ଧ୍ୟା ତ ଏକ୍‍ଦମ୍ ପ୍ରଗଳ୍‍ଭା । ମାତ୍ର ସରଳ ଓ ନିଷ୍ଠାପ।

 

ଅଫିସର ସବୁ ଫର୍ମାଲିଟି ସାରୁ ସାରୁ ଦିନ ତିନିଟା ହୋଇଗଲା । ତଥାପି ଚାର୍ଜ ହସ୍ତାନ୍ତର ପୂରା ହୋଇ ପାରିଲାନି । ଷ୍ଟୋର ଆଦି କେତେକ ଗୁରୁତ୍ୱପୂର୍ଣ୍ଣ ବିଭାଗ ରହିଛି । ଆଉ ହେବନି, ଆଗ କିଛି ଖାଇ ନେବାକୁ ପଡ଼ିବ । ଅଫିସର ସହଯୋଗୀଙ୍କୁ ଯଥାମାନ୍ୟ ନିଜର ଇଚ୍ଛା ପ୍ରକାଶ କରିବା ପୂର୍ବକ ଖାଦ୍ୟ ସନ୍ଧାନରେ ବାହାରିଲେ ପ୍ରକାଶ ।

 

ଅଫିସ୍ ସାମ୍ନାରେ ସକାଳେ ଦେଖୁଥିବା ଦୁଇଟି ବଳିଷ୍ଠ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ଘୁରି ବୁଲୁଥିବାର ଦେଖି ସ୍ୱତଃ ଆକର୍ଷିତ ହେଲେ ପ୍ରକାଶ । ସେ ମଧ୍ୟ ଦେଖି ମାଡ଼ି ଆସିଲା ୟା’ଙ୍କ ଆଡ଼କୁ-

 

କିଛି ଅନୁମାନ କରିବା ପୂର୍ବରୁ ଆଗନ୍ତୁକ ସଲାମ ମାରି କହିଲା ‘ଚାଲନ୍ତୁ ସାର୍, ମା କହିଛନ୍ତି । ଗୋଟାଏ ବେଳଠୁଁ ଆସିଲିଣି ।’

 

କିଛି ଦୁର୍ବୋଧ୍ୟ ନଥିଲା ପ୍ରକାଶର । ରିକ୍‍ସାରେ ବସି ପଡ଼ି ଚାଲିଲା ବହିଦାର ଇଷ୍ଟେଟ୍ । ଯନ୍ତ୍ର ଚାଳିତ ପରି ଟେବୁଲ ଉପରେ ନିଜ ଥାଳି ଉଠାଇ ଭୋଜନ କଲା । ସାମ୍ରାରେ ବୃଦ୍ଧା ଏବଂ ସନ୍ଧ୍ୟା । ସେମାନେ ମଧ୍ୟ ତିନିଟା ପର୍ଯ୍ୟନ୍ତ ଖାଇ ନଥିଲେ କେବଳ ତା’ପାଇଁ । ଭାବୁ ଭାବୁ ଭାବପ୍ରବଣ ହୋଇ ଉଠିଲା ପ୍ରକାଶ । ଏତେ ସ୍ନେହ, ଏତେ ମମତା, ଏ ଅଦିନିଆ ବନ୍ଧୁ ପାଇଁ କାହିଁକି ଯେ ! ! !

 

...ପୁଣି ଅଫିସ୍ ଯିବକି ପୁଅ... ? ମମତାଭରା ସ୍ଵର ପ୍ରକାଶର ଗଳାକୁ ରୁନ୍ଧି ପକାଇଲା । ଗଦ୍‍ଗଦ୍‍ ଅନୁଭୂତି ପ୍ରକାଶ ବାକ୍ୟହୀନ ।

 

...ରାତିରେ ଯାତ୍ରା କରିଛି । ଟିକିଏ ବିଶ୍ରାମ ନିଅ । ଆଜି କିଛି କାମ ତ ସେପରି ନଥିବ । ‘ହଁ ସେୟା କରିବି ମାଉସୀ’ ଭାବପୂର୍ଣ୍ଣ ସ୍ୱତଃ ପ୍ରକାଶିତ ବାକ୍ୟ ମନ୍ତ୍ରମୁଗ୍ଧ କଲା ବୃଦ୍ଧାଙ୍କୁ । କ’ଣ ଭାବୁଛି... ??

 

ଯଥାରିତୀ ଖାଦ୍ୟ ପର୍ବ ସରିଲା ବେଳକୁ ବୃଦ୍ଧାଙ୍କର ପୁନର୍ବାର ମମତାବୋଳା ସ୍ୱର । “ ପୁଅକୁ ଉପରକୁ ନେଇ ଶୋଇବା ଘର ଦେଖାଇ ଦେବୁ ସନ୍ଧ୍ୟା । ମୁଁ ଯାଉଛି ଟିକିଏ ଗଡ଼ିବି ।’’ ହାତ ଧୋଇ ମୁହଁ ପୋଛି ଚାଲିଗଲେ ବୃଦ୍ଧା ପାର୍ଶ୍ୱସ୍ଥ ଏକ କୋଠରୀକୁ ମମତାବୋଳା ଚାହାଣୀ ମାଧ୍ୟମରେ ଅନେକ ଅନୁଗ୍ରହ ତଥା ଆଶୀର୍ବାଦ ବର୍ଷଣ କରି ପ୍ରକାଶ ପାଇଁ ।

 

ସୁସଜ୍ଜିତ କୋଠରୀଟିଏ । ଡନ୍‍ଲପ୍ ଗଦି ଉପରେ ସୁନ୍ଦର ଗୋଟେ ମଖମଲ । ବିଛଣା ଚଦର । ମୁଣ୍ଡ ପାଖରେ ସୁନ୍ଦର ଭାବେ କୁଳ କରାଯାଇ ସନମାଇକା ଲଗାଇ ଫୁଟେ ଓସାରର ଗୋଟେ କପ୍‍ବୋର୍ଡ ପଲଙ୍କରେ ସଂଲଗ୍ନ, ସୁନ୍ଦର ସୋଫାଟିଏ କାନ୍ଥକୁ ଲାଗି । ଯେଉଁଥିରେ ଫୁଟେ ବହଳର ଡନ୍‍ଲପ୍ ଗଦି । ଚଟାଣରେ ଦାମୀ ଗାଲିଚା । କାନ୍ଥରେ ଦାମୀ ବେଦାଗ ପେଣ୍ଟ ।

 

ଏଇମିତି କୋଠରୀଟିଏର ଅଧିକାରୀ ହେବାକୁ ସ୍ୱପ୍ନ ଦେଖେ ପ୍ରକାଶ । ସୁନ୍ଦର ଏକ ପରିବେଶ, ତା ଭିତରେ ଛୋଟ କିନ୍ତୁ ସୁନ୍ଦର ସୁସଜ୍ଜିତ ଘରଟିଏ । ସୁନ୍ଦର ମାର୍ଜିତ ସାଥୀଟିଏ ନୈସର୍ଗିକ ଭାବାବେଗର ଡୋରିରେ ବନ୍ଧା ହୋଇ ସହଚର୍ଯ୍ୟ ପ୍ରଦାନ କରୁଥିବା ତ ଯେକୌଣସି ଖୁଆଲି କଳ୍ପନା କରେ । ମାତ୍ର ପ୍ରକାଶ ପକ୍ଷରେ ଏହା ଯେ କେବଳ କଳ୍ପନା ଏକଥା ସେ ଜାଣେ । ୟା’ର ରୂପାନ୍ତର ନାହିଁ । ପ୍ରକାଶର ଜନ୍ମ କେବଳ ଅନ୍ୟକୁ ଆଲୋକିତ କରିବା ପାଇଁ । ଆଗରେ ପଛରେ ଅନେକ ପ୍ରକାଶ ପାଇଁ ବ୍ୟାକୁଳ ।

 

... ଏଇଠି ଆପଣ ଟିକିଏ ଶୋଇ ପଡ଼ନ୍ତୁ । ଉଠିଲେ ଛାତ ଉପରକୁ ଯାଇ ଥଣ୍ଡା ପବନ ଖାଇ ବଲାଙ୍ଗିର ସହର ଅନୁକ୍ଷଣ କରିବା ହେଲା ।

 

... ସନ୍ଧ୍ୟା ଆଜି କଲେଜ ନାହିଁକି ?

 

... ଆଜି ପରା କେନ୍ଦୁଝରରୁ ଆସି ପହଞ୍ଚିଲି, ପୁଣି ଆଜି କଲେଜ କେମିତି ଯାଇଥାନ୍ତି । କାଲି ସକାଳେ ଯିବି ଯେ ।

 

... ଏଠି ଘରେ କ’ଣ ତୁମେ ଆଉ ମା’ ଦୁହେଁ ରହ ?

 

... କାହିଁକି ? ରାମୁକାକା, ସୁର କାକା, ଶନ୍ତୁ, ମିନି, ରାଣୀ ଆଉ ମୋର ବ୍ଲାକି ଅଛି ଯେ, ସମସ୍ତେତ ଅଛନ୍ତି ।

 

... ଏମାନେ କ’ଣ ସମ୍ପର୍କୀୟ ?

 

... ହେଃ ବୁଦ୍ଦୁ । ସରି, ଖାଲି କ’ଣ ସମ୍ପର୍କୀୟ କହିଲେ ମା, ବାପା, ଭାଇ ଭଉଣୀକୁ ବୁଝାଏ ? ମା ମୋତେ କହିଛି ରାମୁକାକା ଆଉ ସୁରକାକାଙ୍କୁ କାକା ବୋଲି ଡାକିବାକୁ । ଏମାନେ ମୋତେ ଝିଅ ବୋଲି ଡାକନ୍ତି ଏବଂ ଅନ୍ୟମାନେ ମୋତେ ଦିଦି ବୋଲି ଡାକନ୍ତି ।

 

... ହେଲା ଯେ, ତୁମ ବାପା... ?

 

...ହିସ୍, ଆସ୍ତେ କହନ୍ତୁ । ଆମ ବାପା ଭଲ ଲୋକ ନୁହଁନ୍ତି । ମୋତେ ଜମା କୁଆଡ଼େ ବୁଲାଇ ନିଅନ୍ତି ନାହିଁ । ରାତି ୧୨ଟା ବେଳେ କି ଗୋଟାଏ ବେଳେ ଆସନ୍ତି । ମୁଁ ଚେଇଁ ଥିଲେ ମୋତେ ରାଗ ହୁଅନ୍ତି । ରାମୁକାକା ପରଷି ଦେଲେ ଖାଆନ୍ତି । ସକାଳ ୬ଟାରୁ ଉଠି ପୁଣି କ୍ଲିନିକ୍‍କୁ ଚାଲିଯାଆନ୍ତି । ମୋତେ କେତେବେଳେ ସକାଳେ ଦେଲେ ତାଗିଦ୍ କରନ୍ତି ବ୍ଲକିକୁ ନେଇ ପ୍ରାତଃ ଭ୍ରମଣରେ ଯିବା ପାଇଁ କି ଉଷୁମ ପାଣିରେ ସକାଳୁ ସକାଳୁ ଗାଧୋଇ ପଡ଼ିବାକୁ । ବାସ୍ ଦେଖା ନ ହେଲେ ଭଲ ।

 

... ମାଙ୍କ ସହ ?

 

... ଆଗ ଖୁବ୍ ଝଗଡ଼ା ହେଉଥିଲା । ଏଇ ରାମୁକାକା ଅନେକ ଥର ମଝିରେ ପଶି ଝଗଡ଼ା ଭାଙ୍ଗିଛନ୍ତି ।

 

... ଝଗଡ଼ା କାହିଁକି ?

 

... ଆଗ ମୋ ଭାଇ ପାଇଁ ହେଉଥିଲା । ପରେ ବାପା ବେଶୀ ସମୟ ବାହାରେ ରହୁଥିବା ଯୋଗୁ । ବାପା କହନ୍ତି ବ୍ୟବସାୟ, ମା କହେ ମୁଁ କିଛି ଶୁଣିବାକୁ ଚାହେଁନି । ବାସ୍ ସେଥିପାଇଁ ଝଗଡ଼ା ହୁଏ ।

 

... ଭାଇ ପାଇଁ... ବ୍ୟବସାୟ... ମୁଁ କିଛି ବୁଝି ପାରୁନି।

 

... ଓହୋ, ମୁଁ ବୁଝେଇ ପାରିବିନି । ଭାଇ କହିଲେ ମୋ ଭାଇ ଅମିତ୍ । ବ୍ୟବସାୟ କହିଲେ ମୋ ବାପାଙ୍କର ନସିଂହୋମ୍ । ହେଲା, ଏଥର ଆପଣ ଶୁଅନ୍ତୁ ନଚେତ୍ ବସନ୍ତୁ । ମୋର ସମୟ ହୋଇଗଲା । ସୁଧା ଚାରିଟା ବେଳେ ଆସିବ କହିଥିଲା ।

 

କହୁ କହୁ ଠେକୁଆ ଛୁଆଟିଏ ପରି ଡିଆଁମାରି ଆଖ୍ ପିଛୁଳାକେ ଅଦୃଶ୍ୟ ହୋଇଗଲା ଆଖି ସାମ୍ନାରୁ ।

 

ପ୍ରକାଶ ଆଖିରେ ବିରାଟ ଏକ ସମୀକରଣ । ମୂଲ୍ୟାଙ୍କନ ସହଜ ନୁହେଁ । ରହସ୍ୟାବୃତ୍ତ ବହିଦାରଙ୍କ ସଂସାର ଦେହ ମନରୁ ଥକ୍‍କା କାଢ଼ି ନେଇ ଅନୁସନ୍ଧିତ୍ସାରେ ରୁନ୍ଧି ହୋଇଥିଲା ପ୍ରକାଶର ମନ ମସ୍ତିଷ୍କ ସବୁ କିଛି ।

 

ପ୍ରକାଶ ଭାବୁଛି ଏଇ ଆଭିଜାତ୍ୟପୂର୍ଣ୍ଣ ଏକ ସମ୍ରାନ୍ତ ପରିବାରର ଇତିକଥା । ମା ଏକ ମମତାର ସାଗର । ସର୍ବଦା ଜୁଆରିଆ ଉତ୍ତାଳ ତରଙ୍ଗ ଦ୍ୱାରା । ସର୍ବ ଦିଗରେ ପ୍ଲାବି ଯିବାକୁ ବ୍ୟାକୁଳ । ଏଘରେ ଚାକର ମାଲିକାଣୀର ସମ୍ପର୍କ ମା ପୁଅର । ଚାକର ସମ୍ମାନନୀୟ, ପଶୁ ପକ୍ଷୀ ବନ୍ଦନୀୟ ତଥାପି ଗୃହ ଚାର୍ଯ୍ୟ କାହିଁକି ଏପରି ଆନମନା । ଭାବିଲେ ଦୁର୍ବୋଧ ଲାଗୁଛି । ଛାଡ଼ କ’ଣ ମିଳିବ । କାଲି କୌଣସି ମତେ ରହିବାର ବ୍ୟବସ୍ଥା କରି ନେଲେ ଚାଲି ଯିବ ଏଠୁ । ଏ ରଙ୍ଗୀନ ଦୁର୍ବୋଧ୍ୟ ଦୁନିଆରୁ ଦୁରେଇ ନିଜର ସରଳ ନିରାଡ଼ମ୍ବର ଦୁନିଆରେ ରାଜୁତି କରିବ । ଏଇକଥା ଭାବୁ ଭାବୁ ହାଲୁକା ହୋଇଗଲା ମନ ମସ୍ତିଷ୍କ । ଏୟାର କଣ୍ଡିସନର୍‍ର ଥଣ୍ଡା ହାୱା ଶରୀରର ସମସ୍ତ କୋଷକୁ ଅବଶ କରି ପକାଇଲା । ଶୋଇ ପଡ଼ିଲା ପ୍ରକାଶ ।

***

 

‘ଛଅ’

 

... ଉଠନ୍ତୁ ପ୍ରକାଶ ବାବୁ । ଆରେ ବାଃ ମୁଁ ଥିଲାବେଳେ ଖାଲି ବକର ବକର ଆଉ ଚାଲିଗଲେ ସୁନିଦ୍ରାର ଘୁଙ୍ଗୁଡ଼ି ।

 

ପ୍ରକାଶ ଆଖିମଳି ମଳି ଉଠିଲା ବେଳକୁ ସାମ୍ନାରେ ସନ୍ଧ୍ୟା । ବାଇଗଣୀ ରଙ୍ଗର ଟାଇଟ ଚୁଡ଼ିଦାର ପଞ୍ଜାବି ପରିହିତା ଗୌରବର୍ଣ୍ଣା ଲଳନା । ମୁହଁରୁ ଝରୁଛି କେରି କେରି ହସମୁକ୍ତା । ଆଖି ଉଠାଇ କାନ୍ଥ ଘଣ୍ଟା ଉପରେ ନଜରି ଦେଲା ବେଳକୁ ଘଣ୍ଟା କଣ୍ଟା କହୁଛି ସାଢ଼େ ୬ଟା ବାଜିଲାଣି । ତରବର ହୋଇ ଉଠି ପଡ଼ିଲା ପ୍ରକାଶ ।

 

ହାଁ...... ଏଇଟା ଟଏଲେଟ୍ । କୋଠରୀ ସଂଲଗ୍ନ ଟଏଲେଟ୍‍ର ଦରବାଜାଟା ଖୋଲୁ ଖୋଲୁ କହିଲା ସନ୍ଧ୍ୟା । ‘ଆପଣ ଫ୍ରେସ ହୋଇ ଆସନ୍ତୁ ମୁଁ ମା ସହ ତଳେ ଅଛି । ଚା ପିଇ ଛାତ ଉପରକୁ ଯିବା ।’

 

ପ୍ରତ୍ୟେକଟି କଥାରେ ପ୍ରତ୍ୟେକଟି ଶୈଳୀରେ କି ଆତ୍ମୀୟତା ପ୍ରକାଶର ହୃଦୟ ଖୁସିରେ ଉଛୁଳି ପଡ଼ୁଥିଲା ।

 

କିଛି କ୍ଷଣ ପରେ ବେଦାଗ ଧଳା ପଞ୍ଜାବୀ ଟ୍ରାଉଜର ପିନ୍ଧି ଉପସ୍ଥିତ ହେଲା ଟି । ଟେବୁଲ ପାଖରେ । ବିନା ଭୂମିକାରେ ନିଜ ପାଇଁ ଉଦ୍ଦିଷ୍ଟ ଚା କପ୍‍ଟି ଉଠାଇ ନେଉ ନେଉ ଶୁଣିଲା କିଛି ଅସୁବିଧା ହେଉ ନାହିଁ ତ ପୁଅ ।

 

... ନାଇଁ ମାଉସୀ ।

 

... ଆଚ୍ଛା ଏବେ ଚା ପିଇ ସାରି ଦୁହେଁ ଛାତ ଉପରେ ଟିକିଏ ବୁଲା ବୁଲି କର । ମୁଁ ମନ୍ଦିର ଘରେ କିଛି ସମୟ କଟାଇବି । ଆରେ ରାମୁ । ମନ୍ଦିର ଘର ଧୁଆ ସରିଲା ।

 

ହଁ ମା... ଚାରିଟା ବେଳଠୁ ସବୁ ସଫା କରି ସଜାଡ଼ି ଦେଇଛି । ଆଢ଼ୁଆଳରୁ ରାମୁକାକାର କଣ୍ଠସ୍ଵର ବାରି ହୋଇ ପଡ଼ୁଥିଲା ।

 

... ହଉ ପୁଅ, ମୁଁ ଚାଲିଲି । ବ୍ୟସ୍ତ ହେବନି । ଯାହା ଦରକାର ସନ୍ଧ୍ୟାକୁ କହିବ ।

 

... ଚାଲନ୍ତୁ ଏବେ ଛାତ ଉପରକୁ ଯିବା ।

 

ଓହୋ... ଛାତ, ଛାତ, ସ୍ଵାଗତୋକ୍ତି କଲା ପ୍ରକାଶ । ଛାତ ଉପରେ ଏମିତି କ'ଣ ଅଛି ଯେ ମା ଝିଅ ବେଳାବେଳୁ ଲାଗିଛନ୍ତି ଛାତ ବୁଲାଇବାକୁ । ଏମିତି ତ ମନ ଏଇ ଘରର ଚାରି କାନ୍ଥ ଡେଇଁ ଅପରିଚିତ ସହରରେ ବୁଲିବାକୁ ଇଚ୍ଛା କରୁନଥାଏ । ତଥାପି ସନ୍ଧ୍ୟାର ପ୍ରଗଲ୍‍ଭା କଥାରେ ବୋର ହେବା ଅପେକ୍ଷା ମାଙ୍କର ମମତାମୟ ଚାହାଣୀ ଏବଂ କଣ୍ଠସ୍ୱର ଶୁଣିବାକୁ ଭାରି ଇଚ୍ଛା । ତଥାପି ଯିବାକୁ ହେବ, ଏଠି ସେତ ଯନ୍ତ୍ରଟିଏ । ଯେମିତି ପରିଚାଳିତ, ସେମିତି କୃତ।

 

ଶିଡ଼ି ପାର ହୋଇ ଛାତ ଉପରେ ପାଦ ଦେଲା ପ୍ରକାଶ । ଆଗରେ ସନ୍ଧ୍ୟା । ଏଟା ଛାତ କି ପାର୍କ । ପରିସର ଖୁବ ବିରାଟ ଗାଣିତିକ । ତଥ୍ୟରେ ପ୍ରାୟ ଏକ ହଜାର ବର୍ଗମିଟର । ତଳେ ସୁନ୍ଦର ଘାସର ଗାଲିଚା । ସବୁଜ ଘାସ ଗାଲିଚା ଉପରେ ଚାରିକଡ଼େ ଚାରିଫୁଟର କାନ୍ଥ । କାନ୍ଥ ଉପରେ ନାନା ପ୍ରକାର ଫୁଲ କୁଣ୍ଡ । ତଳେ ନାନା ଜାତିର ଛୋଟ ମାତ୍ର ମନୋରମ ଫୁଲଗଛ । ଠିକ୍ ମଝିରେ ଜଳକୁଣ୍ଡଟିଏ । ସ୍ୱିମିଂ ପୁଲ ଆକାରର ନିର୍ମଳ ସ୍ଵଚ୍ଛଜଳରେ ପୂର୍ଣ୍ଣ । ଏ କୋଣରେ ଡାଲିଆ ବଗିଚା । ସେ କଡ଼େ ହାଇବ୍ରିଡ୍ ଜିନିଆ । ସବା ଶେଷ କୋଣରେ ଗୋଲାପ ବଗିଚା । ଅଗଣିତ ଫୁଲ କୁଣ୍ଡ ସବୁଗୁଡ଼ିକ ହାଇବ୍ରିଡ଼ । ପ୍ରତ୍ୟେକଟି ପ୍ରତ୍ୟେକଠାରୁ ଅଲଗା । ନାନା ପ୍ରକାରର ବିଦେଶୀ ଫୁଲ ସାଙ୍ଗକୁ ଦେଶୀ ମଲ୍ଲୀ, ଗେଣ୍ଡୁ, ଜୁଇ, ଜାଇ, ସେବତୀ ଆଦି ଫୁଲଗଛକୁ ହାଇବ୍ରିଡ଼ କରି କୁଣ୍ଡରେ ରୋପଣ କରାଯାଇଛି । ସୁନ୍ଦର ସଂଗ୍ରହ ।

 

ପ୍ରକାଶ ବମ୍ବେରେ ହ୍ୟାଙ୍ଗିଙ୍ଗ୍ ଗାର୍ଡେନ ଦେଖୁଥିଲା ହେଲେ ଏମିତ ରୁଫ୍ ଗାର୍ଡେନ କୋଉଠି ଦେଖୁନଥିଲା । ଉନ୍ନତ ରୁଚି ସମ୍ପନ୍ନ । ଆଖି ଲାଖି ଯାଉଥଲା ପ୍ରତ୍ୟେକଟିର ଶୋଭାରେ ।

 

ଚାଲୁଚାଲୁ ଦୁହେଁ ଗୋଟିଏ କୋଣରେ ଥିବା ଝୁଲା ପାଖରେ ପହଞ୍ଚି ଗଲେ । ସାମ୍ନାରେ ଦୁଇଟା ଫିକ୍‍ସଡ୍‍ ଚେୟାର । ବେତର କାରୁକାର୍ଯ୍ୟ ଉପରେ ମଖମଲର ଗଦି ପଡ଼ିଛି । ସନ୍ଧ୍ୟା ଦୋଳି ଉପରେ ବସି ପଡ଼ୁପଡ଼ୁ କହିଲା ଆସନ୍ତୁ ବସନ୍ତୁ ଏଠାରେ । ଏବେ ସନ୍ଧ୍ୟା ହେଉଛି କି ନା, ଖୁବ୍ ଭଲ ଲାଗିବ । ମୁଁ ସାଢ଼େ ସାତଟାରେ ଷ୍ଟଡ଼ିକୁ ଯିବି ।

 

ସନ୍ଧ୍ୟା ପାଖରେ ବସିବା ପାଇଁ ସନ୍ଧ୍ୟାର ଆଗ୍ରହକୁ ଉପେକ୍ଷା କରି ପ୍ରକାଶ ସାମ୍ନାର ଫିକ୍‍ସଡ୍ ଚେୟାରଟିରେ ବସି ପଡ଼ିଲା । ସଦା ଉନ୍ମୁକ୍ତ ଛାତ ଉପରେ ହେଲେ ସୁଦ୍ଧା ଧୂଳି ମଳିର ଲେସମାତ୍ର ଦୃଷ୍ଟି ଗୋଚର ନହେବା ବିଚିତ୍ର ଲାଗୁଥିଲା ପ୍ରକାଶକୁ ।

 

... ତୁମ ଭାଇ ତୁମକୁ ଭଲ ଲାଗନ୍ତି ନା... ?

 

... ଇସ୍... ଆପଣ ବି ଅମିତ୍‍ ଭାଇ ପରି । ପ୍ରତିଥର ସେ ଯେମିତି ପଚାରୁଥାନ୍ତି ମୁଁ ତୋତେ ଭଲ ଲାଗେନା ବୋଲି...

 

... ସେ କ’ଣ ଏଠି ରହନ୍ତି ନାହିଁ ?

 

... ସେ ପରା ମାଡ୍ରାସରେ ଏମ୍‍ବିଏ କରୁଛନ୍ତି । ଏଠି କେମିତି ରୁହନ୍ତେ ।

 

କିନ୍ତୁ ସେ ଏଠି ଥିଲାବେଳେ ତ ଭାରି ମଜା ହେଉଥିବ ।

 

... ନାଇଁମ, ବାପା କ’ଣ ବେଶୀଦିନ ତାଙ୍କୁ ଏଠାରେ ରଖାଇ ଦିଅନ୍ତି ?

 

... ମାନେ... ?

 

... ମାନେ ହେଲା ବାପା ଚାହାନ୍ତିନି ସେ ଇମୋସନାଲ କି ସେଣ୍ଟିମେଣ୍ଟାଲ ହେଉ । ବାପା କହନ୍ତି, ଏଠି ମା ପାଖରେ ରହିଲେ ସେ ହୋମ୍‍ସିକ୍ ହୋଇଯିବ । ତାଙ୍କ ମତରେ ଆଜିକାଲି ସମାଜରେ ଇମୋସନାଲ ଲୋକ କେବେ ଉନ୍ନତି କରିପାରିବ ନାହିଁ । ସ୍ନେହ ପ୍ରେମ ହିଁ ଶିକୁଳି ବନି ମଣିଷକୁ ବାନ୍ଧି ପକାଏ । ଆଗେଇ ଯିବାର ରାସ୍ତା ରୋକେ । ସେଇଥିପାଇଁ ଅମିତ୍‍ ଭାଇକୁ ବାପା ପିଲା ଦିନୁ ବୋର୍ଡିଂରେ ରଖିଛନ୍ତି । ସେଥିପାଇଁ ଭାଇ ଆମଠୁ ଦୂରରେ ରହିଛନ୍ତି ହେଲା ।

 

ହେଲେ ଭାଇ କ’ଣ ଏଥିରେ ଦୁଃଖ କରନ୍ତି ନାହିଁ ?

 

... କାହିଁକି ? ଖୁବ୍‍ ଦୁଃଖ କରନ୍ତି । ବେଳେ ବେଳେ କାନ୍ଦନ୍ତି । ମୋତେ ଧରି ଖୁବ୍ ଗେଲ କରନ୍ତି । ମା କୋଳରେ ପଶି ଖୁବ କାନ୍ଦନ୍ତି । ହେଲେ ବାପାଙ୍କ କଥା ମନେ ପଡ଼ିଲେ ନା ଆମଠୁ ଦୂରେଇ ଯାଆନ୍ତି । ବେଳେ ବେଳେ ମୁଁ କ’ଣ କହିଲେ ଚିଡ଼ି ଉଠନ୍ତି । ନାଇଁ ନାଇଁ ମୋ ଭାଇ ଖୁବ୍ ଭଲ, ଭାରି ଭଲ, ଠିକ୍ ଆପଣଙ୍କ ଭଳି, ନାଇଁ ତାଠୁ ଭଲ ।

 

... ମା କେମିତି କିଛି କହନ୍ତି ନାହିଁ ?

 

... କିଛି କହନ୍ତି ନାହିଁ କେମିତି ମ । କହିଲି ପରା ଖୁବ୍‍ କାନ୍ଦନ୍ତି, ଖୁବ କହନ୍ତି, ଝଗଡ଼ା କରନ୍ତି, ଉପାସ ରହନ୍ତି, ହେଲେ ବାପା କହନ୍ତି ଉନ୍ନତି ମଧ୍ୟରେ ଏ ସବୁ କଣ୍ଟା ହେବ । ବାସ ମା କାନ୍ଦ ବନ୍ଦ କରେ । ବାପା ନର୍ସିଂହୋମକୁ ଚାଲି ଯାଆନ୍ତି । ମା ମନ୍ଦିର ଘରକୁ ଚାଲିଯାଏ। ଆଚ୍ଛା ଆପଣ କୁହନ୍ତୁତ ଠିକ୍ କିଏ ?

 

... ମୁଁ ଜାଣିଛି ଆପଣ କହି ପାରିବେନି । ଅମିତ୍ ଭାଇ ବି କହି ପାରେନି । ହେଲେ ମୁଁ ଜାଣିଛି କୋଉଟା ଠିକ୍ କହିବି ?

 

... ଉଭୟ ଠିକ୍ ।

 

... ମାନେ...

 

... ଫିପ୍ଟି, ଫିପ୍ଟି ଅଣ୍ଡରଷ୍ଟାଣ୍ଡିଂ

 

... ତେବେ ଏଠି କ’ଣ...

 

... ସେଥିପାଇଁ ତ ଚିଡ଼ା ଲାଗେ ବାପାଙ୍କ ପ୍ରତି । ଏଠି ଖାଲି ତାଙ୍କର ୧୦୦ ଭାଗ ଚାଲିବ-। ଆଉ କାହାରି କିଛି ଚାଲିବ ନାହିଁ । ହେଲେ ମୋ ବାପା ଭାରି ଭଲ । ଦେଖନ୍ତୁ ନା ଆମର କିଛି ଅସୁବିଧା ନାହିଁ ।

 

... ତେବେ...

 

... ଆରେ ବାପ୍‍ରେ ସାତଟା ଚାଳିଶ । ନା ବାବା ନା, ମୁଁ ଆଉ ବସି ପାରିବିନି । ଦଶ ମିନିଟ୍ ଡେରି ହୋଇ ସାରିଲାଣି । ମୁଁ ଚାଲିଲି ଷ୍ଟଡିକୁ । ଆପଣ ଏଠି ବସିଥାନ୍ତୁ । ଆଠଟା ଚାଳିଶରେ ତଳକୁ ଆସିବେ। ଡ୍ରଇଂରୁମରେ ସମାଚାର ଦେଖ୍ ଡିନର କରିବେ ହେଲା । ଆଚ୍ଛା ମୁଁ ଆପଣଙ୍କକ ପାଇଁ କଫି ପଠାଇ ଦେଉଛି ।

 

ତରଙ୍ଗିଣୀ ତରଙ୍ଗାୟିତ ଭଙ୍ଗୀରେ ଚାଲିଗଲା ଡିଆଁମାରି । ସମଗ୍ର ଦେହଟା ଯୌବନ ଭାରରେ ଭାରି ପଡ଼ୁଛି । ଅଥଚ ମନରେ କେତେ ଚାଞ୍ଚଲ୍ୟ, ବାଲ୍ୟ ସୁଲଭ । ଉକ୍ତିରେ କେତେ ଦୃଢ଼ତା, ଛାଡ଼...

 

ସହର ଦର୍ଶନରେ ମନ ଦେଲା ପ୍ରକାଶ । ସହରର ମଧ୍ୟ ଭାଗରେ ଏଇ କୋଠଟା । ଚାରି ଆଡ଼କୁ ଲମ୍ବି ଯାଇଛି ସହର । ଧବଳ କୋଠାଗୁଡ଼ିକର ଉଚ୍ଚତା ପାଇଁ ପ୍ରତିଯୋଗିତା । ପାର୍ଶ୍ୱସ୍ଥ କେବିନ୍ ତଥା ଜଳଖିଆ ଦୋକାନଗୁଡ଼ିକ ପା କୋଳର ଶିଶୁପରି ଦେଖାଯାଉଛି । ପଶ୍ଚିମ ପଟରେ ଚଳନ୍ତା ଟ୍ରେନ୍‍ର ହୁଇସିଲ ଶବ୍ଦଟା ଚମକାଇ ଦେଲା ପ୍ରକାଶକୁ । ଜୋରକରି ଟାଣିନେଲା ତାର ଦୃଷ୍ଟିକୁ ଟ୍ରେନ ଉପରକୁ । ପ୍ରକାଶ ଭାବିଲା ବୋଧହୁଏ । ଏଇଟା ବୋକାରୋ ମାଡ୍ରାସ ଏକ୍ସପ୍ରେସ୍ । ଟ୍ରେନ୍... ଯାହା ଗୋଟିଏ ଚଳନ୍ତି ବିଶ୍ୱର ପ୍ରତୀକ । ଜାତି, ପ୍ରଜାତି, ଲିଙ୍ଗଭେଦ ନିର୍ବିଶେଷରେ ସମସ୍ତଙ୍କୁ ସାଉଁଟି ଆଗେଇ ଯାଏ ଟ୍ରେନ । ବେପରୁଆ ଭାବେ ଆଗେଇ ଚାଲେ ଘଣ୍ଟାର କଣ୍ଟା ପରି ନିଜ ଦେହରେ କେତେ ହସ କାନ୍ଦ, ଦୁଃଖ ସୁଖ, ଯୌବନ, ଜରା, ଶୈଶବ ସବୁ ସାଉଁଟି ବେପରୁଆ ସେ । ତାର ହିସାବ ଦରକାର ନାହିଁ, କେତେ ଗଲେ କେତେ ଆସିଲେ ଏକମାତ୍ର ଲକ୍ଷ୍ୟ ତା’ର କାମ୍ୟ ।

 

... ଆଜ୍ଞା କଫି।

 

-.. ଓଃ ରମୁ କାକା । ଆସ ଏୟାଡ଼େ ଆସ ।

 

... ଆପଣ ମୋତେ କାକା କହିଲେ !!...

 

... କାହିଁକି ସମସ୍ତେ ତ କହୁଛନ୍ତି । ସନ୍ଧ୍ୟା ବି କହୁଛି ।

 

... ହେଲେ ଆପଣ...1

 

... ଛାଡ଼, ରମୁକାକା, ତୁମେ କେବେଠାରୁ ଏ ଘରେ ଅଛି କହିଲା ।

 

... କାହିଁକି ସାର । ଆମର ମାଲିକ ଆପଣଙ୍କ ଭଳି ଥିଲା ବେଳରୁ ଏଇ ଘରେ ଅଛି ।

 

... ଆଛା କହିଲ, ତୁମର ମାଲିକ କାହିଁକି ଘରେ ବେଶୀ ସମୟ ରହୁ ନାହାନ୍ତି ?

 

... ତାଙ୍କର ତ ଅନେକ କାମ ଆଜ୍ଞା । ତମ ବୟସ ବେଳକୁ ଖୁବ୍ ମନଚଲା ଥିଲେ ଆଜ୍ଞା ପରେ କ'ଣ ହେଲା କେଜାଣି ଖାଲି ଟଙ୍କା ପଛରେ ପଡ଼ିଗଲେ । ଆମ ମାଲିକାଣୀଙ୍କୁ ତାଙ୍କ ବାପାଙ୍କ ଇଚ୍ଛା ବିରୁଦ୍ଧରେ ବିବାହ କରିଥିଲେ । ତାଙ୍କର ବାପା ମା, ସବୁ ସମ୍ପରି ଛାଡ଼ି ଏଇଠିକି ଚାଲି ଆସିଥିଲେ । ବର୍ଷ କେଇଟାରେ ସରକାରୀ । ଚାକିରି ଛାଡ଼ି ଏଇ ନର୍ସିଂହୋମଟି କରିଛନ୍ତି । ସବୁ ଯେତେ ସମ୍ପତ୍ତି ଦେଖୁଛନ୍ତି ସେସବୁ ତାଙ୍କର କମାଣି ସାର୍ । ମା ଜଦି ଆସିବାକୁ କହିଥିଲେ ସାର୍... ମୁଁ ଆସୁଛି ।

 

... ହୁଁ ଏଠି ସମସ୍ତେ ଗୋଟିଏ ଗୋଟି ଦୁର୍ବୋଧ୍ୟ ଚରିତ୍ର ।

 

... ହେଲେ ତା ଉପରେ ଏମିତି ସ୍ନେହ ବର୍ଷାର ମାନେ କ’ଣ । ଯାବି ହେଉ କାଲି । ଯେମିତି ହେଲେ କ୍ୱାଟର ଯୋଗାଡ଼ କରିବାକୁ ପଡ଼ିବ ।

 

କୋଠା ଉପରୁ ତଳକୁ ଦୃଷ୍ଟି ଜମାଇ ତଳେ ରୋଡ୍ ଉପରେ ଛୋଟ ଖେଳନା ମନେ ହେଉଥିବା ଜୀବଗୁଡ଼ିକୁ ତଥା ଯନ୍ତ୍ରଚାଳିତ ସମ୍ବେଦନହୀନ ବସ୍ତୁଗୁଡ଼ିକୁ ଲକ୍ଷ୍ୟ କରିବାକୁ ଲାଗିଲା ପ୍ରକାଶ ।

***

 

‘ସାତ’

 

ଆଜି ବଲାଙ୍ଗୀର ଆସିବାର ଚତୁର୍ଥ ଦିନ । ଗତକାଲି କେତେଗୁଡ଼ିଏ ଆବଶ୍ୟକୀୟ ଜିନିଷପତ୍ର ଯୋଗାଡ଼ କରିବାରେ ତଥା ଅଫିସ୍‍ରେ କେତେଟା ଗୁରୁତ୍ୱପୂର୍ଣ୍ଣ ଫାଇଲ୍ କାମରେ ବ୍ୟସ୍ତ ରହି ମନ ଲକ୍ଷେଥର ଚାହୁଁଥିଲେ ମଧ୍ୟ ବହିଦାର ଇଷ୍ଟେଟ୍ ଯାଇ ପାରିନାହିଁ ପ୍ରକାଶ । ଆଜି ଯେକୌଣସି ମତେ ଯିବାକୁ ହେବ ।

 

ଘଡ଼ି ଦେଖିଲା ପ୍ରକାଶ, ସାଢ଼େ ସାତ ।

 

ତୁରନ୍ତ ରେଡି ହୋଇ ସାଢ଼େ ଆଠଟା ବେଳକୁ ବହିଦାର ଇଷ୍ଟରେ ହାଜର । ମା ପୂଜାରେ ବସିଛନ୍ତି । ସନ୍ଧ୍ୟା କଲେଜ ଯିବାକୁ ବାହାରିଛି । ପ୍ରଥମେ ଦେଖାହେଲା । ସନ୍ଧ୍ୟାର ।

 

... ଗୁଡ୍‍ ମର୍ଣ୍ଣିଂ ପ୍ରକାଶ ବାବୁ, କ’ଣ କିଛି ଅସୁବିଧା ହେଲା କି ? ସଦା ଚପଳା ପ୍ରଗଲ୍‍ଭା ସନ୍ଧ୍ୟାର କଣ୍ଠରେ ଗମ୍ଭୀରତା ପୂର୍ଣ୍ଣ ସ୍ୱରରେ ଏଇ ପ୍ରଶ୍ନଟା ଖୁବ୍ ଅପ୍ରୀତିକର ଲାଗିଲା ।

 

... ନାଇଁ ତ । ସବୁ ସୁବିଧା କରିବାକୁ ସମୟ ଲାଗିଲା ତ ସେଇଥି ପାଇଁ ଦୁଇ ଦିନ ହେଲା ଆସି ପାରିନଥିଲି ।

 

ଓଃ... ଏବେ ସମୟ ପାଇବାରୁ ଫର୍ମାଲିଟି ପୂରା କରିବାକୁ ଚାଲି ଆସିଲେ ନୁହେଁ । ବଟ୍ ଉଇ ଫେଲ୍ଟଇଟ୍ ପ୍ରକାଶ ବାବୁ । ମା ବହୁତ ମନ ଦୁଃଖ କଲା ଏଥିରେ । ଏଇତ ମା ଆସୁଛି... ଆପଣ କଥା ହୁଅନ୍ତୁ ... ମୁଁ କଲେଜ ଚାଲିଲି, ବାଏ... ।

 

ନମସ୍କାର କହି ହାତ ଯୋଡ଼ିଲା ପ୍ରକାଶ ।

 

ବୃଦ୍ଧାଙ୍କର ମୁହଁରେ ହସର ସ୍ତବକ । ପ୍ରଶ୍ନକଲେ... ତୁମ ପ୍ରତି ଆମର ସ୍ନେହକୁ ସ୍ଵାର୍ଥ ନିହିତ ଭାବିଲକି ପ୍ରକାଶ ? ନାଇଁ ମ ମୋ ମନଟା ବେଳେବେଳେ ସେମିତି ହୋଇଯାଏ । ତମ ବୟସର ପିଲାଗୁଡ଼ାକୁ ଦେଖିଲା ବେଳେ ମୋତେ ମୋ ଅମିତ୍ ଦେଖାଦିଏ । ବୁଢ଼ୀ ହେଲିଣି ତ କୋଉଠି କ’ଣ ଖୋଜି ପକାଏ ନିଜେ ଜାଣି ପାରେନି । ନ ପାଇଲେ ଦୁଃଖ ଲାଗେ । ଛାଡ଼ କହିଲ କେମିତି ଆସିଲ ?

 

ବୃଦ୍ଧାଙ୍କର ପ୍ରତ୍ୟେକଟି ଶବ୍ଦ ଶୂଳ ପରି ଭେଦ କରୁଥିଲା ପ୍ରକାଶର ଛାତି । ଏତେ ମମତା, ଏତେ ସ୍ନେହ, ଏତେ ଅଧୁକାର... ନିସ୍ୱାର୍ଥ । ଓଃ ଫାଟି ପଡ଼ୁଥିଲା ପ୍ରକାଶର ଛାତି କୋହରେ । ସବୁଠୁ ବେଶୀ ଧକା ଲାଗିଲା ତାର ମନକୁ ଯେବେ ବୃଦ୍ଧା । ମୁହଁରେ ପୁଅ ବଦଳରେ ଶୁଣିଲା ପ୍ରକାଶ ।

 

... ମୁଁ ଭୁଲ କରିଛି ମା । ମୋତେ ଯାହା ଦଣ୍ଡ ଦେବ ଦିଅ ମା, ହେଲେ ଏମିତି କୁହନା ମା... ଦୁଇ, ଦିନ ବ୍ୟସ୍ତ ରହିଲି ଓ ସେଥିପାଇଁ ଆସି ପାରିଲି ନି... ।

 

... ମୁଁ କ’ଣ ସେ କଥା କହିଲି । ସବୁ ଭଲ ତ...

 

...ମୁଁ କହିଲି ନା ମା, ମୋର ଭୁଲ ହୋଇଛି । କ୍ଷମା କରିଦିଅ ନଚେତ ମୋତେ ଦଣ୍ଡ ଦିଅ ପଛେ ମୋତେ ଥରୁଟିଏ ପୁଅ ବୋଲି ଡାକ ମା । କହୁ କହୁ ବୃଦ୍ଧାଙ୍କର ହାତକୁ ଧରି ନେଇ ନିଜ ମୁହଁ ଆଡ଼କୁ ଉଠାଇ ମାର ମାର ବୋଲି କହି ଉଠିଲା ପ୍ରକାଶ ।

 

ଏଥରକ ମମତା ଫୁଟି ଉଠିଲା ବୃଦ୍ଧାଙ୍କର ଆରେ ଦୁଇବୁନ୍ଦା ଲୁହ ହୋଇ । ତୋତେ କ୍ଷମା କରିବି ଗୋଟିଏ ସର୍ତ୍ତରେ । ଯଦି ତୁ କଥା ଦେବୁ ତୁ ଏଠି ଥିଲା ପର୍ଯ୍ୟନ୍ତ ଦିନରେ ଥରୁଟିଏ ମୋ ପାଖକୁ ଆସିବୁ ।

 

... ହଁ ମା ଆସିବି

 

ଫୁଟି ଉଠୁଥିବା ମମତା ତରଳିଗଲା । ବୋହିଗଲା ଗଣ୍ଡ ଦେଶ ପ୍ଲାବନ କରି। ବୃଦ୍ଧା ପ୍ରକାଶକୁ ନିଜ ଛାତିରେ ଲଗାଇ ମୁଣ୍ଡ ଆଉଁସୁ ଆଉଁସୁ କହିଲେ ତୁ ଅମିତ୍‍ଠୁ ବଳିଗଲୁରେ ପୁଅ । ତୁଇ ମୋର ଅମିତ୍, ତୁଇ ମୋର ଅମିତ୍ ।

 

ପ୍ରକାଶ ଆଖିରୁ ଲୁହ ଉଛୁଳି ପଡ଼ିଲା, ଏତେ ସ୍ନେହ ଏତେ ଅଧିକାର । ଏତେ ମମତା, ସେ ତ ଆଗରୁ କେବେ କାହାଠୁ ପାଇ ନଥିଲା । ନିଜ ମାଠୁ ବି ନୁହଁ । ବୃଦ୍ଧାଙ୍କ ସାମ୍ନାରେ ବହୁତ ଛୋଟ ହୋଇଗଲା ପ୍ରକାଶ । ଚାରି ପାଞ୍ଚ ବର୍ଷର ପିଲାଟିଏ ପରି ବୃଦ୍ଧାଙ୍କର ଛାତିରେ ମିଶାଇ ନେଲା ନିଜକୁ । ମନରେ ଶୈଶବର ଚାପଲ୍ୟ ଆସିଲା । ଅପର ପକ୍ଷରେ ବୃଦ୍ଧା ମମତାରେ ଉବୁଟୁବୁ ।

 

ଆରେ ବାଃରେ ବାଃ... ମା ତୁ ତୋ ପୁଅକୁ ପଟାଇ ଦେଲୁ ହେଲେ ମୋତେ ଏକ୍ସପୋଜ୍ କରାଇ ଦେଲୁ । ଯାଃ ମୋର କ୍ଲାସଟାଏ ବି ମିସ୍ ହୋଇଗଲା ତୁମର ଏ ନାଟକ ଦେଖୁ ଦେଖୁ ବାହାର ଦରଜା ଦେଇ ଭିତରକୁ ପଶି ଆସୁ ଆସୁ ସନ୍ଧ୍ୟା କହିଲା ।

 

‘‘ଓଃ ତୁ ତେବେ ଯାଇନୁ ଏଯାଏ । ମା ହସି ହସି କହିଲା । ସନ୍ଧ୍ୟା ଦେଖିଲା ସେ ହସ... ଶରତ ନିର୍ମଳ ଆକାଶ ଉପରେ ଚାନ୍ଦଟିଏ ପରି ଶୋଭାକର । ଆତ୍ମତୃପ୍ତିର ଝଲକ । ସନ୍ଧ୍ୟା ଭାବୁଛି ୟା ପୂର୍ବରୁ ସେ ଏମିତି ହସଟିଏ କେବେ ମା ମୁହଁରେ ଦେଖୁଥିଲା ।... ନା ମନେ ପଡ଼ୁନି। ତେବେ ମା ଖୁସିରେ ସନ୍ଧ୍ୟା ବି ଖୁସି ହେଲା । ଅନ୍ତର ମଧ୍ୟରେ, ବାହାରକୁ ସ୍ୱାଭିମାନ ତୁଟାଇ କହିଲା “ହେଲେ ପ୍ରକାଶ ବାବୁ ମୋ ରାଗ କମିନି ଏ ଯାଏ।’’

 

..., ଏ କ’ଣ କହିଲ । କେଜାଣି କେମିତି ପ୍ରକାଶକୁ ମଜାକ୍ କରିବାକୁ ମନ ହେଲା । ହାତ ଉଠାଇ ଦଉଡ଼ି ଗଲା ସନ୍ଧ୍ୟା ପାଖକୁ ।

 

... ହାଁ ହଁ ଏ କ’ଣ... ମା... ମା କହି ମା ପଛପଟେ ଠିଆ ହୋଇ ମା ପଣତରେ ମୁହଁ ଲୁଚାଇଲା । ପ୍ରକୃତିସ୍ଥ ହେଲା ପ୍ରକାଶ । ସାମ୍ନାକୁ ଦେଖିଲା, ମା ହସି ହସି ବେଦମ୍ । ହସ ନୁହଁ ତ ଅମୃତ ଝରୁଛି ମମତାମୟୀର ଓଠରୁ ।

 

“ହାତ ଯୋଡ଼ିଲା ମୋତେ କ୍ଷମା କରିଦେବ ସନ୍ଧା...’’

 

ଏ... ଏ... ଜିଭ ଲମ୍ବାଇ ଖତେଇ ହେଲା ସନ୍ଧ୍ୟା, ବଡ଼ ଆସିଲେ କ୍ଷମା ମାଗିବା ବାଲା । ଯା ମୁଁ ଜମା କ୍ଷମା ଦେବିନି । କାଲି ସନ୍ଧ୍ୟାରେ ମୋର ଜନ୍ମଦିନ ଉତ୍ସବ ପାଳନ କରାଯିବ । କାଲି ଠିକ୍ ସନ୍ଧ୍ୟା ଆଠଟାରେ ଯଦି ମୋ ସାମ୍ନାରେ ହାଜର ହୋଇ ହାପି ବାର୍ଥଡେ ଟୁ ୟୁ କହିବେ ତେବେ ଯାଇ କ୍ଷମା କରିବି ହେଲା । ଏବେ ମୁଁ ଚାଲିଲି କଲେଜ... ହମ୍ ତ ଚଲେ କଲେଜ, ଅବ୍ କଲେଜ ବାଲି ହୋ ଗୟେ... ।

 

ବୃଦ୍ଧାଙ୍କର ମୁଗ୍ଧ ଦୃଷ୍ଟି ସନ୍ଧ୍ୟାର ପଶ୍ଚାତ୍‍ଧାବନ କରୁ କରୁ ଗେଟ୍ ପାଖରୁ ଫେରି ଆସି ନିପତିତ ହେଲା ପ୍ରକାଶ ଉପରେ । ପାଗଳୀଟେ... ...

 

ମା ମୁଁ ଯିବି ଏବେ । ଅଫିସ୍ ସମୟ ହୋଇ ଗଲାଣି ।

 

... ନା ମ ପୁଅ । ସେମିତି କେମିତି ଚାଲି ଯିବ । ରହ ଜଳିଖିଆ ଟିକିଏ କରିଯିବ । ଆରେ ରାମୁ, ଆରେ ଶାମୁ, କୁଆଡ଼େ ଗଲରେ, ଦେଲ ଜଳଖିଆ ଲଗାଇଲା । ମୋ ପୁଅକୁ ମୁଁ ନିଜ ହାତରେ ଖୁଆଇବି ।

 

କିଛିକ୍ଷଣ ପରେ ଡାଇନିଂ ଟେବଲ୍‍ର ପାଖାପାଖି ଚେୟାର ପାଖରେ ବସି ସେଓକୁ ପିସ୍ ପିସ୍ କରି ନିଜ ହାତରେ ଖୁଆଇ ଦେଲା ବେଳକୁ ଭାବପ୍ରବଣ ହୋଇ ପଡ଼ୁଥିଲା ପ୍ରକାଶ । ନିଜେ ପିସ୍‍ଟିଏ ଉଠାଇ ବୃଦ୍ଧାଙ୍କର ମୁହଁକୁ ହାତ ବଢ଼ାଇଲା ବେଳକୁ ‘ନା ନା ଆଜି ମୋ ଓପାସ’ । କହୁ କହୁ ପ୍ରକାଶର ହାତକୁ ଧରି ପକାଇ ନିଜ ମୁହଁ ପାଖକୁ ନେଇ ବଡ଼ ଆଦରର ସହ ସେଓ ପିସ୍‍କୁ ଓଠରେ ଚାପି ଦେଲେ । ପ୍ରକାଶ ଦେଖିଲା ବୃଦ୍ଧାଙ୍କ ଆଖିରେ ଆଖିଏ ଲୁହ ।

 

ଟେବୁଲ କଡ଼ରୁ ରାମୁ କହିଲା “ମା ଆଜି ପରା ତୁମର ଓପାସ । ନିର୍ଜଳା”

 

“ ମୋ ଓପାସର ଫଳ ମିଳିଗଲାରେ ରାମୁ ।... ବୃଦ୍ଧାଙ୍କର କଣ୍ଠରେ ତୃପ୍ତିର ଝଲକ ବାରି ହୋଇ ପଡ଼ୁଥିଲା ।

 

ଜଳଖିଆ ପର୍ବ ସରିଲା ବେଳକୁ ସାଢ଼େ ନ ରିକ୍ସା ଚଢ଼ି ଅଫିସ୍ ଫେରିଲା ବେଳକୁ ପ୍ରକାଶ ବାରମ୍ବାର ଫେରି ଚାହୁଁଥିଲା ବାରଣ୍ଡା ଉପରେ ଠିଆ ହୋଇ ମୁଗ୍ଧ ନୟନରେ ଚାହିଁ ରହିଥିବା ମମତାମୟୀ ମୂର୍ତ୍ତିକୁ।

***

 

‘ଆଠ’

 

ବହିଦାର ଇଷ୍ଟେଟ୍ ଆଜି କନିଆଁ ସାଜିଛି । କପାଳର ସରୁ ସରୁ ରକ୍ତ ଚନ୍ଦନ ସଦୃଶ୍ୟ ଛାତ ଉପରୁ ଝରି ପଡ଼ିଛି ନାଲିନେଳି ଲିଚୁମାଳ । ଉଜଳ ରତ୍ନ ବିଭୂଷିତା ସୁନ୍ଦରୀ କନ୍ୟା ପରି ସର୍ବାଙ୍ଗରେ ନିଅନ୍ ତଥା ମର୍‍କୁରୀ ଲାଇଟ୍‍ର ଚମକ୍ । ଲାଜବନ୍ତୀ କନ୍ୟାର ତାରାଖଞ୍ଜା ମେଘନୀଳ ଓଢ଼ଣି ପରି ବହିଦାର ଇଷ୍ଟେଟ୍ ଉପରେ ନଇଁ ପଡ଼ିଛି ତାରାପୂର୍ଣ୍ଣ ଚନ୍ଦ୍ରବିହୀନ ଆକାଶ ।

 

ଆଜି ଇଷ୍ଟେଟ୍ ମାଲିକଙ୍କ ଏକମାତ୍ର କନ୍ୟାର ଜନ୍ମଦିନ । ଏଇ ଘରେ ସନ୍ତାନ ବୋଲି ଲୋକେ କେବଳ ଏଇ କନ୍ୟାଟିକୁ ଜାଣନ୍ତି । ପୁତ୍ରମଣିକୁ ଏକାକରି ଦୁନିଆରେ ଛାଡ଼ି ଦେଇଛନ୍ତି ପ୍ରତିଷ୍ଠିତ ହେବାକୁ, ଆସକ୍ତି ବିହୀନ ମୋହ ବନ୍ଧନ ମୁକ୍ତ ଜୀବନ ଜିଇଁବାକୁ ଛାଡ଼ି ଦେଇ କର୍ମଯୋଗୀଟିଏ କରି ତୋଳୁଛନ୍ତି ବହିଦାର ସାହେବ । ଘର ଲୋକ ସହ ମିଳିଲେ ସେଣ୍ଟିମେଣ୍ଟାଲ ହୋଇଯିବ । ଆଉ ସେଣ୍ଟିମେଣ୍ଟ ମଣିଷକୁ ତଳିତଳାନ୍ତ କରି ପକାଏ ।

 

ସହରର ବହୁ ମାନ୍ୟଗନ୍ୟ ବ୍ୟକ୍ତି ନିମନ୍ତ୍ରିତ । ଛାତ ଉପରେ ବଗିଚାରେ ଉତ୍ସବର ଆୟୋଜନ । ରାସ୍ତା ଉପରେ ଗେଟ୍ ପାଖରେ ଦୁଇଜଣ ଯୁବତୀ ସମ୍ଭାଷଣ କରି ସ୍ୱାଗତ କରୁଛନ୍ତି ଅତିଥିମାନଙ୍କୁ ଏବଂ ରାମୁ ଉପରକୁ ଯିବା ରାସ୍ତା ଦେଖାଇ ଦେଉଛି । ଖୁବ୍ ଲୋକ ଜମା ହେଲେଣି-

 

ସନ୍ଧ୍ୟା ଆଜି ନୀଳପରୀ ସାଜିଛି । ଦେହରେ ନୀଳବର୍ଣ୍ଣର ଚିପା ପୋଷାକ । ଛାତି ଉପରେ ନୀଳ ଓଢ଼ଣୀ । ପାଦରେ ନୀଳ ସାଣ୍ଡାଲ । ଲମ୍ବା ବାଳକୁ ଖୁବ୍ ସୁନ୍ଦର ଭାବେ ଡ୍ରେସ କରି ଝୁଲାଇ ଦେଇଛି କାନ୍ଧ ଉପରେ ମୁଣ୍ଡରେ ନୀଳ ରଙ୍ଗର କ୍ଲିପ ଓ ଗଳାରେ ନୀଳ ମୋତିର ହାର । ଗୌର ବର୍ଣ୍ଣ ଶରୀରରେ ନୀଳ ଆଭୂଷଣର ସମ୍ମିଶ୍ରଣ ଖୁବ ଚମତ୍କାର । ମାତ୍ର ନାକରେ ସେଇ ପୂର୍ବବର୍ଣ୍ଣିତ ଧଳା ପଥରବସା ଚଣା; ଦର୍ଶକର ଦୃଷ୍ଟି ଆକର୍ଷଣ କରୁଛି । ସୁନ୍ଦର ସଳଖ ନାକ ଉପରେ ନାଳ ଚଣା ଉପର ଧଳା ପଥରଟି ଆଜି ଗର୍ଜିତ । ପ୍ରତ୍ୟେକ ନିଶ୍ୱାସ ପ୍ରଶ୍ୱାସରେ ଦୋହଲି ଉଠୁ ଉଠୁ ଛାତି ପିଟି କହୁଛି ଯେପରି ତୁମେ ଯେତେ ରଙ୍ଗିନ ହେଲେ ମଧ୍ୟ ମୋ ଠୁଁ ହିଁ ତୁମ୍ଭମାନଙ୍କର ସୃଷ୍ଟି । ମୁ ହିଁ ସକଳ ରଙ୍ଗର ଆଧାର । ସାର୍ଥକୁ ତାଳ ଦେଉଛି ସନ୍ଧ୍ୟାର କୁନ୍ଦକରା ଦାନ୍ତ ।

 

ସନ୍ଧ୍ୟା ଆଜି ସାରା ବଗିଚାରେ ବିରାଜିଛି । କେତେ ଉଇସ୍ କେତେ ଗ୍ରିଟିଂସ୍ କେତେ ପ୍ରେଜେଣ୍ଟସନ୍ । ହସୁଛି ନାଚୁଛି ଡେଉଁଛି, ମାତ୍ର ମଝିରେ ମଝିରେ ଅନୁସନ୍ଧିତ୍ସୁ ଆଖିରେ ଚାହୁଁଛି ଛାତ ଉପର ପ୍ରବେଶ ଦ୍ୱାର ଆଡ଼କୁ । ପରକ୍ଷଣରେ ନିରାଶ ହୋଇ ଆଖି ଫେରାଉଛି ସାମ୍ନାରେ ଠିଆ ହୋଇଥିବା ଭଦ୍ରମହିଳା ବା ଭଦ୍ରବ୍ୟକ୍ତିଙ୍କ ଉପରକୁ । ବାରମ୍ବାର ହାତ ଘଣ୍ଟା ଦେଖୁଛି । ଅନ୍ୟମନସ୍କ ଭାବେ ଉଇସ୍‍ର ରିପ୍ଲାଏ ଦେଉଛି ।

 

ପ୍ରକାଶର ମନ ଆଜି ଭଲ ଲାଗୁନି । ଜନ୍ମଦିନ ଉତ୍ସବକୁ ଯିବାକୁ ନିଜୁ ପ୍ରସ୍ତୁତ କରି ପାରୁନି-। ନିଜର ବାସ୍ତବତା ହୃଦୟରେ ହୀନତା ଭରି ଦେଉଛି । ମନରେ ଦ୍ଵିଧା । ଏତେ ବଡ଼ ପାର୍ଟି-। ସାରା ସହରଟା ଆଜି ସେଠି ଜମା ହୋଇଥିବ । ବହୁ ପ୍ରତିଷ୍ଠିତ ବ୍ୟକ୍ତି ଉପସ୍ଥିତ ହୋଇଥବେ ଯେଉଁମାନଙ୍କର ମୂଳଦୁଆ ସାରା ସହରରେ ଜମିଥିବ । ସେଠାରେ ୟା ପରି ଜଣେ କ୍ଷୀଣ ପୃଷ୍ଠଭୂମି ସମ୍ପନ୍ନ ବ୍ୟକ୍ତିର ଉପସ୍ଥିତି କେହି ବାକ୍ୟ ବାଣରେ ଦୋହଲାଇ ଦେଲେ ମୁହଁ ମାଡ଼ି ପଡ଼ିଯିବନି ତ ।

 

ଆଖି ଆଗରେ ସନ୍ଧ୍ୟାର ଚଞ୍ଚଳ ଆଖିର ଅନୁଗ୍ରହ ତଥା ମା’ଙ୍କର ସଜଳ ଆଖିର ଆଗ୍ରହ ମନ, ହୃଦୟକୁ ଜୋର କରି ଟାଣି ନେଉଛି। ଜୋର ପକାଉଛି ପ୍ରକାଶ ପାଦ ଯୋଡ଼ିକରେ । ଗୋଟିଏ ଗୋଟିଏ ପାଦ ଉଠାଇ ଚାଲିଛି ପ୍ରକାଶ । ଟାଣି ହୋଇ ଯାଉଛି କୋଉ ଗୋଟିଏ କଞ୍ଚା ଡୋରିରେ ବାନ୍ଧି ହେଲା ପରି ।

 

ଏଇତ ସାମ୍ନାରେ ବହିଦାର ଇଷ୍ଟେଟ୍ ଝଟକୁଛି ଅଳକାପୁରୀ ପରି । ଗେଟ୍ ସାମ୍ନାରେ ଯୁବତୀ ଦୁଇଜଣ ମେସିନ୍ ପରି ଓଠ ଫାଡ଼ି ହସି ଚାଲିଛନ୍ତି ସାମ୍ନାର ଲୋକଗୁଡ଼ାକୁ ଦେଖି । ଯନ୍ତ୍ର ଚାଳିତ ପରି ଟାଣିହୋଇ ଯାଇ ପ୍ରକାଶ ଠିଆ ହେଲା ଗେଟ୍ ସାମ୍ନାରେ ମାତ୍ର ମେସିନ୍ ପରି ବ୍ୟବହାର କରୁଥିବା ଯୁବତୀ ଦୁହିଁଙ୍କ ଠାରେ ପ୍ରଥମକରି ମନୁଷ୍ୟର ଲକ୍ଷଣ ପ୍ରକାଶ ପାଇଲା । ପରସ୍ପରକୁ ଅନୁସନ୍ଧିସତ୍ସୁ ଆଖିରେ ଚାହିଦେଇ କୃତ୍ରିମ ହସ ଜାଗାରେ ପ୍ରାକୃତିକ ଜିଜ୍ଞାସା ଭାବ ଦର୍ଶାଇ ଚାହିଁଲେ ପ୍ରକାଶ ଆଡ଼କୁ । କିଏ ଏ ? ପ୍ରଶ୍ନ ଦୁହିଁଙ୍କର ମନରେ । ମାତ୍ର କିଛି ଅପ୍ରୀତିକର ପରିସ୍ଥିତି ଉପୁଜିବା ପୂର୍ବରୁ ରାମୁକାକା ଦୌଡ଼ିଆସି ହାତ ଧରି ପ୍ରକାଶକୁ ବାଟ କଢ଼ାଇ ନେଲା । ମା ଓ ଝିଅ ରାଣୀ ଆପଣଙ୍କୁ କେତେବେଳଠୁ ଅପେକ୍ଷା କରିଛନ୍ତି, କହୁ କହୁ ରମୁ କାକାର ପଶ୍ଚାତ୍ ଧାବନ କରୁ କରୁ ଶୁଣିଲା, ଜଣେ ଯୁବତୀ ପ୍ରଶ୍ନ କରୁଛି ଅନ୍ୟଜଣଙ୍କୁ ଲକ୍ଷ୍ୟକରି ।

 

“ହଁ ହୋଇଥିବ କିଏ ।’’ ଉତ୍ତର ଶୁଣିଲା ।

 

ଛାତ ଉପରେ ସନ୍ତର୍ପଣରେ ପ୍ରବେଶ କଲା ପ୍ରକାଶ । ସାମ୍ନାରେ ସୁସଜ୍ଜିତ ମଣ୍ଡପ ଚାରିଦିଗରେ ଅନେକ ସୁନ୍ଦର ପୋଷାକ ପରିହିତ ଭଦ୍ରଲୋକ, ଭଦ୍ରମହିଳା, ଯୁବକ ଓ ଯୁବତୀ, କିଏ ଏକା ଏକା ହାତରେ ପେଗ୍‍ଧରି ଧୀରେ ଧୀରେ ସିପ୍ ନେଉଛି ତ କିଏ କାହା ହାତରେ ହାତ ଦେଇ କେଉଁ ଏକ ମଧୁର କଳ୍ପନାରେ ମସୁଗୁଲ ଓ କେଉଁଠି ଦୁଇ ଚାରିଜଣ ଦଳବାନ୍ଧି କୌଣସି ଏକ ଜୋକ୍‍ ହୃଦୟଙ୍ଗମ କରି ହସରେ ଫାଟି ପଡ଼ୁଛନ୍ତି। ପ୍ରକାଶକୁ ମନେ ହେଲା ଏଟା ଗୋଟେ ସୁସଜ୍ଜିତ ବ୍ୟକ୍ତି ବିଶେଷଙ୍କର ପ୍ରଦର୍ଶନୀ । ସମସ୍ତଙ୍କ ମୁହଁରେ ଆଭିଜାତ୍ୟର ଛିଟା ।

 

ଚାରିଆଡ଼କୁ ଆଖି ବୁଲାଇ ଖୋଜିଲା କାହାକୁ । ଏଇତ ସାମ୍ନାରେ ନୀଳ ପରୀଟିଏ । ଚାଲି ଆସୁଛି ୟା ଆଡ଼କୁ । ନିଅନ ଆଲୋକର ଶୁଭ ତରଙ୍ଗରେ ନୀଳ ପରୀର ଗତି ଖୁବ୍ ଆକର୍ଷକ-। ସତେ ଯେପରି ଶୁଭ୍ରକ୍ଷୀର ସାଗରରେ ନୀଳ ପଦ୍ମଟିଏ ପ୍ରତ୍ୟେକ ତରଙ୍ଗରେ ଚହଲି ଚହଲି ଯାଉଛି-। ପ୍ରକାଶର ଆଖି ଖୋସି ହୋଇଯାଉଛି...

 

ଓ ପ୍ରକାଶ ବାବୁ। ୟୁ ଆର୍ ଠୁ ଲେଟ୍... ଆସନ୍ତୁ ଆସନ୍ତୁ... ନିର୍ବିକାର ଭାବେ ପ୍ରକାଶ ପାଖକୁ ଆଗେଇ ଆସି ହାତ ଧରି ନେଇଗଲା କେକ୍ ପାଖକୁ । ସମସ୍ତଙ୍କର ନଜର ପ୍ରକାଶ ଉପରେ ।

 

ମାଇକ୍‍କୁ ନିଜ ମୁହଁ ପାଖକୁ ବଙ୍କାଇ ନେଇ କହିଲା ସନ୍ଧ୍ୟା ଲେଡିଜ୍ ଆଣ୍ଡ ଜେଣ୍ଟସ୍ । ଆପଣମାନେ ଆପଣଙ୍କର ବହୁମୂଲ୍ୟ ସମୟ ନଷ୍ଟକରି ମୋର ଅନୁରୋଧ ରକ୍ଷା କରିବା ପୂର୍ବକ ଆଜି ଏ ଉତ୍ସବରେ ଯୋଗଦାନ କରିଥିବାରୁ ମୁଁ କୃତଜ୍ଞତା ପ୍ରକାଶ କରୁଛି । ଆପଣଙ୍କର ସ୍ନେହ ଓ ପ୍ରୀତିର ପ୍ରତ୍ୟୁପପହାର ରୂପେ ମୁଁ ଆଜି ଆପଣଙ୍କର ସାମ୍ନାରେ ଅର୍ପଣ କରୁଛି ଏକ ନୂଆ ବନ୍ଧୁ ପ୍ରକାଶ । ମାଇନିଂ ଅଫିସର, ମୋର ବନ୍ଧୁ, ମୋ ମା’ର ପୁଅ । ଆଜିର ଉତ୍ସବର ମୁଖ୍ୟ ଅତିଥି ଭାବେ ମୁଁ ଅନୁରୋଧ କରୁଛି ପ୍ରକାଶ କିଛି କହିବେ ।

 

... ମୁଁ... ମୁଁ ସେ ଯୋଗ୍ୟ ନୁହଁ । ଯାହା ବୋଲି ସନ୍ଧ୍ୟାଦେବୀ ଏତେ କହିଗଲେ । ମୁଁତ ଜଣେ ସଂଗ୍ରାମରତ ମଣିଷ । କାମ କରି ଜାଣେ କାମରେ ହିଁ ଆନନ୍ଦ ଖୋଜେ । ଲୋକଙ୍କୁ ଦେଖେ, ଭିତରେ ପଶେ, ଭିଡ଼ ଭିତରେ ନିଜକୁ ଖୋଜେ । ଆପଣମାନଙ୍କ ମଧ୍ୟରେ ନିଜକୁ ପାଇ ମୁଁ ଧନ୍ୟ ମନେ କରୁଛି ।

 

ଧନ୍ୟବାଦ୍ ।

 

କହି ସାରିଲାବେଳକୁ ସାରା ବଗିଚାରେ ମୃଦୁ ଗୁଞ୍ଜରଣ

 

... ଏତେ ବଡ଼ ଅଧିକାରୀ, ଅଥଚ କେଡ଼େ ସରଳ।

 

... କି ଅର୍ଥପୂର୍ଣ୍ଣ କଥା ସବୁ କହିଗଲେ ।

 

... କେତେ ସୌମ୍ୟ ଚେହେରା ଆଉ କେତେ ନରମ ବ୍ୟବହାର ।

 

... ସନ୍ଧ୍ୟାକୁ ଖୁବ୍ ମାନିବ ।

 

ସନ୍ଧ୍ୟା ବି ଖୁବ୍‍ ଗୋଟେ ଖୋଜି ଧରି ପାରିଛି ।

 

କେତେ କ’ଣ ଟିପ୍‍ପଣୀ, କେତେ ଇଙ୍ଗିତ । ଯେତେ ମୁଖ ସେତେ ବାଣୀ ।

 

କେକ୍ କଟା ସରିଲା, ତାଳି ବାଜିଲା, ହାପି ବାର୍ଥଡେ ଟୁ ୟୁ ଧ୍ୱନିରେ ପବନ କିଛିକ୍ଷଣ ପାଇଁ ପ୍ରକମ୍ପିତ ହେଲା । ତା’ ପରେ ଆରମ୍ଭ ଡିନର । ଡାଇନିଂ ହଲରେ ସବୁ ବ୍ୟବସ୍ଥା ହୋଇଛି ।

 

ବହିଦାର ବାବୁ ଆସି ପହଞ୍ଚିବାର ଖବର ମିଳିଲା, ମା’ ଖବର ପାଇ ପ୍ରକାଶ ଉଦ୍ଦେଶ୍ୟରେ “ପୁଅ ଏଠାରେ ଲୋକଙ୍କ ସହ ଗପକର” କହି ତଳକୁ ଚାଲିଗଲେ । ସନ୍ଧ୍ୟା ମଧ୍ୟ ବାପାଙ୍କର ସାମ୍ନା କରି ପାରେନି । ସାଙ୍ଗରେ ସବୁ ଲେଡିଜ୍‍ଙ୍କୁ ଧରି ତଳକୁ ଚାଲିଗଲା । ଆଗ ଲେଡ଼ିଜ୍‍ଙ୍କର ଡିନର ସୁବିଧା ହୋଇଛି ।

 

ବହିଦାର ବାବୁ ଆସିଲେ ଛାତ ଉପରକୁ । ସାଙ୍ଗରେ ସୌମ୍ୟ ଯୁବକଟିଏ । ବହିଦାର ବାବୁ, ସାଧାରଣ ଚେହେରାର ଲୋକଟିଏ । ମୁହଁରେ ସମ୍ଭ୍ରାନ୍ତବାଦର ଗୋଟେ ଜବରଦସ୍ତ ପ୍ରଲେପ । ପାର୍ଶ୍ଵସ୍ଥ ଯୁବକ ଉଞ୍ଚା, କାନ୍ଧ ଚୌଡ଼ା ଛାତି ଓସାର, ମୁହଁରେ କୁର୍ତ୍ତିମତା, ଆଖିରେ ଶିକାରୀର ଚାହାଣୀ-। ମଣ୍ଡପ ଆଡ଼କୁ ଆଗେଇ ଆସିଲା ବେଳକୁ ଉପସ୍ଥିତ ଅତିଥିଙ୍କ ସହ କରମର୍ଦ୍ଦନ କଲେ ବହିଦାର ବାବୁ । ସାଥିରେ କେହି କେହି ପାର୍ଶ୍ଵସ୍ଥ ଯୁବକକୁ ହ୍ୟାଲୋ ତିମିର କହି ଉଇସ୍ କଲେ । କେତେକ ଯୋଡ଼ହସ୍ତ ହୋଇ ବହିଦାରଙ୍କୁ ଅଭ୍ୟର୍ଥନା ଜଣାଇଲେ ।

 

ଏଥର ପାଳି ପଡ଼ିଲା ପ୍ରକାଶର । ମୁଣ୍ଡ ନୁଆଁଇ ଅଣ୍ଟାଭାଙ୍ଗି ନମସ୍କାର କଲା । ପାଖରେ ଛିଡ଼ା ହେଲା ଆଜ୍ଞାଧୀନ ଛାତ୍ରଟିଏ ପରି ।

 

ଓ ୟୁ ଆର୍ ପ୍ରକାଶ । ଆଖିରୁ ଚଷମା କାଢ଼ି ଆଖିରେ ଆଖି ମିଶାଇ ଦେଲେ ବହିଦାର ବାବୁ। ଆଖି କ୍ରମେ ଖସି ଆସିଲା ଉପରୁ ତଳକୁ ପୁଣି ତଳୁ ଉପରକୁ । ପ୍ରକାଶ ଦେଖୁଲା ଆଖି ଯୋଡ଼ିକରେ ସହଜତା ଜିଜ୍ଞାସାହୀନ ଦୃଷ୍ଟି ।

 

... ପ୍ରକାଶ ! ହେଇଲ୍‍ଡ ଫ୍ରମ କେଉଁଝର ? କେମିତି ଗୋଟେ ହସ ହସି ପ୍ରଶ୍ନିଳ ଆଖିରେ ଚାହିଁଲେ ପ୍ରକାଶ ଆଡ଼କୁ ।

 

ୟସ୍ ସାର୍ ।

 

... ମାଇନିଂ ଅଫିସର

 

... ୟା ସାର୍ ।

 

... ତିମିର... ମିଟ୍ ଦିସ୍ ଇଜ୍ ପ୍ରକାଶ ଫ୍ରମ କେଉଁଝର । ମାଇନିଂ ଅଫିସର।

 

... ଓ କେନ୍ଦୁଝର ! ଆଦିବାସି ଅଧ୍ୟୁଷିତ ଅଞ୍ଚଳ । ହେଲୋ ପ୍ରକାଶ । ଗ୍ଲାଡ୍‍ ଟୁ ମିଟ୍ ର୍ୱଥ ୟୁ ।

 

... ସେମ୍‍ ଟୁ ୟୁ ।

 

... ୟୁ ସି ତିମିର ପ୍ରକାଶ କେମିତି ଉନ୍ନତି ଆରମ୍ଭ କରିଛି । ଲର୍ଣ୍ଣ ଫ୍ରମ ହିମ୍ ।

 

... ଓ ଅଙ୍କଲ, ଏଇଟା ଏଇ ଆଦିବାସୀ ଗୁଡ଼ାକ ପାଇଁ ଖୁବ୍ ସହଜ । ଇଜ୍ ନଟ୍ ଇଟ୍ ପ୍ରକାଶ ।

 

... ଆଦିବାସୀ... କୋଟା ସଂରକ୍ଷଣ... ଓଃ ସେଇଥିପାଇଁ ଏତେ ବଡ଼ ପୋଷ୍ଟ । ନହେଲେ ଛାଡ଼... ଏକ ମୃଦୁ ଗୁଞ୍ଜରଣ ସାରା ବଗିଚାରେ।

 

ପ୍ରକାଶକୁ ଲାଗିଲା ଭରାବଜାର ମଝିରେ କିଏ ଯେପରି ତାକୁ ଲଙ୍ଗଳା କରିଦେଲା । ସାଙ୍ଗକୁ ଲୋକଙ୍କ ଟିପ୍‍ପଣୀ । ବିଜୁଳି ତାର ଛୁଇଁଲା ପରି ଯନ୍ତ୍ରଣା । ନା ଆଉ ସହି ହେବନି, ପ୍ରକାଶ ପାଦ ଉଠାଇଲା, ଧୀରେ ଧୀରେ ଛାତ ବଗିଚାର ଦୈର୍ଘ୍ୟ ପାର ହୋଇ ସିଡ଼ିରେ ପାଦ ଦେଲା । ଶୁଣିଲା ଓଃ ହି ଫେଲ୍ଟ ଇଟ୍ ଅଙ୍କଲ । ସତେ ଯେମିତି ମୁଁ ମିଛ କଥାଟେ କହି ଦେଲି । ହୋଃ ତାତ୍ସଲ୍ୟର କଣ୍ଠସ୍ଵର ତିମିରର ।

 

ମୁଁ କହିଛି ନା ତିମିର ଏଇ ସେଣ୍ଟିମେଣ୍ଟସ୍ ଏଣ୍ଡ ଇମୋସନ୍ ହିଁ... ଆଉ ଶୁଣି ପାରିଲାନି ପ୍ରକାଶ । କିଏ ଜଣେ ଠୋ ଠୋ ହୋଇ ହସି ଉଠିବାର ଶୁଣିଲା । ସାଙ୍ଗରେ ଅନେକଗୁଡ଼ାଏ ସ୍ଵର ହସିବାର । ପ୍ରକାଶ ରାଜରାସ୍ତାରେ ପାଦଦେଲା ଗେଟ୍ ଡେଇଁ । ଗୋଟିଏ ଗୋଟିଏ ପାଦ ଉଠାଇ ଚାଲିଲା ନିଜର କ୍ୱାର୍ଟର ଅଭିମୁଖେ । କାନରେ ଗୋଟିଏ ଶବ୍ଦ ହି ଫେଲ୍‍ଟ୍ ଇଟ୍ ଅଙ୍କଲ... ସତେ ଯେପରି... ହୋ ହୋ ହସ ।

 

ପ୍ରକାଶ ଚାଲିଛି । ସାମ୍ନାରେ ତାର କ୍ୱାର୍ଟର ଦେଖାଯାଉଛି ।

 

ସାରା ରାତି ଛଟପଟ ହୋଇଛି ପ୍ରକାଶ । ଶୋଇ ପାରିନି, କାନରେ ସେଇ ଗୋଟିଏ କଥାର ଗୁଞ୍ଜନ... ତାର ଯୋଗ୍ୟତା ଉପରେ ଆକ୍ଷେପ ।

 

ରାତି ପାହୁପାହୁ ସୁଟକେଶ୍ ଖୋଲି ଫାଇଲ୍‍ଟା ବାହାର କଲା । ଗୋଟି ଗୋଟି କରି ସବୁ ସାର୍ଟିଫିକେଟ୍ ଦେଖିଲା । ମାଟ୍ରିକ ହାଇୟର ଫାଷ୍ଟ କ୍ଲାସ୍, ଡିପ୍ଲୋମା ଫାଷ୍ଟ କ୍ଲାସ୍, ବିଏ ଫାଷ୍ଟ କ୍ଲାସ, ପିଜିପିଟି ଡିଷ୍ଟିକ୍‍ସନ୍, ଜିଟି ଡିଷ୍ଟିକ୍‍ସନ୍, ସାଙ୍ଗକୁ ଫାଷ୍ଟ ଏଡ୍ ଆଦି କେତେ ଟ୍ରେନିଂର ପ୍ରମାଣପତ୍ର ସବୁ । ଏଇ ସବୁ ପ୍ରଥମ ଶ୍ରେଣୀ ଡିଗ୍ରିଗୁଡ଼ାକ କ’ଣ କୋଟା ବଳରେ ? ଇଚ୍ଛା ହେଲା ଦଉଡ଼ି ଯାଇ ତିମିର ମୁହଁରେ ଏଇ ସାର୍ଟିଫିକେଟଗୁଡ଼ାକ ମାରିଦେଇ ଆସନ୍ତା, ଗଳାଫଟାଇ ଚିତ୍କାର କରି କହନ୍ତା ମୁଁ କେବଳ ଜଣେ ଆଦିବାସୀ ଇଲାକାରେ ହୋଇଥିବାରୁ ଏଇ ପୋଷ୍ଟ ପାଇନାହିଁ । ଏଇଥିପାଇଁ ମୋର ନିଜସ୍ୱ ଯୋଗ୍ୟତା ଅଛି । ଏଇ ଦେଖ ତାର ପ୍ରମାଣପତ୍ର।

 

ଅନ୍ତର ଜଳୁଛି ରାଗରେ, ଓଠ ହଲୁଛି ପ୍ରତିକ୍ରିୟାରେ ।

 

... ମାତ୍ର ତିମିର କ’ଣ ମିଛ କହିଲା ଯେ, ସେତ... ବାସ୍ତବତା ତ ତାର ସେୟା । ଆଉ ଏବେ କହି ନେଲା ଯେ... ବିବେକର ପ୍ରଶ୍ନରେ ପ୍ରକାଶର ମନ ଚକିତ ହେଲା । କହିଲା... ନା... ତା କଥାର ଉଦ୍ଦେଶ୍ୟ ଭିନ୍ନ ଥିଲା । ମୁଁ କ’ଣ ତା ହାତରୁ ଭାତ ଛଡ଼ାଇ ନେଇଛି ? ତା ଉନ୍ନତି ପଥରେ କ’ଣ ମୁଁ ପ୍ରତିବନ୍ଧକ ସାଜିଛି ? ତେବେ... କାହିଁକି ଏ କଟୁକ୍ତି ଭରା ଉତ୍ସବରେ କଲା ସେ । ବରଂ ସେ, ତାର ପୂର୍ବ ପୁରୁଷମାନେ, ସମସ୍ତେ ଏ ଦେଶର କୋଟିକୋଟି ଆଦିବାସୀ ହରିଜନଙ୍କ ହାତରୁ ଭାତ ଛଡ଼ାଇ ନେଇଛନ୍ତି । ଏଇମାନେ ନିଜର ରାସ୍ତା ପରିଷ୍କାର କରିବାକୁ ଯାଇ ପ୍ରଥମରୁ ହିଁ ଆଦିବାସୀ ଦଳିଙ୍କୁ ସ୍କୁଲର ଦ୍ଵାର ମାଡ଼ିବାକୁ ଦେଇନାହାନ୍ତି । ବଣ ଜଙ୍ଗଲର ଅସଭ୍ୟ ପରିସର ମଧ୍ୟରୁ ବାହାରି ଆସିବାର ସମସ୍ତ ପଥରୋଧ କରିଛନ୍ତି ନାନା ଆଳରେ । ଯୁଗେ ଯୁଗେ ଏଇମାନଙ୍କର ଉନ୍ନତି ପଥରେ ପାହାଚ ବନିଛନ୍ତି ଏଦେଶର ଅଗଣିତ ଆଦିବାସୀ ଦଳିତ ସଂପ୍ରଦାୟ-। ବ୍ରାହ୍ମଣ ମୁହଁରେ ସିନା ଶୋଭାପାଏ ଗୀତା ଉପନିଷଦ୍‍ର ଉକ୍ତି... ଅମୃତସ୍ୟ ସନ୍ତାନ ବସୁଧୈବ କୁଟୁମ୍ବକମ୍ ତଥା ସର୍ବେ ଭବନ୍ତୁ ସୁଖିନଂ, ମାତ୍ର କର୍ମକ୍ଷେତ୍ରରେ ଏଇ ଛୋଟ ଜାତିକୁ ଆହୁରି ସଂକୁଚିତ କରି ଦେବାକୁ ପାଦରେ ଠେଲି ଦିଅନ୍ତି ।

 

ସେଇ ଅତ୍ୟାଚାରୀଙ୍କର ବଂଶଜ ତିମିର ଆଦି କଟୁକ୍ତି କରିଛି ଏଇଟା ଏଇ ଆଦିବାସୀ ଗୁଡ଼ାକ ଲାଗି ସହଜ କହି । ହଁ ସହଜ ହେବା ଉଚିତ୍ । କାରଣ ଏମାନଙ୍କର ବି ବଞ୍ଚିବାର ଅଧିକାର ଅଛି । ୟାଙ୍କ ହାତରୁ ଯିଏ ଭାତ ଛଡ଼ାଇ ନେଇଛି ତା’ହାତରୁ ଛଡ଼ାଇ ଆଣିବାର ଅଧିକାର ୟା’ଙ୍କର ଅଛି ।

 

ମୁଣ୍ଡ କ’ଣ ହୋଇ ଯାଉଛି ପ୍ରକାଶର ।

 

ଏ ଅବସ୍ଥାରେ ଅଫିସ୍ ଯାଇହେବନି...

 

ବିଛଣାରୁ ଉଠିଲା, ପୁଣି କମ୍ବଳ ଘୋଡ଼ିହୋଇ ଶୋଇ ପଡ଼ିଲା ପ୍ରକାଶ।

***

 

Unknown

‘ନଅ’

 

ସୁଧାଂଶୁ ମୁହଁରେ ହରଷ ନାଇଁ । ପ୍ରକାଶ ବଲାଙ୍ଗିର ଯିବାକୁ ଆଜି ହପ୍ତେ ହେବାକୁ ବସିଲାଣି । ଚିଠି ଖଣ୍ଡେ ପାଇଲେନି ଏଯାଏ । ପୁଅ ବିଦେଶରେ, ମା ଆଖିରେ ଲୁହ । ଭାଇ ଭଉଣୀ ସମସ୍ତେ କେଉଁ ଏକ ଅଜଣା ଆଶଙ୍କାରେ ଆଶଙ୍କିତ । ପ୍ରକାଶ ବିହ୍ୱଳ ସୁଧାଂଶୁ, ତାରା, ଜ୍ୟୋତି, ପ୍ରଭା, ଜ୍ୟୋସ୍ନା, ପ୍ରଦୀପ ସମସ୍ତେ ମ୍ଲାନ, ରୋଷାଇ ଘରେ ଚୂଲାରେ ଅନିୟମିତତା ଆରମ୍ଭ ହେଲାଣି ।

 

ଏମିତି ଏକ ଅସମୟରେ ଦାଣ୍ଡ କବାଟ ପାଖରେ ତ୍ରିଲୋଚନଙ୍କର କଣ୍ଠସ୍ୱର ଶୁଣି ପାଦ ଘୋଷାରି ଦାଣ୍ଡ କବାଟ ଖୋଲିଲେ ସୁଧାଂଶୁ । ତ୍ରିଲୋଚନଙ୍କର ମୁହଁରେ ହସ ଦେଖୁ ଜବରଦସ୍ତି ହସ ମେଞ୍ଚାଏ ଅନ୍ତର ମଧ୍ୟରୁ ଟାଣି ଆଣି ଓଠ ଧାରରେ ଲେପିଦେଲେ ସୁଧାଂଶୁ । ଘୁଞ୍ଚିଯାଇ କହିଲେ, ହଁ ଆସତିର ! ତୁମେ ଟିକିଏ ତାରାକୁ ବୁଝାଇଲ । ଛୁଆଙ୍କ ପରି ହେଉଛି, ପ୍ରକାଶର ଚିଠି ଆଜିଯାଏ ପହଞ୍ଚିଲା ନାଇଁ ଯେ ରୋଷାଇ ଘରେ ପାଦ ଦେଉ ନାଇଁ । ଛୁଆଗୁଡ଼ାକ ଭୋକରେ ଆଉଟୁ ପାଉଟୁ ହେଲେଣି । ଜ୍ୟୋସ୍ନାଟା ଘର କାମରେ ଲାଗିଚି ସକାଳୁ... ହେଲେ... ମଲା, ସମୁଦ୍ରଣୀ ଚିଠି ପାଇଁ ଓପାସ କରୁଛନ୍ତି ଏୟାଡ଼େ ଆଉ ସେ ଶଳା ରଘୁଆ ପିଅନଟା ମୋତେ ଚିଠିଟା ଧରେଇ ଦେଇଛି । କହିଲା... କ’ଣ ନା ହାକିମ୍ ପାଖରେ ପେଶ୍ ହେବ ଜଲଦି । ଛାଡ଼ କାଇଁ କୋଉଠି କହିଲ ଦେଖି ମୋ ସମୁଦୁଣୀ ।

 

ତାରାମଣି ତ୍ରିଲୋଚନ ପାଟି ଶୁଣି ଆଖି ପୋଛି ଭିତର ଘରୁ ୟା ଭିତରେ ଅଗଣାକୁ ବାହାରି ଆସି ସାରିଥିଲେ । ମନେ ମନେ କେତେ କଲ୍ୟାଣ କରି ନେଲେ ତ୍ରିଲୋଚନ ପ୍ରତି ।

 

ଆରେ ଏଇ ସମୁଦୁଣୀ ମୋରି ପଛଆଡ଼େ ଠିଆ ହୋଇଛନ୍ତି ଆଉ ମୁଁ ଶଳା ପାଟିଟେ କରି କମ୍ପାଉଛି । କାଇଁମ ତୁମେ ପରା କାନ୍ଦୁଥିଲ । କ’ଣ ପୁଅର ଚିଠି କଥା ଶୁଣୁ ଶୁଣୁ କାନ୍ଦ ବନ୍ଦ ହୋଇଗଲା । ହଉ, ଏ ସୁଧା ଦାଦା, ନିଅ ଚିଠିଟା ନେଲ । ଟିକିଏ ପଢ଼ତ ପୁଅ କ’ଣ ଲେଖୁଛି । ହୁଁ, ଚିଠିଟା ଅଣ୍ଟାରୁ ବାହାର କରି ବଢ଼ାଇ ଦେଉ ଦେଉ ପିଣ୍ଡାଟା ଉପରେ ବସି ପଡ଼ିଲା । ଜ୍ୟୋତି ଦଉଡ଼ି ଯାଇ ସପଟେ ଆଣି ଠିଆ ହେଲା ତ୍ରିଲୋଚନଙ୍କ ପାଖରେ ମାତ୍ର ତ୍ରିଲୋଚନ ନାରାଜ... ଆଲୋ ମା, ତୁମେମାନେ ମୋତେ ପର ମଣିଲ କି ? ନାଇଁ ମୁଁ ଏଇ ଘରର ମଣିଷଟିଏ । ଏଇଠି ବସିଲେ ଚଳିବ ।

 

ତାରାମଣି ଭାବୁଛନ୍ତି, କେତେ ଶାନ୍ତ ସୁଧାର ମଣିଷଟିଏ । ଦେଖିବାକୁ ସୁସ୍ଥ ସବଳ ପାଞ୍ଚ ହାତିଆ ମରଦଟେ ହେଲେ ମଧ୍ୟ କେତେ ମଉଜିଆ ଲୋକ । କଥା କଥାକେ ଆପଣା ପଣ ଜାହିର କରେ । ଶରଧା ନାନୀ ସିନା ନିର୍ମୋହିନୀ ହୋଇ ଅଧା ବୟସରେ ଏକଲା କରି ଆର ପୁରକୁ ଚାଲିଗଲା । ହେଲେ ତୀର ଭଳି ଲୋକଟେ କୋଟିକରେ ଗୋଟିଏ । ଛାଡ଼ିବା ଭଳି ନୁହଁ । ଆହା ବିଚାରାର ଆଗକୁ ପଛକୁ ବୋଲି କେବଳ ଝିଅଟା । ଉଷା, ରାଣୀ ପରି ସୁନ୍ଦର । କାହିଁ କେତେ ଦିନୁ ବୋହୂ କରିବାକୁ ମନସ୍ଥ କରିଛନ୍ତି ତାରାମଣି । ସେଦିନ ଯେବେ ପ୍ରଥମ କରି ତାରାମଣି ତାକୁ ତାଙ୍କର ମନକଥା କହିଲେ ବିଚରା କେତେ ଦୋଦୋ ପାଞ୍ଚ ହୋଇ ଥତମତ ହୋଇ କହିଲା, ନାନୀ... ମୁଁ ବାନରକୁ କାହିଁକି ଚନ୍ଦ୍ରମା ଆଶା ଦେଉଛ । ମୁଁ ଗରିବ ଲୋକ, ବେଳକୁ ଖଟିଲେ ବେଳକୁ ଖାଉଛି । ପୁଅ ତୁମର ପାଠ ପଢ଼ୁଆ, ହାକିମ୍ ହୋଇଛି । ମୋ ଝିଅ ତୁମ ଘରେ ପୋଇଲିକୁ ସିନା ଯୋଗ୍ୟ ହେଲେ ବୋହୂ ହେବାର ସ୍ୱପ୍ନ କାହିଁକି ଦେଖାଉଛି । ନାନୀ ।

 

... ନାଇଁ ମ ତିର । ପାନ ଖିଲକ ମୁହଁରେ ଗୁଞ୍ଜୁ ଗୁଞ୍ଜୁ କହିଥିଲେ ତାରାମଣି, ଉଷାଟି ମୋର ଭାରି ପସନ୍ଦ । ତମ ଦାଦାଙ୍କର ବି ଖୁବ୍ ପସନ୍ଦ। ଖାଲି ତୁମେ ରାଜି ହେଲେ... ।

 

... ହଁ ଯେ ନାନୀ, ହେଲେ ତୁମର ସେ ପାଠୁଆ ପୁଅ । ଝିଅ ମୋର ଦରପାଠୋଇ । ସେ କ’ଣ ମୋ ଝିଅକୁ ପସନ୍ଦ କରିବ।

 

... ମଲା ସେ କ’ଣ ଆଉ କାହା ପୁଅ ହୋଇଛି । ମୋ ପୁଅ ମୋ କଥା ମାନିବ ନାହିଁ । ଖାଲି ତୁମ ଇଚ୍ଛା ନା କ’ଣ କହିଲେ ଦେଖି ।

 

.... ମୋର ଗୋଟେ ଇଚ୍ଛା କ’ଣ ମ, ଝିଅ ମୋର ରାଣୀ ସାଜିବ ଆଉ ମୁଁ କିଆଁ ନାହିଁ କରିବି ?

 

ସେଦିନ ଖୁବ୍ ଖୁସି ହୋଇ ଏଇ ଅଗଣାରୁ ଉଠିଥିଲା ତିର । ତା’ ପରଠୁ ତାରାଙ୍କୁ ଦେଲେ ଆପେ ଆପେ ହସି ଦେଇ ସମୁଦୁଣୀ ବୋଲି ଡାକି ଦିଏ । ତାରାମଣି ତାଙ୍କର ପ୍ରତିଟି ଡାକରେ, ଉଷାକୁ ବୋହୂ ରୂପେ କଳ୍ପନା କରି ତାଙ୍କ ଘର ପୂରି ଉଠୁଥିବା ଅନୁମାନ କରି ଫୁଲି ଫୁଲି ଯାନ୍ତି ।

 

ଆଜି ସେଇ ଶାନ୍ତ ସରଳ ନିଷ୍ପାପ ପାଞ୍ଚ ହାତିଆ ମରଦ ଅତି ଉତ୍କଣ୍ଠାର ସହ ନିଜର ଭାବି ଜୋଇଁର ଖବର ଜାଣିବାର ଉତ୍କଣ୍ଠା ନେଇ ପିଣ୍ଡାଟା ଉପରେ ଗୁମ୍ ହୋଇ ବସିଛନ୍ତି । ତାରାମଣିଙ୍କୁ ଲାଗିଲା କିଏ ଯେପରି ତାଙ୍କୁ କୁତୁକୁତୁ କରୁଛି । ଓଠ ଧାରରେ ହସ ଫାଟି ପଡ଼ୁଛି । ଲୁଗା କାନି ମୁହଁରେ ଜାକି କାନ୍ଥକୁ ଆଉଜି ଠିଆ ହୋଇଛନ୍ତି । ପ୍ରଦୀପ କେତେ ବେଳଠୁ ଯାଇ ବାପାଙ୍କ କୋଳରେ ହାଜର । ଜ୍ୟୋସ୍ନା ରୋଷାଇ ଘରଟାରେ କନା ବୁଲାଉ ବୁଲାଉ କାନ ଡେରିକି ରହିଛି ଭାଇର ଚିଠି ଶୁଣିବ । ଜ୍ୟୋତି, ପ୍ରଭା, ଦେଖାଯାଉ ନାହାନ୍ତି । ଏଇଠି କୋଉଠି ଥିବେ ।

 

ସୁଧାଂଶୁ ଚିଠିଟା ପଢ଼ି ସାରିଲେଣି । ତ୍ରିଲୋଚନ ଏବେବି କାନେଇଛି । କାହିଁ ଉଷାର ନାଁ କି ମଉସାଙ୍କୁ ନମସ୍କାର ବୋଲିତ ଶୁଣିନି ଏଯାଏ । ସବୁ ଚିଠିରେ ତ ଲେଖେ ଉଷାକୁ ମୋର ସ୍ନେହ ଓ ମଉସାଙ୍କୁ ନମସ୍କାର ବୋଲି । ଆଗରୁ କେତେ ଥର ମଉସାଙ୍କୁ ନମସ୍କାର ବୋଲି ଶୁଣିଲେ କେତେ କ’ଣ କଲ୍ୟାଣ କରିଯାଏ ତ୍ରିଲୋଚନ । ତୀରର କଲ୍ୟାଣ ଶୁଣିବାକୁ ତାରାମଣିଙ୍କୁ ଭଲଲାଗେ । ମାତ୍ର ଆଜି ଏ ବିଡ଼ମ୍ବନା କାହିଁକି । ପ୍ରକାଶ ଲେଖିଛି ଗଲାବେଳେ ଦେଖା ହୋଇ ଗଲା ଯେ ତାଙ୍କରି ଘରେ ଦୁଇ ଦିନ ରହିଲା । ଆଉ ଏବେ ପ୍ରାୟ ପ୍ରତିଦିନ ତାଙ୍କ ଘରକୁ ଯାଉଛି ।

 

ମନଟା ଗୋଳେଇ ଘାଣ୍ଟି ହେଲା ତାରାମଣିଙ୍କର । ଏଇ ସହର ବାସିନ୍ଦାଙ୍କୁ ମୋଟେ ବିଶ୍ୱାସ ନାଇଁ ତାର । କିମିଆ ଜାଣନ୍ତି । କେଉଁ ଏକ ଅଜଣା ଆଶଙ୍କାରେ ଶିହରିତ ହେଲା ତାରାମଣି-। ଯଦି କିଛି ଅଘଟଣ ଘଟେ... ।

 

ତ୍ରିଲୋଚନଙ୍କର ଉତ୍କଣ୍ଠା ଏବେ ବି ଭାଙ୍ଗିନି । କହିଲା ସୁଧା ଦା କାଇଁ ଉଷା କଥା ତ ପଢ଼ିଲ ନାଇଁ ।

 

ସୁଧାଂଶୁଙ୍କ ଜିଭ ଥରି ଉଠିଲା । ଉଷା ତଥା ତ୍ରିଲୋଚନର ଉଲ୍ଲେଖ ନହେବା କଥା ତାଙ୍କୁ ମଧ୍ୟ ଖାପ୍‍ଛଡ଼ା ଲାଗିଛି । ତ୍ରିଲୋଚନର ଛାତି ତଳର କଥା ସେ ବି ଅନୁଭବ କରିଛନ୍ତି । କିଛି କହି ପାରିଲେନି ଖାଲି ଆଖି ଉଠାଇ ଚାହିଁଲେ ତ୍ରିଲୋଚନର ମୁହଁକୁ ।

 

ମଉସା କଥା ବି ଲେଖିନି ସୁଧା ଦା... ଏଥରକ କଣ୍ଠସ୍ୱର ଭାରି ହୋଇଗଲା ତ୍ରିଲୋଚନର ମନର ଉତ୍କଣ୍ଠା ମରିଯାଇ ବୈରାଗ୍ୟରେ ପରିଣତ ହେଲା କ୍ରମେ ।

 

ଏଥରକ ସୁଧାଂଶୁ କିଛି କହିବା ପୂର୍ବରୁ ଆଖିରୁ ଆଖିରୁ ଠଉରେଇ ନେଲା ତ୍ରିଲୋଚନ । ଥତମତ ହୋଇ ଉଠି ଚାଲିଲା ତାରାମଣିଙ୍କ ପାଖକୁ ।

 

... ନାନୀ... କ’ଣ କହୁଥିଲିକି... ଅଜଣା ଆଶଙ୍କାରେ ଆଶଙ୍କିତ କଣ୍ଠରେ କହିଲା, ପୁଅ ତୁମର ତ ଭଲରେ ଅଛି । ଦୂର ରାଇଜରୁ ଆସି ପାଖରେ ହାକିମ ହେଲା । ଏଥରକ କାମଟା ଉଠାଇ ଦେଲେ ଭଲ ହେବ ।

 

ତାରାମଣିଙ୍କର ଅଯଥା ଆଶଙ୍କାଟା ଦୁରେଇ ଗଲା ଏଇ କଥା କେଇ ପଦ ଶୁଣି । ଅମୃତ ବାଣୀ ଭଳି ଲାଗେ ତାଙ୍କୁ ଉଷା ତାଙ୍କର ବୋହୁ ହେବା କଥାଟା, ସୁଧାଂଶୁଙ୍କୁ ଲକ୍ଷ୍ୟ କରି କହିଲେ...

 

... ଶୁଣିଲଣି ତିର ତ ଭଲ କଥାଟେ କହୁଛନ୍ତି । ଏ ସନ କାମଟା ଉଠାଇ ଦେଲେ ଆର ସନକୁ ଜୋସ୍ନା କଥା ଦେଖନ୍ତେ ନାଇଁ ।

 

ସିଗାରେଟ୍ ଡବାରୁ ସିଗାରେଟ୍‍ଟାଏ କାଢ଼ି ଲାଇଟ୍‍ର ଯୋଗେ ନିଆଁ ଧରାଇ ସୁଧାଂଶୁ ବାବୁ ପାଖେଇ ଗଲେ ତାରାମଣି ତଥା ତ୍ରିଲୋଚନ ପାଖକୁ ।

 

... ମଲା ତୁମେ ଏ ଧୁଆଁ ଗୁଡ଼ାକୁ ପିଇ କିସ ପାଅ ମ ସୁଧା ଦା । ଖାଲି ଧୁଆଁଗୁଡ଼ାକୁ ପେଟକୁ ନେଉଛି ସିନା, ଏଗୁଡ଼ା ଛାଡ଼ି ଦେଉନା । ସିଗାରେଟ୍ ଧୁଆଁରେ ଅତିଷ୍ଠ ହୋଇପଡ଼େ ତ୍ରିଲୋଚନ । ପ୍ରଥମେ ପ୍ରଥମେ ତ ସୁଧାଂଶୁ ସାମ୍ନାରେ ଭରସି କରି ଚାଲି ପାରୁ ନଥିଲା, ଏବେ ତାରାମଣିର ସ୍ନେହ ତାର ମୁହଁ କରାଇ ପାରିଛି । ସିଗାରେଟ୍ ଉପରେ ମନ୍ତବ୍ୟଟା ଶୁଣି ମନେ ମନେ ହଷିଲେ ସୁଧାଂଶୁ । ହଉ ଏବେ କ’ଣ କହିଲଟି ତାରା...

 

... ମଲା ମୋର ମୁଁ କ’ଣ କହିଲି ମ, ଏଇ ତିର କହୁଛନ୍ତି ନା, ଏ ବର୍ଷ କାମଟା ଉଠାଇ ଦେଲେ ଭଲ ହେବ ।

 

... ହଁ ଭଲ ହେବ ଯେ, ହେଲେ ତାର ମତାମତଟା ଜାଣି ନ ନେଲେ... ଯେତେ ହେଲେ ବି ଜାଣିବାର ହେଲାଣି ତ । ପାଞ୍ଚ ଦଶ କଥା ବୁଝି ପାରୁଛି ।

 

... ହଁ ମ ତୁମର ତ ସବୁବେଳେ ସେଇ କଥା । ତମେ ଏବେ ଚିଠି ଲେଖି ଏଇ ମାସ ଶେଷକୁ ତାକୁ ଡକାଇଲ। ଦେଖିବ ମୋ ଅନ୍ତର କଥା କେମିତି ବୁଝିବ ନାଇଁ ସେ । ଏଇ ଅନ୍ତର ମଧ୍ୟରେ ନ ମାସ ବୋହିଛିଟି ।

 

... ଥାଉ, ଥାଉ ତାରାମଣି । ପୁଅ ଉପରେ ତ ତୁମର ଭାରି ଭରସା । ଏକଥା ଜାଣିଛି ମୁଁ । କଥା କ’ଣ ତ୍ରିଲୋଚନ, ଆଗ ପୁଅଟା ଆସୁ । ଦେଖିବା କୋଉ ଆଡ଼ର ପାଣି କୁଆଡ଼କୁ ଯାଉଛି । ସବୁ ଠିକ୍ ହୋଇଗଲେ ମାସ ଦୁଇଟାରେ କାମ ଉଠିଯିବ । ସେଥିରେ ଏତେ ଡରୁଛ କାହିଁକି ?

 

... ହଁ ମ ତିର, ଝିଅ ପାଇଁ ଚିନ୍ତା କରୁଛି କି ? ଉଷାକୁ ପରା କାହିଁ କେତେ ଦିନୁ .ମୁଁ ବୋହୁ ଭାବି ସାରିଛି । ନ ହେଲାବା ତୁମ ଝିଅ କିଏ ଆଉ ମୋ ଝିଅ କିଏ । ଏମିତି ତ ଭଗବାନ ମୋତେ ତିନିଟା ଦେଇଛନ୍ତି । ସେଥିରେ ଆଉ ଗୋଟେ, ତୁମେ ମୋଟେ ଚିନ୍ତା କରିବ ନାଇଁ ମ ।

ଏଇ କଥା କେଇପଦରେ ତ୍ରିଲୋଚନର ମନ ବଦଳି ଗଲା । ଜାଦୁ ଅଛି ତାରାମଣିଙ୍କର କଥାରେ । କେତେ ଆପଣାର ଲାଗେ ସତେ । ଓଠରେ ହସ ଖେଳିଗଲା । ତଥାପି ପଚାରିଦେଲା... ସୁଧା ଦା ପ୍ରକାଶକୁ ଏଇ ମାସ ଡକାଇବଟି ।

... ହଁ ହଁ ଆଜି ଲେଖିବେ ଯେ ଚିଠି । ତମେ ମୋଟେ ବ୍ୟସ୍ତ ହୁଅନି ତିର । ପାଖରେ ବସି ପଡ଼ିଲା, କହିଲା, ସୁଧା ଦା କହୁଥିଲେ ତୁମେ କାଳେ ବ୍ୟସ୍ତ ହେଉଥିଲା ପରା । ଆଉ କିଆଁ ବ୍ୟସ୍ତ ହେବ । ଚିଠି ତ ଆସିଲା । ଏଥର ଯାଆ ରୋଷାଇବାସ କର । ମା ଜ୍ୟୋତ୍ସ୍ନାଟା କେତେ କାମ କରି ଥକି ଗଲାଣି ସକାଳଠୁଁ । ସୁଧା ଦା କହିଲେ ତୁମକୁ ବୁଝାଇବାକୁ । ମୁଁ କଣଟେ ବୁଝାଇବି ମ, ମୂର୍ଖ ମଣିଷଟେ ମୁଁ, ଆଚ୍ଛା ଏଥର ଯାଉଛି । ରୋଷାଇ ବାସ କରିବ, କାନ୍ଦ କଟା କରିବ ନାଇଁଟି । କହୁକହୁ ଉଠି ଦାଣ୍ଡ ଦୁଆର ପାର କରି ଚାଲିଗଲା ତ୍ରିଲୋଚନ ।

କେତେ ସରଳ, ଭୋଳା ମଣିଷଟିଏ । ଏଇ କଥା ଭାବୁ ଭାବୁ ତାରା ଦେବୀ ମୁହଁରେ ହସର ଧାରଟିଏ ଓଠକୁ ଛୁଇଁ ଗଲା । ପର ମୁହୂର୍ତ୍ତରେ କ’ଣ ସେ ଟୋକୀର ନାଁଟା ପଢ଼ିଲଟି ? ହଁ ସନ୍ଧ୍ୟା... ସେଇଟା କି ଚକ୍‍କରମ । ଟିକିଏ ଭଲ କରି ପଢ଼ତ ।

... ସେ ଦିନ ଗଲାବେଳେ ବସ୍‍ରେ ପୁରୁଣା ବଜାରରୁ ଗଲେ ମା ଝିଅ ଦୁହେଁ ବଲାଙ୍ଗିର । ଏକା ସିଟରେ ବସିକରି ଗଲେ । ଚିହ୍ନା ପରିଚୟ ହେଲା ତାଙ୍କ ଘରଟା ବଲାଙ୍ଗିରରେ ତ, ପ୍ରକାଶ ସେଠାରେ ନୂଆ ତେଣୁ ସେମାନେ କହିଥିବେ ତାଙ୍କ ଘରେ ରହିଯିବାକୁ ଦିନେ ଦୁଇଦିନ । ଆଉ ପ୍ରକାଶ ରହି ଯାଇଥିବ । ବିଦେଶ ଜାଗାରେ ବିଶେଷ କରି ସହର ବଜାରରେ ଏମିତି ସବୁ ହୁଏ ।

... ଆଚ୍ଛା ତାଙ୍କ ଘର ଦ୍ୱାର ବିଷୟରେ ଆଉ କ’ଣ ଲେଖିଛି ?

... ହଁ ଖୁବ୍ ବିରାଟ ଘର । ଘର ମାଲିକଙ୍କର ନିଜର ଗୋଟେ ବଡ଼ ଡାକ୍ତରଖାନା ଅଛି । ଦୁଇମହଲା କୋଠାଟାରେ ଖାଲି ବୁଢ଼ୀଟା ଆଉ ଝିଅଟା ରହନ୍ତି ପରା । ବୁଢ଼ା ଖୁବ କମ୍ ସମୟ ପାଇଁ ଯାଏ ଘରକୁ ।

... ମଲା ସେଠି ଖାଲି ବୁଢ଼ୀଟା ଆଉ ଝିଅଟେ । ଆଉ ଇଏ ସେଠିକି ସବୁ ଦିନ ଯାଇ କ’ଣ କରେ ଯେ, ନାଇଁମ, ମୋ ମନକୁ ପାପ ଛୁଉଁଛି । ମୋର ଏଇ ସହରବଜାରିଆ ଲୋକ ଗୁଡ଼ାକଠି ଜମା ଭରସା ନାହିଁ । ଲାଭ ଦେଲେ କ’ଣ ନାଇଁ କ’ଣ କରିଯାନ୍ତି ।

 

... ତୁମେ ଖାଲିଟାରେ ଚିନ୍ତା କରୁଛ । ତମର ସିନା ସହରିଆ ଲୋକଙ୍କ ଠି ବିଶ୍ୱାସ ନାହିଁ ହେଲେ ମୋର ମୋ ପୁଅଠି ବିଶ୍ୱାସ ଅଛି । ସହର ବଜାର ଜାଗା, ନୂଆ ଲୋକ । ଏଇ ଟିକିଏ ସମୟ ବିତାଉ ଥିବ ।

 

... ତୁମେ ଆଗ ଚିଠି ଲେଖିଲ ସେ ଏଇ ମାସ ଶେଷ ଆଡ଼କୁ ଆସୁ । ଆର ମାସକୁ ହେଲେ ବାହାଘର କାମଟା ଉଠାଇ ଦେଲେ ମୁଁ ନିଶ୍ଚିତ ହେବି । ହେଣିକି ଯାହା କରନ୍ତୁ ସେମାନେ ମୋର ଚିନ୍ତା ଯିବ ।

 

..., ମୁଁ ଦେଖୁଛି ତୁମେ ଖାଲିଟାରେ ଚିନ୍ତାକରୁଛି । ଗଲ ଦେଖିଲ ରୋଷାଇ କେତେବାଟ ଗଲା । ତୁମ ଯୋଗୁତ ଆଜି ମୋତେ ଛୁଟି ନେବାକୁ ପଡ଼ିଲା । ଯାଉଛି ବାଡ଼ି ପୋଖରୀରେ ଜାଲଟା ଥରେ ଦୁଇଥର ଫିଙ୍ଗିବି । ଆରେ ପ୍ରଦୀପ... ଆଣିଲୁ ବାବା ଜାଲଟା ।

***

 

‘ଦଶ’

 

ବାପାଙ୍କର ଚିଠି ପାଇବା ଦୁଇ ଦିନ ହେଲାଣି । ଶୀଘ୍ର ଘରକୁ ଆସିବାକୁ ଲେଖିଛନ୍ତି । କୌଣସି କାରଣ ଦର୍ଶାଇ ନାହାନ୍ତି । ପ୍ରକାଶର ମନ ଆଶଙ୍କିତ ନିକଟ ଭବିଷ୍ୟତର ସାମ୍ଭାବ୍ୟ ଅଘଟଣର ଆଶଙ୍କାରେ ।

 

କଲେକ୍ଟରଙ୍କୁ ଦୁଇଥର ଦେଖା କରିବା ପରେ ଛୁଟି ଅର୍ଜି ମଞ୍ଜୁର ହୋଇଛି । ଚାରି ଦିନର ସାମୟିକ ଛୁଟି ସାଙ୍ଗକୁ ରବିବାରଟାଏ ।

 

ସନ୍ଧ୍ୟା ପାଞ୍ଚଟାରେ କେନ୍ଦୁଝର ବସ୍ ଛାଡ଼ିବ । ତେଣୁ ଦିନ ତିନିଟା ବେଳଠୁ ସୁଟକେଶ୍ ସଜାଡ଼ି ରଖିଛି ପ୍ରକାଶ । ଏଇତ ଅଫିସ୍‍ରେ ନିଜ ସହାୟକଙ୍କୁ କେତେଟା ଗୁରୁତ୍ୱପୂର୍ଣ୍ଣ ଫାଇଲ୍ ବିଷୟରେ ଧାରଣା ଦେଇ ଫେରିଛି । ହାତ ଘଣ୍ଟା ଦେଲା ସମୟ ସାଢ଼େ ଚାରି ଯାହା ହେଉ ସବୁ ଠିକ୍‍ଠାକ୍‍... ଏବେ ବାହାରିବ ।

 

ନିଜର ସହାୟକ ଅଧିକାରୀ କହୁଛନ୍ତି ସରକାରୀ ଗାଡ଼ିଟା ନେଇ ଚାଲି ଯିବାକୁ । ସୁବିଧା ହେବ ମାତ୍ର ଚାରି ଦିନର କଥା ତ । ବଡ଼ବାବୁ ମଧ୍ୟ ଅସ୍ତି ସୂଚକ ମୁଣ୍ଡ ଟୁଙ୍ଗାରୁଛନ୍ତି । ମାତ୍ର ପ୍ରକାଶ ମନରେ ଦ୍ଵିଧା ଦ୍ୱନ୍ଦ... କୋଉଟା ଠିକ୍ । ନା ଏହା ଠିକ୍ ନୁହଁ । ପ୍ରକାଶ୍ୟରେ କହିଲା ପ୍ରକାଶ ।

 

... ସାର ଆପଣ ସିନା ଏକଥା କହୁଛନ୍ତି, ହେଲେ ଏଠି ସରକାରୀ ଅଫିସର୍‍ଙ୍କ ନାମରେ ଯେତେ ଗାଡ଼ି ଆଲଟ୍ ହୋଇଛି ସେ ସବୁ ତାଙ୍କର ନିଜସ୍ୱ ସମ୍ପତ୍ତି ହୋଇଯାଇଛି । ସତୁରୀରୁ ଅଶୀ ଭାଗ ଅଫିସର ସରକାରୀ ଗାଡ଼ିକୁ ନିଜ କାମରେ ଲଗାନ୍ତି । ଗାଁକୁ ଯିବା ତ ଅଲଗା କଥା ଏଠି ସାହେବାଣୀ ମଧ୍ୟ ସେଇ ଗାଡ଼ି ଚଢ଼ି ବଜାର କରନ୍ତି । ନିରାଟ ସତକଥାଗୁଡ଼ାକ କହି ଚାଲିଛନ୍ତି ସହାୟକ ଅଧିକାରୀ ।

 

... ଆମର ଆଗ ଅଧିକାରୀ ତ ପୁଣି ଗାଡ଼ି ନେଇ ସୁଦୂର ସୁନ୍ଦରଗଡ଼ ପର୍ଯ୍ୟନ୍ତ ଯାଉଥିଲେ-। ଆପଣ ସିନା ଅଯଥା ଚିନ୍ତିତ ହେଉଛନ୍ତି ନଚେତ୍ ସବୁ ସହଜ । ଗାଡ଼ିର ଡିଜେଲ ଗୃହ ଗମନରେ ସରିବ ଆଉ ମାସ ଶେଷକୁ ଲଗ୍‍ବୁକ ଭରିଲା ବେଳକୁ ଆପଣା ଛାଏଁ କାଗଜ କଲମରେ ଦଶଟା ମାଇନ୍‍ର ଟୁର ହୋଇଯିବ । ବଡ଼ ବାବୁଙ୍କର ଉପଦେଶାତ୍ମକ ଯୁକ୍ତି ।

 

ମନଟା କ’ଣ ହୋଇଯାଉଛି ପ୍ରକାଶର । ଭାବୁଛି ଦୁହେଁ ସତକଥା କହୁଛନ୍ତି । ଗାଡ଼ିଟା ନେଇ ଚାଲିଗଲେ ଗାଁକୁ ତଥା ସାଙ୍ଗ ଗହଣରେ ନିଜର ଗୋଟେ ଓଜନ ରହନ୍ତା । ବାହାବା ମିଳନ୍ତା । ଘରେ ବାପା ବୋଉ ଭାଇ ଭଉଣୀ କେତେ ଖୁସି ହୁଅନ୍ତେ । ମାତ୍ର ଏଇଟା କ’ଣ ଠିକ୍ । ନା ନା ସମ୍ପୂର୍ଣ୍ଣ ଅନୁଚିତ୍ । ସରକାରୀ ତହବିଲ୍ ଭରୁଛନ୍ତି ଏ ଦେଶର ଅଗଣିତ ଜନସାଧାରଣ ମୁଣ୍ଡ ଝାଳ ତୁଣ୍ଡରେ ମାରି । ନିଜ ଦାନାରୁ କାଟି ଖଜଣା ଦେଇ ତହବିଲ ଭରୁଛନ୍ତି । ସେଇ ଅର୍ଥକୁ ଏମିତି ଭାବେ ଅପବ୍ୟୟ କରିବାଟା... । ଅନ୍ୟର ଝାଳବୁହା ପରିଶ୍ରମ ତଥା ଦାନାକଟା ପଇସାକୁ ସେ ଅନ୍ତତଃ ଏମିତି ଅପବ୍ୟୟ କରି ପାରିବନି ।

 

... ମୁଁ ବସରେ ଯିବି ମିଶ୍ରବାବୁ । ନିଜର ନିଷତ୍ତିଟାକୁ ଜଣାଇଲା ବେଳକୁ ଶବ୍ଦଗୁଡ଼ାକ ଚୋବାଇ ହୋଇ ଯାଉଥିଲା ଏବଂ ଅନ୍ତର ମଧ୍ୟରେ କେମିତି ଗୋଟାଏ ଆନନ୍ଦର ଫଲ୍‍ଗୁ ଝରୁଥିଲା-

 

ମିଶ୍ରବାବୁ ସହାୟକ ଅଧିକାରୀ । ଡ୍ରାଇଭରକୁ ଡାକି ଗାଡ଼ି ବାହାର କରି ସାହେବଙ୍କୁ ବସ୍‍ଷ୍ଟପ୍‍ରେ ଛାଡ଼ିଦେଇ ଆସିବାକୁ କହିଲେ । ସୁଟକେଶ୍ ହାତରେ ଧରି ଜିପ୍ ଯୋଗେ ବସ୍‍ଷ୍ଟାଣ୍ଡରେ ପହଞ୍ଚିଲେ । ସାଥରେ ମିଶ୍ରବାବୁ ସି ଅଫ୍ କରିବାକୁ ଆସିଛନ୍ତି ।

 

କେନ୍ଦୁଝର ବସ୍ ଛାଡ଼ିବା ଉପରେ । ଲୋକ ଲଦି ହୋଇଯାଇଛନ୍ତି ବସ୍‍ରେ । ଡ୍ରାଇଭର ଗଲା ସିଟ୍‍ଟାଏ ଯୋଗାଡ଼ କରିବାକୁ । ଜିପ୍ ଡ୍ରାଇଭର ବସ୍ ଡ୍ରାଇଭର କଣ୍ଡକ୍ଟର ମଧ୍ୟରେ କ’ଣ କଥା ହେଲା କେଜାଣି କଣ୍ଡକ୍ଟରର ମୁଣ୍ଡଟା ନାସ୍ତିସୂଚକ ହଲୁ, ହଲୁ ହଠାତ୍ ସ୍ୱୀକାର ଭଙ୍ଗୀରେ ସ୍ଥିର ହୋଇ ଯାଇ ଟିକଟ ଖଣ୍ଡେ ବଢ଼ାଇ ଦେଲା ଜିପ୍ ଡ୍ରାଇଭର ହାତକୁ । ଡ୍ରାଇଭର ହାତରୁ ମିଶ୍ର ବାବୁଙ୍କ ହାତକୁ ପୁଣି ତାଙ୍କ ହାତରୁ ପ୍ରକାଶର ହାତକୁ ଟିକଟଟା କ୍ରମେ ସଂକ୍ରମିତ ହୋଇଗଲା । ଭିଆଇପି ସିଟ୍ ୧୨ ନମ୍ବର । ‘ଗୁଡ୍’ - ସ୍ଵତଃ ବାହାରି ଆସିଲା ପ୍ରକାଶର ମୁହଁରୁ ।

 

ଜିପ୍‍ରୁ ଓହ୍ଲାଇ ଡ୍ରାଇଭର ହାତରୁ ସୁଟ୍‍କେଶ୍ ନେଇ ଆଗେଇ ଚାଲିଲା ପ୍ରକାଶ ବସ୍ ଦ୍ୱାର ପାଖକୁ । ଓଃ କି ଅସମ୍ଭବ ଭିଡ଼ । ଅଟା ଦଳିଲା ବେଳେ ପାଞ୍ଚ ଆଙ୍ଗୁଳିର ଫାଙ୍କ ଦେଇ ଅଟା ଚିପି ହୋଇ ବାହାରି ପଡ଼ିଲା ଭଳି ଦ୍ଵାର ମୁହଁରେ ଦୁଇ ଚାରିଟା ଲୋକ ଝୁଲି ପଡ଼ିଛନ୍ତି । ଭିତରକୁ ପ୍ରବେଶ ନିମନ୍ତେ କି ଅଦମ୍ୟ ଚେଷ୍ଟା ।
 

ଭିଡ଼ ଦେଖି ଆଖିରୁ ଚଷମା କାଢ଼ି ପୋଛୁ ପୋଛୁ ନିରାଶ ସ୍ଵରରେ ମିଶ୍ରବାବୁ କହିଲେ... ଏବେ କ’ଣ କରିବା ସାର ବେଟର୍ ୟୁ ଟେକ୍ ଦ ଭେଇକିଲ୍ ।

 

ଓ ଡୋଣ୍ଟ ଔରି ମ୍ୟାନ୍, ମୁଁ ଏଥିରେ ଅଭ୍ୟସ୍ତ । କହୁ କହୁ ନାଁ ହାତରେ ସୁଟ୍‍କେଶଟା ଧରି ଡାହାଣ ହାତରେ ବସ୍ ଦ୍ଵାରର ହ୍ୟାଣ୍ଡଲଟା ଧରି ଝୁଲି ପଡ଼ିଲା ପ୍ରକାଶ । ଅନ୍ୟ କେତେ ଜଣକ ସାଙ୍ଗରେ ସାମିଲ ହୋଇଗଲା ସେ ।

 

ମୁହଁରେ ଅସନ୍ତୋଷର ଭାବ ଜାହିର କରି ଜିପ୍ ପାଖକୁ ଫେରିଲେ ମିଶ୍ରବାବୁ । ହୁଁ ଆଦର୍ଶ, ଶଳା ନିଜେ ତ କଷ୍ଟ ସହିବ ସାଥରେ ଅନ୍ୟର ସୁଖର ରାସ୍ତା ବି ବନ୍ଦ । ଚାଲ... ନିର୍ଦ୍ଦେଶ ଦେଲେ ଜିପ୍ ଚାଳକକୁ

 

ଡ୍ରାଇଭର ମୁହଁରେ ବି ଗୋଟେ ତାତ୍ସଲ୍ୟ ହସର ସ୍ତବକ । ମନତଳେ ଜାଗା ବୁଲିବାର ତଥା ପଥପାର୍ଶ୍ଵ ହୋଟେଲ କି ଢାବାରେ ଚିକନ ବିରିୟାନି ଖାଇବାର ଆଶା ବିଫଳ ହୋଇ ଯିବାର ଗୋଟେ ଅବ୍ୟକ୍ତ ବେଦନା ।

 

ବସ୍ ମୋଡ଼ ବୁଲି ଉଠିଲା ରାଜ୍ୟ ରାଜପଥ ଉପରକୁ । ଏବେ ସୁଦ୍ଧା ପ୍ରକାଶ ପହଞ୍ଚି ପାରି ନାହିଁ ନିଜ ସିଟ୍ ପାଖରେ । କଣ୍ଡକ୍ଟରର ମହାନୁଭବତା ଯୋଗୁ ସୁଟ୍‍କେଶ୍‍ଟା ତା ସିଟ୍ ଠେଇ ଥୋଇ ଦେଇଛି ।

 

ସାମ୍ନାରେ ଦେହକୁ ଦେହଖୁନ୍ଦି ହୋଇ ଗୋଟେ ଅଭେଦ୍ୟ ପାଚେରୀ ସୃଷ୍ଟି କରିଛନ୍ତି କେତେଟା ଜୀବ । ମାନବ ଏମାନେ, ପ୍ରକାଶ ଓ ତାର ଲକ୍ଷ୍ୟ ମଧ୍ୟରେ ଅନ୍ତରାୟ ସୃଷ୍ଟି କରିଥିବା ଏଇ ଜୀବଗୁଡ଼ିକର ନିଜସ୍ୱ ଶୈଳୀ ଅଭିବ୍ୟକ୍ତି କରିବାର ଗୋଟେ ଅପୂର୍ବ ସମାହାର । ଆଗକୁ ବଢ଼ି ପାରୁନାହିଁ ପ୍ରକାଶ । ଖୁନ୍ଦି ହୋଇ ଯାଉଛି କ୍ରମେ ଏଇ କ୍ଷୁଦ୍ର ଜନାରଣ୍ୟଟିରେ। ନିଜର ସତ୍ତା କ୍ରମେ ହୀନ ହୋଇଯାଉଛି ।

 

ସମୟ କେଡ଼େ ବଳବାନ୍ ସତେ । ରାସ୍ତା ଉପର ରୋଲର ପରି ଗଡ଼ି ଚାଲିବା ଆଳରେ ସବୁ ଉଚ୍ଚନୀଚକୁ ଏକାକାର କରି ନେବାର ଗୋଟେ ଅପୂର୍ବ କ୍ଷମତାର ଅଧିକାରୀ ଏଇ ସମୟ । ମଣିଷର ଜ୍ଞାନ, ଗରିମା, ବଡ଼ିମା କିଛି ଚଳେନି ୟା’ ଠେଇଁ । ପ୍ରକାଶ ସାମ୍ନାରେ ମଇଳା ଧୋତିଟିଏ ଅଣ୍ଟାରେ ଭିଡ଼ିଥିବା ଓ ଫୁଙ୍ଗୁଳା ଦେହର କଳା ଚମଡ଼ାର ଅପରିଷ୍କାରତାକୁ ଦର୍ଶାଉଥିବା ଲୋକଟାଏ-। ହାତରେ କଳା ଚିକିଟା ଜରି ବ୍ୟାଗଟାଏ । ବସ୍ ଭିତରେ ଗରମରେ ଫୁଟି ଉଠୁଥିବା ଝାଳର ଦୁର୍ଗନ୍ଧ ସାଙ୍ଗକୁ ଲୋକଟାର ଅତିଷ୍ଠତା ଦର୍ଶାଇବାର ଭାବ ଭଙ୍ଗୀ ଖୁବ୍ ଅପ୍ରୀତିକର । ତା ସାମ୍ନାକୁ ଲାଗିକରି ନାକରେ ରୁମାଲ ଦେଇ ଠିଆ ହୋଇଛି ସୁନ୍ଦର ସୌମ୍ୟ ଯୁବକଟିଏ । ଗୋରା ତକ୍‍ତକ୍‍ ଚେହେରା ଉପରେ ବୁନ୍ଦା ବୁନ୍ଦା ଝାଳ ନାଲି ପଦ୍ମ ଉପରେ ଶିଶିର ବୁନ୍ଦା ପରି ଶୋଭନୀୟ । ଅନ୍ୟ କୌଣସି ପରିସ୍ଥିତିରେ ହୁଏତ ନିଜର ଦଶଫୁଟ ସୀମା ଭିତରେ ପ୍ରବେଶ କରାଇ ଦିଅନ୍ତା ନାଇଁ ପାଖରେ ଥିବା ଲୋକଟିକୁ । ମାତ୍ର ଆଜି ଦେହକୁ ଦେହ ଲଗାଇ ଛିଡ଼ା କରାଇ ଦେଇଛି ସମୟ । ଯୁବକଙ୍କର ଚମଡ଼ାକୁ ତାତ୍ସଲ୍ୟ କରି ସମୟ ଯେପରି ଖୁବ୍ ବଡ଼ ପାଟିରେ ଚିତ୍କାର କରି କହୁଛି ରେ ଆତ୍ମଗର୍ବୀ... ତୁ ମୂର୍ଖ ତୁ କିଛି ନୋହୁ ମୁଁ ହିଁ ସର୍ବଶକ୍ତିମାନ୍ । ସବୁ ବୈଷମ୍ୟ ଓ ସମତାର କାରଣ କେବଳ ମୁଁ ମୋ ସାମ୍ନାରେ ତୁମେ କେବଳ ଧୁଳି କଣାଟିଏ । କେବଳ ଶୁଖିଲା ପତ୍ରଟିଏ ।

 

ଟାଉନ୍ କେତେବେଳୁ ପାର ହୋଇଗଲାଣି । ବସ୍ ମାଡ଼ି ଚାଲିଛି ଆଗକୁ ମାତ୍ର ଆଗକୁ ବଢ଼ି ପାରୁନି ପ୍ରକାଶ । ଅନ୍ତରାୟ ସାମ୍ନାରେ ଫୁଙ୍ଗୁଳା ଦେହୀ ଘୁଣ୍ୟ ଜୀବଟି । ଠେଲି ହୋଇ ଚାଲିଗଲେ ସଦ୍ୟ ଆଇରନ କଲା ଧଳା ପୋଷାକଟା ରଙ୍ଗିନ ହୋଇଯିବ । ଲୋକଟା ଉପରେ ଚାରିପଟୁ ଘୃଣା ଦୃଷ୍ଟି ବୃଷ୍ଟି ହେଉଛି ମାତ୍ର ଲୋକଟା ନିର୍ବିକାର । ଜାଣି ଜାଣି ତା’ଠାରୁ ଦୂରେଇ ରହିବାକୁ ଚେଷ୍ଟା କରି ଚାରିପଟେ ଲୋକଗୁଡ଼ା ପରସ୍ପରଙ୍କ ଉପରେ ଠେଲାପେଲା ହେଉଥିଲେ ମଧ୍ୟ ସେ କେବେ କାହା ଉପରକୁ ଲାଗି ଯିବାକୁ ଚେଷ୍ଟା କରୁନି ।

 

ପ୍ରକାଶ ଭାବିଲା, ହୁଏତ ଭାରତର ଯୁଗପୁରୁଷ ଯୋଗଜନ୍ମା ମହାତ୍ମା ଗାନ୍ଧିଙ୍କର ଅବସ୍ଥା ଦିନେ ଦକ୍ଷିଣ ଆଫ୍ରିକାରେ ଗୋରା ଲୋକଙ୍କର ଭିଡ଼ରେ ଏମିତି ହୋଇଥିବ । ସାମ୍ନାର ଲୋକଟି ସହ ମହାତ୍ମାଙ୍କୁ ତୁଳନା କଲା ପ୍ରକାଶ । ଠିକ୍ ଏମିତି ତ ଆଣ୍ଠୁ ଲୁଚୁ ନଥିବା ଲୁଗା ପିନ୍ଧୁଥିଲେ ଗାନ୍ଧିଜୀ । ନିଜ ଦେହ ଫୁଙ୍ଗୁଳା ରଖୁଥିଲେ ସେ । ତୃତୀୟ ଶ୍ରେଣୀରେ ଯାତ୍ରା କରୁଥିଲେ । ତଥାପି ସେତ କାମ ବଳରେ ମହାତ୍ମା ବନି ପାରିଲେ । କୋଟି କୋଟି ଭାରତୀୟଙ୍କର ମଉଡ଼ମଣି ବନିଲେ-। ସାମ୍ନାକୁ ଦେଖିଲା ପ୍ରକାଶ । ବୃଦ୍ଧଙ୍କ ଫୁଙ୍ଗୁଳା ଦେହରେ ଗାନ୍ଧିଜୀଙ୍କ ସତ୍ତା । ବୃଦ୍ଧର କୁଞ୍ଚୁତ ଚର୍ମ ଉପରେ ପ୍ରତ୍ୟେକଟି ସ୍ୱେଦ ବିନ୍ଦୁ ଯେପରି ଆଉଁ ସ୍ଵରରେ ଆହ୍ୱାନ କରୁଛି । ହେ ଦେଶବାସୀଗଣ, ଗାନ୍ଧିଜୀଙ୍କ ସ୍ୱପ୍ନର ରାମ ରାଜ୍ୟ ଏୟା ନୁହଁ... ୟାଠୁଁ ଖୁବ୍ ଭିନ୍ନ ଖୁବ ଅଲଗା । ଆସ ରାମ ରାଜ୍ୟ ସ୍ୱପ୍ନ ସଫଳ କରିବା । ଅହଂ ଭାବ ତେଜି, ସର୍ବେ ଏକ ହୋଇ ।

 

ପ୍ରକାଶ ଆଖିରେ ଲୁହ ଜକାଇଲା । ବୃଦ୍ଧଙ୍କ ସ୍ପଳିତ କାନ୍ଧ ଉପରେ ହାତ ରଖି କହିଲା, ମଉସା ଟିକିଏ ବାଟ ଦେବ... ଆଗରେ ମୋର ସିଟ୍ ଅଛି ।

 

ସମ୍ବୋଧନ ଶୁଣି ଗଦ୍‍ଗଦ୍ ହୋଇଗଲା ବୃଦ୍ଧ । ଆରେ ଆଶ୍ଚର୍ଯ୍ୟର ସହିତ ପରିତୃପ୍ତ ହରଷର ଏକ ଝଲକ । କୌଣସି ଏକ ସହରୀ ବାବୁଙ୍କଠି ଏତେ ସୁନ୍ଦର ବ୍ୟବହାର ତା’ ପାଇଁ ଏଇ ପ୍ରଥମ । ନିଜକୁ ସଙ୍କୁଚିତ କରି ନେଇ ପାଖେଇ ଗଲା । ରାସ୍ତା କରିଦେଲା ପ୍ରକାଶ ପାଇଁ । ସନ୍ତର୍ପଣରେ ପ୍ରକାଶ ଆଗକୁ ବଢ଼ିଲା, ମାତ୍ର ଆଗରୁ ଧକା ଖାଇ ଧସେଇ ଆସି ମିଶିଗଲା ସେଇ ବୃଦ୍ଧ ଛାତିରେ । ବୃଦ୍ଧର କୁଞ୍ଚିତ ଚର୍ମ ଉପରେ ଘର୍ମରାଶି ସ୍ୱାକ୍ଷର କରିଗଲା ପ୍ରକାଶର ଶ୍ଵେତ ପୋଷାକ ଉପରେ । ମାତ୍ର ପ୍ରକାଶ ମନରେ ଦୁଃଖ କିମ୍ବା ଗ୍ଳାନି ପରିବର୍ତ୍ତେ ଅପୂର୍ବ ପରିତୃପ୍ତି । ସତେ ଯେପରି ଗାନ୍ଧିଜୀ ତା’ର ମୁଣ୍ଡରେ ହାତ ରଖି ଆଶୀର୍ବାଦ କଲେ । ପ୍ରକୃତିସ୍ଥ ହୋଇ ଆଗକୁ ବଢ଼ିଲା ବେଳକୁ ରାସ୍ତା ଛାଡ଼ି ଦେଇଥିଲା ସାମ୍ନାର ଯୁବକଟି । ଅଗତ୍ୟା ସିଟ୍ ପାଖରେ ପହଞ୍ଚି ନିଜ ସିଟ୍‍ରେ ବସିଲା ପ୍ରକାଶ । ଦୀର୍ଘ ନିଶ୍ୱାସ ନେଇ ସିଟ୍‍ରେ ବସି ପକେଟରୁ ରୁମାଲ ବାହାର କରି କପାଳର ଝାଳ ପୋଛିଲା । ମାନସିକ ତଥା ଶାରୀରିକ ବେଦନା ଝରକାର ଫ୍ରେସ୍ ପବନ ଦେହରେ ମିଳାଇ ଗଲାବେଳେ ପ୍ରକାଶ ଭାବୁଥିଲା... ସାଧାରଣ ଭାବେ ଯେବେ ଯେବେ ସେ ବସ୍‍ରେ ଯାତ୍ରା କରିଛି, ସବୁବେଳେ ଲକ୍ଷ୍ୟ କରିଛି। ବସଗୁଡ଼ିକ ଭରପୁର ଅବସ୍ଥାରେ ଗତି କରିଛି । କେବଳ ସିଟଗୁଡ଼ିକ କାହିଁକି ସମାନ ମୁଦ୍ରା ଗଣି ସିଟ୍ ସଂଖ୍ୟାର ଅର୍ଦ୍ଧେକ ଲୋକ ଠିଆ ହୋଇ ଯାତ୍ରା କରନ୍ତି । ସାଧାରଣ ଭାବେ ହିସାବ କଲେ ଅଟକଳର ଦେଢ଼ଗୁଣ ବେଶି ଆୟ ହୋଇଥାଏ। ମାତ୍ର ସରକାରଙ୍କ ବିଧାନ ସଭା କକ୍ଷରେ ପ୍ରତ୍ୟେକ ବର୍ଷ ଶେଷରେ ଜମାଖର୍ଚ୍ଚର ବିବରଣୀ ଦେଲା ବେଳକୁ ଏଇ ଶତକଡ଼ା ୫୦ ଭାଗ ଲାଭ କମି କମି କେମିତି କେଜାଣି ୨୫କି ୩୦ ଭାଗ କ୍ଷତିରେ ପରିଣତ ହୋଇଯାଏ । ପରିସଂଖ୍ୟାନ ବ୍ୟତ୍ପତ୍ତିରେ ଏମିତି ସୁତ୍ରତ କୌଣସି ଗାଣିତିଜ୍ଞ ବାହାର କରି ନାହାନ୍ତି ଏଯାଏ, ମାତ୍ର ଆମ ସରକାରର ପରିସଂଖ୍ୟାନ ଅଧିକାରୀଙ୍କର ମଧ୍ୟ ଏ ପରିପ୍ରେକ୍ଷୀରେ ଅଦ୍ଭୁତ କୌଶଳ ଅଛି । ସେଇ ସକାଶେ ବୋଧହୁଏ ଏଦେଶର ଜନୈକ ରାଷ୍ଟ୍ରମୁଖ୍ୟ ଖୋଲା ଖୋଲି ଭାବେ ଘୋଷଣା କରିଥିଲେ ଯେ ଶତକଡ଼ା ଅଶୀ ବାଟ ମାରଣା ହେଉଛି ବୋଲି । ନିର୍ଲଜ ଏ ଦେଶର ଜନନାୟକ... ନିର୍ଲଜ ଏଦେଶର ଜନତା ।

 

ମନେ ହେଲା ହୁଏତ ଗାଡ଼ି ନେଇ ଚାଲି ଯାଇଥିଲେ ଭଲ ହୋଇଥାନ୍ତା । ଏଇ ଭିଡ଼ ଭିତରୁ ତ ରକ୍ଷା ପାଇଥାନ୍ତା । ମାତ୍ର ସରକାରୀ ଗାଡ଼ିର ଅପବ୍ୟବହାର ସେ କେମିତି କରନ୍ତା । ଅନ୍ୟମାନେ କେମିତି କରନ୍ତି ଯେ... ଭାବିଲା... ସରକାରୀ ଅଧିକାରୀଙ୍କର ସ୍ଵଚ୍ଛ ବେତନ ସାଙ୍ଗକୁ ବଜାରର ବର୍ଦ୍ଧିତ ଦର ହିସାବ କଲେ ତିନି କିମ୍ବା ଚାରି ସଭ୍ୟ ବିଶିଷ୍ଟ ପରିବାରଟିଏର ପରିଚାଳନା କଷ୍ଟକର ହୋଇପଡ଼େ । ଯେଉଁଠି ବସ୍‌ରେ ୫୦ ଟଙ୍କା ଭଡ଼ା ଦେଲା ପରେ ରାସ୍ତାରେ ଆଉ ୨୦/୨୫ ଟଙ୍କା ଖର୍ଚ୍ଚ କରିବାକୁ ହାତ ଓ ମନ କୁଣ୍ଠିତ ହୁଏ ସେଠାରେ କେହି କିପରି ସାଥରେ ଡ୍ରାଇଭର ନେଇ ପଥପାର୍ଶ୍ୱ ହୋଟେଲରେ ଚିକନ ବିରିୟାନି ସାଙ୍ଗକୁ ହ୍ୱିସ୍କି ବୋତଲ ଖୋଲିପାରନ୍ତି । କେଉଁଠୁ ଆସେ ଏ ଅଧିକା ଟଙ୍କା... ଓ ଦୁର୍ବୋଧ୍ୟ । ପ୍ରକାଶ ଆଉ ଭାବି ପାରୁନି।

 

ନିଜର ସାର୍ଟକୁ ଦେଖିଲା ପ୍ରକାଶ । କାନ୍ଧ ଓ ଛାତି ଉପରେ ଫିକା ମାଟି ରଙ୍ଗର ଦାଗ । ଆଦରର ସହ ଆଉଁସି ଆଣିଲା । ମାଟିର ପୁଅକୁ ମାଟିର ବାସ୍ନା ଅମୃତପ୍ରାୟ । ଆଖି ବନ୍ଦ କଲା ପ୍ରକାଶ । ଆଖି ସାମ୍ନାରେ ଉପଦେଶ ଦେଉଥିବା ମୁଦ୍ରାରେ ଗାନ୍ଧିଜୀ । ଗାନ୍ଧିଜୀଙ୍କର କଣ୍ଠ ନିଃସୃତ ରାମରାଜ୍ୟର ଶବ୍ଦ ପ୍ରତିଧ୍ୱନିତ ପ୍ରକାଶର କର୍ଣ୍ଣରେ । ପ୍ରକାଶ କ୍ରମେ ମଜି ଯାଉଛି ରାମରାଜ୍ୟର ସ୍ୱପ୍ନରେ ।

 

ବସ୍ ଆଗେଇ ଚାଲିଛି ନିୟମିତ ଷ୍ଟପେଜ୍‌ରେ ଅଟକି ଅଟକି । ଷ୍ଟପେଜ୍‌ରେ ରହଣିର ସମୟ ସୀମା କ୍ରମେ କମି ଯାଉଛି । ଆଉ ଅଳ୍ପ ସମୟ ପରେ ଲକ୍ଷ୍ୟସ୍ଥଳ ପହଞ୍ଚିବ।

***

 

‘ଏଗାର’

 

ସୁଧାଂଶୁଙ୍କର ମୁଖମଣ୍ଡଳରେ ଶୋକ ବାଦଲର ଛାୟା । ଫଳତଃ ତାରା, ଜ୍ୟୋତି, ଜ୍ୟୋସ୍ନା, ପ୍ରଭା ସମସ୍ତେ ମ୍ଲାନ ।

ସକାଳୁ ଆସି ପହଞ୍ଚିଛି ପ୍ରକାଶ । ପ୍ରକାଶର ଉପସ୍ଥିତି ଏ ପରିସ୍ଥିତିର ଉତ୍ତରଦାୟୀ । ପ୍ରକାଶ ଚକିତ, ୟା ପୂର୍ବରୁ ତାର ଉପସ୍ଥିତି ତ ସମସ୍ତଙ୍କର ଖୁସିର କାରଣ ହୋଇଥାଏ ମାତ୍ର ଆଜି କାହିଁକି ଏ ବିଡ଼ମ୍ବନା । ଟାଉନରୁ ଚାଲି ଚାଲି ଆସି ପହଞ୍ଚିଥିଲା । ବଡ଼ି ଭୋରରେ ମା ଉଠି ଘର ଅଗଣା ଓଳାଉ ଥିଲା । ଅତର୍କିତ ଭାବେ ପୁଅକୁ ଦେଖି ଖୁସିରେ ଭରି ଉଠିଥିଲା ମାର ଛାତି । ପରକ୍ଷଣରେ ଭିତରକୁ ଦଉଡ଼ି ଯାଇ ବାପାଙ୍କୁ ଉଠାଇ ଥିଲେ । ସମସ୍ତେ ପ୍ରକାଶର ଆଗମନରେ ଉତ୍‍ଫୁଲ୍ଲିତହୋଇ ଝୁମି ଉଠିଥିଲେ।

କେମିତି ଅଛୁ ? ସବୁ ଭଲ ତ ? କୋଉଠି ରହୁଛୁ ? ସେ ଜାଗା କେମିତି ? ସେଠିକା ଲୋକେ କେମିତି ? ଆଦିର ପ୍ରଶ୍ନବାଣ ହୋଇଥିଲା ପ୍ରକାଶ ଉପରେ । ସମସ୍ତଙ୍କୁ ମନ ମୁତାବକ ଉତ୍ତର ଦେଉଦେଉ କ’ଣ ଗୁଡ଼ାଏ କହି ପକାଇଲା ପ୍ରକାଶ ଯେ ସୁଧାଂଶୁ ତଥା ତାରାଙ୍କର ହର୍ଷିତ ଓ ପ୍ରକାଶିତ ମୁଖ ମଣ୍ଡଳରେ ଗମ୍ଭୀରତାର ଲେପ ଲେପି ହୋଇ ଯାଇଥିଲା । ସଂକୀର୍ଣ୍ଣତାର କୁଞ୍ଚି ସୃଷ୍ଟି କରିଥିଲା ସେମାନଙ୍କର ମୁଖ ମଣ୍ଡଳରେ ।

ପିତା ମାତାଙ୍କର ପକ୍ୱ ମସ୍ତିଷ୍କ ପୁଅର ମୁଖରେ ସନ୍ଧ୍ୟା ତଥା ତାଙ୍କ ପରିବାରର ଭୂୟସୀ ପ୍ରଶଂସାକୁ ସହଜ ଭାବରେ ଗ୍ରହଣ କରି ପାରି ନଥିଲା । ମାତା ତାରାମଣି ପୁଅର ଚରିତ୍ର ଉପରେ ସନ୍ଦିହାନ ହୋଇ ପଡ଼ିଥିଲେ । କ୍ରମେ ମନର ଆଶଂକା ଅଧିକ ଘନୀଭୂତ ହୋଇ ପଡ଼ୁଥିଲା ।

ସଞ୍ଜ ନଇଁ ଆସୁଛି ବାରାସ୍ ପର୍ବତ ଉପରେ । ଗୃହ ଫେରନ୍ତା ଗୋଧନ ଗାଁ ଦାଣ୍ଡରେ ପଦଚିହ୍ନ ଛାଡ଼ିବାର ପ୍ରତିଯୋଗିତା କ୍ରମରେ ଧରଣୀ ପୃଷ୍ଠକୁ ପେଶି ପକାଇ ନିଜର ଲାଞ୍ଜ ଦୋହଲାଇ ମାଟି ମାକୁ ଫିଙ୍ଗି ଦେଉଛନ୍ତି ଆକାଶକୁ । ସେଥିରେ ମଧ୍ୟ ମାଟି ମା ଗର୍ବିତା, ନିଜର ଚିର ଇପ୍‍ସିତ ଆକାଶର କିଞ୍ଚିତ ନିକଟବର୍ତ୍ତୀ ହୋଇ ପାରିବାରୁ । ଅସ୍ତଗାମୀ ରବିଙ୍କର ସ୍ପର୍ଶରେ ଧୂଳି ଓଠରେ ଝିଲ୍‍ମିଲ୍‍ ହସ ମାଟି ମାର । ସାମ୍ନାରେ ଗୋଧନ ଗୋଠ । ପଛରେ ହର୍ଷିତ ମାଟିମାର ସନ୍ତକ ଧୂଳି ରାଶି । ତା’ପଛକୁ ଖଣ୍ଡ ବିଖଣ୍ଡିତ ଗାଁଦାଣ୍ଡ । ପ୍ରତିଯୋଗିତା ଶେଷରେ ପ୍ରତିଯୋଗୀଙ୍କର ଆନନ୍ଦ କିଛି ପାଇବାର, କିଛି ଶିଖିବାର । ମାତ୍ର ପ୍ରତିଯୋଗିତା କ୍ଷେତ୍ରର ଅବସ୍ଥା କି ବୀଭତ୍ସ, କି ଦୟନୀୟ । ଯୁଦ୍ଧ ପୂର୍ବ କୁରୁକ୍ଷେତ୍ର... ଝିଲ୍‍ମିଲ୍ ଆଲୋକର ସମ୍ଭାର, ରଙ୍ଗୀନ ତୋରଣ, ରଙ୍ଗୀନ୍ ତମ୍ବୁ ସମୂହ ତଥା ଭିନ୍ନ ଭିନ୍ନ ଯୋଦ୍ଧାଙ୍କର ସମାଗମରେ ଗର୍ବିତ । ମାତ୍ର । ଯୁଦ୍ଧପର କୁରୁକ୍ଷେତ୍ର ଓ କି ବୀଭତ୍ସ । କଳ୍ପନା ମାତ୍ରକେ ହୃତ୍ କମ୍ପିତ । ହାହାକାର, ଖଣ୍ଡ ବିଖଣ୍ଡିତ, କୋଳରେ ଭଗ୍ନ ମୃତ ଆଦିର ସମାହାର, ଦେହରେ ଲାଲ ଲହୁର ଦାଗ ।

 

ଧୀରେ ଧୀରେ ସୂର୍ଯ୍ୟ ତେଜ ତେଜି ମୁହଁ ଲୁଚାଇଲେ ବାରାସ ଉହାଡ଼ରେ । ଗାଁ ମଝିରେ ଝଙ୍କାଳିଆ ବରଗଛ । ଅଶ୍ୱସ୍ତ ତଥା ତେନ୍ତୁଳି ଗଛ ଗୁଡ଼ିକରେ ପକ୍ଷୀଙ୍କର କଳରବ ଆରମ୍ଭ ହୋଇଗଲା । ଗ୍ରାମ୍ୟ ବଧୂ ଏବଂ ଯୁବତୀମାନେ ପାଣି ଲୋଟା ହାତରେ ଗାଁ ଦାଣ୍ଡରେ ଯାତାୟାତ କଲେ ଗାଁ ମୁଣ୍ଡର ଗୋହିରୀ ତକ । ଯୁବଗୋଷ୍ଠୀଙ୍କର ସାନ୍ଧ୍ୟ ଭ୍ରମଣ ଆରମ୍ଭ ହୋଇଗଲା ଗାଁ ମୁଣ୍ଡ ଅରଡେଇ ନଈ କୂଳେ କୂଳେ ହାତରେ ତଥା ମୁହଁରେ ଗୁଡ଼ାଖୁ ଟେଳାଏ ଲେଖାଏଁ ନେଇ । ଗାଁ ଦାଣ୍ଡରେ ରିକ୍‍ସା ତଥା ସାଇକେଲ ଘଣ୍ଟିର ଅନବରତ ଶବ୍ଦ । କର୍ମରତ ରିକ୍‍ସା ଚାଳକ ତଥା ରାଜମିସ୍ତ୍ରୀଙ୍କର ପ୍ରତ୍ୟାଗମନ ନିଜର ଭିଟାକୁ । ଗାଁରେ ସବୁକିଛି ନିୟମିତ।

 

ପ୍ରକାଶ ଏଇମାତ୍ର ଉଠିଛି ବିଛଣାରୁ । ଦିନ ଏଗାରଟାରେ ଖାଇଦେଇ ଶୋଇ ଯାଇଥିଲା । ରାତିର ବସ୍‍ଯାତ୍ରାର କ୍ଲାନ୍ତି, ଦୂରେଇବାର ପ୍ରକୃଷ୍ଟ ଉପାୟ ଚାରି ପାଞ୍ଚ ଘଣ୍ଟାର ସୁନିଦ୍ରା ।

 

ମୁହଁ ଧୋଇ ଟାୱେଲରେ ମୁହଁ ପୋଛିଲା ବେଳକୁ ଦେଖିଲା ସାମ୍ନାରେ ତ୍ରିଲୋଚନ ମଉସା । ଅଣ୍ଟା ଭାଙ୍ଗି ହାତ ଯୋଡ଼ି ନମସ୍କାର କଲା ପ୍ରକାଶ ।

 

ବୁଢ଼ାଟିଏ ହୋଇଥା । ଠାକୁର ତୋତେ କୋଟି ପରମାୟୁ ଦିଅନ୍ତୁ... ଆଦି କେତେ କ’ଣ କଲ୍ୟାଣ କରିଗଲା ତ୍ରିଲୋଚନ ।

 

ରୋଷାଇ ଘର କବାଟ କୋଣରେ ଠିଆ ହୋଇ ଲକ୍ଷ୍ୟକଲେ ତାରାମଣି । ତ୍ରିଲୋଚନଙ୍କର କଲ୍ୟାଣ ଭଲ ଲାଗିଲାନି ତାଙ୍କୁ । ମନଟା କେମିତି କେମିତି ଲାଗୁଛି । କେତେ ଶାନ୍ତ ସରଳ ଲୋକଟିଏ ତିର...।

 

... ବାପା... ସେଠାରେ ସବୁ ଭଲ ତ ।

 

ଉତ୍ତରକୁ ଅପେକ୍ଷା କରି ପାରିଲାନି ତିର । ତାରାକୁ ଦେଖି ଦଉଡ଼ିଲା ପ୍ରାୟ ଚାଲିଗଲା ରୋଷାଇ ଘର ଦ୍ଵାର ମୁହଁକୁ । ପ୍ରକାଶର ଆଧୁନିକ ସହରୀ ଜଙ୍ଗଢାଙ୍ଗର ସାମ୍ନା କରି ପାରେନି ତ୍ରିଲୋଚନ ।

 

... ନାନୀ... ସୁଧାଦା ଦିଶୁନାଇଁ ଯେ... କୁଆଡ଼େ ଗଲେକି ?

 

... ନାଇଁମ ସେ କୁଆଡ଼େ ଯିବେ । ବାଡ଼ି ପଟେ ଗାଈଟା ଦୁହୁଁଛନ୍ତି । ଆରେ ପ୍ରକାଶ ଯାଇକି ଟିକିଏ ଦେଖତ ପ୍ରଦୀପ କୋଉଠି ଖେଳୁଛି । ସଞ୍ଜ ହେଲାଣି ଏଯାଏ ଆସୁନି । ପ୍ରକାଶ ଢ଼ିଲା ପଞ୍ଜାବୀଟା ଦେହରେ ଗଳଉ ଗଳଉ ଦାଣ୍ଡ କବାଟ ପାର ହୋଇଗଲା ।

 

... ନାନୀ... କ’ଣ କଥା ହେଲ କି ? କଥା ହେବା ବୋଲି କହୁଥିଲ ପରା । ପୁଅ ଆସିଲା-

 

ହଁ ତିର ତୁମେ ସେଇକଥା ୟାଙ୍କୁ କୁହତ, ଆଜି କଥାଟା ପ୍ରକାଶ ସାମ୍ରାରେ ପଡ଼ୁ ।

 

ହୁଁ କ’ଣ ଫୁସୁର ଫାସଲ ଚାଲିଛି ମୋ ପୁଅ ନାଁରେ ଶୁଣେ । ବାଁ ହାତରେ କ୍ଷୀର ବାଲଟିଟା ଧରି ଭିତରକୁ ପଶି ଆସୁ ଆସୁ କହିଲେ ସୁଧାଂଶୁ ।

 

ସୁଧାଦା ତମ ନେତତ ଭଲ କ୍ଷୀର ଦେଉଛି । ଦୁଇ ଓଳି ଦେଉଛି ନା ଓଳିଏ ?

 

ନାଇଁମ ଆମର ଇୟେ କ’ଣ ସକାଳେ ଦୁହଁନ୍ତି, ଖାଲି ସଞ୍ଜ ବେଳକୁ ଯାହା ଟିକିଏ ଦେଉଛି-। ହଇହେ ଶୁଣୁଛ ତିର କହୁଛନ୍ତି ପ୍ରକାଶ ଆଗରେ ଆଜି କଥାଟା ପକାଇବା ।

 

ପକାଅ... ସେଇଥିପାଇଁ ତ ତାକୁ ଡକାଇଛି ।

 

ମଲା ମୋର ତମେ ଏମିତି କ’ଣ କହୁଛି ମ । ତମେ ଏଇନେ କ’ଣ କରିବ କି ? ପୁଅକୁ କଥାଟା ପଚାରିବାରେ ଲାଜ କ’ଣ ମ । ଆସିଲ ତମେ ଆଗ ଏଇଠି ବସିଲ ।

 

ଓହୋ ତମେ କାହିଁକି ସେମିତି ହେଉଛ ? ପ୍ରକାଶ କୁଆଡ଼େ ଗଲା । ଆରେ । ପ୍ରକାଶ... ।

 

ସିଧା ସିଧା ପଚାରି ପକାଇବ ନା କ’ଣ । ... ତମର ଯୋଉ ବାଗ ।

 

ସେଥିପାଇଁ ତ କହୁଛି ତୁମେ ତୁମର ସବୁ କରି...

 

ତମେ ରାଗୁଛି କିଆଁମ ସୁଧାଦା । ଆଇଲ ଏଠି ଚେୟାରରେ ବସିଲ । ହେଲେ ତମର ସେଇ ସିଗାରେଟ୍ ସୁକିଙ୍ଗ ଛାଡ଼ି ଦିଅ ।

 

ସିଗାରେଟ୍ ସୁକିଙ୍ଗ୍ ନୁହଁ ମଉସା ସିଗାରେଟ୍ ସ୍ନୋକିଂ କୁହ । ପ୍ରଦୀପ ଦଉଡ଼ି ଆସି ବାପା କୋଳରେ ପଶି ଯାଉ ଯାଉ କହିଲା ତ୍ରିଲୋଚନକୁ ଲକ୍ଷ୍ୟକରି ।

 

... ପ୍ରକାଶ କାହିଁକିରେ ପ୍ରଦୀପ... ।

 

...କ’ଣ ହେଲା ବୋଉ ।

 

ଆଇଲୁ ପୁଅ । ଏଇଠି ବସିଲୁ ବସ୍ ଦେଖତ ତୋ ମଉସା କ’ଣ କହୁଛନ୍ତି । ତାଙ୍କର ଉଷାର ବାହାଘରଟା ଏ ସନ ଉଠାଇ ଦେବାକୁ ଚାହୁଁଛନ୍ତି ।

 

ବେଶ୍ ଭଲ କଥା ତ । ଭୋଜି ଖାଇବାକୁ ମିଳିବ । ହେଲେ ଉଷା କାହିଁ ତାର ତ ଦେଖାନାହିଁ ସକାଳୁ ।

 

ଆମେ ସମସ୍ତେ ରାଜି । ତୋ ମତାମତ କ’ଣ କହିଲୁ । ପ୍ରକାଶକୁ ଆଶାପୂର୍ଣ୍ଣ । ଚାହାଣି ଚାହିଁ ପ୍ରଶ୍ନକଲେ ତାରାମଣି ।

 

ଏଥିରେ ମୋର ମତାମତ କ’ଣ ଦରକାର । ହଁ ବରପାତ୍ର ଯଦି ଠିକ୍ ହୋଇ ନାହିଁ ତେବେ ମୋ ଆଖିରେ ଗୋଟେ ପିଲା ଅଛି ଉଷାକୁ ଠିକ୍ ମାନିବ । ମୋ ସହ ପଢ଼ୁଥିଲା, ବିଏ ଫେଲ୍ ହେବାରୁ ବୁଲୁଥିଲା, ଏବେ କିରାଣୀ ଚାକିରିଟେ ପାଇଛି । ଖୁବ୍ ଭଲ ହେବ ।

 

... ପ୍ରକାଶ । କ’ଣ ସବୁ କହି ଯାଉଛୁ । ତୋ ମା ଉଷାକୁ ବୋହୂ କରିବାକୁ ସ୍ଥିର କରିଛି । ଏଇ ଘରର ବୋହୁ, ତୋର ସ୍ତ୍ରୀ, ବୁଝିଲୁ, ଗୁରୁ ଗମ୍ଭୀର କଣ୍ଠରେ କହିଲେ ସୁଧାଂଶୁ ।

 

... ବାପା... ବୋଉ.., ଏ କଥା କ’ଣ ଠିକ୍ ହେବ । ଉଷା ମୋ ସହ ନାଇଁ । ବୋଉ ଆଉ କିଛି କହି ପାରିଲାନି । ପ୍ରକାଶ ଉଠି ଚାଲିଗଲା ବାଡ଼ି ପଟକୁ ।

 

ତ୍ରିଲୋଚନ କିଛି ବୁଝି ପାରୁନି । ତାରାମଣିର ମୁଣ୍ଡ ଭାଇଁ ଭାଇଁ କରୁଛି । ତାଙ୍କର ଆଶଙ୍କା ସତରେ ପରିଣତ ହେବାକୁ ଯାଉଛି । ପାଖେଇ ଗଲେ ସୁଧାଂଶୁ ପାଖକୁ ।

 

ହଇହେ ପ୍ରକାଶ କ’ଣ କହିଲା ? ସତରେ କ’ଣ ସେ ଏଥିରେ ରାଜି ନୁହଁ ? ଏମିତି କ’ଣ ବସିଛମ... ତାକୁ ଟିକିଏ ବୁଝାଅ ।

 

ତମେ ତ ଖୁବ ବଡ଼ କଥା କହୁଥିଲା । ମୋ ପୁଅ ମୋ କଥାରେ ଅମତ ହେବନି। ଏବେ କ’ଣ ହେଲା ଯାଅ ତୁମ ପୁଅକୁ ତୁମେ ବୁଝାଅ ।

 

ତ୍ରିଲୋଚନ ଆଉ ବସି ପାରିଲାନି । ନିଜ ଜାଗାରୁ ଉଠି ଧୀରେ ଧୀରେ ବାହାରକୁ ଯିବାକୁ ବସିଲା । ପଛରୁ ଲକ୍ଷ୍ୟକଲେ ତାରାମଣି । ଡାକ ପାରିଲେ ତିର ! ରହିମ ତିର । ଏମିତି ଉଠିକରି ଚାଲି ଯାଉଛି କାହିଁକି ?

 

ଥାଉ ନାନୀ, ଆଉ ବାମନକୁ ଚନ୍ଦ୍ରମା ଆଶା ଦିଅନ୍ତି । ଆମେ ମାଟିର ମଣିଷ । ତମକୁ ଆମେ ସରି ନୋହୁଁ । କାହିଁ ଯାଉଛି ଦେବି, ଝିଅଟା ମୋର କ'ଣ କରୁଛି ।

 

ତୁମେ ସେମିତି କୁହନା ତିର । ପୁଅ ମୋର ସେମିତି ନୁହେଁ । ଦେଖୁବ ସବୁ ଠିକ୍ ହୋଇଯିବ ।

 

ଥାଉ ନାନୀ, ବିଧାମରା ପଚା ପଣସରେ ଆଉ ସୁଆଦ ନଥାଏ, ମୁଁ ଛାର ନିଆରା ମଣିଷଟିର ଲାଗି ତମର ଏତେ ବଡ଼ ଘରେ ଅଶାନ୍ତି ହେବ ।

 

ତିର ଶୁଣିଯା.... ।

 

ନାଇଁ ନାନୀ, ଆଉ ଡାକନି । ନହେଲେ ମୋର କାନ୍ଦ ଫିଟି ପଡ଼ିବ । ମୁଁ ଯାଉଛି । ଶେଷ ଶବ୍ଦଗୁଡ଼ିକ ଅସ୍ପଷ୍ଟ ଭାବେ ବାଷ୍ପରୁଦ୍ଧ କଣ୍ଠରେ କହି ଭଗ୍ନ ମନୋରଥ ନେଇ ଗୋଟିଏ ଗୋଟିଏ ପାଦ ଉଠାଇ ଚାଲିଗଲା ତ୍ରିଲୋଚନ ସୁଧାଂଶୁଙ୍କ ଅଗଣାରୁ।

 

ରୋଷାଇ ଘର ସାମ୍ନାରେ କିଂକର୍ତ୍ତବ୍ୟବିମୂଢ଼ ଦମ୍ପତି ପରସ୍ପର ମୁହଁକୁ ଚାହିଁଛନ୍ତି । ମଣିଷ କ’ଣ ଚାହେଁ ଆଉ ଫଳ କ’ଣ ପାଏ ।

 

ତାଙ୍କରି ସୃଷ୍ଟି ଆଜି ତାଙ୍କରି ମତରେ ଅମତ । ତାଙ୍କର ବୁକୁତଳେ ଯନ୍ତ୍ରଣାର କାରଣ... ।

***

 

‘ବାର’

 

ରୋଷାଇ ଘରେ ଚୁଲି ଉପରେ ତାୱା ଥୋଇ ପିଠଉ ଢାଳୁଥିଲା ଉଷା । ଚକୁଳି ପ୍ରକାଶର ଭାରି ପସନ୍ଦ । ଏଇ ଘରୁ ନହେଲେ ବି ଆଗରୁ ତାଙ୍କରି ଘରେ ନିଜ ହାତରେ ଚକୁଳି କରି ଖୁଆଇଛି-। ଅନେକ ଥର ଉଷା କବାଟ ଫାଙ୍କରୁ ଲକ୍ଷ୍ୟ କରିଛି । ଚକୁଳି ଖାଇବା ବେଳର ପ୍ରତିକ୍ରିୟା । ଖୁବ୍ ଆଦରର ସହ ଚକୁଳି ଖାଇଲା ବେଳକୁ । ପ୍ରଶଂସାପୂର୍ଣ୍ଣ ଚାହାଣି ଚାହେଁ ନିଜ ମା ତାରାମଣିଙ୍କ ମୁହଁକୁ । ଚାହାଣିରେ ତାର ଚକୁଳି ତିଆରିକାରିଣୀ ପ୍ରତି ପ୍ରଶଂସା, ମାତ୍ର ସେ କ’ଣ ଜାଣିଥାଏ ଯେ ସେ ପ୍ରଶଂସାର ଅସଲ ହକଦାର ମା ନୁହଁ ଆଉ କେହି । ଆଜି ବାପା କହି ଯାଇଛନ୍ତି ପ୍ରକାଶକୁ ନେଇକି ଆସିବେ । ଆଜି ଚକୁଳି ଖାଇଲେ ବଳେ ଜାଣିଯିବ ଚକୁଳିର ଅସଲ ନିର୍ମାତା କିଏ ?

 

ସରାଗରେ ଚକୁଳି କରୁଛି ଉଷା । ଥମ ଥମ ହୋଇ ଘରକୁ ଧସେଇ ପଶି ଆସିଲା ତ୍ରିଲୋଚନ । ଥକା ହୋଇ ଚୁଲି ପାଖ କାନ୍ଥରେ ବସି ପଡ଼ିଲା । କହିଲା...

 

ବନ୍ଦ କର ଏ ଚକୁଳି ଫକୁଳି ବନା, ଏ ଚକୁଳିର ଆଦର ଆଉ ନାହିଁ ମୋ ଉଷା । ହାତରୁ ଖସି ପଡ଼ିଲା ଖଡ଼ିକାଟା । ବାପାଙ୍କର ଏମିତି ବ୍ୟବହାର ସେ ଜନ୍ମ ହେବା ଦିନଠୁ କେବେ ଲକ୍ଷ୍ୟ କରି ନାହିଁ ।

 

ଯା... ତାୱାଟା ରଖିଦେ । ମୋତେ ପଖାଳ କଂସାଟା ବାଢ଼ି ଦେଇକି ହେଁସଟା ପାରି ଦେ । ପାଣି ବାଲ୍ଟିଟାରେ ଲୋଟାଟା ବୁଡ଼ାଇ ଚାଲିଗଲା ବାହାରକୁ ଧୋଇ ହେବା ପାଇଁ ।

 

କିଛି ନ ବୁଝି କି ସବୁ ବୁଝିଗଲା ଉଷା । ଅନେକ ଥର ଏଇ ଦୃଶ୍ୟ କଳ୍ପନା କରି ସେ ଭୟଭୀତ ହୋଇଥିଲା ୟା ଆଗରୁ । ମାତ୍ର ଆଜି ବାସ୍ତବରେ ସେଇ ଦୃଶ୍ୟ ଦେଖି ମନରେ ଆଦୌ ଭୟ ହେଲାନି ତାର ।

 

ତାୱାରୁ ଯତ୍ନର ସହ ଚକୁଳି ବାହାର କରି ଥାଳିରେ ଥୋଇଲା । ତାୱାକୁ କଡ଼କୁ ଆଉଜେଇ ଦେଇ ଶାନ୍ତ ଭାବେ ଉଠିଲା । ବାପ ପାଇଁ ପଖାଳ କଂସା ବାଢ଼ି ଦେଲା, ପିଣ୍ଡା ଉପରେ ହେଁସ ସଜାଇ ଦେଲା । ଘରେ ତିନି ଚାରିଟା ବଖରା ଥିଲେ ମଧ୍ୟ । ତ୍ରିଲୋଚନ ଏଇ ପିଣ୍ଡାରେ ଶୁଏ-। ଗୃହ ରକ୍ଷକ ଗୃହ କର୍ତ୍ତା ।

 

ତ୍ରିଲୋଚନ କଂସା ପାଖରେ ବସିଲା । ଗୁଣ୍ଡା ବଳୁବଳୁ ଝିଅ ମୁହଁକୁ ଦେଖିଲା ଆଖିରେ ଲୁହ ଜକାଇଲା । କ୍ରମେ ଲୁହ ଝରି ଗାଲ ଦେଇ କଂସାରେ ପଡ଼ିଲା ।

 

ଉଷା ସେ ଦୃଶ୍ୟ ଦେଖ୍ ପାରିଲାନି । ଶାଢ଼ି କାନିରେ ଚକୁଳି ଦିପଟ ଲୁଚାଇ ବାହାରି ଗଲା-

 

... କୁଆଡ଼େ ଯାଉଛୁ ଉଷା... I

 

... ତାରା ମାଉସୀ ଘରକୁ ।

 

... ସେ ତୋ ପାଇଁ ଆଉ କିଛି ନାଇଁରେ ଯାଆ ନାହିଁ ।

 

ତ୍ରିଲୋଚନର କଥା ଶୁଣିବା ପାଇଁ ସେଠି ଆଉ ନଥିଲା ଉଷା । କୋହ ଚାପି ଗୁଣ୍ଡା ପରେ ଗୁଣ୍ଡା ଗିଳି ଚାଲିଲା ତ୍ରିଲୋଚନ ।

 

ସନ୍ତର୍ପଣରେ ପାଦ ରଖିଲା ସୁଧାଂଶୁଙ୍କ ଅଗଣାରେ ଉଷା । ଦ୍ୱାର ସାମ୍ନାରେ ବସିଛନ୍ତି ତାରାମଣି । ପୂରା ଘରଟାରେ ଶ୍ମଶାନରେ ନିରବତା ।

 

... ଆଲୋ ଉଷା ତୁ ଏତେ ବେଳେ... ଆର୍ଦ୍ର କଣ୍ଠରେ ପ୍ରଶ୍ନ ତାରାଙ୍କର ।

 

... ପ୍ରକାଶ ଭାଇ କୋଉଠି ଅଛନ୍ତି ?

 

... ମୋତେ କିଆଁ ପଚାରୁଛୁ । ତୁ ଛତରଖାଈଟା ଆଉ କିଆଁ ତା ନାଁ ନେଉଛୁ ।

 

ସାମ୍ନା ଝରକାରେ ପ୍ରକାଶର ଅସ୍ପଷ୍ଟ ଚେହେରା ଦେଖାଯାଉଥିଲା । କିଛି ଶୁଣିବାର ଧୈର୍ଯ୍ୟ ନଥିଲା ଉଷାର । ପ୍ରକାଶ ଥିବା ରୁମ୍ ଆଡ଼କୁ ଆଗେଇଗଲା ।

 

... ପ୍ରକାଶ ଭାଇ, ଏଇ ନିଅ ମୁଁ ଚକୁଳି କରି ଆଣିଛି । ଖୁବ୍ ସରଳ ଓ ସହଜ କଣ୍ଠରେ କହିଲା ଉଷା ।

 

... ଉଷା ତୁ... ଚକୁଳି... ଏସବୁ କ’ଣ । ଉଷା କେବେ ପ୍ରକାଶ ସାମ୍ନାକୁ ଆସେ । ନାହିଁ । ଆଜି ଏମିତି କୋଠରୀ ଭିତରକୁ ପଶି ଆସିବାଟା ସ୍ତବ୍ଧ କଲା ପ୍ରକାଶକୁ

 

... ଖୁବ୍ ସରାଗରେ ତୁମ ପାଇଁ ବନାଇଛି । ନିଆ... ଖାଅ ।

 

... ଉଷା ତୁ....

 

... ରାଗୁଛ କାହିଁକି ? ମୁଁ ଜାଣେ ଆମେ ଗରିବ । ସପନର ଖୋରକ ପାଇଲେ ସପନ ଦେଖ୍ ପାରୁ ସିନା ହେଲେ ସତରେ... ।

ଉଷା । ମୁଁ ତୋତେ କେବେ କଥା ଦେଇନଥିଲି ବିବାହ କରିବାକୁ ।

 

... ମୁଁ ସେ କଥା ଜାଣିନି ପ୍ରକାଶ ବାବୁ । କେବଳ ସେଇ ସନ ରଜ ବେଳଠୁ ତମକୁ ଦେଖିଲେ ସାମ୍ନାକୁ ଯିବାକୁ ଡର ଲାଗେ । ଜ୍ୟୋସ୍ନାର ଥଟ୍ଟା ତଥା ମାଉସୀର ସ୍ନେହ ଯୋଗୁଁ ତ ଆମେ ସ୍ୱପ୍ନ ଦେଖିଥିଲୁ । ହେଲା ଏବେ ବାମନର ଭାଗ୍ୟରେ ସ୍ୱପ୍ନ ବ୍ୟତୀତ ଆଉ କ’ଣ ଅଛି ଯେ...

 

... ଉଷା ତୁ ଖୁବ ବଡ଼ ବଡ଼ କଥା କହୁଛି । ଅଜବ ସ୍ଵପ୍ନତ ପରିଶେଷରେ ଭାଙ୍ଗି ହିଁ ଯାଏ । ଏବେ ସେ ଭୁଲ କାହାର ? ?

 

ଆମେ ଛୋଟଲୋକ ବାବୁ । ଛୋଟ ମୁହଁରେ ବଡ଼ କଥା କ’ଣ କହିବି । ମାଟିର ପିଲା ମୁଁ ପାଟିରେ ଖଟି ଖେଳି ଦେହର ରଙ୍ଗଟା ବି ମାଟିଆ ହୋଇଯାଇଛି । ବାପାର ଏଇ ମାଟି ଚାଖଣ୍ଡକ ଛଡ଼ା ଆଉ କ’ଣ ଅଛି । ହେଲେ ପ୍ରକାଶ ବାବୁ ! ଏଇ ମାଟିଆ ଛାତି ତଳେ ମନଟିଏ ବି ଅଛି । ଏଇ ମନ ବି ଖୋରାକ ପାଇଲେ ଆଶାର ମୂର୍ତ୍ତିଟିଏ ଗଡ଼େ । ଭାଙ୍ଗିଗଲେ ଏଇ ମନକୁ ବି ଦୁଃଖ ହୁଏ । ଭୁଲତ ଆମେ କରିଛୁ, କାହା ଉପରେ ଭରସା ରଖି ଏବେ ପ୍ରାୟଶ୍ଚିତ କରିବ ମୋର ବୁଢ଼ା ବାପ ।

 

... ଉଷା...

 

... ଚାଲି ଯାଉଛି ପ୍ରକାଶ ବାବୁ । ଏଇ ଚକୁଳି ଦିଖଣ୍ଡ ଭାରି ସରାଗରେ ବନାଇଛି । ତମପାଇଁ ଖାସ୍ ତମପାଇଁ । ଖାଇବ ୟାକୁ । କାନ୍ଥକୁ ଲାଗିଥିବା ଟେବୁଲ ଉପରେ ଚକୁଳି ଥାଳିଆକୁ ରଖିଦେଇ ଶାନ୍ତ ଭାବରେ ଚାଲିଗଲା ବାକ୍ୟବାଣମାନ ମାରି, ପ୍ରକାଶକୁ ଘାଏଲ କରି ।

 

ହଁ ଲୋକେ କଥା ଦେଇ ମିଳାମିଶା କରି ଜୀବନ ରଙ୍ଗିନ କରି ସାରିଲା ପରେ ବି ଠକି ଦେଉଛନ୍ତି ଆଉ ଏଠି ଚିହା ପରିଚୟ ନାହିଁ କି କଥା ପଦେ ମଧ୍ୟ ନ ହୋଇ ବି ଲୋକଙ୍କର ଏତେ ଅଭିମାନ । ଶଃ ରବିସ୍...

 

ତେବେ ଉଷାର ଏତେ ଅଭିମାନର ତାତ୍ପର୍ଯ୍ୟ ? ଏଇ ଯେ ଏତେ କଥା କହିଗଲା ତାର ଅର୍ଥ କ'ଣ ଏଇୟା ଯେ ସେ ପ୍ରକାଶକୁ ଭଲପାଏ । ଭଲ ପାଏ ଅତି ନିବିଡ଼ ଭାବେ । ମାତ୍ର... ପ୍ରକାଶ କ’ଣ ଉଷାକୁ ଭଲ ପାଏନି ? ତା’କଥା କ’ଣ ସେ କେବେ ଭାବିନି ? ତାର ଭବିଷ୍ୟତର ସ୍ୱପ୍ନରେ ଉଷାକୁ ସାମିଲ କରି ସେ କ’ଣ କେବେ ଶିହରିତ ହୋଇନି । ... ତେବେ ଆଜି କାହିଁକି ଏ ବିଡ଼ମ୍ବନା । ଆଜି କାହିଁକି ସେ ନାରାଜ ଉଷାକୁ ସାଥୀ କରିବା ପାଇଁ । କ’ଣ ସନ୍ଧ୍ୟା ପାଇଁ ? କିନ୍ତୁ ସନ୍ଧ୍ୟା କ’ଣ ତାକୁ ଭଲ ପାଏ ? ସନ୍ଧ୍ୟା ଆଉ ପ୍ରକାଶ ମଝିରେ କ’ଣ ଶ୍ରେଣୀଗତ ପ୍ରାଚୀର ନାହିଁ ।... ତେବେ କୋଉଥିପାଇଁ ସେ ଆଜି ଉଷାକୁ ଏଡ଼ାଇ ଦେଉଛି ?

 

ଏସବୁ କ’ଣ ଭାବୁଛି ପ୍ରକାଶ । ଶଃ ରବିସ୍... ସବୁ ଜିନିଷର ଗୋଟେ ମ୍ୟାଚ ଅଛି । ଉଷା ପ୍ରକାଶକୁ କେମିତି ମାନନ୍ତା । ପ୍ରକାଶ କ୍ରମବର୍ଦ୍ଧିଷ୍ଣୁ... ଉଷା ସ୍ଥିର, ଶୀତଳ... ବଢ଼ିବାର ସବୁ ରାସ୍ତା ବନ୍ଦ । କେବଳ କ୍ଷୀଣ ହେବା ସାର ସିନା... ନା ସେ ଯାହା କରିଛି ଠିକ୍ କରିଛି, ହୁଏତ ସନ୍ଧ୍ୟା ତାର ସାଥୀ ବନିବ । ହୁଏତ ସନ୍ଧ୍ୟାର ରଙ୍ଗରେ ପ୍ରକାଶ ବେଶୀ ରମଣୀୟ ହୋଇପାରିବ ।

 

ମାତ୍ର ସନ୍ଧ୍ୟା କ’ଣ ତାକୁ ସ୍ୱୀକାର କରିବ ? ସେତ ଭଲ ପାଏ ବୋଲି ଏଯାଏ ସ୍ୱୀକାର କରିନି । ଛାଡ଼... ଭଲ ପାଉ ନଥିଲେ ପାଇବ । ଆରମ୍ଭ ତ ଭଲ ହୋଇଛି । କଥାରେ ଅଛି ଏ ଗୁଡ ବିଗିନଂ ଇଜ୍ ହାଫ୍ ଏୱାର୍କ ଡନ୍ ।

 

କ୍ରମେ ସନ୍ଧ୍ୟା କଥା ଭାବିଲା ପ୍ରକାଶ । କେଡ଼େ ସୁନ୍ଦର ସୁଧାର ଝିଅଟିଏ । ସହରରେ ଉଚ୍ଚ ପରିବାରରେ ଲାଳିତ ପାଳିତ ହେଲେ ମଧ୍ୟ ଛାତି ତଳେ ଗର୍ବର ଫୁଟି କଉଡ଼ିଟିଏ ସୁଦ୍ଧା ନାହିଁ । ହୁଏତ ପ୍ରକାଶକୁ ସେ ପସନ୍ଦ କରେ । ଦିନେ ନଦେଖିଲେ ତ ରହିପାରେ ନାହିଁ । କେତେ ଯତ୍ନ ନିଏ ସତରେ ସେ । ଏବେ ଗଲେ ଖୋଲା ଖୋଲି ଭାବେ ପେଶ୍‍ କରିବ ନିଜର ମନର କଥା । ହଁ କହିଲେ ତ ହାତରେ ସାତ ଚାନ୍ଦ । ଆଉ ଯଦି ନା କହେ... ନା ସେ କହି ପାରିବନି କେବେ ହେଲେ-

 

ରାତି ଉଛୁର ହେଲାଣି, ଭିତର ଘରୁ ବାପାଙ୍କର ଉଚ୍ଚସ୍ୱର ଶୁଣାଯାଉଛି । ମା’ଙ୍କୁ ତାଗିଦ୍ କରୁଛନ୍ତି ଛୁଆଙ୍କୁ ଖାଇବାକୁ ଦେବାକୁ । ପାଖରେ କିଏ ଜଣେ କୁଁକୁଁ ହୋଇ କାନ୍ଦୁଛି । ପ୍ରଦୀପ ବୋଧହୁଏ ।

 

ଚକୁଳି ଥାଳିଆଟା ଆଡ଼େଇ ନେଇ ଚେୟାରରୁ ଉଠିଲା ପ୍ରକାଶ । ଖଟ ଉପରକୁ ଗଲା ଗୋଡ଼ ହାତ ଲମ୍ବାଇ ପଡ଼ିଲା ବେଳକୁ ଜୋସ୍ନା କବାଟ ପାଖରେ କହିଲେ “ଭାଇ ଖାଇବ ଆସ...।’’

 

‘ମୋତେ ଭୋକ ନାଇଁରେ ତୁମେ ସବୁ ଖାଇ ନେବ ।’

 

ଭାଇ ଚକୁଳି ଖାଇ ଦିଅ । ଉଷା ଭାଉ... ଉଷା ତୁମ ପାଖରୁ ଚିଠି ପଠାଇବା ଦିନଠୁ ବାସନା ଧାନ ଯୋଗାଡ଼ କରି କୁଟି କାଣ୍ଡି ଏ ଚକୁଳି ତିଆରି କରିଛି । ଖାଲି ତୁମରି ପାଇଁ, ତା ଆଶା ସିନା ଭାଙ୍ଗି ଦେଲ, ଏଇ ପରିଶ୍ରମ ସାର୍ଥକ କର ।

 

ଜ୍ୟୋସ୍ନାତୁ ଗଲୁ । ହଁ ଏମାନଙ୍କ ପାଇ ଉଷା ଦେବୀଟିଏ... ।

 

ଜ୍ୟୋସ୍ନା ମୁହଁ ଫୁଲାଇ ଚାଲିଗଲା ଭିତର ଘରକୁ । ପ୍ରକାଶ ଚାହିଁଲା ଚକୁଳିକୁ । ଠିକ୍ ଉଷାର ମୁହଁ ପରି କମନୀୟ । ସୁନ୍ଦର, ଗୋଲ, ଦେଶୀ ବାସ୍ନା, ଠିକ୍ ଉଷାର ଶରୀରର ବାସ୍ନା ପରି । ଚକୁଳି ଥାଳିରୁ ହାତକୁ ନେଲା, ଶୀତଳ । ମୁହଁରେ ଦେଲା । ସ୍ୱାଦିଷ୍ଟ । ମିନିଟ୍ କେତେଟା ପରେ ଥାଳିଆଟା ଖାଲି।

 

ହୁଏତ ଚକୁଳି ଉଷାର ପ୍ରତୀକ । ମାତ୍ର ପ୍ରକାଶର ବେପଣୁ ମନ ସେକଥା ଗ୍ରହଣ କରିବାକୁ ନାରାଜ।

***

 

‘ତେର’

 

ପରିବେଶ ବଦଳି ଯାଇଛି । ଜାଗା ବଦଳି ଯାଇଛି । ଇତି ମଧ୍ୟରେ ପ୍ରକାଶ ଚାଲି ଆସିଛି ବଲାଙ୍ଗିର । ଗତକାଲିର ସଞ୍ଜବେଳର ତୁଫାନ ଥମି ଯାଇଛି । ସମୟ ସନ୍ଧ୍ୟାବେଳର ସେ ଉଦ୍ଦାମତା ପାଇଁ ସାରା ରାତି ଅଶ୍ରୁ ଝରାଇଛି । ସେଥିପାଇଁ ସକାଳର ଏ ଆର୍ଦ୍ରତା ।

 

ଗତ ସନ୍ଧ୍ୟାରେ ଉଷାର ହାତଗଢ଼ା ଚକୁଳି ଖାଇବା ପରଠୁ କେମିତି ବେପରୁଆ ହୋଇଯାଇଛି ପ୍ରକାଶ । ସମସ୍ତଙ୍କୁ ଶାନ୍ତ ଲକ୍ଷ୍ୟ କରି ପ୍ରକାଶ ମଧ୍ୟ ହାତ ଗୋଡ଼ ଲମ୍ବାଇ ଶୋଇ ଯାଇଥିଲା ଖଟ ଉପରେ । ମାତ୍ର ପର ମୁହୂର୍ତ୍ତରେ କେଜାଣି କି ଖିଆଲରେ ଉଠି ପଡ଼ି ଘଣ୍ଟା ଦେଖିଥିଲା ପ୍ରକାଶ । ସାଢ଼େ ଆଠ । ବଲାଙ୍ଗୀର ବସ୍ ଛାଡ଼ିବାକୁ ଆହୁରି ଘଣ୍ଟାଏ ବାକି । ଖୁବ୍ ବେପରୁଆ ଭାବେ ସୁକେଶ୍ ସଜାଡ଼ି ଘରୁ ପାଦ କାଢ଼ିଲା ସେ । ବାପା ତାର ଲକ୍ଷ୍ୟ କରୁଥିଲେ କିନ୍ତୁ ନ କହି ସ୍କୁଟର ବାହାର କରି ଷ୍ଟାର୍ଟ କଲେ । ପରକ୍ଷଣରେ ସୁଟକେଶ୍ ହାତରେ ପଛ ସିଟରେ ବସିଥିଲା ପ୍ରକାଶ । ବାପା ନିର୍ବାକ, ପୁଅ ପ୍ରତିକ୍ରିୟାହୀନ । ସ୍କୁଟର ଗିଅର ପକାଇଲା ବେଳେ କାହାର ଗୋଟେ ଛାଇ ଆସି ପଡ଼ିଥିଲା ଆଗ ଚକ ସାମ୍ନାରେ । ମା’ର ବୋଧହୁଏ । ମାତ୍ର ପଛକୁ ଫେରି ଚାହିଁ ନଥିଲା ପ୍ରକାଶ । ସ୍କୁଟର ଆଗକୁ ବଢ଼ାଇଥିଲେ ସୁଧାଂଶୁ । ସିଧା ବସଷ୍ଟାଣ୍ଡ । ବସଷ୍ଟାଣ୍ଡରେ ପହଞ୍ଚିଲା ବେଳକୁ ବସ୍ ଷ୍ଟାଟ୍ କରି ସାରିଥିଲା । ତରବର ହୋଇ ପଛ ସିଟରୁ ଓହ୍ଲାଇ ପଡ଼ି ବସକୁ ଚଢ଼ିଲା ପ୍ରକାଶ । ପରକ୍ଷଣରେ ବସର ଚକ ଆଗକୁ ବଢ଼ିଲା ବେଳକୁ ପ୍ରକାଶ ଠେଲି ହୋଇ ଭିଡ଼ ଭିତରେ ନିଜ ପାଇଁ ସ୍ଥାନଟିଏ ଖୋଜୁଥିଲା ।

 

ସେ ବି ଗୋଟେ କ୍ଷଣ । ସ୍ରଷ୍ଟାଠି ସୃଷ୍ଟିର ଆଚରଣ ଦୁର୍ବୋଧ୍ୟ । ବାପ ଓ ପୁଅର ହୃଦୟ ପରସ୍ପରର ଭାବ ନେଇ ପ୍ରତିକ୍ରିୟାହୀନ । ସବୁଠୁଁ ବେଶୀ ସମ୍ବେଦନପୂର୍ଣ୍ଣ ତଥା ନମନୀୟ ହୃଦୟ ଆଜି ବେପରୁଆ । ବିଚିତ୍ର ତୁ ସମୟ, ବିଚିତ୍ର ତୋ କରାମତି ।

 

ବସରେ ଶୋଇ ଯାଇଥିଲା ପ୍ରକାଶ । ବଲାଙ୍ଗୀର ପହଞ୍ଚିବା ପରେ ଆଖି ଖୋଲିଲା । ବସରୁ ଓହ୍ଲାଇ ରିକ୍‍ସା ଯୋଗେ କ୍ୱାର୍ଟରକୁ ଆସିଲା ।

 

ସାଙ୍ଗ ସାଥୀଙ୍କୁ ଦେଖା କରିବାରେ ମନରେ ସଙ୍କୋଚ । ହୁଏତ ସମସ୍ତେ ପ୍ରଶ୍ନ କରିବେ ଏତେ ଶୀଘ୍ର ପ୍ରତ୍ୟାଗମନର କାରଣ । ମାତ୍ର ଦୁଇ ତିନି ଦିନ ତଳେ ଦୁଇ ଦୁଇଥର କଲେକ୍ଟର ରେସିଡେନ୍ସି ଯାଇ ଛୁଟି ମଞ୍ଜୁର କରାଇଥିଲା ସେ । ସର୍ବ ମୋଟ ପାଞ୍ଚ ଦିନ । ମାତ୍ର ଏତେ ଶୀଘ୍ର ପ୍ରତ୍ୟାବର୍ତ୍ତନର କାରଣ ? ସେ କାହାକୁ କ’ଣ ଜବାବ ଦେବ । ଲୋକଙ୍କୁ ସତ କହିଲେ କି କି ପ୍ରକାର ମନ୍ତବ୍ୟ ଦେବେ । ମିଛ କହିବାକୁ ସେ ଘୃଣା କରେ । ମନରେ ଦ୍ଵିଧା, ଦ୍ୱନ୍ଦ ।

 

ପଛ କଥା ଭାବି ପାରୁନି ପ୍ରକାଶ । ନିଜ ନିଷ୍ପତ୍ତିର ସଠିକତା ଉପରେ ସନ୍ଦିହାନ ସେ । ଭବିଷ୍ୟତ କଳନା କରି ପାରୁନି ସେ । କାହା ମନରେ ଦୁଃଖୀ ଦେବାକୁ ଚାହେଁ । ନା ସେ କି ନିଜେ ଦୁଃଖୀ ହେବାକୁ ଚାହେଁନା । ମାତ୍ର ଏବେ କ’ଣ ହୋଇଗଲା...ତା ସମେତ ସମସ୍ତେ ଦୁଃଖୀ । ହୁଏତ ତାର ଗୋଟିଏ ହିଁ ସମସ୍ତଙ୍କର ଦୁଃଖ ଲାଘବର କାରଣ ବନି ପାରନ୍ତା । ମାତ୍ର ଏଇ ସମସ୍ତଙ୍କର ମଧ୍ୟରେ କ’ଣ ସେ ନିଜେ ସାମିଲ ? ହୁଏତ ହିଁ ସନ୍ଧ୍ୟାକୁ ଦେଖିବା ପୂର୍ବରୁ ତା’ ମନ ମସ୍ତିଷ୍କର ସମସ୍ତ ଭାବନା ରାଜ୍ୟର ଅଧିଷ୍ଠାତ୍ରୀ ତ କେବଳ ଉଷାଥିଲା । ତେବେ ସେ କିଆଁ ଖୁସି ହୋଇ ପାରିବନି ଉଷାକୁ ନେଇ । ମାତ୍ର ସେ କ’ଣ ତାର ମ୍ୟାଚ୍‍ କରି ପାରିଥାନ୍ତା । ଏଇ ସମାଜ ମୋ ସାଥିରେ ତାକୁ ଦେଖି କ’ଣ ଆକ୍ଷେପ କରି ନଥାନ୍ତା ।

 

ନା ଯା ହୋଇଛି ଭଲ ହୋଇଛି । ଗତସ୍ୟ ଶୋଚନା ନାସ୍ତି ।

 

ଏବେ ଆଗକୁ କ’ଣ ହେବ ସେ କଥାରେ ମୁଣ୍ଡ ଖେଳାଇବା ଉଚିତ୍ । ଯେତେ ଶୀଘ୍ର ସମ୍ଭବ ସନ୍ଧ୍ୟା ପାଖରେ ନିଜର ମନକଥା କହିବାକୁ ପଡ଼ିବ । ମାତ୍ର ସେ ଯଦି ରାଜି ନହୁଏ ଅଥବା ଏକଥାକୁ କୁ ଅର୍ଥ କରେ... ତେବେ ବି ତାକୁ ସ୍ନେହ ପ୍ରେମ ଦେଖାଇ ପ୍ରମାଣିତ କରିବାକୁ ପଡ଼ିବ ଯେ ସନ୍ଧ୍ୟା ପ୍ରକାଶ ବିନା ଅର୍ଥହୀନ । ପ୍ରେମ କ୍ଷେତ୍ର ଓ ଯୁଦ୍ଧ କ୍ଷେତ୍ରରେ ସବୁକିଛି ବାଞ୍ଛନୀୟ । କୌଣସି ଆଚରଣ ନୀଚ ନୁହଁ । ଏଇ କଥା ଭାବି ପ୍ରକାଶ ଆତ୍ମତୃପ୍ତିର ନିଶ୍ୱାସଟିଏ ମାରିଲା ।

 

ସମୟର ଚକ ଘୁରୁଛି । କ୍ଷଣ ପରେ କ୍ଷଣ ବିତୁଛି । ସମୟ ଆଗେଇ ଯାଉଛି । ପ୍ରକାଶ ଆଗଉଛି । ଉଷା ପ୍ରକାଶ ସାମ୍ନାରେ ସତ୍ତା ହରାଇଛି । ପୁଣି ସନ୍ଧ୍ୟା ପ୍ରକାଶକୁ ନିଜ ଢାଞ୍ଚାରେ ଢାଳି କମନୀୟ କରୁଛି । ରଙ୍ଗୀନ କରୁଛି । ଏଇତ ଯୁଗଯୁଗର ରୀତି, କାଳର ନିୟମ ।

 

ବାହାରେ ପ୍ରକାଶ ଉଷାର ସଙ୍ଗ ଛାଡ଼ି ସନ୍ଧ୍ୟା ଆଡ଼କୁ ମୁହାଁଇଲାଣି । ହାତ ଘଣ୍ଟାର କଣ୍ଟାମାନେ ଘୋଡ଼ା ଦୌଡ଼ ପ୍ରତିଯୋଗିତାରେ ଚାରି ନମ୍ବର ମାଇଲଖୁଣ୍ଟ ଅତିକ୍ରମ କରି ସାରିଲେଣି-

 

ୟା’ ଭିତରେ ପ୍ରକାଶ ଭାବୁଛି ଏବଂ ମନେ ମନେ ପ୍ଲଟମାନ ତିଆରି କରୁଛି । ଆଜି କିପରି ସେ ନିଜର ଭାବ ବ୍ୟକ୍ତ କରିବ ସନ୍ଧ୍ୟା ପାଖରେ । କେତେ ଯେ ପ୍ଲଟ ତିଆରି ହୋଇ ଭାଙ୍ଗିଲାଣି ୟା’ ଭିତରେ ତାର କଳନା ନାହିଁ । ହାତ ଘଣ୍ଟା ଦେଖିଲା ପ୍ରକାଶ । ସନ୍ଧ୍ୟା ପାଞ୍ଚଟା ବାଜିବ । ଏଥରକ ଉଠିଲା, ଇସ୍ତ୍ରୀ କଲା ଧଳା ପଞ୍ଜାବି ଟ୍ରାଉଜର ପିନ୍ଧିନେଲା । ମୁହଁରେ ଫେୟାର୍ ଆଣ୍ଡ ହାଣ୍ଡସମ୍ କ୍ରିମ୍ ଟିକିଏ ଲଗାଇ ଟିକିଏ ହାଲ୍‍କା ଫ୍ରେଞ୍ଚ ପରଫ୍ୟୁମ୍ ସ୍ପେନରିଦେଲା ନିଜ ଦେହରେ । ଏଇ ଦୁଇଟାଯାକ କସ୍‍ମେଟିକ୍ ସନ୍ଧ୍ୟାର ଖୁବ୍ ପସନ୍ଦ । ତାରି ପରାମର୍ଶ କ୍ରମେ କାଳେ ବ୍ୟବହାର କରିବା ଆରମ୍ଭ କରିଛି ପ୍ରକାଶ ।

 

ଘରୁ ବାହାରିଲା ପ୍ରକାଶ । ରାସ୍ତାରେ କେହି ସାଙ୍ଗସାଥି ଦେଖା ନହେଲେ ଭଲ । ରିକ୍‍ସା ଯୋଗେ ଚାଲିଲା ବହିଦାର ଇଷ୍ଟେଟ୍ ।

 

ସାମ୍ନାରେ ବହିଦାର ଇଷ୍ଟେଟ୍ ଦେଖାଯାଉଛି । ଆଗରୁ ଏଇ ଘରକୁ ନିର୍ଦ୍ୱନ୍ଦରେ ଯାଇଛି । ମାତ୍ର ଆଜିର ଅନୁଭୂତି ପ୍ରତ୍ୟେକ ଥର ଠାରୁ ଭିନ୍ନ । ହୃଦୟରେ ଅନେକ ଉତ୍ତେଜନା, ମନରେ ଉନ୍ମାଦନା ମଧ୍ୟରେ ନିରାଶାର ଏକ ଛୋଟ ବୀଜ ଚକା ଭଉଁରୀ ଖେଳି ଖେଳି ଅଥୟ କରୁଛି ଉଭୟ ମନ ଏବଂ ହୃଦୟକୁ । ଲକ୍ଷ୍ୟ ଯେତେ ପାଖେଇ ଆସୁଛି ହୃତ୍‍କମ୍ପନ ସେତେ ବଢ଼ି ଚାଲିଛି । ହଠାତ୍ ରିକ୍‍ସା ରୋକି ପଥପାର୍ଶ୍ଵ ଦୋକାନରୁ ସଦ୍ୟ ପ୍ରସ୍ଫୁଟିତ ଗୋଲାପର ତୋଡ଼ାଟାଏ କିଣି ପକାଇଲା ପ୍ରକାଶ । କାର୍ଡରେ With love to... ଲେଖା ହେବାର ଦେଖି ନିଜ କଲମରେ ଲେଖିଦେଲା ଟୁ ତଳେ ସ୍ଵିଇଟ୍ ସନ୍ଧ୍ୟା ।

 

ସାମ୍ନାରେ ତାର ଲକ୍ଷ୍ୟସ୍ଥଳ ବହିଦାର ଇଷ୍ଟେଟ୍ । ମଜଭୁତ ମୂଳଦୁଆର ମଜୁଭୁତ ଆମ୍ବ ପରିପ୍ରକାଶ ।

 

ଦରୱାନ ଚିହ୍ନେ ପ୍ରକାଶକୁ । କଡ଼େଇ ଯାଇ ବାଟ ଛାଡ଼ିଦେଲା ।

 

ନିକଟ ଭବିଷ୍ୟତ ଉପରେ ସନ୍ଦିହାନ ପ୍ରକାଶର ମନ ଉଦ୍‍ବେଳିତ । ଶଙ୍କିତ ପାଦ ଯୋଡ଼ିକ ଟାଣି ନେଲା ଡ୍ରଇଂ ରୁମ୍ ଭିତରକୁ । ଆଖି ଯୋଡ଼ିକ ଖୋଜୁଛି ସନ୍ଧ୍ୟାକୁ ।

 

ଓଃ ପ୍ରକାଶ ବାବୁ ଆପଣ । ଉପରୁ ଶିଡ଼ିରେ ଓହ୍ଲାଇ ଆସୁ ଆସୁ ସନ୍ଧ୍ୟା ପ୍ରକାଶକୁ ଦେଖୁ ଆଶ୍ଚର୍ଯ୍ୟ ହୋଇ କହି ପକାଇଲା “ହ୍ୱାଟ୍ ଏ ଗ୍ରେଟ୍ ସରପ୍ରାଇଜ୍ ଆପଣ ଏବେ ଗାଁକୁ ଯାଇଥିଲେ ନା... ଏମିତି ହଠାତ୍ କେମିତି ଫେରି ଆସିଲେ।”

 

ଗଲାବେଳେ ଦେଖାକରି ଯାଇନଥିଲା ପ୍ରକାଶ ସନ୍ଧ୍ୟାକୁ, ଆଗରୁ ଉଲ୍ଲେଖ ମଧ୍ୟ କରି ନଥିଲା ଗାଁ ଯିବା କଥା । ତେବେ ସନ୍ଧ୍ୟା କେମିତି ଜାଣିଲା ସେ ଗାଁ ଯିବାର କଥା । ୟାର ଅର୍ଥ... ଅନୁପସ୍ଥିତିରେ ମଧ୍ୟ ତାର ଖବର ରଖେ ସନ୍ଧ୍ୟା । ମନେ ମନେ ଖୁସିରେ କୁରୁଳି ଉଠିଲା ପ୍ରକାଶ ।

 

... ହଁ ଏମିତି ମେସେଜ୍ ପାଇ ଚାଲି ଯାଇଥିଲି । କାମ ସରିଯିବାରୁ ଚାଲି ଆସିଲି । ମାଉସୀ କାହାନ୍ତି ?

 

... ସେତ ରାମୁକାକା ସାଙ୍ଗରେ ମନ୍ଦିର ଯାଇଛି । ଏଇତ ଏବେ ଗଲେ । ଅଧା ଘଣ୍ଟା ଭିତରେ ଫେରିବେ । ଆସନ୍ତୁ ନା ଉପରକୁ ଯିବା । ସେତେବେଳ ଯାଏ ସେଇଠି ଅପେକ୍ଷା କରିବା ।

 

ଉତ୍ତରକୁ ଅପେକ୍ଷା ନକରି ବୁଲିପଡ଼ି ଶିଡ଼ି ଉପରେ ପାଦ ରଖିଲା । ସନ୍ଧ୍ୟା ଆଜି ଗୋଲାପୀ ରଙ୍ଗର ଟାଇଟ୍ କାମକରା ଚୁଡ଼ିଦାର ପିନ୍ଧିଛି । ଦେହର ଗୋଲାପୀ ରଙ୍ଗକୁ ଡ୍ରେସରଙ୍ଗ ବାରି ହେଉନାହିଁ । କପାଳରେ ଗୋଲାପୀ ବିନ୍ଦି, କେଶରେ ଗୋଲାପୀ କ୍ଲିପ୍‍, ପାଦରେ ଗୋଲାପୀ ସାଣ୍ଡାଲ୍ । ସୁନ୍ଦର ୟାର ପସନ୍ଦ । ଦେହର ସବୁ ଆଭରଣ ଗୋଲାପୀ କେବଳ ନାକ ଅଗସ୍ଥିତ ନାକଚଣା ବ୍ୟତୀତ, ସେଇଟି ମେକ୍ଅପରେ ଯାଏ ନାହିଁ । ସନ୍ଧ୍ୟାର ଗୋଟିଏ ଅଙ୍ଗ, କେଶକୁ ସୁନ୍ଦର ଭାବେ ଭାଙ୍ଗ କରି ପିଠି ଉପରକୁ ଛାଡ଼ି ଦେଇଛି । ସର୍ବାଙ୍ଗେ ସୌନ୍ଦର୍ଯ୍ୟ ।

 

ସନ୍ଧ୍ୟାକୁ ଅନୁସରଣ କରି ଛାତ ଉପରେ ପାଦଦେଲା ପ୍ରକାଶ ।

 

ପୂର୍ବରୁ ପରିଚିତ ସେଇ ଦୋଳି ଉପରେ ଯାଇ ବସି ପଡ଼ି ସନ୍ଧ୍ୟା ସାମ୍ନାକୁ ଦେଖିଲା ବେଳକୁ ସାମ୍ନାରେ ପ୍ରକାଶ । ହାତରେ ତାର ସୁନ୍ଦର ଗୋଲାପ ତୋଡ଼ାଟିଏ ।

 

... ଓ ରୋଜ୍ । ମୋ ପାଇଁ ନା ?

 

... ହଁ ହଁ ତୁମ ପାଇଁ, ନିଆ।

 

... ଓଃ ପ୍ରକାଶ ବାବୁ... ହାଓ ମଚ୍ ଆଇ ଲାଇକ୍ ଦିସ୍ ରୋଜ୍, ଏଇ ଗୋଲାପକୁ ମୁଁ କେତେ ଭଲପାଏ । ଥାଙ୍କସ୍ ପ୍ରକାଶ ବାବୁ ମେନି ମେନି ଥୋଙ୍କସ୍ ।

 

ପ୍ରକାଶ ତ ଏୟା ଚାହୁଁଥିଲା । ସନ୍ଧ୍ୟାର ଖୁସିରେ ନିଜେ ବି ଖୁସି ହେଲା । ଓଃ ୱିଥ ଲଭ୍‍ ଟୁ ସନ୍ଧ୍ୟା ତ ଜନାବ୍ ଅବ୍‍ ଲଭ୍‍ ବି କରନେ ଲଗେ ହେଁ... ।

 

“ଆଇ ଲଭ ୟୁ ସନ୍ଧ୍ୟା” ମୌକାର ଫାଇଦା ଉଠାଇ ନିଜ ବୁକୁତଳ ଭାବ ପ୍ରକାଶ କଲା ପ୍ରକାଶ ।

 

“ଡୁ ୟୁ”

 

ଧେତ୍ ବୁଦ୍ଦୁ ! ମାନବିକତାର ସଂଜ୍ଞା କ’ଣ ଜାଣିଛନ୍ତି । ଜାଣିଛନ୍ତି ମାନବର ଧର୍ମ କ’ଣ ? ତତ୍ତ୍ଵପୂର୍ଣ୍ଣ ପ୍ରଶ୍ନ ଶୁଣି ଆଚମ୍ବିତ ହେଲା ପ୍ରକାଶ । କ’ଣ କହିବାକୁ ଚାହେଁ ସନ୍ଧ୍ୟା, ବୁକୁତଳ ଉନ୍ମାଦନା ଏବଂ ଉତ୍ତେଜନା ମଧ୍ୟରେ ରୁନ୍ଧି ହୋଇ ଯାଉଥିବା ନିରାଶାଟା ହଠାତ୍ ମୁହଁରେ ଭାବ ଦ୍ୱାରା ଉକୁଟି ଉଠିଲା ।

 

ସନ୍ଧ୍ୟା ଆଇ ମିନ୍ ହ୍ୱାଟ୍ ଆଇ ସେଡ୍‍ ।

 

ଓଃ ଡୋଣ୍ଟ ବି ସିରିୟସ୍ । ମାନବିକତାର ସଂଜ୍ଞା କ’ଣ ପ୍ରେମର ପରିଭାଷା ନୁହଁ ? ମାନବର ଧର୍ମ କ’ଣ ପରସ୍ପରକୁ ପ୍ରେମ କରିବା ନୁହଁ ? ପ୍ରେମ ହିଁତ ଜୀବନର ମୂଳଦୁଆ । ଜୀବନ ଯନ୍ତ୍ରଣାର ଉପଶମ । ତେଣୁ ଆପଣ ଜଣେ ମାନବ ଯେମିତି ଜଣେ ମୁଁ । ଏଣୁ ମାନବିକତା ଦୃଷ୍ଟିରୁ ମୁଁ ଆପଣଙ୍କୁ ପ୍ରେମ କରିବା ଉଚିତ୍ । ତେଣୁ ମୁଁ ପ୍ରେମକରେ । ଏହା ସ୍ୱତଃସିଦ୍ଧ ପ୍ରମାଣିତ କି ନୁହଁ ?

 

ସଦା ଚପଳା ଛନ୍ଦମୟୀ ଲଳନାର ମୁହଁରେ ଭାବପୂର୍ଣ୍ଣ ବାର୍ତ୍ତା ଚକିତ କରୁଥିଲା ପ୍ରକାଶକୁ । ପ୍ରକାଶର ବ୍ୟକ୍ତିତ୍ଵ ଧୀରେ ଧୀରେ ଲଘୁ ହୋଇ ପଡ଼ୁଥିଲା ସନ୍ଧ୍ୟାର ବ୍ୟକ୍ତିତ୍ୱ ସାମ୍ନାରେ ।

 

ସନ୍ଧ୍ୟା ତାରା ଆଉ ଚାନ୍ଦର ପ୍ରେମ ଚାହାନ୍ତି, ସବିତା ଆଉ ପଙ୍କଜିନୀର ପ୍ରେମ ଚାହାନ୍ତି କି ନଦୀ ଆଉ ସମୁଦ୍ରର ପ୍ରେମ ଚାହାନ୍ତି । ଜାଣିଛନ୍ତି ନା ଗୋଟିକର ସାର ହେଲା ପ୍ରତୀକ୍ଷା । ଅନ୍ୟଟିର ଆଶା ତୃତୀୟଟିର ମିଳନ । ତିନୋଟି ଯାକ ସ୍ଵର୍ଗୀୟ ।

 

ଓଃ ସନ୍ଧ୍ୟା ତୁମର ଏ ଦର୍ଶନ ବନ୍ଦ କରି ପାରିବ ? ହ୍ୱାୟ ଡୋଣ୍ଟ ୟୁ ଅଣ୍ଡରଷ୍ଟାଣ୍ଡ ମିଁ ।

 

ହ୍ୱାୟ ଡୋଣ୍ଟ ୟୁ ଅଣ୍ଡର୍‍ଷ୍ଟାଣ୍ଡ ମୁଁ... ପ୍ରକାଶ ବାବୁ ଆଇ ଲାଇକ୍ ୟୁ... ଆଇ ରେସ୍‍ପେକ୍ଟ ୟୁ... ଆଇ ଲଭ ୟୁ ଆଣ୍ଡ ହ୍ୱାଟ୍ ମୋର ୟୁ ୱାଣ୍ଟ ।

 

ଝିଅ ରାଣୀ ମା’ ଆସିଲେଣି । ତଳେ ଅପେକ୍ଷା କରିଛନ୍ତି । ରାମୁକାକାର ସ୍ୱର ଶୁଣି ଦୁଇଟି ଆତ୍ମା ସଂବିତ୍ର ପାଇଲେ।

 

ଓ ରାମୁକାକା ମା କେତେବେଳୁ ଆସିଲେଣି ? ଆରେ ପ୍ରକାଶ ବାବୁ ଆସନ୍ତୁନା । ସେଠି ଏମିତି ବୁଦ୍ଦୁଙ୍କ ପରି ଠିଆ ହୋଇଛନ୍ତି କ’ଣ ମ ଆସନ୍ତୁ ଆସନ୍ତୁ ।

 

ଯନ୍ତ୍ରଚାଳିତ ପରି ସନ୍ଧ୍ୟାର ଅନୁଧାବନ କରୁ କରୁ ତଳେ ପହଞ୍ଚି ଗଲା ପ୍ରକାଶ । ସାମ୍ନାରେ ବୃଦ୍ଧା, ସ୍ୱୟଂ ନଇଁ ପଡ଼ି ପାଦଧୂଳି ନେଲା । ବୃଦ୍ଧା ବଢ଼ାଇ ଦେଲେ ଶିବଙ୍କ ପ୍ରସାଦ । ଆନନ୍ଦରେ ତୁଣ୍ଡରେ ଦେଉ ଦେଉ ଶୁଣିଲା-

 

“ ପୁଅ କ’ଣ ଏତେ ଜରୁରୀ କାମ ପଡ଼ିଗଲାକି ଯେ ହଠାତ୍ ଗାଁକୁ ଚାଲିଗଲା । ସେଦିନ ଦୁଇଥର ରାମୁକୁ ପଠାଇଥିଲି ତୁମ ଅଫିସକୁ । କିଏ ଜଣେ ତୁମ କେନ୍ଦୁଝରରୁ ଆସି ୟା’ଙ୍କର ନସିଂହୋମରେ ଜଏନ୍ କରିଛି ନର୍ସ ଭାବରେ ତ । ସେଦିନ ଆସିଥିଲା ଆମ ଘର ବୁଲି ଦେଖବାକୁ । ଭାରି ଭଲ ଝିଅଟିଏ । ଆରେ... ମୁଁ ତୁମକୁ ପ୍ରଶ୍ନଟିଏ ପଚାରି ଦେଖତ ଗୁଡ଼ାଏ ବକି ଯାଉଛି ନିଜେ ନିଜେ ।।

 

... ନାଇଁ ସେମିତି କିଛି କାମ ନଥିଲା ଯେ ବୋଉ ମୋତେ ଦେଖିବା ଲାଗି ଡକାଇଥିଲା ।

 

... ଆଉ ତୁମେ ଦିନ ଦୁଇଟା ନରହି ଚାଲି ଆସିଲ । ସବୁ ପୁଅଗୁଡ଼ା ଏକା । ତୁମେ ସବୁ ମା’ ମନକଥା ବୁଝନା ।

... ଛୁଟିବି ତ ନଥିଲା ।

 

... ତମର ମନ ନଥିଲା ମ ପୁଅ । ପାଞ୍ଚ ଦିନ ଛୁଟି ନେଇ ଯାଇ ସ୍କୁଲ ନା । ଦିନ ଦୁଇଟାରେ କେମିତି ଚାଲିଆସିଲ ଯେ ।

 

... ଓଃ ମା, ରଖନା ତୋର ମମତା, ମା କଥା ରଖି ଯାଇକି ଫେରିଲେ ଗାଁରୁ । ଏବେ ଅଧିକା ଦିନେ ଦୁଇ ଦିନ ରହିଥିଲେ ଅଧିକା କ’ଣ ହୋଇଥାନ୍ତା ଯେ ।

 

... ତୋର ବି ସେଇକଥା । ରହ ଦେବି ତୁ ଯେବେ ମା ବନିବୁ ନା...

 

ରାମୁ ଟ୍ରେରେ ଚା ଆଣି ଠିଆ ହୋଇ ଶୁଣୁଥିଲା । ଅନୁଭବ କରୁଥିଲା ମାର ମମତା । ମାଲିକାଣୀ ଉତ୍ତେଜିତ ହୋଇ ପଡ଼ୁଥିବା ଲକ୍ଷ୍ୟ କରି କହିଲା ମା ଚା’ ଥଣ୍ଡା ହୋଇଯାଉଛି ।

 

କଥାର ମୋଡ଼ ଭାଙ୍ଗି ସମସ୍ତେ ଚା’ରେ ମନଦେଲେ । ଡ୍ରଇଂ ରୁମରେ ନିରବତା । ଯଥାରିତୀ ଚା’ ପାନ ପର୍ବ ସରିଲା । ହଠାତ୍ ମୌନ ଭଙ୍ଗ କଲା ପ୍ରକାଶ ।

 

ତେବେ ମୁଁ ଏଥର ଆସିବି ! !

 

... ହଁ କାଲି ଆସିବେ ପ୍ରକାଶ ବାବୁ, କାଲି ମୁଁ ଆପଣଙ୍କୁ ଗୋଟେ ସରପ୍ରାଇଜ୍ ପ୍ରେଜେଣ୍ଟ କରିବି ।

 

... ସେଇ ନର୍ସ ସଙ୍ଗରେ ମିଳାଇବ ତ ।

 

... ସେ କଥା ସମୟ କହିବ ।

 

ଓକେ... ଗୁଡ୍ ବାଏ... ବାଏ ।

***

 

‘ଚଉଦ’

 

କିଛି କାମ ନଥିଲେ ସମୟ କଟେନି ।

 

ଆଉ ଦୁଇ ଦିନ ଛୁଟି ବାକି ଅଛି । ହାତରେ କିଛି କାମ ନାହିଁ, କିଛି କରିବାକୁ ମାନସିକ ପ୍ରସ୍ତୁତି ମଧ୍ୟ ନାହିଁ ।

 

ସକାଳ କେତେ ବେଳୁ ହେଲାଣି । ସୂର୍ଯ୍ୟ ଉଦୟ ହୋଇ ସାରା ଧରିତ୍ରୀକୁ ତେଜ ପ୍ରଦାନ କରୁଛନ୍ତି । ଚାକରାଣୀ ଆସି କେତେବେଳୁ କାମରେ ଲାଗିଲାଣି । ମାତ୍ର ପ୍ରକାଶ ବିଛଣା ଛାଡ଼ିନି ଏଯାଏ । ମନରେ ଦ୍ୱନ୍ଦ... ଉଠିଲେ କ’ଣ କରିବ ଯେ ।

 

ଭାବୁଛି ପ୍ରକାଶ ନିଜ କଥା । ଆତ୍ମସମୀକ୍ଷା କରୁଛି ।

 

ଜୀବନରୁ ତାର ଉଷାକୁ ତ୍ୟାଗ କରିଛି ମାତ୍ର ପ୍ରତିକ୍ଷଣରେ ତାର ଭାବନାର ରାଜ୍ୟକୁ ଧସେଇ ପଶୁଛି ଏଇ ଉଷା । କାହିଁକି ସେ ଉଷାକୁ ଏମିତି ଭାବେ ଉପେକ୍ଷା କଲା ? କ’ଣ ଉଷା ଠାରୁ ସ୍ୱୟଂ ଅଧିକ ପ୍ରକାଶିତ ବୋଲି ? ସେ ବି ତ ସନ୍ଧ୍ୟାର ରଙ୍ଗଠାରେ ମ୍ଲାନ ।

 

କାଲି ସନ୍ଧ୍ୟାର ଘଟଣା ରାଶି ମନେ ପଡ଼ିଲା ପ୍ରକାଶର । କେତେ ଚାଲାକ୍ ଏଇ ସନ୍ଧ୍ୟା । କେତେ ବା ଚତୁରୀ । ପ୍ରକାଶର ଅନ୍ତରର କଥା ସବୁ ଜାଣିଲା ପରେ ବି ନିଜର ପ୍ରତିକ୍ରିୟା ବ୍ୟକ୍ତ କଲାନାହିଁ ବରଂ ସୁନ୍ଦର ଭାବେ ବାକ୍‍ଚାତୁର୍ଯ୍ୟର ଆଢ଼ୁଆଳରେ ସବୁ ବାକ୍ୟବାଣକୁ ଆଡ଼େଇ ଦେଲା-। ସତରେ କ’ଣ ସେ ଭଲପାଏନି ପ୍ରକାଶକୁ ? ମାତ୍ର ତାର ଅନୁପସ୍ଥିତିରେ ତାର ଟିକିନିକ୍ ଖବର ରଖିବାର ତାତ୍ପର୍ଯ୍ୟ ? କିନ୍ତୁ ସେ କଥାତ ସଂଯୋଗ ମାତ୍ର । ନା ସେ ନର୍ସ ଆସନ୍ତା ନା ରମୁ ଆସି ଖବର ବୁଝି ତାକୁ କହନ୍ତା । ତେବେ... ସବୁ କ’ଣ ମିଛ । କେବଳ କଳ୍ପନା... ମରିଚିକା...।

 

ମନଟା ଖିନ୍‍ଭିନ୍ ହୋଇଗଲା ପ୍ରକାଶର । ନା ବରଂ ଉଷା ପାଖକୁ ଫେରି ଯିବାକୁ ହେବ-। ମାତ୍ର ଉଷା ପାଖରେ ତାର ପୂର୍ବର ବ୍ୟକ୍ତିତ୍ୱ କ’ଣ ସମାନ ଥିବ ଏଯାଏ । ଉଷାର ଆଶାର ମୀନାର ଭାଙ୍ଗି ଖଣ୍ଡ ଖଣ୍ଡ ହୋଇ ଯାଇଥିବା ବେଳେ କିଏ କହିବ ସେଇ ଖଣ୍ଡଗୁଡ଼ିକୁ ଉଠାଇ ତା ମନରେ ଗଢ଼ି ଉଠିଥିବା ପ୍ରକାଶର ଭାବମୂର୍ତ୍ତିକୁ ଆଘାତ କରି ବିରୂପ କରି ପକାଇ ନଥିବ ଏଯାଏ । ନା... ହୀନ ବ୍ୟକ୍ତିତ୍ୱ ନେଇ ଆଶାବାଦୀ ହେବା ଅନୁଚିତ । ବରଂ ସନ୍ଧ୍ୟାକୁ ଭଲ ଭାବେ ବୁଝିବା ଉଚିତ୍ । ହୁଏତ ତାର ବାକ୍ ଚାତୁର୍ଯ୍ୟର ଅନ୍ତରାଳରେ ହୃଦୟର ସମ୍ବେଦନ ଫୁଟି ଉଠି ମହକିବ ।

 

ଚାକରାଣୀ ଚା’ଥୋଇ ଦେଇଗଲା ପଲଙ୍କର ମୁଣ୍ଡ ପାଖରେ ଥିବା ଟିପୟ ଉପରେ । କପ୍ ଉଠାଇ ଚା’ ପିଉ ପିଉ ଭାବିଲା ତାର ଏଇ ସ୍ଥିତି ଦର୍ଶାଇ କବିତାଟିଏ ଲେଖିବ । ରାଇଟିଂ ପ୍ୟାଡ୍ ଓ କଲମ ଉଠାଇ ଲେଖି ଚାଲିଲା ।

 

କିଛି ପାଇବାର ଆଶା ନେଇ ହରାଇଲି ସବୁକିଛି

 

ପାଇବା ବନିଲା ସପନ ଦେଖ ତ୍ରିଶଙ୍କୁ ମୁଁ ବନିଛି ।

 

ରଙ୍ଗେ ହୋଇ ଆତ୍ମହରା ମାଧୁରୀ ମୁଁ ଛାଡ଼ିଛି

 

ଆଶାହୀନ ମୃଗତୃଷ୍ଣା ପଛରେ ମୁଁ ଧାଇଁଛି ।

 

ପଦ ପରେ ପଦ ଲେଖିଗଲା । ଧଳା କାଗଜ ଉପରେ କଳା ଗାର ଟାଣି ମନ ବେଦନାକୁ ହାଲୁକା କଲା ପ୍ରକାଶ । ନିଜର କବିତା ନିଜେ ପଢ଼ି ଆତ୍ମବିଭୋର ହେଲା ପ୍ରକାଶ । ଆସ୍ତି ସୂଚକ ମୁଣ୍ଡ ହଲାଇ ଘଡ଼ି ଉପରେ ନଜର ପକାଇଲା ସାଢ଼େ ଏଗାର । ନିତ୍ୟକର୍ମ ସାରିନି ଏଯାଏ । ଧଡ଼ପଡ଼ ହୋଇ ଉଠିଲା । ଟାୱେଲ ଧରି ପଶିଲା ଟଏଲଟ୍‍ରେ । ଅଧ ଘଣ୍ଟାକ ପରେ ଫ୍ରେସ୍ ହୋଇ ବାହାରିଲା ଟିଏଲେଟ୍‍ରୁ ।

 

ଡାଇନିଂ ଟେବୁଲ ଉପରେ ଖାଦ୍ୟ ଢାଙ୍କି ରଖି ଯାଇଛି ଚାକରାଣୀ । ଟର୍କିସ କାନ୍ଧରେ ପକାଇ ବସିଲା ଚେୟାର ଟାଣି । ଡସ୍କ କଭର ଗୁଡ଼ାକ କାଢ଼ି ପକାଇଲାବେଳକୁ ମନଟା ତାର ଦବି ଯାଉଥିଲା ସନ୍ଧ୍ୟା ଓ ତାର ମା ବୃଦ୍ଧାଙ୍କ ବଦାନ୍ୟତା ଠାରେ । ସେଦିନ ରାମୁ ଆସିଥିଲା ତାର କ୍ୱାର୍ଟରକୁ । ଫର୍ଣ୍ଣିଚର ନାଁରେ ଥିଲା କେବଳ ଫୋଲଡିଂ ବେଡ୍‍ଟିଏ । ତାକୁ ଦେଖି କ’ଣ କହିଥିଲା ଯାଇ କି କେଜାଣି ସନ୍ଧ୍ୟା ବେଳୁ ସେହି ରାମୁ ନିଜେ ତିନିଟା ରିକ୍‍ସା ଯୋଗେ ଡବଲ ବେଡ୍, ସୋଫା, ଡାଇନିଂ ସେଟ୍ ଆଦି ଆଣି ସଜାଇଦେଇ ଯାଇଥିଲା । ଏ ଘରେ । ପରେ ପ୍ରକାଶ ଯେବେ ଏ ବିଷୟରେ ପ୍ରଶ୍ନ କରିଥିଲା । ସନ୍ଧ୍ୟାକୁ ସେ ଏକ ଶାନ୍ତ ଉତ୍ତର ଦେଇଥିଲା... ଆମର ଏକ୍ସଟ୍ରା ଥିଲା-। ଏଠି ବ୍ୟବହାର ହେଉନଥିଲା ଆପଣଙ୍କର ନଥିଲା, ଆମେ ପଠାଇ ଦେଲୁ । ପ୍ରୋବ୍ଲେମ ସଲ୍‍ଭ, ମାତ୍ର ମନବୁଝି ନଥିଲା ପ୍ରକାଶର । ବୃଦ୍ଧାଙ୍କୁ ପଚାରିଥିଲା... ମାଉସୀ... ଏସବୁ ପଠାଇବା କ’ଣ ଦରକାର ଥିଲା ।

 

ଆରେ ପୁଅ ମୁଁ ତମକୁ ପର ମଣେନି । ଏଠି ମୋର ଅଧିକା ପଡ଼ିଛି ଆଉ ସେଠି ତୋର ନାହିଁ ଶୁଣିଲି । ପଠାଇ ଦେଲି ତୁ କିଆଁ ବ୍ୟସ୍ତ ହେଉଛୁ ପୁଅ... ବ୍ୟବହାର କରୁଥାଅ... ତୁମର ନିଜର ମଗାଇଲେ ପଠାଇ ଦେବ । ବୃଦ୍ଧାଙ୍କର ଆତ୍ମୀୟତାପୂର୍ଣ୍ଣ କଥାରେ ମନ ଭରିଯାଏ ପ୍ରକାଶର । ଉଁ ଚୁଁ କରି ପାରେ ନା ।

 

ପୁରୁଣା କଥାକୁ ଘାଣ୍ଟୁ ଘାଣ୍ଟୁ ଥାଳି ଗୁଡ଼ିକ ଖାଲି ହୋଇଗଲା । ପ୍ଲେଟଗୁଡ଼ିକ ଟେବୁଲରୁ ଉଠାଇ ଟ୍ରେରେ ଥୋଇଦେଲା ଏବଂ ହାତ ଧୋଇ ବେଡରୁମ୍‍ରେ ପଶିଲା । ସଞ୍ଜବେଳକୁ ଯିବାକୁ ହେବ ସନ୍ଧ୍ୟା ପାଖକୁ । ଆଜି ଯେମିତି ହେଲେ ସନ୍ଧ୍ୟାର ମନର ପ୍ରକୃତ କଥାଟା । ବାହାର କରିବାକୁ ହେବ । ତାକୁ କନ୍‍ଭିନ୍‍ସ କରାଇବାକୁ ପଡ଼ିବ ଯେ ତା’ବିନା ପ୍ରକାଶ ପରିପୂର୍ଣ୍ଣ ନୁହଁ । ଅର୍ଥହୀନ, ପ୍ରକାଶର ଔଜ୍ୱଲ୍ୟ ପାଇଁ ସନ୍ଧ୍ୟାର ରଙ୍ଗ ଅପରିହାର୍ଯ୍ୟ ।

 

ବିଶ୍ରାମ ନେଉଛି ପ୍ରକାଶ । ଫ୍ରେସ୍ ଏୟାର ଫ୍ୟାନର ଥଣ୍ଡା ହାୱାରେ ଆଖି ମୁଦି ହୋଇଆସୁଛି ।

***

 

‘ପନ୍ଦର’

 

ସାରା ଆକାଶଟା ନିର୍ମଳ ହେଲେ ବି ପଶ୍ଚିମାକାଶରୁ ଗୋଟିଏ କୋଣରେ ଜମାଟ ବାନ୍ଧିଛି ମେଞ୍ଚାଏ କଳା ବଉଦ । ତାରି ଉହାଡ଼ରୁ ମଝିରେ ମଝିରେ ମୁହଁ ବାହାର କରି ଦାନ୍ତ ନେଫୁଡୁଛି ବିଜୁଳି କନ୍ୟା । ହରଣ କରିଛି ସୂର୍ଯ୍ୟର ପ୍ରକାଶ । ସନ୍ଧ୍ୟାର ରଙ୍ଗ । ସହର ଉପରେ ବୋହୁଛି ପଶ୍ଚିମା ପବନ । ଆର୍ଦ୍ରତା ଦର୍ଶାଇ ଜାହିର କରୁଛି ବଦାନ୍ୟତା ।

 

ପରିବେଶ ରୋମାଞ୍ଚକର ହେଲେ ବି ଆଶଙ୍କା ଜର୍ଜରିତ । ପ୍ରକାଶର ମନର ସ୍ଥିତି ମଧ୍ୟ ତଦ୍ରୁପ, ଘରୁ ବାହାରିଛି ବହିଦାର ଇଷ୍ଟେଟ ଅଭିମୁଖେ । ଏଇ ବହିଦାର ଇଷ୍ଟେଟ୍... ତାର ଜୀବନଶୈଳୀର ଅମୂଳଚୁଳ ପରିବର୍ତ୍ତନର କାରଣ ।

 

ସାମ୍ନାରେ ଲକ୍ଷ୍ୟ, ଛାତ ଉପରେ ପରିବେଶର ରୋମାଞ୍ଚ ଅନୁଭବ କରୁଛି ସନ୍ଧ୍ୟା । କି ବାଟ ଚାହିଁଛି ପ୍ରକାଶର ? ପ୍ରକାଶକୁ ଗେଟ୍ ପାଖରେ ଦେଖି ପାଟି କରି କହୁଛି ୱେଲ୍‍କମ୍ ୱେଲ୍‍କମ୍ ପ୍ରକାଶ ବାବୁ।

 

ଗେଟ୍ ପାର ହୋଇ ଡ୍ରଇଂ ରୁମରେ ପାଦ ଦେଲା ବେଳକୁ ପ୍ରକାଶ ସାମ୍ନାରେ ସନ୍ଧ୍ୟା । କମ୍ ଅନ୍ ପ୍ରକାଶ ବାବୁ, ହ୍ୱାଟ୍ ଏ ମାର୍ଭଲସ୍ ଇଭିନିଂ ଇଟ୍‍ଇଜ୍ ! ଚାଲନ୍ତୁ ଦେଖିବେ ଛାତ ଉପରୁ ମେଘର ମେଘ ସହ ସଙ୍ଗମ ।

 

ମେଘବର୍ଣ୍ଣର ଛିଟ କନାରେ ରୂପେଲି ବର୍ଡରରେ ଥିବା କନାରେ କାମ କରା ଟାଇଟ୍ ସଲୱାର କୁର୍ତ୍ତା ପିନ୍ଧିଛି ସନ୍ଧ୍ୟା । ମୁକ୍ତ କୁନ୍ତଳର ତରଙ୍ଗ ନିତମ୍ବ ସ୍ପର୍ଶ କରୁଛି । ସାରା ଶରୀରରେ ଯୌବନ ଫୁଟି ପଡ଼ୁଛି। ବେକ ପାଖରେ ମେଞ୍ଚାଏ ଚମ୍ପାଫୁଲର ତୋଡ଼ା ଖୋସିଛି । ଦେହରେ ଅନ୍ୟ କୌଣସି ଅଳଙ୍କାର ନାହିଁ । କେବଳ ନାକରେ ଫୁଲଟି ବ୍ୟତୀତ । ପାଦରେ ମେଘବର୍ଣ୍ଣର ସାଣ୍ଡାଲ୍‍ ।

 

ହାତ ବଢ଼ାଇ ପ୍ରକାଶର ହାତକୁ ଧରିନେଲା ସନ୍ଧ୍ୟା । ଏକ ରକମ କଞ୍ଚା ଡୋରରେ ବନ୍ଧା ହେଲା ପରି ଟାଣି ହୋଇଗଲା ପ୍ରକାଶ ।

 

... ଦେଖନ୍ତୁ ଏଇ ପବନ କେମିତି ମେଘ ସହ ମେଘକୁ ମିଶେଇ ଦେଉଛି । ଦେଖନ୍ତୁ ଏ ମିଳନର ଆନନ୍ଦରେ ଆତ୍ମହରା ହୋଇ ବିଜୁଳି ମୁହଁରେ କେମିତି ହସୁଛନ୍ତି ବଉଦମାନେ । ଆରେ... ଆପଣ ମୋତେ ଏମିତି କ'ଣ ଦେଖୁଛନ୍ତି ସେଆଡ଼େ ଦେଖନ୍ତୁନା...।

 

ମେଘବର୍ଣ୍ଣ ପୋଷାକରେ ଆଚ୍ଛାଦିତା ସନ୍ଧ୍ୟାର ଯୌବନ ଫୁଟି ଉଠୁଛି ପୋଷାକରୁ । ମୁକ୍ତ କୁନ୍ତଳ ସାଙ୍ଗକୁ ଆଭରଣ ଶୂନ୍ୟ ଗଳା ଓ ମୁଖର ଅନାବୃତ୍ତ ଗୋଲାପୀ ଚମଡ଼ା ପ୍ରକାଶର ମନତଳେ ଜଗାଉଛି ଆଦିମ ବାସନା । ସାଙ୍ଗକୁ କୁନ୍ତଳ ତଳର ଚମ୍ପାଫୁଲର ବାସ୍ନା ମନର କାମନାକୁ ତୀବ୍ରତର କରୁଛି । ରୁନ୍ଧି ହୋଇ ଯାଉଛି ପ୍ରକାଶ । ବାସନା ପ୍ରମତ୍ତ ଧୀର କଣ୍ଠରେ କହିଲା ତୁମେ ବି ତ ମେଘଟିଏ ସନ୍ଧ୍ୟା, ତମର କ’ଣ ମିଳନର ଇଚ୍ଛା ହୁଏ ନାହିଁ ।

 

ହେତୁ ବୁଦ୍ଦୁ ! ଲାଜେଇ ଯାଇ କହିଲା, ପ୍ରକୃତିର ମିଳନରେ ନୈସର୍ଗିକ ଆନନ୍ଦ ଥାଏ । ପାର୍ଥିବ ମିଳନରେ ତ କେବଳ ସ୍ୱାର୍ଥ ହିଁ ନିହିତ ।

 

ସନ୍ଧ୍ୟା ଗାଲର ଲାଜ ଜନିତ ଲାଲିମାରେ ବିମୁଗ୍ଧ ପ୍ରକାଶ ।

 

ଦେଖନ୍ତୁ କେତେ ଜୋରରେ ଏଇ ମେଘମାଳା ନିଜର କାୟା ବିସ୍ତାର କରି ଚାଲିଛନ୍ତି । ମନେ ହେଉଛି ଆଉ ଅଳ୍ପକ୍ଷଣ ପରେ ସାରା ଆକାଶଟାରେ ଛାଇଯିବେ । ସତରେ ପ୍ରକାଶବାବୁ ଏଇ ମେଘ ଆକାଶର ଗୋଟିଏ କୋଣରେ ଥିଲେ ଯେତେ ରମଣୀୟ, ସାରା ଆକାଶକୁ ବ୍ୟାପିଗଲେ ସେତିକି ଭୟଙ୍କର ହୋଇପଡ଼େ ।

 

ପ୍ରକାଶର ମନ ଆକାଶରେ ସୃଷ୍ଟି ହୋଇଥିବା କାମନାର ବାଦଲ ଧୀରେ ଧୀରେ ବ୍ୟାପୀ ତା’ର ସମଗ୍ର ମନ ଆକାଶକୁ ଘୋଡ଼େଇ ଦେବାକୁ ବସିଥିଲା । ସନ୍ଧ୍ୟାର ପ୍ରକୃତି ବର୍ଣ୍ଣନା କିଛି ବୁଝି ପାରୁନଥିଲା ସେ । ସାମ୍ନାରେ ତାର ନବଯୌବନା ସୁଶ୍ରୀ ଲଳନା । ଏକ ଘୃତ ପିଣ୍ଡ । ପ୍ରକାଶ ମନର କାମାଗ୍ନି ଏଇ ଘୃତ ପିଣ୍ଡକୁ ଜାଳି ଭସ୍ମ କରିଦେବାକୁ ଲାଳାୟିତ । ପ୍ରତିଟି ମୁହୂର୍ତ୍ତରେ ହାତ ଯୋଡ଼ିକ ସନ୍ଧ୍ୟାକୁ ନିଜ ଛାତି ଉପରକୁ ଟାଣି ଆଣିବାକୁ ତତ୍ପର । ଲାଗି ଲାଗି ଯାଉଛି ସେ ସଂଧ୍ୟାର ପାଖକୁ ।

 

ହଠାତ୍‍ ପଶ୍ଚିମାକାଶରେ କେଡ଼େ ବଡ଼ଧରଣର ବିଜୁଳିର ଚମକ ସାଙ୍ଗକୁ ମେଘ ଦେହରେ ମେଘ ପିଟି ହେବାର କାନ ଅତଡ଼ା ଶବ୍ଦ । ଚମିକି ପଡ଼ିଲା ସନ୍ଧ୍ୟା, ସାଥରେ ପ୍ରକାଶ ବି । ଘୂରି ପଡ଼ିଲା ପଛକୁ ସନ୍ଧ୍ୟା । ପଛରେ ପ୍ରକାଶର ଦୁଇବାହୁ ଖୋଲା ଆଖି ସାମ୍ନାରେ ଚଉଡ଼ା ଛାତି ।

 

ସନ୍ଧ୍ୟା ଢ଼ଳି ପଡ଼ିଲା କି ପ୍ରକାଶ ଟାଣି ଧରିଲା... । ମାତ୍ର ପର କ୍ଷଣରେ ନିଜ ଛାତି । ଉପରେ ଚାପି ଧରିଲା ପ୍ରକାଶ ସନ୍ଧ୍ୟାକୁ ।

 

ଏଇ ଛାଡ଼ନ୍ତୁ । ଚାଲନ୍ତୁ ତଳେ ହୁଏତ ମିସ୍ ରଜନୀ ଅପେକ୍ଷା କରିବେ ।

 

ଉଁ ଛାଡ଼ିବାକୁ ନାରାଜ ପ୍ରକାଶ । ମାତ୍ର ସନ୍ଧ୍ୟା ଆପଣାଛାଏଁ ମୁକ୍ତ ।

 

... ରଜନୀ କିଏ... ସେଇ ନର୍ସ ତ ।

 

... ହଁ... ଆସନ୍ତୁ । କହି କ୍ଷିପ୍ର ପଦକ୍ଷେପରେ ଶିଡ଼ି ଓହ୍ଲାଇ ଗଲା ସନ୍ଧ୍ୟା, ପଛରେ ପ୍ରକାଶ । ପ୍ରକାଶର ମନ ହେଉଥିଲା ଆଗକୁ ବଢ଼ି ପଥ ରୋକନ୍ତା ସନ୍ଧ୍ୟାର । ଖୁବ୍‍ ବଡ଼ ପାଟିରେ ଚିତ୍କାର କରି କହନ୍ତା ତାର କୌଣସି ଆଗ୍ରହ ନାହିଁ ସେଇ ନର୍ସ ଉପରେ । ସେ କେବଳ ସନ୍ଧ୍ୟାକୁ ଚାହେଁ । ତାର ଗୋଲାପ କଢ଼ି ପରି ନମନୀୟ ଦେହଟିକୁ ଦଳି ମକଚି ଦେବାକୁ ଚାହେଁ ।

 

କିଛି କହି ପାରିଲାନି ପ୍ରକାଶ । ମନର ବେଦନା ମନରେ ରଖି ଧୀର ପଦକ୍ଷେପରେ ତଳକୁ ଓହ୍ଲାଇଲା । ସାମ୍ନାରେ ସନ୍ଧ୍ୟା ।

 

... ବି କୁଲ ୟାର୍ । ଆଇନାରେ ଦେଖନ୍ତୁ ତ ଆଖି ଯୋଡ଼ାକ କେମିତି ଲାଲ ହୋଇଛି । ସନ୍ଧ୍ୟାର ନିର୍ବିକାର ଓ ଶାନ୍ତ ଉପଦେଶ ।

 

ଆଇନାରେ ଦେଖିଲା ପ୍ରକାଶ । ଲଜ୍ଜିତ ହେଲା ନିଜଠି ।

 

... ରାମୁକାକା, ରଜନୀ ଦିଦୀ ଆସି ନାହାନ୍ତି ଏଯାଏ ?

 

... ଏବେ ଏବେ ହିଁ ଆସିଛନ୍ତି । ମା’ଙ୍କ ସହ ମନ୍ଦିର ଘରକୁ ଯାଇଛନ୍ତି । ବୋଧହୁଏ ମା ପଚାରୁଥିଲେ ତୁମ କଥା । ମୁଁ କହିଲି ଉପରେ ଅଛନ୍ତି । ହଉ ହଉ ଠିକ୍ ଅଛି । ଆସନ୍ତୁ ପ୍ରକାଶ ବାବୁ ଏଇଠି ବସି ପେପର ଟିକିଏ ଦେଖୁଥାନ୍ତୁ ମୁଁ ମୋ ରୁମରୁ ଟିକିଏ ଆସୁଛି ।

 

କୁରଙ୍ଗୀ ଭଙ୍ଗୀରେ କଟାକ୍ଷ କରି ତରଙ୍ଗାୟିତ ଗତିରେ ଆଖି ସାମ୍ନାରୁ ଦୂରେଇ ଗଲା ସନ୍ଧ୍ୟା । ପ୍ରକାଶ ସ୍ତବ୍ଧ, ଘଟଣାବଳୀର ଗତି ସହ ମସ୍ତିଷ୍କ ତାର ତାଳ ଦେଇ ପାରୁନି ।

 

ସାମ୍ନା ଦରଜା ଦେଇ ପଶିଆସିଲେ ଦୁଇଜଣ ମହିଳା । ଜଣେ ପୂର୍ବ ପରିଚିତା ଗୃହ ମାଲିକାଣୀ । ସାଥିରେ ଇସ୍ତ୍ରୀକର ଧଳା ଶାଢ଼ି... ଧଳା ବ୍ଲାଉଜ ସାଙ୍ଗକୁ କେଶରେ ଧଳା ରିବନ ପରିହିତା ତରୁଣୀ । ମୁହଁର ଚେହେରା ସେତେଟା ସୁନ୍ଦର ନ ହେଲେ ବି ଆକର୍ଷଣୀୟ । ସାଧାରଣ ଉଚ୍ଚତା, ଗମ୍ଭୀର ମୁଦ୍ରା, ସଦ୍ୟ ପ୍ରସ୍ଫୁଟିତ ଶୁଭ୍ର ମଲ୍ଲିକା । ମୁଖମଣ୍ଡଳ କମ୍ ବୟସର କମନୀୟତା ଦର୍ଶାଉଥିଲେ ମଧ୍ୟ ମୁହଁର ଭାବ ଦର୍ଶାଏ ସେ ଅନେକ ଅନୁଭୂତିର ଅଭିଜ୍ଞ । ଏଇ ତେବେ ରଜନୀ ।

 

ମନେ ମନେ ଭାବିଲା ପ୍ରକାଶ । କେତେ ଭିନ୍ନ ଏ ଉଷା ଏବଂ ସନ୍ଧ୍ୟାଠାରୁ । କେତେ ପ୍ରକାଶକୁ, କେତେ ଉଷା ତଥା କେତେ ସନ୍ଧ୍ୟାକୁ ନିଜ କାନି ପଣତରେ ସାଉଁଟି ନିଜ ଭିତରେ ହଜାଇ ଦେଇପାରିବା କ୍ଷମତାର ଅଧିକାରିଣୀର ଭାବ ଚେହେରାରୁ ସୁସ୍ପଷ୍ଟ । ହୁଁ କମ୍ ନୁହଁ । ଏ ୟା’ଠୁ ଦୂରେଇ ରହିବା ହିଁ ଶ୍ରେୟ ।

 

ପାଦ ଉଠାଇ ବାହାର ଗେଟ୍ ଆଡ଼କୁ ମୁହାଁଉଥିଲା ପ୍ରକାଶ । ପାର୍ଶ୍ଵର ଦ୍ଵାର ଦେଇ ଧସେଇ ପଶି ଆସିଲା ସନ୍ଧ୍ୟା ।

 

ଓଃ ଗୁଡ଼ ଇଭିନିଙ୍ଗ୍‍ ସିଷ୍ଟର, କୁଆଡ଼େ ଚାଲିଲେ ପ୍ରକାଶବାବୁ । ମିଟ୍ ଦିସ୍ ଇଜ୍ ମିସ୍ ରଜନୀ ଆଣ୍ଡ ୟୁ ଆର ପ୍ରକାଶ ।

 

ହେଲୋ ସଂକ୍ଷିପ୍ତ ସମ୍ଭାଷଣ ।

 

ନମସ୍କାର ସାର୍ ! ଉତ୍ତର ଦେଲା ରଜନୀ- ଆପଣଙ୍କ ବିଷୟରେ ଅନେକ କଥା ଶୁଣିଛି ଏଇ ସନ୍ଧ୍ୟାଙ୍କଠାରୁ । ଆପଣ ବି ଆମ କେନ୍ଦୁଝରବାସୀ ନା !

 

ହଁ ଏଥର ମୁଁ ଆସିବି ସନ୍ଧ୍ୟା । ମାଉସୀ ମୋର ଡେରି ହେଉଛି । ପରେ ଆସିଲେ ଦେଖାହେବ। ଓକେ ।

 

ସାମ୍ନାରୁ କୌଣସି ଉତ୍ତର ଅପେକ୍ଷା ନକରି ପାଦ ଉଠାଇ ଚାଲିଗଲା ବାହାରକୁ । ପରକ୍ଷଣରେ ସମସ୍ତଙ୍କର ଦୃଷ୍ଟିରୁ ଦୂରେଇ ଗଲା ମେନ୍ ଗେଟ୍ ଡେଇଁ । ରଜନୀଠାରୁ ଦୂରରେ ରହିବାକୁ ଚାହୁଁଥିଲା ସେ । ପ୍ରଥମ ଦୃଷ୍ଟିରେ ହିଁ ସେ କେମିତି ନିଜକୁ ନ୍ୟୁନ ମଣୁଥିଲା ରଜନୀଠାରେ-

 

‘ସିମସ୍‍ ଠୁ ଅରଜେଣ୍ଟ - ରଜନୀର ମନ୍ତବ୍ୟ ।

 

ନାଇଁଲୋ ଝିଅ ସେ ପୁଅଟା ଖୁବ୍ ଖୁସ୍ ମିଜାଜର । ଏମିତି କ’ଣ କାମ ଥିବ ବୋଲି ଚାଲି ଗଲା ସିନା । ନଚେତ୍...

 

ହଁ ଦିଦି ହି ଇଜ୍ ଏ ଫାଇନ୍ ଜେଣ୍ଟଲମ୍ୟାନ୍... ।

 

ତେବେ ମୁଁ ବି ଏବେ ଆସିବି ମାଉସୀ ।

 

ଦିଦି ସେଇ ହସ୍ପିଟାଲଟାରେ କ’ଣ ଏମିତି ଅଛି ଯେ କୋଉଠି ଘଣ୍ଟାଏ ରହିବାକୁ ନାରାଜ । ଏଇଠି ମୋ ପାଖରେ ରହିବାକୁ ତ ମନାକଲା । ଏବେ ଘଣ୍ଟାଏ ଅଧେ ସାଙ୍ଗରେ କାଟିବାକୁ ବି ନାରାଜ୍ ।

 

ନାଇଁ ସେ କଥା ନୁହେଁ ଯେ, ସେବିକା ତ ସେବା ଛଡ଼ା ଏଠି ଅନ୍ୟର ସେବା ନେବା ଯୁକ୍ତିଯୁକ୍ତ ନୁହଁ । ତା’ପରେ ସାର ତ ଏବେ ସେଠି ଅଛନ୍ତି । ଲିବର୍ଟିର ଫାଏଦା ଉଠାଇବା ଅନୁଚିତ । ତମେ ବଡ଼ ହେଲେ ସବୁ ଜିନିଷ ବୁଝି ପାରିବ । ଏବେ ଆସୁଛି ଓକେ ।

 

ଦିଦି କାଲି ଆସିବ । ସନ୍ଧ୍ୟାରେ ଅପେକ୍ଷା କରିବି ।

***

 

‘ଷୋହଳ’

 

ସମୟ ଭାରି ବେପରୁଆ । କାହାରିକୁ ଖାତିର ନାହିଁ, ନିର୍ଦ୍ଦିଷ୍ଟ ବେଗରେ ଆଗକୁ ବଢ଼ିଚାଲେ । କୌଣସି ବାଧା ପ୍ରତିବନ୍ଧକ ତାକୁ ରୋକିପାରେନି।

ଗାଁରୁ ଆସିବାର ମାସେ ବିତିଗଲାଣି । ଘରୁ ଖଣ୍ଡେ ଚିଠି ମଧ୍ୟ ପାଇନି ୟା ଭିତରେ ପ୍ରକାଶ । ତାର ନିଜର ସ୍ୱାଭିମାନର ଫଳ, ନିଜର ଉପେକ୍ଷାର ଫଳ । ଆସିଲାବେଳେ ପଦଟିଏ କଥା ମଧ୍ୟ କହି ନଥିଲା ବାପାକୁ କି ବୋଉକୁ ତାର । ସେମାନେ କିଆଁ ୟା ନେଇ ଚିନ୍ତିତ ହୁଅନ୍ତେ ଯେ...

ପ୍ରକାଶ ବି ତ ୟା ଭିତରେ ଘରକଥା ଆଦୌ ଚିନ୍ତା କରିନି । ବାପା, ବୋଉ, ଭାଇ, ଭଉଣୀ କାହାକଥା ଭାବିନି ମୁହୂର୍ତ୍ତକ ପାଇଁ । କେବଳ ସନ୍ଧ୍ୟାର ହୃଦୟଗଡ଼କୁ ଜିତିବା ପାଇଁ ଅଭିଯାନମାନ ଚଳାଇଆସିଛି । ଯୁଦ୍ଧ କରିଛି ବେପରୁଆ ସମୟ ସାଥରେ । କେବେ ଯୁଦ୍ଧ କରୁ କରୁ ହୃଦୟରେ ଘା’ ନେଇ ଫେରିଛି ତ କେବେ । ଯୁଦ୍ଧ ଜିଣୁ ଜିଣୁ ଥକିଯାଇଛି । ଲକ୍ଷ୍ୟକୁ ହାତେଇ ପାରିନି । ମାତ୍ର ଯୁଦ୍ଧ ଜାରି ରଖିଛି ।

ସନ୍ଧ୍ୟା ପ୍ରକାଶର ହୃଦୟର ଭାବ ବୁଝି ପାରିଛି କି ନା ପ୍ରକାଶ ଜାଣିନି ମାତ୍ର ତାର ସନ୍ଧ୍ୟାକୁ ଜିତିବାର ପ୍ରତ୍ୟେକଟି ପଦକ୍ଷେପକୁ ସହିଛି ସେ । ଯଦିଓ ନିର୍ବିକାର ଭାବେ ଭ୍ରୂକ୍ଷେପ ନକରି । ସନ୍ଧ୍ୟା ପ୍ରତି ପ୍ରକାଶ ହୃଦୟର ଦୁର୍ବଳତା ପ୍ରକାଶ କଲାବେଳେ ଯଦିଓ ସନ୍ଧ୍ୟା ସହଯୋଗ କରିନି ପ୍ରତିରୋଧ ମଧ୍ୟ କରିନି । କେବେ ଆଗକୁ ବଢ଼ି ସନ୍ଧ୍ୟାକୁ ବାହୁରେ ଭିଡ଼ି ଧରିବାକୁ ଉପକ୍ରମ କଲାବେଳେ ପ୍ରତିରୋଧ କରିନି କି ଆବେଗରେ ଜଡ଼ି ଯାଇନି ପ୍ରକାଶର ଛାତିରେ । ବରଂ ରଜନୀକୁ ପରସ୍ପର ମଝିରେ ଉତ୍‍ଥାପିତ କରି ପରସ୍ପର ମଝିରେ ଅନ୍ତରାୟ ସୃଷ୍ଟି କରିଛି । ମାତ୍ର ସମୟ ସାଥିରେ ସେ ପକ୍ୱ ହୋଇଚାଲିଛି । ଚପଳତା ଛାଡ଼ି ଦିନକୁ ଦିନ ଗମ୍ଭୀର ହୋଇପଡ଼ୁଛି । ପ୍ରକାଶର ସରଳ ହୃଦୟ ତାର ପରିବର୍ତ୍ତନର କାରଣକୁ ବୁଝି ପାରୁନି ।

ଆଜି ଗାଁରୁ ଚିଠିଟିଏ ଆସିଛି । ଲଫାପା ପଛପଟେ ତାର ଗାଁର ଠିକଣା ଲେଖା ହୋଇଛି-। ଘର ଖବର ଥିବ, ମନରେ ଖୁସି ହେଲା ପ୍ରକାଶ । ମାତ୍ର ହସ୍ତାକ୍ଷର ତା’ର ପରିଚିତ ନୁହଁ-। ସୁନ୍ଦର ହସ୍ତାକ୍ଷର ଜ୍ୟୋସ୍ନା କି ଅନ୍ୟ ଭାଇ ଭଉଣୀଙ୍କର ଅକ୍ଷର ତ ଏମିତି ନୁହଁ । ତେବେ କିଏ ଏ ପ୍ରେରକ-। ଆଗ୍ରହ ସହକାରେ ଲଫାପା ଖୋଲି ପଢ଼ିବସିଲା ପ୍ରକାଶ । ପ୍ରଥମେ ଚିଠି ଖୋଲି ଶେଷ ଧାଡ଼ିଟି ପଢ଼ି ପକାଇଲା । “ଇତିହତ ଭଗିନୀ ଉଷା । ଆଶ୍ଚର୍ଯ୍ୟ ହେଲା ପ୍ରକାଶ । ଏତେ ସୁନ୍ଦର ହସ୍ତାକ୍ଷର ଉଷାର । ଗାଁ ସ୍କୁଲରେ ମାଇନର ପାସ୍ କଲା ପରେ ପାଖ ସରକାରୀ ହାଇସ୍କୁଲରେ ଦୁଇବର୍ଷ ପଢ଼ିଥିଲା ସେ ବୋଲି ପ୍ରକାଶ ଜାଣିବାକୁ ପାଇଥିଲା । ମାତ୍ର କେବେ ତାର ବୁଦ୍ଧିମତ୍ତା ତଥା ହସ୍ତାକ୍ଷର ଦେଖି ଜାଣିବାର ସୁଯୋଗ ପାଇ ନଥିଲା । ତେବେ ସେ ଏମିତି ଗୋଟେ ଅସମୟରେ ଏମିତି ଚିଠିଟାଏ କାହିଁକି ଲେଖୁଛି । କ’ଣ କିଛି ଅଘଟଣ ଘଟି ନାଇଁ ତ । ମନରେ ଆଗ୍ରହ ହେଲା ପ୍ରକାଶର ଚିଠି ପଢ଼ିଲା......

ପ୍ରକାଶ ଭାଇ,

ଆନ୍ତରିକ ନମସ୍କାର ନେବ । ଅତୀତରେ ଏଇମିତି ଗୋଟେ ଦିନକୁ କଳ୍ପନା କରି କେତେ କ’ଣ ସମ୍ବୋଧନ କରି ଶିହରିତ ହେଉଥିଲି । ତୁମଠୁ ଦୂରରେ ରହି ତୁମ ପାଖକୁ ଚିଠି ଖଣ୍ଡେ ଲେଖନ୍ତି ଆତ୍ମୀୟତାର ସହ ଶବ୍ଦ ଖଞ୍ଜି ।

ଏଇମିତି ଗୋଟେ ସ୍ଵପ୍ନ ଦେଖୁଥିଲି।

ଭାଗ୍ୟ ମୋର ସେଇମିତି ସୁଯୋଗ ଗୋଟେ ଆଣି ଥୋଇ ଦେଇଛି ମୋ ସାମ୍ନାରେ । ମାତ୍ର ଚିତ୍ରପଟର ପାର୍ଶ୍ଵ ବଦଳି ଯାଇଛି ଆଜି । ମୋ ଜୀବନ ନଉକା ଆଦି କାଳର କ୍ଷିପ୍ର ସ୍ରୋତରେ ପଡ଼ିଯାଇଛି ପ୍ରକାଶ ଭାଇ । ସାମ୍ନାରେ କାଳ ଭଉଁରୀ, ଉଭୟ ପାର୍ଶ୍ୱରେ ଘୋର ତୁଫାନ । କୁଳ କିନାରା ପାଉ ନାହିଁ ପ୍ରକାଶ ଭାଇ । ଆଖିସାମ୍ନାରେ ଅନ୍ଧାର ଘୋଟି ଯାଉଛି ।

 

ବାପା ମୋର ବାଙ୍କାଚରଣଙ୍କ ହାତରେ ଟେକି ଦେବାକୁ ଜିଦ୍ ଧରିଛି । ହଁ ସେଇ ବାଙ୍କା ଯେ ତମ ସହ ପଢ଼ୁଥିଲା ଗାଁ ସ୍କୁଲରେ । ଏବେ ରାଜଗାଙ୍ଗପୁର ସିମେଣ୍ଟ ଫାକ୍ଟ୍ରିରେ କାମ କରୁଛି । ତାର କାମ ପାଇଁ ମୁଁ ତାକୁ ନାପସନ୍ଦ କରୁନି । ସେ ବାପ ମା ଛେଉଣ୍ଡ ବୋଲି ବି ନୁହେଁ । ମାତ୍ର ତାର ମଦପିଆ ଅଭ୍ୟାସ ତଥା ଚରିତ୍ରହୀନତାକୁ ମୁଁ କିପରି ସହିବି । ଜଣେ ଚରିତ୍ରହୀନ ମଦୁଆ ଲୋକର ହାତ ଧରି କେମିତି କାଟିବି ସାରା ଜୀବନ । ତାଠୁଁ ତ ଏମିତି ସାରା ଜୀବନ ଏକା ଏକା କାଟି ଦେଇ ପାରିବି । ମାତ୍ର ବାପା ମୋର ଜିଦ୍ ଧରିଛି । ଏଇ ସନ କାମ ଉଠାଇ ଦେବ । ତାରା ମାଉସୀ ବହୁତ ବୁଝାଇଛନ୍ତି ବାପାକୁ ନିଜ ହାତରେ ଝିଅର ଭବିଷ୍ୟତ ନଷ୍ଟ ନକରିବାକୁ । ମାତ୍ର ତା ମସ୍ତିଷ୍କରେ ତ ବିଛା କାମୁଡ଼ିଛି । କିଛି ମାନୁନି ।

 

ପ୍ରକାଶ ଭାଇ, ତୁମକୁ ମନେ ମନେ ଚାହିଁବାର କ’ଣ ଏଇ ଫଳ, ତୁମକୁ କେବେ କିଛି ମାଗିନି ପ୍ରକାଶ ଭାଇ । ଏବେ ଅଳି କରୁଛି ତୁମର ପାଦ ତଳେ । ମୋ ବାପାଙ୍କୁ ବୁଝାଇ ମୋତେ ଏ ସଙ୍କଟରୁ ଉଦ୍ଧାର କର । ମୁଁ କେବେ ତୁମ ସୁଖୀ ସଂସାରକୁ ପଶିବିନି । ସାରା ଜୀବନ ଏମିତି କଟାଇ ଦେବି ମୋତେ ଏ କାଳ ଭଉଁରୀରୁ ରକ୍ଷା କର ।

 

ଅଧିକ କ'ଣ ଲେଖିବି, ମଙ୍ଗଳମୟୀ ମା ତୁମ ଚଲା ପଥରେ ସୁମନ ବର୍ଷନ୍ତୁ ।

 

ଇତି ହତଭାଗିନୀ ଉଷା ।

 

ହୁଁ ସାରା ଦୁନିଆର ସୁଖ ଦୁଃଖର ଠିକା ନେଇଛି ମୁଁ । ବୋଉ ତ ବୁଝାଇଲା ସେ ବୁଢ଼ାଟା ଯଦି ବୁଝିବାକୁ ନାରାଜ ତେବେ ମୁଁ କ’ଣ ବୁଝାଇବି । କେତେ ବାହାଘର ତ ଲଗ୍ନ ମଣ୍ଡପରୁ ଭାଙ୍ଗି ଯାଉଛି ଆଉ ଇୟେ ଗୋଟେ କଥା । ପ୍ରସ୍ତାବ ପଡ଼ିଲା, ପସନ୍ଦ ହେଲାନି, ଭାଙ୍ଗି ଗଲା । କେହି ଯଦି ଆଗ ପଛ ହାନି ଲାଭ ବିଚାର ନକରି ଭଲପାଇ ବସେ କାହାକୁ, ତାରି ଫଳ ସେ ଭୋଗିବନି ତ ଆଉ କିଏ ଭୋଗିବ । ତା’ପରେ... ବାଙ୍କଟା ଖରାପ କ’ଣ ଯେ, ଦୁନିଆରେ କେତେ ଲୋକ ଘର ସଂସାର କରି ସୁଖରେ ରହୁଛନ୍ତି, ସେମାନେ ସମସ୍ତେ କ’ଣ ଚରିତ୍ରବାନ୍ । କେତେ ଗୁଣ୍ଡା ବଦ୍‍ମାସ ଚୋର ଖଣ୍ଟ ବିବାହ ପରେ ସୁଖରେ ସଂସାର କରୁଛନ୍ତି । ଏବେ ତୁମକୁ ଯଦି ପସନ୍ଦ ନହୁଏ ତେବେ କିଏ କ’ଣ କରିବ ।

 

ଚିଠିଟା ମୋଡ଼ି ଦେଇ ତକିଆ ତଳେ ରଖିଦେଲା ପ୍ରକାଶ । ଏଠି ନିଜ ଅବସ୍ଥା । ଅସମ୍ଭାଳ, ଅନ୍ୟର ଅବସ୍ଥା କିଏ ଦେଖୁଛି । ବାପ ପୁଅର ମନକଥା ବୁଝୁଛି ନା ମା ଝିଅର ମନକଥା ବୁଝୁଛି । ସମସ୍ତେ ନିଜ ନିଜ କ୍ଷେତ୍ରରେ ନିଜ ନିଜ ଯୁକ୍ତିରେ ଗରିୟାନ ।

 

କିଛି ଭଲ ଲାଗୁନି, କ’ଣ କରିବ ଭାବୁଛି । ତ୍ରିଲୋଚନ ସରଳ ଲୋକଟାଏ । ମନରେ ଆଘାତ ପାଇଛି । ସ୍ୱପ୍ନ ରାଇଜରେ ଉଡ଼ୁ ଉଡ଼ୁ ମୁହଁମାଡ଼ି ତଳେ ପଡ଼ିଛି । ସେଇଥିପାଇଁ ତାର ଏ ଜିଦ୍-। କାଉଁରିଆ କାଠି ସେ । ଅଟଳ ରହିବ ତାର ଜିଦ୍‍ରେ । କାହା କଥା ମାନିବନି ସେ । ବାହାଘର ନିଶ୍ଚୟ କରିବ ସେ ।

 

ଝିଅ ବାହାଘର ଜାନିଯୌତୁକ ବ୍ୟାପାର, ପଇସା ପତ୍ର ଭାରି ଦରକାର । ଏମିତି ସମୟରେ କିଞ୍ଚିତ ସାହାଯ୍ୟ ଲୋଡ଼ୁଥିବ ନିଶ୍ଚୟ । ତେବେ କିଛି ଟଙ୍କା ପଠାଇବାର ବ୍ୟବସ୍ଥା କରିବ ସେ ।

 

ଭାବୁ ଭାବୁ ଅର୍ଦ୍ଦଳିକୁ ଡାକି ମନିଅର୍ଡର ଫର୍ମଟିଏ ଆଣିବାକୁ କହିଲା । ଟ୍ରଙ୍କରୁ ବାହାର କଲା ୧୦ଟଙ୍କିଆ ନୋଟ୍ ବିଡ଼ାଟାଏ । ପୁରା ହଜାରେ ଟଙ୍କା, ପାଇଲେ ତ୍ରିଲୋଚନ ଖୁସି ହୋଇଯିବ-। ଅନେକ କାମରେ ତାର ଲାଗିବ । ପୁଣି ଥରେ ଗଣି ନେଲା ।

 

ଅର୍ଦ୍ଦଳି ମନିଅର୍ଡର ଫର୍ମଟିଏ ବଢ଼ାଇ ଦେଲା । ନିଜ ହାତରେ ଠିକଣା ଲେଖିଲା ପ୍ରକାଶ । ସନ୍ଦେଶ ଜାଗାରେ ଉଷା ନାଁରେ ଛୋଟ ଚିଠିଟାଏ ଲେଖିଦେଲା ।

 

ଉଷା,

 

କ୍ଷମା କରିବ ତୁମ ଅନୁରୋଧଟିକୁ ରଖି ପାରିଲି ନାହିଁ । ମୋର ଶବ୍ଦକୋଷ ତୁମ ବାପାଙ୍କୁ ବୁଝାଇ ପାରିବ ନାହିଁ । ବାପାଙ୍କ କଥାରେ ରାଜି ହୋଇ ବିବାହ କରିନେବ । ସମୟ ସବୁକିଛି ବଦଳାଇ ସୁଧାରି ଦେବ ।

 

ଇତି

ପ୍ରକାଶ

 

ମନିଅର୍ଡର ଫର୍ମଟା ଯଥାରୀତି ପୁରଣକରି ଅର୍ଦ୍ଦଳି ହାତକୁ ବଢ଼ାଇ ଦେଲା ପ୍ରକାଶ ନୋଟ ବିଡ଼ାଟା ସହ । ଅର୍ଦ୍ଦଳି ଫର୍ମ ସହ ଟଙ୍କା ବିଡ଼ାଟା ଧରି ବୁଲିପଡ଼ି ଚାଲିଗଲା କବାଟ ପାର ହୋଇ । ଦୀର୍ଘଶ୍ୱାସଟାଏ ଛାଡ଼ିଲା ପ୍ରକାଶ ।

***

 

‘ସତର’

 

ସୁଧାଂଶୁଙ୍କର ପରିବାରରେ ଆଗର ଚମକ ଆଉ ନାହିଁ । ପରସ୍ପର ମଧ୍ୟରେ ସ୍ନେହ ସୋହାଗ ଭରା ଏଇ ମର୍ତ୍ତ୍ୟର ବୈକୁଣ୍ଠଟି ପ୍ରକାଶ ଯିବା ପରଠାରୁ ଅଶାନ୍ତି ଓ ଅସହିଷ୍ଣୁତାର ପ୍ରତୀକ ବନି ଯାଇଛି । ଘରର କୌଣସି ସଦସ୍ୟଙ୍କ ମୁହଁରେ ହରଷ ନାହିଁ । ପ୍ରତ୍ୟେକେ ନିଜ ନିଜର ଭାବନା ରାଜ୍ୟର ରାଜା । କେହି ଆଣ୍ଟିବାକୁ ନାହିଁ । କାହାରି ଜୋର ନାହିଁ ସମସ୍ତଙ୍କୁ ଏକତ୍ର କରି ବାନ୍ଧି ରଖିବାକୁ । ମୋହ ଡୋର ଶିଥଳ, ସେହି ରଜୁ ସନ୍ଦେହ ଓ ଅବିଶ୍ୱାସର ଅସୀରେ ଖଣ୍ଡ ବିଖଣ୍ଡିତ ।

 

ଘରର ପ୍ରତ୍ୟେକ ସମସ୍ୟାକୁ ଅନାୟାସରେ ସମାଧାନ କରି ପାରୁଥିବା ଏବଂ ସବୁ କାମକୁ ନିମିଷକରେ କରି ଥୋଇ ପାରୁଥିବା ତାରାମଣି ଏବେ ସ୍ଥାଣୁ ପାଲଟି ଯାଇଛନ୍ତି । କୋଉ କଥାକୁ ତାଙ୍କର ନିଘା ନାହିଁ । ସବୁଠୁ ବେଶୀ ଆଘାତ ପାଇଛନ୍ତି ସେ ସେଦିନର ପ୍ରକାଶର ବ୍ୟବହାରରେ । ସକାଳୁ ଉଠି ସୂର୍ଯ୍ୟ ଦେବତାଙ୍କ ପାଖରେ ଗାଧୋଇ ସାରି ବୃନ୍ଦାବତୀଙ୍କ ପାଖରେ ଓ ଠାକୁର ଘରେ ସଞ୍ଜବତୀ ଜାଳିଲା ବେଳେ କେବଳ ଗୋଟିଏ ପ୍ରାର୍ଥନା କରୁଛନ୍ତି ଏବେ ସେ ମୋ ପୁଅକୁ ଭଲ ବୁଦ୍ଧି ଦିଅ ଠାକୁରେ, ଭଲ ବାଟ ଦେଖାଅ ।

 

ପ୍ରତିଟି ମୁହୂର୍ତ୍ତରେ ଛାତିରୁ ମମତା ଝରାଉଥିବା ତାରାମଣି ଏବେ କଥା କଥାକେ ଚିଡ଼ିଚିଡ଼ି ହୁଅନ୍ତି । ପୁଅଝିଅକୁ ଗାଳି ଗୁଲଜ କରନ୍ତି ଛୋଟ ଛୋଟ କଥାରେ । ଯାହାଠି ଏତେ ବିଶ୍ୱାସ କରୁଥିଲେ, ଯେ ଏତେ ସୁଧାର ଥିଲା ସେତ ପରିଣତ ବୟସରେ ଧୋକା ଦେଲା ଆଉ ଏ ମେଞ୍ଚଡ଼ ଟୋକାମାନେ କ’ଣ ଉପକାର କରିବେ ।

 

ନିଜର ସନ୍ତତିଙ୍କ ଠାରେ ମାର ଆତ୍ମା ନାହିଁ । ନିଜର ଜନ୍ମକରା ସନ୍ତାନମାନେ ଯେଉଁଠି ଅବହେଳିତ ସେଠି ଗୃହୋପକରଣ ଆସବାବପତ୍ର କଥା କିଏ ତନଖୁଛି । ଯୋଉ ଜିନିଷ ଯୋଉଠି ପଡ଼ୁଛି ସେଇଠି ସଢ଼ୁଛି । ଛୁଆ ଚାରୋଟିଙ୍କୁ ଏକା ସାଙ୍ଗେ ମା କେବେ ଦେଖିନି ପ୍ରକାଶ ଯିବା ପରଠୁ କି କେବେ ଲୋଡ଼ିନି ସେ ।

 

କି ଅପରାଧ କରିଥିଲା ସେ ପ୍ରକାଶର ? ଏ ପରିଣତ ବୟସରେ କାହିଁକି ଏତେ ଦୁଃଖ ଦେଲା । ତାର ଭଲ ହିଁ ତ କେବଳ ଚାହିଥିଲା ସେ । ପୁଅ ପାଇଁ ଯୋଗ୍ୟ ବୋହୂ । ବାଛିବା କଣ ଅପରାଧ ? ହେଲା ଏବେ ଅପରାଧ, ତାର ଏତେ ବଡ଼ ସଜା ! ! ଏବେ ବି ସେ ଉଷାଠାରୁ ଭଲ ବୋହୂଟିଏ କଳ୍ପନା କରି ପାରନ୍ତିନି । ତାଙ୍କ ଆଖିରେ ଉଷା ହିଁ କେବଳ ସର୍ବସୁଗୁଣାଧିକାରିଣୀ ।

 

ସେଇ ଉଷା ଏବେ ଯିବ ଆଉ କାହା ଗୃହ ମଣ୍ଡନ କରିବାକୁ । ହାତ ପାଆନ୍ତିରୁ ତାଙ୍କର ଗୃହଲକ୍ଷ୍ମୀକୁ ଛଡ଼ାଇ ନେଇ ଚାଲିଯିବ ଆଉ କେହି ଦୁଷ୍ଟ । ଆଖିଖୋଲି କେବଳ ଦେବେ ସେ ତାଙ୍କର କଳ୍ପନାକୁ ଅନ୍ୟର ବାସ୍ତବ ବନିବାରେ । ଦୁଃଖରେ, ଗ୍ଲାନିରେ ଛାତି ବାଡ଼େଇବେ ସିନା, ଆଉ କ’ଣ କରିବେ ।

 

ସୁଧାଂଶୁ ତ ସଦୈବ ବେପରୁଆ । ସବୁ କଠିନ ସମସ୍ୟାକୁ ଓଲଟପାଲଟ କରି ସହଜ ଖିଅଟେ ଧରିବାକୁ ପଟୁ । ମାତ୍ର ଏଇ ସମସ୍ୟାଟା ତାଙ୍କୁ ମଧ୍ୟ ଭାଙ୍ଗି ଦେଇଛି । ପ୍ରକାଶର ସେଦିନର ହୃଦୟର ଭାବକୁ ଠିକ୍ ବୁଝି ପାରିଥିଲେ ସେ । ମାତ୍ର ଏଇ ଦିନ ଗୁଡ଼ିକର ତାର ନିରବତାର କାରଣ ବୁଝି ପାରୁନାହାନ୍ତି । ପ୍ରକାଶଠି ତାଙ୍କର ବହୁତ ଆଶା, ଅନେକ ସ୍ଵପ୍ନର ମୂଳଦୁଆ ସେ । ଏତେ ଛୋଟ ଘଟଣାକୁ କେନ୍ଦ୍ରକରି ବାପା ମା ଭାଇ ଭଉଣୀ ତଥା ନିଜର ଜନ୍ମ ମାଟିଠୁ ଦୂରେଇ ରହିବାର ଉଦ୍ଦେଶ୍ୟ ବୁଝି ପାରନ୍ତିନି ସୁଧାଂଶୁ । ପ୍ରତ୍ୟେକ ଦିନ ପୋଷ୍ଟ ପିଅନକୁ ଅପେକ୍ଷା କରନ୍ତି । ନିରାଶାର ଦୀର୍ଘଶ୍ୱାସ ନେଇ ଫେରନ୍ତି ନିଜ ଅଗଣାକୁ ସେ ।

 

ଜ୍ୟୋସ୍ନା ଘରକାମ କରି ଥକିଲେ ଜ୍ୟୋତିପ୍ରଭା ଉପରେ ବିଗିଡ଼େ । ଜୋର କରି କୌଣସି ଏକ କାମ କରାଏ । ଅନଭ୍ୟସ୍ତ ହାତ ଭୁଲ କଲେ ତାରାଦେବୀ ଗାଳି କରନ୍ତି । ଆକାଶରେ ସୂର୍ଯ୍ୟ ଥିବାଯାଏ ପ୍ରଦୀପ୍ତର ଠିକଣା ମିଳେନାହିଁ । ବୁଝିବାକୁ କେହି ତତ୍ପର ବି ହୁଅନ୍ତି ନାହିଁ । ସୂର୍ଯ୍ୟ ଶୋଇବା ସାଙ୍ଗକୁ ସେ ବି ଶୋଇଯାଏ । ତାର ଅବୁଝାମନ ଟିକିଏ ସ୍ନେହ ପାଇଁ ହାହାକାର କରେ ମାତ୍ର ମାର ଗାଳି ଏବଂ ବାପାର ଗମ୍ଭୀର ମୁହଁ ଦେଖି ଡରିଯାଏ । ପରିଶେଷରେ ମାଟି ମାଡ଼ କୋଳକୁ ଆବୋରି ତାରି ସ୍ନେହ ଲୋଡ଼େ ହେଁସ ଉପରେ । କେବେ ଦୟାକରି ଜ୍ୟୋସ୍ନା କି ତାରାମଣି ଉଠାଇ ଖଟ ଉପରକୁ ନନେଲେ ବିଚରା ସେଇଠି ସୂର୍ଯ୍ୟ ଦେଖେ ଉଇଁବାର ।

 

ପ୍ରକାଶ ସ୍ନେହଡୋରକୁ କାଟି ଚାଲିଯାଇନି ଯେ, ଏଇ ଘରର ସମସ୍ତ ସ୍ନେହକୁ ସାଉଁଟି ଚାଲିଯାଇଛି ସାଥିରେ ନେଇ । ପ୍ରତ୍ୟେକଟି ଆତ୍ମା ଏଠି ସ୍ନେହ ପାଇଁ ହାହାକାର କରୁଛି । କାଲିର ବୈକୁଣ୍ଠପୁରୀ ଆଜି ନରକପୁରୀ ବନିଯାଇଛି ।

 

ବାଃରେ ସମୟ ! ୟେବି ତୋର ଖେଳ । ଉଚ୍ଚକୁ ତୁ ନୀଚ କରିବାରେ ତୁ ମାହିର ।

 

ଆଜି ଉଷାର ବାହାଘର । ବହୁତ ଥର ବୁଝାଇଛନ୍ତି ତ୍ରିଲୋଚନକୁ ତାରାମଣି ବର୍ଷଟାଏ ଅପେକ୍ଷା କରିବାକୁ । ମାତ୍ର ସେ ଗୋଟିଏ କଥା ମାନିନି, ଜିଦ୍ ଧରିଛି, ଭଲ ବର ମିଳିଛି । ଝିଅ ଉଠିଗଲେ ଶାନ୍ତିରେ ମରିବ ତା’ ପରେ... ପ୍ରକାଶକୁ କି ଭରସା, ହୁଏତ ଠିକ୍ ବୁଝିଛି ସେ ପ୍ରକାଶକୁ । ଯେତେ ସୂକ୍ଷ୍ମ ମସ୍ତିଷ୍କ ସେତେ ପରିବର୍ତ୍ତନଶୀଳ । ପ୍ରକାଶ ତ ଉର୍ଦ୍ଧ୍ୱମୁଖୀ । ହୁଏତ ତା ମନ ଆଉ କେବେ ଉଷା ଆଡ଼କୁ ଢଳିବନି ।

 

ପଡ଼ିଶା ଘରେ ବାହାଘର । ଲେଖାରେ ନହେଲେ ବି ଯୋଖାରେ ମାଉସୀ ଘର । ଏଇ ଘରେ ବଢ଼ି ଯୁବତୀ ହୋଇଛି ଉଷା । କି ବେଭାର ଦେବେ ତାର ବାହାଘରରେ ? କେମିତି ଯାଇକରି ନିଜର ସଞ୍ଚିତ ଆକାଂକ୍ଷାକୁ ଟେକିଦେବେ ଅନ୍ୟ ହାତକୁ । ଚିନ୍ତାରେ କିଛି ବୁଦ୍ଧି ଯୁଟୁନି । ସୁଧାଂଶୁ ଦୁଇ ଦିନ ଆଗରୁ ପାଟଟେ କିଣି ଆଣି ରଖିଛନ୍ତି । ହାତରେ ମୁଠାଏ ଟଙ୍କା ସହ ପିତଳ ଗରାଟିଏ ବନ୍ଦୋବସ୍ତ ହୋଇଛି । ନିଜେତ ଯାଇ ପାରିବେନି... କୋଉ ମୁହଁରେ ଯାଆନ୍ତେ ଯେ । ଜ୍ୟୋସ୍ନା ଆଉ ଜ୍ୟୋତିକୁ ତାଗିଦ୍ କଲେ ଯାଇକି ସବୁ ଜିନିଷ ଦେଇ ଆସିବାକୁ ।

 

ନିଜ ହାତରେ ପିତଳ ଗରାରେ ଚାଉଳ ଭରି ମୁହଁରେ ଖଲି ବାନ୍ଧିଲେ ତାରାମଣି । ପାଟଶାଢ଼ିକୁ ଜରିରେ ପୂରାଇ ଗଣିକରି ୨୫୦ ଟଙ୍କା ବଢ଼ାଇ ଦେଲେ ଜ୍ୟୋସ୍ନା ହାତକୁ । ଜ୍ୟୋତି ଗରା କାଖେଇ ଚାଲିଗଲା, ପଛେପଛେ ଜ୍ୟୋସ୍ନା । ଦୁଇ ଝିଅଙ୍କୁ ଯିବାର ଦେଖି ଦୀର୍ଘଶ୍ୱାସ ନେଇ ଉଠିଲେ ତାରାମଣି । ଚାଲିଲେ ବାଡ଼ି ପଟକୁ, କୂଅ ପାଖରେ ଠିଆ ହେଲେ ତ୍ରିଲୋଚନର ବାଡ଼ି ଦେଖାଯାଏ । ଗାଁ ମାଇପେ ରୁଣ୍ଡ ହେଲେଣି, ଝିଅକୁ ଗାଧୋଇ ଦେବେ । ଦୂରରୁ ହେଲେ ବି ଶେଷଥର ପାଇଁ ମନଭରି ଦେଖିନେବେ ଉଷାକୁ । ହୁଳହୁଳି ଶବ୍ଦ ଶୁଭୁଛି, ଚାରି ପାଞ୍ଚ ଗରା ପାଣି ଥୁଆ ହୋଇଛି ।

 

ମାତ୍ର ଏ କ’ଣ ତ୍ରିଲୋଚନର ପାଟି ଶୁଭୁଛି । ଚିତ୍କାର କରି କହୁଛି କ’ଣ ଗୁଡ଼ାଏ । ଗାଁ ମାଇପେ ଗୋଟିଏ ଗୋଟିଏ ହୋଇ ବାଡ଼ିରୁ ଅଗଣାକୁ ଚାଲି ଯାଉଛନ୍ତି କିଛି ଅଘଟଣ ଘଟିଲା କି ? ତାରାମଣି ମା ତାରିଣୀକୁ ସୁମରିଲେ ହି ମା ଜଗତ ତାରିଣୀ, ସବୁ କାମ ସୁରୁଖୁରୁରେ ସାରି ଦିଅ ମା-। ନିଜ ଅଜାଣତରେ ଦୁଇଟୋପା ଲୁହ ଗଡ଼ି ପଡ଼ିଲା ଆଖିରୁ ।

 

ଭାରି ମନରେ ପାଦ ଉଠାଇ ଆସିଲେ ଅଗଣାକୁ । ସାମ୍ନାରେ କାନ୍ଦୁରା ମୁହଁ ନେଇ ଜ୍ୟୋସ୍ନା ପଛକୁ କଇଁକଇଁ କାନ୍ଦୁଥିଲା ଜ୍ୟୋତି । କାଖରେ ତା’ର ନେଇଥିବା ଗରା ।

 

... ଆମେ ତ ତାଙ୍କର କେହି ନୋହୁ ବୋଉ, ନେ ତୋ ବେଭାର ସାଙ୍ଗରେ ଆମକୁ ମିଳିଥିବା ଅପମାନ ସାଇତି ରଖ ।

 

... ମୁଣ୍ଡରେ ବିଛାକାଟିଲା ତାରାମଣିଙ୍କର । କିଏ କ’ଣ କହିଲା ।

 

... ସେଇ ତ୍ରିଲୋଚନ, କହିଲା ମୋ ବାପ ଗୋସପା ଅମଳରୁ ତୋ ବାପା ସହ କି ତମ ପରିବାର ସହ ମୋର କୌଣସି ସମ୍ପର୍କ ଥିବାର ମୁଁ ଜାଣିନି । ଆଉ ଆଜି ଏ ବେଭାର କାହିଁକି ? ନେଇ ଯାଅ... । ଝିଅ ମୋର ଗରିବ ଘରକୁ ଯାଉଛି । ପିତଳ ଗରା କି ପାଟ ଶାଢ଼ି ତାର ଦରକାର ନାହିଁ ।

 

... ମୋ ଉଷା କିଛି କହିଲା ନାଇଁ ?

 

... ହୁଣ୍ଡି ଭଳି ଅନେଇ ଥିଲା । ସେ କ’ଣ କରନ୍ତା... ଏବେ କ’ଣ ଏଠିକା ଭାତ ତାକୁ ମିଳୁଛି ଯେ ତୋ ପକ୍ଷରେ କଥା କହନ୍ତା ।

 

... ଜ୍ୟୋସ୍ନା ସେମିତି କ’ଣ କହୁଛୁ । ହଉ ଯାଅ ରଖିଦିଅ ସବୁ।

 

... ଛାର ତିରଟା ଏତେ ବଡ଼ ଅପମାନ ଦେଲା । ସବୁ ସେଇ ପ୍ରକାଶ ପାଇଁ । ମନରେ ପ୍ରକାଶ ପାଇଁ ଉତ୍କଟ ଭାବ ଉଠିଲା । ଇଚ୍ଛା ହେଲା ମନ ଭରି ଅଭିଶାପ ଗୁଡ଼ାଏ ବର୍ଷ ଯାଆନ୍ତେ । ମାତ୍ର ପୁଅ ସେ... ତାର ଅମଙ୍ଗଳ ହେବ । ଶେଷରେ ଦୁଇ ଟୋପା ଲୁହ ଝରାଇଲେ ।

 

ସୁଧାଂଶୁ ସବୁ ଶୁଣିଲେ । ଅପମାନ କଥା ଶୁଣି ମୁହଁର ମାଂସପେଶୀ ଟାଣ ହୋଇଗଲା । ପରକ୍ଷଣରେ ସିଗାରେଟ୍‍ରେ ଅଗ୍ନି ସଂଯୋଗ କଲେ । ଟାଣି ଚାଲିଲେ ଗୋଟିଏ ପରେ ଗୋଟିଏ । ମୁହଁ ଖୋଲି ଛାଡ଼ିଦେଲେ ଧୁମ କୁଣ୍ଡଳୀ । ଧୀରେ ଧୀରେ ମାଂସପେଶୀ ସହଜ ହୋଇଗଲା । ଏବେ ସେ ପୂର୍ବପରି ନିର୍ବିକାର ।

 

ଘର ଦାଣ୍ଡରେ ବାଜାଶବ୍ଦ ହେଲା, ରୋଷଣୀ ଆଲୁଅରେ ଗାଁଦାଣ୍ଡ ଚମକିଲା । ମାଇକ୍ରୋଫୋନର ଲାଉଡ଼ ସ୍ପିକରରୁ କଥାଚିତ୍ର ଗୀତ ଶୁଣାଗଲା । କିଛି କ୍ଷଣ ପରେ ବ୍ରାହ୍ମଣର ବୈଦିକ ଉଚ୍ଚାରଣର ଧ୍ୱନିରେ ଗଗନ ପବନ ପ୍ରକମ୍ପିତ ହେଲା । ଗୋଟିଏ ଗୋଟିଏ କ୍ଷଣ ବିତିବା ସାଙ୍ଗକୁ ତାରାମଣିଙ୍କ ହୃଦୟରୁ ମମତାର ବନ୍ଧନର ଖୁଆ କୋହଳ ହୋଇ ବାନ୍ଧି ଦେଲା ଉଷା ଓ ବାଙ୍କା ଚରଣକୁ ଦୃଢ଼ ଭାବରେ ଜନ୍ମଜନ୍ମାନ୍ତର ସକାଶେ ।

 

ପୁଣି ବାଜା ରୋଷଣୀର ପୁନରାବୃତ୍ତି ହେଲା । କାହାର ବିକଳ କାନ୍ଦଣା ସବୁ । ଧ୍ୱନିକୁ ପଛକୁ ପକାଇ ଫୁଟି ପଡ଼ୁଥିଲା, ଫାଟି ପଡ଼ୁଥିଲା ଶବ୍ଦ ଓ କୋଳାହଳରେ ସୁଧାଂଶୁଙ୍କର ଛପର । ମାତ୍ର ଛପର ତଳ ବାସିନ୍ଦା ପ୍ରତିକ୍ରିୟାହୀନ... ।

 

କିଛି କ୍ଷଣ ପରେ ସବୁ ଶାନ୍ତ ହୋଇଗଲା । ଗ୍ରାମ୍ୟ ରଜନୀର ନିରବତା ଗ୍ରାସ କଲା ସର୍ବତ୍ର-। ସୁଧାଂଶୁଙ୍କର ଘରୁ ନିରବତା ବାହାରି ମିଶିଗଲା ରଜନୀର ନିରବତାଠି । ଉଷା ଚାଲିଗଲା ଗାଁରୁ, ତାଙ୍କ ପରିବାରରୁ ସବୁଦିନ ପାଇଁ ପର ହୋଇ ।

 

ସୁଧାଶୁଙ୍କର ଦାଣ୍ଡ କବାଟ ଖୋଲିଲା । ସୂର୍ଯ୍ୟଙ୍କର ଗତି ଆରମ୍ଭ ହେବାର ସାଥେ ସାଥେ ତାରାମଣି ବିଛଣାରୁ ଉଠି ଝାଡ଼ୁଧରି ଅଗଣା ଓଳାଇଲେ । ହଠାତ୍ କି ଖିଆଲରେ ଅଗଣାକୁ ଦରଓଳା ଛାଡ଼ି ଗଲେ ବାଡ଼ିପଟକୁ । କୁଅ ପାଖରୁ ନିଘାକଲେ ଉଷା । ଘରକୁ ଶୁଭ ପରିଣୟର ଅବଶେଷ ଚିହ୍ନକୁ ନିରେଖିଲେ । ଆଖ ଝାପ୍‍ସା ହୋଇଗଲା ଲୁହରେ । ଆଖିରେ ଦେଖାଗଲା ତିର ଘର ବାଡ଼ିରେ ଠିଆ ହୋଇଛି ଉଷା । କାନ୍ଦ କାନ୍ଦ କଣ୍ଠରେ କହୁଛି, ମୋତେ ତ ନିଜର ନକରି ପର କରିଦେଲ । ସପନରେ ଶିଡ଼ି ଚଢ଼ାଇ ଆର ପାରିକୁ ଠେଲି ଦେଲ । ମନେ ହେଲା ସାତବର୍ଷର ମା’ଛେଉଣ୍ଡ ପିଲା ଉଷା ତିର ବାଡ଼ିରୁ ଦଉଡ଼ି, ଦଉଡ଼ି ଆସି ତାରାମଣିଙ୍କର କୋଳରେ ପଶି ଯାଉଛି-। କହୁଛି ମାଉସୀ, ମୋତେ ତମ ଘରେ ରଖ, ବାପ ତଡ଼ି ଦେଉଛି । କୋହ ଉଠି କଣ୍ଠକୁ ରୁନ୍ଧି ପକାଇଲା ତାରାମଣିଙ୍କର । ଆଖି ଚିପୁଡ଼ି ଲୁହ ଦିଟୋପା ଗଡ଼ାଇ ଦେଲେ ନୂଆ ଚାନ୍ଦିନୀ ଉପରେ ।

 

-ପାଦ ଉଠାଇ ଫେରିଲେ ଭଗ୍ନ ମନରେ । ଆଜି ଅନୁଭବ ସେ ତାଙ୍କର ମାତୃତ୍ୱ ହାରିଯାଇଛି । ମମତା ବିକି ହୋଇଯାଇଛି । କି ପାଇଁ ଲୋଡ଼ା ଆଉ ଏ ଜୀବନ । ସାମ୍ନାରେ ସୁଧାଂଶୁ, ଆଗକୁ ବଢ଼ି କାନ୍ଧରେ ହାତ ରଖିଲେ ତାରାମଣିଙ୍କର । କହିଲେ ପ୍ରକାଶ ଆମକୁ ବହୁତ ତଳକୁ ଖସେଇ ଦେଲା ।

***

 

‘ଅଠର’

 

ମଣିଷ ପ୍ରକୃତିର ତିନୋଟି ଗୁଣ । ସତ୍ତ୍ୱ, ରଜ, ତମ । ପ୍ରକାରାନ୍ତରେ କହିବାକୁ ଗଲେ ସବୁ ମଣିଷର କିଛି ନକରିବାର ଇଚ୍ଛା, ଯାହା କିଛି କରିଯିବାର ଇଚ୍ଛା ଏବଂ ଭାବିଚିନ୍ତି ସବୁ ଦିଗକୁ ଦୃଷ୍ଟି ଦେଇ ଠିକ୍ କାମ କରିବାର ଇଚ୍ଛା ଥାଏ । ତମର ଅର୍ଥ ଅନ୍ଧକାର । ଅର୍ଥାତ୍ କିଛି ନକରି ଅନ୍ଧକାରରେ ଘାଣ୍ଟି ହେବା । ରଜର ଅର୍ଥ କର୍ମ, ଆକର୍ଷଣ ବିକର୍ଷଣ ୟାର ଧର୍ମ । ଯୁକ୍ତ ବିଯୁକ୍ତ ଦୁଇଟି ନିୟମ । ଏଇ ଦୁଇଟିର ମଧ୍ୟସ୍ଥଳ ହେଲା ସର । ସବୁ ମଣିଷର ପ୍ରକୃତିକୁ ଆୟତ୍ତ କରେ ଏଇ ତିନୋଟି ଉପାଦାନ । କେତେବେଳେ କୋଉ ଉପାଦାନ ବଳଶାଳୀ ହୋଇ ଅନ୍ୟ ଉପାଦାନଟିକୁ କମଜୋର କରିପକାଏ, ଅବା କେବେ ହୃଦୟରେ ସତ୍ତ୍ୱଗୁଣ ବିରାଜି ସବୁ ସଙ୍କଟରୁ ରକ୍ଷାକରେ ।

 

ପ୍ରକାଶ ମନରେ ତ ବିରାଜିଛି । କିଛି ପାଇବାର ଅଭିଳାଷ ତାକୁ ଅନ୍ଧ କରିପକାଇଛି । କେବଳ ସନ୍ଧ୍ୟାର ସାନ୍ନିଧ୍ୟ ବ୍ୟତୀତ ଆଉ କିଛି ଚାହେଁନି ସେ । କର୍ମ କ୍ଷେତ୍ରରେ ଅକର୍ମା ହୋଇଯାଉଛି ଧୀରେ ଧୀରେ । ଅନ୍ତରର ସରଜ ପୁଣି ତମଠି ହାର ମାନିଛନ୍ତି ।

ଦୁଇମାସ ବିତିଗଲାଣି ୟା ମଧ୍ୟରେ । ଘରୁ ଖଣ୍ଡେ ଚିଠି ମଧ୍ୟ ଆସିଲାନି । ସେଥିପ୍ରତି ଭ୍ରୁକ୍ଷେପ ନାହିଁ ତାର । ବାପା ମା ଭାଇ ଭଉଣୀ ତଥା ଜନ୍ମସ୍ଥାନର ଭଲମନ୍ଦ ଜାଣିବାକୁ ଉତ୍ସୁକତା ନାହିଁ । ମନରେ ତାର ସେମାନଙ୍କ ପ୍ରତି ରାଗ । ନଚେତ୍ ଗାଁର ଛାର ମଳିମୁଣ୍ଡିଆ ମୂଲିଆ ଲୋକଟେ ତ୍ରିଲୋଚନ ତାକୁ ଏମିତି ଅପମାନ ଦେଇ ନଥାନ୍ତା । ପଠାଇଥିବା ହଜାରେ ଟଙ୍କାକୁ ଗ୍ରହଣ ନକରି ଫେରାଇ ଦେଲା । ହୁଁ ଛୋଟ ଲୋକଟା । ଭଦ୍ରତା ଜ୍ଞାନ ଜଣା ନାହିଁ । ମାକୁ ବହଲେଇ ଫୁସକେଇ ବେଶ୍ ଟଙ୍କା ହାସଲ କରିନେଇଥିବ ତ, ସେଥରେ ଝିଅ ସକାଶେ ଅଗଣାରେ ବେଦୀ ବାନ୍ଧି ଗୁଆ ପୋତିଥିବ । ମୋ ଟଙ୍କା ତାର କ’ଣ ଦରକାର । ସେଟା ବି ସେମିତି । ନିଜ ପୁଅଠୁ ଛାର ପରଝିଅଟା ବଡ଼ ହୋଇଗଲା । ଚିଠିଖଣ୍ଡେ ଲେଖେଇ କରି ପଠାଇ ପାରିଲାନି । ତା ଆଖିରେ ସବୁ-। ଭଲ ଗୁଣ ଗୁଡ଼ାକତ ଉଷାଠି । ଆଉ କା’ଠି କ’ଣ ଭଲଗୁଣ ଦେଖାଯିବ ତାକୁ । ହୁଁ ଜନ୍ମଦେଇଥିବା-। ମା ବାପା ହୋଇ ଯଦି ଏତେ ଜିଦ୍ ତେବେ ମୋର କ’ଣ ଦରକାର ।

ଚିଠି ଆସିଛି ପୂରା ଦୁଇମାସ ପରେ । ଜ୍ୟୋସ୍ନା ଲେଖିଛି । ମା ବିମାର ପଡ଼ିଛି, ପ୍ରକାଶ ଚାଲି ଆସିବା ଦିନଠୁ ତାଙ୍କ ଘରର ଚିରାଗ ଲିଭି ଯାଇଛି । ଖୁସି ହଜିଯାଇଛି, ଛୋଟ କଥାଟାରେ ବି ରାଗ । ଘରକୁ ଆସି ତାଙ୍କ ସପନର ମହଲକୁ ସଜାଇ ପୁନର୍ଜୀବନ ଦାନ କରିବାକୁ ଅନୁରୋଧ କରି ଲେଖିଛି ।

ହଁ ବାପା ଲେଖିପାରିଲେନି ଚିଠି ଖଣ୍ଡେ । ମା’ ମନା କରିଥିବ ନିଶ୍ଚୟ, ଯାହା ହେଲେ ବି ଖବର ପାଇଲା ପରେ ଅନ୍ତତଃ ଘରକୁ ଯିବା ଦରକାର । ମାତ୍ର ସନ୍ଧ୍ୟାର ଭାଇ ଅମିତ୍ କାଲି ସକାଳେ ଆସିବାର ଅଛି । ତାର ଏଠାରେ ସାଙ୍ଗ ସାଥୀ ନାହାନ୍ତି । ବିଚରା ବୋର ହୋଇଯିବ । ସନ୍ଧ୍ୟାର ମା, ସତ୍ୟା, ରାମୁକାକା ସମସ୍ତେ ଅନୁରୋଧ କରିଛନ୍ତି ତାକୁ କିଛି ଦିନ ଅମିତ୍‍କୁ ସାଥିରେ ନେଇ ବୁଲାବୁଲି କରିବାକୁ । ବହିଦାର ବାକୁ ସ୍ଵୟଂ ବି ଆଦେଶ ଦେଇଛନ୍ତି ତାକୁ । ଏମିତି ସମୟରେ ଘରକୁ ଚାଲିଗଲେ ସନ୍ଧ୍ୟା କ’ଣ ଭାବିବ । ନା ବରଂ ଦୁଇ ଚାରିଦିନ ପରେ ଅମିତ୍ ଫେରିଲା ବେଳେ, ତାସହ କେନ୍ଦୁଝର ଚାଲିଯିବ ।

ମନେ ମନେ ନିଷ୍ପତ୍ତି ହୋଇଗଲା, ଚିଠିଟାକୁ ତକିଆ ତଳେ ପକାଇ ଦେଇ ମୁହଁ ହାତ ଧୋଇ ନିଶ୍ଚିନ୍ତ ହୋଇଗଲା ।

ରଜନୀ ଇତି ମଧ୍ୟରେ ବହିଦାର ଇଷ୍ଟେଟର ଜଣେ ସଦସ୍ୟା ବନି ଯାଇଛି । ତାର ମାନସିକ ଧାରଣା, କାର୍ଯ୍ୟକଳାପ ତଥା କାର୍ଯ୍ୟ କ୍ଷମତା ଖୁବ୍ ମନକୁ ପାଇଛି ବହିଦାର ବାବୁଙ୍କର । ତାଙ୍କ ମତାନୁଯାୟୀ ଜୀବନର ଉନ୍ନତି ପଥରେ ସେଣ୍ଟିମେଣ୍ଟସ୍ ଏବଂ ଇମୋସନର କୌଣସି ସ୍ଥାନ ନାହିଁ । ଠିକ୍ ସେଇ ମତ ରଜନୀର । ସ୍ନେହ ମମତା ଉନ୍ନତିର ଲକ୍ଷ୍ୟପଥରେ ଶିକୁଳି ବନେ । ମୋହ ଆଖିର ତୀକ୍ଷ୍ଣତାକୁ କମ୍ କରିଦିଏ । ଭଲମନ୍ଦକୁ ଭଲକରି ଦେଖିପାରେନି ମୋହଗ୍ରସ୍ତ ମଣିଷ ।

ରଜନୀ କେନ୍ଦୁଝରର ଏକ କୁଖ୍ୟାତ ଗ୍ରାମରେ ଗୋଟିଏ ଅନାମଧେୟ ଗରିବ ପରିବାରରେ ଜନ୍ମ ଲାଭ କରିଥିଲା । ଅମାବାସ୍ୟା ତିଥିରେ ଜନ୍ମ ନେଇଥିଲା । ଉଆଁସୀ କନ୍ୟା ପାଦେ ପାଦେ ଝାଞ୍ଜଟି ଅସୁବିଧା ଦୁଃଖ । ସେଇଥି ପାଇଁ ଜନ୍ମ ହେଉଣୁ ମା’କୁ ଖାଇଛି । ମା’ କ୍ଷୀର ଭାଗ୍ୟରେ ନଥିବା ସଂସାରରେ ଅସଂଖ୍ୟ ଜୀବ ମଧ୍ୟରେ ସେ ଜଣେ ବାପା ତା’ର ପୁତ୍ରୀ ମୋହରେ ତାକୁ ପାଳିଥିଲା । କାନ ତାର ଅତଡ଼ା ପଡ଼ୁଥିଲା ଅଲକ୍ଷଣୀଟାକୁ ମାରି ଦେବାପାଇଁ ଉପଦେଶମାନଙ୍କରେ । ଗାଁର ସବୁ ଜାଣିବା ଲୋକଙ୍କର ମତଥିଲା ଉଆଁସୀକନ୍ୟା, ପ୍ରେତିନୀଟାଏ ଜନ୍ମ ନେଇଛି । ତାକୁ ମାରିପକା ନହେଲେ ସେ ତୋତେ ଖାଇବ । ସଦ୍ୟ ପ୍ରସବିତ କନ୍ୟାଟିକୁ ସେ ପାଳିଥିଲା ନିଜ ମସ୍ତିଷ୍କର ସବୁ ବୁଦ୍ଧିଜ୍ଞାନ ଖଟାଇ, ମା’, ବାପ ଦୁଇଟା ରୂପନେଇ ସେ । ନିଜ ଅନ୍ତରର ସମସ୍ତ ସହନଶକ୍ତିକୁ ଲୋକଙ୍କର ମନ୍ତବ୍ୟର ଢାଲ କରି । ମାତ୍ର ସେ ତ ଉଆଁସୀ କନ୍ୟା । ତା’ ଭାଗ୍ୟରେ ଭଲ କାହିଁ । ସେଦିନ ଗାଁ ଦାଣ୍ଡରେ ଧୂଳି ଖେଳୁ ଖେଳୁ, ମହାବଳ ବାଘ ଜଙ୍ଗଲ ଭିତରେ ବାପକୁ ତାର ଘୋଷାରି ଘୋଷାରି ଖାଇ ପକାଇଲା । (ଗାଁର ବୁଢ଼ାବୁଢ଼ୀ ଜାଣିବା ଲୋକଙ୍କର ମତ ।)

ଗାଁ ଦାଣ୍ଡରେ ଖେଳୁଥିଲା, ସାଢ଼େ ଚାରିବର୍ଷର ବାଳିକା ରଜନୀ ସେଦିନ । ଗାଁ ଲୋକେ ହାତରେ ଠେଙ୍ଗା ବାଡ଼ି ଧରି ଘଉଡ଼େଇଥିଲେ ତାକୁ ଯୋଗିନୀ, ପ୍ରେତିନୀ, ଡାଆଣୀ, ଉଆଁସୀ କନ୍ୟା ଆଦି କହି । ଗାଁରେ ରହିଥିଲେ କାଳେ ସେ ସମସ୍ତଙ୍କର ସର୍ବନାଶ କରିଥାନ୍ତେ । କିଛି ନବୁଝି ପ୍ରାଣ ବିକଳରେ ଦଉଡ଼ି ଥିଲା ଗାଁର ବିପରୀତ ଦିଗରେ ଛୋଟ ଝୋଟ ପାଦ ଗୁଡ଼ିକ ଉଠାଇ ଉଠାଇ । ଆଖି ବନ୍ଦ ହୋଇ ଯାଉଥିଲା ବିଚାରୀର । ଅନ୍ଧକାର ଛାଇ ଯାଉଥିଲା ମନ ମସ୍ତିଷ୍କରେ ।

ପ୍ରାଣ ବିକଳରେ ପାଦ ଯୋଡ଼ିକ ତାର ଟାଣି ନେଇଥିଲା ଅରଡେଈ ନଦୀର କୂଳକୁ । ନିଆଶ୍ରୀ ବିଚାରୀ, ସବୁ ସୁଖକୁ ଦୁଃଖକୁ ସାଉଁଟି ବୋହି ଯାଉଥିବା ଅରଡେଈ । ଆଶ୍ରା ଲୋଡ଼ିଥିଲା । ଆଶ୍ରା ଦେଇଥିଲା ଅରଡେଈ । ମୁହଁ ମାଡ଼ି ପଡ଼ି ଥିଲା ତାରି କୂଳରେ ।

ତା’ ପରେ ସେ ଜାଣିନି ସେ କିପରି ମନୋଜ ମଞ୍ଜରୀ ଅନାଥାଶ୍ରମକୁ ଗଲା । ସେଇଠି ଆରମ୍ଭ ହେଲା ତାର ବାସ୍ତବ ଜୀବନ । ଧୀରେ ଧୀରେ ଦୁନିଆର ଠିକାଦାରମାନଙ୍କୁ ଚିହ୍ନିଲା । ସେଇ ଅନାଥାଶ୍ରମର ଚାରିକାନ୍ଥ ଭିତରେ ସେ ନିଜକୁ ଖୋଜିଥିଲା । ନିଜ ଅନ୍ତରର ସାହସିକତାକୁ ପାଥେୟ କରି ଦୁନିଆରେ ଆଗେଇ ଯିବାର ପଣ କରିଥିଲା ସେ । ଅନାଥାଶ୍ରମ ପରିଚାଳିକା ମିସ୍ ମାରଭାଲ ଏବଂ ପରିଚାଳକ ଶ୍ରୀଯୁକ୍ତ ରାମ ସହାୟଙ୍କ ଦୟା ଯୋଗୁଁ ତଥା ନିଜର ଅଧ୍ୟବସାୟ ବଳରେ ବିଏସ୍ଇ ଫାଷ୍ଟକ୍ଲାସ୍ ଡିଷ୍ଟିକସନ୍ ଡିଗ୍ରୀଟିଏ ପାଇଛି । ସେଇ ଅନାଥାଶ୍ରମ ଭିତରେ ବହୁ ଦିନୁ ନର୍ସିଂ ଟ୍ରେନିଂ ନେଇଥିଲା ସେ ବାଧ୍ୟତାମୂଳକ ଭାବେ । ଏବେ ତାହା ତାର ଜୀବନରେ କାମ ଦେଇଛି । ବହିଦାର ନର୍ସିଂ ହୋମରେ ସେବିକାଟିଏ ବନି ପାରିଛି ସେ । ନିଜେ ନିଜ ଗୋଡ଼ରେ ଠିଆ ହୋଇପାରିଛି ।

ବହିଦାର ବାବୁ ନିଜର ସବୁ ଆଦର୍ଶଗୁଡ଼ିକ ଲକ୍ଷ୍ୟ କରନ୍ତି ରଜନୀ ଠାରେ । ସରଳ, କର୍ତ୍ତବ୍ୟନିଷ୍ଠା, ସମୟାନୁବର୍ତ୍ତୀ, ହୃଦୟରେ ଦୁର୍ବଳତା ନାହିଁ, ପ୍ରତ୍ୟେକ ସମସ୍ୟାର ଉଚିତ୍ ମୁକାବିଲା କରିବାର ସାମର୍ଥ୍ୟ । ଜଣେ ବ୍ୟକ୍ତି ସୁବ୍ୟକ୍ତି ବନିବାର ସବୁଗୁଣ ତାଠାରେ ମହଜୁଦ୍ । ସେଥିଲାଗି ନିଜ ନର୍ସିଂହୋମର ଅଧଡଜନ ନର୍ସଙ୍କ ଭିତରୁ ଏଇ ନିଷ୍କାମ କର୍ମରତ ସେବିକାଟିକୁ ବେଶୀ ଭରସା କରନ୍ତି । ନିଜର ବ୍ୟକ୍ତିତ୍ୱ ବଳରେ ହିଁ ରଜନୀ ବ୍ୟାପି ଆସିଛି ଷ୍ଟାଶୋଧାରା ନର୍ସିଂହୋମ୍‍ରୁ ବହିଦାର ଇଷ୍ଟେଟ୍ ପର୍ଯ୍ୟନ୍ତ ।

ନିଷ୍ପାମ ପ୍ରେମ କରେ ସେ ସମସ୍ତଙ୍କୁ । ପ୍ରତିବଦଳରେ କିଛି ଚାହେଁନି ସେ । ତଥାପି କେବେ ଯଦି କିଛି କୁତ୍ସା, ନିନ୍ଦା, ଉପହାସ ମିଳିଗଲେ ସେ ସବୁକୁ ନିଜ ହୃଦୟରେ ସାଉଁଟି ରଖେ । ମାତ୍ର କେବେ ବି ନିଜର ଦାନ ସହ ତୁଳନା କରେନି ସେ ସବୁକୁ ।

 

ପ୍ରକାଶ ଅନେକ ଥର ରଜନୀ ସହ ସାମ୍ନାସାମ୍ନି ହୋଇଛି, କେତେଥର ସମ୍ୟକ୍ କଥୋପକଥନ ଆଳରେ ରଜନୀକୁ ବୁଝିନେଇଛି । ରଜନୀର ସମସ୍ତ ଆଦର୍ଶକୁ ସ୍ୱୟଂ ଆଦର୍ଶମାନେ ପ୍ରକାଶ । ମାତ୍ର ସନ୍ଧ୍ୟାର ସାନ୍ନିଧ୍ୟର ମୋହ ଆଗରେ କୌଣସି ପ୍ରକାର ଆଦର୍ଶ ତଚ୍ଛ । ସେଇଥିପାଇଁ ରଜନୀର ସାମ୍ନା କରିବାକୁ ପ୍ରକାଶ ଡରେ । ପାରୁପର୍ଯ୍ୟନ୍ତ ଚେଷ୍ଟାକରେ ଦୂରେଇ ରହିବାକୁ ।

 

ରଜନୀର ଅନ୍ଧକାରରେ ସାରା ବିଶ୍ୱକୁ ଏକାକାର କରି ଦେବାର କ୍ଷମତା ଠାରେ ପ୍ରକାଶ ଡରିଯାଏ । ରଜନୀ ପାଖରେ ପ୍ରକାଶ ନ୍ୟୁନ ଅତିନ୍ୟୁନ ।

 

ପ୍ରକାଶ ଡରେ, କେବେ ସନ୍ଧ୍ୟାକୁ ଦୂରକୁ ଠେଲି ପ୍ରକାଶକୁ ଆତ୍ମସାତ୍ କରି ନେବନି ତ ରଜନୀ । ପ୍ରକାଶର ଶୁଭ୍ରତା ନେଇ ରଙ୍ଗ ସୃଷ୍ଟି କରିଥିବା ସନ୍ଧ୍ୟା ରଜନୀର କାଳିମା ମଧ୍ୟରେ ସବୁ ରଙ୍ଗ, ହରାଇବନି ତ ?

 

ପ୍ରକାଶ ଘରକଥା ଭୁଲିଛି । ସନ୍ଧ୍ୟାର ମା’ଙ୍କୁ ଉପେକ୍ଷା କରିବା ଆରମ୍ଭ କଲାଣି । ରଜନୀଠୁ ଦୂରେଇ ରହିବାକୁ ଚାହୁଁଛି । ବହିଦାର ବାବୁଙ୍କଠି ଅସହିଷ୍ଣୁ ଭାବ । କେବଳ ଗୋଟାଏ ଚିନ୍ତା ସନ୍ଧ୍ୟା । ସନ୍ଧ୍ୟାର ସାନ୍ନିଧ୍ୟ ।

 

ଅମିତ୍ ସକାଳୁ ଆସିଲାଣି । ଏମ୍‍ବିଏ ପରୀକ୍ଷାର ରେଜଲ୍‍ଟ ନେଇ ଆସିଛି । ପାସ୍ କରିଥିବାର ଖବର ପାଇଛି ପ୍ରକାଶ । ତୁରନ୍ତ ଯିବାକୁ ହେବ, ପ୍ରଥମ ଥର ପାଇଁ ଭେଟିବ । ଏମିତି ତ ଅନେକ କଥା ଶୁଣିଛି ତା ବିଷୟରେ । ମାତ୍ର ପ୍ରତ୍ୟକ୍ଷ ଓ ପରୋକ୍ଷ ମଧ୍ୟରେ ଅନେକ ତାରତମ୍ୟ ଥାଏ । ଅଫିସରୁ ଆସିଲା ପରେ ସଜବାଜ ହୋଇ ବାହାରିଲା, ନୂଆ କରି ତିଆରି ହୋଇଥିବା ସୁଟ୍‍ଟା ପିନ୍ଧି ମ୍ୟାଚିଂ ଟାଇ ବାନ୍ଧିଲା । ସୁଟ୍ ଡିଜାଇନ୍ କନା ତଥା ଟାଇ ସବୁ ସନ୍ଧ୍ୟା ପସନ୍ଦର ।

 

ଅଫିସ୍ ଜିପ୍‍ର ଡ୍ରାଇଭରକୁ ଆଗରୁ କହିରଖିଛି । ଜିପ୍ ନେଇ ଆସି ଦୁଇଥର ହର୍ଣ୍ଣ ବଜାଇ ସଙ୍କେତ ଦେଲାଣି ଡ୍ରାଇଭର । ଟାଇର ଗଣ୍ଡି ଠିକ୍ କରୁ କରୁ ଶେଷଥର ପାଇଁ କାନ୍ଥରେ ଫିକ୍‍ସ କରାଯାଇଥିବା ଦର୍ପଣରେ ଚେହେରା ଦେଖି ନେଇ ବାହାରିଲା ପ୍ରକାଶ । ଚାକରାଣୀକୁ କହି ରଖିଲା ହୁଏତ ଡେରି ହୋଇପାରେ, ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିବା ଆବଶ୍ୟକ ନାହିଁ ।

 

ସୁନ୍ଦରେ ତୃପ୍ତିର ଅବସାଦ ନାହିଁ । ବହିଦାର ଇଷ୍ଟେଟ୍ ଦର୍ଶକଙ୍କ ପାଇଁ ସଦୈବ ନୂଆ । ଛାତ ଉପରେ କୁଣ୍ଡସ୍ଥିତ ଗୋଲାପର ଡାଳ ହେଉ କି ତୋରଣରେ ମଧୁମାଳତି ଓ ଜୁଇ ଲତାର ସମାହାର ହେଉ ଅଥବା କରିଡରର ମନିପ୍ଲାଣ୍ଟ ଓ ଫର୍ଣ୍ଣ ସୁନ୍ଦରତାରେ ସବୁ ସୁନ୍ଦର । ଆଖି ଗୋଟିକରୁ ଆଉ ଗୋଟିକୁ ଟାଣି ହୋଇଗଲା ବେଳେ ମଝିରେ କିଛି ରହିଯିବାର ସଦୈବ ଭ୍ରାନ୍ତି । ଗାଡ଼ିରୁ ଓହ୍ଲାଇ ଗେଟ୍ ପାର ହୋଇ ଡ୍ରଇଂ ରୁମରେ ପାଦ ଦେଲା । ସିଡ଼ିରୁ ଓହ୍ଲାଇ ଆସୁଥିଲା ସନ୍ଧ୍ୟା-

 

ହାୟ ହାଣ୍ଡସମ, ଆସନ୍ତୁ ଭାଇ ଆପଣଙ୍କୁ ଉପରେ ଅପେକ୍ଷା କରିଛନ୍ତି ।

 

ପ୍ରକାଶ ଅନୁଧାବନ କଲା ସନ୍ଧ୍ୟାର ।

 

ଛାତ ଉପର ବଗିଚାରେ ଉତ୍ସୁକତାର ସହ ଅପେକ୍ଷା କରିଥିଲା ଅମିତ୍ । ଅନେକ କଥା ଶୁଣିଛି ପ୍ରକାଶ ବିଷୟରେ । ଆଜି ହେବ ପ୍ରତ୍ୟକ୍ଷ ଓ ପରୋକ୍ଷର ମେଳ ।

 

ପ୍ରକାଶ ସାମ୍ରାରେ ଅମିତ୍ । ଅବିକଳ ସନ୍ଧ୍ୟାପରି ମୁଖମଣ୍ଡଳ । ଚେହେରାରେ ବହିଦାର ବାବୁଙ୍କର ବ୍ୟକ୍ତିତ୍ୱ । ହାତ ବଢ଼ାଇ ହାଣ୍ଡସେକ୍ କଲେ ପରସ୍ପରର ।

 

..., ଆପଣଙ୍କର ସଫଳତା ପାଇଁ ଅଭିନନ୍ଦନ ଅମିତ୍ ବାବୁ । ଭଗବାନ କରନ୍ତୁ ଏମିତି ସୁଦିନ ସୁଫଳ ନେଇ ବାରମ୍ବାର ଆସୁ ଆପଣଙ୍କର ଜୀବନରେ ।

 

ଥ୍ୟାଙ୍କସ୍ ମେନି ମେନି ଥ୍ୟାଙ୍କସ୍ ଫର୍‍ କଂଗ୍ରାଚୁଲେସନ୍ସ ।

 

ଓ... ଲୋ ଏଇ ଫର୍ମାଲିଟି ସବୁ ସରିବ କି ନାହିଁ ଭାଇ ? ଆଉ କିଛି ଆଲୋଚନା କଲେ କେମିତି ହୁଅନ୍ତା । ହେଇ ରାମୁକାକା ଆସିଲେଣି, ରହ ତାଙ୍କଠୁ ବିଷୟଟେ ଧାର ଆଣୁଛି ।

 

... ନାଇ ଝିଅ ! ସାହେବ ତୁମମାନଙ୍କୁ ଡକାଇଛନ୍ତି ତଳକୁ ।

 

... ବାପା ଆସିଲେଣି ? ଭୟ ମିଶ୍ରିତ କଣ୍ଠରେ ପଚାରିଛି ଅମିତ୍ । ବାପାଙ୍କୁ ପସନ୍ଦ ନାହିଁ ଅମିତ୍ ସନ୍ଧ୍ୟା ସହ କି ମା ସହ ବେଶି ସମୟ କାଟୁ ।

 

... ହଁ ସାନ ବାବୁ ଡକାଇ ପଠାଇଚନ୍ତି ।

 

ଚାଲ ରାମୁକାକା, ଚାଲନ୍ତୁ ପ୍ରକାଶ ବାବୁ।

 

ତଳକୁ ଆସିଲେ ତିନିହେଁ । ରାମୁ ଲାଗି ପଡ଼ିଲା ଗୋଲାପ ଚାରା ଗୁଡ଼ିକୁ ଡ୍ରେସ୍ କରିବାରେ ।

 

ତେବେ ବହିଦାର ବାବୁ ବଢ଼ାଇ ଦେଲେ ଗୋଟେ ପ୍ୟାକେଟ୍ ଅମିତ୍ ହାତକୁ । ଟ୍ରଙ୍କକଲ୍‍ କରି ହାସନ୍ ମୁରାତା ଠାରୁ ତୁମର ଆପଏଣ୍ଟମେଣ୍ଟଟା କନ୍‍ଫର୍ମ କରାଇ ନେଇଛି । ଇଣ୍ଟରନେସ୍‍ନାଲ ମାର୍କେଟରେ ହାସନ୍‍ର ବହୁତ ନାଆଁ । ହେଡ୍ ଅଫିସ୍ ନ୍ୟୁୟର୍କରେ । ତମେ ରେଡି ହୋଇଯାଅ । ଫୋରେ ଭଣ୍ଡାରୀ ସାହେବଙ୍କ ସହ କଥାବାର୍ତ୍ତା କରିନେଇଛି । ଭିସା ଆଉ ପାସପୋର୍ଟ ପାଇଁ କୌଣସି ଅସୁବିଧା ହେବନି । ସବୁ ଠିକ୍ ହେଲା ପରେ ମୋତେ ଫୋନ୍ କରିବ । ମୁଁ ମୋର ସି ଅଫ୍ କହି ଆସିବି । ଓକେ ନାଓ ୟୁ ଟେକ୍ ରେଷ୍ଟ । କାଲି ସକାଳେ ତୁମର ଯାତ୍ରା ଆରମ୍ଭ କରିବ ।

 

ନାଓ ୟୁ...

 

ବାପାଙ୍କର ଆଦେଶ ଅମାନ୍ୟ କରିବାର ଚାରା ଅମିତ୍‍ର ନାହିଁ । ଧୀର ପଦକ୍ଷେପରେ ଚାଲିଗଲା ବେଡ଼ ରୁମ୍‍କୁ ।

 

ସନ୍ଧ୍ୟା ହାଓ ଇଜ୍ ଇଓର ଷ୍ଟଡିଜ୍ ଗୋଇଙ୍ଗ୍ ?

 

ପା...ପା..ମୁଁ ପାପା

 

ଅଧ୍ୟବସାୟ ଓ ସାଧନା ବଳରେ ହିଁ ମଣିଷ ପ୍ରତିଷ୍ଠା ପାଏ । ଆକ୍ଟ ନାଓ !

 

ଆଣ୍ଡ ୟୁ ୟଙ୍ଗ୍ ମ୍ୟାନ୍ ହାଓ ଆର ୟୁ ଫେୟାରିଂ ?

 

ସାର, ଜଷ୍ଟ ପୁଲିଙ୍ଗ୍ ଅନ୍ ।

 

ୟୁଆର୍‍ ମିସିଙ୍ଗ୍ ଏ ଲଟ୍, ତୁମେ ତୁମର କଳ୍ପନାଠାରୁ ବି ଅଧିକ ପାଇପାରିବ । ବି ସିସିୟର-। ଗୁଡ୍ ନାଇଟ୍ ।

 

ଧୀର ପଦକ୍ଷେପରେ ବାହାରିଗଲେ ବହିଦାର ଇଷ୍ଟେଟ୍ର ସୀମା ଡେଇଁ ସ୍ଵୟଂ ବହିଦାର ବାବୁ । ଏଠି ସେ ରହନ୍ତି ନାହିଁ । କର୍ମକ୍ଷେତ୍ର ହିଁ ତାଙ୍କର ସବୁ କିଛି । କର୍ମ ହିଁ ଜୀବନ । ବିଶ୍ରାମ କେବଳ ଜୀବନ ପରେ ହିଁ ଲୋଡ଼ା ।

 

ପ୍ରକାଶ ଚାରିଆଡ଼କୁ ଚାହିଁଲା । କେହି କୁଆଡ଼େ ନାହିଁ । ଡ୍ରଇଂ ରୁମଟାରେ କେବଳ ସେ । ବାହାରକୁ ଚାହିଁଲା ଡ୍ରାଇଭର ଗାଡ଼ି ପାଖରେ ଅପେକ୍ଷା କରିଛି ।

 

ମୁଣ୍ଡ ତଳକୁ କରି ଗୋଟିଏ ଗୋଟିଏ ପାଦ ଉଠାଇ ଚାଲିଲା ବାହାରକୁ । ଗାଡ଼ିରେ ବସିଲା, ଗାଡ଼ି ମାଡ଼ି ଚାଲିଲା ଆଗକୁ ମେଞ୍ଚାଏ ଧୂଳି ସହ ଧୂଆଁ ଛାଡ଼ି ବହିଦାର ଇଷ୍ଟେଟ୍ ଉପରକୁ ।

***

 

‘ଉଣେଇଶ’

 

ସମୟ ବେପର୍‍ବାୟ, ନିର୍ଦ୍ଦୟ ମାତ୍ର ଅହଂକାରୀ ନୁହଁ ।

 

ସମସ୍ତଙ୍କୁ ସ୍ଥାନ-କାଳ-ପାତ୍ର ନେଇ ସୁଯୋଗ ଦିଏ ସମୟ । ଜ୍ଞାନୀ ଲୋକେ ସୁଯୋଗର ଫାଏଦା ଉଠାନ୍ତି, ଅଜ୍ଞାନୀ ଲୋକେ ହାତଛଡ଼ା କରି ସାରା ଜୀବନ ପଶ୍ଚାତାପ କରନ୍ତି । କାରଣ ସୁଯୋଗ କେବଳ ଥରଟିଏ ପାଇଁ ଆସେ, ବାରମ୍ବାର ଆସେନି ।

 

ପ୍ରକାଶ ପାଇଁ ସୁବର୍ଣ୍ଣ ସୁଯୋଗଟିଏ ଆସିଛି ଏବେ । ସନ୍ଧ୍ୟାର ବାପା, ମା ଯାଇଛନ୍ତି ଦିଲ୍ଲୀ ପୁଅର ଖବର ପାଇ । ଭିସା ପାପୋର୍ଟ ସବୁ ରେଡି ହୋଇଯାଇଛି ବୋଲି ଫୋନ୍‍ରେ ନିଜେ କହିଥିଲା ଅମିତ୍ । ପୁଅକୁ ବିଦାୟ ଦେଇ ଦୁଇଦିନ ପରେ ଫେରିବେ ବୋଲି କହିଯାଇଛନ୍ତି । ଯିବା ପୂର୍ବରୁ ସନ୍ଧ୍ୟାକୁ ସାଥିରେ ନେବାପାଇଁ ବୃଦ୍ଧା ଜିଦ୍ କରିଥିଲେ । ମାତ୍ର ଆଗକୁ ଫାଇନାଲ୍ ପରୀକ୍ଷା ଥିବାରୁ ସନ୍ଧ୍ୟାର ଦିଲ୍ଲୀ ଭ୍ରମଣ ଉଚିତ୍ ମଣି ନଥିଲେ ବହିଦାର ବାବୁ । ରାମୁକାକାଙ୍କୁ ତାଗିଦ୍ କରିଛନ୍ତି ସନ୍ଧ୍ୟାର ଭଲ କରି ଯତ୍ନ ନେବାକୁ । ପ୍ରକାଶକୁ ମଧ୍ୟ ଅନୁରୋଧ କରିଛନ୍ତି ସନ୍ଧ୍ୟାର ମା ସମୟ ବାହାର କରି ଇଷ୍ଟେଟ୍‍କୁ ଆସି କିଛି ସମୟ ସନ୍ଧ୍ୟା ସହ କଟାଇବାକୁ ।

 

ନିଜ ଅନ୍ତରର ପ୍ରେମକୁ ଜାହିର କରିବାର ଏହା ହିଁ ପ୍ରକୃଷ୍ଟ ସମୟ । ଦୀର୍ଘ ପ୍ରତୀକ୍ଷା ପରେ ସୁଯୋଗ ଆସିଛି, ହାତଛଡ଼ା କରିବା ଅନୁଚିତ ।

 

ସଞ୍ଜ ନଇଁ ଆସୁଛି ବଲାଙ୍ଗିର ସହର ଉପରକୁ । ଆକାଶର ସନ୍ଧ୍ୟା ତାରା ପ୍ରତୀକ୍ଷା କରୁଛି ପ୍ରିୟତମ ଚାନ୍ଦର । ଆଖ ପାଖରେ ପ୍ରେମବିଧୁର ସନ୍ଧ୍ୟାତାରାକୁ ସାନ୍ତନା ଦେବାଲାଗି ଅନ୍ୟାନ୍ୟ ତାରାମାନଙ୍କର ସମାଗମ ହେବାରେ ଲାଗିଛି । ତଳେ ମାଟି ଉପରେ ବିଜୁଳି ଖମ୍ବରୁ ଝୁଲି ପଡ଼ିଥିବା ମରକୁରୀ ଓ ନିଅନ୍ ଲାଇଗୁଡ଼ିକ ଜଳି ସନ୍ଧ୍ୟାତାରା ପ୍ରତି ସମବେଦନା ଜ୍ଞାପନ କରୁଛନ୍ତି । କାହିଁ କେତେ ଦୂରେ ଚାନ୍ଦ... ବିଚାରୀ ସନ୍ଧ୍ୟାତାରାର ଯୁଗଯୁଗର ପ୍ରତୀକ୍ଷା ।

 

ପ୍ରକାଶ ଚାଲିଛି ବହିଦାର ଇଷ୍ଟେଟକୁ । ମନରେ କୌତୁହଳ । କଳ୍ପନାବିଭୋର ପ୍ରକାଶ ରାସ୍ତାକଡ଼ରୁ କିଣି ନେଲା ଗୋଟିଏ ସଦ୍ୟ ପ୍ରସ୍ଫୁଟିତ ଗୋଲାପର ଫୁଲ ତୋଡ଼ା । ଛାତି ତଳେ ଉତ୍ତେଜନା, ପାଦ ଯୋଡ଼ିକ ଟାଣି ହୋଇ ଯାଉଛି ଇପ୍‍ସିତର ପାଖକୁ । ଗେଟ୍ ସାମ୍ନାରେ ରାମୁକାକା, ପ୍ରକାଶ ପଚାରିଲା...

 

... ସନ୍ଧ୍ୟା କେଉଁଠି ?

 

... ବେଡରୁମ୍‍ରେ... ।

 

ପ୍ରକାଶ ଧୀର ପଦକ୍ଷେପରେ ଗୋଟିଏ ଗୋଟିଏ କରି ଶିଡ଼ି ପାର ହୋଇ ଚାଲିଲା ବେଡ୍‍ରୁମକୁ । ବେଡ୍‍ରୁମ୍ ଦରଜା ଆଉଜା ହୋଇଛି । ହାତ ଦେଉ ଦେଉ ଖୋଲିଗଲା । ଏଇ ରୁମ୍‍କୁ ପ୍ରକାଶ ପ୍ରଥମ ଥର ପାଇଁ ଆସୁଛି । ମନରେ ଅନେକ ତୁଫାନ୍, କିଛି ଗୋଟେ କରିଥିବାର ଅଭିଳାଷ ।

 

କାନ୍ଥରୁ କାନ୍ଥ ଲାଗି ଗାଲିଚା । କାନ୍ଥରେ ବେଦାଗ ନୀଳ ବର୍ଣ୍ଣର ପେଣ୍ଟ । ଘରର ଠିକ୍ ମଝିରେ ଗୋଟେ ଗୋଲାକାର ପଲଙ୍କ । ଦଶଇଞ୍ଚ ବହଳର ଡନ୍‍ଲପ୍‍ ଉପରେ ମଖମଲର ଧଳା ଚାଦର । ଚାରି ଦିଗରେ ଚାରୋଟି ଗୋଲାକର ତକିଆ । ଠିକ୍ ବିଛଣା ମଝିରେ ଉପରକୁ ମୁହଁ କରି ଶୋଇଛି ସନ୍ଧ୍ୟା । ଦେହରେ ଗାଢ଼ ନୀଳ ରଙ୍ଗର ପୋଷାକ । ମୁଣ୍ଡ ପାଖରେ ଏୟାର କଣ୍ଡିସନର ମନ୍ଦ ମନ୍ଦ ପବନ ମୁଣ୍ଡର ବାଳ କେରାଏକୁ ସନ୍ଧ୍ୟାର ଚାନ୍ଦ ମୁହଁ ଉପରେ ବଉଦ ପରି ଭସାଉଛି ।

 

ପ୍ରକାଶର ହୃତ୍‍ସ୍ପନ୍ଦନ ବଢ଼ି ଚାଲିଛି । ପାଦ ଚିପି ଚିପି ଯାଇ ପଲଙ୍କ ପାଖରେ ଠିଆ ହେଲା-। ପାଖରୁ ଖୁବ୍‍ ପାଖରୁ ସନ୍ଧ୍ୟା ଦେହର ସବୁ ଭାଙ୍ଗରେ ଆଖି ଲାଖି ଯାଉଛି । ଓଠର ଲାଲିମାଠାରେ ହାତରେ ଥିବା ଲାଲ ଗୋଲାପର ଲାଲିମା କମ୍ ଜଣାଯାଉଛି । ଦର୍ଶନରେ ଯାହା ଏତେ କମନୀୟ ଓ ସୁନ୍ଦର, ସ୍ପର୍ଶରେ ତାହା ଦ୍ୱିଗୁଣ ହେବା ସ୍ୱାଭାବିକ୍ । ଇଚ୍ଛାହେଲା ନିଜର ତୃଷିତ ଓଠକୁ ରଖି ଦିଅନ୍ତା ସେଇ ସୁନ୍ଦର କମନୀୟ ଓଠ ଉପରେ ।

 

ଥରିଲା ହାତରେ ଗୋଲାପ ତୋଡ଼ାରୁ ସୁନ୍ଦର କଢ଼ିଟାଏ ବାହାର କରି ଥୋଇ ଦେଲା ସନ୍ଧ୍ୟାର ଓଠ ଉପରେ । ସ୍ଵର୍ଶରେ ରୋମାଞ୍ଚିତ ଓଠ ଯୋଡ଼ିକ ଥରି ଉଠିଲା ସନ୍ଧ୍ୟାର । ଆଖି ଖୋଲିଲା, ସାମ୍ନାରେ ପ୍ରକାଶ ।

 

ଓ ପ୍ରକାଶ ବାବୁ... ଆପଣ ! ହ୍ୱାଟ୍ ଟାଇମ୍ ଇଜ୍ ଇଟ୍ ?

 

ସେଭନ୍ ନଟ୍ ଫାଇଭ୍ (୭.୦୫) ମାଡାମ୍ । ମା ଗଲା ପରଠୁ ଖୁବ୍ ନିଦ ହେଉଛି ଦେଖୁଛି-

 

ଫିକ୍ କରି ହସି ଦେଲା ସନ୍ଧ୍ୟା, ବିଜୁଳିର ହସ । ଆପଣ ବସନ୍ତୁ ମୁଁ ଫ୍ରେଶ୍ ହୋଇ ଆସୁଛି-। କାନ୍ଥକୁ ଲାଗି ପଡ଼ିଥିବା ଭଳି ଚେୟାର ଆଡ଼କୁ ନିର୍ଦ୍ଦେଶ କରି କୋଠରୀ ସଂଲଗ୍ନ ଟିଏଲେଟକୁ ପଶିଲା ସନ୍ଧ୍ୟା । ଶିଶିରରେ ଗାଧୋଇଥିବା ସଦ୍ୟ ପ୍ରସ୍ଫୁଟିତ ଶ୍ୱେତ ପଦ୍ମର ରୂପ ନେଇ ବାହାରି ଆସିଲା ସନ୍ଧ୍ୟା । କେଶ ଉପରେ ଝଟକୁଛି ଛୋଟ ଛୋଟ ଜଳକଣା ମୁକ୍ତା ସଦୃଶ ।

 

ଚାଲନ୍ତୁ ଛାତ ଉପରକୁ ଯିବା । ଫ୍ରେସ୍ ଏୟାର ଭଲଲାଗିବ ।

 

ନାଇଁ ସନ୍ଧ୍ୟା, ସମସ୍ତଙ୍କୁ ସୁଯୋଗ ସବୁବେଳେ ମିଳେ ନାଇଁ । ସୁଯୋଗ ଯିଏ କରଛଡ଼ା କରିଦିଏ ସେ ବୋକା । ସାରା ଜୀବନ ପଶ୍ଚାତ୍ତାପ କରେ । ଦେଖନା ଭଗବାନ ଆମକୁ କେଡ଼େ ସୁନ୍ଦର ସୁଯୋଗଟିଏ ଦେଇଛନ୍ତି ।

 

... ମୁଁ କିଛି ବୁଝି ପାରୁନି ପ୍ରକାଶ ବାବୁ ।

 

... ଆଇ ଲଭ ୟୁ ସନ୍ଧ୍ୟା ମୁଁ ତୁମକୁ ଭଲ ପାଏ ।

 

... ଆଇ ନୋ ।

 

... ମୁଁ ତୁମ ବିନା ବଞ୍ଚି ପାରିବିନି ସନ୍ଧ୍ୟା । ଆଇ ୱାଣ୍ଟ ଟୁ ମ୍ୟାରି ୟୁ ।

 

... ରାସ୍ତା ଖୁବ୍ କଣ୍ଟକିତ ।... ଖାଲି ତୁମେ ଥରେ ହଁ କର । ସବୁ କଣ୍ଟା ମୁଁ ଏଇ ହାତରେ ପରିଷ୍କାର କରିଦେବି ।

 

..., ବାସ୍ତବତାଟା କଳ୍ପନା ପରି ସହଜ ନୁହଁ ପ୍ରକାଶ ବାବୁ । ଚାଲନ୍ତୁ ତଳକୁ । ଚା’ଟିକିଏ ପିଇବା । ବେଡ୍‍ରୁ ଉଠି ବାହାରକୁ ଯିବାକୁ ଉଦ୍ୟତ ହେଲା ।

 

ତୁମେ ମୋତେ ଆଭଏଡ୍ କରୁଛ । କହୁକହୁ କି ଖୁଆଲରେ ସନ୍ଧ୍ୟାର ହାତ ଧରି ପକାଇଲା ପ୍ରକାଶ । ବହୁ ଦିନରୁ ଛାତି ତଳେ କୁହୁଳୁଥିବା ନିଆଁ ହଠାତ୍ ଜଳି ଉଠିଲା । ନିଜର ଚଉଡ଼ା ଛାତି ଉପରକୁ ଟାଣି ଆଣିଲା ସନ୍ଧ୍ୟାକୁ।

 

...ପ୍ରକାଶ ବାବୁ... ।

 

କିଛି ଶୁଣା ଯାଉନଥିଲା ପ୍ରକାଶକୁ । ସନ୍ଧ୍ୟାର ମୁହଁ ସାରା ବର୍ଷିଗଲା ଚୁମ୍ବନର ବର୍ଷା । କୌଣସିମତେ ବନ୍ଧନରୁ ମୁକୁଳି ସନ୍ଧ୍ୟା ଖୁବ୍ ଜୋରରେ ଚାପୁଡ଼ାଟେ ବସାଇଦେଲା ପ୍ରକାଶର ଗାଲରେ ।

 

... ହୋସ୍ ପାଅ ।

 

ପ୍ରକାଶ ପ୍ରକୃତିସ୍ଥ ହେଲା । ସନ୍ଧ୍ୟାର ଚାପୁଡ଼ାର ଶବ୍ଦ ଏବେ ବି ପ୍ରତିଧ୍ୱନିତ ତାର କାନରେ-। ଗାଲରେ ପାଞ୍ଚଟି ଆଙ୍ଗୁଳିର ଅନୁଭବ ।

 

ତଳକୁ ଆସନ୍ତୁ ଟି ଟେବଲ୍‍ରେ ମୁଁ ଅପେକ୍ଷା କରୁଛି । ଦ୍ରୁତ ପଦକ୍ଷେପରେ ଚାଲିଗଲା ସନ୍ଧ୍ୟା ତଳକୁ । ପଛେ ପଛେ ମୁଣ୍ଡ ନୁଆଁଇ ଧୀର ପଦକ୍ଷେପରେ ପ୍ରକାଶ । ପ୍ରକାଶ ଅପମାନିତ । ଅପମାନ ଝଡ଼ର ଆରମ୍ଭ ଏଇ ମାତ୍ର । ଧ୍ୱଂସର ତାଣ୍ଡବ ଆଗକୁ ଅଛି । ସନ୍ଧ୍ୟା ଯଦି ସମସ୍ତଙ୍କୁ ଏକଥା କହି ଦିଏ.... ? ? ?

 

ତଳେ ସନ୍ଧ୍ୟା ସୋଫାରେ ବସିଛି । ଆଖି ଉଠାଇ ଚାହିଁଲା ପ୍ରକାଶ ସନ୍ଧ୍ୟା ହସୁଛି, ବିଜୟିନୀ ହସ ।

 

ପ୍ରକାଶ ହୃଦୟ କରତି ହୋଇଗଲା । ବାହାର ଆଡ଼କୁ ମୁହାଁଇଲା । ଦ୍ରୁତ ପଦକ୍ଷେପରେ ବାହାରି ଆସିଲା ବେଳକୁ ପଛରୁ ସନ୍ଧ୍ୟାର ଡାକ ଶୁଣିଛି । ମାତ୍ର ପାଦ ଅଟକିନି ।

 

ପ୍ରକାଶର ମନ ଗ୍ଲାନି ଜର୍ଜରିତ । କଳ୍ପନାର ଶିଡ଼ି ଚଢ଼ୁ ଚଢ଼ୁ ଅନେକ ଉପରକୁ ଯିବାପରେ ଆଜି ମୁହଁ ମାଡ଼ି ପଡ଼ିଯାଇଛି ସେ । ଉଷା କଥା ମନେ ପଡ଼ୁଛି ତାର । ସନ୍ଧ୍ୟା ଆଉ ଉଷା । ସନ୍ଧ୍ୟାର ରଙ୍ଗ ଠାରେ ଉଷାର ନିର୍ମଳତା କାହିଁ ? ମା କଥା ମନେ ପଡ଼ୁଛି, ବିଚାରୀ ବିମାର ଥିବାର ଖବର ପାଇଥିଲା । କ’ଣ ହେଲା ଜାଣିନି, ଆଖିରେ ଲୁହ ଜକାଇଲା । ବିଛଣାରେ ମୁହଁମାଡ଼ି ପଡ଼ିଗଲା ପ୍ରକାଶ । ଅନ୍ତରରେ କୋହ ଉଠୁଛି । ଆଖି ଲୁହରେ ଭିଜୁଛି ତକିଆ ।

 

ଆଜି ପ୍ରଥମ ଥର ପାଇଁ ନିଜର କାମକୁ ବୁଝି ପାରିଛି । ଏତେ ଦିନର ଭୁଲ ଆଜି ହୃଦୟଙ୍ଗମ କରିଛି । ମରିଚିକାର ଫାନ୍ଦରେ ପଡ଼ି ଅନେକ ଦଉଡ଼ି ସାରିଛି ସେ ।

 

କବାଟରେ କରାଘାତ ଠକ୍ ଠକ୍ । କାନ୍ଥ ଉପରକୁ ନଜର ଘୂରାଇ ଆଣି ଦେଖିଲା ସମୟ ରାତି ଏଗାରଟା । କିଏ ହୋଇପାରେ, ଏମିତି ଅସମୟଟାରେ ।

 

ସନ୍ତର୍ପଣରେ ଯାଇ କବାଟ ଖୋଲିଲା । ସାମ୍ନାରେ ରାମୁକାକା । ଆଶ୍ଚର୍ଯ୍ୟ ହେଲା ପ୍ରକାଶ-। ଏତେ ରାତିରେ କି କାମ । କିଛି ପଚାରିବା ପୂର୍ବରୁ ରାମୁକାକା ବଢ଼ାଇ ଦେଲା ମୁଦଦିଆ ଲଫାପାଟିଏ ।

 

ଝିଅରାଣୀ ଦେଇଛନ୍ତି । ଆପଣ ଆସିଲା ପରଠୁ ଖୁବ୍ କାନ୍ଦୁଛନ୍ତି । ରାତିରେ ଖାଇବାକୁ ବି ମନାକଲେ ।

 

ହାତ ବଢ଼ାଇ ଚିଠିଟା ନେଲା ପ୍ରକାଶ ।

 

.., ଏଥରକ ମୋତେ ଯିବାକୁ ଦିଅନ୍ତୁ ସାର୍ । ଇଷ୍ଟେଟ୍‍କୁ ଫେରିବାକୁ ପଡ଼ିବ ।

 

ପ୍ରକାଶର ଉତ୍ତରକୁ ଅପେକ୍ଷା ନକରି ଚାଲିଗଲା ରାମୁକାତା । କବାଟ ବନ୍ଦ କଲା ପ୍ରକାଶ-। ଏତେ ଅପମାନ ଦେଲା ପରେ କ’ଣ ଲେଖୁଛି ଏଇ ଚିଠିରେ ? କ’ଣ ଭର୍ତ୍ସନା, ଆଗ୍ରହ ନଥିଲେ ବି ମନରେ ଜିଜ୍ଞାସା ଜାତ ହେଲା । ଚିଠି ଫାଡ଼ିଲା ପ୍ରକାଶ । ସୁନ୍ଦର ଅକ୍ଷରରେ ଲେଖାଯାଇଛି ନୀଳ କାଗଜ ଉପରେ ସବୁଜ କାଳିରେ । ପଢ଼ିଲା...

 

ପ୍ରକାଶ ବାବୁ !

 

ମୋ ଉପରେ ରାଗିକରି ଚାଲିଗଲେ । ଆଉ କେବେ ଆସିବେନି ବୋଲି ପଣ କରି ସାରିଥିବେ ୟା ଭିତରେ । ଆସିବା ନ ଆସିବାଟା ତ ଆପଣଙ୍କ ହାତରେ ମାତ୍ର ମୋତେ ଭୁଲ ନବୁଝିବା ପାଇଁ ଏଇ କେତେ ପଦ କଥା ଜଣାଉଛି ।

 

ଆପଣ ମୋତେ ସବୁବେଳେ ପଚାରନ୍ତି ନା, ମୁଁ ଆପଣଙ୍କୁ ଭଲ ପାଏ କି ନା ? ଭଲ ପାଇବାର ସଂଜ୍ଞା ତ ଭଲକରି ମୁଁ ଜାଣେନି କି କେମିତି ଦର୍ଶାଯାଏ ତା ମଧ୍ୟ ଜାଣିନି, ମାତ୍ର ଆପଣଙ୍କର କଥା ଭାବିବାକୁ ଭଲ ଲାଗେ । ଯେତେ ଦେଖିଲେ ଆହୁରି ଦେବାକୁ ଇଚ୍ଛା ହୁଏ । ଏ ସବୁକୁ ଯଦି ଭଲ ପାଇବା କୁହାଯାଏ ତେବେ ମୁଁ ଆପଣଙ୍କୁ ଭଲପାଏ । ମାତ୍ର ଭଲ ପାଇବାରେ କ’ଣ କିଛି ଆଶା ରଖିବା ଯୁକ୍ତିଯୁକ୍ତ ? ଦୁଇଟି ଆତ୍ମାର ଶେଷ ସୀମା କ’ଣ କେବଳ ବିବାହ ? ଦେହର ମିଳନ କ’ଣ ସବୁକିଛି ?

 

ମୋ ଚାପୁଡ଼ାଟା ପାଇଁ ରାଗିଛନ୍ତି ନା । ମୁଁ ଆପଣଙ୍କ ଭିତରେ ଥିବା ନିର୍ମଳ ମଣିଷଟିକୁ ଭଲପାଏ ପ୍ରକାଶବାବୁ । ସେତେବେଳେ ଆପଣଙ୍କ ଭିତରେ ପଶୁତ୍ୱ ଜାଗିଉଠି ମୋର ପ୍ରିୟ ବସ୍ତୁଟିକୁ ଗ୍ରାସ କରି ପକାଉଥିବାରୁ ସେଇ ପଶୁକୁ ମୁଁ ଚାପୁଡ଼ା ମାରିଛି । ଭାବନ୍ତୁ ତ, ସେ ସମୟରେ ମୁଁ ପ୍ରତିରୋଧ ନକରି ସହଯୋଗ କରିଥିଲେ ଆମେ କେତେ ତଳକୁ ଖସି ଯାଇଥାନ୍ତେ । ମୁଁ ତ ଭାବୁଛି ମୁଁ ଠିକ୍ କରିଛି । ଆପଣଙ୍କ ଭାବନା ଆପଣ ଜାଣନ୍ତି ।

 

ଇତି

ସନ୍ଧ୍ୟା

 

ତେବେ ସନ୍ଧ୍ୟା ତାକୁ ଭଲପାଏ । ଭଲ ପାଏ ଏତେ ନିର୍ମଳ ଭାବେ । ମନ ଖୁସିରେ ଝୁମି ଉଠିଲା ପ୍ରକାଶର । ସନ୍ଧ୍ୟାର ବ୍ୟକ୍ତିତ୍ୱ ଧୀରେ ଧୀରେ ଗରୀୟାନ ହୋଇ ଉଠିଲା ପ୍ରକାଶର ଆଖିରେ। ନିଃସ୍ୱାର୍ଥ ପ୍ରେମିକା ସନ୍ଧ୍ୟା । ଏଇମିତି ସାଥିଟିଏ ତ ଲୋଡ଼ୁଛି ପ୍ରକାଶ । ମନର ଅଶାନ୍ତି ଉଭେଇ ଗଲା । ହୃଦୟରେ ସନ୍ଧ୍ୟା ପ୍ରତି ପ୍ରେମ ଉବୁଟୁବୁ ହେଲା । ବିଛଣାରେ ପଡ଼ି ସନ୍ଧ୍ୟାର ଚରିତ୍ର ବିଶ୍ଳେଷଣ କଲା । ସବୁ ଦିଗ ନିର୍ମଳ ।

 

ବାହାରେ ରାତି ବଢ଼ୁଛି । ଥଣ୍ଡା ପବନ ସବାରୀରେ ନିଦ ମାଉସୀ ଦ୍ଵାର ଦ୍ଵାର ବୁଲି ଶୁଆଇ ପକାଉଛି ସବୁ ମଣିଷ, ଜୀବ ଜନ୍ତୁଙ୍କୁ । ପ୍ରକାଶର ବିଛଣା ଘରର ଝରକା ଦେଇ ପ୍ରବେଶ କଲା । କ୍ରମେ ବସା ସଜାଡ଼ିଲା ପ୍ରକାଶର ଆଖିରେ ।

***

 

Unknown

‘କୋଡ଼ିଏ’

 

ମନ ଦରବାରରେ କେହି ଉଚ୍ଚାସନ ଅଧିକାର କରିନେଲେ କ୍ରମେ ଉଚ୍ଚତର ଆସନ ପାଇଚାଲେ । କ୍ରମେ ଆଦର୍ଶ ପାଲଟି ଯାଏ । ମନର ନୈତିକତା ତା’ଠାରୁ ଆରମ୍ଭ ହୋଇ ତା’ଠି ଶେଷ ହୁଏ ।

ସନ୍ଧ୍ୟାର ଚରିତ୍ର ପ୍ରକାଶର ମନ ଦରବାରରେ ଖୁବ୍‍ ଉଚ୍ଚାସନ ଅଧିକାର କରି ନେଇଛି ୟା ଭିତରେ । ନିଃସ୍ୱାର୍ଥ ପ୍ରେମର ସ୍ଵାଦ କେଡ଼େ ନୈସର୍ଗିକ । କାମନା ଓ ବାସନା ରହିତ ପ୍ରେମ କେବଳ ଅହେତୁକ, ଏହା ଏବେ ଅନୁଭବ କରୁଛି ପ୍ରକାଶ । ତାର କୃତ କର୍ମ ପାଇଁ ପଶ୍ଚାତ୍ତାପ କରୁଛି । ସନ୍ଧ୍ୟା ପାଖରେ କ୍ଷମା ମାଗିଛି । ବହିଦାର ଇଷ୍ଟେଟ୍‍କୁ ଯିବା ଆସିବା ଚାଲିଛି । ସନ୍ଧ୍ୟା ସହ ମିଳାମିଶା ଚାଲିଛି । ତେବେ ପରସ୍ପରଠି ଏବେ ବେଶୀ ଖୋଲି ଯାଇଛନ୍ତି । ରଜନୀ ସହ ପରିଚୟ ବଢ଼ିଛି । ଆଳାପ ଓ ସାକ୍ଷାତ ସମୟର ତିକ୍ତତା କମିଛି ପ୍ରକାଶର ହୃଦୟରୁ ।

ବହିଦାର ଦମ୍ପତି ପୁଅକୁ ଆମେରିକା ପଠାଇ ବଲାଙ୍ଗିର ଫେରିଆସି ସୁଖରେ ଅଛନ୍ତି । ବହିଦାର ତ ପୁଅର ଉନ୍ନତି ଚାହାନ୍ତି । ଉନ୍ନତି ପାଇଁ ପୁଅର ଅନୁପସ୍ଥିତିକ ସହଜରେ ସହି ପାରନ୍ତି । ମାତ୍ର ବୃଦ୍ଧାଙ୍କର ମାତୃତ୍ଵ ପୁତ୍ର ବିଚ୍ଛେଦରେ ହାହାକାରେ । ହୃଦୟରୁ ବାତ୍ସଲ୍ୟ ବରଷେ । ବୃଷ୍ଟି କରନ୍ତି ସନ୍ଧ୍ୟା ଏବଂ ପ୍ରକାଶ ଉପରେ ।

ସମୟର ସୁଅ ଗଡ଼ି ଚାଲେ ହସକାନ୍ଦ ଭରା ଜୀବନର ସର୍ପିଳ ପଥଦେଇ । ପୂର୍ଣ୍ଣମୀର ଗୋଟାଚାନ୍ଦ କମି କମି ଦିନେ ନିଶ୍ଚିହ୍ନ ହୋଇଯାଏ, ପୁଣି ଶୂନ୍ୟରୁ ଆରମ୍ଭ କରି ବଢ଼ିବଢ଼ି ଗୋଟା ବନିଯାଏ ।

ଉଆଁସୀ କନ୍ୟା ରଜନୀର ଭାଗ୍ୟ ଚାନ୍ଦ ବଢ଼ିବା ଆରମ୍ଭ କରିଛି ଶୂନ୍ୟରୁ । ମନୋଜମଞ୍ଜରୀ ଅନାଥାଶ୍ରମରୁ ତାର ଶୂନ୍ୟ ଜୀବନର ଆରମ୍ଭ । ଚାଲି ଚଳନ ଓ କର୍ତ୍ତବ୍ୟ ନିଷ୍ଠାରେ ବହିଦାର ବାବୁ ତୃପ୍ତ । ସାଙ୍ଗକୁ ବିଏସ୍ଇର ସେକଣ୍ଡ କ୍ଲାସ ଅନର୍ସ ତାକୁ ଯୋଗ୍ୟ କରିଛି ଡାକ୍ତରି ପଢ଼ିବାକୁ । ସବୁ ବହିଦାର ବାବୁଙ୍କର ଦୟା । ନିଜ ଚେଷ୍ଟାରେ ବୁର୍ଲା ମେଡ଼ିକାଲ କଲେଜରେ ସିଟ୍‍ଟାଏ ଯୋଗାଡ଼ କରିଛନ୍ତି । ଆର୍ଥିକ ସମସ୍ୟାର ସମାଧାନ କରିଛନ୍ତି ସେ ଦାୟିତ୍ୱ ନିଜ ହାତରେ ନେଇ । ରଜନୀ ସେଥି ସକାଶେ କୃତକୃତ୍ୟ । ମାତ୍ର ବହିଦାର ବାବୁଙ୍କର ସେଇ ଗୋଟିଏ ଉପଦେଶ ଉନ୍ନତି ମାର୍ଗରେ ସେଣ୍ଟିମେଣ୍ଟସ୍ ଓ ଇମୋସନ୍‍ର କୌଣସି ସ୍ଥାନ ନାହିଁ । କେବଳ ନିଷ୍କାମ କର୍ମ ହିଁ ଉନ୍ନତି ପଥର ପାଥେୟ ।

ବହିଦାର ବାବୁ ନିଜେ ଯାଇ ନାମ ଲେଖାଇ ଆସିଛନ୍ତି ରଜନୀର । ହଷ୍ଟେଲର ସୁବିଧା କରାଇ ଦେଇଛନ୍ତି । ଲିଗାଲ ଗାର୍ଡିଅନ୍ ନିଜେ ବନିଛନ୍ତି । ଆଉ ଆଜି ସନ୍ଧ୍ୟାରେ ସେ ସିଫ୍ କରିଯିବ ମେଡ଼ିକାଲ କଲେଜ ହଷ୍ଟେଲକୁ । ପ୍ରକାଶ ବିଶ୍ଳେଷଣ କଲା ରଜନୀକୁ । ନିଜର ସମସ୍ତ ଅନ୍ଧକାର ସତ୍ତ୍ୱେ ହୃଦୟରେ ତାର ମହାନତା ଅଛି । ଏକନିଷ୍ଠ କର୍ତ୍ତବ୍ୟ ତାର ଉଦାହରଣ । ସାମ୍ନାରେ ସମସ୍ତେ ତା ଆଖିରେ ସମାନ । ତା ପାଖରେ ଥିଲେ ନିଜେ ନିଜକୁ ଚିହ୍ନି ହୁଏନି । ତେବେ ସେ କିଆଁ ତାଠୁ ଦୁରେଇ ରହିବ ? ସେ କିଆଁ ତାର ଖୁସିରେ ସାମିଲ ନହେବ ?

ପ୍ରକାଶ ଚାଲିଲା ରଜନୀକୁ ସି ଅଫ୍ କରିବାକୁ । ସମସ୍ତଙ୍କ ଗହଣରେ ସେ ବି ସାମିଲ ହେବ । ଅଳ୍ପଦିନର ସୃଷ୍ଟି ହୋଇଥିବା ତା’ ପ୍ରତି ତିକ୍ତତାକୁ ତା ସହ ପଠାଇ ଦେବ । ବସଷ୍ଟାଣ୍ଡ ପାଖେଇ ଆସୁଛି । ରୋଡ ପାଖର ଷ୍ଟେସନାରୀ ଦୋକାନରୁ ମଦର ଟେରେସାଙ୍କର ଗୋଟିଏ ଡ୍ରୋଲ ପ୍ରତିକୃତି କିଣିଲା । ନିଜ ତତ୍ତ୍ଵାବଧାନରେ ପ୍ୟାକ୍ କରାଇଲା । ୱାଶିଙ୍ଗ କାର୍ଡରେ ଲେଖିଲା, ସୁଇଟ୍ ସୋଭେନିର୍‍ ଟୁ ରଜନୀ ।

 

ବସ୍ ଛାଡ଼ିବା ଉପରେ ଥିଲା । ରଜନୀ ବସ୍‍ରେ ବସି ସାରିଥିଲା । ସମସ୍ତ ଜନିଷ, ବିଛଣା ପତ୍ର ବସ୍‍ରେ ଲୋଡ୍ ହୋଇସାରିଥିଲା । ତରବର ହୋଇ ବସ୍‍ରେ ଚଢ଼ି ରଜନୀ ପାଖକୁ ଗଲା । ବଢ଼ାଇ ଦେଲା ଉପହାରଟି ।

 

ଲାଷ୍ଟ କମ୍ପ୍ଲିମେଣ୍ଟସ୍... ।

 

ନଟ୍ ଲାଷ୍ଟ ବଟ୍ ଫାଷ୍ଟ... ।

 

...ମେ ବି ।

 

ଛାଡ଼ିବା ପୂର୍ବରୁ ବସ୍‍ର ହର୍ଣ୍ଣ ବଜାଇଲା ଡ୍ରାଇଭର । ତରବର ହୋଇ ଓହ୍ନାଇ ପଡ଼ିଲା ପ୍ରକାଶ । ସନ୍ଧ୍ୟା ଓ ବହିଦାର ଦମ୍ପତି ହାତ ହଲାଇ ଶେଷ ବିଦାୟ ସମ୍ବର୍ଦ୍ଧନା ଜଣାଉଥିଲେ । ସାମିଲ ହୋଇଗଲା ପ୍ରକାଶ ।

***

 

‘ଏକୋଇଶ’

 

ନିଷ୍କାମ କର୍ମ ହିଁ ମହନୀୟତା । କର୍ମ ଯୋଗୁ ହିଁ କେହି ମହାନ୍ ହୋଇପାରେ । ସମୟ ସେଥି ସକାଶେ ଖୁବ୍ ମହାନ୍‍ । ନିଜ ରଥର ଚକ ଗଡ଼ାଇ ଆଗକୁ ମାଡ଼ି ଚାଲିବା ୟାର କର୍ମ । ସମୟ ଆଗକୁ ମାଡ଼ି ଚାଲେ । କୌଣସି ସାଂସାରିକ ମୋହ ମାୟାର ବନ୍ଧନ ୟାକୁ ରୋକି ପାରେନି-। କୌଣସି ଦୁଃଖରେ କି ସୁଖରେ ୟାର କିଛି ଯାଏ ଆସେ ନାହିଁକି ପଛକୁ ଫେରି ଚାହିଁବାର ଅଭ୍ୟାସ ମଧ୍ୟ ୟାର ନାହିଁ ।

 

ସମୟର ଯାତ୍ରା ଚାଲିଛି । ସର୍ବାଗ୍ରେ ମୁହୂର୍ତ୍ତ, ତା ପଛକୁ ମିନିଟ୍, ଘଣ୍ଟା, ଦିନ ମାସ ଏବଂ ବର୍ଷ । କେତେ ପୁରାତନକୁ ନିଶ୍ଚିହ୍ନ କରୁଛି ନିଜ ଗର୍ଭରେ ପୁଣି ନୂତନ ପାଇଁ ସ୍ନେହ ସୃଷ୍ଟି କରୁଛି । ପୁଣି ତାକୁ ପୁରାତନ କରି ନାଶ କରୁଛି । ନୂତନ ପୁରାତନ ନିଶ୍ଚିହ୍ନ ପୁଣି ନୂତନ । ସମୟର ଏହା ଏକ ଖେଳ । ସେଇ ସୁଅରେ ଭାସି ଚାଲିଛି ପ୍ରକାଶ । ସମୟ ସାଥିରେ ଆଗକୁ ମାଡ଼ି ଚାଲିଛି । ତାର ଐତିହ୍ୟକୁ ଛାଡ଼ି ନେଇଛି ବହୁତ ପଛରେ । ସମୟ ତାକୁ ଅନେକ କିଛି ଦେଇଛି, ତାଠୁ ଅନେକ କିଛି ନେଇଛି । ସମୟ ତାର ହିସାବ ରଖୁ ନରଖୁ ପ୍ରକାଶର ସୃତିରେ ସବୁ ଲିପିବଦ୍ଧ ।

 

ଏଇ ସମୟ ତାକୁ ଭସାଉ ଭସାଉ ଏମିତି ଏକ ଜାଗାରେ ଛାଡ଼ି ଦେଇଥିଲା । ବହିଦାର ଇଷ୍ଟେଟ୍ ସେଦିନ ଉତ୍ସବମୁଖର ହୋଇ ଉଠୁଥିଲା । ସନ୍ଧ୍ୟା ବିଏସ୍‍ସିରେ ଫାଷ୍ଟ କ୍ଲାସ୍ ଡିଷ୍ଟିଂସନ୍ ପାଇଥିଲା । ଖୁବ ଗୁରୁତ୍ଵପୂର୍ଣ୍ଣ ଦିବସ ଥିଲା ତାହା ପ୍ରକାଶ ପାଇଁ । ତାର ଇପ୍‍ସିତାର ଖୁସିରେ ସେ ଖୁବ୍‍ ଖୁସି ହୋଇଥିଲା ସେଦିନ । ଫୋନ୍‍ରେ ଖବର ପାଉ ପାଉ ଖୁସିରେ ବିହ୍ୱଳିତ ହୋଇ ପଡ଼ିଥିଲା । ଅଫିସ୍ ଛାଡ଼ି ଚାଲି ଯାଇଥିଲା ବହିଦାର ଇଷ୍ଟେଟ୍‍କୁ ସନ୍ଧ୍ୟାକୁ ଅଭିନନ୍ଦନ ଜଣାଇବା ପାଇଁ ।

 

ସାମ୍ନାରେ ଉଫୁଲ୍ଲିତା ସନ୍ଧ୍ୟାକୁ ଦେଖୁ ହସି ହସି କହିଥିଲା କଂଗ୍ରାଚୁଲେସନ୍ସ ।

 

ଖାଲି କଂଗ୍ରାଚୁଲେସନ୍ସ ଆଉ କିଛି ନାଇଁ... ବୁଦ୍ଦୁ ଦୀର୍ଘଦିନ ଯାଏ ଗମ୍ଭୀରତାଠାରେ ହାରମାନି ରହିଥିବା ଚପଳତା ପ୍ରକାଶ ପାଇଥିଲା ସନ୍ଧ୍ୟାର ବ୍ୟବହାରରେ । ଚପଳାମି ଦେଖି ମନରେ ଖୁସି ହେଉ ହେଉ ପ୍ରକାଶ ନିଜର କର୍ତ୍ତବ୍ୟ ଉପରେ ସନ୍ଦିହାନ ହେଉଥିଲା । ମନରେ ତାର କ’ଣ କରିବା ଉଚିତ୍ ଥିଲାର ପ୍ରଶ୍ନବାଚ ।

 

... ଆରେ ଏମିତି ଗମ୍ଭୀର କାହିଁକି ହୋଇ ଯାଉଛନ୍ତି । ମୁଁ କିଛି ମାଗିବିନି ମ ।

 

ତୁମର ବି ମୋ ପାଇଁ ଅଦେୟ କିଛି ନାହିଁ ସନ୍ଧ୍ୟା । ସବୁ କିଛି ତ ଦେଇଛି ମୋତେ, ମୋ ଘର, ମୋ ମନ, ମୋ ହୃଦୟ, ସବୁ ତ ଭରି ଦେଇଛ । ମୁଁ ସ୍ଵାର୍ଥପର ଭାବରେ ସବୁ କେବଳ ନେଇଛି । ଦେବାକଥା କେବେ ଭାବିନି...।

 

... ଆରେ ଆରେ ଏମିତି କ'ଣ କହୁଛନ୍ତି । ଆପଣ ଆମକୁ ଯେଉଁ ସ୍ନେହ ସହାନୁଭୂତି ସମ୍ମାନ ଦେଇଛନ୍ତି ତାର ମୂଲ୍ୟ କ’ଣ କିଛି କମ୍ । ଛାଡ଼ନ୍ତୁ ସେ କଥା, ଆସନ୍ତୁତ ଆଇ ଉଇଲ୍ ସରପ୍ରାଇଜ୍ ୟୁ । କଥା ସରୁ ସରୁ ଶିଡି ଉପରେ ପାଦ ରଖୁ ପଛକୁ ଚାହିଁଲା, ପ୍ରକାଶ ଆଖିରୁ ସବୁ ଅନୁମାନ କରି ସନ୍ଧ୍ୟାର ଅନୁଧାବନ କଲା । ଶିଡ଼ି ପାର ହୋଇ ଦୁହେଁ ପାଦଦେଲେ ସନ୍ଧ୍ୟାର ବେଡରୁମ୍‍ରେ ।

 

ଏଇଠି ଆଖିବନ୍ଦ କରି ଟିକିଏ ବସନ୍ତୁତ । ଇଜି ଚେୟାର ଆଡ଼େ ନିର୍ଦ୍ଦେଶ କରି କହିଲା ସନ୍ଧ୍ୟା । କାନ୍ଥ ସଂଲଗ୍ନ କପବୋର୍ଡର ଡ୍ରୟର ଟାଣି ଗୋଟିଏ ସୁନ୍ଦର ପ୍ୟାକେଟ ବାହାର କରି ପ୍ରକାଶ ଉଦେଶ୍ୟରେ କହିଲା... ମୋର ଆଜି ପରି ଖୁସି ଦିବସରେ ଆପଣଙ୍କ ପାଇଁ ଏ ତୁଚ୍ଛ ଭେଟି, ଗତ ତିନିମାସର ପରିଶ୍ରମର ଫଳ । କହୁ କହୁ ପ୍ରକାଶର କୋଳରେ ଥାଇ ଦେଲା ପ୍ୟାକେଟ୍‍ଟି ।

 

କ’ଣ ଅଛି ୟା ଭିତରେ ଆଖି ଖୋଲି ଚକିତ ହୋଇ ପ୍ରଶ୍ନ କଲା ପ୍ରକାଶ ।

 

ହୋଃ ବୁଦ୍ଧି... ପ୍ୟାକେଟ୍ ତ ଆପଣଙ୍କ ହାତରେ । ନିଜେ ଖୋଲି ଦେଖନ୍ତୁ ନା । ଚପଳାର ଚାପଲ୍ୟ ମନୋମୁଗ୍ଧକର ।

 

ଉତ୍ସୁକତାର ସହ ପ୍ୟାକେଟ୍ ଖୋଲିଲା ପ୍ରକାଶ । ଭିତରେ ସ୍ୱେଟରଟିଏ । ସୁନ୍ଦର ଡିଜାଇନରେ କାମ କରାଯାଇ ବୁଣାଯାଇଛି । ସାମ୍ନା ପାଖରେ ସୁନ୍ଦର ଭାବେ ଲେଖା ଯାଇଛି ‘ପି’ । ହାଲୁକା ଗୋଲାପୀ ରଙ୍ଗ ଉପରେ ଗାଢ଼ ବାଇଗଣୀ ଉଲ୍‍ର କାମ ହୋଇଛି ।

 

... ଓଃ ସନ୍ଧ୍ୟା... ବହୁତ ବହୁତ ଧନ୍ୟବାଦ୍ । ଆଇ ଲାଇକ୍ ଇଟ୍ । ତୁମର ହାତ କାମ ଖୁବ୍ ସୁନ୍ଦର ।

 

‘ଯେବେ ଏହା ଆପଣଙ୍କ ଦେହରେ ଶୋଭା ପାଇବ ସେବେ ମୋର ଶ୍ରମ ସାର୍ଥକ ହେବ-।’

 

ସେଥିପାଇଁ ତ ଆହୁରି ଚାରିମାସ ଅପେକ୍ଷା କରିବାକୁ ହେବ ।

 

ଠିକ୍ କହିଲି ନା ।

 

ଓଃ ପ୍ରକାଶ, ଫୁଟି ଉଠୁଥିବା ହସ ରୋକୁ ରୋକୁ କହିଲା... ଏବେ ଚାଲନ୍ତୁ ଯିବା ତଳକୁ ।

 

କେଡ଼େ ସୁନ୍ଦର ସ୍ମୃତିଟିଏ । ଆଦରରେ ସାଇତି ରଖିଛି ତାର ମନ ପେଟିରେ । ଆଉ ଥରେ ସେଦିନ ମଧ୍ୟ ସମୟ କେତୋଟି ଦୁର୍ମଲ୍ୟ ମୁହୂର୍ତ୍ତ ଉପହାର ଦେଉଥିଲା ପ୍ରକାଶ ହାତରେ । ସନ୍ଧ୍ୟା ନ୍ୟୁୟର୍କରେ କମ୍ପ୍ୟୁଟର ସାଇନ୍ସର ଡିପ୍ଲୋମା କରିବା ପାଇଁ ୟୁଜିସିର ମଞ୍ଜୁରୀ ପାଇଥିଲା । ପ୍ରକାଶକୁ ଏ ଖବର ଜଣାଇଥିଲା ନିଜେ ସନ୍ଧ୍ୟା ଫୋନ ଯୋଗେ । ଅନ୍ତର୍ମନରେ ନିଜ ଅଜାଣତରେ ଦୁଃଖୀ ହୋଇ ଯାଇଥିଲା । ଫୋନ୍‍ରେ କଥାବାର୍ତ୍ତା ବେଳେ ମୁହଁରେ ଖୁସି ଜାହିର କରି ଅଭିନନ୍ଦନ ଜଣାଇଥିଲା । ମାତ୍ର ମନରେ ଦୁଃଖ ଅନୁଭବ କରିଥିଲା ଭବିଷ୍ୟତର ବିରହକୁ କଳ୍ପନା କରି । ସେଦିନ ସାକ୍ଷାତରେ ଅଭିନନ୍ଦନ ଜଣାଇ ସନ୍ଧ୍ୟାର ଖୁସିରେ ସାମିଲ ହେବାକୁ ଯାଇ ନଥିଲା ସେ । ମାନସିକ ପ୍ରସ୍ତୁତି ନଥିଲେ ଖୁସିରେ ମଧ୍ୟ ସାମିଲ ହେବା କଷ୍ଟକର । ଅନ୍ତର ଭିତରେ ବେଦନା ଥାଇ ମୁହଁରେ ପ୍ଲାଷ୍ଟିକର ହସ ହସିବା ପ୍ରକାଶକୁ ଭଲ ଲାଗେନି ।

 

ପରଦିନ ଯେବେ ଦେଖାହେଲା ସନ୍ଧ୍ୟା ଅଭିମାନ କରି ମୁହଁ ବୁଲାଇ ଚାଲି ଯାଇଥିଲା । ପଶ୍ଚାତ୍‍ଧାବନ କରି ଛାତ ଉପର ଲନ୍‍ର ଶେଷ କୋଣରେ ସନ୍ଧ୍ୟାର ହାତ ଧରି କ୍ଷମା ମାଗିଥିଲା ପ୍ରକାଶ । ପ୍ରକାଶ୍ୟରେ କହିଥିଲା, ଅନ୍ତର ଭିତରେ ବେଦନା ଥାଇ ମୁହଁରେ ଖୁସି ଜାହିର କରିବା ତାକୁ ଭଲ ଲାଗୁନି । ତା’ଠାରୁ ଦୂରେଇ ରହିବାର ମୁହୂର୍ତ୍ତ ଗୁଡ଼ିକ ବିଷୟରେ ଭାବି ଭାବି ସେ ଖୁବ୍ ଦୁଃଖ ଅନୁଭବ କରୁଥିଲା ।

 

... ଆପଣ କ’ଣ ମୋତେ ଜଣେ ସୁଶିକ୍ଷିତା, ମାର୍ଜିତା, ପ୍ରତିଷ୍ଠିତା ମହିଳା ଭାବରେ ଦେଖିବାକୁ ଚାହାନ୍ତି ନାହିଁ ?

 

... ଚାହେଁ, ସନ୍ଧ୍ୟା, ଖୁବ୍ ଚାହେଁ, ମାତ୍ର ତୁମର ଓ ମୋର ଦୂରତ୍ୱର ବିନିମୟରେ ନୁହଁ । ମାତ୍ର ତୁମର ଏଇ ରୂପଟା ମୋର ସବୁଠାରୁ ବେଶୀ ପ୍ରିୟ ।

 

... ଡୋଣ୍ଟ ବି ସେଣ୍ଟିମେଣ୍ଟାଲ୍ ପ୍ରକାଶ ବାବୁ । ବିଚ୍ଛେଦର ମାତ୍ର ତିନୋଟି ବର୍ଷ ଏଇମିତି କଟିଯିବ ଚାହୁଁ ଚାହୁଁ । ଦେଖନ୍ତୁ ନା କାଲି ପରି ଲାଗୁଛି ଆପଣ ଏଠାକୁ ପ୍ରଥମ କରି ଆସୁଥିଲେ । ୟା ଭିତରେ ତ ପୁଣି ୩ବର୍ଷ କଟି ଗଲାଣି ।

 

... ସନ୍ଧ୍ୟା ! ତୁମକୁ କ’ଣ ଏ ବିଚ୍ଛେଦ ଦୁଃଖ ଦେବନି ।

 

... ପ୍ରକାଶ ବାବୁ । ଆପଣ... ଛାଡ଼ନ୍ତୁ । ଶୁଣନ୍ତୁ, ଭାଇ ଚିଠି ଲେଖିଛନ୍ତି ସେଠି ସବୁ ବନ୍ଦୋବସ୍ତ ସରିଲାଣି । ଦୁଇ ଦିନ ପରେ ଆମେ ଏଠୁ ଚାଲିଯିବୁ ଦିଲ୍ଲୀ । ସେଠାରେ ବାପା ଆମର ଭିସା ଏବଂ ପାପୋର୍ଟ ବ୍ୟବସ୍ଥା କରିବେ । ଆମେ ଦୁଇ ଚାରିଦିନ ପାଇଁ ସିମଳା ଚାଲିଯିବୁ । ବୁଲାବୁଲି କରି ଆସନ୍ତା ସାତ ତାରିଖରେ ପ୍ଲେନ୍ ଯୋଗେ ମା ଏବଂ ମୁଁ ନ୍ୟୁୟର୍କ ଯିବୁ । ଏୟାରପୋର୍ଟରେ ଭାଇ ଆମକୁ ରିସିବ୍‍ କରିବେ । ମୁଁ ବୋଉଙ୍କୁ କହିଛି ଆପଣ ଆମ ସହ ଗଲେ ଭଲ ହୁଅନ୍ତା ବୋଲି । ଅନ୍ତତଃ ସିମଳାରେ ବୁଲାବୁଲି କରିଲା ବେଳେ କିଛି ଅସୁବିଧା ହୁଅନ୍ତା ନାହିଁ-। କ’ଣ କହୁଛନ୍ତି ? ଠିକ୍ କହିଲି ନା...

 

... ମାତ୍ର ମାଉସୀ କ’ଣ ରାଜି ହେବେ ?

 

.... ହେତୁ ବୁଦ୍ଦୁ । ମା’ର ରାଜି ହେବା କଥା କହୁଛନ୍ତି, ବାପାଙ୍କୁ ବି ରାଜି କରାଇ ସାରିଛି ସେ । ଖାଲି ଆପଣଙ୍କର ରାଜି ହେବା ବାକି ଅଛି । ସେ ଦାୟିତ୍ୱ ମୋତେ ଦିଆଯାଇଛି । କୁହନ୍ତୁ ରାଜି ନା ଆପଣ ? ବାପା କହୁଥିଲେ ଆପଣଙ୍କର ଛୁଟିର ଅସୁବିଧା ହୋଇପାରେ ବୋଲି । କୁହନ୍ତୁନା ଯିବେ ନା ଆପଣ ? ଓଲି ସିକୁ ଡେଜ ପ୍ରୋଗ୍ରାମ ।

 

... ସନ୍ଧ୍ୟା ତୁମର ଅନୁରୋଧ ଟାଳିବା ଶକ୍ତି ମୋର ନାହିଁ । ଯିବି ମୁଁ, ନିଶ୍ଚୟ ଯିବି । ଶେଷ ମୁହୂର୍ତ୍ତରେ ଅନ୍ତତଃ କିଛିଟା ଅନ୍ତରଙ୍ଗ ମୁହୂର୍ତ୍ତର ଆଶାରେ ହଁ ଭରି ନିଜ କ୍ୱାର୍ଟରକୁ ଫେରିଥିଲା ପ୍ରକାଶ ସେଦିନ ।

 

ସିମଳାର ବର୍ଣ୍ଣାଢ୍ୟ ପରିବେଶର ସେ ସନ୍ଧ୍ୟାଗୁଡ଼ିକର ରୋମାଞ୍ଚର ସ୍ମୃତିରେ ଏବେ ବି ପ୍ରକାଶର ଲୋମମୂଳ ଟାଙ୍କୁରି ଉଠେ । ଦିଗନ୍ତ ବିସ୍ତାରି ପର୍ବତ ମାଳା, ଉଚ୍ଚ ନୀଚ, ଛୋଟବଡ଼ ଅନେକର ସମାହାର । ଉଚ୍ଚତା ପ୍ରତିଯୋଗିତାରେ ବିଜୟୀ ପ୍ରତିଯୋଗୀଙ୍କୁ ପ୍ରକୃତି ପୁରସ୍କୃତ କରିଛି ଧଳା ବରଫର ତାଜ ପିନ୍ଧାଇ । ସୂର୍ଯ୍ୟ ନିଜର ଗତି ଆରମ୍ଭ କଲାବେଳେ ନିଜର ଅର୍ଦ୍ଧେକ ରଙ୍ଗ ଦାନ କରି ସୁନେଲି କରି ଦିଅନ୍ତି ଏଇ ବରଫର ତାଜକୁ । ଚିରହରିତ୍ ଅରଣ୍ୟର ଚିରସବୁଜ ଏଇ ଅଞ୍ଚଳର ରୋମାଞ୍ଚ ସମସ୍ତ ଦର୍ଶକଙ୍କର ମନକୁ ସବୁଜ କରିଦିଏ ବୟସର ଯେ କୌଣସି ଅବସ୍ଥାନର ନିର୍ବିଶେଷରେ ।

 

ଓବେରାଇ ହୋଟେଲର ୧୭ନମ୍ବର ସିଟ୍ର ବାଲକୋନୀରୁ ପ୍ରକୃତିର ରୋମାଞ୍ଚ ଉପଭୋଗ କରୁଥିଲେ ପ୍ରତ୍ୟେକ ସକାଳ ଓ ସନ୍ଧ୍ୟାରେ ବୃଦ୍ଧା । ମାତ୍ର ସନ୍ଧ୍ୟା ଏବଂ ପ୍ରକାଶ ହାତରେ ହାତ ଦେଇ ସିମଳା ସହରର ପ୍ରତ୍ୟେକ କୋଣ ଅନୁକୋଣର ସୌନ୍ଦର୍ଯ୍ୟ ଉପଭୋଗ କରୁଥିଲେ । କେତେ ବଗିଚା, କେତେ ହ୍ରଦ, କେତେ ପୁରୁଣା ହବେଳୀ, ବୋଟିଂ କ୍ଲବ, ଗୋଲ୍‍ପ କ୍ଲବରେ ସନ୍ଧ୍ୟାମାନ କାଟିଥିଲେ । ଚାରୋଟି ଦିନ ଚାରୋଟି ସେକେଣ୍ଡ ପରି ଦୁହେଁ କଟାଇ ଦେଇଥିଲେ ।

 

ଆଉ ସେଦିନର ସନ୍ଧ୍ୟା ପ୍ରତ୍ୟେକ ମୁହୂର୍ତ୍ତରେ ମନେପଡ଼େ ପ୍ରକାଶର । ପରଦିନ ସକାଳ ୮ଟାରେ ଟ୍ରେନ୍ ଯୋଗେ ଦିଲ୍ଲୀ ଫେରିବାର ଥିଲା ସେମାନଙ୍କର । ତେଣୁ ସେ ସନ୍ଧ୍ୟାର ପ୍ରତିଟି ମୁହୂର୍ତ୍ତକୁ ମନଭରି ଉପଭୋଗ କରିବାକୁ ଚାହିଁଥିଲେ ଦୁଇଟି ଯୁବପ୍ରେମୀ । ଦିନ ୩ଟା ବେଳେ ଲଙ୍ଗ୍ ଡ୍ରାଇଭ ପାଇଁ ଟାକ୍‍ସି ଟାଏ ଭଡ଼ା କରି ବାହାରିଥିଲେ ଦୁହେଁ । ପ୍ରକାଶ ବମ୍ବେ ରହଣିକାଳ ମଧ୍ୟରେ ପ୍ରାୟ ସମସ୍ତ ଚାରି ଚକିଆ ଯାନ ଚଳାଇବାରେ ଟ୍ରେଡ୍ ହୋଇଯାଇଥିଲା । ଆଉ ସନ୍ଧ୍ୟା ନିଜ ଘରର ଫିଆଟ୍ କେତେବେଳେ କେମିତି ଚଳାଇ ଡ୍ରାଇଭିଂ ଶିଖିଯାଇଥିଲା । ତେଣୁ ଡ୍ରାଇଭର ସାଙ୍ଗରେ ନେବାକୁ ପସନ୍ଦ କରିନଥିଲେ ଦୁହେଁ ।

 

ଝଙ୍କା ଏବଂ ଉଚ୍ଚ ବୃକ୍ଷ ସମୂହର ମଝିରେ ପାହାଚ କଟା ହୋଇ ରାସ୍ତା ବନାଯାଇଛି । ଅଙ୍କାବଙ୍କା ପିଛିଳ ରାସ୍ତାର ଗୋଟିଏ ପାର୍ଶ୍ଵରେ ନଭଶ୍ଚୁମ୍ୱୀ ପର୍ବତମାଳା, ଅନ୍ୟ ପାଖରେ ପାତାଳକୁ ସ୍ପର୍ଶ କରୁଥିବା ଉପତ୍ୟକା । ଯେତେ ଆଗକୁ ଗାଡ଼ି ଗାଡ଼ି ଚାଲେ ସହରର ପତନ ସେତେ ତଳକୁ ଖସିଯାଏ । ମାତ୍ର ଅପରପାର୍ଶ୍ୱରେ ପର୍ବତମାଳା ତ ସଦା ଉଚ୍ଚ, ନଭଶ୍ଚୁମ୍ୱୀ । ତାର ଶିଖର ସ୍ପର୍ଶ ଏ ଗାଡ଼ି ଦ୍ୱାରା ଅସମ୍ଭବ।

 

କଳାରଙ୍ଗର ଆମ୍ବାସାଡ଼ର ସେଦିନ ମାଡ଼ି ଚାଲିଥିଲା ଆଗକୁ ଆଗକୁ । ସାଥରେ ଦୁଇଟି ଯୁବ ହୃଦୟର ସମ୍ବେଦନ । ଏ ଦୌଡ଼ର ଅନ୍ତ ନାହିଁ, ଲକ୍ଷ୍ୟ ନାହିଁ । ଖାଲି ଆଗକୁ ମାଡ଼ି ଚାଲିବା ୟାର ଧର୍ମ । ଆମ୍ବାସାଡ଼ର ଗତିର ତାଳେ ତାଳେ ପାର୍ଶ୍ଵସ୍ଥ ବୃକ୍ଷରାଜି ପଛକୁ ଫେରି ଯାଉଥିଲେ ହାର ମାନି, ଆଗକୁ ରାସ୍ତାର ଦିଗ ଦର୍ଶାଇ । ସିମଳା ସହର କ୍ରମେ ଛୋଟରୁ ଛୋଟ ହୋଇ ଯାଉଥିଲା । ତଳକୁ ତଳକୁ ଖସି ଯାଉଥିଲା, ପ୍ରତ୍ୟକ୍ଷର ବିଶାଳ ବହୁତଳ ପ୍ରାସାଦ ଛୋଟ ଖେଳନା ପରି ପ୍ରତୀୟମାନ ହେଉଥିଲା । ଥଣ୍ଡା ହାୱା ସାଙ୍ଗକୁ ଟ୍ରାଫିକ୍‍ର ନିର୍ଜନତା ଦୁଇଟି ହୃଦୟର ଉଦ୍‍ବେଳନକୁ ଉତ୍ତେଜିତ କରୁଥିଲା । ରୋମାଞ୍ଚରେ ଦୁହେଁ ଶିହରିତ ହେଉଥିଲେ । ସାମ୍ନାରେ ବାଁ କଡ଼କୁ ଜଳ ପ୍ରପାତଟିଏ । ସ୍ଵଚ୍ଛ ଜଳ ଝରି ପଡ଼ୁଛି ଉପରୁ ତଳକୁ ! ପଥର ଦେହରେ ଛେଚି ହୋଇ ଖଣ୍ଡ ଖଣ୍ଡ ଜଳକଣାରେ ପରିଣତ ହୋଇ କୁହୁଡ଼ି ସୃଷ୍ଟି କରୁଛି ଠିକ୍ ମଝିରେ । ପୁଣି ତଳକୁ ଖସିପଡ଼ି ଅତଳ ଗର୍ଭକୁ ଚାଲିଯାଉଛି, କିଛି କ୍ଷଣ ପରେ ବୁଦ୍‍ବୁଦ୍ ଉଠାଇ କରୁଛି ଆତ୍ମପ୍ରକାଶ । ତା’ପରେ ସରଳ ସ୍ୱଭାବ ଛଳରେ ବୋହି ଚାଲିଯାଉଛି ଯେପରି କିଛି ହୋଇନି । ପ୍ରକୃତିର ନିର୍ମମ ନିର୍ଯ୍ୟାତନାରେ ନିର୍ବିକାର ଏଇ ଜଳଧାରା ।

 

ସନ୍ଧ୍ୟା ଆଖିରେ ଜଳପ୍ରପାତ ପଡ଼ିବା ମାତ୍ରକେ ଇଙ୍ଗିତ କଲା ପ୍ରକାଶକୁ ଗାଡ଼ି ରୋକିବା ନିମନ୍ତେ । ପ୍ରକାଶ ଗାଡ଼ି ରୋକି ରୋଡ୍ ସାଇଡରେ ପାର୍କ କରି ତଳକୁ ଓହ୍ଲାଇଲା । ସନ୍ଧ୍ୟା ମଧ୍ୟ ଓହ୍ଲାଇ ପ୍ରକୃତିର ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ଲାଗିଲା । ପରେ ପରସ୍ପର ହାତରେ ହାତ ଦେଇ ଠିକ୍ ଚଳ ଚଞ୍ଚଳ ଝରଣାଟିଏ ପରି ଡେଇଁ ଡେଇଁ ପାହାଡ଼ ତଳକୁ ଓହ୍ଲାଇ ଗଲେ ପ୍ରପାତର ପାଦ ଦେଶକୁ । ଉପରୁ ଝରି ପଡ଼ୁଥିବା ଜଳକଣାରେ ଦୁହିଁଙ୍କର ସର୍ବାଙ୍ଗ ଆର୍ଦ୍ର ହୋଇଗଲା । ମାତ୍ର ଅନ୍ତରର କାମାଗ୍ନି କ୍ରମେ ତେଜ ହୋଇ ପଡ଼ୁଥିଲା । ସନ୍ଧ୍ୟା ପାଣିରେ ହାତ ମାରି ଅନୁଭବ କଲା ଆଃ...ଥଣ୍ଡା... ସର୍ବତ୍ର ଥଣ୍ଡା ।

 

ପ୍ରକାଶ ହାତ ଘଣ୍ଟା ଦେଖିଲା ପାଞ୍ଚଟା ପନ୍ଦର ମିନିଟ୍ । ଉପରକୁ ଚାହିଁଲା ଗଗନ ଚୁମ୍ୱୀ ପର୍ବତ ଶିଖରରେ ଖଣ୍ଡେ କଳା ବଉଦ । ତାରି ଉହାଡ଼ରେ ସୂର୍ଯ୍ୟ ।

 

‘‘... ଏଥର ଫେରିବା ସନ୍ଧା.....’’

 

... ହଁ ଫେରିବା, ଇଚ୍ଛା ହେଉଛି ଏଇଠି ଏମିତି ଠିଆ ହୋଇ ସାରା ଜୀବନଟା କଟାଇ ଦିଅନ୍ତି । କେଡ଼େ ସୁନ୍ଦର ଏ ପ୍ରକୃତି... ନୁହଁ ।

 

... ଆମେରିକାରେ କମ୍ପ୍ୟୁଟର ସାଇନ୍ସରେ ଡିପ୍ଲେମାଟା ଆଉ କିଏ ମାରି ନେବ । ଯେ... ଚାଲ... ଚାଲ, ମାଉସୀ ତେଣେ ବ୍ୟସ୍ତ ହେଉଥିବେ ।

 

... ପ୍ରକାଶ ବାବୁ ଜଣେ ସ୍ତ୍ରୀ ଲୋକ ଜୀବନରେ ଆଉ ଅଧିକ କ’ଣ ଚାହେଁ ନିଜ ପସନ୍ଦର ସାଥିଟିଏ ଆଉ ଏମିତି ରୋମାଞ୍ଚକର ପରିବେଶଟିଏ । ସନ୍ଧ୍ୟାର ସ୍ୱର କହୁ କହୁ ଭାରି ହୋଇ ଯାଉଥିଲା ।

 

ସନ୍ଧ୍ୟା, ଡୋଣ୍ଟ ବି ସିଲି, ଦେଖ ବାଦଲ ଘନେଇଲାଣି, ବର୍ଷା ହୋଇପାରେ । ଚାଲଯିବା, ହାତଧରି ଏକରକମ ଟାଣି ଆଣିଥିଲା ପ୍ରକାଶ ଗାଡ଼ି ପାଖକୁ । ଗାଡ଼ିରେ ବସିଲା ବେଳକୁ ପର୍ବତ ଶିଖରର ଛୋଟ କଳା ବଉଦଟି ନିଜର କାୟା ବିସ୍ତାର କରି ସାରିଥିଲା । ଆକାଶର ଅର୍ଦ୍ଧେକ ଆବୃତ କରି ପକାଇଥିଲା ଇତି ମଧ୍ୟରେ ।

 

ଗାଡ଼ିରେ ବସିଲା ପରେ ଇଗ୍‍ନିସନରେ ଚାବି ପୂରାଇ ଗାଡ଼ି ଷ୍ଟାର୍ଟକଲା ପ୍ରକାଶ । ଗିଅର ପକାଇ ଷ୍ଟିୟରିଂ ମୋଡ଼ି ଗାଡ଼ି ବ୍ୟାକ୍ କରି ସିଧା ରାସ୍ତାରେ ଛୁଟାଇ ଦେଲା । ... ହଠାତ୍ ପ୍ରକାଶର କାନ୍ଧରେ ମୁଣ୍ଡ ରଖି ପ୍ରକାଶ ଉପରକୁ ଢଳି ପଡ଼ିଲା ସନ୍ଧ୍ୟା । କ’ଣ ହେଲା ପ୍ରଶ୍ନ କରି ପ୍ରକାଶ ଗାଡ଼ିର ବ୍ରେକ୍ ଉପରେ ପାଦର ଚାପ ଦେଲା ।

 

... କ’ଣ ହେଲା ସନ୍ଧ୍ୟା... ?

 

... ପ୍ରକାଶ ବାବୁ, ଆପଣ ମୋତେ ତିନିବର୍ଷ ଯାଏ ଅପେକ୍ଷା କରିବେନା ।

 

... ହଠାତ୍ ଏ ପ୍ରଶ୍ନ କାହିଁକି ସନ୍ଧ୍ୟା, ମୋ ଉପରେ କ’ଣ ତୁମର ଭରସା ନାହିଁ ?

 

... ନାଇଁ ପ୍ରକାଶ, ମୋର ଭାଗ୍ୟ ଉପରେ ଭରସା ରହୁନି । ମୋତେ ଭାରି ଡର ଲାଗୁଛି ।

 

... ତୁମେ ଏ ସବୁ କ’ଣ କହୁଛ ?

 

... ମୁଁ ତୁମକୁ ଭଲପାଏ ପ୍ରକାଶ । ଖୁବ୍ ଭଲପାଏ, ତୁମ ବିନା ମୋର ଜୀବନ ଅସମ୍ଭବ । ମୋତେ ଖୁବ୍ ଡର ଲାଗୁଛି କାଳେ ତୁମକୁ ମୋଠୁ କିଏ ଛଡ଼େଇ ନେବ । ମୋତେ ଭିଡ଼ିଧର ପ୍ରକାଶ ମୋତେ ଭିଡ଼ିଧର । କହି ନ ସାରୁଣୁ ବାହୁ ଉଠାଇ ଗଳା ବେଷ୍ଟନ କଲା ପ୍ରକାଶର ।

 

...ସନ୍ଧ୍ୟା ତୁମର କ’ଣ ହୋଇଛି । ଡୋଣ୍ଟ ବି ସେଣ୍ଟିମେଣ୍ଟାଲ୍ ।

 

... ପ୍ରକାଶ ତ ଯୁଗେ ଯୁଗେ ମାତ୍ର କିଛି କ୍ଷଣ ପାଇଁ ସନ୍ଧ୍ୟାର ସାଥି ବନିଥାଏ । ତା’ ପରେ ସନ୍ଧ୍ୟା ତିମିରର କୋଳରେ ହଜିଯାଏ ଆଉ ପ୍ରକାଶ ରଜନୀର କୋଳରେ ମୋତେ ଡର ଲାଗୁଛି ମୋର ପ୍ରକାଶ ଆଉ କାହା କୋଳକୁ ଚାଲି ଯିବନି ତ... ।

 

... ପ୍ରକୃତିର ସନ୍ଧ୍ୟା ଏବଂ ପ୍ରକାଶଠୁ ଆମେ ଭିନ୍ନ ସନ୍ଧ୍ୟା । ଆମେ ରକ୍ତ ମାଂସର ଦେହଧାରୀ ମଣିଷ ଦୁଇଟି । ଦେହରେ ଆମର ହୃଦୟ ଅଛି । ତା’ଭିତରେ ପରସ୍ପରର ପ୍ରତିକୃତି । ସେ ପ୍ରତିକୃତିକୁ କେହି କାଢ଼ି ନେଇ ପାରିବନି । କେହି ପାରିବନି ।

 

... ତୁମେ ଜାଣିନ ପ୍ରକାଶ, ତୁମକୁ ଦିନେ ନ ଦେଖିଲେ ମୁଁ ସେ ଦିନଟା କେମିତି କାଟେ । ତମ ମୁହଁରୁ କଥା ପଦେ ଶୁଣିବାକୁ କେତେ ଇଚ୍ଛା କରେ । ମୋତେ ଭଲପାଅ ବୋଲି ତୁମେ କହିଲେ ମୁଁ ଶୁଣି କେତେ ଆନନ୍ଦପାଏ ତୁମେ ସେକଥା ଜାଣିବ । କେବଳ ସେଇଥି ପାଇଁ ତୁମଠି ଛଳନା କରେ ମୁଁ ତୁମର ଭଲ ପାଇବାକୁ ସ୍ୱୀକାର ନକରିବା । ଏତେ ଦୂରରେ ଦୀର୍ଘ ତିନିବର୍ଷ କେମିତି କାଟିବି ମୁଁ ପ୍ରକାଶ, କେମିତି କାଟିବି ।

 

... ଚାନ୍ଦ ଆଉ କଇଁ ଏତେ ଦୂରରେ ରହି କେମିତି କାଟଛି ଦିନ ! ! ପ୍ରାପ୍ତିଠୁଁ ଆଶାରେ ଅଧିକ ଆନନ୍ଦ ମିଳେ ସନ୍ଧ୍ୟା । ସାନ୍ନିଧ ଠାରୁ ପ୍ରତୀକ୍ଷା ଅଧିକ ଆନନ୍ଦଦାୟକ ।

 

... ଆମେ ଚାନ୍ଦ କଇଁପରି ନିର୍ଜୀବ ସଂଜ୍ଞା ନୋହୁ ପ୍ରକାଶ । ସମ୍ବେଦନଶୀଳ ହୃଦୟଧାରୀ ମଣିଷ ଆମେ । ମୁଁ ସୁଖ ଦୁଃଖ ଉପଲବ୍ଧି କରେ । ମୋ ମନ ତୁମକୁ ଚାହେଁ ମୋ ହୃଦୟ ତୁମର ହୃଦୟକୁ ଚାହେଁ । ମୋ ଦେହ ତୁମର ଦେହକୁ ଚାହେଁ, କହି ସାରୁ ସାରୁ ପ୍ରକାଶର ଗାଲରେ ସରୁ ଚୁମ୍ବନଟିଏ ଆଙ୍କି ଦେଲା ସନ୍ଧ୍ୟା ।

 

... ସନ୍ଧ୍ୟା ହୋସ୍ ପାଅ । ସେ ଦିନର ସନ୍ଧ୍ୟା କଥା ଭୁଲିଗଲ । ତୁମ ନିତି କଥା ଭୁଲିଗଲ । ଜୋର କରି ନିଜ ବେକରୁ ସନ୍ଧ୍ୟାର ହାତ ଯୋଡ଼ିକ ଛଡ଼ାଇ ଦେଇ ଗାଡ଼ି ଷ୍ଟାର୍ଟକଲା ପ୍ରକାଶ । ସନ୍ଧ୍ୟାର ଆତ୍ମପ୍ରତ୍ୟୟ ଜାତ ହେଲା । ନିଜଠି ନିଜେ ଲଜିତ ହେଲା, କହିଲା...

 

... ‘‘ମୋତେ କ୍ଷମା କରିଦିଅ ପ୍ରକାଶ ।’’

 

ପ୍ରକାଶ ଚୁପ୍, ସାଥିରେ ସନ୍ଧ୍ୟା । ନତମସ୍ତକ ପ୍ରକାଶର ଆଖି ରୋଡ଼ ଉପରେ ।

 

ପ୍ରକାଶ ଭାବୁଛି ଦୀର୍ଘଦିନ ଧରି ଚାପି ରଖିଥିବା ହୃଦୟର ଭାବକୁ ପ୍ରକାଶ କଲା ବେଳେ ଆବେଗକୁ ରୋକି ହୁଏନି । ସନ୍ଧ୍ୟାର କ୍ଷେତ୍ରରେ ସେଇୟା ଘଟିଛି ।

 

ପରଦିନ ତିନିହେଁ ଦିଲ୍ଲୀ ଆସିଥିଲେ । ସାତଟା ପାଞ୍ଚ ମିନିଟ୍ରେ ବୋଇଂ ଏଏଫ୍୧୭ ବିମାନ ଦିଲ୍ଲୀ ଛାଡ଼ିବ । କେବଳ ଦୁଇଟି ଷ୍ଟପେଜ୍ ୟାର ଦୁବେଇରେ ଫ୍ୟୁଏଲ ନେବ ଏବଂ ଲଣ୍ଡନରେ ଷ୍ଟାଫ୍ ଚେଞ୍ଚ ହେବ । ବାସ୍ ପ୍ରାୟ ସକାଳ ତିନିଟା ବେଳକୁ ନ୍ୟୁୟର୍କରେ ପହଞ୍ଚିବ । ବହିଦାର ବାବୁ ସମସ୍ତ ଜିନିଷପତ୍ର ଆଗରୁ ବୁକିଂ କରାଇ ନେଇସାରିଛନ୍ତି । କଷ୍ଟମ୍ ମଧ୍ୟ ପାସ୍ ହୋଇ ସାରିଛି । ଖାଲି ଭିସା ଏବଂ ପାସ୍‍ପୋର୍ଟ ଚେକିଂ ହୋଇଗଲା ପରେ ବୋର୍ଡିଂ ।

 

ଗତକାଲିର ସନ୍ଧ୍ୟାଠାରୁ ପ୍ରକାଶ ବା ସନ୍ଧ୍ୟା ପଦିଏ ହେଲେ କଥା ହୋଇ ନାହାନ୍ତି । ସମୟ ଯେତେ ପାଖେଇ ଆସୁଛି ମନରେ ସେତେ ବେଶୀ କୋହ ଉଠୁଛି । ଖାଲି ଆଖିରେ ଆଖିରେ ନିଜ ହୃଦୟର ଦରଦୀ ଭାବ ପ୍ରକାଶ କରୁଛନ୍ତି ।

 

ମଝିରେ ୱେଟିଂ ଚ୍ୟାମ୍ବରରୁ କିଛିକ୍ଷଣ ପାଇଁ ବାହାରକୁ ଚାଲି ଯାଇଥିଲା ପ୍ରକାଶ । ମନରେ ଛନକା ପଶିଥିଲା ସନ୍ଧ୍ୟାର । ତିନିଚାରି ଥର ପଚାରିଥିଲା ମା’କୁ ପ୍ରକାଶ କୁଆଡ଼େ ଗଲେ ବୋଲି । ମା’ ଅଜ୍ଞ, ତେଣୁ ନିରୁତ୍ତର ସନ୍ଧ୍ୟାର ମନରେ ଶଙ୍କା ଓ ଉଚ୍ଛନ୍ନତା ।

 

ଉଦ୍‍ଘୋଷକ ବୋଇଙ୍ଗ ଏଫ-୧୭ର ଅରାଇଭାଲ୍ (ପହଞ୍ଚିବା) ଘୋଷଣା କଲା । ବହିଦାର ବାବୁ ତୁରନ୍ତ ରେଡି ହୋଇ ଚାମ୍ବର ବାହାରକୁ ଚାଲି ଆସିଲେ । ପଛେ ପଛେ ମା’ ଏବଂ ସବା ପଛରେ ସନ୍ଧ୍ୟା । ମନ ତାର ବୁଝୁନି । ଆଖି ଖୋଜିଛି ପ୍ରକାଶକୁ, ଚାରି ଆଡ଼କୁ ନିରୀକ୍ଷଣ କରୁଛି । ପାଦେ ପାଦେ ଆଗଉଛି ଏୟାପୋର୍ଟର ବାରଣ୍ଡା ଆଡ଼କୁ ।

 

ସାମ୍ନାରୁ ଖୁବ ବଡ଼ ପ୍ୟାକେଟାଏ ଧରି ପ୍ରକାଶ ସନ୍ଧ୍ୟା ସାମ୍ନାରେ ହାଜର । ଆଖିରେ ଆଖି ମିଳିଲାଠୁ ସ୍ୱତଃ ହସିଦେଲା ସ୍ମିତ ହସଟିଏ ସନ୍ଧ୍ୟା ।

 

... ଏ କ’ଣ ?

 

... ତୁମ ପାଇଁ ଛୋଟ ଉପହାରଟିଏ ।

 

... ଏତେ ବଡ଼ ପ୍ୟାକେଟରେ ଛୋଟ ଉପହାର । କ’ଣ ଅଛି ୟା ଭିତରେ ?

 

... Complete Works of Vibekananda ଆଠଟା ଭଲ୍ୟୁମ୍‍ ।

 

... ଆମେରିକାରେ ମୁଁ କମ୍ପ୍ୟୁଟର ସାଇନ୍ସ ପଢ଼ିବି ନା ଏଇ ବହିଯାକ ପଡ଼ିବି ?

 

..., ଏ ମାଟି ଛାଡ଼ି ଯିଏ ବିଦେଶ ଯାଏ ସେ ବିଦେଶୀ ପାଲଟିଯାଏ ସନ୍ଧ୍ୟା । ଏଠାକାର ପରମ୍ପରା, ସଂସ୍କୃତି ସବୁ ଭୁଲିଯାଇ ସେଠିକାର ସଂସ୍କୃତି ଶିଖିଯାଏ । ତେଣୁ ଏଇ ବହିଗୁଡ଼ିକ ଦେଉଛି । ଅବସର ସମୟରେ ଅନ୍ତତଃ ବହିଗୁଡ଼ିକୁ ପଢ଼ି ଏଠାକାର ସଂସ୍କୃତି ଓ ପରମ୍ପରାକୁ ମନେ ପକାଇବ ।

 

... ଠିକ୍ ତ କହୁଛି ପୁଅ । ରଖିଦେ ମୋର ବି ଦରକାର ହେବ ।

 

... ମା’ର ଆଦେଶାତ୍ମକ ଉପଦେଶ ପାଇଲା ପରେ ଅଧିକ କିଛି କହି ପାରିଲାନି ସନ୍ଧ୍ୟା । ପ୍ରକାଶ ହାତରୁ ପ୍ୟାକେଟ୍ ନେଇ ହାତରେ ଧରିଲା ।

 

... ଦିନ ଦିନ ଧରି ଗଣି ଆଜିଠାରୁ ତିନିବର୍ଷ ଗଣିବି ସନ୍ଧ୍ୟା ।

 

.., ପ୍ରତ୍ୟେକ ସପ୍ତାହରେ ଚିଠି ଖଣ୍ଡ ଆଶା କରିବି ଆପଣଙ୍କ ଠାରୁ ।

 

ନିର୍ଦ୍ଧାରିତ ସମୟରେ ପ୍ଲେନ ପାର୍କ କଲା । ଚଢ଼ିବା ପାଇଁ ଶିଡ଼ି ଲାଗିଗଲା । ଏଥରକ ଯିବ ସନ୍ଧ୍ୟା, ପଛକୁ ଫେରି ଚାହିଁ ଚାହିଁ ଆଗକୁ ବଢ଼ି ଚାଲିଲା ସନ୍ଧ୍ୟା । ଆଗରେ ମା । ଗୋଟିଏ ଗୋଟିଏ କରି ଶିଡ଼ି ପାର ହେଲେ । ଏଥର ପ୍ଲେନ ଭିତରେ, ଆଉ ଦିଶିଲେ ନି । ବହିଦାର ବାବୁ ଏବଂ ପ୍ରକାଶର ହଲୁଥିବା ହାତ ଧୀରେ ଧୀରେ ଖସି ଆସିଲା ନିଜର ସ୍ଥାନକୁ ।

 

ସେଦିନ ରାତି ଟ୍ରେନରେ କଲିକତା ଦେଇ ଚାଲି ଆସିଥିଲା କେନ୍ଦୁଝର । ବହିଦାର ବାବୁ ପ୍ରଶ୍ନ କରିଥିଲେ ବିଦାୟ ଦେଇ ସାରିବା ପରେ, ପ୍ରକାଶର ଆଉ ପ୍ଲାନ କ’ଣ ଥିଲା ବୋଲି । ଗାଁକୁ ଯିବି ବୋଲି ସିଧା ସରଳ ଉତ୍ତରଟିଏ ଦେଇ ପ୍ରସ୍ଥାନ କରିଥିଲା ଏୟାର ପୋର୍ଟରୁ । ବହିଦାର ବାବୁ ତାପରେ ଦିଲ୍ଲୀରେ କ’ଣ କଲେ ଏବଂ କେବେ ବଲାଙ୍ଗୀର ଫେରିଲେ ଏକଥା ଜାଣିନି ଏଯାଏ । ଜାଣିବାର ଉତ୍ସୁକତା ନାହିଁ, ସୁଯୋଗ ମଧ୍ୟ ନାହିଁ । ବହିଦାରଙ୍କୁ ପ୍ରଶ୍ନ କରିବାର ସାହସ ପ୍ରକାଶର ନାହିଁ ।

 

ସେଦିନ ସନ୍ଧ୍ୟା ସାଢ଼େ ଆଠଟାରେ ପହଞ୍ଚି ଥିଲା ପ୍ରକାଶ ନିଜ ଘରେ । ସର୍ବ ପ୍ରଥମେ ଦେଖିଥିଲା ପ୍ରଦୀପ୍ତ ତାକୁ ଆସିବାର । ଖାଇ ସାରି ଅଗଣାରେ ହାତ ଧୋଉଥିଲା । ଭାଇକୁ ଆସିବାର ଦେଖି ଦଉଡ଼ି ଯାଇ ରୋଷାଇ ଘରେ ମାକୁ ଖବର ଦେଇଥିଲା । ଭାଇ ଆସିଲେଣି କହି-। ତା କଥା ଶୁଣି ରୋଷାଇ ଘରୁ ବାହାରି ଆସିଥିଲେ ମା ତାରାଦେବୀ, ଶୋଇବା ଘରୁ ବାପା ସୁଧାଂଶୁ ଏବଂ ଜ୍ୟୋତ୍ସ୍ନା, ପ୍ରଭା ଓ ଜ୍ୟୋତି । ଆଗକୁ ବଢ଼ି ପାଦଧୂଳି ନେଇଥିଲା ବାପାଙ୍କର ଏବଂ ମାଙ୍କର । ନିଜକୁ ପ୍ରସ୍ତୁତ କରି ନେଇଥିଲା ବାପା ମା’ଙ୍କର ସମସ୍ତ ଗାଳି ମନ୍ଦ ଶୁଣି ସହ୍ୟ କରିବାକୁ । ମାତ୍ର ବାପା ତାଙ୍କର ସ୍ଵଭାବ ସୁଲଭ କଣ୍ଠରେ କଲ୍ୟାଣ କରି ତୋଳି ନେଇଥିଲେ ନିଜ ଛାତି ଉପରକୁ । ଏବଂ ମା ପ୍ରକାଶର ମୁଣ୍ଡରେ ହାତ ରଖି କେତେ କଣ ଆଶୀଷ କରିଥିଲେ । ପୁଅର ଭୁଲକୁ ବହୁତ ଦିନରୁ ପାଶୋରି ଦେଇଥିଲେ ଦୁହେଁ । ତାଙ୍କ ହୃଦୟର ମମତା ସାଗରରେ ବହୁଥର ଜୁଆର ଉଠି ମନର ରାଗକୁ ଭସାଇ ନେଇ ସାରିଥିଲା ଅନେକ ଦିନୁଁ । ଏଥି ଲାଗି ବାପା ମା ପୁଅ ଝିଅଙ୍କ ପାଖରେ ସଦା ଗରୀୟାନ, ସଦୈବ ମହାନ୍‍ । ପ୍ରକାଶ ଆଜି ପ୍ରଥମ କରି ଜାଣିଲା ଯେ ସେ ଦୀର୍ଘ ଅଢ଼େଇ ବର୍ଷ ଏଇ ଆଶିଷର ଧାରା ଠାରୁ ଦୂରେଇ ରହି ଭୁଲ କରିଛି ।

 

ଘର ପୁଅ ଘରକୁ ଫେରିଛି । ସନ୍ଧ୍ୟା, ରଜନୀ, ପୁଣି ଉଷା ।

 

ଶିରିଶପାଳରେ ସେଦିନ ବି ନିୟମିତ ଭାବେ ସକାଳ କର ଲେଉଟାଇ ଥିଲା ସିନ୍ଦୁର ମଖା ମୁହଁ ଉପରୁ କଳା ଚଦର କାଢ଼ି ଏବଂ କ୍ଷଣକ ପରେ ତନ୍ଦ୍ରା ତ୍ୟାଗକରି ନିର୍ମଳ ଭାବେ ବିରାଜି ଚଉଦିଗ ପ୍ରକାଶିତ କରିଥିଲା । ଦ୍ଵାର ଦ୍ଵାର ବୁଲି ସମସ୍ତଙ୍କୁ ନିଦରୁ ଉଠାଇଥିଲା । ବାପାଙ୍କର କଅଁଳ ଡାକରେ ପ୍ରକାଶର ନିଦ ଭାଙ୍ଗିଥିଲା । ଘର ପଛ ପଟ ବାଡ଼ିର କୂଅ ମୂଳରେ ଦାନ୍ତ ବ୍ରସ କରିବା ପୂର୍ବକ ସମସ୍ତ ନିତ୍ୟକର୍ମ ଶେଷ କରିଥିଲା ଅଳ୍ପ ସମୟ ଭିତରେ । ତା’ପରେ ଚୁଲି ପାଖରୁ ମା’ର ଡାକରା ପାଇ ପ୍ରଦୀପ୍ତ ସହ ଚକୁଳି ଖାଇବାକୁ ବସିଥିଲା ।

 

ମା ହାତର ପ୍ରିୟ ଚକୁଳି ପାଟିରେ ଚାକୁଳାଇ ଖାଉ ଖାଉ ଶୁଣିଲା... ଉଷା ତ ସେ ଅରକ୍ଷିତ ଟାର ହାତ ଧରି ଏଗାଁରୁ ଚାଲିଗଲା । ଆଉ କେତେ ଦିନ ଏବୁଢ଼ୀଟାକୁ ଖଟାଇବୁ । ଦେଖୁ ଦେଖୁ ବର୍ଷ ଦୁଇଟାବି ବିତି ଗଲାଣି । ଏ ସନ ତୋ ପସନ୍ଦର ବୋହୂଟିଏ ହେଲେ ବାଛିଆଣ । ଆର ସନକୁ ଜୋସ୍ନାକୁ ବିଦା କରିବା ।

 

ମା’ର କଥା ଶୁଣି ଚକୁଳି ଗଳାରେ ଅଟକି ଯାଇଥିଲା । ଇଚ୍ଛା ହେଲା କହି ଦିଅନ୍ତି ସେ ତାର ଇଚ୍ଛାରେ ବୋହୁଟିଏ ପସନ୍ଦ କରିସାରିଛି । ମାତ୍ର ମା’ର ସରଳ ମସ୍ତିଷ୍କ ସବୁକିଛି ସରଳ ଭାବେ ଗ୍ରହଣ କରି ପାରିବନି । ଏକଥା ସେ ଜାଣେ, କହିଲା...

 

ମା ମୋର କ’ଣ ବୟସ ଗଡ଼ି ଯାଉଛି ? ଆଗ ଜ୍ୟୋସ୍ନା ପାଇଁ ପାତ୍ରଟିଏ ଦେଖ, ଏବର୍ଷ ତାର ବାହାଘର ଉଠାଇ ଦେଲେ ବରଂ ଦୁଇ ତିନିବର୍ଷ ପରେ ମୋ କଥା ଭାବିବ ।

 

ମା’ ମନରେ ଛନକା ପଶିଲା । ପୁଅର ଏମିତି କହିବାର ଅର୍ଥ ଠିକ୍ ବୁଝି ପାରିଥିଲା । ସହରୀ ଝିଅ ପାଲରେ ପଡ଼ି ୟାର ବୁଦ୍ଧି ଭ୍ରଷ୍ଟ ହୋଇଯାଇଛି । ମାତ୍ର ସେ ପୁଅର ଯୁକ୍ତିର ସାମ୍ନା କରି ପାରନ୍ତିନି, ଆଗତ୍ୟା ନିରବ ରହିଲେ ।

 

ଚକୁଳି ଖାଇସାରି ଦାଣ୍ଡ ପିଣ୍ଡାକୁ ଉଠିଲା ପ୍ରକାଶ । ସାମ୍ନାରେ ବିସ୍ତୀର୍ଣ୍ଣ ଖେଳ ପଡ଼ିଆ ଶୁନଶାନ୍ । ଗୋଟିଏ କୋଣକୁ ଗାଇଗୋଠ, ଡାହାଣ ପଟେ ଚାହିଁଲା, ତ୍ରିଲୋଚନର ଝାଟିମାଟିର ଦଦରା କୁଡ଼ିଆ । କାନ୍ଥରୁ ମାଟି ଖସି ଠାଏ ଠାଏ ଝାଟି ଦେଖା ଯାଉଛି । ଏଇ ଘରକୁ ଦିନେ ଉଷା ନିଜ ହାତରେ ଲିପିପୋଛି ସ୍ୱର୍ଗ ପରି ସୁନ୍ଦର କରି ସଜାଇ ଥିଲା । ଗୋବରର ବାସ୍ନା ଅମୃତମୟ ଲାଗୁଥିଲା । ଆଜି ଉଷା କାହିଁ କେଉଁଠି ତାର ସ୍ମୃତି ବି ଜରାଜୀର୍ଣ୍ଣ । ସ୍ୱାଭିମାନୀ ବୃଦ୍ଧ ତ୍ରିଲୋଚନ ଏଥି ସକାଶେ ବେପରୁଆ । ଭଲ ଲାଗୁନି ପ୍ରକାଶକୁ ଘରମୁହାଁ ହେଲା । ଦାଣ୍ଡରେ ଦେଖିଲା ବାପା ସହ ଅଲେଖ ମଉସା, କ’ଣ ଗୋଟେ କଥା ହେଉଛନ୍ତି । ଆଲେଖ ମଉସା ସମ୍ପର୍କରେ ମଉସା ହେଲେ ବି ବୟସରେ ପ୍ରକାଶ ଠୁଁ ଅଳ୍ପ କେଇ ବର୍ଷ ବଡ଼ । ସମ୍ପର୍କ ଓ ବୟସ ଦୃଷ୍ଟିରୁ ବାପ ପୁଅ, ଦୁଇଜଣଙ୍କ ଠାରେ ସେ ଖୁବ୍ ଖୋଲା । ହୁଏତ ଘରକୁ ଆସି ଦେଖା କରିବେ ପ୍ରକାଶକୁ । ଏଇ ଗାଁ ସ୍କୁଲର ଶିକ୍ଷକ ସିଏ ।

 

ସତକୁ ସତ ଆସିଥିଲେ ଅଲେଖ ମଉସା । ନମସ୍କାର କରିଥିଲା ପ୍ରକାଶ । ପରେ ବାଡ଼ି ପାଖ କୂଅ ମୂଳକୁ ଡାକି ନେଇ ପଚାରିଥିଲେ.. ତୁମେ ବିବାହ କରିବାକୁ ନାରାଜ କାହିଁକି ହେଉଛି ପ୍ରକାଶ ? ରାଜି ହୋଇଯାଅ, ଗୋଟେ ଭଲ ପାତ୍ରୀ ଅଛି ମୋ ଆଖିରେ । ବିଏ ପାସ୍ କରି ଘରେ ବସିଛି । ତୁମ ମା ବାପା ବି ରାଜି ଅଛନ୍ତି ।

 

ମଉସା, ମୁଁ ଅନ୍ତତଃ ଆଉ ତିନିବର୍ଷ ପାଇଁ ବିବାହ କରିବାକୁ ଚାହୁଁନି ।

 

... କାହିଁକି, କ’ଣ କାହାକୁ କଥା ଦେଇଛି କି ? କାହାକୁ ଭଲ ପାଉଛି କି ?

 

-... ହଁ, ମୁଁ କଥା ଦେଇଛି । ସନ୍ଧ୍ୟାକୁ ମୁଁ ଭଲପାଏ ।

 

... ତମେ ଜାଣିଛି ଏକଥା ଜାଣିଲେ ତୁମ ବାପା ମା କେତେ ମନ ଦୁଃଖ କରିବେ । ମୋ କଥା ମାନ, ତୁମେ ବିବାହ କରିବାକୁ ରାଜି ହୋଇଯାଅ । ସ୍ୱଜାତିର ସୁନ୍ଦର ଶିକ୍ଷିତା ପାତ୍ରୀ ପାଇବ ।

 

... ମୁଁ ସନ୍ଧ୍ୟାକୁ ବିବାହ କରିବାକୁ ନିଷତ୍ତି ନେଇ ସାରିଛି । କେବଳ ତାକୁ ହିଁ ବିବାହ କରିବି-

 

... ତୁମର ସେ ବିବାହକୁ କ’ଣ ଆମର ଏ ଦୁନିଆ ସ୍ୱୀକୃତି ଦେବ । ସେ ସବୁ ବାଜେ କଥା-। ବି ପର୍ସନାଲ୍ ।

 

ତୁମେ କ’ଣ କହୁଛ, ମୁଁ ଜାଣିଶୁଣି ନିଜ ହାତରେ ନିଜ ଖୁସିର ଗଳା ଦବାଇ ଦେବି ? ମୋ ନିଜର ଖୁସିକୁ ଏଇ ସମାଜର ପାଦ ତଳେ ଫିଙ୍ଗି ଦେବି ? ନିଜେ ହାର ମାନି ଯିବ ବି ଏଇ ଦୁନିଆର ସାମ୍ନାରେ । କିନ୍ତୁ କାହିଁକି ? ଏଇ ଦୁନିଆ କିଏ ? ମୋତେ କ’ଣ କିଏ ଦେଇଛି ? ମୁଁ ଜାଣିଛି, ସେ ଜାଣିଛି ଏ ଦୁନିଆ ଜାଣିଛି, ମୁଁ ତା ବିନା ଖୁସି ହୋଇ ପାରିବିନି ।

 

... ଆଇ କାନ୍ ନେଭର୍ ବି ହାପି ଉଇଥିଆଉଟ୍ ହର୍ ।

 

... ୟୁ କାନ୍ ନେଭର୍ ବି ହାପି ଉଇଥ୍ ହର ହିୟର୍ । ତୁମେ ତା ସାଙ୍ଗରେ କେବେ ହେଲେ ଖୁସିରେ ରହି ପାରିବନି ପ୍ରକାଶ । ଜୀବନର ଅର୍ଥ ଅନେକ କିଛି । ତାକୁ ବୁଝିବା ସହଜ ନୁହେଁ । ଆମେ ସବୁ ଗୋଟେ ଗୋଟେ ଶୁଖୁଲାପତ୍ର । ପବନ ଯେଉଁ ଆଡ଼କୁ ଉଡ଼ାଇବ ସେଇ ଆଡ଼େ ଉଡ଼ିବା ।

 

ହ୍ୱାଟ୍ ନନ୍‍ସେନ୍ସ ମୁଁ ଶୁଖିଲା ପତ୍ର ନୁହେଁ । ମୋତେ କୌଣସି ପବନ ଉଡ଼ାଇ ନେଇ ପାରିବନି । ଏଇ ଦୁନିଆକୁ ମୁଁ ଖାତିର କରେ ନାହିଁ । ମୁଁ କେବଳ ସନ୍ଧ୍ୟାକୁ ହିଁ ବିବାହ କରିବି । ଦେଖିବି କିଏ କ’ଣ କରିବ । ଏଇ ଦୁନିଆ ମୋର କ’ଣ ବିଗାଡ଼ିବ ମୁଁ ଦେଖିବି ।

 

... ଡୋଣ୍ଟ ବି ଫୁଲ, ଫିଲ୍ ଦି ରିୟଲିଟି, ଆମର କଳ୍ପନା ଆମର ଭାବନା ବାସ୍ତବତା ଠାରୁ ଖୁବ୍ ଭିନ୍ନ । ଏଇ ଦୁନିଆର ସୁଅକୁ ତୁ ଏକୁଟିଆ ରୋକି ପାରିବୁନି ସୁଅରେ ତୋ ସତ୍ତା ମିଳେଇ ଯିବ ସିନା କିନ୍ତୁ ପ୍ରତିବଦଳରେ ତୁ କିଛି ପାଇବୁନି । ଏ ଦୁନିଆ ଭିତରେ ତୋର, ସ୍ଥିତି ତୋ ଭିତରେ ଦୁନିଆ ନାହିଁ ।

 

... ମରି ଯିବି ମୁଁ ମିଶିଯିବି ତୁମ ଦୁନିଆର ସୁଅରେ । ଲୀନ ହୋଇଯିବି ଏଇ ମାଟିରେ । ମାତ୍ର ମୋ ପ୍ରେମକୁ ବଳି ଦେଇ ପାରିବିନି । ମୋ ଖୁସିକୁ ଏଦୁନିଆର ପାଦରେ ଅର୍ଘ୍ୟ ଦେଇ ପାରିବିନି । ନିଜ ହାତରେ ନିଜର ଅନ୍ଧକାରମୟ ଭବିଷ୍ୟତକୁ ଡ଼ାକି ପାରିବିନି ।

 

ଓ ପ୍ରକାଶ । ଡୋଣ୍ଟ ବି ସେଣ୍ଟିମେଣ୍ଟାଲ । ଜୀବନରେ ଏସବୁ ହୁଏ । ଦିସ୍ ଇଜ୍ କଲ୍ଡ ଲାଇଫ୍ । ତୁମେ କେବଳ ପ୍ରକାଶ ନୁହଁ । କାର ପୁଅ ତୁମେ, କାର ଭାଇ ତୁମେ । ଏସବୁ ଭୁଲି ଯାଉଛ କାହିଁକି ? ତୁମର ତାଙ୍କ ପ୍ରତି ବି ତ କର୍ତ୍ତବ୍ୟ ଅଛି ।

 

... ବାପ ପୁଅ ଭାଇ ଭଉଣୀ ସମ୍ପର୍କ ଭିତରେ ପ୍ରେମିକ ପ୍ରେମିକା ବୋଲି ସମ୍ପର୍କ ବିତ ରଖୁଛନ୍ତି ଏ ଦୁନିଆବାଲେ । ମୋର ମୋ ପ୍ରେମିକା ପ୍ରତି କ’ଣ କର୍ତ୍ତବ୍ୟ ନାହିଁ ? ମୋର ଅନ୍ୟତ୍ର ବିବାହ ସମାଚାର ଶୁଣିଲେ ହୁଏତ ସେ ଆତ୍ମହତ୍ୟା କରିଦେବ । ପାଗଳୀ ହୋଇଯିବ । ତା’ ପ୍ରତି କ’ଣ ମୋର କୌଣସି କର୍ତ୍ତବ୍ୟ ନାହିଁ ? ତାର ଜୀବନର କ’ଣ କୌଣସି ମୂଲ୍ୟ ନାହିଁ ?

 

... ପ୍ରକାଶ, ତୁମେ ବାପା ମା ସହ ସେଇ ଝିଅଟାକୁ ତୁଳନା କରୁଛ ?

 

... କାହିଁକି କରିବି ନାଇଁ । ସେ କ’ଣ ମଣିଷ ନୁହଁ ? ବାପା ମା ଜନ୍ମ ଦେଇଛନ୍ତି ତ । ତାଙ୍କର ସବୁ ଅଧିକାର ଅଛି, ସବୁ ସ୍ନେହଦାନର ସୁଧମୂଳ ଅସୁଲ କରିବାକୁ । ଭାଇ ଭଉଣୀ ନିଜ ମା କୋଳରୁ ଜନ୍ମ ନେଇଛନ୍ତି ତ ତାଙ୍କର ସମ୍ପୂର୍ଣ୍ଣ ଅଧିକାର ଅଛି ମୋ ଖୁସିକୁ ଖିନ୍‍ଭିନ୍‍ କରିବାକୁ । ଆଉ ସେ ବିଚାରୀର କିଛି ଅଧିକାର ନାହିଁ କାହାରି ଉପରେ । କାରଣ ସେ ସ୍ୱଇଚ୍ଛାରେ ନିଷ୍ପତ୍ତି ନେଇଛି । ସ୍ୱଇଚ୍ଛାରେ କିଛି କରିବାର, ନିଷ୍କରି ନେବାର ଯଦି ଏତେ ବଡ଼ ଦଣ୍ଡ ତେବେ, ଭଗବାନ ମଣିଷକୁ କାହିଁକି ଇଚ୍ଛା ଶକ୍ତି ଦେଇଛନ୍ତି ? କାହିଁକି ମଣିଷ ଇଚ୍ଛା କରେ, କାହିଁକି ମଣିଷ ଆଶା କରେ-?

 

... ଦେଖ ପ୍ରକାଶ, ଆଶା କରିବା ଇଚ୍ଛା କରିବା ସିନା ଆମମାନଙ୍କର ହାତରେ । ମାତ୍ର ତାର ପୁର୍ତ୍ତିତ ଭଗବାନଙ୍କ ହାତରେ ନା ।

 

... କାହିଁକି ମିଛଟାରେ ଭଗବାନଙ୍କର ନା ନେଉଛ ? ଏ ସବୁ ତୁମ ଦୁନିଆ ହାତରେ । ଏଇ ସମାଜ ହାତରେ । ତୁମ ସମାଜ ଜାତି ପ୍ରଥା ସୃଷ୍ଟି କରିଛି । ତୁମ ସମାଜ ବିବାହ ପ୍ରଥା ସୃଷ୍ଟି କରିଛି । ମୁଁ ମାନେ ନାହିଁ ସେମିତି ବାହାଘରକୁ, ଯେଉଁଠି ଦୁଇଟା ଶରୀରକୁ ଜବରଦସ୍ତ ବାନ୍ଧି ଦେଇ ସାତଥର ଅଗ୍ନି କୁଣ୍ଡ ଚାରିପାଖେ ବୁଲାଇ ଦିଆଯାଏ । ଦଶ ପଚାଶ ଲୋକଙ୍କର ସ୍ୱୀକୃତିର ବାହାଘର ତୁମର ସମାଜ ସୃଷ୍ଟି କରିଛି । ତୁମର ସମାଜକୁ ଏ ସବୁ ଲୋଡ଼ା । ଆରେ ସନ୍ଧ୍ୟା ସହ ମୋର ବାହାଘର ସେ ଦିନରୁ ସରିଛି, ଯେଉଁଦିନ ଆମର ଚାରି ଆଖିର ମିଳନ ହୋଇଥିଲା । ଶାରୀରିକ ମିଳନ ନହେଲେ କ’ଣ ହେଲା ମନର ମିଳନ ତ ହୋଇ ପାରିଛି । ଦଶ ପଚାଶ ଲୋକ ସ୍ୱୀକୃତି ନଦେଲେ କ’ଣ ହେଲା ଦୁଇଟା ଆତ୍ମା ତ ସ୍ୱୀକୃତି ଦେଇଛି ।

 

... ହେଲା ବାବା... ତୁମର ପ୍ରେମ ଖୁବ ଟାଣ । ମାତ୍ର କାଲି ଯେତେବେଳେ ସାରା ଦୁନିଆ ତୁମ ଉପରକୁ ଆଙ୍ଗୁଳି ଉଠାଇ ଟିପ୍‍ପଣୀ କରିବ, ସେତେବେଳେ ତୁମେ କାହା କାହାର ମୁହଁ ବନ୍ଦ କରିବ ? କେତେ ରାସ୍ତା ବଦଳାଇବ, ତୁମର ସବୁ ଚଲା ରାସ୍ତା ବନ୍ଦ ହୋଇଗଲେ ତୁମେ ଜିଇଁବ କେମିତି ? ସେତେବେଳେ ଏମିତି ଗୋଟେ ସମୟ ଯେ ନଆସିବ ଯେତେବେଳେ ସେ ସବୁ ପାଇଁ ତୁମେ ସେଇ ସନ୍ଧ୍ୟାକୁ ଦୋଷୀ ଠଉରେଇବ, ସେ କଥା କିଏ କହିପାରିବ ? ବାସ୍ତବତା କଳ୍ପନାଠାରୁ ଖୁବ୍ ଭିନ୍ନ ଏତିକି ମନେରଖ, ବାକି କଥା ତୁମେ ନିଜେ ନିଷରି କର ।

... ତାକୁ ଆଉ ବିରକ୍ତ କରନା ଅଲେଖ । ଖଣ୍ଡେ ଦୂରରେ ଠିଆ ହୋଇ ସିଗାରେଟ୍ ଧୂଆଁ ଛାଡ଼ୁ ଛାଡ଼ୁ କହିଲେ ସୁଧାଂଶୁ । ବାପାଙ୍କର କଣ୍ଠସ୍ୱର ଶୁଣି ସ୍ତମିତ ହେଲା ପ୍ରକାଶ । ବାପା କ’ଣ ତେବେ ସବୁ ଶୁଣୁଥିଲେ ।

ସେ ଦିନଠୁ ଅଲେଖ ମଉସା ଦେଖିଲେ ହସି ଦିଅନ୍ତ, କିଛି କହନ୍ତି ନାହିଁ । ବାପା ମା କଥା କେହି କେବେ ତାର ବିବାହର କଥା ଉଠାଇ ନଥାନ୍ତି । ବୋଉ ବେଳେବେଳେ ଚିଡ଼ି ଉଠିଲେ ବାପା ବୁଝାଇ ଦିଅନ୍ତି । ପ୍ରକାଶର ପ୍ରତୀକ୍ଷାରେ ଆଉ ବାଧା ପଡ଼ିନି।

ତେବେ ୟାଭିତରେ ସେ କର୍ମଯୋଗୀଟିଏ ପାଲଟି ଯାଇଛି । ନିଜର ପରିବାର ପ୍ରତି ତାର କର୍ତ୍ତବ୍ୟ, ପୁଅଟିଏ ଭାବରେ, ଭାଇଟିଏ ଭାବରେ ତାର କର୍ତ୍ତବ୍ୟ ସମ୍ପାଦନ କରିଛି । ଜ୍ୟୋସ୍ନାକୁ ସ୍ୱପ୍ରଚେଷ୍ଟାରେ ସୁ-ଘର, ସୁ-ବର ହାତରେ ଅର୍ପଣ କରିଛି । ଜ୍ୟୋତି ଓ ପ୍ରଭାକୁ ଉଚ୍ଚ ଶିକ୍ଷା ନିମନ୍ତେ ବିଶ୍ୱ ବିଦ୍ୟାଳୟକୁ ପଠାଇଛି । ଘରର ପ୍ରତ୍ୟେକଟି ସମସ୍ୟାରେ ନିଜକୁ ସାମିଲ କରି ବାପାଙ୍କର ଭାର କମ୍ କରିଛି । ଅନେକ ଜଟିଳ ସମସ୍ୟାକୁ ନିଜର କାନ୍ଧକୁ ନେଇ ସମାଧାନର ରାସ୍ତା ଖୋଜିଛି-

ମାତ୍ର ଅନ୍ତର ଭିତରେ ଗୋଟି ଗୋଟି କରି ଦିନ ଗଣିଛି । ଆଗାମୀ ସୁଖର ଦିନଟିକୁ କଳ୍ପନା କରି ଅନେକ ସମୟରେ ବିଭୋର ହୋଇଛି । ଅନେକ ନିସଙ୍ଗ ଘଡ଼ିରେ ସନ୍ଧ୍ୟାର ସାହଚର୍ଯ୍ୟ କାମନା କରିଛି । ପ୍ରତି ସପ୍ତାହରେ ଚିଠି ଲେଖିଛି । ସନ୍ଧ୍ୟାର ଚିଠି ପାଇ ରୋମାଞ୍ଚିତ ହୋଇଛି । ପ୍ରତ୍ୟେକ ବର୍ଷ ଶେଷରେ ସନ୍ଧ୍ୟାର ପରୀକ୍ଷା ଫଳ ଜାଣି ପୁଲକିତ ହୋଇଛି । ମାଙ୍କ ଠାରୁ ଆଶୀର୍ବାଦାତ୍ମକ ତଥା ଉପଦେଶାତ୍ମକ ସଂଦେଶ ପାଇ ନିଜକୁ ଧନ୍ୟ ମଣିଛି । ଗୋଟିଏ ଗୋଟିଏ କରି ତିନି ବର୍ଷ କାଟିଛି ଏମିତି ଭାବେ । ଆଜି ଦୀର୍ଘ ଦିନର ପ୍ରତୀକ୍ଷାର ସମାପ୍ତିର ବେଳ ଆସିଛି । ଏଇମାତ୍ର ନ୍ୟୁୟର୍କରୁ ଏୟାର ମେସେଜ୍ ଆସିଛି । ସନ୍ଧ୍ୟା ପଠାଇଛି ସଂଦେଶ । ପୁଣି ଥରେ ପଢ଼ିଲା ମେସେଜଟିକୁ ।

...Arriving by Al Boing-160K at New Delhi on 13th June. Recieve with friends. Sandhya.

 

ମନ ଖୁସିରେ ନାଚି ଉଠୁଛି ପ୍ରକାଶର । ଦୀର୍ଘ ଦିନର ପ୍ରତୀକ୍ଷାର ଫଳ ଆଜି ତାର ହାତ ପାଆନ୍ତିରେ । ମନେ ମନେ କଳ୍ପନା କଲା ସନ୍ଧ୍ୟାର ରୂପକୁ । ଦୀର୍ଘ ତିନିବର୍ଷର ସମୟର ଅନ୍ତରାୟ ହୁଏତ ବଦଳାଇ ଦେଇଥିବା ସନ୍ଧ୍ୟାକୁ । ପାଣି, ପବନ, ପରିବେଶ, ସଂସ୍କୃତି ସବୁକିଛି ତ ସେଠାରେ ଅଲଗା । ହୁଏତ ମେମ୍‍ଟିଏ ବନିଯାଇଥିବ । ମୁହଁରୁ ପଦ ପଦକେ ଇଂରାଜୀ ଫୁଟି ପଡ଼ୁଥିବ । ଚାପଲ୍ୟ ହୁଏତ ଗାମ୍ଭୀର୍ଯ୍ୟରେ ପରିଣତ ହୋଇଯାଇଥିବ ।

 

କ୍ୟାଲେଣ୍ଡର ଉପରେ ଆଖି ପକାଇଲା ପ୍ରକାଶ । ଆଜି ଏଗାର ତାରିଖ, ମାତ୍ର ଦୁଇଟି ଦିନ ମଝିରେ । ପ୍ଲେନର ଲ୍ୟାଣ୍ଡିଂ ଟାଇମ୍ ଜଣା ନାହିଁ । ୧୩ ତାରିଖ ଦିନ ସକାଳ ଠାରୁ ଅପେକ୍ଷା କରିବାକୁ ପଡ଼ିବ । ବଲାଙ୍ଗିର ଠାରୁ ଦିଲ୍ଲୀ ଯାତ୍ରା ମଧ୍ୟ ଦେଢ଼ ଦିନର କାମ । ବହିଦାର ବାବୁଙ୍କର ସହଯାତ୍ରା କଲେ ହୁଅନ୍ତା ମାତ୍ର ତାଙ୍କ ସହ ସମୟଯାପନ ପ୍ରକାଶ ପାଇଁ ଖୁବ୍ କଷ୍ଟକର । ଅତଏବ ଏକା ହିଁ ଯାତ୍ରା କରିବା ଉଚିତ୍ ହେବ ।

 

ତରବର ହୋଇ ଛୁଟି ଅର୍ଜି ଲେଟ୍ ପଠାଇ ଦେଲା ପ୍ରକାଶ କଲେକ୍ଟରଙ୍କ ପାଖକୁ । ଆଉ କଲେକ୍ଟରଙ୍କୁ ସାକ୍ଷାତ କରିବା ପାଇଁ ସମୟ ନାହିଁ । ସୁଟ୍‍କେଶ ସଜାଡ଼ି ରେଡି ହେଲା । ବଲାଙ୍ଗିରରୁ ବସ୍ ଯୋଗେ ଚାଲିଗଲେ ସେଠାରୁ ରେଳ ଯୋଗେ ଦିଲ୍ଲୀ ଯାଇହେବ । ମିଳନର ସମୟ ପାଖେଇ ଆସୁଛି । ଛାତିତଳେ ସମ୍ବେଦନ ସବୁ ଜମାଟ ବାନ୍ଧୁଛି । ମନରେ ଉତ୍ତେଜନା ବୃଦ୍ଧି ପାଉଛି । କାଳର ଗତି ମନ୍ଥର ମନେ ହେଉଛି କ୍ଷଣକ ବର୍ଷକର ରୂପ ନେଇ ପ୍ରତୀୟମାନ ହେଉଛି ।

 

ପ୍ରକାଶର ଆଖିରେ ସପନ ଘନେଇ ଉଠୁଛି । କଳ୍ପନା ଲହଡ଼ି ଭାଙ୍ଗୁଛି । କେବେ ଆଖି ଆଗରେ ଦେଖାଯାଉଛି ପ୍ଲେନ ଭିତରୁ ଜଣେ ସୁନ୍ଦର ମେମ୍ ସାହେବା ସଟ୍‍ସ୍ ପିନ୍ଧି ଓହ୍ଲାଇ ଆସୁଛନ୍ତି ହାତ ହଲାଇ ହଲାଇ । ପୁଣି ଦଉଡ଼ି ଆସି ପ୍ରକାଶକୁ କୁଣ୍ଢାଇ ଧରି ଓଠ ଉପରେ ଓଠ ଥୋଇ ଗାଢ଼ ଚୁମ୍ବନ ଦେଉଛି । ପୁଣି ଦେଖାଯାଉଛି ଜରିଲଗା ପାଟ ଶାଢ଼ି ଟିଏ ପିନ୍ଧି ପିଠି ଉପରେ ଲମ୍ବାବାଳର ଜୁଆର ଛାଡ଼ି ଲାଜେଇ ଲାଜେଇ ଆସି ପ୍ରକାଶର କଡ଼ରେ ଠିଆ ହୋଇଯାଉଛି । ଅଳ୍ପ ମୁଣ୍ଡଟେକି କଣେଇ କଣେଇ ପ୍ରକାଶ ମୁହଁକୁ ଚାହୁଁଛି ଏବଂ ସରୁ ସ୍ମିତହାସ୍ୟର ରେଖାଟିଏ ଛାଡ଼ି ଦେଉଛି ଓଠ ଧାରରେ । ପ୍ରକାଶ ପଚାରୁଛି ତୁମେ ବହୁତ ବଦଳି ଯାଇଛି ସନ୍ଧ୍ୟା ।

***

 

‘ବାଇଶ’

 

ଦିଲ୍ଲୀର ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ବିମାନ ବନ୍ଦରରେ ସ୍ୱାଭାବିକ ଗହଳି ! ଲୋକଙ୍କର ଯା ଆସ ଚାଲିଛି । କାର ଟାକ୍‍ସି, ବସ୍ ସବୁ ଯା ଆସ କରୁଛି । କୋଳାହଳମୟ ବିମାନ ବନ୍ଦରଟି ନିଜ ଭିତରେ ନିଜେ ଛୋଟ ବିଶ୍ୱଟିଏ । ଏଠି ରୁଷବାସୀଙ୍କ ଚେହେରା ଠାରୁ ଆରମ୍ଭ କରି ଆମେରିକାର ସଂସ୍କୃତି ତଥା ଜାପାନର କାରିଗରୀ କୁଶଳତା ସବୁ ଫୁଟିପଡ଼େ, ଗୋଟିଏ ପରେ ଗୋଟିଏ ପ୍ଲେନ ଲ୍ୟାଣ୍ଡ କରିବା ଆଳରେ । ଏଠି ଚୀନର ବୃଦ୍ଧାଙ୍କ କଣ୍ଠରୁ ବୁଦ୍ଧଙ୍କ ବାଣୀ ଶୁଣୁ ଶୁଣୁ କେହି ଆରବୀୟ ଶେଖ୍‍ର କଣ୍ଠରୁ ଆଲ୍ଲାଙ୍କର ପ୍ରଶଂସା ଶୁଣିପାରେ । ଜାପାନୀ ମହିଳାଙ୍କ ଢିଲା ହାତ ଥିବା ପୋଷାକ ଦେଖୁ ଦେଖୁ ଇଂରେଜ ମେମ୍‍ଙ୍କ ଅର୍ଦ୍ଧନଗ୍ନ ଶରୀର ଦେଖି ରୋମାଞ୍ଚିତ ହୁଏ । ଏମାନଙ୍କର ରଙ୍ଗ ଅନେକ, ଆକାର ଅନେକ, ଧର୍ମ ଅନେକ । ଗତି, ଶକ୍ତି, ସବୁ ପରସ୍ପର ଠାରୁ ଭିନ୍ନ-। ଗୋଟିଏ ଜାହାଜ ଆକାଶରେ ଉଡ଼ୁଉଡ଼ୁ ଲ୍ୟାଣ୍ଡିଙ୍ଗ୍‍ ଟ୍ରାକ୍ ଉପରେ ସ୍ଥିର ହୋଇଗଲାପରେ କ୍ଷଣକ ପାଇଁ ଏଇ ଉପାଦାନମାନଙ୍କର ବିସ୍ଫୋରଣ ଘଟେ । ସର୍ବତ୍ର ବ୍ୟାପିଯାଏ । ଏମାନଙ୍କର ଚେହେରା । ଭିନ୍ନ ଭିନ୍ନ ସ୍ଵର, ଭିନ୍ନ ଭିନ୍ନ ଭାଷା ପ୍ରତିଧ୍ୱନିତ ହୁଏ କୋଣ କୋଣରେ । ନିଜର ଗୁଣ, ଧର୍ମ, ରଙ୍ଗ ଅନୁଯାୟୀ ଏମାନେ ବିମାନ ବନ୍ଦରର ସବୁ କୋଣକୁ ମାଡ଼ିଯାନ୍ତି । ଫେରିବା ଏମାନଙ୍କର ଧର୍ମ ନୁହଁ-। ଏଣୁ ଆଗେଇ ଚାଲନ୍ତି, ମିଶିଯାନ୍ତି ଦିଲ୍ଲୀର ଜନସମୁଦ୍ରରେ । କିଛି କ୍ଷଣ ପରେ ପୁଣି ଲହଡ଼ି କୂଳରେ ପିଟିହୋଇ ଫେରିଆସିଲା ପରି ବିମାନ ନିକଟରେ ଜମାଟ ବାନ୍ଧନ୍ତି । ଅନ୍ୟ କେତେକ ଆକାର, ରଙ୍ଗ, ଗୁଣ ଓ ଧର୍ମ ବିଶିଷ୍ଟ ପ୍ରାଣୀ, କ୍ରମେ ଘନୀଭୂତ ହୋଇ କେନ୍ଦ୍ରିତ ହୁଅନ୍ତି ବିମାନ ଭିତରେ । ପୁଣି ଅନ୍ୟ କୌଣସି ଜାଗାରେ ବିସ୍ଫୋରିତ ହେବା ପାଇଁ ସ୍ଥିତିଜ ଶକ୍ତି ସୃଷ୍ଟି କରିବାରେ ବ୍ୟସ୍ତ ରହି ଗତି କରନ୍ତି ଅନ୍ୟ ଏକ ଲକ୍ଷ୍ୟ ଉଦ୍ଦେଶ୍ୟରେ ।

 

ଏଇ ଗତିଶୀଳ ପ୍ରାଣୀଗୁଡ଼ିକ ବ୍ୟତୀତ ଆଖପାଖରେ ଆଉ କେତେକ ଥାନ୍ତି ଯେଉଁମାନେ ଏଇ ଗତିଶୀଳ ପ୍ରାଣୀଗୁଡ଼ିକର ଅନ୍ତରର ସମ୍ବେଦନାକୁ ବହନ କରନ୍ତି, ପ୍ରେରଣ କରନ୍ତି । ତାଙ୍କ ଯାତ୍ରାର ଶୁଭକାମନା କରି ଉଲ୍ଲସିତ ହୁଅନ୍ତି । ବିଦେଶ ମାଟିରେ ନିଜ ସାଥୀର ଅଭିଜ୍ଞତା ଶୁଣି ଆତ୍ମବିଭୋର ହୁଅନ୍ତି । ଅନ୍ୟର ସୁଖରେ ସୁଖୀ ହୁଅନ୍ତି, ଅନ୍ୟର ଦୁଃଖରେ ଦୁଃଖୀ ହୁଅନ୍ତି । କେବେ ଏମାନେ କାହାକୁ ହାତ ହଲାଇ ବିଦାୟ ଦିଅନ୍ତି ତ କେବେ କାହାକୁ ହାତ ବଢ଼ାଇ କୋଳାଇ ନିଅନ୍ତି-। କେବେ ସାଥୀକୁ ଧରି ହସ ଖୁସିରେ ଫୁଲି ଫୁଲି ବିମାନ ବନ୍ଦର ଫାଟକ ଡେଇଁ ଜନ ସମୁଦ୍ରରେ ମିଶି ଯାଆନ୍ତି ତ କେବେ ସାଥୀହରା ହୋଇ ଗମ୍ଭୀର ମନରେ ମଥାନତ କରି ପାଲସ୍ ବନ୍ଦର ସୀମା ଛାଡ଼ନ୍ତି । ସୁଖ ଦୁଃଖର ଛାଇ ଆଲୁଅର ଖେଳ ଏଇ ଛୋଟ ବିଶ୍ୱଟିରେ ମଧ୍ୟ ସୁସ୍ପଷ୍ଟ ।

 

ଆଜି ଏଇ ଛୋଟ ବିଶ୍ୱଟିରେ ନିଜକୁ ସାମିଲ କରିଛି ପ୍ରକାଶ । ସକାଳ ଆଠଟାରେ ବିମାନ ବନ୍ଦର ଗେଟ୍‍ରେ ପାଦ ରଖିଥଲା ମନ ତଳେ ଅନେକ ଉତ୍କଣ୍ଠା, ଅନେକ ଉଦ୍‍ବେଗ, ଅନେକ ଜିଜ୍ଞାସା ନେଇ । ଅନୁସନ୍ଧାନ କାଉଣ୍ଟରରୁ ବୁଝି ରଖିଲା AI Boing-160Kର arrival time ଘଣ୍ଟାଏ ଲେଟ୍ ଅଛି । ଠିକ୍ ୨.୨୫ମିନିଟରେ ଲ୍ୟାଣ୍ଡିଂ । ଇଚ୍ଛା କରି ଥିଲା ଯାଇ ଚାରି ପାଞ୍ଚ ଘଣ୍ଟା ବୁଲାବୁଲି କରି ଆସନ୍ତା ଦିଲ୍ଲୀ ସହର ମାତ୍ର ମନ କୋଉଠି ଲାଗି ନଥିଲା । ଆଖି ସମସ୍ତ ଦର୍ଶନୀୟ ବସ୍ତୁକୁ ଏଡ଼ାଇ ଖୋଜୁଥିଲା କେବଳ ସନ୍ଧ୍ୟାର ରୂପକୁ । ବିମାନ ବନ୍ଦରରେ ଘୁରି ବୁଲୁଥିବା ପ୍ରତ୍ୟେକ ମହିଳାଙ୍କ ମଧ୍ୟରେ ଆଖି ତାର ଖୋଜୁଥିଲା ସନ୍ଧ୍ୟାକୁ ।

 

ୱେଟିଂ ଚାମ୍ବରରେ ବସିଛି ପ୍ରକାଶ । ଆଖି ଲାଖି ରହିଛି କାନ୍ଥରେ ଟଙ୍ଗା ହୋଇଥିବା କାନ୍ଥ ଘଣ୍ଟା ଉପରେ ପେଣ୍ଡୁଲମ୍‍ର ପ୍ରତ୍ୟେକଟି ଦୋଳନ ପ୍ରକାଶର ହୃଦୟର ସ୍ପନ୍ଦନକୁ । ତ୍ୱରାନ୍ୱିତ କରୁଛି । ସେକଣ୍ଡ ଓ ମିନିଟ୍ କଣ୍ଟାର ସ୍ଥିର ଏବଂ ନିଶ୍ଚିତ ଗତିରେ ବ୍ୟତିବ୍ୟସ୍ତ ହୋଇ ପଡ଼ୁଛି ପ୍ରକାଶ । ଆଜି ପ୍ରକାଶର ହୃଦୟ ସ୍ପନ୍ଦନର ଗତି ସହ ଦୁନିଆର କୌଣସି ଗତିଶୀଳ ବସ୍ତୁର ଗତି ସହ ତାଳ ଦେଇ ପାରୁନି । ସାମୟିକ ଭାବେ କଳ୍ପନାବିଭୋର ହୋଇପଡ଼ୁଛି । ଆଗାମୀ ସାମ୍ଭାବ୍ୟ ମିଳନର ଘଡ଼ିର ସୁଖ କଳ୍ପନା କରି ପୁଣି ପ୍ରକୃତିସ୍ଥ ହୋଇ ନିଜର ଜମାଉଛି କାନ୍ଥ ଘଣ୍ଟା ଉପରେ । କଳ୍ପନାବିଭୋର ପ୍ରକାଶ ସମସ୍ତ ପାରିପାର୍ଶିକ ପରିସ୍ଥିତିକୁ ନଜର ଅନ୍ଦାଜ କରି କେବଳ ସନ୍ଧ୍ୟାର ଆଗମନକୁ ଚାହିଁ ରହିଛି । ବହିଦାର ବାବୁ ସନ୍ଧ୍ୟାକୁ ପାଛୋଟି ନେବାକୁ ଆସିଛନ୍ତି କି ନା ଏକଥା ମଧ୍ୟ ସେ ଜାଣିନି ଏଯାଏ ।

 

କାନ୍ଥ ଘଣ୍ଟା ସୂଚାଉଛି ଦିନ ଗୋଟାଏ ବାଜିଲାଣି । ପ୍ରକାଶର ପେଟରେ ମୂଷା ଦୌଡ଼ ଆରମ୍ଭ ହେଲାଣି । ସକାଳେ ରେଲ୍‍ୱେ ପ୍ଲାଟଫର୍ମରେ ଇଡିଲି ଦୁଇଟା ଖାଇଥିଲା ଯାହା । ଭାବୁଛି ଯାଇ ଖାଇ ଆସିବ, ମାତ୍ର ଖାଉ ଖାଉ ଯଦି ଡେରି ହୋଇ ଯିବ... ! ! ! ଆଜିକାଲି ହୋଟେଲର ସର୍ଭିସ୍ ସିଷ୍ଟମ ଉପରେ କୋଉ ଭରସା । ପ୍ଲେଟ ଉପରେ ଚାମଚ ବାଡ଼େଇ ବାଡ଼େଇ ଘଣ୍ଟାଟେ କଟିଲା ପରେ ଡିଶେସ୍ ଆସିବ । ଖାଇ ସାରୁ ସାରୁ ଯଦି ପ୍ଲେନ୍‍ ଲ୍ୟାଣ୍ଡ କରିଯିବ ଆଉ ବହିଦାର ବାବୁ ସନ୍ଧ୍ୟାକୁ ରିସିବ୍‍ କରିନେଇ ଦିଲ୍ଲୀ ରାଜପଥର ଭିଡ଼ରେ ହଜିଯିବେ ତେବେ ସେ କେଉଁଠି ଖୋଜିବ ସନ୍ଧ୍ୟାକୁ । ଗନ୍ଧମାର୍ଦ୍ଦନ ହନୁମାନର ବିଶଲ୍ୟକରଣୀ ଖୋଜିବା ପରି ହେବ ସିନା...। ନା ଏଇଠି ଅପେକ୍ଷା କରିବ ସେମିତି, ପ୍ଲେନ୍ ଲ୍ୟାଣ୍ଡ କରିବା ପର୍ଯ୍ୟନ୍ତ । ଏଇତ ସାମ୍ନାରେ ବହିଦାର ବାବୁ ଦେଖା ଯାଉଛନ୍ତି । ସାଙ୍ଗରେ ରଜନୀ ବି ଆସିଛି ।

 

ରଜନୀର ଉଚ୍ଚଶିକ୍ଷା ସହ ବ୍ୟକ୍ତିତ୍ୱ ମଧ୍ୟ ଫୁଟି ଉଠିଛି ୟା ମଧ୍ୟରେ । ଚିର ସୁନ୍ଦର ଶୁଭ୍ର ପୋଷାକାବୃତ୍ତା ରଜନୀ ଗ୍ରୀଷ୍ମ ରଜନୀ ପର ସଦ୍ୟ ପ୍ରସ୍ଫୁଟିତ ଶୁଭ୍ର ମଲ୍ଲିକାଟିଏ ପରି ପ୍ରତୀୟମାନ ହେଉଛି । ଇଚ୍ଛା ହେଲା ଯାଇ ଅଭିନନ୍ଦନ ଜ୍ଞାପନ ପୂର୍ବକ ନିଜର ଉପସ୍ଥିତି ଜଣାନ୍ତା ସେମାନଙ୍କୁ । ମାତ୍ର ମାନସିକ ପ୍ରସ୍ତୁତି କରି ପାରିଲାନି କାରଣ ଏଇ ଦୁଇଜଣଙ୍କ ଠାରେ ସେ ସର୍ବଦା ନ୍ୟୁନ ମଣେ ନିଜକୁ । ନିଷ୍କାମ କର୍ମଯୋଗୀ ଦୁଇଟି ଏ ଦୁନିଆର ।

 

ଇନ୍‍ଫର୍ମେସନ୍ ବକ୍‍ସ ଉଦ୍‍ଘୋଷିକାଙ୍କର ଚେହେରା ଭାସି ଆସି କ’ଣ ଗୋଟେ ଘୋଷଣା କରିଗଲା । AI Boing 160K ସମ୍ପର୍କରେ । ଭଲକରି ଶୁଣି ପାରିଲାନି ପ୍ରକାଶ । ମାତ୍ର ପରକ୍ଷଣରେ ଲକ୍ଷ୍ୟ କଲା ବିଶ୍ରାମ ଗୃହର ଅଧିକାଂଶ ଲୋକ ଉଠି ଅନୁସନ୍ଧାନ କାଉଣ୍ଟରକୁ ମାଡ଼ି ଚାଲୁଛନ୍ତି । କ’ଣ ହେଲା ? ପ୍ରଶ୍ନ ଉଦ୍ରୋକ ହେଉ ହେଉ ନିଜେ ମଧ୍ୟ ସେଇ ଆଡ଼କୁ ମାଡ଼ି ଚାଲିଲା । ଆଗରେ ରଜନୀ ଏବଂ ବହିଦାର ବାବୁ, ଆଖିରେ ଆଖି ମିଶିଲା । ଛଟି ଆଖିର ଆଲୋକ ରେଖା ଛନ୍ଦି ହୋଇଗଲେ, ହାତ ଯୋଡ଼ି ନମସ୍କାର ଜଣାଇଲା ପ୍ରକାଶ ଉଭୟଙ୍କ ପ୍ରତି । ପ୍ରତିନମସ୍କାର ପାଇଲା । ପୁଣି ତିନିହେଁ ଆଗକୁ ବଢ଼ିଲେ ।

 

ଅନୁସନ୍ଧାନ କାଉଣ୍ଟର ଉପରେ ଥିବା ବଡ଼ ପରଦାରେ ଉଦ୍ଘୋଷିକାଙ୍କ ଚେହେରା ପୁଣି ଭାସି ଆସି କହିଗଲା AI Boing 160K ବାୟୁ ଯାନଟି ଲାଇନ୍ ମିସ୍‍କରି ଦୁର୍ଘଟଣାର ସମ୍ମୁଖୀନ ହୋଇଛି । ଆମେ ଅଳ୍ପ ସମୟ ଭିତରେ ସମ୍ପୂର୍ଣ୍ଣ ବିବରଣୀ ଦେଉଛୁ ।

 

ହାହାକାର ଶୁଣା ଗଲା ଅପେକ୍ଷାରତ ଲୋକଙ୍କ ମୁହଁରୁ । କ’ଣ ହେଲାର ଜିଜ୍ଞାସା ସମସ୍ତଙ୍କ ମନରେ । ଏକ ସଙ୍ଗରେ ସବୁ ଭାଷାରେ ସବୁ ଧର୍ମର ଈଶ୍ୱରଙ୍କ ଠାରେ ପ୍ରାର୍ଥନା କରିବାର ଶୁଣାଗଲା । ସମସ୍ତଙ୍କର କେବଳ ଗୋଟିଏ ପ୍ରାର୍ଥନା ମୋ ସମ୍ପର୍କୀୟଙ୍କୁ ଭଲରେ ପହଞ୍ଚାଇ ଦିଅ । ସମୟ ସବୁ ଦେଖେ, ସବୁ ଶୁଣେ, ସବୁ ଜାଣେ, ତଥାପି ଖୁସିରେ ସରଳ ହୁଏନି କି ଦୁଃଖରେ ଜଟିଳ ହୁଏନି । ଅବିରାମ ଗତିରେ ଗଡ଼ିଚାଲେ ନିୟମିତ ଧାରାରେ । ଦୁଇଟା ବାଜିଲା, ତିନିଟା ବାଜିଲା, ଚାରିଟା, ପାଞ୍ଚଟା... ରହି ରହି କରି ଇନ୍‍ଫରମେସନ୍ ମିଳୁଛି AI Boing 160K ବିଷୟରେ । ପ୍ରାୟ ସମସ୍ତ ଯାତ୍ରୀ ପୋଡ଼ି ପାଉଁଶ ହୋଇଯାଇଛନ୍ତି ।

 

ଚାରିଟା ପରଠୁ ମୃତ ଯାତ୍ରୀମାନଙ୍କର ନାମ ଓ ଠିକଣା ପ୍ରଚାର ହେଉଛି । ୫ଟା ୨୫ ମିନିଟ୍‍ରେ ପରଦା ଉପରେ ଯେଉଁ କେତେକ ମୃତ ଯାତ୍ରୀମାନଙ୍କ ନାମ ପରଦା ଉପରେ ଆସିଥିଲା ସେଥିରେ ଅମିତ୍ ବହିଦାର, ସନ୍ଧ୍ୟା ବହିଦାର, ଯଶୋଧାରା ବହିଦାରଙ୍କର ନାମ ଦେଖୁଛନ୍ତି ତିନିହେଁ-। ଦେଖୁ ଦେଖୁ ଠିଆ ହୋଇ ପଡ଼ିଥିଲେ କୁଶନ୍ ଚେୟାର ଉପରୁ ବହିଦାର ବାବୁ । ପରକ୍ଷଣରେ ପୁଣି ଆଖି ବୁଜି ବସି ପଡ଼ିଲେ ଚେୟାର ଉପରେ । ରଜନୀ ଆଖିରେ ଲୁହର ଜୁଆର । ପ୍ରକାଶର ଅନ୍ତରରେ କୋହର ତୁଫାନ । ତିନିହେଁ ସ୍ଥିର ଓ ନିର୍ବାକ୍‍ ।

 

ହାତରେ ଧରିଥିବା ଗୋଲାପ ଫୁଲତୋଡ଼ାକୁ ଚାହିଁଲା ପ୍ରକାଶ । ସୁନ୍ଦର ଭାବେ ନିଜେ ଲେଖିଛି ହାପି ୱେଲ୍‍କମ୍ ଟୁ ସନ୍ଧ୍ୟା ଆଣ୍ଡ୍‍ ଅଦର୍ସ । ପଢ଼ୁ ପଢ଼ୁ ଠିକ୍ ସନ୍ଧ୍ୟା ପାଖରେ ଆଖି ତାର ଲାଖି ଗଲା । ମୁହଁରୁ ଗୋଟାଏ ଅସ୍ପଷ୍ଟ ଆର୍ତ୍ତ ଚିତ୍କାର ଶୁଣାଗଲା । ନାଇଁ... ସନ୍ଧ୍ୟା... ନାଇଁ... ତୁମେ ଯାଇ ପାରିବନି... ମୁଁ ଅପେକ୍ଷା କରିଛି ... ମୁଁ ଅପେକ୍ଷା କରିଛି... ତା’ପରେ କୋହର ତୁଫାନ, ଲୁହର ବର୍ଷା । ପିଲାଟାଏ ପରି ରାହା ଧରି କାନ୍ଦି ଉଠିଲା ପ୍ରକାଶ । ରଜନୀ ଆଖିରୁ ଲୁହର ଧାର ଛୁଟୁଛି । ଓଠ ଥରୁଛି ଅବ୍ୟକ୍ତ ଯନ୍ତ୍ରଣାରେ । ଶରୀରର ପ୍ରତ୍ୟେକଟି କୋଣ କାନ୍ଦୁଛି । ହାତ ଥୋଇଲା ପ୍ରକାଶର କାନ୍ଧରେ । ସାଥରେ ବହିଦାର ବାବୁ ମଧ୍ୟ । ମୁହଁ ଉଠାଇ ଚାହିଁଲା ପ୍ରକାଶ ବହିଦାର ବାବୁଙ୍କୁ । ନିର୍ବିକାର ଗମ୍ଭୀର ମୁଖମଣ୍ଡଳ । ନୟନ ଶୁଷ୍କ, ମୁଖ ମଣ୍ଡଳରେ ସହଜତାର ଆଭା ।

 

... ମୋର ସବୁ ସ୍ୱପ୍ନ ଭାଙ୍ଗିଗଲା ସାର୍‍, ସବୁ ଧୂଳିସାତ୍ ହୋଇଗଲା । କୋହ ମିଶା କଣ୍ଠରେ କହୁ କହୁ ବହିଦାରଙ୍କ ବକ୍ଷ ଉପରକୁ ଆଉଜି ଗଲା ପ୍ରକାଶ । ତଥାପି ବହିଦାର ବାବୁ ପ୍ରତିକ୍ରିୟାହୀନ, ସହଜ, ଯେମିତି ତାଙ୍କର କିଛି ହୋଇନି । ହାତରେ ଏବେ ବି ସୁନ୍ଦର ଗୋଲାପର ଫୁଲତୋଡ଼ା । ୟା’ଙ୍କ ଆଖିରେ ପିଆଜ ରସ ପକାଇ ଦିଅନ୍ତୁ । ଲୁହ ନ ଝରିଲେ ୟେ ମାନସିକ ଭାରସାମ୍ୟ ହରାଇବେ । ଉପସ୍ଥିତ ଶୋକ ସନ୍ତପ୍ତ ଭିଡ଼ ମଧ୍ୟରୁ କେହି ଜଣେ ଶୁଭାକାଂକ୍ଷୀ କହି ଉଠିଲେ... ।

 

... ଆପଣ କାନ୍ଦନ୍ତୁ ସାର୍ । ଆପଣଙ୍କର ସଂସାର ଭାଙ୍ଗିଗଲା । ଫୁଲ ତୋଡ଼ା ଫିଙ୍ଗି ଦିଅନ୍ତୁ ସାର୍ ଆଉ କେହି ଆସିବେନି । ରଜନୀ କାନ୍ଦୁ କାନ୍ଦୁ ବହିଦାର ବାବୁଙ୍କୁ ହାତଧରି ଅନୁନୟ କଲା ।

 

... ଆପଣଙ୍କର ଅମିତ୍ ଆଉ ଆସିବେନି ସାର । ସନ୍ଧ୍ୟା ଚିରଦିନ ପାଇଁ ରୁଷିକରି ଚାଲିଯାଇଛି ସାର୍ । ତାଙ୍କ ପାଇଁ ଦୁଃଖ କରନ୍ତୁ ସାର୍ ।

 

ବହିଦାର ବାବୁ ଏବେ ବି ପ୍ରତିକ୍ରିୟାହୀନ । ନିର୍ବିକାର, ସମ୍ବେଦନହୀନ, ଆଖି ଶାନ୍ତ, ନିଜକୁ ପ୍ରକାଶ ଓ ରଜନୀ କବଳରୁ ମୁକ୍ତ କରି ଚେୟାର ଉପରେ ବସି ପଡ଼ିଲେ । ଆଖି ବନ୍ଦ କରି ଈଶ୍ୱରଙ୍କ ଉଦ୍ଦେଶ୍ୟରେ ପ୍ରାର୍ଥନା କଲେ ଆତ୍ମାଗୁଡ଼ିକୁ ସଦ୍‍ଗତି ଦିଅ ପ୍ରଭୁ ।

 

ଅନେକ ଶୋକସନ୍ତପ୍ତ ମୃତ ଯାତ୍ରୀମାନଙ୍କର ସମ୍ପର୍କୀୟ ନିଜର ଦୁଃଖ ଭୁଲି ଏଇ ପ୍ରତିକ୍ରିୟାହୀନ ଲୋକଟିର ଆଚାରରେ ବିସ୍ମିତ ହୋଇ ତାଙ୍କ ଚାରି ପାଖେ ଭିଡ଼ ଜମାଇଲେ । ଏଇ ଲୋକଟିର ସମସ୍ତ ସଂସାରଟି ନଷ୍ଟ ହୋଇ ଯାଇଛି ଜାଣି ଯେତିକି ଦୁଃଖିତ ହେଲେ ତା’ଠାରୁ ବେଶୀ ବିସ୍ମିତ ହେଲେ ଲୋକଟିକୁ ନିର୍ବିକାର ଦେଖି । ପାଖରେ ଯୁବକ ଯୁବତୀ ଦୁଇ ଜଣଙ୍କର ବିକଳ କାନ୍ଦଣାରେ ଫାଟି ପଡ଼ୁଥିଲା ସାରା ବିମାନବନ୍ଦରଟି । ଭିଡ଼ ଭିତରୁ କେହି ଜଣେ ବହିଦାରଙ୍କ ଉଦ୍ଦେଶ୍ୟରେ ପ୍ରଶ୍ନ କଲା... ସାର ଆପଣଙ୍କର ପୁଅ, ଝିଅ, ସ୍ତ୍ରୀ ସବୁ ଏ ଦୁନିଆରୁ ଚାଲିଗଲେ । ଆପଣଙ୍କର ମନରେ ଦୁଃଖ ହେଉନି ?

 

ଆପଣଙ୍କ ଭିତରୁ କେହି ଏ ଦୁହିଁଙ୍କୁ କାନ୍ଦିବାରୁ ନିବୃତ କରି ପାରିବେ ? ଏ ଦୁହେଁ ଅଜ୍ଞାନ ଛୁଆ ଦୁଇଟି । କିଏ ଦୟାକରି ଏମାନଙ୍କୁ ବୁଝାଇ ଦିଅନ୍ତୁ ମୋର କିଛି ଯାଇ ନାହିଁ । ମୁଁ କିଛି ହରେଇ ନାହିଁ, ଯାହା ହେଲା ତାହା ହେବାର ଥିଲା । ଏଥି ପାଇଁ ଦୁଃଖ କରି ଆମେ ପଥ ହୁଡ଼ି ପଥବଣା ହେବା ଅନୁଚିତ୍‍ ।

 

ସ୍ତମୀଭୂତ ହେଲେ ଉପସ୍ଥିତ ଶୋକସନ୍ତପ୍ତ ମୃତ ବ୍ୟକ୍ତିଙ୍କଚ ସଖା ସହୋଦର । କିଏ କହିଲା ଯେ ମାନସିକ ଭାରସାମ୍ୟ ହରାଇବାର ଆରମ୍ଭର ଲକ୍ଷଣ ତ ଆଉ କିଏ କହିଲା ଆରେ ୟାଙ୍କ ଆଖିରୁ ଲୁହ ଝରାଅରେ ।

 

ମୁଁ ଠିକ୍ ଅଛି ବନ୍ଧୁଗଣ । ମୁଁ ମାନସିକ ଭାରସାମ୍ୟ ହରାଇ ନାହିଁ । ସଂସାରରେ ଏକମାତ୍ର ସମୟ ହିଁ ସବୁଠାରୁ ଗରିଷ୍ଠ । ଏଇ କାଳ ଯାର ପୂରି ଯାଏ ତାକୁ କେହି ରଖାଇପାରେନି । ତା’ପରେ କିଏ ମୋର ବା ମୁଁ କାହାର । ସବୁତ ତାଙ୍କର, ସେଇ ଏକା କର୍ତ୍ତା, ଦେଇଥିଲେ ନେଇଗଲେ । ସମସ୍ତେ ମୋର ଥିଲେ ଏବେ ଅନ୍ୟ କାହାର ହୋଇଗଲେ । ଡାକ୍ତର ମୁଁ, ମୋ ପାଖରେ ଥିଲେ, ରୋଗୀର ଖୁବ୍ ସେବା କରେ, ଖୁବ ଯତ୍ନନିଏ । ରୋଗଣା ମୁହଁରେ ହସ ଝରାଏ । ଠିକ୍ ହୋଇଗଲେ ରୋଗୀ ଚାଲିଯାଏ । ମୋତେ ସେ ମନେ ରଖେ କି ନା ଜାଣେନି ମାତ୍ର ମୁଁ ତାଙ୍କୁ ଝୁରେ ନି । ମୋ କର୍ମରେ ଲାଗିରହେ । ମୋର ସ୍ତ୍ରୀ ଥିଲା, ପୁଅ ଥିଲା, ଝିଅ ଥିଲା । ତାଙ୍କ ପାଇଁ ମୁଁ କର୍ମ କରି ଚାଲିଥିଲି । ଯତ୍ନ ନେଇଥିଲି ଖୁବ୍, ପ୍ରତିଟି ପାଦରେ ଫୁଲ ଫୁଟାଇଥିଲି ତାଙ୍କର । ନିର୍ମୋହ ହୋଇ ସଭିଏଁ ଏକାକରି ଛାଡ଼ିଗଲେ । ଏବେ ମୁଁ କିଆଁ କାନ୍ଦିବି । ମୋର ଅନେକ କର୍ମ ମୋତେ ଆହ୍ୱାନ କରୁଛି । ଗୋଟିଏ କର୍ମର ବନ୍ଧନରେ ମୁଁ କାହିଁକି ବାନ୍ଧି ହୋଇ ରହିବି ? ପଦ୍ମପତ୍ର ପାଣିରେ ରହି ମଧ୍ୟ ପାଣିଠାରୁ ଅଲଗା ରହିଲା ପରି ସବୁ କର୍ମ କରି ସବୁକର୍ମରେ ସଂଶ୍ଳିଷ୍ଟ ଥାଇ ମଧ୍ୟ ମୁଁ ସବୁକର୍ମରୁ ଅଲଗା ରହି ଶିଖିଛି । ମୁଁ କେବଳ କର୍ମ କରିଥିଲି । ମୋ ପୁଅ ଝିଅଙ୍କୁ ସ୍ୱାଧୀନତା ଦେଇଥିଲି ନିଜେ ପ୍ରତିଷ୍ଠିତ ହେବାକୁ । ମୋର କର୍ମର ଫଳ ମୁଁ କେବେ ଆଶା କରି ନଥିଲି ସେମାନଙ୍କର ଠାରେ । ଏବେ କୋଉଥିପାଇଁ କାନ୍ଦିବି, କୋଉଥିପାଇଁ ଶୋକ କରିବି ? ଯେଉଁ ଆତ୍ମାଗୁଡ଼ିକ ଅର୍ଦ୍ଧଦଗ୍ଧ କି ପୂର୍ଣ୍ଣଦଗ୍ଧ ଶରୀର ଗୁଡ଼ିକୁ ତେଜି ନବକଳେବରରେ ଆତ୍ମ ପ୍ରତିଷ୍ଠା କରି ସାରିଥିବେ ଏତେବେଳକୁ ସେଇ ଆତ୍ମାଗୁଡ଼ିକ ପାଇଁ ଆମେ କାହିଁକି ଶୋକ କରିବା ? ସଂସାରରେ ଅନେକ କର୍ମ ଆମକୁ ଆହ୍ୱାନ କରୁଛି ।

 

ଏଇ କର୍ମ ହିଁ ତ ଆମର ଅଧିକାର । ଏଇ କର୍ମହିଁ ତ ଆମ ଜୀବନର ମାନଦଣ୍ଡ । ତେବେ ଏବେ ସ୍ଵକର୍ମ ତ୍ୟାଗି ଆମେ ଶୋକ କଲେ ଲାଭ କ’ଣ । ଚାଲ ପ୍ରକାଶ, ଚାଲ ରଜନୀ, ଆମେ ଆମର କର୍ତ୍ତବ୍ୟ କ୍ଷେତ୍ରକୁ ଚାଲିଯିବା ।

 

ସମସ୍ତେ ବିସ୍ମିତ । ବୃଦ୍ଧ ବହିଦାରଙ୍କ କଥା ଶୁଣି ଶୋକସନ୍ତପ୍ତ ମନକୁ ଏହାଠାରୁ ବଳି ସାନ୍ତ୍ୱନା ଆଉ କ’ଣ ହୋଇପାରେ ? କେତେ ନିରାଟ ସତକଥା ଏହା । ପ୍ରକାଶ ଭାବୁଛି, ଏକଥା ଗୀତା ପଢ଼ି ଜାଣିଥିଲା ସେ, ମାତ୍ର ବାସ୍ତବ ଜୀବନରେ ଏମିତି ବି ସମ୍ଭବ, ବିଶ୍ୱାସ କରିପାରୁନି । ନିରାସକ୍ତ କର୍ମଯୋଗୀ କେବଳ କାଗଜ କଲମରେ ତୋଳାଯାଇପାରେ ସିନା ମାତ୍ର ବାସ୍ତବରେ ଏମିତି ଚରିତ୍ର...।

 

... ଚାଲ... ଉଠ ପ୍ରକାଶ, ବୋଇଙ୍ଗ୍‍ ବିମାନ ଆମର ଅନେକ କାର୍ଯ୍ୟ ନିଜେ କରିଦେଇଛି । ମୋର ପ୍ରିୟ ବସ୍ତୁଗୁଡ଼ିକର କୌଣସି ଅବଶେଷ ଛାଡ଼ି ଯାଇନି । କୌଣସି ସ୍ମରଣିକା ନାହିଁ ତାଙ୍କର ସବୁ ମୁଠାଏ ପାଉଁଶ ହୋଇଯାଇଛି । ହେ ପ୍ରଭୁ ଆତ୍ମାଗୁଡ଼ିକୁ ସଦ୍‍ଗତି ଦିଅ । ମୋର କର୍ମପଥ ଦର୍ଶାଅ ପ୍ରଭୁ । ଧୈର୍ଯ୍ୟ ଏବଂ ଶକ୍ତିମାନ୍ ମୋତେ। ଚାଲ ରଜନୀ... ।

 

ଭାରି ପଦକ୍ଷେପରେ ଗୋଟିଏ ପାଦ ଉଠାଇ ଚାଲିଲେ ନିର୍ବିକାର ପୁରୁଷ ବହିଦାର । ଉଡାଜାହାଜ ପଡ଼ିଆ ଫାଟକ ଆଡ଼କୁ । ତାଙ୍କ ପଛକୁ ଶୋକବିଧୁର ପ୍ରକାଶ ଏବଂ ରଜନୀ । ଉପସ୍ଥିତ ଅଗଣିତ ଶୋକସନ୍ତପ୍ତ ଜନାରଣ୍ୟର ଦୃଷ୍ଟି ପଶ୍ଚାତ୍‍ଧାବନ କରୁଥିଲା ଏମାନଙ୍କର । ଆରେ ଆରେ ସମସ୍ତେ ହୃଦୟର ଭାବକୁ ଅର୍ପଣ କରୁଥଲେ ନିରାସକ୍ତ କର୍ମଯୋଗୀର ପାଦରେ, ଧନ୍ୟ ତୁମେ ନିରାସକ୍ତ କର୍ମଯୋଗୀ କହି ।

***

 

‘ତେଇଶ’

 

ନିୟତିର ନିୟନ୍ତ୍ରଣ ଖୁବ୍ ବିଚିତ୍ର । କେବେ କାହାର ଗତିପଥକୁ ପରସ୍ପର ସହ ଛନ୍ଦି ଦିଏ ତ କେବେ ସମାନ୍ତର ରଖେ ପୁଣି କେବେ ଏକ ନିର୍ଦ୍ଦିଷ୍ଟ କୋଣରେ ପରସ୍ପରକୁ ଦୁରେଇ ନିଏ ପରସ୍ପରଠୁ ନିୟମିତ ଭାବେ, ଯେଉଁଠି ମିଳନ ସ୍ଵପ୍ନ ବନେ, ଆଶା ବନେ ମରିଚିକା ।

 

ଏଇ ବଲାଙ୍ଗିର ପ୍ରକାଶ ପାଇଁ ଆଣି ଦେଇଥିଲା ଖୁସିର ତୁଫାନ । ଅନେକ ଆଶାର ବର୍ଷା ଏବଂ ସ୍ଵପ୍ନର କୁଆପଥର । ଧନ ଜନ ମାନ ସବୁ ମିଳିଥିଲା ପ୍ରକାଶକୁ, ନିଜର ଆଶାଠାରୁ ବି ଅଧିକ ପରିମାଣରେ । ଯାହା କେବେ ତାକୁ ସ୍ୱପ୍ନ ପରି ପ୍ରତୀୟମାନ ହେଉଥିଲା ସେଭଳି ଜୀବନ ବିତାଇ ପାରୁଥିଲା ଏଇ କେତେ ଦିନ ତଳେ । ସନ୍ଧ୍ୟା ପରି ସଖୀର ସହଚର୍ଯ୍ୟ ମିଳୁଥିଲା । ସରକାରୀ ଅଫିସର ତଥା ବହିଦାରବାବୁଙ୍କ ପରି ପ୍ରତିଷ୍ଠିତ ଲୋକଙ୍କ ନିକଟବର୍ତ୍ତୀ ହୋଇ ପାରିଥିବାରୁ ସହରରେ ଯଥେଷ୍ଟ ମର୍ଯ୍ୟାଦା ମିଳୁଥିଲା । ଘରେ ତାର ଫର୍ଣ୍ଣିଚର ଠାରୁ ଆରମ୍ଭ କରି ନାନା ପ୍ରକାର ସୌଖୀନ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ପାଇ ପାରିଥିଲା । କୌଣସି ଜିନିଷର ଅଭାବ ଉପଲବ୍ଧି କରି ନଥିଲା ଏଇ ଦିନଗୁଡ଼ିକରେ । ।

 

ମାତ୍ର ଏଇ ଦିନଗୁଡ଼ିକ ଯେମିତି ଆସିଥିଲା, ସେମିତି ଚାଲିଗଲା । ସନ୍ଧ୍ୟାର ରଙ୍ଗରେ ପ୍ରକାଶ ରଙ୍ଗିନ୍ ହୋଇଥିଲା, ଆଜି ସନ୍ଧ୍ୟା ମିଳାଇଗଲା ବ୍ରହ୍ମାଣ୍ଡ ଉପରାନ୍ତ ଘୋର ଶୂନ୍ୟ ଅନ୍ଧକାର ମଧ୍ୟରେ, ସାଥରେ ପ୍ରକାଶର ରଙ୍ଗ ।

 

ଦିଲ୍ଲୀରୁ ଫେରି ଆସିଛି ବଲାଙ୍ଗିରକୁ ପ୍ରକାଶ ବହିଦାର ବାବୁ ଏବଂ ରଜନୀ ସଙ୍ଗରେ । କର୍ମଯୋଗୀ କର୍ମରେ ମନୋନିବେଶ କରି ତା’ଭିତରୁ ଶାନ୍ତି ଖୋଜି ପାରିଛନ୍ତି, ସାଥୀରେ ରଜନୀ ବି-। ମାତ୍ର ପ୍ରକାଶ... ସେ ବି ଖୁବ୍ ଚେଷ୍ଟା କରିଛି କର୍ମରେ ମନୋନିବେଶ କରିବାକୁ । ଗୀତା ପଡ଼ିଛି ଶାନ୍ତି ପାଇବା ଉଦ୍ଦେଶ୍ୟରେ । ମାତ୍ର ...କେବଳ ଭାବିଲେ କି ଲୋକ ଆଦର୍ଶ ବନିଯାଇ ପାରେ, ତାକୁ ନିଜ କର୍ମକ୍ଷେତ୍ରରେ ଉପଯୋଗ କରି ଦର୍ଶାଇ ପାରିଲେ କେବଳ ସେ ଆଦର୍ଶ ବନିପାରେ । କର୍ମ କରିବାକୁ ହେଲେ ଇଛା କରିବାକୁ ହୁଏ ଏବଂ ଇଚ୍ଛାର ସମ୍ବନ୍ଧ ହୃଦୟ ସହିତ ନିହିତ । ଆଜି ପ୍ରକାଶର ହୃଦୟରେ ସନ୍ଧ୍ୟା ଏତେ ସ୍ଥାନ କରି ନେଇଛି ଯେ... କୌଣସି ହିତବାଣୀ, କୌଣସି ସୁଚିନ୍ତା, ସୁଇଚ୍ଛା ତା ହୃଦୟରେ ବସି ପାରୁନି । ଆଜି ଶତଚେଷ୍ଟା ସତ୍ତ୍ୱେ, ଡେରିଯାଏ ଅଫିସରେ ବସିବା ସତ୍ତ୍ୱେ ଅଫିସ୍ କାମରେ ମନ ଦେଇ ପାରିଲାନି । ଅଗତ୍ୟା ଫେରି ଆସିଛି ନିଜ କ୍ୱାର୍ଟରକୁ ସାଢ଼େ ସାତଟାରେ । ପ୍ରକାଶ ଆତ୍ମ ସମୀକ୍ଷା କରୁଛି... ଏତେ ସମୟ ଅଫିସ୍‍ରେ କଟାଇଲା ପରେ ବି କିଛି କାମ କରି ପାରିଲାନି... ? ଭଙ୍ଗା ମନରେ ସବୁକିଛି ଭଙ୍ଗା ନଜର ଆସେ । ମୁଣ୍ଡ ଧକ୍ ଧକ୍ କରୁଛି । ଘରର ଦରବାଜା ଖୋଲି ଭିତରକୁ ପଶିଲା । ଚାକରାଣୀ କହୁଛି ସବୁ ରୋଷାଇ ସରିଲାଣି, ଆଜ୍ଞା ଘରକୁ ଯିବି ? ପ୍ରକାଶକୁ ମନେ ହେଲା, ସାମ୍ନାରେ ସନ୍ଧ୍ୟା କିଛି କହୁଛି । ଅନ୍ତରରେ ସ୍ନେହ ଉବୁଟୁବୁ ହେଉଛି ।

 

କିଛି ଭାବିବା ଓ କରିବା ପୂର୍ବରୁ ପ୍ରକୃତିସ୍ଥ ହେଲା, ଲଜ୍ଜିତ ହେଲା ନିଜଠି । ସିଧା ପଶିଗଲା ବାଥରୁମକୁ । ସାୱାର ଖୋଲି ମନଇଚ୍ଛା ଗାଧୋଇଲା । ଟାୱେଲ ଗୁଡ଼ାଇ ହୋଇ ୱାଡରୋବ ପାଖକୁ ଗଲା । ଘର ଭିତର ସାରା ଫର୍ଣ୍ଣିଚର ମଧ୍ୟରୁ କେବଳ ଏଇ ଗୋଟିକୁ ନିଜ ଅର୍ଥରେ ବନାଇଛି । ମାତ୍ର ତା ବି ସନ୍ଧ୍ୟାର ପସନ୍ଦ ଅନୁସାରେ ଡିଜାଇନ୍ । କରାଯାଇଛି । ପ୍ରକାଶ ଭାବୁଛି, କ’ଣ ପିନ୍ଧିବି... ସୁଟ୍... ସଲୱାର ପଞ୍ଜାବୀ କି ହାୱାଇ ସାର୍ଟ ପେଣ୍ଟ... । ମନେହେଲା ସନ୍ଧ୍ୟା କହୁଛି ଧଳାରଙ୍ଗର ସୁଟ୍‍ଟା ପିନ୍ଧିବାକୁ । ସାଥରେ ଗୋଲାପୀ ନେକ୍‍ଟାଇଟା ପିନ୍ଧିବାକୁ । ୱାଲ୍‍ ଫିକ୍ସଡ୍ ଦର୍ପଣରେ ନିଜର ଚେହେରାକୁ ଦେଖି ଖୁସି ହୋଇଗଲା ପ୍ରକାଶ । ଓଠ ଧାରରେ ହସ ରେଖାଟିଏ ଟାଣି ହୋଇଗଲା । କ୍ରିମର ହାଲୁକା ପ୍ରଲେପଟିଏ ମୁହଁ ସାରା ଦେଉ ଦେଉ ରେକ୍‍ ଉପରୁ ମୋଟର ସାଇକେଲର ଚାବିଟା ନେଇ ଘରୁ ବାହାରିଲା ।

 

ୟାମାହା ଆରଏକ୍ସ-୧୦୦, ସ୍ଵଉପାର୍ଜିତ ଧନରେ ଏଇଟି କରିଛି ସେ ପାଞ୍ଚ ବର୍ଷର ଚାକିରି କାଳ ମଧ୍ୟରେ । ଭାବିଥିଲା ସନ୍ଧ୍ୟା ଫେରିବା ପରେ ଏଇଟି ସରପ୍ରାଇଜ୍ ଗିଫ୍ଟ, କରିଥାନ୍ତା ଏବଂ ପରେ ଦୁହେଁ ହୁଏତ ଗୋଟେ ଲଙ୍ଗ୍ ଡ୍ରାଇଭ୍‍ରେ ଯାଇଥାନ୍ତେ ଏଇ ୟାମାହାରେ । ମୋଟର ସାଇକେଲ ବାହାର କରି ଘରେ ତାଲା ପକାଇଲା ପ୍ରକାଶ । ରୋଡ୍‍ ଉପରକୁ ଉଠି ଇଗ୍‍ନିସନ୍‍ରେ ଚାବି ଭରିଲା, କିକ୍ କଲା, ଗିଅର ପକାଇ ଏକ୍‍ସିଲେଟର ବଢ଼ାଇଲା । ଗାଡ଼ି ଗଡ଼ି ଚାଲିଲା... ଗଡ଼ିବା ତାର କାମ, ଲକ୍ଷ୍ୟ କେବଳ ଚାଳକ ଜାଣେ । ମାତ୍ର ପ୍ରକାଶ ଆଜି କୌଣସି ଏକ ବହିର୍ଶକ୍ତି ଦ୍ଵାରା ପରିଚାଳିତ । ଲକ୍ଷ୍ୟ ତା’ ପାଇଁ ମଧ୍ୟ ଅଦୃଷ୍ଟ ।

 

ଗାଡ଼ି ଛୁଟୁଛି । ପ୍ରକାଶକୁ ମନେ ହେଉଛି ପଛ ସିଟ୍‍ରେ ବସିଛି ସନ୍ଧ୍ୟା । ତାରି କାନ୍ଧରେ ହାତ ରଖି, କେବେ ମୁଣ୍ଡ ଥୋଇ ଦେଉଛି ପ୍ରକାଶର ପିଠିରେ । ଜାବୁଡ଼ି ଧରୁଛି, ହାଏ ହାଣ୍ଡସମ୍ କହି, କେବେ ମନେ ହେଉଛି, ସାମ୍ନାରେ ସନ୍ଧ୍ୟା ହାତ ଟେକି ଲିଫ୍ଟ ମାଗୁଛି । ପୁଣି କେବେ ଦଉଡ଼ି ଆସି ସାମ୍ନାରେ ହାତ ମେଲାଇ ଠିଆ ହୋଇଯାଉଛି । ପ୍ରକାଶ ଆଖିକୁ କିଛି ଦେଖାଯାଉନି । ଦେଖାଯାଉଛି କେବଳ ସନ୍ଧ୍ୟାର ଚେହେରା । କେତେବେଳେ ନୀଳପରୀ ବେଶରେ ତ କେତେବେଳେ ମେଘଖଣ୍ଡ ପରି । ସାମ୍ନାରେ ବହିଦାର ଇଷ୍ଟେଟ୍ । ଛାତ ଉପର ବଗିଚାରେ ଗୋଟିଏ ବାଇଗଣି ରଙ୍ଗର ଫୁଲ କୁଣ୍ଡ, ତା’ ଉପରେ ଝଙ୍କାଳିଆ ଗୋଲାପ ଗଛ । ଗଛରେ ସଦ୍ୟ ପ୍ରସ୍ତୁଟିତ ରକ୍ତଜବା ଗୋଲାପ ପବନର ତାଳେ ତାଳେ ଦୋଳି ଖେଳୁଛି କି ସନ୍ଧ୍ୟାର ଅନୁପସ୍ଥିତିରେ ଦୋହଲି ନୋହଲି ଶୋକ ପ୍ରକଟ କରୁଛି । ପ୍ରକାଶ ଦେଖୁଛି ରକ୍ତଜବା ଗୋଲାପ ମଧ୍ୟରେ ସୁନ୍ଦର ଗୋଲାପୀ ଚେହେରାଟିଏ । ସେ ଚେହେରାଟି ସନ୍ଧ୍ୟାର । ହାତ ହଲାଇ ହଲାଇ ଆବାହନ କରୁଛି ପ୍ରକାଶକୁ । ପ୍ରକାଶର ନଜର ସ୍ଥିର । ଗାଡ଼ିର ବେଗ ବଢ଼ି ଚାଲିଛି । ଗାଡ଼ି ମାଡ଼ି ଚାଲିଛି, ପାଦ ବ୍ରେକ୍ ଠାରୁ ବହୁତ ଦୂରରେ ମନ ଓ ଗାଡ଼ି ରାସ୍ତାଠାରୁ ବହୁତ ଦୂରରେ । ଆଗରେ ବସ୍‍ଟାଏ ପାର୍କ କରିଛି । ପ୍ରକାଶର ନିଘାନାହିଁ ସେ ଆଡ଼କୁ... ଇସ୍... ନା.... ।

***

 

‘ଚବିଶ’

 

ଯଶୋଧାରା ନସିଂହୋମ୍ । ପ୍ରୋପାଇଟର ସ୍ଵୟଂ ବହିଦାର ବାବୁ । ନିଜେ ମାଲିକ, ନିଜେ ପରିଚାଳକ । ନିଜକୁ ସାହାଯ୍ୟ କରିବାକୁ ଦୁଇଜଣ ସହାୟକ ଡାକ୍ତର ତଥା ସାତ ଜଣ ନର୍ସ ଓ ପାଞ୍ଚଜଣ କମ୍ପାଉଣ୍ଡର । ଏଇମାତ୍ର ତୃତୀୟ ସହାୟକ ଡାକ୍ତର ଭାବରେ ଯୋଗ ଦେଇଛି ରଜନୀ । ରଜନୀ ନିଜର ଉନ୍ନତି ମାର୍ଗର ପାହାଚ ଗୋଟିଏ ଗୋଟିଏ କରି ଅତିକ୍ରମ କରି ଆଜି ଡାକ୍ତର ବନି ପାରିଛି । ଶୂନ୍ୟ ପୃଷ୍ଠଭୂମିରୁ ଆରମ୍ଭ କରି ନିୟମିତ ଭାବେ ଉନ୍ନତି କରି ଚାଲିଛି ଆଗକୁ ଆଗକୁ ।

 

ନିଜର ହସୁଥିବା ସଂସାର ଭାଙ୍ଗିଯିବା ପରଠୁ ଏଇ ନସିଂହୋମଟିକୁ ହିଁ ପୂର୍ଣ୍ଣ ରୂପେ ନିଜର ସଂସାର ମଣିଛନ୍ତି ବହିଦାର ବାବୁ । ମାଳିର ସବୁଠାରୁ ପ୍ରିୟ ଚାରାଟି ତୁଫାନରେ ନଷ୍ଟ ହୋଇଗଲା ପରେ ମଧ୍ୟ ଯେପରି ପୁଣି ନୂଆ ଏକ ଚାରା ରୋପଣ କରି ଯତ୍ନ ନିଏ ତାର । ପୁଣି ସେଇ ଚାରାରେ ଫୁଲର ହସ ଝରାଏ, ଫଳର ସ୍ଵପ୍ନ ଭରେ । ସେପରି ଭାବରେ ବହିଦାର ବାବୁ ମାଳି ବନି ପୁରୁଣା ଚାରାକୁ ଭୁଲି କର୍ମ କରି ଚାଲିଛନ୍ତି କର୍ମକ୍ଷେତ୍ର ଏଇ ନସିଂହୋମ୍‍ର ଉନ୍ନତି ସାଧନ ପାଇଁ । ଏଇ ନସିଂହୋମରେ କେତେ ରୋଗଣା ମୁହଁ କେତେ ଯେ କାନ୍ଦୁରା ମୁହଁ ପଶିଛନ୍ତି ପୁଣି ହସି ହସି ଫେରିଛନ୍ତି ନିଜର ବାସସ୍ଥଳୀକୁ ତାର କଳନା ନାହିଁ । ନିର୍ବିକାର କର୍ମଯୋଗୀ ବହିଦାରଙ୍କର ସେଥିପ୍ରତି ଧ୍ୟାନ ନାହିଁ । କିଏ ଆସିଲା କିଏ ଗଲାର ହିସାବ ସୁପୁରୁଷ କରେନି କେବଳ ସାମ୍ନାରେ କିଏ ଅଛି ତାର ଯତ୍ନ ନିଏ । ଏଇ ଢାଞ୍ଚାରେ ଢଳା ମଣିଷଟିଏ ବହିଦାର ବାବୁ ।

 

ମାତ୍ର ଆଜି ସଞ୍ଜ ବେଳର ଘଟଣା ତାଙ୍କର ମନରେ ଆଲୋଡ଼ନ ସୃଷ୍ଟି କରିଛି । ସହରର ଦୋକାନୀ ସଂଘର କେତେକ କର୍ମକର୍ତ୍ତା ମୁର୍ମୂଷୁ ଅବସ୍ଥାରେ ଟେକି ଆଣିଛନ୍ତି ଜଣେ ପେସେଣ୍ଟକୁ । ଏଇ ପେସେଣ୍ଟର ଅବସ୍ଥା ଚହଲାଇ ଦେଇଛି ସଦାସ୍ଥିର ବହିଦାର ବାବୁଙ୍କ ମନ ମସ୍ତିଷ୍କକୁ । ସେ ଏ ପେସେଣ୍ଟକୁ ଜାଣନ୍ତି । ଭଲକରି ଜାଣନ୍ତି... ଏଇ ଯେ ପ୍ରକାଶ । ଜଣେ ପଥବଣା ପଥିକ । ସବୁ ଜାଣି ବି ଅଜଣା ମଣିଷଟିଏ ।

 

କିଛି ହଜିଗଲେ କି କେହି ହାରିଗଲେ ତାର ଆଦର୍ଶର ବନ୍ଧନ ସ୍ୱତଃ ଢ଼ିଲା ହୋଇଯାଏ । ମନ ଅମାନିଆ ହୋଇଯାଏ ବିବେକଠି । ବିବେକର ଶାସନ ଠାରେ ବିଦ୍ରୋହ କରେ ମନ । ମୁକ୍ତ ନଈର ଧାରରେ ବନ୍ଧ ବାନ୍ଧିବା ଅପେକ୍ଷା ପୁରୁଣା ବନ୍ଧ ଥରେ ଲିକ୍‍କଲେ ତାକୁ ମ୍ୟାଚ କରିବା କଷ୍ଟକର ହୋଇଯାଏ । ସେଇ କଷ୍ଟ ଆଜି ଉଠାଉଛନ୍ତି ବହିଦାର ବାବୁ । ନିଜ ହୃଦୟରେ ଜୀବନର ଆଦର୍ଶ କର୍ମଯୋଗୀର ନିରାସକ୍ତ ଭାବନା ଧୀରେ ଧୀରେ ବୃଥା ପ୍ରତୀୟମାନ ହେଉଛି ।

 

ପ୍ରକାଶ ସଂଜ୍ଞାହୀନ ହୋଇ ଇଣ୍ଟେନସିବ୍ କେୟାର ୟୁନିଟ୍‍ରେ ପଡ଼ିଛି । ଏଇ ପ୍ରକାଶକୁ ସେ କେବେ ଆତ୍ମୀୟ ବୋଲି ଭାବି ନାହାନ୍ତି । କେବେ କିଛି ତାଠାରୁ ଆଶା କରି ନାହାନ୍ତି । କେବେ ତାର ଭବିଷ୍ୟତ କଳ୍ପନା କରି ନାହାନ୍ତି କି ଅତୀତ ଖୋଜି ନାହାନ୍ତି । ତଥାପି ମନ ତାଙ୍କର ଆଜି ସମ୍ବେଦନଶୀଳ ହୋଇ ପଡ଼ୁଛି ପ୍ରକାଶ ପାଇଁ । ମନର ଭିତିରି କୋଣରେ ରହି ରହି କରି କେହି ଉତ୍ତେଜିତ କରୁଛି । କେହି ମେଞ୍ଚାମେଞ୍ଚା ନିରାଶା ତାଙ୍କ ମୁହଁକୁ ଫିଙ୍ଗି ଖତେଇ ହେଉଛି । ଚୁପ୍ ହୋଇ ବସି ନାହାନ୍ତି ସେ । ନିଜ ତତ୍ତ୍ୱାବଧାନରେ ସବୁରୋଗୀଙ୍କୁ ଉପେକ୍ଷା କରି ତିନିଜଣ ଯାକ ଡାକ୍ତରଙ୍କୁ ଲଗାଇ ପରୀକ୍ଷା ନିରୀକ୍ଷା କରୁଛନ୍ତି ପ୍ରକାଶର।

 

ପ୍ରଥମ ଥର ପାଇଁ ଆଜି ତାଙ୍କ ମନ ନିୟତିର ଖେଳ ଠାରେ ବିଦ୍ରୋହ କରୁଛି । ସବୁ ଘଟଣାକୁ ଯାହା ହେବାର ଥିଲା ହେଲା କହି ସହଜ ଭାବେ ଗ୍ରହଣ କରିନେଉଥିବା ତାଙ୍କର ମନକୁ ଆଜି କିଛି ସହଜ ଲାଗୁନି । ସଦୈବ ନିଜେ ସତ୍‍କର୍ମରେ ରହି ଈଶ୍ୱରଙ୍କୁ ଆହ୍ୱାନ କରୁଥିବା କର୍ମଯୋଗୀ ଆଜି ହାରିଯାଉଛି । କ୍ଷଣକୁ କ୍ଷଣ ଭାଙ୍ଗି ପଡ଼ୁଛି । ସମୟଠାରେ ଅଭିମାନ କରୁଛି... ସକାଳୁ ସ୍ନାନ ସାରି ଆଜି ଜୀବନର ପ୍ରଥମ ଥର ପାଇଁ ହାତ ଯୋଡ଼ି ଭଗବାନଙ୍କ ଠାରେ ନେହୁରା ହୋଇ ମାଗିଛନ୍ତି ପ୍ରକାଶର ଜୀବନ । ବିନତି କରିଛନ୍ତି ଏତେ ନିଷ୍ଣୁର ନ ହେବାକୁ ।

 

ପ୍ରକାଶ ପଡ଼ିଛି ଖଟ ଉପରେ । ଡାହାଣ ହାତଟା ଭାଙ୍ଗି ଯାଇଛି । ନିଜେ ବହିଦାର ବାବୁ ରଜନୀର ସହାୟତାରେ ବ୍ୟାଣ୍ଡେଜ କରିଛନ୍ତି । ମୁଣ୍ଡରେ ଆଘାତ ଲାଗିଛି । ନାକରୁ ବହୁତ ରକ୍ତସ୍ରାବ ହୋଇଯାଇଛି । ଡାହାଣ ଜଙ୍ଘ ସାମାନ୍ୟ କଟିଯାଇଛି । ଦୁର୍ଘଟଣା ଘଟିବା ପରଠାରୁ ଏଯାଏ ସଂଜ୍ଞା ଫେରିନି । ସାରା ରାତି ରଜନୀ ଖଟ ପାଖରେ ବସି ଆଟେଣ୍ଡ କରିଛି । ନିମିଷକ ପାଇଁ ମଧ୍ୟ ଆଖି ବନ୍ଦ କରିନି । ଖୁବ୍‍ ଯତ୍ନ ନେଇଛି ପ୍ରକାଶର । ସାଲାଇନ୍ ବୋତଲ ଉପରେ ସଦୈବ ନଜର ରଖିଛି-

 

ମୁଣ୍ଡ ପାଖରେ ଆରାମ୍ ଚେୟାରଟିଏ ଥୋଇ ବସୁ ବସୁ ଏଇମାତ୍ର ନିଜ ଅନିଚ୍ଛା ସର୍ବେ ତଥା ନିଜ ଅଜାଣତରେ ଆଶ୍ରୟ ଦେଇଛି ନିଦ୍ରାଦେବୀଙ୍କ ମନ ମସ୍ତିଷ୍କର ଜଗୁଆଳି ନିଜର ଆଖି ଯୋଡ଼ିକରେ । ଏଇମାତ୍ର ଢୁଳେ ପଡ଼ିଛି ରଜନୀ । ସ୍ୱପ୍ନ ଦେଖୁଛି, ସୁସଜ୍ଜିତ ପଲଙ୍କର ମଖମଲ ବିଛଣା ଉପରେ ଶୋଇଛି ଏକ ସୌମ୍ୟ ଯୁବକ । ତା ପାଦ ପାଖରେ ବସି ପାଦ ମଚାଳୁଛି ରଜନୀ-। ହୃଦୟରେ ଆମ୍ଭୀୟତା ଉବୁକୁଛି । ପରଶରେ ସ୍ନେହ ଲହଡ଼ି ଭାଙ୍ଗୁଛି । ହୁଏତ ଏମିତି ବି ହୋଇଥାନ୍ତା ଯେବେ ନିୟତି ତା ସହ ଏମିତି ଏକ ନିଷ୍ଠୁର ଖେଳ ଖେଳି ନଥାନ୍ତା । ଏତେ ବଡ଼ ଏଇ ଦୁନିଆରେ ସେ ଏକା ହୋଇ ରହି ନଥାନ୍ତା । ହୁଏତ ଜଣେ ସୌମ୍ୟ ଯୁବକ ଆଗଭର ହୋଇ ତାର ହାତ ମାଗିଥାନ୍ତା, ତା କାନରେ ବି ଯୋଡ଼ି ମହୁରୀର ଧ୍ଵନି ପ୍ରତିଧ୍ୱନିତ ହୋଇଥାନ୍ତା । ଚୁପ୍‍ଚାପ କାନକୁହା କଥା ଶୁଣି ସେ ବି ହସିଥାନ୍ତା, ଦାନ୍ତତଳେ ଲୁଗାକାନି ଦବାଇ । ଏଇମିତି ପାଦ ପାଖରେ ବସି ଖୁବ୍ ସେବା କରିଥାନ୍ତା ତାର ପ୍ରିୟତମର ।

 

... ପାଣି... ପାଣି...

 

ଆଖି ଖୋଲିଗଲା ରଜନୀର ଶବ୍ଦଶୁଣି । ଦେଖିଲା କବାଟ ପାଖରେ ବହିଦାର ବାବୁ । ଭିତରକୁ ପଶି ଆସୁଛନ୍ତି । ହାତ ଘଣ୍ଟା ଦେଖିଲା ସକାଳ ସାତଟା ୧୫ ମିନିଟ୍, ଲଜ୍ଜିତ ହେଲା ନିଜଠି-। ଦାୟିତ୍ୱହୀନତା ଦର୍ଶାଇଥିବାରୁ ଭୟଭୀତ ହେଲା ବହିଦାରବାବୁଙ୍କର ଉପସ୍ଥିତି ଜାଣି । ଧଡ଼ପଡ଼ ହୋଇ ଉଠି ଠିଆ ହେଲା । ଖଟରେ ସାମାନ୍ୟ ହଲଚଲ । ଧୀର କଣ୍ଠରେ ପାଣି, ପାଣିର ଉଚ୍ଚାରଣ-

 

... ହୋସ୍ ଆସିଗଲା... ଥ୍ୟାଙ୍କ୍‍ ଗଡ଼ ୟୁଆର ଗେଟ୍ । ଆଖି ବନ୍ଦ କରି ଭଗବାନଙ୍କ ଉଦ୍ଦେଶ୍ୟରେ ପ୍ରଣତି ଜଣାଇଲେ ବହିଦାର ବାବୁ । ରଜନୀ ଷ୍ଟୁଲ ଉପରୁ ପାଣି ମଗ୍‍ ଉଠାଇ କପ୍‍ରେ ଢାଳି ଓଠରେ ଦେଲା ପ୍ରକାଶର । ଆଶ୍ୱସ୍ତି ଲାଭ କଲା ପ୍ରକାଶ । ଆଖି ଖୋଲିଲା । ସାମ୍ନାରେ ବହିଦାର ବାବୁଙ୍କୁ ଦେଖି ଉଠି ବସିବାକୁ ଚେଷ୍ଟା କଲା । ଓଃ ଦେହ ହାତ ଭୀଷଣ ଦରଜ । ଡାହାଣ ହାତଟା ହଲେଇ ହେଉନି । ଆଖିରୁ ଲୁହ ଦୁଇଟୋପା ଗଡ଼ିଗଲା ପ୍ରକାଶର, ନିଜର ଦୟନୀୟତା ଉପଲବ୍ଧି କରି। ।

 

ନୋ- ନୋ ପାଇଁ ବୟ ନୋ । ବ୍ରେଭ ବୟଙ୍କୁ ଡୋଣ୍ଟ କ୍ରାୟ... ଧୈର୍ଯ୍ୟ ଧର । ଖୁବଶୀଘ୍ର ଭଲ ହୋଇଯିବ । ମୁଣ୍ଡରେ ସ୍ନେହର ପରଶ ଦେଇ କହିଲେ ବହିଦାର ବାବୁ... ରଜନୀ ! ଗିଭ୍ ହିମ୍ ଗ୍ଲୁକୋଜ ୱିଥ ମିଲ୍କ ଏଣ୍ଡ ୟୁ ରିଲାକ୍ସ ମାଇଁ ବୟ କହି ଚାଲିଗଲେ ଧୀର ପଦକ୍ଷେପରେ ଇନ୍‍ଣ୍ଟେନ୍‍ସିଭ କେୟାର ୟୁନିଟରୁ ।

 

ଗ୍ଲୁକୋଜ୍ ତିଆରି କରି ପିଆଇ ଦେଲା ରଜନୀ । ପ୍ରକାଶ ବାଧ୍ୟ ଶିଶୁଟି ପରି ରଜନୀ କୋଳରେ ମୁଣ୍ଡ ରଖି ଢକ୍‍ଢକ୍ କରି ଗ୍ଲାସଟି ସାରା ପିଇଗଲା । ଆଖ୍ ଉଠାଇ ରଜନୀକୁ ଚାହିଁଲା । ଶାନ୍ତ ସ୍ନିଗ୍ଧ ଦେବୀ ପ୍ରତିମାଟିଏ । ଆଖିରେ ନୈଷ୍ଠିକ ସେବିକାର ପରିଭାଷା । ମୁହଁରେ ମୁଗ୍ଧତାର ମାଧୁର୍ଯ୍ୟ, ଶ୍ୟାମଳ ରଙ୍ଗର ଛାୟାର ଶୀତଳତା । ଓଠରେ ସରଳତାର ଲାସ୍ୟ । ଆଖି ଫେରାଇ ଆଣିଲା ପ୍ରକାଶ । ଆଶ୍ୱସ୍ତ ଲାଗୁଛି, ଭାବିଲା ପଚାରିବ ଏସବୁ ହେଲା କେମିତି... ? ପୁଣି ଭାବିଲା ନିଜର ଭୁଲ ଯୋଗୁ ହୋଇଥିବ ନିଶ୍ଚୟ । ଆଖି ବନ୍ଦ କରି ପଡ଼ିରହିଲା, ମନରୁ ଦୂରେଇ ଗଲା ଅହେତୁକ ଭାବନା । ମାତ୍ର ସଙ୍ଗେ ସଙ୍ଗେ ଶରୀର ପୀଡ଼ା ଅଧୁକାର କରି ନେଲା ମନ ମସ୍ତିଷ୍କକୁ । ପୀଡ଼ାରେ ଶୀତ୍‍କାର କରି ଉଠିଲା ପ୍ରକାଶ । ଆଖି ଖୋଲିଲା, ସାମ୍ନାରେ ଶୁଭ୍ରବସନା ସେବିକାର ରୂପ ଇଞ୍ଜେକ୍‍ସନ୍ ରେଡି କରୁଛି । ପର ମୁହୂର୍ତ୍ତରେ ଇଞ୍ଜେକସନ୍ ସିରିଞ୍ଜର ମିକ୍‍ସୁର ପ୍ରକାଶର ରକ୍ତରେ ମିଶିଗଲା, ଅବଶ କରିଦେଲା କୋଷଗୁଡ଼ିକୁ । ପୀଡ଼ା ଭୁଲିଗଲା ଧୀରେ ଧୀରେ । ଆଖି ବନ୍ଦ କରି ଶୋଇଗଲା ପ୍ରକାଶ ।

 

ରଜନୀ ସେଇଠି ବସିଛି । ଏଇ ପେସେଣ୍ଟର ସମ୍ପୂର୍ଣ୍ଣ ଦାୟିତ୍ୱ ତା ଉପରେ ନ୍ୟସ୍ତ କରିଛନ୍ତି ବହିଦାର ବାବୁ, ପ୍ରକାଶକୁ ଛାଡ଼ି ଅନ୍ୟ କେଉଁଠିକି କ୍ଷଣକ ଲାଗି ସୁଦ୍ଧା ଯିବାକୁ ଇଛା ବି ନାଇଁ ରଜନୀର । ପ୍ରକାଶର ସେବା କରିବାରେ କେମିତି ଗୋଟେ ଅପାର୍ଥିବ ସୁଖ ଲାଭ କରୁଛି ସେ । ପ୍ରକାଶକୁ ଲକ୍ଷ୍ୟ କଲା... ସୁନ୍ଦର ଗଢ଼ଣର ଗହମ ରଙ୍ଗର ଚେହେରା । ମୁଖମଣ୍ଡଳର ଆଭା ସମସ୍ତଙ୍କୁ ଆକୃଷ୍ଟ କରେ । ଆଖିରେ ଅନେକ ଭାଷା । ଓଠଧାରରେ ଅନେକ ପ୍ରଶଂସା, ଅନେକ ଉତ୍ସାହ । ନିର୍ଜୀବ ପରି ପଡ଼ି ରହିଛି ନସିଂହୋମର ଧଳା ବିଛଣା ଉପରେ ଆଖି ବନ୍ଦ କରି । ଏଇ ଆଖି ଯୋଡ଼ିକ ସନ୍ଧ୍ୟା ବ୍ୟତିରେକ ଆଉ କାହାଠି ପ୍ରତିବିମ୍ବିତ ହୋଇ ପାରନ୍ତି ନାହିଁ । ଆଉ କେହି ଏଇ ଆଖିର ଭାଷାକୁ ବୁଝି ପାରନ୍ତିନି କିଏ ଆଖିର କି ଗଭୀରତା ମାପି ପାରନ୍ତିନି । କ୍ଷଣକ ମାତ୍ର ଦର୍ଶନରେ ଅନେକ ପଢ଼ିନେଇ ପାରନ୍ତି ଏଇ ଆଖି ଭାଷା । କେତେ ସରଳ ଅଥଚ କେଡ଼େ ତାତ୍ପର୍ଯ୍ୟପୂର୍ଣ୍ଣ । ପ୍ରକାଶର ଆଖିରେ ଅନେକ ପ୍ରଶଂସା, ଅନେକ ଉତ୍ସାହ ଲକ୍ଷ୍ୟ କରୁଛି ରଜନୀ ।

 

ବସି ବସି ଚେକିଙ୍ଗ ରିପୋର୍ଟ ରେଡି କଲା ରଜନୀ । ଉତ୍ତାପ, ହୃତ୍‍ପିଣ୍ଡର ସ୍ପନ୍ଦନ, ନାଡ଼ିର ହାର, ମସ୍ତିଷ୍କର ସମ୍ବେଦନ୍ତି ଆଦି ପ୍ରତ୍ୟେକ ରିପୋର୍ଟ ଭଲ ଭାବେ ପରୀକ୍ଷା କରି ନୋଟ୍ କଲା । ଆଟେଣ୍ଡାଣ୍ଟକୁ ଡାକି ବହିଦାର ବାବୁଙ୍କ ପାଖକୁ ପଠାଇ ଦେଲା । ସବୁ ରିପୋର୍ଟ ତ ସାଧାରଣ ଥିଲା ମାତ୍ର ମସ୍ତିଷ୍କର ସମ୍ବେଦନ ବେଶୀ ହେବାର ଲକ୍ଷ୍ୟ କରି ମନତାର ଆଶଙ୍କିତ ହୋଇ ଉଠିଲା । ମନରେ ଭୟ ହେଉଛି କିଛି ଅଘଟଣ ଆଶଙ୍କାରେ । ପ୍ରଚୁର ରକ୍ତ ସ୍ରାବ ଦ୍ଵାରା ମସ୍ତିଷ୍କ ଦୁର୍ବଳ ହୋଇଯାଇଛି ।

 

ହାତଯୋଡ଼ି ପ୍ରାର୍ଥନା କଲା ରଜନୀ ଲୀଳାମୟ ସର୍ବାଧାର ବିଶ୍ୱପିତାଙ୍କ ଠାରେ । ଏମିତି କୌଣସି ଅଘଟଣ ଘଟାଅନି ପ୍ରଭୁ । ସବୁଠିକ୍ କରି ଦିଅ... ସବୁ ଠିକ୍ କରି ଦିଅ ।

***

 

‘ପଚିଶ’

 

ବଲାଙ୍ଗିର ସହରର ପୂର୍ବ ଦିଗ୍‍ବଳୟ ତଳର ଶୁଷ୍ପ ମାଳ ଅଞ୍ଚଳର କୋଳରୁ ସୂର୍ଯ୍ୟ । ସାତ ସାତ ଥର ଆତ୍ମପ୍ରକାଶ ଲାଭ କରି ସମଗ୍ର ସହରକୁ ପ୍ରକାଶିତ କରିଛନ୍ତି ଏବଂ ସମୟନିର୍ଘଣ୍ଟ ଅନୁସାରେ ମଟଖାଇ ପର୍ବତର ସୁଉଚ୍ଚ ଶିଖର ପଛ ପାଖେ ଆଶ୍ରୟ ନେଇଛନ୍ତି ଇତି ମଧ୍ୟରେ । କେତେ ପ୍ରାଚୀନ ନିଶ୍ଚିହ୍ନ ହୋଇଛି, କେତେ ନୂତନ ପୁରାତନ ହୋଇଛି ଇତି ମଧ୍ୟରେ । ମାତ୍ର ଯଶୋଧାରା ନସିଂହୋମର ଇଣ୍ଟେନସିବ୍ କେୟାର ୟୁନିଟ୍‍ରେ କୌଣସି ପରିବର୍ତ୍ତନ ପରିଲକ୍ଷିତ ହୋଇନି । ସେହି ରୋଗୀ, ସେଇ ଡାକ୍ତର, ସେଇ କର୍ତ୍ତବ୍ୟରତ ସେବିକାର ସେବା । ଦୁର୍ଘଟଣାର ସମାଚାର ସବୁ ସମ୍ପର୍କୀୟ ତଥା ଶୁଭେଚ୍ଛୁଙ୍କ ପାଖରେ ପହଞ୍ଚିସାଇଛି । ପ୍ରତିଦିନ ସୂର୍ଯ୍ୟଙ୍କର ଗତି ସହ ଆରମ୍ଭ ହୋଇଛି ଶୁଭେଚ୍ଛୁଙ୍କର ଶୁଭ କାମନାର ବାର୍ତ୍ତା । କେତେ ଫୁଲତୋଡ଼ା କେତେ ଗ୍ରୀଟିଙ୍ଗ୍‍ସ ଜମା ହୋଇଛି ବେଡ୍ ପାଖରେ । ସଭିଏଁ ଆଶୁ ଆରୋଗ୍ୟ କାମନା କରୁଛନ୍ତି ।

 

ଖବର ପାଇ ସୁଧାଂଶୁ ଏବଂ ତାରା ମଧ୍ୟ ବଲାଙ୍ଗିର ଆସି ପହଞ୍ଚିଛନ୍ତି । ସାଥୀରେ ପ୍ରଦୀପ । ପୁତ୍ରର ମୁର୍ମୂଷ ଅବସ୍ଥା ଦେଖ୍ ଖୁବ ମର୍ମାହତ ପିତାମାତା ଦୁହେଁ । ଏବେ ଧୀରେ ଧୀରେ ପ୍ରକାଶର ଅବସ୍ଥା ଭଲ ଆଡ଼କୁ ଗତି କରୁଥିବା ଜାଣି ମନର ଉଦବେଗ ଟିକିଏ କମିଯାଇଛି । ପ୍ରକାଶର ମୁଣ୍ଡର ଘା’ ଏବଂ ଜଙ୍ଘର ଘା’ ଶୁଝିବାକୁ ଆରମ୍ଭ କରିଛି । ଡାହାଣ ହାତଟି ଏକ୍ତିରେ ପରେ ହାର୍ଡ ପ୍ଲାଷ୍ଟର ହୋଇଛି । କ୍ରମେ ସୁସ୍ଥ ହୋଇଛି ପ୍ରକାଶ । ବେଶ୍ କଥାବାର୍ତ୍ତା କରିପାରୁଛି ପ୍ରକାଶ । ଶୁଭେଚ୍ଛୁଙ୍କର ଶୁଭେଚ୍ଛାର ଜବାବ୍ ଦେଉଛି ଧନ୍ୟବାଦ୍ କହି ।

 

ଆଜି ଇଣ୍ଟେନସିବ୍ କେୟାର ୟୁନିଟରୁ ଜେନେରାଲ ୱାର୍ଡକୁ ଟ୍ରାନ୍‍ସଫର ହେବ ପ୍ରକାଶ । ବହିଦାର ବାବୁ ନିଜେ ପ୍ରକାଶର ଅବସ୍ଥା ଚେକ୍ କରି ସାରିଲା ପରେ ନିର୍ଦ୍ଦେଶ ଦେଇଛନ୍ତି । ରଜନୀ ଭଲ ବେଡଟିଏର ବ୍ୟବସ୍ଥା କରି ସାରିଛି ଇତି ମଧ୍ୟରେ ବେଡର ମୁଣ୍ଡ ପାଖରେ ସ୍ଵୟଂ ବହିଦାର ବାବୁ, ପାଦ ପାଖରେ ମା ତାରାଦେବୀ । ପାର୍ଶ୍ଵସ୍ଥ ଷ୍ଟୁଲ ଉପରେ ସୁଧାଂଶୁ ଶେଖର ସ୍ୱୟଂ । ସମସ୍ତେ ପ୍ରକାଶର ସ୍ୱାସ୍ଥ୍ୟର ଉନ୍ନତି ଦେଖି ଉତ୍‍ଫୁଲ୍ଲିତ ।

 

ପ୍ରକାଶ ମଧ୍ୟ ଖୁସି ନିଜର ସ୍ୱାସ୍ଥ୍ୟର ଉନ୍ନତି ଲକ୍ଷ୍ୟକରି । ସ୍ଥିର ନୟନରେ ଚାହିଁଛି ପ୍ରବେଶ ଦ୍ଵାର ପଥକୁ ନିର୍ନିମେଷ ନୟନରେ । ମନ ଫେରିଯାଉଛି ପଛକୁ ପଛକୁ । ଅତୀତର ସ୍ମୃତିକୁ ସାଉଁଟି ଗୋଟି ଗୋଟି କରି ପରଖିଛି । ସବୁଠାରୁ ଆନନ୍ଦର କ୍ଷଣ ସବୁ ଗୁଡ଼ିକୁ ଅଲଗା କରୁଛି । ମନେ ମନେ ତା ସାଥୀରେ ଖେଳୁଛି । ସବୁଠାରୁ ଆନନ୍ଦର କ୍ଷଣ ସବୁ ଥିଲା ଯେବେ ତା ଜୀବନ ପଥରେ ସହଯାତ୍ରୀ ବନିଥିଲା ସନ୍ଧ୍ୟା । ବିଗତ ଦିନର ସ୍ମୃତିରେ ମଜିଗଲା ପ୍ରକାଶ । ସ୍ଥାନ କାଳ ପାତ୍ର ଭୁଲି କେବଳ ସନ୍ଧ୍ୟାର ସାନ୍ନିଧ୍ୟରେ ବିତିଥିବା କ୍ଷଣଗୁଡ଼ିକୁ ମନେ ପକାଇଲା ।

 

ପ୍ରକାଶର ଚକ୍ଷୁ ସ୍ଥିର । ପ୍ରବେଶ ଦ୍ୱାର ପାଖରୁ ଶୁଭ୍ରବସନା ରଜନୀ କେଉଁ ଏକ ଶୁଭେଚ୍ଛୁର ହାତରୁ ପୁଷ୍ପଗୁଚ୍ଛ ଧରି ପଶି ଆସୁଛି କୋଠରୀ ଭିତରକୁ । ପ୍ରକାଶକୁ ମନେ ହେଉଛି ସାମ୍ନାରେ ସନ୍ଧ୍ୟା । ଫୁଲତୋଡ଼ା ଧରି ଆଗେଇ ଆସୁଛି ତା ପାଖକୁ । ଆଖିକୁ ଆଉ କିଛି ଦିଶୁନି । ନାଁ ହାତ ବଢ଼ାଇ ଫୁଲତୋଡ଼ା ନେଲା ପ୍ରକାଶ । ସ୍ମିତ ହାସ୍ୟଟିଏ ହସି ଦେଇ ଫୁଲ ତୋଡ଼ା ଧରୁ ଧରୁ ହାତ ଧରିନେଲା । କମ୍ପିତ ଗଳାରେ କହିଲା.... ଏତେ ଦିନ ପରେ ଅଭିମାନ ଭାଙ୍ଗିଲା ଯା, ମୁଁ ତୁମ ସହ ମୋଟେ କଥା ହେବିନି ।

 

ସମସ୍ତେ ପ୍ରକାଶର ଏ ପ୍ରକାର ଆଚରଣରେ ସ୍ତବ୍ଧ । ରଜନୀ କିଂକର୍ତ୍ତବ୍ୟବିମୂଢ଼ । ଲାଜରେ ମୁହଁ ହାତ ଝାଳେଇ ଯାଉଛି । ହାତ ଛଡ଼ାଇବାକୁ ଚେଷ୍ଟା କଲା ପ୍ରକାଶର ହାତ ମୁଠାରୁ ।

 

... ଆରେ ଛାଡ଼ନ୍ତୁନା... ଛାଡ଼ନ୍ତୁ...ପ୍ଲିଜ୍ ।

 

... ଜମା ଛାଡ଼ିବିନି... ଆଗ ପ୍ରମିଜ୍ କର, ଆଉ କେବେ ମୋତେ ଛାଡ଼ି କରି ଯିବନି । ଦେଖନା ମୁଁ ତୁମକୁ ଖୋଜିବାକୁ ବାହାରି ଥିଲି ଏମାନେ ମୋତେ ଉଠାଇ ଆଣି ଏଠି ପକେଇ ଦେଲେ । କୁହ ସନ୍ଧ୍ୟା ଆଉ ଯିବନିନା ।

 

... ପ୍ରକାଶ ... ପ୍ରକାଶ... ହୋଶପାଅ ପ୍ରକାଶ । ତାକୁ ଛାଡ଼ି ଦିଅ ବହିଦାର ବାବୁଙ୍କର ଉଦ୍‍ବେଗ ପୁର୍ଣ୍ଣ କଣ୍ଠସ୍ୱର ।

 

... ପ୍ରକାଶ... ଛାଡ଼ିଦେ ପୁଅ, ସେ ରଜନୀ.. ସନ୍ଧ୍ୟା ନୁହେଁ । ତାରାଦେବୀଙ୍କର କାନ୍ଦୁରା ସ୍ଵର ବାରି ହୋଇ ପଡ଼ୁଥିଲା ।

 

.... ଦେଖୁଛ ଦେଖୁଛ ସନ୍ଧ୍ୟା... ଏମାନେ ତୁମକୁ ମୋଠୁ କେମିତି ଛଡ଼ାଇ ନେବାକୁ ଚେଷ୍ଟା କରୁଛନ୍ତି । କୁହ ସନ୍ଧ୍ୟା ତୁମେ ଏବେ ଆଉ ମୋତେ ଛାଡ଼ି ଯିବନି। କୁହ...

 

ମୁଣ୍ଡ କାମ କରୁନି ବହିଦାର ବାବୁଙ୍କର । ନିଦ ଇଞ୍ଜେକସନ୍ ରେଡି କରି ପୋଡ଼ି ଦେଲେ ପ୍ରକାଶ ଦେହରେ । କିଛିକ୍ଷଣ ପରେ ଅବଶ ହୋଇ ଶୋଇଗଲା ଶାନ୍ତ ଶିଶୁଟେ ପରି । ହାତ ଛଡ଼ାଇ ରଜନୀ ଠିଆ ହେଲା, ମୁହଁର ଝାଳ ପୋଛି ସାଷ୍ଟାମ ହେଲା ।

 

ସକାଳର ଘଟଣା ସମସ୍ତଙ୍କର ମନକୁ ଭାରାକ୍ରାନ୍ତ କରି ପକାଇଛି । ବିଶେଷ କରି ବହିଦାର ବାବୁଙ୍କୁ ଓ ରଜନୀକୁ । ବହିଦାରଙ୍କର ଅଭିଜ୍ଞ ଡାକ୍ତରୀ ବିଦ୍ୟାରେ ନିପୁଣ ମସ୍ତିଷ୍କ ଖୁବ୍ ବ୍ୟତିବ୍ୟସ୍ତ ହୋଇପଡ଼ିଛି । ପ୍ରକାଶର ମସ୍ତିଷ୍କକୁ କମ୍ପ୍ୟୁଟର ଟେଷ୍ଟ କରାଯାଇଛି ଇତିମଧ୍ୟରେ । ଫଳାଫଳ ସାଧାରଣ ମାତ୍ର ଟିକିଏ ବେଶୀ ସମ୍ବେଦନଶୀଳ । ଅଗତ୍ୟା କ’ଣ କରଣୀୟ, ତାହା ବହିଦାର ବାବୁଙ୍କର ମସ୍ତିଷ୍କକୁ ଢୁକୁନାହିଁ । ତିନି ଜଣଯାକ ସହାୟକ ଡାକ୍ତରଙ୍କୁ ଡକାଯାଇଛି ପରାମର୍ଶ ପାଇଁ । ଡକ୍ଟର ସିଂ କହୁଛନ୍ତି ମସ୍ତିଷ୍କର ଅତ୍ୟଧିକ ସମ୍ବେଦନ ଶୀଳତା ପେସେଣ୍ଟକୁ ପାଗଳ କରି ଦେଇପାରେ । ଡକ୍ଟର ପାଣିଗ୍ରାହୀ କହୁଛନ୍ତି ପେସେଣ୍ଟର ପୁରୁଣା ସ୍ମୃତିସବୁକୁ ଧୋଇ ନପକାଇଲେ ଅବସ୍ଥା ଅଣାୟତ୍ତ ହୋଇପଡ଼ିବ । ରଜନୀ କହୁଛନ୍ତି ପେସେଣ୍ଟ ତ ପାଗଳାମି ଆରମ୍ଭ କରି ଦେଲାଣି, ଏବେ ୟାର ଉପଚାର ବିଷୟରେ ଚିନ୍ତା କରିବା ଉଚିତ୍ ।

 

... ତାର ଖୁବ୍ ସ୍ନେହ ଦରକାର ହି ନିଡ୍‍ସ୍ ଲେଡି ଲଭ ।

 

...ହି ନିଡ୍‍ସ୍ ଲଭ ଅଫ୍ ସନ୍ଧ୍ୟା.... ।

 

ଓଃ ପ୍ଲିଜ୍ ଆପଣମାନେ ଏସବୁ ବନ୍ଦ କରନ୍ତୁ । ମୋତେ ଭାବିବାକୁ ଦିଅନ୍ତୁ, ବହିଦାର ବାବୁଙ୍କର ଗୁରୁଗମ୍ଭୀର ସ୍ଵର ଶୁଣି ଚୁପ୍ ହୋଇ ଗଲେ ସମସ୍ତେ । କିଛି ସମୟ ଭାବିଲା ପରେ ନିର୍ଦ୍ଦେଶ ଦେଲେ... ରଜନୀ ତୁମେ ସନ୍ଧ୍ୟାର ଅଭିନୟ କରିବାକୁ ପ୍ରସ୍ତୁତ ହୁଅ ।

 

... ମୁଁ ... ସାର୍... ମାତ୍ର ।

 

.... ଏହା ଜଣଙ୍କର ଜୀବନ ମରଣର ପ୍ରଶ୍ନ ରଜନୀ । ଆମେ ଡାକ୍ତର, ରୋଗୀର ଜୀବନ ମରଣ ଆମର ଦାୟିତ୍ୱ ।

 

... ମାତ୍ର ଆପଣ ତ ଜାଣନ୍ତି ମୁଁ... ମାନେ... ଏସବୁକୁ ମୁଁ ...

 

ତୁମକୁ କେବଳ ଅଭିନୟ କରିବାକୁ ପଡ଼ିବ । ଭଲ କରାଇବା ବି ତୁମର ଦାୟିତ୍ୱ । ଧୀରେ ଧୀରେ ପେସେଣ୍ଟ ନର୍ମାଲ ହୋଇଗଲେ ତୁମର ଦାୟିତ୍ଵ ଖତମ ।

 

ଯଦି କିଛି ଅଘଟଣ ଘଟେ... ସାର ଏହା ଖୁବ୍ କଷ୍ଟକର ।

 

ବି ବ୍ରେଭ ଡକ୍ଟର, ଏହା ବି ସେବାର ଗୋଟିଏ ଅଂଶ । ବି ରେଡ୍ଡି ।

 

ରଜନୀ ଏତେ ବଡ଼ ଗୁରୁଦାୟିତ୍ୱ ତୁଲାଇବାକୁ ମାନସିକ ପ୍ରସ୍ତୁତି କରି ପାରୁନି । ପ୍ରକାଶର ବ୍ୟବହାର ଠାରେ ବିଶ୍ଵାସ ରହୁନି । ଯଦି କୌଣସି ଅଘଟଣ ଘଟେ । ସେ ମୁହଁ ଦେଖାଇବାକୁ ଯୋଗ୍ୟ ରହିବନି । ଅନ୍ତରାତ୍ମା ତାର କାନ୍ଦୁଛି । ଏ ପଥ ଖୁବ୍ କଣ୍ଟକିତ ସେ ଜାଣେ । କିଏ ଜାଣେ ବହିଦାର ବାବୁ ତାକୁ ଏ କାମରେ ନିୟୋଜିତ କରିବାର କି ଅଭିଳାଷ ଅଛି । ନିଜର ଜୀବନପଥ ଜଟିଳ ହୋଇଗଲେ ଶୁଭାକାଂକ୍ଷୀର ଶୁଭ ବାର୍ତ୍ତା ମଧ୍ୟ ବିଷପ୍ରାୟ ଲାଗେ । ଉଦ୍ଦେଶ୍ୟ ପ୍ରଣୋଦିତ ଏବଂ ସ୍ଵାର୍ଥନିହିତ ଲାଗେ । ଆଜି ରଜନୀର ମନ ବହିଦାର ବାବୁଙ୍କ ପରି ଆସକ୍ତିବିହୀନ ବ୍ୟକ୍ତିର ସିଦ୍ଧାନ୍ତରେ ସନ୍ଦିହାନ ।

 

ସାମ୍ନାରେ ଶକ୍ତିଦାତ୍ରୀ ମା ଦଶଭୁଜାଙ୍କର ମହିଷମର୍ଦ୍ଦିନୀ ରୂପ । ଯୋଡ଼ହସ୍ତ ହୋଇ ପ୍ରାର୍ଥନା କରୁଛି ରଜନୀ । ଶକ୍ତି ଦେ ମା’, ଧୈର୍ଯ୍ୟ ଦେ । ଏ କଣ୍ଟକିତ ପଥ ପାର ହେବାକୁ ଶକ୍ତି ଦେ । ମୋ ଲାଜ ରକ୍ଷାର ଭାର ତୋ’ଠାରେ ଅର୍ପଣ କରୁଛି ମା, ତୋ ବିନୁ ଆଉ ମୋର କେହି ନାହିଁ ଏ ଦୁନିଆରେ । ମୋ ଲାଜ ରଖ ମା । ମୋତେ ଶକ୍ତି ଦେ ।

 

ପ୍ରକାଶର ନିଦ ଭାଙ୍ଗିଲାଣି । ଖୁବ୍ ସୁସ୍ଥ ଅନୁଭବ କରୁଛି । ମୁଣ୍ଡ ପାଖରେ ମା ତାରାଦେବୀ-। ମୁଣ୍ଡରେ ହାତ ମାରି ସ୍ନେହ କରୁଛନ୍ତି । ମାର ମମତାର ଅମୃତମୟ ଧାରା ପ୍ଲାବି ଯାଉଛି ପ୍ରକାଶର ପ୍ରତ୍ୟେକଟି ତନ୍ତୀରେ । ଲୁହ ଜକାଇଲା ପ୍ରକାଶର ଆଖିରେ, କହିଲା ତୁ ଚିନ୍ତା କରନି ବୋଉ, ମୁଁ ପୂରା ଠିକ ହୋଇ ଗଲିଣି । ଖାଲି ଏଇ ହାତଟା ଯୋଡ଼ି ଯାଉ, ମୁଁ ଘରକୁ ଯିବି ଯେ । ଆଛା ବୋଉ ତୋ ବୋହୂକୁ ଦେଖୁଲୁଣି ନା... ପସନ୍ଦ ହେଲାକି ନାହିଁ କହତ । ତୁ ଜମା ଦେଖିନୁ ବୋଉ, ଦେଖିବୁ ନା ଏଇ କ୍ଷଣି ନୀଳ ପରୀଟିଏ ତ ଆର କ୍ଷଣିକୁ ଭସା ମେଘଖଣ୍ଡ ଟାଏ ।

 

ପୁଅର ଅବସ୍ଥା ଦେଖି ମା ଆଖିରୁ ଝର ଝର ଲୁହ ଝରି ପଡ଼ୁଛି । ପୁଅ ମନରୁ ସନ୍ଧ୍ୟାର ରୂପଟା କେମିତି ଦୂରେଇ ହେବ କିଛି ଭାବି ପାରୁନାହିଁ ସରଳା ଗ୍ରାମ୍ୟବଧୂର ମସ୍ତିଷ୍କ । ସାରା ଜୀବନଟା ସମସ୍ୟା ବିହୀନ ଭାବେ କଟାଇଥିବା ନିର୍ବିକାର ସୁଧାଂଶୁର ମୁଣ୍ଡ ମଧ୍ୟ ଏଥକୁ କାମ କରୁନି । ମନ ଭିତରେ ଡର, କାଳେ ପୁଅ ସମ୍ପୂର୍ଣ୍ଣ ପାଗଳ ହୋଇଯିବ । ବହିଦାର ବାବୁ ମଧ୍ୟ ଖୋଲିକରି କିଛି କହୁ ନାହାନ୍ତି । କେବଳ ସବୁଠିକ୍‍ ହୋଇଯିବ, ଆପଣମାନେ ଧୈର୍ଯ୍ୟ ଧରନ୍ତୁ ବୋଲି କହୁଛନ୍ତି ।

 

... ବୋଉ ! ସନ୍ଧ୍ୟା କୁଆଡ଼େ ଗଲା ଟିକିଏ ଡାକି ଦେ ତ । ଆଜି କାହିଁକି ଏତେବେଳ ଯାଏ ଫୁଲ ଆଣି ଦେଉନି ମୋତେ ।

 

ଏଥରକ କୋହ ଫାଟି ପଡ଼ିଲା ତାରାମଣିଙ୍କର କେମିତି କହିବେ ପୁଅକୁ ତୁ ଯାହାକୁ ଝୁରୁଛୁ ସେ ନିର୍ମୋହିନୀ ହୋଇ ତୋଠାରୁ ବହୁ ଦୂରକୁ ଚାଲିଯାଇଛି । ଆଉ କେବେ ଆସିବନି ସେ-। ସେ ସ୍ୱପ୍ନ ପାଲଟି ସାରିଛି । ଆକାଶରେ ତାରା ହୋଇ ସେ ସିନା ତୋତେ ଦେଖି ଦେଖି ତା ମନ ଭରିବ ହେଲେ ତୁ ତାକୁ କେବେ ଦେଖୁ ପାରିବୁନି । ଆଖିରୁ ଝରୁଛି ଝରଝର ଶ୍ରାବଣୀ । କାନ୍ଧରେ ହାତ ରଖିଲେ ସୁଧାଂଶୁ । ଆଶ୍ୱସ୍ତ ହେଲେ ତାରାମଣି । ଭିତରକୁ ପଶି ଆସିଲେ ଚିନ୍ତିତ ବହିଦାର ବାବୁ ।

 

ବୋଉ ମୋତେ ଛାତ ଉପରକୁ ନେଇଚାଲ । ସେଠି ସନ୍ଧ୍ୟା ମୋତେ ଅପେକ୍ଷା କରୁଛି । ଚାଲନା ବୋଉ...।

 

ଇଞ୍ଜେକସନ୍ ରେଡି କରି ସାରିଥିଲେ ବହିଦାର ବାବୁ । ନିଜେ ଇଞ୍ଜେକ୍‍ସନ୍ ଫୋଡ଼ି ଦେଲେ ପ୍ରକାଶର ଡାହାଣ ବାହୁରେ । ପ୍ରକାଶ ଶାନ୍ତ ହୋଇଗଲା । ସମ୍ଭାଳି ପାରିଲେନି ସୁଧାଂଶୁ, ହାତ ଧରି ପକାଇଲେ ବହିଦାରଙ୍କର... କ’ଣ ଆପଣଙ୍କର ଇଚ୍ଛା ଡାକ୍ତର ବାବୁ । କ’ଣ ହୋଇଛି ମୋ ପୁଅର । ତାକୁ କି ଔଷଧ ଦେଇ ଏମିତି କରି ଦେଉଛନ୍ତି । ଆପଣ ଆମକୁ ଖୋଲିକରି କିଛି କହୁ ନାହାନ୍ତି କାହିଁକି ।

 

ଆପଣ ଧୈର୍ଯ୍ୟ ଧରନ୍ତୁ । ସବୁ ଠିକ୍ ହୋଇଯିବ । ବହିଦାର ବାବୁଙ୍କର ଗୁରୁଗମ୍ଭୀର ଭାବପୂର୍ଣ୍ଣ ଉତ୍ତର ଶୁଣି ଛନକା ପଶିଲା ମନରେ ତାରାମଣିଙ୍କର । ଉଠି ପଡ଼ି କହି ପକାଇଲେ ଆପଣଙ୍କର ସଂସାର ଭାଙ୍ଗିବାରେ ମୋ ପୁଅର କିଛି ହାତ ନାହିଁ ଡାକ୍ତର ବାବୁ । ଆପଣ ମୋ ପୁଅ ଉପରେ ଦାଉ ସାଧନ୍ତୁ ନାହିଁ । ଡାକ୍ତର ବାବୁ ମୋ ସଂସାର ଭାଙ୍ଗନ୍ତୁ ନାହିଁ ।

 

ଓଃ ମାଇଁ ଗଡ୍ । ଏମାନଙ୍କୁ ସଦୁବୁଦ୍ଧି ଦିଅ ଭଗବାନ । ନର୍ସ ! ଏମାନଙ୍କୁ କିଛି ସମୟ ପାଇଁ ବାହାରକୁ ନେଇ ଯାଅତ । ଯାଆନ୍ତୁ ଆପଣମାନେ, ଧୈର୍ଯ୍ୟର ସହ ଅପେକ୍ଷା କରନ୍ତୁ ।

 

ନର୍ସର ଅନୁରୋଧ କ୍ରମେ ଇଣ୍ଟେନ୍‍ସିବ୍ କେୟାର ୟୁନିଟ୍‍ରୁ ବାହାରି ଯାଉ ଯାଉ ରକ୍ତିମ ଦୃଷ୍ଟିରେ ବହିଦାରଙ୍କୁ ଚାହିଁ ଗର୍ଜିକରି କହି ଉଠିଲେ ସୁଧାଂଶୁ... ମୋ ପୁଅର କିଛି ହୋଇଗଲେ ମୁଁ ଆପଣଙ୍କୁ କେବେ କ୍ଷମା କରିବି ନାଇଁ । କେବେ କରିବି ନାଇଁ ।

 

ଏମାନଙ୍କୁ ସଦ୍‍ବୁଦ୍ଧି ଦିଅ ଭଗବାନ । ସ୍ଵଗତୋକ୍ତି କଲେ ବହିଦାର ବାବୁ ।

 

ସ୍ଵୟଂ କମ୍ପ୍ୟୁଟର ଅପରେଟ୍ କରି ମସ୍ତିଷ୍କର ସମ୍ବେଦନ ଚେକ୍ କଲେ ବହିଦାର ବାବୁ । ସବୁ ନର୍ମାଲ । କାର୍ଯ୍ୟକାରୀ ଦକ୍ଷତା ସାଧାରଣ ଠାରୁ ଟିକିଏ ବେଶୀ । ତେବେ ଟିକିଏ ଚେଷ୍ଟା କଲେ ସବୁ ଠିକ୍ ହୋଇଯିବ । ମନରୁ ତାର ସନ୍ଧ୍ୟାର ପ୍ରତିକୃତି କୌଣସି ମତେ ବାହାର କରିବାକୁ ପଡ଼ିବ । ଏଥିପାଇଁ ରଜନୀର ସହାୟତା ଲୋଡ଼ା । ନଚେତ ସବୁ ବିଗିଡ଼ି ଯିବ । ଏଇତ ରଜନୀ ଆସୁଛି । ପ୍ରଥମ ଥର ପାଇଁ ଧଳା ବସ୍ତ୍ର ଛାଡ଼ି ରଙ୍ଗିନ୍ ବସ୍ତ୍ର ପିନ୍ଧିଛି । ପ୍ରସାଧାନ ନାରୀର ବ୍ୟକ୍ତିତ୍ୱକୁ କେତେ ବଦଳାଇ ଦେଇପାରେ । ସତେ... କେଡ଼େ ସୁନ୍ଦର ଲାଗୁଛି ଲାଲ୍ ଜରିଦିଆ ଶାଢ଼ୀରେ ରଜନୀ । ଦେହର ଶ୍ୟାମଳ ବର୍ଣ୍ଣ ଉଜ୍ଜଳ ଜଣା ପଡ଼ୁଛି । ମୁଖମଣ୍ଡଳକୁ ଲକ୍ଷ୍ୟକଲେ ବହିଦାର ଅପୂର୍ବ ଦୃଢ଼ତା ଚାହାଣିରେ । ସଂକଳ୍ପବଦ୍ଧ ରମଣୀର ଚାଲି ଲକ୍ଷ୍ୟକଲେ । ରଜନୀଠି ଆଖିରେ ଆଖି ମିଶିଗଲା । କହିଲେ ବେଷ୍ଟ ଅଫ୍ ଲକ୍, ବି ବ୍ରେଭ୍‍ ଆଣ୍ଡ ଗ୍ରେଭ୍‍ । ପାଦ ଉଠାଇ ଚାଲିଗଲେ କରୁଣା ତଥା ଆଶୀର୍ବାଦ ବର୍ଷା ଚାହାଣୀଟିଏ ଚାହିଁଦେଇ ରଜନୀ ଉପରକୁ । ମୁଣ୍ଡ ନୁଆଁଇ ନେଲା ରଜନୀ ।

 

ସାମ୍ନାରେ ଖଟ ଉପରେ ନିଘୋଡ଼ ନିଦରେ ପ୍ରକାଶ । ଏକ ଅବାଞ୍ଛିତ ଜଜ୍ଞାଳ ରଜନୀ ସକାଶେ । ଯୁଗେ ଯୁଗେ ରଜନୀ କେବେ ଚାହେଁନି ପ୍ରକାଶର ସାନ୍ନିଧ୍ୟ । ମାତ୍ର ଅପର ପକ୍ଷରେ ପ୍ରକାଶ ଶ୍ରାନ୍ତକ୍ଲାନ୍ତ ହୋଇ ଅବଶେଷରେ ମୁହଁ ଗୁଞ୍ଜେ ରଜନୀ ଅଞ୍ଚଳରେ । ଧୀରେ ଧୀରେ ସଭା ହରାଏ ପୁଣି ଆତ୍ମ ପ୍ରକାଶ ଲାଭ କରେ ସେଇ ରଜନୀର କଳା ଉଦରରୁ । ରଜନୀ ଚାହେଁନି, ପ୍ରକାଶ ବି ଚାହେଁ ନି, ମାତ୍ର ଏହା କାଳର ନିୟମ । ମୌଳିକ ଓ ମୌଳିକର ମିଳନରେ ଯୌଗିକ ହୁଏ, ପୁଣି ଯୌଗିକର ବିଘଟନରେ ମୌଳିକର ପୁନଃ ସଭା ଲାଭ । ଗଠନ, ବିଘଟନ ତ ପ୍ରକୃତିର ନିୟମ ।

 

ରଜନୀର ଆଖି ସ୍ଥିର ପ୍ରକାଶର ମୁଖ ମଣ୍ଡଳରେ । ଆଖି ସାମ୍ନାରେ ଭାସି ଆସୁଛି ଭୟାବହ କଳ୍ପନା ରଞ୍ଜିତ ଅବାଞ୍ଛିତ ମୁହୂର୍ତ୍ତ ଗୁଡ଼ିକ... ପ୍ରକାଶର ସାନ୍ନିଧ୍ୟରେ ଆତ୍ମାତାର ଖିନ୍‍ଭିନ୍‍ ହୋଇ ଯିବନିତ... ସଂକଳ୍ପିତ ପଥରୁ ପାଦ ତାର ଖସି ଯିବନି ତ ! ଜାଣି ଜାଣି ପ୍ରକାଶକୁ ନିଜର ଅନ୍ଧକାରମୟ ଜୀବନକୁ ଟାଣି ଆଣିବନି ତ ! ନିଜର ଦୁର୍ଭାଗ୍ୟର ଫଳ ପ୍ରକାଶକୁ ମଧ୍ୟ ଭୋଗିବାକୁ ପଡ଼ିବନି ତ !

***

 

‘ଛବିଶ’

 

ବଲାଙ୍ଗିର ସହରରୁ ସନ୍ଧ୍ୟାରାଣୀ କ୍ରମେ କ୍ରମେ ଅପସରି ଯାଉଛି । ଲୀନ ହୋଇଯାଉଛି ଧୀରେ ଧୀରେ ରଜନୀର ଅନ୍ଧକାର କକ୍ଷରେ । ରଜନୀର କାଳିମାଠାରେ ସନ୍ଧ୍ୟାର ସମସ୍ତ ରଙ୍ଗ ବିଲୀନ ହୋଇଯାଉଛି । ସହରର ପ୍ରତ୍ୟେକ ବତୀଖୁଣ୍ଟରେ ବତୀ ଜଳି ଉଠିଲାଣି । ହାତ ଘଣ୍ଟା ଦେଖିଲା ରଜନୀ ସନ୍ଧ୍ୟା ସାତଟା । ଏ ପର୍ଯ୍ୟନ୍ତ ପ୍ରକାଶର ନିଦ ଭାଙ୍ଗିନି । ନିଦ ଇଞ୍ଜେକ୍‍ସନ୍‍ର ପ୍ରକୋପ କମିନି ଏଯାଏ । କେତେ ସମୟ ବସିବ ଏମିତି ମନରେ ଅନେକ ଦୁଶ୍ଚିନ୍ତା । ପ୍ରକାଶର କୋମଳ କମନୀୟ ରୂପ କ୍ରମେ ଭୟଙ୍କର ହୋଇ ଉଠୁଛି ରଜନୀ ଆଖିରେ । ଚାହିଁ ପାରୁନି ପ୍ରକାଶକୁ ।

 

ଝରକା ଦେଇ ବାହାରକୁ ଚାହିଁଲା ରଜନୀ । ଚତୁର୍ଦ୍ଦଶୀର ଚାନ୍ଦ ଲୁଚକାଳି ଖେଳୁଛି ଶୁଭ ମେଘଖଣ୍ଡମାନଙ୍କ ସହ । ଭାସି ଭାସି ନାନା ସୂତ୍ରରେ ପାଖେଇ ଯାଉଛନ୍ତି ମେଘଖଣ୍ଡମାନ ଚାନ୍ଦ ପାଖକୁ । ଜୋର କରି ଜାବୁଡ଼ି ଧରୁଛନ୍ତି ଯେପରି ପୁଣି ପରକ୍ଷଣରେ ଛିଞ୍ଚାଡ଼ି ହୋଇ ନିଜକୁ ମୁକ୍ତ କରୁଛି ଚାନ୍ଦ । ମାତ୍ର ସାମ୍ନାରେ ଆଉ ଏକ ଭସାମେଘ । ବାହାରେ ଧବଳତାର ସୁନ୍ଦରତା ମାତ୍ର ମଧ୍ୟ ଭାଗରେ କୃଷ୍ଣକଳାର ବିକଟାଳତା । ବିଚରା ଚାନ୍ଦ... ଭଲ ଲାଗିଲାନି କିଛି । ଫେରି ଆସିଲା ଝୁଲ ପାଖକୁ, ଲକ୍ଷ୍ୟକଲା ପ୍ରକାଶକୁ । ଇଞ୍ଜେକ୍‍ସନ୍‍ର ପ୍ରଭାବ କମିଗଲାଣି । ଆଖି ମଳୁଛି ମାତ୍ର ପୂର୍ଣ୍ଣ ମାତ୍ରାରେ ନିଦ ଭାଙ୍ଗିନି । ବିଚରା ଦିନ ସାରା ଖାଇନି । ରଜନୀ ଲକ୍ଷ୍ୟକଲା... ପ୍ରକାଶର ଓO ଯୋଡ଼ିକ ଶୁଖି କଳା ପଡ଼ିଗଲାଣି । ସେଓ ଯୋଡ଼େ ପିସ୍ ପିସ୍କରି କାଟି ରେଡି ରଖିଲା ପ୍ରକାଶ ପାଇଁ-

 

... ପାଣି... ପାଣି...

 

ତରବର ହୋଇ ଉଠିଲା ରଜନୀ । ମଗ୍‍ରୁ ଢାଳି କରେ ପାଣି ପିଆଇଦେଲା । ସାଷ୍ଟାମ ହେଲା ପ୍ରକାଶ ।

 

ସେଓ ପିସ୍‍ଟିଏ ଉଠାଇ ପ୍ରକାଶର ମୁହଁରେ ଦେଲା । ବାଧ୍ୟ ଶିଶୁଟାଏ ପରି ଗୋଟିଏ ଗୋଟିଏ କରି ପୁରା ସେଓ ଖାଇଗଲା ପ୍ରକାଶ । ତା'ପରେ ଦୁଇଟି କମଳା ତଥା ଗ୍ଲୁକୋଜ୍ ମିଶା କ୍ଷୀର ପିଇଲା ।

 

ରଜନୀ ଝରକା ଆଡ଼କୁ ମୁହଁକରି ବେଡକୁ ଆଡଜଷ୍ଟ କରି ବସାଇ ଦେଲା ପ୍ରକାଶକୁ । ପ୍ରକାଶ ଝରକା ଦେଇ ଚନ୍ଦ୍ରାଲୋକିତ ଆକାଶକୁ ଚାହିଁଲା । ଚତୁର୍ଦ୍ଦଶୀ ଚାନ୍ଦର ଲୁଚକାଳି ଖେଳ ଦେଖିଲା । କିଛିକ୍ଷଣ ପରେ ଦେଖୁ ଦେଖୁ ହଠାତ୍ ହସି ପକାଇଲା । କହିଲା....

 

ଦେଖ ସନ୍ଧ୍ୟା... ଦେଖ ବଉଦ କୋଳରୁ କେମିତି ଚାନ୍ଦଟା ଖସି ଯାଉଛି । ସନ୍ଧ୍ୟା ଆସନା ମୋ ପାଖକୁ ପ୍ଲିଜ୍ ଆସ । ପ୍ରକାଶର ପାଖକୁ ପାଖେଇ ଗଲା ରଜନୀ । ଦୃଢ଼ ସ୍ପନ୍ଦନ ବଢ଼ି ଯାଉଛି ଧୀରେ ଧୀରେ ।

 

... ତୁମେ ଆସିଲ ସନ୍ଧ୍ୟା । ମୁଁ ଠିକ୍ ଜାଣିଥିଲି ତୁମେ ନିଶ୍ଚୟ ଆସିବ । ଦେଖ ଆଉ କେବେ ଯିବନି ନା । ହାତ ଧରିନେଲା ପ୍ରକାଶ।

 

ତୁମେ ଜାଣିନ ସନ୍ଧ୍ୟା ମୁଁ ତୁମଠୁ ଦୂରରେ ରହି କେମିତି କାଟିଛି ଏ ଦୀର୍ଘ ତିନି ବର୍ଷ । ଗୋଟି ଗୋଟି କରି ଦିନ ଗଣି ଗଣି କାଟିଛି । ତୁମେ ପଠାଉଥିବା ଚିଠିଗୁଡ଼ିକୁ ବାରମ୍ବାର ପଢ଼ିବା ଭିତରେ ତୁମର ଅସ୍ତିତ୍ୱ ଖୋଜୁଥିଲି । ଯାଃ, ତୁମ ସଙ୍ଗରେ ଆଉ ମୋଟେ କଥା ହେବିନି, ତୁମେ ସେଦିନ କିଆଁ ଆସିଲ ନାଇଁ ଯେ । ... ମୋର ଫୁଲ ତୋଡ଼ାଟା ଶୁଖି ନଷ୍ଟ ହୋଇଗଲା । ଏବେ ଆସିଲ ଯେ କ’ଣ ଦେବି ମୁଁ । ହାତ ଛଡ଼ାଇବାକୁ ଚେଷ୍ଟା କଲା ରଜନୀ । ପ୍ରକାଶର ସ୍ପର୍ଶରେ ଅତିଷ୍ଠ ହୋଇ ପଡ଼ୁଛି । ହେ ତୁମେ ଡରୁଛି ସନ୍ଧ୍ୟା । ମୋ ବାପା ମା’କୁ ଡରୁଛୁ ? ସମସ୍ତେ ତୁମ ମୋ କଥା ଜାଣି ସାରିଛନ୍ତି । ମୁଁ କହିଛି, ନିଜେ କହିଛି । ବାହା ହେବି ତ କେବଳ ତୁମକୁ ହେବ । ଏଇ ଦେଖ ଦେଖ ସେଇ କାଳିଆ ମେଘଟା ଚାନ୍ଦଟାକୁ କେମିତି ଢାଙ୍କି ପକାଇଲା । ତମର ମନେ ଅଛିନା ସନ୍ଧ୍ୟା ସେଦିନ ଛାତ ଉପରେ ଏଇ କଳା ମେଘ ଦେଖି ତୁମେ କହିଥିଲ ଏଇ ମେଘ ଆକାଶର ଗୋଟିଏ କୋଣରେ ଥିଲେ କେତେ ରମଣୀୟ ମାତ୍ର ଚାରିଆଡ଼େ ମାଡ଼ିଗଲେ କେଡ଼େ ଭୟଙ୍କର । ମାତ୍ର ଆଜି ଦେଖ ସାରା ଆକାଶରେ ଖଣ୍ଡ ଖଣ୍ଡ ଭସା ମେଘ । ତଥାପି କେଡ଼େ ରମଣୀୟ । ତମକୁ ଭୟ ଲାଗୁଛି ?

 

ମନେ ମନେ ବିରକ୍ତ ହେଲା ରଜନୀ ପ୍ରକାଶର କଥା ଶୁଣି । କହିଲା ଛାଡ଼ ମୁଁ ତୁମ । ପାଇଁ ଖାଇବା ବ୍ୟବସ୍ଥା କରୁଛି ।

... ତମେ ଖାଇବା ବ୍ୟବସ୍ଥା କରିବ ? ଆଉ ସେ ଡାକ୍ତର ରଜନୀ କ’ଣ କରିବ ଯେ । ତମ ବାପା ତାକୁ ତାଗିଦ୍ କରିଛନ୍ତି ମୋର ଯତ୍ନ ନେବାକୁ । ଆଚ୍ଛା କହିଲ, ମୋର ହାତ କେବେ ଭଲ ହେବ ? ହଁ ଏବେ ତୁମେ ଆସିଲଣି ଖୁବ ଶୀଘ୍ର ଭଲ ହୋଇଯିବ । ଭଲ ହୋଇଯିବ ନା ? ... ତା’ ପରେ ଦୁହେଁ ଖୁବ୍ ବୁଲିବା ଛାତ ଉପରେ । ଆରେ ଯା... ତୁମକୁ ଗୋଟେ କଥା ଏଯାଏ କହିନି । ମୁଁ ଗୋଟେ ୟାମାହା ଆରଏକ୍ସ-୧୦୦ କିଣିଛି । ଏଥରକ ସେଥିରେ ବୁଲିବା ନା... ମଜା ହେବ । ଆଛା... ମୋର ମୋଟର ସାଇକେକଲର କ’ଣ ହେଲା... ଏକସିଡେଣ୍ଟରେ ନଷ୍ଟ ହୋଇଗଲା ?

ମୁଁ ତମକୁ ଦେଖୁଥିଲି ସାମ୍ନାରୁ ବସ୍ ଆସୁଥିଲା... ମୋ ଗାଡ଼ି ସେ ଗାଡ଼ିରେ ପିଟି ହୋଇଗଲା । ... ତା'ପରେ.. ତା’ ପରେ ତୁମକୁ ଅନେକ ଖୋଜିଲି ... ତମକୁ ଏଁ ତୁମେ ସନ୍ଧ୍ୟା ନୁହଁ... ରଜନୀ... ଡକ୍ଟର ରଜନୀ ମୋ ସନ୍ଧ୍ୟା ତୁମେ ନୁହଁ । ରଜନୀର ମୁହଁକୁ ଦେଖି ହାତ ଛାଡ଼ି ଦେଲା ରଜନୀର । ମୋ ସନ୍ଧ୍ୟା ଆଉ କେବେ ଫେରିବନି ? ସତରେ କ’ଣ ସେ ମରିଯାଇଛି...।

ଦୁଃଖରେ ଭାଙ୍ଗି ପଡ଼ୁଛି ପ୍ରକାଶ । ରଜନୀ କିଂକର୍ତ୍ତବ୍ୟବିମୂଢ଼ । କ’ଣ କରିବ କିଛି ବୁଦ୍ଧି ଦିଶୁନି । କହିଲା ଆପଣ ବିଛଣାରେ ଶୋଇ ପଡ଼ନ୍ତୁ । ମୁଁ ରାତିରେ ଖାଇବା ପାଇଁ ବ୍ୟବସ୍ଥା କରୁଛି । ... ଡକ୍ଟର ସନ୍ଧ୍ୟାକୁ ବଞ୍ଚାଇ ପାରିବେନି । ବଞ୍ଚାନ୍ତୁ ନା ପ୍ଲିଜ୍ ।

... ସନ୍ଧ୍ୟା ବଞ୍ଚିଛି ପ୍ରକାଶ ବାବୁ । ଏଇତ ଟିକିଏ ଆଗରୁ ଏଠିକି ଆସିଥିଲା । ଆପଣଙ୍କ ସହ କଥା ହୋଇଗଲା । ମିଛ କଥା ଗୁଡ଼ାକ କହିଗଲା ବେଳେ ଓଠ ଥରି ଉଠୁଥିଲା ରଜନୀର ।

... ସତ କହୁଛନ୍ତି ଡକ୍ଟର । ଓ ୟୁ ଆର୍ ଗ୍ରେଟ୍ ଡକ୍ଟର । ଏଥର ଦେଖିବେ ମୁଁ ଆପେ ଆପେ ଭଲ ହୋଇଯିବି ।

ଆଛା ଆପଣ ଏଇଠି ଶୋଇଥାନ୍ତୁ । ମୁଁ ଆପଣଙ୍କ ପାଇଁ ଡିନର ଆଣି ଆସୁଛି ।

... ଆପଣ ସନ୍ଧ୍ୟାକୁ କହିବେ କାଲି ଆସିବ।

***

 

‘ସତେଇଶ’

 

ବିଶ୍ଵର ସମତା ବିଷମତାର ସୌହାର୍ଦ୍ଧ ସାଥକୁ ଆକର୍ଷଣ ବିକର୍ଷଣର ନିୟମ ଅତୀବ ବିଚିତ୍ର । ଯୁକ୍ତ ଯୁକ୍ତ ଠାରୁ ବିକର୍ଷିତ ହେଲା ବେଳକୁ ବିଯୁକ୍ତ ଆଡ଼କୁ ଆକର୍ଷିତ ହୁଏ । କ୍ଷୀଣ କ୍ଷୀଣ ଠାରୁ ପୃଥକ୍ ହୋଇ ବୃହତ୍ ଆଡ଼କୁ ଆକର୍ଷିତ ହେଲା ବେଳକୁ ବୃହତ୍ ବୃହତ୍ ଠାରୁ ପୃଥକ୍ ହୋଇ କ୍ଷୀଣ ଆଡ଼କୁ ଆକର୍ଷିତ ହୁଏ । ଏହା ହିଁ ଧରାର ନିୟମ । ଏଇ ନିୟମରେ ସାରା ବିଶ୍ୱ ପରିଚାଳିତ । ଯୁକ୍ତ ବିଯୁକ୍ତର ଏଇ ଧାରାରେ ବିଶ୍ୱର ଅନବଦ୍ୟ ସୃଷ୍ଟି, ଜୀବଜଗତ ସଦୈବ ପରିଚାଳିତ । ଯୁକ୍ତ ବିଯୁକ୍ତର ଧାରାରେ ସ୍ତ୍ରୀ ପୁରୁଷର ସୃଷ୍ଟି । ପ୍ରତ୍ୟେକ ସ୍ତ୍ରୀ ପୁରୁଷ ପ୍ରତି ଏବଂ ପ୍ରତ୍ୟେକ ପୁରୁଷ ସ୍ତ୍ରୀ ପ୍ରତି ଆକୃଷ୍ଟ ହୁଏ । ଏହା ଚିରନ୍ତନ ସତ୍ୟ। ।

 

ପ୍ରତ୍ୟେକ ଜୀବର ମନରେ ଏଇ ଦୁର୍ବାର ଆକାଂକ୍ଷା ଜନ୍ମ ନିଏ । ଇନ୍ଦ୍ରିୟତାକୁ ଇନ୍ଧନ ଯୋଗାଏ, କେବେ କେମିତି ବିବେକ ପାଣି ବର୍ଷିଯାଏ । ଆଗତ୍ୟା ଆକାଂକ୍ଷା ଅଗ୍ନି ହିଁ ନିର୍ବାପିତ ହୋଇଯାଏ, ଆଉ କେବେ ବିବେକର ପାଣି କମଜୋର ପଡ଼ିଗଲେ ଆକାଂକ୍ଷା ଅଗ୍ନି କାମାଗ୍ନିରେ ପରିଣତ ହୋଇଯାଏ । ଯାହା ସବୁ ହିତାହିତ ଜ୍ଞାନକୁ ସ୍ଥାନ-କାଳ-ପାତ୍ରର ଉପେକ୍ଷା କରି ଜାଳି ପକାଏ । ଏହା ବାରମ୍ବାର ହୁଏ, ସବୁ କ୍ଷେତ୍ରରେ ହୁଏ । ତଥାପି ଜୀବ ଜଗତର ସମସ୍ତ ପ୍ରାଣୀ ନିଜର ଅନ୍ତର୍ମନରେ ଏଇ ଆକର୍ଷଣ ଜନିତ ଦୁର୍ବାର ଆକାଂକ୍ଷାକୁ ସ୍ଥାନ ଦିଅନ୍ତି ।

 

ଆକର୍ଷଣର ଅନନ୍ୟ ଧାରାରେ ନିଜେ ଆକର୍ଷିତ ହେବା ଅପେକ୍ଷା ଅନ୍ୟକୁ ଆକର୍ଷିତ କରିବାର ମହତ୍ୱ ଅଧିକ । ୟାର ଉପଲବ୍ଧି ମଧ୍ୟ ଅଧିକ ଆନନ୍ଦଦାୟକ । କେହି ଯେବେ କହେ ମୁଁ ତୁମକୁ ଭଲ ପାଏ ଅଥବା ତୁମେ ମୋତେ ଭଲ ଲାଗ ତାହା କାନକୁ ଅମୃତପ୍ରାୟ ଲାଗେ । ସତ୍ୟ ରହିତ ଭାବେ ମିଛି ମିଛିକା କଳ୍ପନା ସୂତ୍ରରେ ମଧ୍ୟ ଯେବେ କେହି ଏଇ ପ୍ରେମ ସମ୍ଭାଷଣ କରେ ତେବେ ମଧ୍ୟ ଲୋମ ଲୋମ ରୋମାଞ୍ଚିତ ହୋଇଉଠେ ।

 

ରଜନୀ ଆଜନ୍ମ ସ୍ନେହ କାଙ୍ଗାଳୁଣୀ । ବୁଝାମଣା ସୂତ୍ରରେ ସ୍ନେହ ରହିତ ସମାଜଟିଏ ସୃଷ୍ଟି କରିଛି ନିଜ ଚାରିପାଖେ । ମାତ୍ର ତାର ଅନ୍ତର୍ମନରେ ମଧ୍ୟ ଆକର୍ଷଣ ଜନିତ ଆକାଂକ୍ଷା ଅଗ୍ନି ଜଳେ । ଅନଭିଜ୍ଞ ଇନ୍ଦ୍ରିୟ ବେପରୁଆ ରହନ୍ତି । ଇନ୍ଧନ ଯୋଗାନ୍ତି ନି । ସାଥିରେ ବିବେକ ବର୍ଷା ବରଷେ । ଅନ୍ତର୍ମନରେ ହିଁ ଅଗ୍ନି ନିର୍ବାପିତ ହୁଏ । ମାତ୍ର ଏବେ ସମୟ ତାକୁ ଠେଲି ଆଣି କୋଉଠି ଠିଆ କରାଇ ଦେଇଛି । ପ୍ରକାଶର ପ୍ରେମପୂର୍ଣ୍ଣ କଥା ଶୁଣି ଲୋମ ରୋମାଞ୍ଚିତ ହୋଇଯାଉଛି । ମିଛରେ ହେଲେ ବି ସନ୍ଧ୍ୟା ଭାବି । କହିଲେ କହୁଛି ତ ରଜନୀକୁ ନା । ସ୍ନେହ ସ୍ପର୍ଶତ ରଜନୀକୁ ମିଳୁଛି ନା ।

 

ପ୍ରକାଶର ଉପସ୍ଥିତିରେ ହତପ୍ରଭ ରଜନୀ ଏକାନ୍ତରେ ପ୍ରକାଶ ପ୍ରତି ଆକର୍ଷିତ ହୋଇ ପଡ଼ୁଛି । ଆଖିବନ୍ଦ କଲେ ପ୍ରକାଶ ସାନ୍ନିଧର ପ୍ରତ୍ୟେକ ମୁହୂର୍ତ୍ତ ଚଳଚ୍ଚିତ୍ର ଦୃଶ୍ୟ ପରି ଦେଖାଯାଉଛି ଆଖି ଆଗରେ । ଲୋମଲୋମ ରୋମାଞ୍ଚିତ ହୋଇ ଉଠୁଛି । କଳ୍ପନା ପୁରୁଷ ପ୍ରକାଶର ଛାତିରେ ଲାଗିଯାଉଛି । ମୁଣ୍ଡ ଥୋଇ ଶାନ୍ତିରେ ନିଶ୍ଵାସ ନେଉଛି । ଯୁଗଯୁଗର ଦୌଡ଼ ପରେ ବିଶ୍ରାମ ସ୍ଥଳଟିଏ ପାଇଲା ପରି ପରିତୃପ୍ତିର ହସ ଝରାଉଛି ଓଠ ଧାରରେ । କଳ୍ପନା ପୁରୁଷ ପ୍ରକାଶର ଛାତି ବୋତାମରେ ଖେଳି ଖେଳି ଖୁବ୍ ଏକ ରଙ୍ଗୀନ୍ ମିନାର ତୋଳୁଛି ଯୁଗ ଯୁଗର ସ୍ୱପ୍ନର ରଙ୍ଗ ଭରି । ପ୍ରକାଶ କଣ୍ଠରୁ ମୁଁ ତୁମକୁ ଭଲପାଏ ତୁମେ ଖୁବ ଭଲ ତୁମେ ଖୁବ ସୁନ୍ଦର ଆଦି ଶ୍ରୁତିର ମୂଳଦୁଆ ପକାଇ ନିଜ ଅଙ୍ଗରେ ଉଷ୍ଣ ଚୁମ୍ବନର ଉପଲବ୍ଧିରେ ଚୂଡ଼ା ମାରୁଛି । ମାତ୍ର ପରକ୍ଷଣରେ ପ୍ରକୃତିସ୍ଥ ହୋଇ ନିଜକୁ ଫେରି ନିଜର ସ୍ଥିତି ହୃଦୟଙ୍ଗମ କଲେ ଏଇ କଳ୍ପନାର ମୀନାର ଭାଙ୍ଗି ଯାଉଛି ।

 

ରଜନୀ ଆଜି ଶୋଇ ପାରୁନି । ମନର ଉଦ୍‍ବିଗ୍ନତା ଅସି ଧରି ଜଗି ରହିଛି ଆଖି ଡୋଳାରେ ପାଟଳ ବର୍ଣ୍ଣ ରୂପେ । ନିଦ୍ରାଦେବୀଙ୍କୁ ରୋକିବାର ଶପଥ ନେଇଛି ସେ । ଆଜିତକ ଯାହା ହେଲାଣି, ଯାହା ହେଉଛି ବା ଯାହା ହେବ ସେସବୁର ସଠିକତା ଉପରେ ସନ୍ଦିଗ୍ଧ ସ୍ୱୟଂ । ମନ ବିବେକର ଦ୍ୱନ୍ଦ । ମନ ଚହଲି ଯାଉଛି । ମନର ଉଦ୍‍ବିଗ୍ନତା ଠାରେ ବିବେକର ଶକ୍ତି ହାରି ଯାଉଛି, ମନ ହେଉଛି ସଦୈବ ଏୟାହିଁ ହେଉ, ଈଶ୍ୱରଙ୍କୁ ବିନତି କରୁଛି ମୋତେ ସନ୍ଧ୍ୟା କରିଦିଅ ପ୍ରଭୁ, ନଚେତ୍ ପ୍ରକାଶକୁ ସଦୈବ ଏମିତି ହିଁ ରହିବାକୁ ଦିଅ । ମନର ହୀନତା ଠାରେ ବିବେକ ଦୁଃଖିତ ହେଉଛି । ମାତ୍ର କିଂକର୍ତ୍ତବ୍ୟବିମୂଢ଼, ଶକ୍ତିରହିତ ମନକୁ ଆଣ୍ଟିବାକୁ ।

 

ଦିନ ପରେ ଦିନ ବିତି ଯାଉଛି । ପ୍ରକାଶର ଘା’ ଭରି ସାରିଲାଣି ଇତି ମଧ୍ୟରେ । ହାତର ହାର୍ଡପ୍ଲାଷ୍ଟର ଖୋଲା ସରିଲାଣି । ଶାରୀରିକ ସୁସ୍ଥତା ଫେରି ପାଇଲାଣି । ମାତ୍ର ମାନସିକ ଅସୁସ୍ଥତାର ଉପଶମର ଲକ୍ଷଣ ଏବେବି ପରିଲକ୍ଷିତ ହୋଇ ପାରିନି । ନର୍ସିଂହୋମରୁ ବାହାରି ଏବେ ରଜନୀର କ୍ୱାର୍ଟରକୁ ଗଲାଣି । ତଥାପି ଅନେକ କ୍ଷଣରେ ରଜନୀକୁ ସନ୍ଧ୍ୟା ଭାବୁଛି । ପୁରୁଣା କଥାର ପୁରାବୃତ୍ତି କରୁଛି । ବାହାରକୁ ବୁଲିଯିବାକୁ ଜିଦ୍ କରୁଛି ପିଲାଟିଏ ପରି । ରଜନୀ ପ୍ରକାଶର ଉପସ୍ଥିତିରେ ଅପ୍ରତିଭ ରହୁଛି ପୁଣି ଅନୁପସ୍ଥିତିରେ କଳ୍ପନାବିଭୋର ।

 

କାଲି ନିଜର କର୍ତ୍ତବ୍ୟ କ୍ଷେତ୍ରରେ ଯୋଗ ଦେବ ପ୍ରକାଶ । ଏହା ପ୍ରକାଶର ଇଚ୍ଛା ତଥା ବହିଦାରଙ୍କର ନିର୍ଦ୍ଦେଶ । ବହିଦାରଙ୍କ ଆଦେଶ ରଜନୀର ଶିରୋଧାର୍ଯ୍ୟ । କିଛି କହି ପାରୁନି ମୁହଁଖୋଲି । ମାତ୍ର ଅନ୍ତର ମଧ୍ୟରେ ଏବେ ବି ଆଶଂକା ହୁଏତ ପ୍ରକାଶ ରାସ୍ତାର କିମ୍ବା ଅଫିସର କୌଣସି ଭଦ୍ର ମହିଳାଙ୍କୁ ଦେଖି ସନ୍ଧ୍ୟା ଭାବି ନେବ ଏବଂ ନିଜର ଚଗଲାମି ବାହାର କରିବ । ... ଏମିତି ବାହାରେ ଅପଦସ୍ଥ ହେବାଟା କ’ଣ ସମୀଚିନ । ... ରଜନୀ ଭାବି ପାରୁନି ଆଗକୁ... ନା ସେ ପ୍ରକାଶର ଅପଦସ୍ଥ ହେବାଟା ସହି ପାରିବନି । ମାତ୍ର କେତେ ଦିନ ତାକୁ ଏମିତି ଅଟକାଇ ରଖାଯାଇ ପାରିବ ? ବିନା ବେତନରେ ଏପର୍ଯ୍ୟନ୍ତ ପ୍ରାୟ ଦୁଇମାସ ଛୁଟି କଟାଇ ସାରିଲାଣି । ତା’ ପରେ ନିଜେ ସେ ଇଚ୍ଛା କରୁଛି ଯୋଗଦେବାକୁ କର୍ମ କ୍ଷେତ୍ରରେ । ବହିଦାର ବାବୁ ସ୍ଵୟଂ କମ୍ପ୍ୟୁଟର ଟେଷ୍ଟ କରି ଘୋଷଣା କରିଛନ୍ତି ଯେ ଏପର୍ଯ୍ୟନ୍ତ ପ୍ରକାଶ ସାଧାରଣ ଅବସ୍ଥାକୁ ଆସିଲାଣି ପ୍ରାୟ । ବାହାର ଲୋକଙ୍କ ସହ ଆଉ ପାଗଳାମି କରୁନି ମଧ୍ୟ ।

 

ରଜନୀ ସରି ଆସୁଛି । ନିଦ ଏବେ ବି ଆଖିରୁ ବହୁ ଦୂରରେ । ରଜନୀର ଭାବନା କ୍ରମେ କ୍ଷୀଣ ହେଉଛି । ପ୍ରକାଶ ଯୋଉ କ୍ଷଣକ ପାଇଁ ତା ଜୀବନରେ ଆସିଥିଲା ସେ କ୍ଷଣକ ଏବେ ସରି ସରି ଆସୁଛି । ପ୍ରକାଶ ବିଶ୍ୱର ସାଧାରଣ ଆଲୋକରେ ମିଶିଯିବ ଆଉ କିଛି କ୍ଷଣ ପରେ ରଜନୀକୁ ଉପେକ୍ଷା କରି ।

***

 

‘ଅଠେଇଶ’

 

ସମୟର ଚକ ଗଡ଼ିଗଲେ କେତେ ଘା’ ଭରିଯାଏ । କେତେ ଦାଗ ନିଶ୍ଚିହ୍ନ ହୋଇଯାଏ । କେତେ ସ୍ମୃତି ମିଳାଇଯାଏ ଅତୀତର ବକ୍ଷରେ । ଘା’ ଶୁଖିଗଲେ ନୂଆ ଚମଡ଼ାର ନୂଆକୋଷଗଣ ନୂଆ ଅନୁଭୂତି ପାଆନ୍ତି । ମନ ଅଗଣାରେ ପୁରୁଣା ଯନ୍ତ୍ରଣାର ତାଣ୍ଡବ ବଦଳରେ ନୂଆ ଆଶା ଓ ଆକାଂକ୍ଷାର ମୃଦୁ ନର୍ତ୍ତନ ମନ ପ୍ରାଣକୁ ଉଲ୍ଲସିତ କରେ ।

 

ସମୟ ଗଡ଼ି ଚାଲିଛି । ପ୍ରକାଶ ଏବେ ସମ୍ପୂର୍ଣ୍ଣ ଭାବେ ଠିକ ହୋଇଗଲାଣି । ଏ ଦୁନିଆରେ ସନ୍ଧ୍ୟାର ନାସ୍ତିତ୍ଵ ହୃଦୟଙ୍ଗମ କରି ସହଜ ହୋଇପାରୁଛି ଏବେ । ମନତଳର ଭାବପ୍ରବଣତା କ୍ରମେ ଦୂରେଇ ଯାଇଛି । ମାତ୍ର ମନର ଘା ଶୁଖି ଗଲା ପରେ ନୂଆ ମନଟିଏ ଜନ୍ମ ନେଇଛି । ସେ ସଦୈବ ନୂଆ ଅନୁଭୂତି ଲୋଡ଼ୁଛି । କ୍ରମେ ପ୍ରକାଶ ମନ ରଜନୀ ଠାରେ ସମର୍ପିତ ହୋଇପଡ଼ୁଛି । ରଜନୀକୁ ମନେ ମନେ ଭଲ ପାଇ ବସୁଛି । ରଜନୀକୁ ରଜନୀ ଭାବି ଭଲ ପାଇବା ଆରମ୍ଭ କରିଦେଇଛି ସେ-। ରଜନୀ ଭାବୁଛି ପ୍ରକାଶ ଠିକ୍ ହୋଇନି ଏଯାଏ । ମାତ୍ର ରଜନୀର ମେସିନ୍ ପରି ବ୍ୟବହାର ଆଉ ଭଲ ଲାଗୁନି ପ୍ରକାଶକୁ । ପ୍ରକାଶର ହୃଦୟର ସମ୍ବେଦନ ରଜନୀର ହୃଦୟର ସମ୍ବେଦନ ଚାହୁଁଛି । ଆଜି ମନର କଥା ଖୋଲି କହିବାର ଇଚ୍ଛା କରି ପ୍ରକାଶ ଚାଲିଆସିଛି ରଜନୀ ପାଖକୁ ।

 

... ଡକ୍ଟର ରଜନୀ ! ବାସ୍ତବତା ଉପରେ ଛଳନାର ଛଦ୍ମରୂପ ଆଉ କାହିଁକି ? ବାସ୍ତବତା ସାମ୍ନାକୁ ଆସିବାର ସମୟ ହୋଇଗଲାଣି ।

 

ପ୍ରକାଶର ମୁହଁରୁ ହଠାତ୍ ଏମିତି କଥା ଶୁଣି ରଜନୀ ଆଶ୍ଚର୍ଯ୍ୟ ଚକିତ ନଜରରେ ଚାହିଁ ପଚାରିଲା ଆପଣ କ’ଣ ସବୁ କହୁଛନ୍ତି ପ୍ରକାଶ ବାବୁ... ମୁଁ ବୁଝି ପାରୁନି କିଛି ।

 

ଡକ୍ଟର ରଜନୀ ଆଇ ଲଭ୍ ୟୁ, ମୁଁ ତୁମକୁ ସାଥୀ ରୂପେ ପାଇବାକୁ ଚାହେଁ ।

 

ରଜନୀ ନିର୍ବାକ, ଏମିତି ଗୋଟାଏ କଥା ଶୁଣି । ଏମିତି ତ ଆଗରୁ ଅନେକ ଥର କଥା ପ୍ରସଙ୍ଗରେ ଆଇ ଲଭ ୟୁ କିମ୍ବା ବିବାହ ପ୍ରସଙ୍ଗ ଉଠାଇଥିଲା ରଜନୀକୁ ସନ୍ଧ୍ୟା ଭାବି । ମାତ୍ର ଆଜି ଏମିତି ଅଚାନକ ତଥା ସନ୍ଧ୍ୟା ନ କହି ରଜନୀ ସମ୍ୱୋଧନ ଶୁଣି । ହତବାକ୍ ହେଲା ରଜନୀ ।

 

ଆଇ ମିନ୍ ହ୍ୱାଟ୍ ଆଇ ସେଡ୍ ଡକ୍ଟର । ଏବେ ବହୁତ ହୋଇ ସାରିଲାଣି । ସନ୍ଧ୍ୟାକୁ ଖୋଜି ଖୋଜି ମୁଁ ନୟାନ୍ତ ହେଲିଣି । ଏବେ ତୁମରି କୋଳରେ ବିଶ୍ରାମ ଚାହେଁ ମୁଁ।

 

... ଆପଣ ଠିକ୍ ଅଛନ୍ତି ତ ପ୍ରକାଶ ବାବୁ। ଆଖିରେ ଆଖି ଖୋସି ପଚାରିଲା ରଜନୀ ।

 

... ମୁଁ ବହୁତ ଦିନରୁ ଠିକ୍ ହୋଇଗଲିଣି ଡକ୍ଟର । ତୁମରି ସାନ୍ନିଧ୍ୟରେ ନୂଆ ଜୀବନ ପାଇଛି ମୁଁ । ମୋତେ କୋଳେଇ ନିଅ ରଜନୀ, ମୁଁ ତୁମ କୋଳରେ ବିଶ୍ରାମ ଚାହେଁ । ମୁଁ ଘରକୁ ଚିଠି ଲେଖି ସବୁ ବ୍ୟବସ୍ଥା କରାଇବି ।

 

... ଏଇଟା ଅସମ୍ଭବ ପ୍ରକାଶ ବାବୁ । ମୁଁ ବିବାହ କରିବିନି, ଏଇଟା ମୋର ନିଷ୍ପତ୍ତି ।

 

... କ’ଣ ଏଇଥିପାଇଁ ଯେ ତୁମେ ଅମାବାସ୍ୟା ରାତିରେ ଜନ୍ମ ନେଇଛି । ଯୋଉଥିପାଇଁ ଏ ଦୁନିଆର କୌଣସି ଯୁବକ ତୁମ ହାତ ଧରିବାକୁ ନାରାଜ ହେଲେ । ମାତ୍ର ମୁଁ ସେ ସବୁ ମାନେନା ରଜନୀ । ଏସବୁ ସତ୍ତ୍ୱେ ମୁଁ ତୁମକୁ ବିବାହ କରିବାକୁ ରାଜି ଅଛି ।

 

... ଆପଣ ମୋ ଜନ୍ମ ବୃତ୍ତାନ୍ତ କିପରି ଜାଣିଲେ ? ଆଶ୍ଚର୍ଯ୍ୟ ଚକିତ କଣ୍ଠରେ ପ୍ରଶ୍ନ କରୁକରୁ କହିଲା... ତଥାପି ମୁଁ ଏ ବିବାହ କରି ପାରିବିନି ପ୍ରକାଶ ବାବୁ ।

 

... କାହିଁକି ? ତୁମେ ଜଣେ ନାରୀ । ନାରୀର ପୂର୍ଣ୍ଣତା ପାଇବାକୁ ତୁମେ କ’ଣ ଇଚ୍ଛା କର ନାହିଁ ?

 

... ପୂର୍ଣ୍ଣତା କଥା କୁହନ୍ତୁ ନି ପ୍ରକାଶ ବାବୁ । ଭଗବାନ୍ ମୋତେ ଅସମ୍ପୂର୍ଣ୍ଣ କରି ତିଆରି କରିଛନ୍ତି । ଅସମ୍ପୂର୍ଣ୍ଣତା ହିଁ ମୋର ଆଜନ୍ମ ଆଭୂଷଣ । ଦେଖନ୍ତୁ କାହାର ଝିଅ ହେଲା ପରେ ବି ଝିଅ ହେବାର ଉପଲବ୍ଧ ମୋର ନାହିଁ । ଭଉଣୀ ହେବାତ ସ୍ଵପ୍ନ ହୋଇଗଲା ମୋ ପାଇଁ । ଏବେ ହୁଏତ ପତ୍ନୀ ହୋଇ ଯାଇପାରେ କାହାର କଥାରେ ହଁ କରି ମାତ୍ର ମାମା ହେବା ବି ମୋ ଭାଗ୍ୟରେ ନାହିଁ । ତେବେ ଆପଣ ହିଁ କହନ୍ତୁ ପୂର୍ଣତା ମୋ ପାଇଁ ଏକ ଅଳୀକ ସ୍ଵପ୍ନକି ନୁହଁ ।

 

... ରଜନୀ... ତୁମେ ଜଣେ ଡାକ୍ତର । ତୁମେ କହି ପାରୁଛ ତୁମେ ମାତା ହୋଇ ପାରିବନ ! ଯୁଗ କୋଉଠି ପହଞ୍ଚିଲାଣି ଆଉ ତୁମେ... ।

 

... ମୁଁ ଡାକ୍ତର, ସେଥିପାଇଁ ଏକଥା କହିଛି । ମୁଁ ନିଜକୁ ଠିକ୍ ପରୀକ୍ଷା କରିଛି ଆଉ । ଏହା ହିଁ ମୋର ପରୀକ୍ଷାର ସିଦ୍ଧାନ୍ତ । ନିୟତିର ନିଷ୍କରି ଠାରେ କୌଣସି ଡାକ୍ତରୀ । ବିଦ୍ୟା କାମ କରେନି ପ୍ରକାଶ ବାବୁ । ଅସମ୍ଭବର ଉଜାଣି ସୁଅ ସାମ୍ନାରେ ଆଶା ବନ୍ଧ ଯେତେ ଜୋର କରି ବାନ୍ଧିଲେ ବି ଭାଙ୍ଗିଯାଏ ପ୍ରକାଶ ବାବୁ ।

 

... ତଥାପି ... ତଥାପି... ମୁଁ ତୁମକୁ ବିବାହ କରିବାକୁ ଚାହେଁ । ଅନ୍ତତଃ ସାଥିଟିଏ ଭାବେ ତୁମକୁ ଚାହେଁ ।

 

... ପ୍ରକାଶ ବାବୁ, ଭାବପ୍ରବଣ ହୁଅନ୍ତୁ ନାହିଁ । ଆପଣ ସୁଶିକ୍ଷିତ, ମାର୍ଜିତ୍‍ ପ୍ରତିଷ୍ଠିତ । କେତେ ସୁନ୍ଦର ଗୁଣାଧିକାରୀ କନ୍ୟା ଆପଣଙ୍କୁ ମିଳିଯିବେ । ଆପଣ ସେମାନଙ୍କ ମଧ୍ୟରୁ ଜଣକୁ ବାଛିନେଇ ନିଜର ପୂର୍ଣ୍ଣତା ପାଆନ୍ତୁ । ମୋର ଜୀବନର ଉଦ୍ଦେଶ୍ୟ ଖୁବ୍ ଭିନ୍ନ, ମୋ ଲକ୍ଷ୍ୟ ଉଦ୍ଦେଶ୍ୟରେ ମୋ ଜୀବନ ନଉକାର ମଙ୍ଗଧରି ପହଞ୍ଚିବାର ଚେଷ୍ଟା କରୁଛି ମୁଁ ପ୍ରକାଶବାବୁ ଆପଣ ତୁଫାନ ସୃଷ୍ଟି ନକରନ୍ତୁ ଦୟା କରି ।

 

... ରଜନୀ ତୁମେ ଯେତେ ସମୟ ଚାହିଁବ ପାଇବ ମାତ୍ର ଏମିତି ନିଷ୍ପତ୍ତି ନେବା ପୂର୍ବରୁ...

 

... ପଥରରେ ମୁଣ୍ଡ କୋଡ଼ିଲେ ନିଜେ ରକ୍ତ ହେବା ସାର ସିନା ପଥରର କିଛି ହେବନି । ମୁଁ ମୋ ନିଷ୍ପତ୍ତି ଜଣାଇ ସାରିଛି । ଆପଣ ଏଣିକି ସୁସ୍ଥ ହୋଇ ଗଲେଣି ବରଂ ଆପଣ ସ୍ଵୟଂ ଆପଣଙ୍କର ବ୍ୟବସ୍ଥା କରି ନେଲେ ଭଲ ହୁଅନ୍ତା, ମୁଁ ଆଉ ଆପଣଙ୍କର ବୋଝ ଉଠାଇ ପାରିବିନି ।

 

... ରଜନୀ ସାରିଦିଅ, ଝାଡ଼ି ଦିଅ ତୁମ ହୃଦୟର ସମସ୍ତ କଟୁତା । ସବୁ ପିଇଯିବି ମୁଁ, ତଥାପି କହିବି ମୁଁ ତୁମକୁ ପସନ୍ଦ କରିଛି । ତୁମକୁ ବିବାହ କରିବାକୁ ଚାହୁଁଛି ।

 

... ନା ପ୍ରକାଶ ବାବୁ, ନା... ଜିଦ୍ କରନ୍ତୁ ନି ପ୍ଲିଜ୍ । ମୁଁ ଆପଣଙ୍କର ଅମଙ୍ଗଳ ଦେଖି ପାରିବିନି । ମୁଁ ଆପଣଙ୍କର ଦୁଃଖ ଦେଖି ପାରିବିନି ।

 

... ବା, ଦୁଃଖ ଦେଖି ପାରିବିନି, ଏମିତି କହୁଛି, ଯେମିତି ତୁମର ଏଇ ନିଷ୍ଠୁର ନାସ୍ତିବାଣୀଟା ମୋତେ ଖୁବ୍ ଶାନ୍ତି ଦେଇଛି । ଦେଖ ରଜନୀ, ମୁଁ ତୁମକୁ ଭଲ ପାଏ, ନିଜର କରିବାକୁ ଚାହେଁ । ଏତକ ଶୁଣିଲେ ତୁମେ କ’ଣ ଟିକିଏ ବି ଖୁସି ହୁଅନି । ଆଉ ଥରେ ନାହିଁ କରିବା ପୂର୍ବରୁ ନିଜ ମନକୁ ପଚାରି ଉତ୍ତର ଦିଅ ତ... ।

 

... ନା ପ୍ରକାଶ ବାବୁ... ନା... ଏହା ହିଁ ମୋର ଶେଷ ଉତ୍ତର । ମୁଁ ଆପଣଙ୍କର ଅମଙ୍ଗଳ ଚାହେଁ ନି କାରଣ ମୁଁ ବି ଆପଣଙ୍କୁ ଭଲପାଏ । ମାତ୍ର ସମସ୍ତ ଅମଙ୍ଗଳ ଲକ୍ଷଣର ଅଧିକାରିଣୀ ମୁଁ, କିପରି ଜାଣୁ ଜାଣୁ କାହାକୁ ସର୍ବନାଶର ମୁହଁକୁ ଠେଲି ଦେବି ? ମୁଁ ମୋର ଶେଷ ନିଷ୍ପତ୍ତି ଶୁଣାଇ ସାରିଛି । ଏବେ ଆପଣ ଆସି ପାରନ୍ତି ।

 

ପ୍ରକାଶର ଓଠ ଥରି ଉଠୁଛି । ଭଗ୍ନ ମନୋରଥର ଅଭିଯାନ, ରାଗ ଫୁଟି ପଡ଼ୁଛି ମୁଖ ମଣ୍ଡଳରେ । ଚକ୍ଷୁ ରକ୍ତିମ ହୋଇ ଉଠୁଛି । ଶିରା ପ୍ରଶିରା ପ୍ରକମ୍ପିତ ହୋଇ ଯାଉଛି । ଧୀରେ ଧୀରେ ପ୍ରକାଶର ପ୍ରକୃତିର ତମ ଗୁଣ ଗ୍ରାସି ପକାଉଛି ରଜ ସତ୍ତ୍ୱ ଗୁଣଗୁଡ଼ିକୁ । ପଶୁତ୍ୱ ଜାଗି ଉଠୁଛି । ସ୍ଥାନ-କାଳ-ପାତ୍ରର ଜ୍ଞାନ ହଜି ଯାଉଛି । ନାକରେ ଆଦିମ ବାସ୍ନା ଫୁଟି ପଡ଼ୁଛି । ଚେୟାରରୁ ଉଠି ପଡ଼ି ରଜନୀର ହାତ ଧରି ପକାଇଲା ପ୍ରକାଶ । ... ମୁଁ ଆଜି ଏମିତି ଫେରି ଯିବାକୁ ଆସିନି ରଜନୀ । ମୁଁ ଜାଣିଛି ଖୋଜିଲେ ରାସ୍ତା ନମିଳିଲେ ବିଜ୍ଞ ଲୋକେ ନିଜେ ରାସ୍ତାଟିଏ ବନାଇ ପକାନ୍ତି । ଆସ... କହି ରଜନୀକୁ ନିଜ ଛାତି ଉପରକୁ ଟାଣି ନେଲା ପ୍ରକାଶ ।

 

... ହୋସ୍ ପାଆନ୍ତୁ ପ୍ରକାଶ ବାବୁ, ଏସବୁ ଭଲ ନୁହଁ । ଆଉ ତଳକୁ ଖସନ୍ତୁ ନାହିଁ ଦୟାକରି-

 

... ନିଷିଦ୍ଧ ଫଳ ଖାଇଲେ ତାର ସ୍ୱାଦ ତୁମେ ଜାଣି ପାରିବ । ପରେ ବାରମ୍ବାର ଖାଇବାକୁ ଚାହିଁବ । ଆସ ଆଉ ମନା କରନି । ଦୃଢ଼ ଆଲିଙ୍ଗନରେ ଭିଡ଼ି ଧରି ଓଠରେ ଓଠ ରଖିବାର ଉପକ୍ରମ କଲା ବେଳେ ନିଜ ଶରୀରରେ ସମସ୍ତ ବଳ ଖଟାଇ ପ୍ରକାଶର ବନ୍ଧନରୁ ଖସିଗଲା । ରାଗ ତମ ତମ ହୋଇ କହିଲା... ପ୍ରକାଶ... ତୁମେ ଏତେ ନୀଚ, ଏତେ ଛୋଟ ହୋଇପାର । ବର୍ତ୍ତମାନ ଚାଲି ଯାଅ, ନଚେତ୍ ପାଟି କରି ସମସ୍ତଙ୍କୁ ଡାକି ଦେବି, ତୁମର ଭଦ୍ର ମୁଖା ତଳେ ଥିବା ପଶୁତ୍ୱଟା ପଦାରେ ପଡ଼ିଯିବ । ନାଓ ଗେଟ୍ ଲଷ୍ଟ ।

 

ଭାରି ପଦକ୍ଷେପରେ ଗୋଟିଏ ଗୋଟିଏ ପାଦ ଉଠାଇ ଚାଲିଲା ରଜନୀର କାର୍ଟରରୁ ବାହାରି ଭଗ୍ନ ମନୋରଥ ନେଇ ପ୍ରକାଶ । ମନରେ ଗ୍ଲାନି, ଦ୍ୱନ୍ଦ । ପାଦ ଯୋଡ଼ିକ ଟାଣି ନେଉଛି କେଉଁ ଏକ ଅଦୃଶ୍ୟ ଲକ୍ଷ୍ୟ ଉଦ୍ଦେଶ୍ୟରେ ।

 

ସାମ୍ନାରେ ଉତ୍କଳ ଝଲମଲ୍ ଆଲୋକର ସମ୍ଭାର । ବଲାଙ୍ଗିର ସହର ଉପକଣ୍ଠରେ ପ୍ରତିଷ୍ଠିତ ବାର୍ (ମଦଦୋକାନ)- ଗୋଲଡେନ୍ ବାର୍ । ସାରା ସହର ଧୀରେ ଧୀରେ ନିକାଞ୍ଚନ ହୋଇଯାଉଛି । ନିର୍ଜନତା ମାଡ଼ି ପଡ଼ୁଛି । ଚାରିଆଡ଼େ ଜୀବ ସମାଜ ରାତିର ଗଭୀରତା ଜାଣି ଆଖି ବନ୍ଦ କଲା ପରି ପଥ ପାର୍ଶ୍ଵ ଦୋକାନ ଗୁଡ଼ିକର ସଟର ବନ୍ଦ ହୋଇଯାଉଛି ଧୀରେ ଧୀରେ । କେତେକ ବହୁ ଆଗରୁ, କେତେ ଏବେ, ଆଉ କେତେକ ହେବା ଉପରେ।

 

ପ୍ରକାଶ ଚାଲିଛି ରାଜରାସ୍ତା ଉପରେ । ସାମ୍ନାରେ ରଙ୍ଗୀନ ଆଲୋକରେ ସ୍ପଷ୍ଟ ଦେଖାଯାଉଛି । ଗୋଲଡେନ୍ ବାରର ନାମ ଫଳକ । ଖୁବ୍ ଡେରି ପର୍ଯ୍ୟନ୍ତ ଏହା ଖୋଲା ରହେ । ସହରର ଏକ ମାତ୍ର ଲାଇସେନ୍ସ ପ୍ରାପ୍ତ ବାର୍ । ସେଇ ଆଡ଼କୁ ମୁହାଁଇଲା ପ୍ରକାଶ ।

 

କିଛି କ୍ଷଣ ପରେ ବାର୍‍ ମଧ୍ୟରେ କ୍ୟାଣ୍ଡଲ ଲାଇଟରେ ହଜିଗଲା । ଗୋଟିଏ କୋଣରେ ଗୋଟିଏ ସ୍କୁଲରେ ବସି ପଡ଼ି ଅନଭ୍ୟସ୍ତ କରେ ବାର ଆଟେଣ୍ଡାଣ୍ଟକୁ ଅର୍ଡର କଲାବେଳେ କୌତୁହଳବଶତଃ ବାକି ଗ୍ରାହକମାନେ ସେଇ ଆଡ଼କୁ ନଜର ଉଠାଇ ଚାହୁଁଥିଲେ ମାତ୍ର-ବାର ଭିତର କ୍ୟାଣ୍ଡଲ୍ ଲାଇଟ୍ ପର୍ଯ୍ୟାପ୍ତ ନଥିଲା ଯେଉଁଥିରେ କେହି ପ୍ରକାଶକୁ ଚିହ୍ନି ପାରିବ । ତେବେ ବାର୍ ଆଟେଣ୍ଡାଣ୍ଟ ମଧ୍ୟ ଆଶ୍ଚର୍ଯ୍ୟ ହୋଇଥିଲା ପ୍ରକାଶର ଅର୍ଡର ପାଇ । ପ୍ରାୟ ସମସ୍ତ ପ୍ରକାର ବିଦେଶୀ ମଦ୍ୟରୁ ଗୋଟାଏ ଲେଖାଏଁ ପେଗର ଅର୍ଡର କରିଥିଲା ପ୍ରକାଶ । ସବୁଠୁ ବେଶୀ ଆଶ୍ଚର୍ଯ୍ୟ ହେଉଥିଲା ବାର୍‍ ଆଟେଣ୍ଡାଣ୍ଟ ପ୍ରକାଶର ପିଇବାର ଶୈଳୀ ଦେଖି । ପ୍ରଥମେ ତ ହସ ମାଡ଼ୁଥିଲା ମାତ୍ର ପରେ କୌଣସି ବିଶେଷ କାରଣ ବଶତଃ ଅବା କୋଉ ଏକ ଗଭୀର ଦାଗକୁ ଲିଭାଇବାର ଅପଚେଷ୍ଟା କରାଯାଉଛି ଭାବି ପ୍ରକାଶର ଦୟନୀୟତା ଠାରେ ବାର ଆଟେଣ୍ଡାଣ୍ଟ ମଧ୍ୟ ଦୁଃଖିତ ହେଲା ।

***

 

‘ଅଣତିରିଶ

 

ଖଟ ଉପରେ ମୁହଁ ମାଡ଼ି ପଡ଼ିଯାଇ କଇଁ କଇଁ ହୋଇ କାନ୍ଦି ଉଠିଲା ରଜନୀ । ଆଖିରେ ଝର ଝର ଶ୍ରାବଣୀର ଅମାନିଆ ଧାରା । ଗଣ୍ଡଦେଶ ପ୍ଲାବିଚ୍ଛିସିକ୍ତ କରୁଛି ତକିଆ । ବିବେକର କୌଣସି ପ୍ରବୋଧନା ମନ ତାର ଗ୍ରହଣ କରୁନି । ଇଚ୍ଛା ହେଉଛି ତାର ଯୋଉ ଅଙ୍ଗଗୁଡ଼ିକ ପ୍ରକାଶକୁ ଭର୍ସନା କରିଛନ୍ତି ସେଗୁଡ଼ିକ ଶାସ୍ତି ଦେବାକୁ । ଯାହାକୁ ସାରା ଦୁନିଆ ପ୍ରତିକ୍ଷଣରେ ଘୃଣ୍ୟ ନୀଚ କହି ଆସିଛନ୍ତି ସେ ଆଜି ପ୍ରକାଶକୁ ନୀଚ କହି ଦେଲା । କି ଦୋଷ କରିଥିଲା ପ୍ରକାଶ କ’ଣ ନିଜର ହୃଦୟର ଭାବ ଖୋଲାଖୋଲି ପ୍ରକାଶ କରି ନେଲା ବୋଲି । ସେ କ’ଣ କ୍ଷଣକ ଆଗରୁ ସେଇ କଥା ଭାବୁ ନଥିଲା । ସେ କ’ଣ ପ୍ରକାଶର ସାନ୍ନିଧ୍ୟ ପାଇ ପ୍ରଫୁଲ୍ଲିତା ହୋଇ ନଥିଲା । ସାରା ଦୁନିଆ ତାକୁ ଅଲକ୍ଷଣୀ, ଅସୁନ୍ଦରୀ, ଉଆଁସୀ କନ୍ୟା କହି ଘୃଣା କରୁଥିଲା ବେଳେ କେବଳ ସେଇ ଜଣକ ହିଁ ତ ତାକୁ ଭଲ ପାଏ ବୋଲି ସ୍ୱୀକାର କରିଥିଲା । କାଲିତକ ମିଛି ମିଛିକା କଥାରେ ପ୍ରସନ୍ନ ଏବଂ ଉଲ୍ଲସିତ ହେଉଥିଲା ଅଥଚ ଆଜି ସ୍ଵପ୍ନର ବାସ୍ତବ ରୂପାନ୍ତରରେ ଏତେ କଠିନ କେମିତି ହୋଇଗଲା... ନିଜେ .ପ୍ରଶ୍ନ କରୁଛି ନିଜକୁ ରଜନୀ, ଉତ୍ତର ଖୋଜୁଛି ଅନ୍ତରକୁ ଘାଣ୍ଟି ଚକଟି । କିଛି ପାଉନି, କେବଳ ଘଣ୍ଟା ଚକଟାର ପରିଣାମ ଲୋତକର ଶ୍ରାବଣୀ ।

 

ସେ ଯଦି ପ୍ରକାଶର କଥାରେ ହଁ କରି ଦେଇଥାନ୍ତା, ହୁଏତ ପ୍ରକାଶ ପରି ଜଣେ ଯୋଗ୍ୟ ଯୁବକର ହାତଧରି ସୁନ୍ଦର ସୁଖୀ ସଂସାରଟିଏ କରି ପାରିଥାନ୍ତା । ନାରୀ ଜୀବନର ପୂର୍ଣ୍ଣତା ଲାଭ କରି ପାରିଥାନ୍ତା । ସୁନ୍ଦର ନୀଡ଼ଟିଏ ରଚନା କରିଥାନ୍ତେ ଦୁହେଁ ମିଶି, ରଙ୍ଗୀନ ପରିବେଶରେ ମନ ମତାଣିଆ ଗୀତ ଗାଇ ଗାଇ ଜୀବନ ନଉକାକୁ ବାହି ନେଇଥାନ୍ତେ କୂଳ ଆଡ଼କୁ । ହୁଏତ ସମୟ ସାଥିରେ ତାଳ ଦେଉ ଦେଉ ଦୁଇରୁ ତିନି, ପୁଣି ତିନିରୁ ଚାରି ହୋଇ ଯାଇଥାନ୍ତେ । ସୁଖୀ ପରିବାରଟିଏ ସୃଷ୍ଟିକରି ଉଦାହରଣ ବନି ଯାଇଥାନ୍ତେ ସମାଜର ଅଗଣିତ ପଥଭ୍ରାନ୍ତ ସଂସାରୀଙ୍କର-

 

ମାତ୍ର ତା ଭାଗ୍ୟରେ ଏସବୁ ନାହିଁ । ସମାଜର ପଣ୍ଡିତମାନେ ଶରୀର ଲକ୍ଷଣ ସବୁକୁ ଅନୁଧ୍ୟାନ କରି କ’ଣ ଶୁଭଙ୍କର ଆଉ କ’ଣ ଅଶୁଭଙ୍କର ସେ ବିଷୟରେ ବର୍ଣ୍ଣନା କରି ଯାଇଛନ୍ତି । ଯଦିଓ ଏଥିରେ ବିଜ୍ଞାନ ସମ୍ମତ ମୂଳ ସଭା କିଛି ନାହିଁ ତଥାପି ଏହା ଅନେକାଂଶରେ ସତ୍ୟ ବୋଲି ପ୍ରମାଣିତ । ସେଇ ଲକ୍ଷଣ ଦେଖି କେହି ଭଲକି ମନ୍ଦ ଠଉରାଏ ଏ ଦୁନିଆ । ଯୁଗ ଯୁଗରୁ ଏଇ ଧାରା ପ୍ରଚଳିତ । ତେବେ ସବୁ କୁଲକ୍ଷଣର ତ ଅଧିକାରିଣୀ ସେ । ଏକଥା ସ୍ଵୟଂ ଜାଣିଛି, ଶୁଣିଛି । ଜନ୍ମ ତିଥି ମଧ୍ୟ ଏମିତି ଯାହା ଶୁଣିଲେ ପାରମ୍ପରିକ ଲୋକଙ୍କର ହୃଦୟ କମ୍ପେ । ତେବେ ସେ କେମିତି ଏତେ ବଡ଼ ଭାଗ୍ୟର ଅଧିକାରୀ ହୋଇ ପାରନ୍ତା ।

 

କିନ୍ତୁ... ଏଇ ଯେ ସୁଯୋଗ ହାତରେ ତାର ଥିଲା । ମୁଠେଇ ନେଇଥିଲେ ତ ସବୁ ସୁବିଧା ଓ ସହଜ ହୋଇ ଯାଇଥାନ୍ତା । ମାତ୍ର ସେ ଏ କ’ଣ କଲା... । ତା’ ପାଇଁ ଯେ ପ୍ରକୃତ ପକ୍ଷେ ସର୍ବୋତ୍‍କୃଷ୍ଟ ବ୍ୟକ୍ତି, ତାକୁ ନୀଚ କହିଲା, ସାରା ଦୁନିଆର ଘୃଣ୍ୟକୁ ଯେ ଭଲ ପାଇଲା ତାକୁ ତୁ କ’ଣ କଲୁ । ରଜନୀର ମନ ବୁଝୁନି । ଭାବୁଛି, ଏହା ହିଁ ତ ତାର ଭାଗ୍ୟ... । ସ୍ଵୟଂ ଧକ୍କା ଦେଇ ଦୁରେଇ ହୋଇଯିବା ଯାହା, ପାଖକୁ ଆସୁଥିବା ଲୋକକୁ ଧକ୍କା ଦେଇ ଦୂରେଇ ଦେବା ତାହା । ଫଳ ସଦୈବ ସେଇୟା ନା, ନିଜେ ଏହା ହୋଇଯିବା । ଏହା ହିଁ ତ ରଜନୀର ଭାଗ୍ୟ । ଜନମ ହେଉଣୁ ମା ଗଲା, ବାପାକୁ ଚିହ୍ନିବା ପୂର୍ବରୁ ବାପା ବି ଗଲା । ଏତେ ବଡ଼ ଏଇ ଦୁନିଆରେ ସେ ଏକ ହୋଇ ବଞ୍ଚି ଆସିଛି ଏଯାଏ ଏବଂ ବଞ୍ଚିତ ମଧ୍ୟ ।

 

ମାତ୍ର ପ୍ରକାଶ... ଏଇ ଯେ ଟଳମଳ ପାଦରେ ଏଇ ଘରୁ ଚାଲିଗଲା । କେଜାଣି ତାର ସେଇ ଅଦୃଢ଼ ପାଦ ଯୋଡ଼ିକ ତାକୁ କୋଉଠିକୁ ନେଇ ଯାଇଥିବ । ଭଗ୍ନମନ । ତାର କେଜାଣି କୋଉ ଆଡକୁ ଟାଣି ହୋଇ ଯିବ । ଯଦି କିଛି ଅଘଟଣ ଘଟେ... ଶିହରିତ ହୋଇ ଉଠିଲା ରଜନୀ... ଆଖିରୁ ଲୁହଧାର କମି ଯାଉଛି... ମନରେ ପ୍ରକାଶର ଚିନ୍ତା । ଗ୍ରାସ କରି ପକାଉଛି ରଜନୀର ମନ ମସ୍ତିଷ୍କ

 

... ଏଇ ବାବୁ ଉଠ । ଯାଅ, ରାତି ଦୁଇଟା ହେଲାଣି, ଏବେ ଆମର ବାର୍‍ ବନ୍ଦ ହେବ । ଆଦେଶ ପୂର୍ଣ୍ଣ ସ୍ଵରରେ କହୁଥିଲା ବାର୍‍ ଆଟେଣ୍ଡାଣ୍ଟ ।

 

... ଠାଏ... ଶକ୍ତ ଚାପୁଡ଼ାର ଆଘାତ ପାଇ ବିଳି ବିଳେଇ ଉଠିଲା ବାର ଆଟେଣ୍ଡାଣ୍ଟ । ମୁଁ ତୋ ବାପର ଚାକର ଶଳା...ମୋତେ କହୁଛି ଉଠୁ... ଯା ତୋ ବାପାକୁ କହିବୁ... । ମୁଁ ଏଇଠି ଶୋଇବି... ଯା... ଆ... । ମଦ ନିଶାରେ ଚୁର୍‍ ପ୍ରକାଶର ମୁହଁରୁ ଅଶ୍ଳୀଳ କଥା ସବୁ ବାହାରି ପଡ଼ୁଥିଲା ।

 

ପରିସ୍ଥିତିର ଗମ୍ଭୀତା ଦେଖି ବାର୍‍ ମ୍ୟାନେଜର ମଧ୍ୟ ଘଟଣା ସ୍ଥଳକୁ ଚାଲିଆସିଲା । ଭଦ୍ରତାପୂର୍ଣ୍ଣ କଣ୍ଠରେ କହିଲା... ଆମର ଟାଇମ୍ ହୋଇଗଲା ସାର୍ ଏବେ ଆମେ ବନ୍ଦ କରିବୁ । ଆପଣ ଯାଆନ୍ତୁ ।

 

... କାହିଁକି ଯିବି । କୁଆଡ଼େ ଯିବି । ମୁଁ ଏଇଠି ଶୋଇବି । ତମେ ତମର ବନ୍ଦ କର। ଯା... ବନ୍ଦ କର ।

 

... ଏ ବାବୁ ତମେ ଯିବକି ନାହିଁ ? ଚୌକିଦାରକୁ ଡାକିବି । ଧମକପୂର୍ଣ୍ଣ କରେ ବାର୍‍ ମ୍ୟାନେଜର କହିଲା ।

 

... ମୋତେ ଧମକ ଦେଉଛୁ । ଯା ତୁ ଯାହା କରିବାର କରି ଯା... ମୁଁ ଜମା ଯିବିନି ।

 

ଏ... ଚୌକିଦାର... ଏଇ ଅଭଦ୍ରଟାକୁ ଗେଟ୍ ବାହାରକୁ ଫିଙ୍ଗି ଦିଅତ । ଶଳା ହୋସ ତ ସମ୍ଭାଳି ପାରିବନି ଆଉ ଏତେ ପିଇବ କିଆଁ ଯେ...।

 

ଏଇ ମୋତେ ବାହାର କରନାଇଁ । ମୁଁ କୋଉଆଡ଼େ ଯାଇ ପାରିବିନି । ଏଇ ମୋତେ ବାହାର... ଏଇ... ମୋତେ ଛୁଆଁ ନାଇଁ.. ଏଇ ମୋତେ କହୁ କହୁ ବାହାଦୂର ଓ ଚୌକିଦାର ମିଶିକରି ଶୁନ୍ୟରେ ଟେକି ନେଇ ଗେଟ୍ ବାହାରେ ଠିଆ କରାଇ ଦେଲେ । ଗେଟ୍ ବନ୍ଦ କରୁ କରୁ ପୁଣି ମ୍ୟାନେଜରର ପ୍ରରୋଚନାରେ ବିଲ୍ ପାଉଣା ବାବଦକୁ ହାତରୁ ହାତ ଘଣ୍ଟାଟି ଛଡ଼ାଇ ରଖିଦେଲା ବାହାଦୂର ।

 

ନିର୍ଜନ ବଲାଙ୍ଗିର ସହରର ହୃତ୍‍ପିଣ୍ଡ । ସମ୍ବଲପୁର ସହର ଆଡ଼ୁ ଲମ୍ବି ଆସିଥିବା ରାସ୍ତା ହଠାତ୍ ଏଇ ବଲାଙ୍ଗିର ସହରର ମଧ୍ୟଭାଗଟି ବହୁଧା ବିଭକ୍ତ ହୋଇ ମାଡ଼ିଯାଇଛି ଅନେକ ଆଡ଼କୁ । ସରୁ ରାଜପଥଟିଏ ଲମ୍ବିଯାଇଛି ବଲାଙ୍ଗିର ଜିଲ୍ଲାର ଅନ୍ୟତମ ସହର ସୋନପୁର ଦେଇ ରାଜଧାନୀ ଭୁବନେଶ୍ୱର ପର୍ଯ୍ୟନ୍ତ । ଆଉ ଗୋଟିଏ ରାଜପଥ ପାଳ ଅଞ୍ଚଳ ଓ ଜଙ୍ଗଲ ମଧ୍ୟ ଦେଇ ରାସ୍ତାକାଟି ମାଡ଼ି ଯାଇଛି ରାଜପ୍ରତିଷ୍ଠିତ ପୁରାତନ ସହର ପାଟଣାଗଡ଼ ଏବଂ ସେଠାରୁ ବାଣିଜ୍ୟ କେନ୍ଦ୍ର କଣ୍ଟାବାଞ୍ଜି ଦେଇ ପଡ଼ୋଶୀ ରାଜ୍ୟ ମଧ୍ୟ ପ୍ରଦେଶର ଅନ୍ୟତମ ସହର ରାୟପୁରକୁ ସଂଯୋଗ କରିବାକୁ । ଅନ୍ୟଧାରଟି ଆଗକୁ ମାଡ଼ିଯାଇ ସଂଯୋଗ କରେ ବଲାଙ୍ଗିରର ଏକମାତ୍ର ଶିଳ୍ପପ୍ରଧାନ ଖଣ୍ଡ ଟିଟିଲାଗଡ଼ ସହ । ପ୍ରକାରାନ୍ତରରେ ଏଇ ରାସ୍ତା ସଂଯୋଗ କରେ ସଦା ପ୍ରପୀଡ଼ିତ ମରୁଡ଼ିଗ୍ରସ୍ତ ଦୁଃଖୀ ଜନ୍ମ କଳାହାଣ୍ଡି ସହ । ସାଧାରଣ ସମୟରେ ବଲାଙ୍ଗିର ସହରର ଏଇ ରାଜପଥଗୁଡ଼ିକରେ ଗାଡ଼ି ମୋଟରର ଅସମ୍ଭବ ଭିଡ଼ ସାଙ୍ଗକୁ ପଦଯାତ୍ରୀ, ସାଇକେଲ ଯାତ୍ରୀ ତଥା ମୋଟର ଚାଳିତ ଦୁଇ ଚକିଆ ଯାନ ଗୁଡ଼ିକର ଖୁବ୍ ଭିଡ଼ ଜମେ । ପ୍ରତ୍ୟେକ ଛକ ଉପରେ ରାସ୍ତାକଡ଼ରେ ଠେଲା ବାଲାଙ୍କୁ ହଟାଇ ଟ୍ରାଫିକ୍ ପାଇଁ ସୁବିଧା କଲା ବେଳେ ପୋଲିସର ଦୟନୀୟତା ଖୁବ୍ ଆମୋଦ ଦିଏ ଏଇ ସହରର ନବାଗତଙ୍କୁ ।

 

ରଜନୀର କ୍ରୂରତା ଯୋଗୁ ହେଉ ଅବା ଦୟା ଯୋଗୁଁ ହେଉ ଆଜି ରାତ୍ରିର ବିଳମ୍ବିତ ପ୍ରହରରେ ଏଇ ରାଜରାସ୍ତାଗୁଡ଼ିକ ଶୁନ୍‍ଶାନ୍ ହୋଇ ଯାଇଛନ୍ତି । ପଥପାର୍ଶ୍ୱର ଦୋକାନ ଗୁଡ଼ିକ ମଧ୍ୟ ଆଖିବନ୍ଦ କରି ଶୋଇ ଯାଇଛନ୍ତି, ମସ୍ତିଷ୍କରେ ନିଜର ପରିଚୟ ପତ୍ର ଛାପି ନେଇ । ଟଳମଳ ପାଦରେ ପ୍ରକାଶ ଆଗେଇ ଚାଲିଛି ଗୋଟିଏ ଗୋଟିଏ କରି ପାଦ ଉଠାଇ ନିର୍ଜନ ରାଜରାସ୍ତା ଉପରେ । ମଦନିଶାରେ ମୁଣ୍ଡ ଭାରି ପଡ଼ୁଛି । ପାଦ, ଦେହ, ହାତ ଅବଶ ହୋଇପଡ଼ୁଛି । ବୁକୁତଳେ ଆଦିମ ଚେତନା ଜାଗ୍ରତ ହେଉଛି । ନାକ ପାଖରେ ଚମ୍ପାଫୁଲର ଆଦିମ ବାସ୍ନା ମହ ମହ ହୋଇ ବାସି ଉଠୁଛି । ନା ତାକୁ ଆଗକୁ ଯିବାକୁ ହେବ । ନିଜ ଘରକୁ ଫେରିବାକୁ ହେବ ।

 

ଆଗେଇ ଚାଲିଛି ପ୍ରକାଶ, ଟଳମଳ ପାଦରେ । ସାମ୍ନାରେ ବସ୍‍ଷ୍ଟାଣ୍ଡ । ସେଟା ବି ଶୁନ୍‍ଶାନ୍ । ଆଗକୁ ଆଉ ଚାଲିକି ଯିବା ସମ୍ଭବ ନୁହଁ, ପ୍ରକାଶ ପକ୍ଷରେ । ବସ୍‍ଷ୍ଟାଣ୍ଡ ଆଡ଼କୁ ମୁହାଁଇଲା ହଁ ଏଇଠି ବେଞ୍ଚ ଉପରେ ଦିଘଣ୍ଟା ଶୋଇଯିବ ।

 

ରାତ୍ରିର ଏଇ ସମୟରେ ବସ୍‍ଷ୍ଟାଣ୍ଡ ଶ୍ମଶାନ ପରି ନିର୍ଜନ ବନିଯାଏ । ଓଡ଼ିଶା ସରକାରଙ୍କ କୌଣସି ବସ୍ ୨ଟା ୩୦ ମିନିଟ୍ ପରେ ଏଇ ଏଇ ଷ୍ଟାଣ୍ଡକୁ ଆସେନି । ପ୍ରକାଶ ପାଇଁ ଏ ସୁବର୍ଣ୍ଣ ସୁଯୋଗ, ମାତ୍ର ସେଠି ବେଞ୍ଚ ଉପରେ କିଏ ? ନା ଜଣେ ନୁହଁ ଦୁଇ ଜଣ... ।

 

ଏଇ କିଏ... କିଏ ତମେ... ଏଠି କ'ଣ କରୁଛ ?

 

ନା ହଲଚଲ କିଛି ନାହିଁ । ପାଖେଇ ଗଲା ବେଞ୍ଚ ପାଖକୁ । ଛାତ ଉପର ମର୍କୁରୀ ଲାଇଟ୍ ଝାପ୍‍ସା ଆଲୋକ ପ୍ରତିଫଳିତ ହୋଇ ପଡ଼ୁଛି ବେଞ୍ଚ ଉପରେ । ପ୍ରକାଶ ଦେଖିଲା, ବେଞ୍ଚ ଉପରେ ଶୋଇଛି ଜଣେ ମହିଳା । ଶ୍ୟାମଳି କିନ୍ତୁ ସୁନ୍ଦର ଗଢ଼ଣର ଚେହେରା ଭିତରେ ଅନେକ ଦୁଃଖଦ ଅନୁଭୂତିର ଚିହ୍ନ ଲିପିବଦ୍ଧ । ପାଖରେ ୩/୪ ବର୍ଷର ପିଲାଟିଏ ।

 

ପ୍ରକାଶ ଭଲକରି ଦେଖିଲା । ମୁହଁ ତା ତଳକୁ, ତା ତଳକୁ । ମନରେ ଆଦିମତାର ତାଣ୍ଡବ... ସାମ୍ନାରେ ଘୃତପିଣ୍ଡ, ଶରୀରର ପ୍ରତ୍ୟେକଟି ତନ୍ତିରେ କାମାଗ୍ନି । ହାତ ବଢ଼ାଇଲା ପ୍ରକାଶ...ଘୃତପିଣ୍ଡକୁ ଜାଳି ପକାଇବ ପ୍ରକାଶ । ଦହନ କରି ଶାନ୍ତି ପାଇବ । ହାତ ଲମ୍ବି ଯାଉଛି... ମୁହଁ... ଗାଲ...ବକ୍ଷ... ।

 

ନା କିଏ କିଏ ତୁ ଛାଡ଼ ମୋତେ । ବଳିଷ୍ଠ ପାପୁଲି ଓଠ ଉପରେ । ନିର୍ବାକ୍ ବଳିଷ୍ଠ ବାହୁ ଯୋଡ଼ିକ ଟେକି ନେଲା ଘୃତପିଣ୍ଡକୁ ବସ୍‍ଷ୍ଟାଣ୍ଡର ଅନ୍ଧାରି କୋଣକୁ । ବେଞ୍ଚ ଉପରେ ଏକା ଚାରିବର୍ଷର ବାଳକ ।

 

ଘୃତପିଣ୍ଡ ଜଳିଲା ହୁତ୍ ହୁତ୍ ହୋଇ... ଥରେ ନୁହଁ କେଜାଣି କେତେଥର... ।

 

ରଜନୀର କ୍ରୃରତା ଧିମେଇ ଆସୁଛି । ଅନ୍ଧକାର ତାଣ୍ଡବ ନର୍ତ୍ତନ କରି ଅବଶ ହୋଇ ପଡ଼ୁଛି ଧୀରେ ଧୀରେ । କଚେରୀ ବାରଣ୍ଡାରୁ ଶୁଣାଗଲା ପିତ୍ତଳ ଘଣ୍ଟାର ଶବ୍ଦ । ଜନ୍... ଜନ୍... ଜନ୍... ଚାରିଟା ବାଜିବାର ସଙ୍କେତ ।

 

ପ୍ରକାଶର ଉଦ୍ଦାମତା କମିଯାଇଛି । ନିଶା ମୁଣ୍ଡରୁ ଓହ୍ଲାଇ ଯାଇଛି ଇତି ମଧ୍ୟରେ । ପ୍ରକୃତିସ୍ଥ ହେଉଛି ଧୀରେ ଧୀରେ । ଦେଖୁଛି ପାଖରେ ସ୍ତ୍ରୀ ଲୋକଟା, ଦେହର ପୋଷାକ ଅସ୍ତବ୍ୟସ୍ତ । ସମ୍ୱିତ ଫେରି ଯାଉଛି ପଛକୁ ପଛକୁ । ନା... ନା ସେ ଏ କ’ଣ କଲା... ଏ କ’ଣ କଲା ସେ... ।

 

ତରବର ହୋଇ ଉଠିଲା । ପୋଷାକରୁ ଧୂଳି ଛାଡ଼ିଲା । ଚତୁର୍ଦ୍ଦିଗ ନିରୀକ୍ଷଣ କଲା, । ନା କେହି ଦେଖି ନାହାନ୍ତି, ଦ୍ରୁତ ପଦକ୍ଷେପରେ ଚାଲିଲା । ସିଧା ନିଜ କ୍ୱାର୍ଟରକୁ ।

***

 

‘ତିରିଶ’

 

ଯଶୋଧାରା ନର୍ସିଂହୋମ୍‍ରେ ଚହଳ ପଡ଼ି ଯାଇଛି ସକାଳୁ ସକାଳୁ । ଡକ୍ଟର ରଜନୀ ଓ ଡକ୍ଟର ମିଶ୍ରଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଯାଇଛି ଥୋକେ । ଖୁବ୍ ଆମୋଦ ଦେଇଛି ତଳିଆ ଶ୍ରେଣୀ କର୍ମଚାରୀଙ୍କୁ ଏଇ ଘଟଣାଟି । ସବୁ ତର୍କର କାରଣ ଜଣେ ମହିଳା ଓ ତାର ଚାରିବର୍ଷର ଶିଶୁପୁତ୍ର । ବଲାଙ୍ଗିର ସହରରେ ମହିଳାଟି ନୂଆ । ବଲାଙ୍ଗୀରକୁ ପ୍ରଥମ ଥର ପାଇଁ ଆସିଛି ଏବଂ ଆସି ପହଞ୍ଚୁ ବଳାତ୍କାରର ଶୀକାର ହୋଇଥିବା ମହିଳାର କେସ୍ ଗ୍ରହଣ କଲେ ନର୍ସିଂହୋମ୍‍ର ବଦନାମୀ ହୋଇପାରେ । ଏଣୁ କେସ୍‍ଟାକୁ ସରକାରୀ ଡାକ୍ତରଖାନାକୁ ପଠାଇ ଦେବା ଉଚିତ୍ ହେବ ବୋଲି ଯୁକ୍ତି କରିଥିଲେ ଡକ୍ଟର ମିଶ୍ର ।

 

ଏଇ ନର୍ସିଂହୋମ୍‍ରେ ଝାଡ଼ୁଦାର ଭାବେ ଚାକିରି କରେ ହରିରାମ୍ । ବସ୍‍ଷ୍ଟାଣ୍ଡ ପାଖ ପୋଖରୀ ହୁଡ଼ା ତଳକୁ ଜବର ଦଖଲ ଖଣ୍ଡେ ପ୍ଲଟ୍ ଉପରେ ଝାଟିମାଟିର କୁଡ଼ିଆଟିଏ । ବନେଇ ରହେ ତା’ର ସ୍ତ୍ରୀ ଓ ଦୁଇଟି ପିଲା ସହ । ନର୍ସିଂହୋମ୍‍ର ସବୁକର୍ମଚାରୀଙ୍କ ପରି ସେ ବି ଖୁବ କର୍ତ୍ତବ୍ୟପରାୟଣ । ସକାଳ ପାଞ୍ଚଟାରେ ଆସି ନର୍ସିଂହୋମକୁ ସଫା କରିବା ହେଲା ତାର କାମ । ଆଜି ସକାଳ ଚାରିଟାରେ ଉଠି ପୋଖରୀ ଆଡ଼କୁ ଯାଇଥିଲା ନିତ୍ୟକର୍ମ ସାରିବାକୁ ନିତିଦିନ ପରି । ଫେରିବା ବେଳକୁ କେହି ଜଣେ ଯୁବକ ଦେହରୁ ଧୂଳି ଝାଡ଼ି ଝାଡ଼ି ସନ୍ଦିଗ୍ଧ ନୟନରେ ଏପଟ ସେପଟକୁ ଚାହିଁ ବସ୍‍ଷ୍ଟାଣ୍ଡର ପଛପଟ ଫାଟକରୁ ବାହାରି ପୋଖରୀ ତଳ ରାସ୍ତାରେ ଚାଲି ଯିବାର ଲକ୍ଷ୍ୟ କରିଥିଲା । କିଛି ଗୋଟାଏ ଅଘଟଣ ଘଟି ଥିବାର ଆଶଙ୍କା କରି ସ୍ୱତଃ ମାଡ଼ି ଚାଲି ଯାଇଥିଲା ବସ୍‍ଷ୍ଟାଣ୍ଡ ଭିତରକୁ । ବିଶ୍ରାମ ଗୃହର କୋଣରେ ଧୂଳି ଉପରେ ଅସ୍ତବ୍ୟସ୍ତ ହୋଇ ପଡ଼ିଥିବା ମହିଳାକୁ ଦେଖି ସବୁ ବୁଝିପାରିଥିଲା । ପରେ ବେଞ୍ଚ ଉପରେ ନିଘୋଡ଼ । ନିଦରେ ଶୋଇଥିବା ଛୁଆକୁ ଉଠାଇବାରୁ ମାମା ବୋଲି କାନ୍ଦି ଖୋଜିଥିଲା ଛୁଆଟି ତାର ମାକୁ । ମାକୁ ଦେଖିଲା ପରେ ଯେତେ ହଲାଇ ଉଠାଇଲେ ମଧ୍ୟ ମା ତାର ନଉଠିବାରୁ ହରିରାମ ଜାଣି ପାରିଥିଲା ହୁଏତ ସ୍ତ୍ରୀ ଲୋକଟି ମରିଯାଇଛି ଅବା ବେହୋସ ହୋଇଯାଇଛି ହୁଏତ । ପରେ ସ୍ତ୍ରୀ ଲୋକଟିକୁ ଉଠାଇ ନର୍ସିଂହୋମକୁ ନେଇ ଯାଇଥିଲା ଛୁଆଟି ମାମା ହୋଇ ଚିତ୍କାର କରି ତାର ମୂର୍ଚ୍ଛିତ ମାକୁ କୁଣ୍ଢାଇ ବସିଥିଲା ରିକ୍‍ସାରେ ।

 

ରାତି ଡ୍ୟୁଟିରେ ଥିଲେ ମିଶ୍ରବାବୁ । ରୋଗୀକୁ ଦେଖିବା ପରେ ଏବଂ ହରିରାମ ଠାରୁ ସବୁ ବିଷୟ ଜାଣିଲା ପରେ ସିଧା ମନା କରି ଦେଲେ ଏମିତି ଗୋଟେ କେସ୍ ଗ୍ରହଣକରିବାକୁ ଯେଉଁଥିରେ କି ନାନା ପ୍ରକାର ଝଞ୍ଜଟ ଦେଖାଦେବ । ହତାଶ୍ ହୋଇ ଫେରି ଯାଉଥିଲେ ହରିରାମ । ସାମ୍ନାରୁ ଆସୁଥଲେ ଡକ୍ଟର ରଜନୀ । ପେସେଣ୍ଟଟିଏ ଫେରି ଯାଉଥିବା ଲକ୍ଷ୍ୟ କରି ଚକିତ ହେଲେ-। ହରିରାମକୁ ଡାକି ପେସେଣ୍ଟକୁ ଇଣ୍ଟେନସିବ୍ କେୟାର ୟୁନିଟ୍‍କୁ ନେଇଯିବାକୁ ଆଦେଶ ଦେଲେ । ମାତ୍ର ନଛୋଡ଼ବନ୍ଧା ଡକ୍ଟର ମିଶ୍ର । ତାଙ୍କର ଏକମାତ୍ର ଯୁକ୍ତି ଦିସ୍ ମ୍ୟାଟର୍ ଇଜ୍ ଫୁଲ୍ ଅଫ୍ ଲିଟିଗେସନ୍... ଆମେ କାହିଁକି ଏତେ ରିସ୍କ ନେବା ।

 

ଦେଖନ୍ତୁ ଡକ୍ଟର ମିଶ୍ର... ଆମେ ଡାକ୍ତର । ରୋଗୀର ଜୀବନ ଆମ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ବାକି କଥା ମୁଁ ଜାଣିନି । ଈଶ୍ଵରଙ୍କ ଯାହା ଇଚ୍ଛା ତାହା ହିଁ ହେବ । ଜଣେ ରୋଗୀଙ୍କୁ ମୁମୂର୍ଷୁ ଅବସ୍ଥାରେ ଏମିତି ଡାକ୍ତରଖାନାର ବାରଣ୍ଡାରୁ ଫେରାଇ ଦିଆଯାଏନା ଯାଅ ହରିରାମ, କମ୍ପାଉଣ୍ଡର, ନର୍ସଙ୍କୁ କହ, ୟାକୁ ଇଣ୍ଟେନସିବ୍ କେୟାର ୟୁନିଟ୍‌କୁ ନେଇଯିବେ । ମୁଁ ନିଜେ ୟାକୁ ପରୀକ୍ଷା କରିବି।

 

....ଦେଖନ୍ତୁ ରଜନୀ... ଆମେ ଅନ୍ତତଃ ଡକ୍ଟର ବହିଦାରଙ୍କୁ ଏବିଷୟରେ ଜଣାଇବା ଉଚିତ୍ ହେବ ।

 

.. ମୁଁ ସବୁ ଜାଣି ସାରିଲିଣି, ଡକ୍ଟର ମିଶ୍ର । ୱେଲଡନ୍ ଡକ୍ଟର ରଜନୀ ବ୍ରେଭ୍‍... ଯାଅ, ଆଗେଇ ଯାଅ । ଡକ୍ଟର ମିଶ୍ର ଆଗ କାମ, ଫଳାଫଳ ପଛକଥା । ଅଫିସ୍ କୋଠରୀରୁ ବାହାରି ଆସି ଡକ୍ଟର ବହିଦାର କହିଲେ । କେଜାଣି କେତେବେଳୁ ସବୁକଥା ଶୁଣୁଥିଲେ । ବିମାନ ଦୁର୍ଘଟଣା ହେବା ପରଠାରୁ ବହିଦାର ବାବୁ ଏଇ ଅଫିସ ଘରେ ରହନ୍ତି । ବହିଦାର ଇଷ୍ଟକୁ କେବେ ଯାଆନ୍ତି ନାହିଁ । ବହିଦାର ଇଷ୍ଟର ଜିମା ରାମୁକାକା ହାତରେ।

 

ଏଇ ମାତ୍ର ହୋସ୍ ଫେରିଛି ମହିଳାଟିର, ପୁଅକୁ ତାର ଖୋଜୁଛି । ଆଦେଶ ଦେଲେ ରଜନୀ ପୁଅକୁ ଆଣିବାକୁ । କ୍ଷତଗୁଡ଼ିକରେ ସଦ୍ୟ ବ୍ୟାଣ୍ଡେଜ କରାଯାଇଛି ।

 

... ଯାହା ହେବାର ଥିଲା ତାହା ହୋଇଗଲା ଭଉଣୀ । ଏବେ ପଛ କଥା ଭୁଲିଯାଅ । ମୋତେ କହିଲ ତୁମେ କିଏ ? ତୁମ ନା କ’ଣ ? ସହାନୁଭୂତିର ସହ କପାଳରେ ହାତ ରଖି ପଚାରିଲା ରଜନୀ । ସହାନୁଭୂତି ଓ ରଜନୀର କଥାରୁ ଆମ୍ଭୀୟତା ଉପଲବ୍ଧ କରି ଆଶ୍ୱସ୍ତି ଲାଭ କଲା ମହିଳାଟି । .... ମୁଁ ଖୁବ ଦୁଃଖିଆରୀ ଭଉଣୀ । ସର୍ବଦା ବଡ଼ ବଡ଼ ଆଶାର ମୀନାର ତୋଳୁ ତୋଳୁ ମୁହଁମାଡ଼ି ତଳେ ପଡ଼ିଛି ମୁଁ । ଟିକିଏ ସୁଖ ପାଇଲେ ଖୁବ୍ ବଡ଼ ଆଶାଟାଏ କରି ପକାଏ ମାତ୍ର ପର ମୁହୂର୍ତ୍ତରେ ପୁଣି ତଳେ ପଡ଼ି ମାଟି କାମୁଡେ ।

 

... ତୁମ ନା କ’ଣ ?

... କ’ଣ ପାଇବ ଜାଣିକି ଭଉଣୀ ?

... ଆଛା କହିଲ ତୁମ ଘର କେଉଁଠି ?

... କୋଉ ଘର କଥା କହିବି, ବାପଘର କେନ୍ଦୁଝରର ଶିରିଷପାଳ ଗାଁରେ । ଶ୍ୱଶୁର ଘର ରାଜଗାଙ୍ଗପୁର ଓଡ଼ିଶା ସିମେଣ୍ଟ ଲିମିଟେଡର କଲୋନୀରେ ।

... ଭଲ ହୋଇଗଲେ କୋଉଠିକି ଯିବାକୁ ଚାହିଁବ ?

... ବାପ ଘରେ ବାହାଘର ବେଳକୁ ବୁଢ଼ା ବାପକୁ ଛାଡ଼ି ଯାଇଥିଲି । ବର୍ଷକ ପରେ ଯେବେ ଏଇ ପୁଅ ଦୁନିଆ ଦେଖିବାକୁ ହମ ହମ ହେଉଥିଲା, ହସ୍ପିଟାଲ ବେଡ଼ରେ ପଡ଼ି ଯେବେ ଗର୍ଭ ବେଦନା ସହୁଥିଲି ସେତେବେଳେ ଖବର ପାଇ ଆମର ୟାର ବାପା ଯାଇ ମୋ ବାପାର ଅତ୍ୟେଷ୍ଟି କ୍ରିୟା କରି ଆସିଥିଲେ । ବେସାହାରା ବାପା ମୋର ରୋଗରେ ପଡ଼ି ବିନା ଔଷଧରେ ଗଡ଼ି ଗଡ଼ି ମରିଗଲା ହେଲେ ସ୍ଵାଭିମାନରେ କାହାରି କିଛି ଦାନକୁ ଗ୍ରହଣ କରିଲା ନାଇଁ । କହୁ କହୁ ଆଖିରୁ ଲୁହ ପୋଛିଲା ।

... ତେବେ ରାଜଗାଙ୍ଗପୁରକୁ ଯିବତ । କାନ୍ଦନି, ସେଠାକୁ ପହଞ୍ଚାଇବାର ସବୁ ସୁବିଧା ମୁଁ କରି ଦେବି, ବ୍ୟସ୍ତ ହୁଅନି । ରାଜଗାଙ୍ଗପୁରରେ ବି ଆଉ ମୋର କିଛି ନାହିଁ ଭଉଣୀ । ସେମାନେ ମୋର ସବୁକିଛି ହରିନେଲେ ଭଉଣୀ । ମୋତେ ଖାଲି ହାତ କରି ତଡ଼ି ଦେଲେ । ସେଠିକି ଆଉ କାହିଁକି ଫେରିବି ?

... ତେବେ ! ! !

... ମୋର ଆଉ କେହି କୋଉଠି ନାହାନ୍ତି । ଏ ଦୁନିଆରୁ ଉଠିଯାନ୍ତି ହେଲେ ଏଇ ଚାରିବର୍ଷର ଛୁଆର ମୁହଁଟା ଦେଖିକି ପଡ଼ି ରହୁଛି । ତୁମେ ବ୍ୟସ୍ତ ହୁଅନି ଭଉଣୀ, ଟିକିଏ ସାଷ୍ଟାମ ହେଲେ ମୁଁ ଚାଲିଯିବି ।

... ତୁମ ନାଁଟା କହିଲନି ତ...

... କ’ଣ ଖାତାରେ ଲେଖିବ... ଲେଖିଦିଅ, ମୋ ନା... ଆଛା ଆପଣ ବଲାଙ୍ଗିରର ମାଇନିଂ ଅଫିସର ପ୍ରକାଶ କୁମାରଙ୍କୁ ଜାଣନ୍ତି ?

.... ପ୍ରକାଶ କୁମାର । ହିଁ ତାଙ୍କୁ ତ ଭଲ କରି ଜାଣିଛି । ତୁମେ ତାଙ୍କୁ କେମିତି ଜାଣିଛ ?

... ସେ କେଉଁଠି ରହନ୍ତି, ମୋତେ ଟିକିଏ କହନ୍ତୁନା ଦୟାକରି ।

... ହେଲେ ତୁମେ ତାଙ୍କୁ କେମିତି ଜାଣିଛ ଯେ... ।

... ଏଇନେ ପଚାରୁଥିଲ ନା, ମୁଁ କୋଉଠିକି ଯିବାକୁ ଚାହେଁ ବୋଲି । ମୁଁ ତାଙ୍କ ପାଖକୁ ଯିବାକୁ ଚାହେଁ ଭଉଣୀ, ମୋତେ ତାଙ୍କ ପାଖକୁ ନେଇ ଦିଅନ୍ତୁ ନା ଦୟାକରି ।

... ହଁ ହଁ ପହଞ୍ଚାଇ ଦେବା । ସେ ଏଠିକି ଆସନ୍ତି ମଝିରେ ମଝିରେ । ପ୍ରାୟ ପ୍ରତିଦିନ ଆସନ୍ତି । ଆଜି ଆସିଲେ ତୁମ କଥା କହିଦେବି । ଏବେ ତୁମେ ବିଶ୍ରାମ ନିଅ ।

***

 

Unknown

‘ଏକତିରିଶ’

 

ଭୁଲ ସବୁ ମଣିଷ କରନ୍ତି । ପରବର୍ତ୍ତୀ ସମୟରେ କେତେକ ଭୁଲକୁ ବୁଝିପାରନ୍ତି । କେତେକ ନିଜର ଭୁଲକୁ ଠିକ୍ ବିଚାରନ୍ତି ଆଉ କେତେକ ନିଜର ଭୁଲକୁ ଭୁଲ ବୋଲି ଜାଣିଲା ପରେ ବି ଛଳନା କରି ନିଜର ଭୁଲକୁ ଘଣ୍ଟ ଘୋଡ଼ାଇବାକୁ ଚେଷ୍ଟାକର ଅନେକଗୁଡ଼ିଏ ଭୁଲ କରି ଚାଲନ୍ତି ଗୋଟିଏ ପରେ ଗୋଟିଏ କରି । ଯେ ଭୁଲକୁ ବୁଝିପାରି ସୁଧାରି ନିଅନ୍ତି, ପଶ୍ଚାତାପ କରି ଭୁଲର ଦାଗକୁ ଧୋଇବାକୁ ଚେଷ୍ଟା କରନ୍ତି, ସେମାନେ ହିଁ ପ୍ରକୃତ ମଣିଷ । ଯିଏ ନିଜର ଭୁଲକୁ ଠିକ ଭାବେ ତାକୁ ବିଜ୍ଞ ଲୋକେ କହନ୍ତି ବେଇମାନ ବା ଅବିବେକୀ । ଆଉ ଯିଏ ଭୁଲ କରି ଭୁଲକୁ ଘଣ୍ଟଘୋଡ଼ାଇବା ପାଇଁ ଭୁଲିର ପୁନରାବୃତ୍ତି କରନ୍ତି ସେମାନେ ହିଁ ସବୁଠାରୁ ଭୟଙ୍କର । ଜୀବଜଗତ ବିଶେଷ କରି ମନୁଷ୍ୟ ସମାଜ ପାଇଁ ଏଇମାନେ ହାନିକାରକ।

 

ପ୍ରକାଶ ଭୁଲ କରିଛି । ଭୁଲକୁ ବୁଝି ପାରିଛି । ହୃଦୟଙ୍ଗମ କରିଛି, ଏବେ ପଶ୍ଚାତାପ କରୁଛି । ରଜନୀର ସାମ୍ନା କରିବାକୁ ଛାତି ତାର ଥରି ଉଠୁଛି । ତଥାପି ତାକୁ ଯାଇ ରଜନୀଠାରୁ କ୍ଷମା ପ୍ରାର୍ଥନା କରିବାକୁ ପଡ଼ିବ ।

 

ଜୀବନର ପଥ କେଡ଼େ ଦୁର୍ବୋଧ । କେତେ ଖାଲ ଢିପର ସମିଶ୍ରଣ । ପଥ ଚାଲୁ, ଚାଲୁ କିଏ କେବେ ଖାଲରେ ପଡ଼ିଯାଇ ସମସ୍ତଙ୍କର ଦୃଷ୍ଟିରେ ନୀଚ ବନିଯାଏ ତ କିଏ କେବେ ଢିପର ଶିଖରରେ ଠିଆ ହୋଇ ସବୁଠୁ ଗରୀୟାନ ହୋଇଯାଏ । ଏହା ହିଁ ତ ନିୟତିର ବୈଚିତ୍ରୀ । ସାରା ମନୁଷ୍ୟ ସମାଜ ଦିନେ ଘୃଣା କରୁଥିଲା ରଜନୀକୁ ସେତେବେଳେ ପ୍ରକାଶ ଥିଲା ଶିଖରରେ । ସୁନ୍ଦର ସୌମ୍ୟ ଯୁବକ, ପ୍ରଜ୍ଞା ବଳରେ ଉଚ୍ଚ ପଦାଧିକାରୀ, ବ୍ୟବହାରରେ ଶିଷ୍ଟତା, ଚାଲିଚଳନ ମାର୍ଜିତ । ସମସ୍ତଙ୍କର ପ୍ରିୟ, ସମସ୍ତଙ୍କର ଆଦର୍ଶ ବ୍ୟକ୍ତିତ୍ୱ । ଜୀବନର ରାସ୍ତା ଚାଲୁ ଚାଲୁ ମାତ୍ର କେଇଟା ବର୍ଷର ବ୍ୟବଧାନରେ ପ୍ରକାଶ ପଡ଼ିଗଲା ଖାଲରେ । ଆଜି ପ୍ରକାଶ ଯାଉଛି ରଜନୀ ପାଖକୁ କ୍ଷମା ପ୍ରାର୍ଥନା କରିବା ପାଇଁ । ତାର କୃତ କର୍ମ ଭୁଲ ପ୍ରମାଣିତ ହୋଇଛି ।

 

କ୍ୱାର୍ଟରର ଦ୍ୱାର ସମ୍ମୁଖରେ ଠିଆ ହୋଇ କଲିଂବେଲ୍‍ରେ ହାତ ଦେଲା । ଅଳ୍ପକ୍ଷଣ ପରେ କବାଟ ଖୋଲିଲା ଅଥଚ ସାମ୍ନାରେ ରଜନୀ ବଦଳରେ ତାର ଚାକରାଣୀ ମାୟା...।

 

... ଦିଦି ନାହାନ୍ତି... ହାସ୍‍ପାତାଲରେ ଅଛନ୍ତି ।

 

ହାତ ଘଡ଼ି ଦେଖିଲା ପ୍ରକାଶ । ସମୟ ସନ୍ଧ୍ୟା ସାଢ଼େ ସାତଟା । ତାଙ୍କର ତ ଆଜି ମର୍ଣ୍ଣି ସିଫ୍ଟ ଡ୍ୟୁଟି ଥିଲା । ଏମିତି ଏକ ସମୟରେ ହସ୍ପିଟାଲରେ କେମିତି... ନା ଆଉ ପ୍ରଶ୍ନ କରି ଲାଭ ନାହିଁ । ପାଦ ଉଠାଇ ମୁହାଁଇଲା ନର୍ସିଂହୋମର ମୁଖ୍ୟ ଦରଜା ଆଡ଼କୁ ।

 

ବାରଣ୍ଡା ଉପରେ ଠିଆ ହୋଇଥିବା ଆଟେଣ୍ଡାଣ୍ଟଜଣକର ନମସ୍କାରର ପ୍ରତ୍ୟୁତ୍ତର ଦେଉ ଦେଉ ପ୍ରଶ୍ନ କଲା ଡକ୍ଟର ରଜନୀ କୋଉଠି ଅଛନ୍ତି ।

 

.., ଡକ୍ଟର ସିଂହଙ୍କ ସହ ଅପରେସନ ଥିଏଟରରେ । ଗୋଟେ ସିରିଅସ୍ ଆପେଣ୍ଡିସାଇଟିସ୍ କେସ୍ ।

 

... କେତେ ବେଳୁ ଆରମ୍ଭ ହେଲାଣି ?

 

... ପ୍ରାୟ ଘଣ୍ଟାଏ ହେବ ।

 

... ଓଃ, ଧୀର ପଦକ୍ଷେପରେ ଡକ୍ଟର କ୍ୟାବିନ୍ ଆଡ଼କୁ ମୁହାଁଇଲେ ପ୍ରକାଶ । ମୁଣ୍ଡ ତଳକୁ କରି ଭାବି ଚାଲିଛି, କି ଭାଷାରେ କ୍ଷମା ପ୍ରାର୍ଥନା କରିବ । ରଜନୀର ତାତ୍ସଲ୍ୟର ହସ କିପରି ସହିବ-? ତାର ଆକ୍ଷେପ ଉକ୍ତି ସହି ପାରିବତ ? ମନରେ ଅନେକ ଭାବନା । ଆତ୍ମବଳ କ୍ରମେ କମି ଯାଉଛି । ମୁଣ୍ଡ ବେଶୀ ନଇଁ ପଡୁଛି । ଅଳ୍ପ କ୍ଷଣ ପରେ ଯୋଉ ଝଡ଼ ଆସିବ ସେଥିରେ ହୁଏତ ସେ ବୋହି ଯାଇ ନିଶ୍ଚିହ୍ନ ହୋଇଯିବ ।

 

... ଓଃ ପ୍ରକାଶ ବାବୁ... ମୁଁ ଆପଣଙ୍କୁ କେତେ ଖୋଜୁଥିଲି । ଆସନ୍ତୁ ଆସନ୍ତୁ ।

 

ମୁଣ୍ଡ ଉଠାଇ ଦେଖିଲା ପ୍ରକାଶ । ସାମ୍ନାରେ ରଜନୀ, ଅପରେସନ ଥୁଏଟରରୁ ବାହାରି ଟର୍କିସରେ ହାତ ପୋଛି ପୋଛି ଆଗେଇ ଆସୁଛି । ସିଂ ବାବୁ ରୋଗୀର ଅବସ୍ଥା ବିଷୟରେ ବାହାରେ ଅପେକ୍ଷା କରିଥିବା ଶୁଭାକାଂକ୍ଷୀମାନଙ୍କୁ ସୂଚନା ଦେଉଛନ୍ତି ।

 

ପ୍ରକାଶ ଦେଖିଲା ରଜନୀକୁ । ମୁଖମଣ୍ଡଳରେ ସ୍ୱାଭାବିକ ମୁଦ୍ରାର ଗମ୍ଭୀରତା, ଭାବଭଙ୍ଗୀରେ ଲେଶମାତ୍ର ତିକ୍ତତା ନାହିଁ । ଅଜବ ଏଇ କର୍ମ ଯୋଗୀଙ୍କର ବ୍ୟକ୍ତିତ୍ଵ, କର୍ମ କ୍ଷେତ୍ରରେ ଏମାନଙ୍କର ଅନ୍ତରରେ କର୍ମ ଚେତନା ବ୍ୟତୀତ ଆଉ କୌଣସି ଭାବନା ନଥାଏ । ହୃଦୟରେ ଅନ୍ୟ କୌଣସି ପ୍ରକାର ସମ୍ବେଦନ ନଥାଏ । କୋଉ କର୍ମରେ ସଫଳହେଲେ ଖୁସି ହୁଅନ୍ତି ନି କି ବିଫଳ ହେଲେ ଦୁଃଖ କରନି । ରଜନୀ ଆଗକୁ ବଢ଼ି ଆସୁଛି । ପ୍ରକାଶ ସେଇଠି ଠିଆ ହୋଇଛି ନିର୍ବାକ୍ ଭାବରେ ଲକ୍ଷ୍ୟ କରୁଛି ରଜନୀକୁ । ଡକ୍ଟର୍ସ କେବିନ ପାର ହୋଇ ଏଇ ଆଡକୁ ମାଡ଼ି ଆସୁଛି ରଜନୀ ।

 

...ଆସନ୍ତୁ ଆପଣଙ୍କୁ ଜଣେ ପେସେଣ୍ଟ ଖୋଜୁଛନ୍ତି ।

 

..., ବୁଝି ପାରିଲାନି ପ୍ରକାଶ । ଆଗ ପଛକୁ ଚାହିଁଲା ପରେ ଜାଣିଲା ରଜନୀ ତାରି ଉଦ୍ଦେଶ୍ୟରେ କହୁଛି । ତାକୁ ଜଣେ ପେସେଣ୍ଟ ଖୋଜୁଛି... କିଏ ହୋଇପାରେ... ।

 

... ଆଗରେ ଚାଲିଛି ଶୁଭ୍ରବସନା କର୍ମଯୋଗିନୀ ଡାକ୍ତର ରଜନୀ, ପଛରେ ମୁଣ୍ଡ ନୁଆଁଇ ଧୀର ପଦକ୍ଷେପରେ ପ୍ରକାଶ ଅପରାଧୀଟିଏ ପରି । ମସ୍ତିଷ୍କରେ ଗୋଟିଏ ଭାବନା, କେଉଁ ଶବ୍ଦ ଯୋଗେ କ୍ଷମାଯାଚନା କରିବ ସେ ।

 

ରଜନୀ, ଇଣ୍ଟେନସିବ୍ କେୟାର ୟୁନିଟ୍‍ର ଦରବାଜା ଖୋଲି ଭିତରେ ପ୍ରବେଶ କଲା । ଗୋଟିଏ ଖଟ ପାଖକୁ ଯାଇ ଠିଆ ହେଲା । ଦରବାଳା ପାଖରେ ପ୍ରକାଶ । ଖଟ ଉପରେ ଶୋଇଥିବା ରୋଗିଣୀଟିକୁ ଲକ୍ଷ୍ୟ କଲା । ଶ୍ୟାମଳୀ, ଗୋଲ ମୁହଁ, ସୁନ୍ଦର ଗଢ଼ଣ । କୋଉଁଠି ଦେଖୁଛି ୟାକୁ... କାଲି ରାତିରେ... ଓଃ ନା...ନା ।

 

ବିଜୁଳିର ତାର ଛୁଇଁ ଯାଉଛି ପ୍ରକାଶକୁ । ହଜାର ସଂଖ୍ୟାରେ ବିଛା କାଟୁଛନ୍ତି ଏକା ସାଥରେ ମସ୍ତିଷ୍କରେ । ନା ଏଠି ସେ ରହି ପାରିବନି । ଏମିତି ବ୍ୟକ୍ତିର ସାମ୍ନା ସେ କରି ପାରିବନି । ଦୃତ ପଦକ୍ଷେପରେ କବାଟ ପାଖରୁ ହିଁ ଫେରିଗଲା ପ୍ରକାଶ । ମୁଖ୍ୟ ଦରବାଜା ପାର ହୋଇ ମିଳାଇଗଲା ରାଜରାସ୍ତାର ଜନସୁଅରେ।

 

... ଦେଖ ଭଉଣୀ, ତୁମର ପ୍ରକାଶ ବାବୁ ଆସିଛନ୍ତି । ଆସନ୍ତୁ ପ୍ରକାଶ ବାବୁ... ଆରେ ପ୍ରକାଶ ବାବୁ କାହାନ୍ତି... ଖୋଜିଲା ନଜରରେ ଚାରି ଆଡ଼କୁ ଦେଖି ପ୍ରଶ୍ନ କଲା... ଉତ୍ତର ଦେବାକୁ କେହି ନାହାନ୍ତି ।

 

... କାହାରି କାହାରି ପ୍ରକାଶ ବାବୁ।

 

... ଏଇତ ମୋ ପଛରେ ଆସୁଥିଲେ। କେଜାଣି କୁଆଡ଼େ ଚାଲିଗଲେ ।

 

... ଏବେ ଯେ କବାଟ ପାଖରେ ଥିଲେ ସେ ପ୍ରକାଶ ବାବୁ । ଓଃ ଭଗବାନ...

 

... ତୁମେ ତାଙ୍କୁ ଦେଖିଛ । କୁଆଡ଼େ ଗଲେ ସେ... କ’ଣ ହେଲା ଭଉଣୀ, ତୁମେ ଏତେ ନିରବ ହୋଇଗଲ କାହିଁକି ? କ’ଣ ହେଲା ତୁମର... କ'ଣ ହେଲା ଭଉଣୀ ।

 

... ମୋତେ ଏକୁଟିଆ ରହିବାକୁ ଦିଅନ୍ତୁ । ଦୟାକରି.... ..... ଠିକ୍ ଅଛି । ବିଶ୍ରାମ ନିଅ....

***

 

‘ବତିଶ’

 

ପ୍ରକାଶର ମୁଣ୍ଡ ଚରଖା ପରି ଘୂରୁଛି ।

 

ସମୟର ସୁଅ ତାକୁ କୁଆଡ଼କୁ ଠେଲି ନେଉଛି ୟେ । କ’ଣ ଆଗକୁ ଅଛି, ତା ହାତରେ କିପରି ସଙ୍ଗିନ ଅପରାଧମାନ ହୋଇଯାଉଛି । ସେ କିପରି ବିବେକଶୂନ୍ୟ ହୋଇପଡ଼ୁଛି ବେଳୁ ବେଳ ।

 

ନିୟତି ତାକୁ ଆଉ କେତେ ତଳକୁ ଖସାଇ ?

 

ସେ ଯାହାକୁ ନିଜ ପଶୁତ୍ଵର ଶୀକାର କରି ଯାଇ ସର୍ବସ୍ୱ ହରିଲା, ବଳାତ୍କାର କରି ପାଶବିକ କ୍ଷୁଧା ମେଣ୍ଟାଇଲା, ସେ ତାକୁ ଜାଣିଛି । ତା’ ସହ ଦେଖା କରିବାକୁ ଚାହୁଁଛି । ମୁଣ୍ଡ କ’ଣ ହୋଇ ଯାଉଛି ପ୍ରକାଶର । ସେ କିଏ ? ତାକୁ କିପରି ଜାଣିଲା ?

 

ସୁନ୍ଦର ଗଢ଼ଣର ଚେହେରା । ଶ୍ୟାମଳ ରଙ୍ଗ, ଆଖି ଯୋଡ଼ିକରେ ସରଳତା । ତାକୁ କୋଉଠି ଦେଖିଲା ଭଳି ଲାଗୁଛି । ମନ ବି କହୁଛି ସେ ବହୁ ଦିନର ପୁରୁଣା ପରିଚିତା ମହିଳାଟିଏ । ତେବେ କିଏ ସେ ? ମୋ ଠାରୁ କ’ଣ ଚାହେଁ ? କି ମୋ ଉପରେ ପଶୁତ୍ୱ ସବାର ହୋଇଥିଲା ବେଳେ ମୋ ଚେହେରା ଭଲ କରି ଦେଖି ନେଇଛି ? ହୁଏତ ଚେହେରା ବତାଇ ମୋ ଠିକଣା ହାସଲ କରିଥିବ ଏବଂ ଏବେ କ୍ଷତିପୂରଣ ମାଗିବାପାଇଁ ମୋ ସହ ଦେଖା କରୁଥିବ। ମାତ୍ର ନର୍ସିଂହୋମ୍ ଯାଇଥିଲା ବେଳେ ତ ତା ଆଖି ସହ ମୋ ଆଖି ମିଳିଯାଇଥିଲା, ସେ ଭଲକରି ମୋତେ ଦେଖିଥିଲା, ସେତେବେଳେ ଚିତ୍କାର କରି କହି ପାରିଥାନ୍ତା ଏଇ ସେ ପଶୁ... ଏଇ ସେଇ ବେଇମାନ... ନା ସେ ଅନ୍ଧାରରେ ଭଲକରି ତାକୁ ଚିହ୍ନି ପାରିନି । ତେବେ ସେ କାହିଁକି ତାକୁ ଦେଖା କରିବାକୁ ଚାହୁଁଛି ?

 

ଓଃ ଦୁର୍ବୋଧ୍ୟ ।

 

କଲିଂ ବେଲ୍‍ର ମୃଦୁ ଶବ୍ଦ ଚିନ୍ତାର ଅବସାନ ଘଟାଇଲା । ପ୍ରକୃତିସ୍ଥ ହୋଇ କବାଟ ଖୋଲିଲା ପ୍ରକାଶ । ସାମ୍ନାରେ ନର୍ସିଂହୋମର ଚୌକିଦାର ରାମ ଭୂପ ସିଂ । ଅଣ ଓଡ଼ିଆ ।

 

... ଦିଦି ଆପନକୁ ବୁଲାଇଛନ୍ତି । ଜଲଦି ଅଭି ଚାଲନ୍ତୁ । ନର୍ସିଂହୋମରେ ସମସ୍ତେ ରଜନୀକୁ ଦିଦି ବୋଲି ଡାକନ୍ତି ବୋଲି ପ୍ରକାଶ ଜାଣେ । ବୁଝିବାକୁ ଡେରି ଲାଗିଲାନି ।

 

...ଠିକ୍ ଅଛି ଚାଲ, ମୁଁ ଯାଉଛି ।

 

କ୍ୱାର୍ଟର ସାମ୍ନାର ବଗିଚାରେ ବସିଥିଲା ରଜନୀ । ସାମ୍ନାରେ ଆଉ ଦୁଇଟି ଖାଲି ଚୌକି ।

 

ସନ୍ତର୍ପଣରେ ଗେଟ୍ ଖୋଲି ଭିତରେ ପ୍ରବେଶ କଲା ପ୍ରକାଶ । ରଜନୀ ପଛକୁ ମୁହଁ ପୂରାଇ ଚାହିଁଲା । ହାଲ୍‍କା ହସଧାରେ ଓଠରେ ଖେଳାଇ ସ୍ୱାଗତ ଜଣାଇଲା । ମାତ୍ର ପ୍ରକାଶ ଆଖିରେ ଆଖି ମିଶାଇ ପାରିଲା ନାହିଁ । ମୁଣ୍ଡ ନଇଁଗଲା, ଧୀର ପଦକ୍ଷେପରେ ପାଖକୁ ଯାଇ କହିଲା...

 

ଆଇ ଆମ୍ ଭେରି ସରି । ଗତ ରାତିର ଘଟଣା ପାଇଁ ମୁଁ ଭାରି ଦୁଃଖିତ । ପ୍ଲିଜ ମୋତେ କ୍ଷମା କରିଦିଅ ।

 

ଓ ପ୍ରକାଶ ବାବୁ ଛାଡ଼ନ୍ତୁ ନା । ଆସନ୍ତୁ ବସନ୍ତୁ ନା ସାମ୍ନା ଚେୟାର ଆଡ଼କୁ ଇଙ୍ଗିତ କରି କହିଲା ରଜନୀ । କିଂକର୍ତ୍ତବ୍ୟବିମୂଢ଼ ପ୍ରକାଶ, ବାଧ୍ୟ ଶିଶୁଟି ପରି ବସି ପଡ଼ି କହିଲା ମୁଁ ମୋ କୃତ କର୍ମର ପ୍ରାୟଶ୍ଚିତ କରିବାକୁ ଚାହେଁ ରଜନୀ । ମୋତେ କ୍ଷମା କରିଦିଅ ନଚେତ୍ ମୋତେ ଦଣ୍ଡ ଦିଅ-

 

ରିଲାକ୍ସ ପ୍ରକାଶ ବାବୁ । ରିଲାକ୍ସ ଆସନ୍ତୁ ଆପଣଙ୍କୁ ମୁଁ କାହାଣୀଟିଏ କହୁଛି । ଶୁଣିବେ... ଶୁଣନ୍ତୁ ମନର ଭାର ହାଲୁକା ହୋଇଯିବ । ବାଧ୍ୟ ଶିଶୁଟିଏ ପରି ଶାନ୍ତ ପ୍ରକାଶ ।

 

ଘଟଣାଟା ଆରମ୍ଭ ହୁଏ କେନ୍ଦୁଝର ସହର ତଳି ଏକ ଗାଁରୁ । ସେଇ ଗାଁରେ ଥାଏ ଜଣେ ସୁକୁମାର ସୌମ୍ୟ ଯୁବକ । ନିଜ ରାଜ୍ୟରେ ତଥା ବାହାର ରାଜ୍ୟରେ ରହି ପାଠ ପଢ଼ି ପଢ଼ୁଆ ହୋଇ ଫେରେ । ସେଇ ଗାଁରେ ଥାଏ ଗୋଟିଏ ସୁନ୍ଦର ଅଧା ପାଠୋଇ ସରଳା ଝିଅ । ଗୃହ କର୍ମରେ ନିପୁଣା, ଚାଲିଚଳନରେ ମାର୍ଜିତା, ସବୁଥିରେ ଭରପୁର ମାତ୍ର ଗରିବ । ପୁଅର ବାପା ମା ତାକୁ ଖୁବ୍ ପସନ୍ଦ କରନ୍ତି । ତାକୁ ବୋହୁ କରିବାକୁ ଚାହାନ୍ତି । ଝିଅ କାନରେ ତଥା ତାର ବୁଢ଼ା ବାପାର କାନରେ ଏକଥା ପଡ଼େ । ଖୁସିରେ ନାଚି ଉଠନ୍ତି ଦୁହେଁ । ମାତ୍ର ପୁଅ ଦରପାଇ ଝିଅର ହାତ ଗ୍ରହଣ କରିବାକୁ ମନା କରିଦିଏ । ବାପ ଝିଅର ଖୁସିର ଜୁଆରରେ ଭଟ୍ଟା ପଡ଼େ । ସ୍ଵାଭିମାନୀ ଗରିବ ବୁଢ଼ା ବାପ ସେଇ ବର୍ଷ, ପିଲାଟିଏ ଖୋଜିଆଣି ଝିଅର ବିବାହ କାମ ଉଠାଇ ଦେଇ ଶାନ୍ତ ହୋଇଯାଏ । ଶାନ୍ତିରେ ନିଶ୍ୱାସ ନେଉ ନେଉ ବର୍ଷକ ପରେ ସବୁଦିନ ପାଇଁ ଶାନ୍ତ ହୋଇଯାଏ ସ୍ଵାଭିମାନୀ ଗରିବ ବୁଢ଼ା ।

 

ଝିଅ, ଆମ ଗପର ନାୟିକା, ତାର ହାତ ଧରିଥିବା ଲୋକଟିର ଚରିତ୍ର ଆଗରୁ ଜାଣି ଭୟଭୀତ ହୋଇଥାଏ । ମଦୁଆ, ବେଶ୍ୟାସକ୍ତ ଯୁବକର ହାତ ଧରି କେମିତି କାଟିବ ଏତେ ଲମ୍ବା ଜୀବନ ବୋଲି ଭାବି ମ୍ରିୟମାଣ ହୋଇଯାଉଥାଏ । ମାତ୍ର ଯୁବକ ସହ କେତୋଟି ଦିନ କାଟିଲା ପରେ ତାର ସବୁ ଦୁଶ୍ଚିନ୍ତା ଦୂରେଇ ଯାଏ । ମନର ଭୟ କଟିଯାଏ । ସଦା ପ୍ରେମ ଭୂଖା ଯୁବକଟିକୁ ନିଜର ତନୁମନ ଅର୍ପଣ କରି ତନ୍ତ୍ରୀ ତନ୍ତ୍ରୀରେ ପ୍ରେମ ଫଲଗୁ ବୁହାଇ ପ୍ରେମ ନିଶାରେ ମଜିଯାଏ । ଅଳ୍ପଦିନ ପରେ ସୁନ୍ଦର ସୁଖୀ ସଂସାରଟିଏ ଗଢ଼ିଉଠେ ।

 

କ୍ରମେ ଲୋକ ନଜରରେ ଦିନେ ଯାହା ଅରଣା ଜଙ୍ଗଲ ଥୁଲା ତା ମଧ୍ୟରେ କନକ ଚମ୍ପା ଫୁଲ ଫୁଟି ମହକିଲା । ଯୁବକର ଶକ୍ତିମନ୍ତ ସୁଠାମ ଚେହେରା ତଳୁ ସୁଗୁଣମାନ ବାହାରିଲା । ଅଳ୍ପ ଦିନ ମଧ୍ୟରେ ସେ ସିମେଣ୍ଟ ଫ୍ୟାକ୍ତି ମଜଦୁର ସଂଘର ଲିଡର ବନିଗଲା । ଫାଙ୍ଗି ଭିତରେ ସମୟ ନିର୍ଘଣ୍ଟ ଅନୁସାରେ ଶ୍ରମଦାନ କରି ସାରି ସନ୍ଧ୍ୟା ସମୟରେ ସଂଘର ବୈଠକରେ ଆଲୋଚନା ଚାଲେ । ନାନା ଅଭାବ ଅସୁବିଧାର ସମାଧାନ ସ୍ଵୟଂ ଯାଇ ମ୍ୟାନେଜମେଣ୍ଟ ସହ ବୁଝାମଣା କରି ହାସଲ କଲା । ଯେତେ ସଫଳତା ସେତେ ଲୋକପ୍ରିୟତା । ଯେତେ ଲୋକପ୍ରିୟତା ସେତେ ଉତ୍ସାହ, କ୍ରମେ ଚକ୍ଷୁଶୂଳ ହେଲା ମ୍ୟାନେଜମେଣ୍ଟର । କାରଣ ମଜଦୁରଙ୍କର ସମସ୍ତ ଦାବି ପୂରଣ କଲେ ଲାଭାଂଶ କମିଯିବ ତ ! ! !

 

ମଜଦୁର ସଂଘରେ ଯୁବକର ଆଧିପତ୍ୟ କ୍ରମେ ମ୍ୟାନେଜମେଣ୍ଟର ମୁଣ୍ଡବ୍ୟଥାର କାରଣ ହେଲା । ନାନା କୁଟନୀତି ପ୍ରୟୋଗ କରି ପ୍ରଥମେ ଯୁବକକୁ ଗାଦିରୁ ହଟାଇବାକୁ ଚେଷ୍ଟା କରାଗଲା-। ମାତ୍ର ଗଣତନ୍ତ୍ରରେ ଲୋକମତ ଠାରେ ସମସ୍ତ ଚକ୍ରାନ୍ତ ତଥା କୂଟନୀତି ବିଫଳ ହେଲା । ଫଳରେ ଶେଷ ଉପାୟ ସେମାନେ ପ୍ରୟୋଗ କଲେ ।

 

ସେଦିନ ଥିଲା ସାବିତ୍ରୀ ଅମାବାସ୍ୟା । ସବୁ ଝିଅ ବୋହୁଙ୍କ ପରି ଆମର ଗଛର ନାୟିକା ମଧ୍ୟ ବ୍ରତ କରିଥିଲା । ଡ୍ୟୁଟିରୁ ଫେରିଲେ ଦୁହେଁ ମିଶି ପୂଜା କରିବେ ବୋଲି ଅପେକ୍ଷା କରିଥିଲା । ଧୀରେ ଧୀରେ ଦିନ ସରିଗଲା, ତିଥି ଚାଲିଗଲା, ମାତ୍ର ପ୍ରତୀକ୍ଷା ସରିଲାନି । ପରଦିନ ପୋଲିସ ଖବର ଦେଇଥିଲା ନାୟିକାକୁ ତାର ପତିର ଶବ ମିଳିଥିବାର । ଦଉଡ଼ି ଯାଇଥିଲା ପୋଲିସ ସହ ତାର ପତିର କ୍ଷତ ବିକ୍ଷତ, ଲହୁ ଲୁହାଣ ମୃତ ଶରୀରକୁ ଦେଖିବାକୁ ଘର କୋଣରେ ସାଢ଼େ ତିନି ବର୍ଷର କଅଁଳା ଛୁଆକୁ ଛାଡ଼ି, ଅନ୍ତରରେ କୋହର ଜୁଆରକୁ ମନର ଉର ବନ୍ଧରେ ରୋକି ।

 

ପରେ ମୃତ ଯୁବକର ସାଙ୍ଗ ସାଥିଙ୍କ ସହାୟତାରେ ଅନ୍ତେଷ୍ଟିକ୍ରିୟା ସମାପନ କରି ତର୍ପଣ କଲା ଯୁବତୀ । ସେ ତର୍ପଣ ତ ଲୋକ ସାମ୍ନାରେ ମାତ୍ର ପରବର୍ତ୍ତୀ କ୍ଷଣଗୁଡ଼ିକରେ ନିର୍ଜନରେ ଅଶ୍ରୁ ତର୍ପଣ କରି ନିଜର ଆତ୍ମାକୁ ଶାନ୍ତି ପ୍ରଦାନ ପାଇଁ ଚେଷ୍ଟା କଲା ।

 

ଯୁବତୀଟିର ଭାଗ୍ୟରେ ଖରାପ ଦିନର ସମାପ୍ତି ଏଠାରେ ଘଟିଲାନି । ୟା’ ପରେ ମଜଦୁର ସଂଘର ବାକି କର୍ମକର୍ତ୍ତା ଖୁବ୍ ଲାଗିଲେ ଯୁବତୀଟିର କର୍ମ ସଂସ୍ଥାନର ଯୋଗାଡ଼ରେ । ଖୁବ ଦାବି କଲେ, ସ୍ଵୟଂ ଯୁବତୀ ଅନଶନ କଲା, ମାତ୍ର ସବୁ ବିଫଳ । ଚାକିରି ତ ମିଳିଲାନି, ୧୦ ଦିନ ଭିତରେ କମ୍ପାନୀ କ୍ୱାର୍ଟର ଛାଡ଼ିବାକୁ ନିର୍ଦ୍ଦେଶନାମା ମିଳିଲା । ମଜଦୁରମାନଙ୍କୁ ବହକାଇ ଫୁସୁଲାଇ ନିଜର ସ୍ୱାର୍ଥ ସକାଶେ କମ୍ପାନୀର ଅନେକ କ୍ଷତି କରିଛି, ସଂଘର ପୂର୍ବତନ ପ୍ରେସିଡେଣ୍ଟ ମୃତ ଯୁବକ । ଏଇ ଆରୋପରେ ମେନେଜମେଣ୍ଟ ଯୁବକର ସମସ୍ତ ପାଉଣା ରଦ୍ଦ କରିଦେଲା ।

 

ଅନ୍ୟ ଉପାୟ ନ ପାଇ ଯୁବତୀଟି ଶେଷରେ ସେ ସ୍ଥାନ ଛାଡ଼ିଲା । କାଖରେ ଚାରିବର୍ଷର ଛୁଆଟିକୁ ଧରି । ଆସିଲାବେଳେ ଘରର ଆସବାବ ପତ୍ରକୁ ସଂଘର ସାଧାରଣ ସମ୍ପାଦକ ଖୁବ୍ କମ୍ ମୂଲ୍ୟରେ କିଣିନେଇ ଟଙ୍କା କେଇଟା ଧରାଇ ଦେଲା ଯୁବତୀକୁ । କୋଉଠିକି ଯିବ, କିଏ ବା ଅଛି ତାର ନିଜର ଭାବି ଭାବି ବସ୍‍ଷ୍ଟାଣ୍ଡକୁ ଗଲା । ଦେଖିଲା ବଲାଙ୍ଗିର ବସ୍‍ ଲାଗିଛି । ମନେ ପଡ଼ିଲା ତାର ଜଣେ ପରିଚିତ ବ୍ୟକ୍ତି ବଲାଙ୍ଗିରରେ ରହନ୍ତି । ଭାବିଲା ଆମ୍ଭୀୟ ତ ସେ ନୁହନ୍ତି ଏବେ ଯିବ କେମିତିକା ।

 

ଜାଣନ୍ତି ପ୍ରକାଶ ବାବୁ, ସେଇ ଲୋକଟି କିଏ ? ସେ ହେଉଛି ସେ ଯୁବତୀଟିର ମନର ମଣିଷ । ହୃଦୟ ଆସନରେ ତାକୁ ବସାଇ ପୂଜିଥିଲା ଖୁବ ଯତ୍ନ କରି । ସେଇ ଗାଁର ପାଠୁଆ ପୁଅ । ବାସ୍ତବରେ ଆତ୍ମୀୟ ନ ହେଲେ ବି କଳ୍ପନାର ଶ୍ରେଷ୍ଠ ପୁରୁଷ ତ । ତେଣୁ ମନରେ ଆଶା ବାନ୍ଧି ବସିଲା ବଲାଙ୍ଗିର ବସ୍‍ରେ ।

 

ବଲାଙ୍ଗିର ବସ୍ ନିୟମିତ ସମୟରେ ବଲାଙ୍ଗିରରେ ପହଞ୍ଚିଲା ରାତି ଦୁଇଟାରେ । ସମସ୍ତ ଯାତ୍ରୀ ଚାଲି ଚାଲି ଅବା ରିକ୍ସାରେ ଚାଲିଗଲେ ନିଜ ନିଜର ଲକ୍ଷ୍ୟସ୍ଥଳକୁ । ମାତ୍ର ଏଇ ନାୟିକାଟି କୁଆଡ଼େ ଯିବ, କୋଉଠି ଖୋଜିବ ତାର ଲକ୍ଷ୍ୟ, ରାତିର ଅନ୍ଧକାରରେ । ଅଗତ୍ୟା ବସ୍‍ଷ୍ଟାଣ୍ଡର ସିମେଣ୍ଟ ବେଞ୍ଚର ଆଶ୍ରୟ ନେଇ ଶୋଇ ଗଲା ଛାତିରେ ଚାରିବର୍ଷର ପୁଅକୁ ଲଗାଇ।

 

ମାତ୍ର ସେ ଦିନର ରାତି ତାର ଅନ୍ଧାରି ପଣତ ତଳେ ତା ପାଇଁ ଗୋଟାଏ ଖରାପ ମୁହୂର୍ତ୍ତ ଲୁଚାଇ ରଖୁଥଲା । ସେଇ ମୁହୂର୍ତ୍ତରେ ତାର ସର୍ବନାଶ ହେଲା । ସେ ହେଲା ବଳାତ୍କାରର ଶିକାର । ନିର୍ଜନ ବସଷ୍ଟାଣ୍ଡର ଅନ୍ଧାରି ମୁଲକରେ କୋଉ ପଶୁ ତାର ଆଦିମ ପିପାସାକୁ ଶାନ୍ତ କରି ଅନ୍ଧାରରେ ଗୁମ୍ ହୋଇଗଲା ବିଚାରୀକୁ ସମାଜରେ ନିନ୍ଦିତ ହେବାକୁ ଛାଡ଼ିଦେଇ ।

 

... ତା’ପରେ...

 

... ତା'ପରେ ଆମ ଝାଡ଼ୁଦାର ହରିରାମର ସହାୟତାରେ ଆମର ନର୍ସିଂହୋମକୁ ଆସିଲା ବେହୋସ ଅବସ୍ଥାରେ । ଏବେ ଠିକ୍ ଅଛି । ତାର ମନର ମଣିଷକୁ ଖୋଜୁଛି । ତାରି ଛତ୍ରଛାୟା ତଳେ ଆଶ୍ରା ଲୋଡ଼ୁଛି ।

 

... କିଏ କିଏ ତାର ମନର ମଣିଷ । କାହାକୁ ଖୋଜୁଛି ସେ... ଉତ୍ସୁକତାର ସହ ପ୍ରଶ୍ନକଲା ପ୍ରକାଶ ।

 

... ଆପଣଙ୍କୁ । ପ୍ରକାଶ କୁମାରଙ୍କୁ । ବଲାଙ୍ଗିର ମାଇନିଂ ଅଫିସରଙ୍କୁ ।

 

... ମୋତେ...ମାନେ...ଉଷା, ତାରି ନାଁ...

 

... ମୋତେ ତାର ନାଁ ଏଯାଏ କହିନି ସେ । ଚାଲନ୍ତୁ ଏବେ ଯିବା ତା’ ପାଖକୁ । ଆପଣ ତ ସେତେବେଳେ କୁଆଡ଼େ ଚାଲିଗଲେ ।

 

... ଏତେ ରାତିରେ... ନା ... ନା କାଲି ଯିବା ।

 

... କାଲି ତ ସେ ଡିସ୍‍ଚାର୍ଜ ହୋଇଯିବ । ଏବେ ନର୍ମାଲ ହୋଇଗଲାଣି ।

 

ନା କାଲି ସକାଳେ ମୁଁ ତାକୁ ଦେଖା କରିବି । ଏବେ ମୁଁ ଆସିବାକୁ ଚାହିଁବି । ଓକେ ଗୁଡ ନାଇଟ୍ । ଆଉ କିଛି ଶୁଣିବାର ଧୈର୍ଯ୍ୟ ନ ଥିଲା ପ୍ରକାଶର । ଏଣୁ ପ୍ରତ୍ୟୁତ୍ତର କିଛି ଶୁଣିବା ପୂର୍ବରୁ ଚେୟାରରୁ ଉଠି ଚାଲିଗଲା ଗେଟ୍ ବାହାରକୁ ।

***

 

‘ତେତିଶ’

 

ଦୁନିଆରେ ବଞ୍ଚିବାକୁ ହେଲେ କି କି ଅସୁବିଧାର ସମ୍ମୁଖୀନ ହେବାକୁ ହୁଏ, ପ୍ରକାଶ ଆଜି ବୁଝୁଛି । ସ୍ୱର୍ଗ ଏବଂ ନରକରି ସ୍ଥିତି ଏଇ ମର୍ତ୍ତ୍ୟରେ । ଭଲ ଏବଂ ମନ୍ଦ ଉଭୟ ଏଇ, ମଣିଷ ପାଇଁ । କିଏ କେତେବେଳେ କାହାପାଇଁ ଭଲ ହେବ ବା ମନ୍ଦ ହେବ ତାହା ସମୟ ନିର୍ଦ୍ଧାରଣ କରେ ।

 

ଦୁଦ୍ଦିନ ଆସିଲେ ସାଥିରେ ସାଙ୍ଗସାଥୀ ନେଇ ଆସେ । ପ୍ରକାଶର ସେଇ କେଇ ଘଣ୍ଟା ବିପଥଗାମୀ ହେବାଟା ତାର ଅସ୍ତିତ୍ୱକୁ ଦୋହଲାଇ ପକାଉଛି । ଏବେ କ’ଣ କରିବ ସେ ଚିନ୍ତା କରିପାରୁନି । ହେ ଭଗବାନ ଯିଏ ମୋତେ ଭଗବାନ, ଦୃଷ୍ଟିରେ ଦେଖେ ତାରି ଠାରେ ମୁଁ ଏତେବଡ଼ ଭୁଲ କରି ପକାଇଲି । ଏବେ କି ମୁହଁ ନେଇ ତା ପାଖକୁ ଯିବି । କୋଉ ଭାଷାରେ ମୋ ଭୁଲ ସ୍ୱୀକାର କରିବି । କି ଶବ୍ଦ କହି ତାର ଦୁଃଖରେ ସାନ୍ତ୍ୱନା ଦେବି ?

 

କିଛି ଭାବି ପାରୁନି ପ୍ରକାଶ । କାନ୍ଥ ଘଣ୍ଟାର କଣ୍ଟାଗୁଡ଼ିକ ପରସ୍ପର ସୌହାର୍ଘ୍ୟ, ସମୟ ରଖି ମାଡ଼ି ଚାଲିଛନ୍ତି ଆଗକୁ ଆଗକୁ । ରାତି ସରି ସରି ଆସୁଛି । ପ୍ରକାଶ ଭାବୁଛି ଅନେକ କଥା, ମନରେ ତାର ଅନେକ ଦ୍ୱନ୍ଦ । ରହି ରହି ଗୋଟିଏ ବିଚାର ଆସୁଛି ମନକୁ, ଏ ପରିସ୍ଥିତିର ସମ୍ମୁଖୀନ ହେବା ଅପେକ୍ଷା ଚିରିଦିନ ପାଇଁ ଲୋକ ଲୋଚନରେ ଲୁଚି ଯିବା ଶ୍ରେୟସ୍କର । ମାତ୍ର ପର ମୁହୂର୍ତ୍ତରେ ବିବେକ ଚେତେଇ ଦେଉଛି ଲୁଚିଯିବା ଭୀରୁତାର ପରିଚୟ । ସମ୍ମୁଖୀନ ହେବା ହିଁ ପ୍ରକୃତ ପୌରୁଷ । କାନ୍ଥ ଘଣ୍ଟା ଉପରେ ନଜର ଦେଲା ପ୍ରକାଶ, ସକାଳ ସାଢ଼େ ଚାରିଟା । ନା ତାକୁ ଯିବାକୁ ହେବ । ତରବର ହୋଇ ବିଛଣା ଛାଡ଼ି ଫ୍ରେସ୍ ହେଲା ପ୍ରକାଶ ।

 

ସନ୍ତର୍ପଣରେ ମୁଖ୍ୟ ଦରଜା ଖୋଲି ଭିତରେ ପଶିଲା ପ୍ରକାଶ । ହରିରାମ ବାରଣ୍ଡା ଓଳାଉଛି । ନମସ୍କାର କରି ଗୋଟିଏ କୋଣକୁ ଘୁଞ୍ଚାଗଲା ।

 

...କିଏ ଡ୍ୟୁଟିରେ ଅଛି ?

 

... ସାର ମିଶ୍ର ବାବୁ ।

 

ଆଗକୁ ବଢ଼ିଯାଇ ଇଣ୍ଟେନ୍‍ସିବ୍ କେୟାର ୟୁନିଟ୍‍ରେ ପଶିଲା ପ୍ରକାଶ । ତିନିନମ୍ବର ବିଛଣାରେ ଛୋଟ ଛୁଆଟିଏ ଶୋଇଛି ନିଘୋଡ଼ ନିଦରେ । ପାଖରେ ମହିଳା ଜଣକ ଚଦର ଭାଙ୍ଗି ଟ୍ରଙ୍କରେ ଥୋଉଛି । ପାଖେଇ ଗଲା ପ୍ରକାଶ, ମୁହଁ ଉଠାଇ ଚାହିଁଲା ମହିଳାଜଣକ, ମୁହଁରେ ଆନନ୍ଦର ଅମୀୟ ଲହରୀଟିଏ ଲହଡ଼ି ଭାଙ୍ଗୁ ଭାଙ୍ଗୁ ହଠାତ୍ ଗମ୍ଭୀରତାର କଳା ମେଘ ଛାଇଗଲା । ମୁଣ୍ଡ ନଇଁ ଗଲା ମହିଳାଟିର ।

 

... ମୋତେ କ୍ଷମା କରି ଦିଅ ଉଷା । ମୁଁ ବହୁତ ପାପୀ, ମୁଁ ବହୁତ ଛୋଟ ।

 

.... ମହିଳାଟି ନିରୁତ୍ତର, ଚୁପ ଚାପ ଠିଆ ହୋଇ ଚାହିଁଲା ପ୍ରକାଶ ମୁହଁକୁ । ମୁହଁରେ ତାର ଅନେକ ଭାବାନ୍ତର ଦେଖାଗଲା । ମୁହଁ ଚମତ୍କାର ଭାଙ୍ଗ ତଥା ମାଂସପେଶୀର ହଲଚଲ ହେବା ଲକ୍ଷ୍ୟ କଲେ ଜଣା ପଡ଼ୁଥିଲା ତାର ମନ ଭିତରେ ଅନେକ ହିଁ ନାହିଁର ଦ୍ୱନ୍ଦ । ପରିଶେଷରେ ହସଧାରେ ହସିଦେଇ କହିଲା....

 

... ନମସ୍କାର ପ୍ରକାଶ ବାବୁ । ମୁଁ ଆପଣଙ୍କ ପାଖକୁ ଆସୁଥଲି । ବାଟରେ ଏଇ ଦୁର୍ଘଟଣାଟିଏ ଘଟିଗଲା । ଆସନ୍ତୁନା ଆପଣ କେମିତି ଅଛନ୍ତି ?

 

... ମୋତେ କ୍ଷମା କରି ଦିଅ ଉଷା । ମୁଁ ଅଜାଣତରେ ନିଜେ ନିଜର ସର୍ବନାଶ କରିଛି । ସାଥରେ ତୁମର ବି । ମୁଁ ସେତେବେଳେ ହୋସ୍‍ରେ ନଥିଲି ।

 

... ହୁଁ...ମୁଁ ତୁମର ଆଗ ପଟଟା ଦେଖିଥିଲି ପଛ ପଟଟା ଏତେ ଅନ୍ଧକାରମୟ ଜାଣି ନଥିଲି । ଭଗବାନ ବି ଅଜବ... ଯିଏ ଯାହା ଚାହେଁ ଅବଶ୍ୟ ତାହା ହିଁ ଘଟେ, ମାତ୍ର ଏମିତି ଭାବରେ ଘଟେ ଯେ, ସେଥିରେ କିଛି ମଜା ନଥାଏ । ଦେଖନା ମୋ କଥା, ତୁମକୁ ପାଇବାକୁ ମୁଁ ବର୍ଷ ବର୍ଷ ଧରି ଶିବ ମନ୍ଦିରରେ ଶିବଲିଙ୍ଗ ଉପରେ ବେଲପତ୍ର ଚଢ଼ାଉଥିଲି । ମାତ୍ର ଭାଗ୍ୟ ଡୋର ଏମିତି ଭାବେ ଟାଣି ହୋଇଗଲା ଯେ ତୁମକୁ ମୋ କଳ୍ପନା ଠାରୁ ମଧ୍ୟ ଦୂରେଇ ଦେଇ ଅନ୍ୟ ଏକ ସାମ୍ରାଜ୍ୟ ବିସ୍ତାର କଲି । ହେଲେ ମୋ ତପସ୍ୟାର ମୋ ପୂଜାର ଫଳ ତ ବାକି ଥିଲା ନା ତାହା ଏବେ ମିଳିଗଲା । ସ୍ଵପ୍ନ ଦେଖୁଥିଲି ପଲଙ୍କର ତୁଳୀତଳ୍ପ ଉପରେ ମୋର ସର୍ବସ୍ୱ ଜାଳି ଦେଇଥାନ୍ତ ତୁମ ପାଦପଦ୍ମରେ ମାତ୍ର ହେଲା ଏମିତି ଯେ ତୁମେ ହିଁ ମୋର ସର୍ବସ୍ୱ ଖିନ୍‍ଭିନ୍ କର ଲୁଟି ନେଲ ଅନ୍ଧାରି ମୁଲକର ବେତାଜ ବାଦ୍‍ଶାହ ବନି । ଏହା ହିଁ ତ ପରମ ପିତା ଈଶ୍ୱରଙ୍କର ନ୍ୟାୟ ନିଆଶ୍ରୀ ପ୍ରତି ।

 

... ମୋତେ କ୍ଷମା କରି ଦିଅ ଉଷା । ଜୀବନର ପ୍ରଥମ ଥର ପାଇଁ ସେ ଦିନ ମୁଁ ମୋ ନିଜ ଭିତରୁ ବାହାରି ଯାଇଥିଲି ।

 

... କହିଲି ପରା ପ୍ରକାଶ ଦା, ମୁଁ ତୁମର ଦୋଷ ଧରିନି । ଯାହା ହେଲା ସେ ସବୁ ତ କର୍ମ ଫଳ । ମୁଁ ଭୋଗିଲି, ଏବେ ତୁମର ଏଥିରେ ମୁଣ୍ଡ ବଥେଇବାର କାରଣ ମୁଁ ଜାଣିପାରୁନି । କିନ୍ତୁ ଏଥରର ପୁନରାବୃତ୍ତି ଯେମିତି ନହୁଏ । ଏ ସମାଜରେ ନାରୀମାନେ ଏମିତି ବି ଅନେକ ଦୁଃଖ ବୋହି ବୁଲୁଛନ୍ତି ସେଥିରେ ଏମିତି ଦୁଃଖ... ।

 

ଚାଲ ଉଷା, ମୋ ପାଖରେ ରହିବ । ତୁମେ ମୋ ପାଖକୁ ଆସିଥୁଲ ନା ?

 

...ଯୋଉଥି ପାଇଁ ଆସିଥିଲି ତାଠୁ ଅଧିକ ପାଇ ସାରିଛି । ଆଉ କୋଉଥିପାଇଁ ଯିବି ତୁମ ପାଖକୁ । ଭଗବାନ ପେଟ ଦେଇଛନ୍ତି ତ ଦାନା ବି ଦେବେ । ମୁଣ୍ଡ ଦେଇଛନ୍ତି, ଛାୟା ଦେବାବି ତାଙ୍କର କାମ ।

 

... ଉଷା ତୁମର ସେବା କରି ମୋତେ ଏ ପାପର ପ୍ରାୟଶ୍ଚିତ କରିବାକୁ ସୁଯୋଗ ଦିଅ ଉଷା । ଚାଲ ମୋ ପାଖରେ ମଉଜରେ ବାକି ଜୀବନ କାଟିବ ।

 

... ନା ପ୍ରକାଶ ବାବୁ । ବହୁତ ବଡ଼ ଆଶା ନେଇ ଆସିଥିଲି । ସେ ଆଶା ମୋର ତୁଟି ସାରିଛି । ପୁଣି ନୂଆ ଆଶା ମୁଁ ଗଢ଼ି ପାରିବିନି । ମୋତେ ମୋ ଭାଗ୍ୟର ସାହାରାରେ ଛାଡ଼ିଦିଅ, ଭାଗ୍ୟକୁ ଆଦରି ବାକି ଜୀବନ କାଟିଦେବି ।

 

... ତୁମେ ଭଲ କରି ଭାବି ନିଅ ଉଷା । ମୁଁ ପୁଣି ଥରେ ଆସିବି, ଏବେ ଆସୁଛି । ଝଡ଼ ବେଗରେ ବାହାରି ଗଲା ବେଳକୁ ବାରଣ୍ଡାରେ ଦେଖିଲା ଝରକା ପାଖରୁ ଦ୍ଵାର ଆଡ଼କୁ ଆଗେଇ ଆସୁଛି ରଜନୀ । ବୋଧହୁଏ ସବୁ ଶୁଣି ନେଇଛି । କିଛି ପ୍ରଶ୍ନ କରିବା ପୂର୍ବରୁ ମୁହଁ ତଳକୁ କରି ଆଡ଼େଇ ହୋଇ ଆଗକୁ ଚାଲିଗଲା ପ୍ରକାଶ ।

 

... ଏଇ ନିଅ ଉଷା ଭଉଣୀ, ତୁମର ଡିସ୍‍ଚାର୍ଜ ସାର୍ଟିଫିକେଟ୍, ଏବେ ଠାରୁ ତୁମେ ନର୍ସିଂହୋମର ବନ୍ଧନରୁ ମୁକ୍ତ । ଭିତରକୁ ପଶୁ ପଶୁ କହିଲା ରଜନୀ ।

 

... ଆପଣ...ଆପଣ କେମିତି ଜାଣିଲେ ମୋ ନାଁ...।

 

... ମୁଁ ସବୁ ଶୁଣି ସାରିଛି ଭଉଣୀ । ଏବେ ଅନୁରୋଧଟିଏ କରୁଛି ତୁମେ ଏଇଠି ରହି କୌଣସି ଟ୍ରେନିଂ ନେଇ କର୍ମ ସଂସ୍ଥାନର ଯୋଗାଡ଼ କରିବ ଏବଂ ସେ ପର୍ଯ୍ୟନ୍ତ ତୁମେ ମୋ ପାଖରେ ରହିବ ।

 

... କାହିଁକି ମୋ ପରି ନିଆଶ୍ରୀ ଭଉଣୀଟିକୁ ଆଶ୍ରାଦେଇ ନିଜ ଅମଙ୍ଗଳକୁ ଆହ୍ୱାନ କରିବେ ଆପଣ । ମୋତେ ମୋ ଭାଗ୍ୟର ସାହାରାରେ ଛାଡ଼ି ଦିଅନ୍ତୁ ।

 

..., ଦେଖ, ବେଶୀ ଜିଦ୍ କରିବା ଭଲ ନୁହଁ, ଏ ହରିରାମ... ଏଇ ବାକ୍ସ ଉଠାଇ ମୋ ଘରେ ରଖିଆ ତ । ଚାଲରେ ମୁନ୍ନା ?

 

ମୁନ୍ନାକୁ କୋଳରେ ଧରି ଆଗେ ଆଗେ ଚାଲିଲା ରଜନୀ, ପଛରେ ବାକ୍ସ ଧରି ହରିରାମ । ସବା ପଛରେ ଉଷା, ମଥାନତ, ଧୀର ପଦକ୍ଷେପରେ ଅନୁଧାବନ କଲା ।

***

 

‘ଚଉତିରିଶ’

 

ଜୀବନର ଯନ୍ତ୍ରଣା ହିଁ ମଣିଷକୁ ଦୃଢ଼ ମନୋବଳର ଉତ୍ସ ଯୋଗାଏ । ମାତ୍ର ଯନ୍ତ୍ରଣାର ଦୁଃଖରେ ଯେ ଭାଙ୍ଗି ପଡ଼େ ସେ ଧୀରେ ଧୀରେ ତାର ଅସ୍ତିତ୍ୱ ହରାଏ । ଯେବେ କେହି ସମସ୍ତ ଯନ୍ତ୍ରଣାର ଦାଗକୁ ସାଉଁଟି ନିଜ ଆଞ୍ଚଳରେ ବାନ୍ଧି ଆଗେଇ ଚାଲେ କେବଳ ସେହିଁ ସମାଜରେ ଆଦର୍ଶ ବନି ପାରେ । ରଜନୀର ସଂସ୍ପର୍ଶରେ ଆସି ଏଇ ତଥ୍ୟକୁ ଗ୍ରହଣ କରି ନେଇ ରଙ୍ଗ ଦେଇଛି ନିଜ ଜୀବନର ଚିତ୍ରପଟରେ ଉଷା । ସକାଳ ସିଫ୍ଟରେ ହସ୍ପିଟାଲରେ ନର୍ସିଂ ଟ୍ରେନିଂ, ସନ୍ଧ୍ୟା ଚାରିଟାରୁ ସିଲେଇ ଟ୍ରେନିଂ । ରାତି ୮ଟାରୁ ୧୦ଟା ଯାଏ ପୁରୁଣା ଖବର କାଗଜରେ ଠୁଙ୍ଗା ତିଆରି ଆଦି କାମରେ ତାର ଦିନ କାଟୁଛି ଏବେ । ଉଷାର କର୍ମ ନିପୁଣତା ଏବଂ କର୍ତ୍ତବ୍ୟ ନିଷ୍ଠା ତଥା ଆଗ୍ରହ ଦେଖି ବହିଦାର ବାବୁ ଖୁବ୍ ଖୁସି । ତା’ର ପୁଅକୁ ଲିଟ୍‍ଲ ପ୍ଲାଉଆର ସ୍କୁଲରେ ଭର୍ତ୍ତି କରି ଦେଇଛନ୍ତି ନିଜର ପ୍ରଭାବ ବଳରେ । ନଚେତ୍ ବର୍ଷ ମଝିରେ ଏମିତି ନାମ ଲେଖା ଅସମ୍ଭବ ।

 

ମାନବର ଏକମାତ୍ର ଆୟତ୍ତ କର୍ମ । ଏ ତଥ୍ୟର ଏକ ଉଜ୍ୱଳ ଦୃଷ୍ଟାନ୍ତ ବନି ଯାଇଛି ଉଷା । କର୍ମକ୍ଷେତ୍ରରେ କେବଳ କର୍ମ କରିବା ବ୍ୟତୀତ ଆଉ କିଛି ଚିନ୍ତା କରେନି ଉଷା । ଏକମାତ୍ର ଲକ୍ଷ୍ୟ ତାର ସମୟ କାଟି, ଅନନ୍ତ କୋଳରେ ବିଲୀନ ହେବା । ଭବ ସାଗରରେ ଉବୁଟୁବୁ ହେଉ ହେଉ କୋଉ କ୍ଷଣରେ ବୁଡ଼ି ଯିବ ସେଇ କ୍ଷଣର ପ୍ରତୀକ୍ଷାରେ ଉଷା ଭାସୁଛି । ଇଚ୍ଛା ଅନିଚ୍ଛା, ଆଗ୍ରହ-ଅନାଗ୍ରହ, ଉତ୍କଣ୍ଠା ଠାରୁ ବହୁ ଉର୍ଦ୍ଧ୍ୱରେ ତାର ଜୀବନ ପଥ । ଲକ୍ଷ୍ୟ ତାର ଅନନ୍ତ, ସହାୟ କେବଳ କର୍ମା ।

 

ମାତ୍ର ନାରୀ ଜୀବନ ସହଜତା ଠାରୁ ବହୁ ଦୂରରେ । ଯେତେ ସୁପରିକଳ୍ପିତ ହେଲେ ମଧ୍ୟ ଜଞ୍ଜାଳରେ ପୂର୍ଣ୍ଣ । ସଚ୍ଚୋଟତା, ସାଧୁତା, କର୍ମଠତା କିଛି ହେଲେ ଏଇ ଜଞ୍ଜାଳରୁ ଦୂରେଇ ରଖିପାରେନି ନାରୀକୁ । ନିଜର ଇଚ୍ଛାରେ ତ ଦୁନିଆରେ କିଛି ବି ହୁଏନି, ମାତ୍ର ଅନିଚ୍ଛାରେ ଅନେକ କିଛି ହୋଇଯାଏ । ଉଷାର ଗର୍ଭରେ ଏପରି ଏକ ଜଞ୍ଜାଳ ଧୀରେ ଧୀରେ ବୃଦ୍ଧିପ୍ରାପ୍ତ ହେଉଛି । କ୍ରମେ ସନ୍ଦେହ ଘନୀଭୂତ ହୋଇ ବିଶ୍ୱାସରେ ପରିଣତ ହୋଇଯାଇଛି ଉଷାର ଇତି ମଧ୍ୟରେ । ଏଇ ବିଶ୍ଵାସ ହିଁ ମୁଣ୍ଡରେ ତାର ସୃଷ୍ଟି କରିଛି ଅହେତୁକ ଝଞ୍ଜାର ଝଡ଼ । କାରଣ ବନିଛି ଅନେକ ମାନସିକ ଦ୍ୱିଧା ଓ ଦ୍ୱନ୍ଦ ।

 

ଦିନର ଅକ୍ଲାନ୍ତ ପରିଶ୍ରମ ପରେ ମଧ୍ୟ ରାତିରେ ନିଦ ଆସୁନି ଉଷାକୁ । ନିଜ ଗର୍ଭରେ ଆତ୍ମପ୍ରକାଶ ପାଇଁ ବ୍ୟାକୁଳିତ ଭ୍ରୂଣର ଭବିଷ୍ୟତ ନେଇ ଖୁବ ଚିନ୍ତିତ । ଅନାହୃତ ଓ ଅଯାଚିତ ଦ୍ରବ୍ୟ ଲାଭରେ ମାନବ ସଦୈବ ସଂଶୟଗ୍ରସ୍ତ ହୁଏ । ଭଲ ମନ୍ଦର ବିଚାର କରି କରି ରାତି କଟିଯାଉଛି ମାତ୍ର କୌଣସି ନିଷ୍ପତ୍ତି ନେଇପାରୁନି ସେ । ଯୋଉଠି ବର୍ତ୍ତମାନ ଅନିଶ୍ଚିତ ସେଇଠି ଭବିଷ୍ୟତର ସୂତ୍ର ବାହାର କରି ପାରିବ ବା କେମିତି ।

 

ଅନେକ ଶଂକିତ ମୁହୂର୍ତ୍ତରେ ମନ ତାର ଚିତ୍କାର କରି କହୁଛି ଏ ଅନାହୂତ ଅଯାଚିତ ଭୃଣଟିକୁ ନଷ୍ଟ କରିଦେବ, ଭବିଷ୍ୟତର ଯାବତୀୟ ଜଞ୍ଜାଳରୁ ମୁକ୍ତି ପାଇ ଯିବ । ମାତ୍ର ବିବେକ ତାର ମନକୁ ଅନ୍ତର୍ମୁଖୀ ହେବାକୁ କହୁଛି ପ୍ରତିଥର । ଅନ୍ତର୍ମନରେ ଥିବା ପ୍ରକାଶ ପାଇଁ ସ୍ନେହ, ପ୍ରେମ ତଥା ବାଞ୍ଚିତ କ୍ରିୟାକୁ ଉକୁଟେଇ ଦେଖେଇ ଦେଉଛି ମନକୁ । ମନ ତାର ନଇଁ ଯାଉଛି ବେଦନାରେ । ଅନ୍ତର୍ମନରେ ଥିବା ପ୍ରକାଶ ପ୍ରତି ପ୍ରେମ, ଗର୍ଭର ସଦ୍ୟ ଅଙ୍କୁରିତ ଭ୍ରୃଣଟିର ଯତ୍ନ ନେବାକୁ ପ୍ରବର୍ତ୍ତାଉଛି ଉଷାକୁ । ଉଷା କ୍ରମେ ମନୋବଳ ଦୃଢ଼ କରି ପ୍ରକାଶର ସ୍ମୃତିଟିକୁ ଆଲୋକ ଦେଖାଇବାକୁ ପ୍ରଯତ୍ନଶୀଳ ହେଉଛି ।

 

ମାତ୍ର ସମାଜର ଅପବାଦର ଭୟ ଦୋହଲାଇ ଦେଉଛି ଉଷାର ମନକୁ । କାଲ ସକାଳେ ଯେବେ ସମାଜ ନବାଗତ ଶିଶୁର ପିତୃ ପରିଚୟ ମାଗିବ ତେବେ... ? ହୁଏତ ପ୍ରକାଶ ଆଗେଇ ଆସିବ । ମାତ୍ର ବୈଧବ୍ୟ ଲାଭ କଲା ପରେ ସନ୍ତାନ ଧାରଣକୁ ଲକ୍ଷ୍ୟ କରି ଯେବେ କେହି ତାକୁ କଟୂ ଇଙ୍ଗିତ କରେ.. ? ତା ମରମ ଯଦି ବିଗଳିତ ହୋଇଯାଏ ? ନା ତାକୁ ସବୁ ସହିବାକୁ ପଡ଼ିବ ପ୍ରକାଶର ଦାନଟିକୁ ଏମିତି ଉପେକ୍ଷା କରି ପାରିବନି ସେ । ଏଇୟା ହିଁ ତ ସେ ମାଗିଥିଲା ପ୍ରକାରାନ୍ତରେ ଗ୍ରାମ ଦେବତୀଙ୍କ ଠାରୁ ଆରମ୍ଭ କରି ଚକାଡୋଳାଙ୍କ ପାଦ ପଦ୍ମରେ ଅଞ୍ଜଳି ପାତି । ଆଜି ଏମିତି ଭାବରେ ହେଲେ ମଧ୍ୟ ତାର ପୂଜା ଅର୍ଚ୍ଚନାର ଫଳ ତ ପାଇଛି ସେ । ତାକୁ କେମିତି ସେ ଉପେକ୍ଷା କରିବ ? ? ?

 

ଏଇ ଚିନ୍ତାରେ ରାତିରେ ଶୋଇପାରୁନି ଉଷା । ଦିନରେ କର୍ମ ଆଳରେ ଯାବତୀୟ ଦୁଶ୍ଚିନ୍ତା ଭୁଲି କର୍ମ କରିଚାଲୁଛି । ଦିନରେ ଅକ୍ଲାନ୍ତ ପରିଶ୍ରମ, ରାତିରେ ନାନା ପ୍ରକାର ଦୁଶ୍ଚିନ୍ତା କ୍ରମେ ତାର ଶରୀରର ଶ୍ୟାମଳ ରଙ୍ଗର ମାଧୁର୍ଯ୍ୟକୁ ନଷ୍ଟ କରି ପକାଇଛି । ଆଖିତଳର କଳା ଦାଗ କ୍ରମେ ସ୍ପଷ୍ଟ ବାରି ହୋଇପଡ଼ୁଛି । କର୍ମଶାଳାରେ କେହି ଏକଥା ଜାଣୁ ନଜାଣୁ ରଜନୀ ଲକ୍ଷ୍ୟ କରିଛି ଅନେକ ଦିନୁଁ ।

 

ସେଦିନ ସକାଳ ଏଗାରଟା ବେଳେ ରଜନୀର ହାତ ଧୋଇବା ପାଇଁ ୱାସ୍ ବେସିନ୍ ପାଖକୁ ଡେଟଲ ଏବଂ ବର୍କିସ୍ ଆଣୁ ଆଣୁ ବେସିନ୍ ଉପରେ ପଡ଼ିଗଲା ମୁଣ୍ଡ ବୁଲାଇବାରୁ । ରଜନୀ ବେକ୍‍ଅପ କଲା ପରେ ଯେଉଁ ତଥ୍ୟ ଆବିଷ୍କାର କଲା ସେଥିରେ ସେ ମଧ୍ୟ ଚିନ୍ତିତ ହୋଇପଡ଼ିଲା । ହାୟରେ ଭଗବାନ, ତୁମେ ଲୀଳାର ଉଦ୍ଦେଶ୍ୟ ତୁ ଏକା ଜାଣ । ବିଧବା କୋଳରେ ସନ୍ତାନ ଦେବାର ଉଦ୍ଦେଶ୍ୟ ମନ୍ଦକି ଭଲ ତୁ ସିନା ଜାଣୁ । ମାତ୍ର ନିଆଶ୍ରୀ ପ୍ରତି ଏହା ଏକ ବିରାଟ ଦଣ୍ଡ । ସମାଜରେ ବଞ୍ଚି ପାରିବନି ଏବେ ସେ । ମୁଣ୍ଡ ଟେକି ନିଜର ଅସ୍ତିତ୍ୱ ଜାହିର କରିପାରିବନି । ହେ ଭଗବାନ୍ ତୁମେ କାହା ପାଇଁ କେବେ ଦୟାଳୁ ବନି ଯାଇଥିଲ ବୋଲି କିମ୍ବଦନ୍ତୀ କୁହେ ମାତ୍ର ଏବେ କାହିଁକି ଏମିତି ଆମପ୍ରତି ନିଷ୍ଣୁର ହୋଇଯାଉଛ ପ୍ରଭୁ ।

 

ପ୍ରକୃତିସ୍ଥ ହେଲା ଉଷା କିଛି କ୍ଷଣ ପରେ । ସାଷ୍ଟାମ ହେଉ ହେଉ ଆଖି ମିଳାଇଲା ରଜନୀ ସହ । ରଜନୀ ମୁହଁରେ କୁତ୍ରିମତା, ଓଠ ଧାରରେ ଧାରେ ହସ, ମାତ୍ର ତା ତଳେ ସ୍ପଷ୍ଟ ଏକ ଯନ୍ତ୍ରଣାର ପରିପ୍ରକାଶ । ଆଖିରେ ତାର ସନ୍ଦିଗ୍ଧତା, ସବୁ ବୁଝିଗଲା ଉଷା, ମୁଣ୍ଡ ତଳକୁ କରିନେଲା । ଧୀର କଣ୍ଠରେ କହିଲା, ମୁଁ ପାପ କରି ନାହିଁ ଭଉଣୀ... ମୁଁ... ପାପ କରି... ନାହିଁ ।

 

... ମୁଁ ଜାଣେ ଭଉଣୀ, ତୁମ ଭଳି ନାରୀ କେବେ ପାପ କରି ନପାରେ । ମାତ୍ର ଭଗବାନଙ୍କର ଲୀଳା ପାଇଁ ସେ ହିଁ ଦାୟୀ ଭଉଣୀ ।

 

... ଭଉଣୀ...ମୁଁ ଏଥିରେ ଶାନ୍ତିର ସନ୍ଧାନ ପାଇଛି । ମୁଁ ଶାନ୍ତିରେ ଅଛି, ଭଉଣୀ, ଦୟାକରି ଭଗବାନଙ୍କୁ ଦୋଷ ଦିଅନି ।

... ମାନେ... ।

 

... ହଁ, ଭଉଣୀ ବାଲ୍ୟ କାଳରୁ ଏଇୟା ଆଶା ରଖି ଦିଅଁ ଦେବତାଙ୍କ ପାଖକୁ ଯାଉଥିଲି ପୂଜାଥାଳି ଧରି । ଆଜି ଯେଉଁ ରୂପେ ହେଉ ମୋର ବାଞ୍ଚିତ ଫଳ ତ ମୁଁ ପାଇଲି । ଏବେ ଭଗବାନଙ୍କୁ ଦୋଷ ଦେବ କାହିଁକି । କାହିଁକି ପ୍ରକାଶ ବାବୁଙ୍କର ଅମଙ୍ଗଳ ଚିନ୍ତା କରିବି । କହୁ କହୁ ନଇଁ ପଡ଼ିଲା ରଜନୀର କାନ୍ଧରେ । ଆଖିରେ ତାର ବର୍ଷିଗଲା ଝରଝର ଲୋତକର ଶ୍ରାବଣୀ । ମୁଁ ଏଇ ଆଗନ୍ତୁକଟିକୁ ଦୁନିଆର ଆଲୋକ ଦେଖାଇବାକୁ ଚାହେଁ ଡାକ୍ତର ସାହିବା । ମୁଁ ମୋର ପ୍ରେମର ସ୍ମୃତିଟିକକୁ ବଞ୍ଚାଇ ରଖିବାକୁ ଚାହେଁ ।

 

....ତୁମେ ବ୍ୟସ୍ତ ହୁଅନି ଉଷା ଭଉଣୀ, ମୁଁ ଅଛି । ତୁମେ ଯାହା ଚାହୁଁଛ ତାହାହିଁ ହେବ । ଏବେ ଧୈର୍ଯ୍ୟ ଧର, ଅଧୈର୍ଯ୍ୟ ହୁଅନି । ଏମିତି ସମୟରେ ବେଶୀ କାମ. କରିବା ଉଚିତ୍ ନୁହଁ, ଚାଲ ବିଶ୍ରାମ ନେବ ।

 

.. ତୁମେ ଏତିକି କଥା କହିଲ, ଏୟା ଯଥେଷ୍ଟ ମୋ ପାଇଁ କାମର ମାନେ ହିଁ ଜୀବନ ବୋଲି ତ ତୁମେ ଶିଖାଇଲ ମୋତେ । ଏବେ କେମିତି କହୁଛି କାମ ନକରିବାକୁ । ମୋ ଛୁଆ ଦୁଇଟି କାହାର ଦୟାରେ ପ୍ରତିପାଳିତ ହେବେ, ଏକଥା ମୁଁ ଭାବି ପାରୁନି । ମୋ ଅନ୍ତେ ଦୁନିଆର ଅନେକ ଅନାଥ ଛୁଆଙ୍କ ସହ ସାମିଲ ହେବେ ତା ବି ମୁଁ ଚାହୁଁନି । ସେଥିପାଇଁ ଏବେ ଯେବେ ମୁଁ ସକ୍ଷମ ସେତେବେଳେ କିଛି କାମ କରି କିଛି ଅର୍ଥ ଉପାର୍ଜନ କରିଲେ... ।

 

... ହଉ ଥାଉ ଏବେ । ଆଗ କଥା ଏବେଠୁ ଏତେ ଚିନ୍ତା କରିବାଟା ଭଲ ନୁହଁ । ଚାଲ ଏବେ ଯିବା, ସନ୍ଧ୍ୟା ବେଳର ସିଲାଇ ଟ୍ରେନିଂ ପାଇଁ ସିଲେଇ ସେଣ୍ଟର ନ ଯାଇ ଏବେ ଘରେ ଜଣେ ପ୍ରାଧ୍ୟାପିକା ରଖି ଶିଖିବା ବ୍ୟବସ୍ଥା କରିବା । ଚାଲ... ।

***

 

‘ପଇଁତିରିଶ’

 

ଆଶା ଜୀବନର ଅନ୍ୟ ଏକ ପାଥେୟ । ଆଶା ପଛରେ ଗୋଡ଼ାଇ ମାନବ ଆଗେଇ ଚାଲେ । ଛୋଟ ଆଶାରୁ ବଡ଼ ଆଶା ପୁଣି ବଡ଼ରୁ ଆଉ ବଡ଼, ଏଇମିତି କ୍ରମାନୁସାରେ ଆମର ଆକାର ବଢ଼ି ଚାଲେ, ରଙ୍ଗ ଗାଢ଼ ହୋଇଚାଲେ । ପରିଶେଷରେ ଏମିତି ଏକ ଅବସ୍ଥା ଆସେ ଯେଉଁଠି ଆଶାର ଆକାର ଶୂନ୍ୟ ହୋଇଯାଏ । ତାହା ହିଁ ଆମ ଆଖିରେ ଅସମ୍ଭବ ବନିଯାଏ । ସବୁଠାରୁ ବେଶୀ ଯୁକ୍ତ ଯାହା, ସବୁଠାରୁ ବେଶୀ ବିଯୁକ୍ତ ମଧ୍ୟ ସେଇୟା । ଏଇ ନ୍ୟାୟରେ ପ୍ରକାଶ ଗୋଟିଏ ପରେ ଗୋଟିଏ ଆଶା କରିଚାଲି ଆଜି ଏମିତି ଏକ ଅବସ୍ଥାରେ ପହଞ୍ଚି ଯାଇଛି ଯେଉଁଠି ତା’ସହ ଆଉ କୌଣସି ଆଶା ନାହିଁ, କୌଣସି ଉଦ୍ଦୀପନା ନାହିଁ ।

 

ପ୍ରକାଶର ଜୀବନର ଜଟିଳ ଜଞ୍ଜାଳିଆ ପଥର ଅନେକ ମୋଡ଼ ଭିତରୁ ଏ ମୋଡ଼ ଅତି ଭୟଙ୍କର । ଆଗକୁ ରାସ୍ତା ଅଛି କି ନା, କେଉଁ ଦିଗକୁ କେତେ ଦୂର ଯାଏ ଲମ୍ବିଛି ତାର କୌଣସି ପୂର୍ବାଭାସ ନାହିଁ । ରାସ୍ତା ଉପରେ ଚାଲୁ ଚାଲୁ ଟଳି ପଡ଼ିବା । ଭୀରୁତା ହେବ । ନା ସେ ବଞ୍ଚିବ, .... ଜୀବନର ପଥ ଚାଲିବ ମାତ୍ର ଆଶା ଶୁନ୍ୟ ଜୀବନ କି ଦୁର୍ବିସହ... କେମିତି ବଞ୍ଚିବ ସେ... ।

 

କାଲି ପରି ଲାଗୁଛି ଏଇ ମନ ମଧ୍ୟରେ କେତେ ଆଶାର ମୀନାର ତୋଳିଥିଲା ସେ, ଛାତି ତଳେ କେତେ ଉଦ୍ଦୀପନା, ସମାଜର ସବୁ ବାଧାବିଘ୍ନ ଡେଇଁ ମାଡ଼ି ଚାଲିବାର । ପ୍ରଥମେ ପ୍ରଥମେ ଗୋଟିଏ ଗୋଟିଏ କରି ତ ଅନେକ ସ୍ୱପ୍ନକୁ ବାସ୍ତବ ରୂପ ଦେଇ ପାରିଥିଲା । ନିଜେ ନିଜର ଏକ ବଳିଷ୍ଠ ଚରିତ୍ର ଗଠନ କରି ପାରିଥିଲା । କମ୍ ବୟସରେ ଅନ୍ୟମାନଙ୍କର ଏକ ଆଦର୍ଶ ବନି ପାରିଥିଲା ଯେ ପରିଣତ ବୟସରେ ଏମିତି ଘଣ୍ୟ ବନିଗଲା କାହିଁକି ସେ ? ସାଂସାରିକ ମୋହରେ କେମିତି ବାନ୍ଧି ହୋଇଗଲା ସେ ? କାହିଁକି ତାର ଏମିତି ପତନ ହେଲା ? ଆଶାଶୂନ୍ୟ ଜୀବନର କିଛି ମାନେ ନଥିଲା ବେଳେ ସେ ଆଶାବାଦୀ ହେବାରେ କ’ଣ ଭୁଲ ରହିଲା ? ଫଳ ଠାରେ ଆଶା ରଖି ସେ କିଆଁ ବାନ୍ଧି ହୋଇଗଲା ମୋହ ଡୋରରେ ? ସଂଯମର ରଶି କୋଉଠି ହଜାଇ ଦେଇ ସେ କିଆଁ ବାନ୍ଧି ହୋଇଗଲା ମୋହ ଫାଶରେ ?

 

ଅନେକ ପ୍ରଶ୍ନବାଚୀ ଉକୁଟି ଉକୁଟି ଘାଏଲ କରୁଛି ପ୍ରକାଶର ମସ୍ତିଷ୍କକୁ । ବଲାଙ୍ଗିର ସହରର ପଶ୍ଚିମ ପ୍ରାନ୍ତରେ ସହରର ଅନତି ଦୂରରେ ଥିବା ମଟଖାଇ ପର୍ବତର ପାଦ ଦେଶରେ ଥିବା ଦେବୀ ମଟକାଇଙ୍କ ମନ୍ଦିରର ଚବୁତରା ଉପରେ ବସି ନିଜର ଅତୀତ ଏବଂ ବର୍ତ୍ତମାନକୁ ମିଳାଇ ଆତ୍ମସମୀକ୍ଷା କରୁଛି । ଜୀବନରେ ପ୍ରଥମ ଥର ପାଇଁ ଆଜି ଏତେ ବାଟ ଚାଲି ଆସିଛି ସେ ପାଦରେ ଚାଲି ଚାଲି । ତଥାପି ଶାରୀରିକ କ୍ଳାନ୍ତି ନାହିଁ ତା’ଠି । ମାନସ ଯାର ଗ୍ଳାନି ଜର୍ଜରିତ, ଅନେକ ପ୍ରଶ୍ନବାଣରେ ଘାଏଲ, ସେଠି ଶାରୀରିକ କ୍ଲାନ୍ତି ବୋଧ କରିବା ଅସମ୍ଭବ ପ୍ରାୟ । ଶ୍ୱାପଦ ଶଂକୁଳ ଅରଣ୍ୟ ଭିତରେ ଏକାକି, ତଥାପି ମନରେ ଡର ନାହିଁ । କିଛି ଅଘଟଣ ଆଶଂକା ନାହିଁ ।

 

ଧୀରେ ଧୀରେ ମଟଖାଇ ପର୍ବତର ଶିଖର ଉପରକୁ ଚଢ଼ିଲେ ଆଦିତ୍ୟ । ନିଜର କ୍ଲାନ୍ତ ଶରୀରକୁ ପର୍ବତର ଅପର ପାର୍ଶ୍ଵର ଛାୟା କୋଳରେ ଢାଳି ଦେବା ପୂର୍ବରୁ ସୂଚାଇ ଦେଲେ ପ୍ରକାଶକୁ । ମାତ୍ର ପ୍ରକାଶ ନିର୍ବିକାର, ସେଇ ଚବୁତରା ଉପରେ ବସି ଖୋଜୁଛି ତାର ମନର ପ୍ରଶ୍ନବାଚୀର ଉତ୍ତର । କ୍ରମେ ଅନ୍ଧକାର ମନ୍ଦିର ଗାତ୍ରରୁ ବାହାରି ବ୍ୟାପିଗଲା ଅରଣ୍ୟ ସାରା । ପ୍ରକାଶର ଆଖିରେ ତ ଆଗଠୁ ଅନ୍ଧକାର, ସାଥିରେ ଏବେକାର ଅନ୍ଧକାର, ତଥାପି ପ୍ରକାଶ ନିର୍ବିକାର-। ମନରେ କେବଳ ଗୋଟିଏ ଚିନ୍ତା କ’ଣ ତାର ଭୁଲ ? ଏବେ କ’ଣ କରଣୀୟ ?

 

ଜୀବନର ଆରମ୍ଭରୁ ଆଜିଯାଏ ଘଟି ଯାଇଥିବା ପ୍ରତ୍ୟେକ ଘଟଣାର ସମୀକ୍ଷା କରୁଛି ପ୍ରକାଶର ମନ । ବଲାଙ୍ଗିର ଆସିବା ପରଠୁ ସେଇ କେତେ ଦିନ କେତେ ସୁଖକର ମାତ୍ର ସୁଖର ଅନ୍ତରାଳରେ କେତେ ହଳାହଳମୟ ଦୁଃଖ । ପ୍ରକାଶ ଭାବି ପାରୁନି କିଛି, ଆରେ ଭାସୁଛି ବହିଦାର ଇଷ୍ଟେଟର ଧୂଆଁଳିଆ ରୂପ । ସନ୍ଧ୍ୟାର ସୁନ୍ଦର ଚେହେରା, କାନରେ ଶୁଭୁଛି ସନ୍ଧ୍ୟାର ମା’ର ମମତାବୋଳା କଣ୍ଠସ୍ୱର, ପୁଣି ଅମିତର ସୁନ୍ଦର ଗମ୍ଭୀର ଚେହେରା । ମନେପଡ଼ୁଛି ସନ୍ଧ୍ୟାର ସାହଚର୍ଯ୍ୟରେ ବିତିଥିବା ବିଗତ ସନ୍ଧ୍ୟାଗୁଡ଼ିକ ।

 

ସୁଖକର ଘଟଣାର ପର୍ଯ୍ୟାୟର ଅନ୍ତ ଘଟିଥିଲା ସେଦିନ ଦିଲ୍ଲୀର ପାଲାମ୍ ବିମାନ ବନ୍ଦରରେ । ସେ ଦିନର ପ୍ରତ୍ୟେକ ମୁହୂର୍ତ୍ତରେ ଘଟିଥିବା ଘଟଣା ସ୍ପଷ୍ଟ ମନେ ଅଛି ପ୍ରକାଶର । ସେଦିନର କୋହ ଓ ଲୁହପୂର୍ଣ୍ଣ ପରିବେଶ ଭିତରେ ସ୍ଥିର ଏବଂ ନିର୍ବିକାର ପୁରୁଷ ବହିଦାର ବାବୁଙ୍କ କାର୍ଯ୍ୟକଳାପ ବି ମନେ ଅଛି ତାର ।

 

ବହିଦାର ବାବୁ... ଭାବନାର ସାରଣୀରେ ପୂର୍ଣ୍ଣଛେଦ ପଡ଼ିଲା ପ୍ରକାଶର । ବହିଦାର ବାବୁ, ଅଦ୍ଭୁତ ଏକ ସୃଷ୍ଟି, ନିରାସକ୍ତ କର୍ମଯୋଗୀଟିଏ । କର୍ମ ଯୋଗର ବ୍ୟାଖ୍ୟା କରୁଥିବା ଖୋଲା ପୁସ୍ତକଟିଏ ସ୍ଵୟଂ । ତାଙ୍କର ସବୁ ଥିଲା, ସମ୍ପୂର୍ଣ୍ଣ ସମ୍ପନ୍ନ ଥିଲେ ସେ । ବହିଦାର ଇଷ୍ଟେଟ୍ ତଥା ଯଶୋଧାରା ନସିଂହୋମ୍‍ର ମାଲିକ ସେ । ସନ୍ଧ୍ୟା ତଥା ଅମିତ୍ ପରି ଯୋଗ୍ୟ ସନ୍ତାନର ଜନ୍ମଦାତା ସେ । ମାତ୍ର ହଠାତ୍ ସବୁ ହଜିଗଲା ଅତୀତର ଗର୍ଭରେ । ଏକା ହୋଇ ଗଲେ ସେ ଏତେବଡ଼ ଦୁନିଆରେ । ତଥାପି ସେ ଅଧୈର୍ଯ୍ୟ ହେଲେନି । ନିର୍ବିକାର, ନିଶ୍ଚିନ୍ତ, କର୍ମକ୍ଷେତ୍ରରେ ପୂର୍ବପରି ଦୃଢ଼ । ଦାରାପୁତ୍ରର ମୃତ୍ୟୁ ତାଙ୍କୁ ଦୋହଲାଇ ପାରିଲାନି । ବାସ୍ତବରେ ଗୋଟିଏ ଚଟାଣ ପରି ବସି ରହିଲେ-। କୌଣସି ପ୍ରକାର ତୁଫାନ ତାଙ୍କର କିଛି ବିଗାଡ଼ି ପାରିଲା ନାହିଁ ।

 

ପ୍ରକାଶ ତୁଳନା କଲା ନିଜକୁ ବହିଦାରଙ୍କ ସହ । ତାଙ୍କର ସ୍ଵଚ୍ଛତା ଠାରେ ନିଜ ଅନ୍ତରର ମଳିନତ୍ୱକୁ ଉପଲବ୍ଧ କଲା । ଭାବୁଛି, ସେ ସବୁ ହରାଇ ତିଳେ ମାତ୍ର ଦୁଃଖ କଲେନି, ମାତ୍ର ସେ ହରାଇଛି ବା କ’ଣ ? କ’ଣ ବା ତା’ର ଥିଲା ଯାହା ଆଜି ଚାଲିଯିବାରୁ’ ମନରେ ତାର ଦୁଃଖ ହୋଇଛି ! ! ଉତ୍ତର ପାଉନି, ଥିଲା କେବଳ କେତେଗୁଡ଼ିଏ ଅହେତୁକ ଆଶା ଯାହା ପୂରଣ ହେବା ଅର୍ଥ ଅନେକ ପ୍ରଶ୍ନବାଚୀ ଆମର ସାମାଜିକ ପ୍ରଥା ଠାରେ । ତଥାପି ଏପରି ଅହେତୁକ ଆଶାଗୁଡ଼ିକ ଭାଙ୍ଗିଯିବାରେ ସେ କିଆଁ ଏତେ ଦୁଃଖୀ ? ଯେଉଁମାନଙ୍କୁ ନେଇ ସେ ଏତେ ସୁଖକର କଳ୍ପନା କରିଥିଲା ଯେବେ ସେଇମାନେ ହିଁ ତାକୁ ଭାଙ୍ଗି ଦେଲେ ତିଳେ ମାତ୍ର କୁଣ୍ଡା ନକରି, ଏବେ ସେ କିଆଁ ଚିନ୍ତା କରିବ ?

 

ତେବେ ସେ ଉଷା ସହ ଯେଉଁ ଅବିଚାର କଲା ତାହା... ଅବଶ୍ୟ ତ ଭୁଲ, ମାତ୍ର ଜୀବନରେ ଗୋଟିଏ ଭୁଲ ପାଇଁ କ’ଣ ସେ ଜୀବନ ତ୍ୟାଗ କରିଦେବ ? ବରଂ ବଞ୍ଚିରହି ସେ ଭୁଲକୁ ହୃଦୟଙ୍ଗମ କରି ତାର ପୁନରାବୃତ୍ତି ନକରି ଅନ୍ୟ କେତେକ ଠିକ୍ କାମ କରି ସମାଜର ସାମୂହିକ ଉନ୍ନତିସାଧନ କରିପାରିବ । ସଦୈବ, ଭୁଲ କରିଥିବା ବ୍ୟକ୍ତି ନିଜ ଭୁଲକୁ ବୁଝିପାରି ସେ କାମକୁ ଭୁଲିଯାଇ ଆଗକୁ ବଢ଼ିଚାଲିବା ଉଚିତ୍ ହୃଦୟରେ ସଂକଳ୍ପକରି ସେ ଭୁଲ ଆଉ କେବେ କରିବନି ସେ । ହଁ ଏୟା ହିଁ ଠିକ । ଏୟାହିଁ କରଣୀୟ । କ୍ରମେ ପ୍ରକାଶର ମନ, ମସ୍ତିଷ୍କ ଏହି ଦୃଢ଼ ନିର୍ଣ୍ଣୟରେ ବ୍ରତୀ ହେଲେ।

 

ବିଗତ କର୍ମବିମୁଖ ସମୟ ପାଇଁ ବୃଥା ପଶ୍ଚାତ୍ତାପ ନକରି ବରଂ ଏବେଠାରୁ କର୍ମମୟ ଜୀବନରେ କର୍ମୀଟିଏ ବନିଯିବା ଉଚିତ୍ । ଅହେତୁକ କାମନା ନରଖି ବରଂ ବାସ୍ତବବାଦୀ ହୋଇ କର୍ମ କରିଚାଲିବା ଉଚିତ୍ ହେବ । ପ୍ରକାଶ ଆଗରେ ତ ଅନେକ କର୍ମୀ । ତାର ଜୀବନର ମାନେ ବି ଅନେକ କିଛି ହୋଇପାରେ । ଲୋଡ଼ା କେବଳ ପ୍ରଚେଷ୍ଟା । ନା ସେ ଏବେ ପ୍ରଚେଷ୍ଟା କରିବ । ଫେରିଯିବ ତାର କର୍ମଭୂମି ଗାଁ ମାଟି ଶିରିଷପାଳକୁ। ସେଇଠି ଆରମ୍ଭ କରିବ ପ୍ରଚେଷ୍ଟା ତାର ଜୀବନର ରୂପ ରଙ୍ଗ ବଦଳାଇବାକୁ । ସଜାକର୍ମୀ କେବେ ଭୋକରେ ମରେ ନି କି ଖୋଲା ଆକାଶ ତଳେ ମୁଣ୍ଡ ଥାପେନି । ହଁ ତାକୁ ସବୁ ତ୍ୟାଗକରି ଫେରି ଯିବାକୁ ହେବ । ହଁ.....।

 

ପାଦ ଉଠାଇ ଚାଲିଲା ପ୍ରକାଶ । ଭୋର ହୋଇ ଆସୁଛି, ଅନ୍ଧକାର କିଛି ମାତ୍ରାରେ ହଟିଯାଇ ମଟଖାଇର ପାଦଦେଶ ପ୍ରକାଶିତ ହେଲାଣି ପୂର୍ବାକାଶରେ ସିନ୍ଦୁରା ଫାଟିବାର ସାଥେ ସାଥେ । ପ୍ରକାଶ ଉଠିଲା... ପାଦ ବଢ଼ାଇଲା ଆଗକୁ... ଆଗକୁ ବଢ଼ିଲା । ମନ ସ୍ଥିର, ସାମ୍ନାରେ ଲକ୍ଷ୍ୟ... ଅନେକ ଦୂର... ଅନେକ ଦୂର ।

***

 

‘ଛତିଶ’

 

ମଣିଷର ବୃତ୍ତି, ପ୍ରବୃତ୍ତିକୁ ସିଦୈବ ଜାବୁଡ଼ି ଧରିଥାଏ ସ୍ୱେଚ୍ଛା । ସ୍ୱେଚ୍ଛାବିହୀନ ବୃଦ୍ଧି ମୂଲ୍ୟହୀନ, ସ୍ଵେଚ୍ଛା ବଳ ଦିଏ ସ୍ୱାଭିମାନକୁ । ସ୍ୱାଭିମାନ ମନୁଷ୍ୟକୁ ସମାଜଠାରୁ ଦୂରେଇ ନିଏ ଧୀରେ ଧୀରେ ଏବଂ ପରିଶେଷରେ ମଣିଷ ସଂକଳ୍ପିତ ପଥକୁ ଏକା ହୋଇ ପାର ହୁଏ । ନିସଙ୍ଗତା ଖାଇ ଗୋଡ଼ାଏ ସଭିଙ୍କୁ ତଥାପି ସ୍ଵାଭିମାନୀ ଜାଣୁ ଜାଣୁ ତାହାକୁ ଆମନ୍ତ୍ରିତ କରେ । ଥରେ ନିସଙ୍ଗ ହୋଇଗଲେ ସମୟ ମଧ୍ୟ ଖୁବ୍ ଦାଉ ସାଧେ ।

 

ଅନେକ ସମୟରେ ସବୁଠାରୁ ଅଧିକ ଅନର୍ଥର ମୂଳକାରଣ ମଣିଷର ସବୁଠୁ ପ୍ରିୟ ହୋଇଥାଏ । ଏଇ ପ୍ରିୟ ଉପାଦାନଟିକୁ ନିଜଠୁ ଦୂରେଇ ନ ପାରିବା ଯୋଗୁ ହିଁ ମଣିଷ ନାନା ଅସୁବିଧାର ସମ୍ମୁଖୀନ ହୁଏ । ସମୟ ସବୁ ଦେଖେ ଚୁପ୍ ରହେ, ସାକ୍ଷୀ ବନି ଇତିହାସ ବନାଏ ।

 

ଏକଦା ଉଷାର ପ୍ରିୟତମ ପୁରୁଷ ପ୍ରକାଶ ହିଁ ଝଞ୍ଜା ସୃଷ୍ଟି କରିଛି ଉଷାର ଜୀବନ ବାରିଧିରେ । ଯାହାର ଆଶ୍ରୟ ଆଶାରେ ଧାଇଁ ଆସିଥିଲା ସେ ହିଁ କାରଣ ବନିଲା ତା ଜୀବନର ନଉକା କୂଳରେ ଲାଗୁ ଲାଗୁ ବୁଡ଼ି ଯିବାର । ଏବେ ଉବୁଟୁବୁ ହେଉଥିବା ନଉକା ନିଜର ଅସ୍ତିତ୍ୱ ହରାଇବାରେ ଆଉ କେତେ କ୍ଷଣ ବାକି ? ? ?

 

ତଥାପି ପ୍ରକାଶ ଉଷାର ମର୍ଯ୍ୟାଦା ପୁରୁଷ । ତାର ଉଦ୍ଦିଷ୍ଟ ମ ଉଷା ପାଇଁ ନିର୍ମାଲ୍ୟ । ଦୁର୍ଘଟଣାରୁ ହେଉ ସୁଘଟଣାରୁ ହେଉ ଘଟଣାର ନାୟକ ତ ସେଇ ପୁରୁଷ । ଫଳ ମଧ୍ୟରେ ତାରି ସତ୍ତା ତ ଅଛି । ଆଉ କ’ଣ ଲୋଡ଼ା, ଅତି ଯତ୍ନର ସହ ରଜନୀର ସାହଚର୍ଯ୍ୟରେ ବଢ଼ାଇ ଆସିଛି ପ୍ରକାଶର ସଭାକୁ ନିଜର ଉଦରରେ । ଭବିଷ୍ୟତର ଆଗନ୍ତୁକ ପାଇଁ ଭାରି ଚିନ୍ତା ଉଷାର । ଏବେଠୁ ସାବଧାନ ହୋଇ ପରିକଳ୍ପନା କରି ଚାଲିଛି ଆଗନ୍ତୁକର ଭବିଷ୍ୟତ । ହୁଏତ ଚାରିବର୍ଷର ପୁତ୍ର ଆକାଶର ନୂଆ ଭାଇ ଆସିବ । ଦୁଇ ଭାଇ ଶୁକ୍ଳ ପକ୍ଷର ଚାନ୍ଦ ଭଳି ବଢ଼ିବେ । ନିଜକୁ ଚିପୁଡ଼ି ଚିପୁଡ଼ି ସିକ୍ତ କରିବ ଦୁଇ ପୁଅଙ୍କ ଚଲାପଥକୁ । କଅଁଳ ପାଦକୁ ଜୀବନର ଶୁଷ୍କପଥ ଘାଏଲ କରିଦେବ ନହେଲେ...

 

ଛଅମାସର ସିଲେଇ ଟ୍ରେନିଂ ସାରି ୩ମାସ ହେବ ନିଜେ ଅର୍ଡର ନେଇ ସିଲେଇ କରୁଛି । ପାରିଶ୍ରମିକ ଯାହା ବା ମିଳୁଛି ସବୁ ଭାବି ସନ୍ତାନର ଭବିଷ୍ୟତ ପାଇଁ ଜମା ରଖୁଛି । ରଜନୀ ଏଥି ସକାଶେ ପୋଷ୍ଟ ଅଫିସ୍‍ରେ ଏକାଉଣ୍ଟଟାଏ ଖୋଲି ଦେଇଛି । ନର୍ସିଂହୋମରୁ ମିଳୁଥିବା ଭତ୍ତାରେ ମା ପୁଅଙ୍କ ଗୁଜରାଣ ବେଶ୍ ମେଣ୍ଟି ଯାଉଛି । କାଗଜର ଠୁଙ୍ଗା ବନାଇବା ବନ୍ଦ କରି ଦେଲାଣି କାହିଁ କେତେ ଦିନୁଁ ।

 

ଦୁଇ ମାସ ହେଲାଣି କଥା କଥାକେ ସତର୍କ କରି ଯାଉଛି ରଜନୀ । ଏ ସମୟରେ ବେଶୀ ରାତିଯାଏ ଅନିଦ୍ରା ହୋଇ କୌଣସି କାମ ନକରିବାକୁ । ବେଶୀ ପରିଶ୍ରମ ମଧ୍ୟ ହାନିକାରକ ସିଦ୍ଧ ହୋଇପାରେ । ମାତ୍ର ଉଷାର ମନରେ ସେଇ ଗୋଟିଏ ଚିନ୍ତା, କାଲି ସକାଳେ ଯେବେ ପ୍ରକାଶର ସଭା ନୂଆ ଆଲୋକ ଦେଖିବ, ତାର ଯେମିତି କୌଣସି ଅସୁବିଧା ନହୁଏ । କୌଣସି ପ୍ରକାର କମି ଯେପରି ସେ ଅନୁଭବ ନକରେ । ଲୁଚି ଲୁଚି ହେଲେ ମଧ୍ୟ ଗ୍ରାହକଙ୍କଠୁ ଅର୍ଡର ନେଉଛି ଏବଂ ରାତି ଅଧରେ ଲାଇଟ୍ ଜଳାଇ କାମ କରୁଛି । ଅନେକ ଥର ଧରା ପଡ଼ିଲାଣି । ରଜନୀ ଅନେକ ବୁଝାଇଛି, କେବେ କେବେ ରାଗିଛି, ଅଭିମାନ କରିଛି, ତା’କଥା ମାନୁ ନଥିବାରୁ, ମାତ୍ର ଉଷା ଯେମିତିକୁ ସେମିତି ।

 

ଆଜି ଗୋଟିଏ ଫାନ୍ସି ଡ୍ରେସ କରିବା ଅର୍ଡର ପାଇଛି । ଜରିକାମ ସହ ଏମ୍ୱ୍ରୋୟଡରି ହେବ । ପାରିଶ୍ରମିକ ପଚାଶ ଟଙ୍କା । କିଛି କମ୍ ନୁହଁ । ସମୟ ହାତରେ ଖୁବ୍ କମ୍ । କେମିତି ହେଲେ ସାରିବାକୁ ପଡ଼ିବ । ରଜନୀ ଶୋଇଗଲେ ଉଠିକରି କାମ କରିବ, ମାତ୍ର ସେ ନ ଶୋଇଲେ କ’ଣ ରଜନୀ ଶୋଇବ ? ନା ତାକୁ ଆଗ ଲାଇଟ୍ ଲିଭାଇ ଶୋଇଯିବାକୁ ପଡ଼ିବ ।

 

ତରତର ହୋଇ ସିଲାଇ ମେସିନ୍ ପାଖରୁ ଉଠି ସ୍ୱିଚ୍ ଅଫ୍ କରି ନେଲା ଉଷା । ଲାଇଟ୍ ଲିଭିବା ମାତ୍ରକେ ଉଷାର ଛୋଟ କୋଠରୀଟିରେ ଅନ୍ଧକାର ଭରିଗଲା ବିକଟ ରୂପ ନେଇ । ଏବେ ପୁଅ ପାଖରେ ଅଧଘଣ୍ଟା ବିଶ୍ରାମ ନେଇଗଲେ ଭଲ ହେବ । ଖଟ ପାଖକୁ ଯିବାକୁ ପାଦ ଉଠାଇଲା ଉଷା । ସନ୍ତର୍ପଣରେ ଯାଉ ଯାଉ ଝୁଣ୍ଟି ପଡ଼ିଲା ଖଟକୁ ଲାଗିଥିବା ଷ୍ଟୁଲ୍‍ଟିରେ । ଭାରସାମ୍ୟ ରଖ୍ ପାରିଲା ନାହିଁ ସେ । ପଡ଼ି ଯାଉ ଯାଉ ମଶାରି ବାଡ଼ିର ସାହାରାରେ ସମ୍ଭାଳି ନେଲା ନିଜକୁ ମାତ୍ର ପୃଥୁଳ ପେଟ ଧକ୍କା ଖାଇଲା ପଲଙ୍କର କୋଣରେ । ଓଃ... କି ଯନ୍ତ୍ରଣା... ନା...ଆଃ...ଆ...ହ... ।

 

ପାଖ କୋଠରୀରେ ଟେବୁଲ ଲ୍ୟାମ୍ପର ଲାଇଟ୍‍ରେ ଗୋଟିଏ ପେସେଣ୍ଟର ରକ୍ତ ଏବଂ ଝାଡ଼ାର ଆନାଲିସିସ୍ ରିପୋର୍ଟଟା ନିରୀକ୍ଷଣ କରୁଥିଲା ରଜନୀ... ଅଦ୍ଭୁତ... ରୋଗୀଟାକୁ ରୋଗଟା ତୀବ୍ର ବେଗରେ ଖାଇ ଯାଉଛି ଅଥଚ ରୋଗଟା କ’ଣ ଠଉରେଇ ହେଉନି । ସମସ୍ତ ବିଦ୍ୟାବୁଦ୍ଧି ଜ୍ଞାନ କୌଶଳକୁ ଏକାଠି କେନ୍ଦ୍ରୀଭୂତ କର ନିରୀକ୍ଷଣ କରୁଛି ବିଶ୍ଳେଷଣ ରିପୋର୍ଟ । ଏମିତି ଏକ ସମୟରେ ପାଖ କୋଠରୀରୁ ଉଷାର ଚିତ୍ରକାର ରଜନୀର ଧାନ ଭାଙ୍ଗିଲା । କ’ଣ ହେଲା ? ଏମିତି ଏକ ପ୍ରଶ୍ନବାଚୀ ମସ୍ତିଷ୍କରେ ଉକୁଟି ଉଠୁ ଉଠୁ ପାଦ ଯୋଡ଼ିକୁ ସ୍ୱୟଂଚାଳିତ କରି ମୁହାଁଇ ନେଲା ଉଷାର କୋଠରୀ ଆଡ଼କୁ ।

 

ଘରସାରା ଅନ୍ଧାର । ପ୍ରଥମେ ସ୍ୱିଚ୍ ଦବାଇ ଲାଇଟ୍ ଜାଳିଲା ରଜନୀ । ପଲଙ୍କ ଧାରରେ ପଡ଼ିଛି ଉଷା । ବେଶଭୂଷା ଅସ୍ତବ୍ୟସ୍ତ । ମୁହଁରୁ ସରୁ ଆର୍ତ୍ତ ଚିତ୍କାର ଶୁଭୁଛି । କ୍ଷିପ୍ର ଗତିରେ ସଂଜ୍ଞା ହରାଉଛି ଉଷା । ଖଟ ଉପରେ ବେସୁଧ ହୋଇ ଶୋଇଛି ସାଢ଼େ ଚାରି ବର୍ଷର ପୁଅ ଆକାଶ ।

 

ରଜନୀ ଆଗେଇ ଯାଇ ସାଉଁଟି ପକାଇଲା ଉଷାକୁ । ଉଷା…...ଉଷା…...କ’ଣ ହେଲା ତୁମର ? ? ?-

 

ହଁ...ଆଃ...ଆ...ହଁ... ଆଖି ଖୋଲୁ ଖୋଲୁ ପୁଣି ଆଖି ବୁଜି ହୋଇଗଲା ଉଷାର । ଆଙ୍ଗୁଳିରେ ଠାରି ଦେଖାଇ ଦେଲା ନିଜର ତଳି ପେଟ । ମୁହଁର ଭାଙ୍ଗ ବାକି ତାକୁ ସବୁ କହିଦେଲା-। ରଜନୀ ସବୁ ବୁଝିଗଲା, ଜଲ୍‍ଦି ହସ୍ପିଟାଲକୁ ସିଫ୍ଟ କରିବାକୁ ହେବ । ଡେରିକଲେ ଅନର୍ଥ ହୋଇଯିବ । ଖଟ ଉପରୁ ତକିଆଟାଏ ଟାଣି ଆଣି ସେଇ ଭୂଇଁ ଉପରେ ଉଷା ମୁଣ୍ଡ ତଳେ ଥୋଇ ଦେଇ ଝଡ଼ ବେଗରେ ବାହାରି ଗଲା ରଜନୀ ଉଷାର କୋଠରୀରୁ ।

***

 

‘ସଇଁତିରିଶ’

 

ଉଷା ଏକ ପରିବର୍ତ୍ତନ । ରଜନୀ ଠାରୁ ରୂପ, ଗୁଣ, ଧର୍ମ ସବୁ କ୍ଷେତ୍ରରେ ଭିନ୍ନ । ସମୟର ସୂଚକ କାନ୍ଥ ଘଣ୍ଟା କହୁଛି ଉଷା ଆସିଛି । ରଜନୀର କରାଳ ରୂପର ଉଦ୍ଦାମତାର ଜୁଆରିଆ ଲହଡ଼ିତଳେ ଶାନ୍ତ ସିଗ୍ନ ପରିବେଶର ଏକ ସୂକ୍ଷ୍ମରେଖା ଟାଣିଛି ଉଷା । ଏଇଟି ତାର ସୀମାରେଖା । ଏପାରିରେ ଶାନ୍ତ, ସ୍ଥିର, ସ୍ନିଗ୍ଧତା ଆଉ ସେ ପାରିରେ ଭୟାବହତା, କଟୂତା ଏବଂ ତୀବ୍ରତାର ଏକ ଅତୀତ ।

 

ଭବିଷ୍ୟତ ସିନା ଆପେ ଖିଞ୍ଚି ହୋଇ ଆସି ବର୍ତ୍ତମାନ ପାଲଟିଯାଏ ମାତ୍ର ଅତୀତକୁ ବର୍ତ୍ତମାନର ରୂପ ଦେବା ଅସମ୍ଭବ । ରାତିର ଆକସ୍ମିକ ଦୁର୍ଘଟଣାର ଶିକାର ଉଷା, ଡକ୍ଟର ରଜନୀର ଅକ୍ଲାନ୍ତ ପରିଶ୍ରମ ସତ୍ତ୍ୱେ ଅତୀତ ଗର୍ଭକୁ ଟାଣି ହୋଇଗଲା ଗୋଟିଏ ଚଳନ୍ତି ବର୍ତ୍ତମାନ । ଦେଖୁ ଦେଖୁ ଅପରେସନ୍ ଟେବୁଲ ଉପରେ ରଜନୀ ସମେତ ତିନିଜଣ ଡାକ୍ତରଙ୍କର ଚକ୍ଷୁ ସାମ୍ନାରେ ଅତୀତ ପାଲଟି ଗଲା । ସବୁକିଛି କେବଳ ସ୍ମୃତି ପାଲଟି ଗଲା ନିମିଷକ ମଧ୍ୟରେ । ଅବଶ୍ୟ ଚଳନ୍ତି ବର୍ତ୍ତମାନ ଅତୀତ ବନୁ ବନୁ ସବୁ ବିଗତ ସ୍ମୃତିକୁ ଏକାକାର କରି ଛାଡ଼ିଗଲା ଏକ ଲମ୍ବା ଭବିଷ୍ୟତ ସ୍ମରଣିକା ରୂପେ । ନିଜର ଅନ୍ତିମ ନିଶ୍ଵାସ ଗଣୁ ଗଣୁ କୋମଳ କର କୁଆଁରାବ ଶୁଣି ତୁପ୍ତି ପାଇଥିଲା ଉଷା । ରଜନୀ ହାତରେ ହାତରଖି ଧିର ତଥା ବେଦନା ପୂର୍ଣ୍ଣ କଣ୍ଠରେ କହିଥିଲା । ଏଇଟି ତୁମକୁ ଲାଗିଲା ଭଉଣୀ, ତାଙ୍କୁ କହିବ ମୋ ମୁହଁରେ ନିଆଁ ଟିକେ ଦେବେ । ବାସ୍ ତା’ ପରେ ସବୁ ନିସ୍ତବ୍ଧ ହୋଇ ଯାଇଥିଲା । ମୁହଁ ଲଟକାଇ ରଜନୀ ସମେତ ତିନିଜଣ ଯାକ ଡାକ୍ତର ଅପରେସନ ଥିଏଟରରୁ ବାହାରିଲା ବେଳକୁ ଉଷା ଧରାପୃଷ୍ଠରୁ ବିଦାୟ ନେଇ ସାରିଥିଲା । ହାତଘଣ୍ଟା ସୂଚାଉଥିଲା ଦିନ ଏଗାରଟା ।

ଅପରେସନ୍ ଥିଏଟର ଦ୍ଵାର ସମ୍ମୁଖ ବାରଣ୍ଡାରେ କାନ୍ଥକୁ ଲାଗି ପଡ଼ିଥିବା ବେଞ୍ଚ ଉପରେ ନଜର ଦୌଡ଼ାଇଲା ରଜନୀ । ଖାଲି, ସାରା ବାରଣ୍ଡାଟା ଶୂନ୍ୟ, ଯଶୋଧାରା ନସିଂହୋମର ଅପରେସନ୍ ଥିଏଟରରୁ ବାହାରି କୌଣସି ବ୍ୟସ୍ତ ତଥା ଆତଙ୍କିତ ଚେହେରା ନ ଦେଖିବାଟା ଏଇ ପ୍ରଥମ । ଭଲ ମନ୍ଦ ପଚାରିବାକୁ କେହି ନାହିଁ । ମୁଖମଣ୍ଡଳରୁ ଝାଳ ପୋଛିଲା ରଜନୀ । ଅନ୍ୟ ଦୁଇଜଣ ଡାକ୍ତର ବାଟକାଟି ଆଗେଇ ଗଲେ ଡକ୍ଟର୍ସ କେବିନ୍ ଆଡ଼କୁ । ରଜନୀ ସେଇ ଦ୍ଵାର ମୁହଁରେ ଠିଆ ହୋଇଛି ।

ଏତେ ବଡ଼ ଏଇ ସଂସାରରୁ ଜଣେ ଚିରଦିନ ପାଇଁ ଚାଲିଗଲା । ଅଥଚ ତା’ ପାଇଁ । ଟୋପାଏ ଲୁହ ଗଡ଼ାଇବାକୁ କେହି ନାହିଁ ।

ହୁଏତ ଏମିତି ବି ହୋଇଥାନ୍ତା, ବିଶାଳ ଜନ ସମାବେଶର ବ୍ୟାକୁଳିତ ପ୍ରାଣକୁ ଦୁଃଖଦ ସମ୍ବାଦଟିଏ ଦେଉ ଦେଉ ରଜନୀ ସ୍ଵୟଂ ଆଖିରୁ ଲୁହ ଗଡ଼ାଇଥାନ୍ତା । କେହି ଜଣେ ସୌମ୍ୟ ଯୁବକ ରଜନୀର ହାତ ଗୋଡ଼ ଧରି ନେହୁରା ହୁଅନ୍ତା ଥରୁଟିଏ ଏ ସମାଚାର ମିଛ ବୋଲି କହିବାକୁ । ଅବା ଛୋଟ କୁନି ପୁଅ ଯିଏ ରାହାଧରି ମାମା କହି କାନ୍ଦି ଗଡ଼ୁଥାନ୍ତା ମାତ୍ର ସେ ଭାଗ୍ୟ କାହିଁ ବିଚାରୀର।

ଦ୍ୱାର ପାଖରୁ ପଛକୁ ବୁଲି ପଡ଼ି କୋଠରୀ ଭିତରକୁ ଚାହିଁଲା ରଜନୀ । ଖଟ ଉପରେ ଧଳା ଚଦର ଆବୃତା ନିର୍ଜୀବ ଶରୀରଟିଏ । ଆପାଦମସ୍ତକ ଆବୃତା, କିଏ କହିବ ତାର ଭିତରର ପରିଚୟ ? ନିଜ ହାତରେ ଚଦର ଟାଣି ଘୋଡ଼ାଇ ଦେଇଛି ରଜନୀ । କାହାକୁ ଘୋଡ଼ାଇଛି ? ନିର୍ଜୀବ ଶରୀରଟିଏକୁ ନା ଉଷାର ଅସ୍ତିତ୍ୱକୁ ?

ଉଷା ସ୍ଵତଃ ପରିଚାଳିତ ମାତ୍ର ପରିସ୍ଥିତି ପେଷତ । ଆଜୀବନ ପେଷି ହୋଇଛି । ତଥାପି ନିର୍ଭିକ ଭାବେ ଆଗେଇ ଚାଲିଥିଲା । ମାତ୍ର ଏମିତି ଏକ ପ୍ରଦୀପ ଜଳୁ ଜଳୁ ହଠାତ୍ ଲିଭିଯିବା... କି ବିଡ଼ମ୍ବନା ! ! ଏଇ ପ୍ରଦୀପ ଯାହା ଏମିତି ଏକ ଆଲୋକ ଦେଉଥିଲା ଯାହା ହୁଏତ ଚିର ଅମ୍ଲାନ । ଆଜି ତାର ମୂଲ୍ୟ ଏ ସମାଜରେ କିଛି ନୁହେଁ । ନୈତିକତାର ମୂଲ୍ୟ କେହି ବୁଝି ଲେ ନି । ଅନ୍ତିମ ଯାତ୍ରା ସମୟରେ କେହି ଲୁହ ଟୋପେ ବି ଦେଲେ ନି । ନା.... ଏହା ଅବିଚାର ।

ରଜନୀ ପାଦ ଉଠାଇଲା, ଭିତରକୁ ଚାଲିଲା, ଅପରେସନ ଟେବୁଲ ପାଖରେ ପହଞ୍ଚି ଧଳା ଚଦରଟିକୁ ମୁହଁ ପାଖରୁ ଟାଣି ଦେଲା । ଦେଖିଲା ଉଷାର ଶାନ୍ତ, ସୌମ୍ୟ, ନିର୍ମଳ, ଚେହେରା । ପ୍ରଶାନ୍ତିର ମୁଦ୍ରା, ନିଜର ସବୁ ଦାନ କଲା ପରେ ବି ନିଶ୍ଚିନ୍ତ । କୋହ ଠେଲି ହୋଇ ଆସିଲା ରଜନୀର ଅନ୍ତରରେ । ନା... ନା... ଉଷା ତୁମର ତପସ୍ୟାର ଫଳ ଏୟା ହୋଇପାରେନା... ଏୟା ହୋଇପାରେନା । ମାଡ଼ି ଆସିଲା ଲୋତକର ବନ୍ୟା । ପ୍ଲାବିଗଲା ଗଣ୍ଡଦେଶ ଦେଇ । କୋହ ପରେ କୋହ... ଛୋଟ ପିଲାଟିଏ ପରି କାନ୍ଦି ଉଠିଲା ରଜନୀ ଉଷାର ମୁହଁକୁ ସାଉଁଟି ।

ପାଖରେ ନବଜାତ ଶିଶୁଟିକୁ ସଫା କରୁଥଲେ ଦୁଇଜଣ ସେବିକା । ଅବାକ୍ ହୋଇ ଦଉଡ଼ି ଆସିଲେ ଡକ୍ଟରଙ୍କ ପାଖକୁ । ପ୍ରବୋଧନା ଦେଇ ନିବାରଣ କଲେ, ମାତ୍ର ଏ ବନ୍ୟା ଅମାନିଆ । ଜୁଆରର ସୁଅକୁ କୋଉ ବନ୍ଧ ରୋକିବ ?

କ୍ରମେ ଅନ୍ତରର କୋହ ରାହା ରୂପନେଲା । ରାହା ଧରି କାନ୍ଦି ଉଠିଲା ରଜନୀ । ଏଇ ଅଳ୍ପ ଦିନରେ ଗଢ଼ିଉଠିଥିବା ଆତ୍ମୀୟତା ତଥା ଉଷାର ନିର୍ମଳତା ରଜନୀର ପ୍ରତ୍ୟେକ ତନ୍ତ୍ରୀରେ ଆବେଗ ସୃଷ୍ଟି କରିଛି । ଆଖିରୁ ଲୁହ ଝରି ଉଷାର ନିଜୀବ ଶରୀରଟିକୁ ଭିଜେଇ ଦେଉଛି । ଅଥବା ଲମ୍ବା ଜୀବନର ପରିସୀମା ଭିତରେ ଅଜାଣତରେ ତା ଉପରେ ବିତିଯାଇଥିବା ଘଟଣାର ଦାଗ ଯାହା ସମାଜ ଆଖିରେ କଳଙ୍କ ଧୋଇ ପକାଉଛି ରଜନୀର ସମସ୍ତ ସୁକୃତ ଲୁହ ରୂପ ନେଇ । ରଜନୀ କାନ୍ଦୁଛି ସକେଇ ସକେଇ ।

ଦ୍ୱାର ପାଖରେ ଉଷାର ଚାରି ବର୍ଷର ପୁଅକୁ ନେଇ ରଜନୀର ଘରୋଇ ଚାକର ଆସି ପହଞ୍ଚିଲା । ନିଜ ମାଲିକାଣୀର ଏ କ୍ରନ୍ଦନରତ ଅବସ୍ଥା ଦେଖି କ’ଣ କରିବ କିଛି ଭାବି ପାରିଲାନି । ଛୁଆର ହାତ ଧରି ଚୁପ୍ ହୋଇ ଦ୍ୱାର ପାଖରେ ଠିଆ ହେଉ ହେଉ ଛୁଆଟା କାନ୍ଦୁରା ମୁହଁନେଇ ଆଣ୍ଟି ଆଣ୍ଟି କହି ଭିତରକୁ ପଶିଯାଇ ରଜନୀର ଗୋଡ଼କୁ କୁଣ୍ଡାଇ ଧରିଲା ।

ମୋ ମା କାହିଁ ଆଣ୍ଟି... ?

ମୁଣ୍ଡ ଉଠାଇ ରଜନୀ ଚାହିଁଲା । ବାଳୁତ ଶିଶୁର କାନ୍ଦୁରା ମୁହଁ । ଛୁଆ ଖୋଜୁଛି ମାଆକୁ । ଦ୍ୱାର ଆଡ଼କୁ ଚାହିଁଲା... ।

ସାଢ଼େ ସାତଟା ବେଳୁ ଉଠି କରି ମା ମା ହେଉଛି ଆଜ୍ଞା । ବିସ୍କୁଟ୍ ଦେଲି, ହରଲିକୁ, କ୍ଷୀର କିଛି ହେଲେ ଖାଇଲା ନାଇଁ ଆଜ୍ଞା ଖାଲି ମା ମା ହେଲା । ଏଗାରଟା ଯାଏ ଅପେକ୍ଷା କଲି, ଭାରି ଅସମ୍ଭାଳ ହେବାରୁ ଏଠିକି ନେଇ ଆସିଲି ଆଜ୍ଞା । ଏକା ରାହାରେ କହି ପକାଇଲା ଦୁଇ ହାତ ପାପୁଲିକୁ ମଳୁ ମଳୁ ବିନତି ମୁଦ୍ରାରେ ।

... ମୋ ମା କାଇଁ ଆଣ୍ଟି... ? ଅଧୀର କଣ୍ଡରେ ଶିଶୁଟିର ପ୍ରଶ୍ନ ।

... ରାଜୁ ୟାକୁ ନେଇ ଯାଅ । ଉଦାସ କଣ୍ଡରେ ଆଦେଶ ଦେଲା ରଜନୀ ନିଜ ଘରୋଇ ଚାକର ରାଜୁକୁ ।

... ମୋ ମା କାଇଁ ଆଣ୍ଟି... ?

ରାଜୁ କୋଳରେ ତୋଳି ନେଲା ଚାରି ବର୍ଷର ଶିଶୁକୁ । ଅନିଚ୍ଛା ସତ୍ତ୍ଵେ କୋଳକୁ ଯାଉ ଯାଉ ଶିଶୁଟି ଦେଖିପାରିଲା ମାର ଚେହେରା ଅପରେସନ ଟେବୁଲ ଉପରେ ।

ଏଇ ତ ମୋ ମା, ଆଣ୍ଟି ତାକୁ ଉଠାଅ….. ଛାଡ଼ ମୁଁ ତାକୁ ଉଠାଇବି…... ଛାଡ଼….. ମା…..ମା…..ଆ ।

ଆଖି ଉଠାଇ ଚାହିଁଲା ରଜନୀ ଚାକର ରାଜୁ ଆଡ଼କୁ ।

ଚାରିବର୍ଷର ଶିଶୁ ଆକାଶକୁ ଧରି ଦ୍ୱାର ଆଡ଼କୁ ମୁହାଁଇଲା ରାଜୁ । ଛାଟି ପିଟି ହୋଇ ରଡ଼ି ଛାଡ଼ୁଛି ଆକାଶ... ମୋତେ ମୋ ମା ପାଖକୁ ନିଅ... ମୋ ମାଆକୁ । ଉଠାଇ ଦିଅ... ମୋ ମା... । ଅଳ୍ପକ୍ଷଣ ପରେ ଦୃଷ୍ଟିରୁ ଅଦୃଶ୍ୟ ହୋଇଗଲା ରାଜୁ । ଆକାଶକୁ ନେଇ ।

... ଅଭାଗା, ସୂଗତୋକ୍ତି କଲା ରଜନୀ । ନିଜର ଲୁହ ଭିଜା ଆଖିରୁ ଚିପୁଡ଼ି ହୋଇ ପଡ଼ୁଥିବା ଲୁହ ଧାରକୁ ପଣତ କାନିରେ ପୋଛି ନେଇ ଆଦେଶ କଲା ନର୍ସକୁ । ୟାର ସଂସ୍କାର ପାଇଁ ବ୍ୟବସ୍ଥା କର । ପ୍ରକାଶ ବାବୁଙ୍କୁ ଖବର କର ।

ଆଖି ପୋଛି ପୋଛି ଅପରେସନ୍ ଥିଏଟରରୁ ବାହାରିଗଲା ଡକ୍ଟର ରଜନୀ ।

***

 

‘ଅଠତିରିଶ’

 

ନର୍ସିଂହୋମର ବାହାରେ ଛୋଟ ଧରଣର ଗୋଟିଏ ଗହଳି । ତଳେ କୋକେଇଟିଏ ସଜା ହୋଇ ଥୁଆ ହୋଇଛି । ତା’ ଉପରେ ଆପାଦମସ୍ତକ ଶୁଭ୍ରବସ୍ତ୍ର ଦ୍ଵାରା ଆବୃତ ଶବଟିଏ । ଏଇ ଶବଟି ଆଜି ଯଶୋଧାରା ନର୍ସିଂହୋମର ସମସ୍ତ ଅନ୍ତେବାସୀଙ୍କର ପ୍ରାଣକୁ ଆର୍ଦ୍ରକରି ପକାଇଛି । ମାତ୍ର ୯/୧୦ ମାସ ତଳେ ବଲାଙ୍ଗିର ସହର ପାଇଁ ଯେ ଅର୍ବାଚୀନ ତଥା ନବାଗତା ଥିଲା ସେ ଆଜି ଯଦିଓ ଅତୀତ ପାଲଟି ଯାଇଛି ତଥାପି ନର୍ସିଂହୋମର ସମସ୍ତ ଅନ୍ତେବାସୀଙ୍କର ପ୍ରାଣରେ ଆଲୋଡ଼ନ ସୃଷ୍ଟି କରିଛି । ଝାଡ଼ୁଦାର ଚୌକିଦାର ଠାରୁ ଆରମ୍ଭ କରି ସମସ୍ତ ଡାକ୍ତର ଆଜି ଏଇ ସ୍ୱର୍ଗତା ପାଇଁ ଦୁଃଖୀ । ବେଶୀ ଭାଙ୍ଗି ପଡ଼ିଛନ୍ତି ସ୍ୱୟଂ ବହିଦାର ବାବୁ । ଆଜନ୍ମ କେବଳ ନିଜର କର୍ମରେ ବିଶ୍ୱାସ ରଖୁଥିବା ଏଇ କର୍ମଯୋଗୀ ଏବେ କର୍ମଠାରୁ ବିଶ୍ୱାସ ହରାଉଛନ୍ତି । ସୁଫଳବିହୀନ କର୍ମ ସର୍ବ ଅଶାନ୍ତିର କାରଣ ଏହା ଉପଲବ୍ଧି କରୁଛନ୍ତି । ରହି ରହି କରି ଗୋଟିଏ ପ୍ରଶ୍ନ ଆସୁଛି ମନରେ । ଉଷାର ଜୀବନ ସୂତ୍ରରେ ଅଡ଼ୁଆ ରହିଲା କୋଉଠି ? ଶାନ୍ତ, ନିରାଡ଼ମ୍ବର, ନିର୍ଭୀକା ସରଳା ଉଷାର ଏ ପରିଣତି କାହିଁକି ? ଫୁଲ ତୋଡ଼ାଟିଏ ଶବ ଉପରେ ଥୋଇ ଦେଇ ଆଖିରୁ ଝରାଇ ଦେଲେ କେଇ ବୁନ୍ଦା ଲୁହ ଶବ ଉପରେ । ବହିଦାର ବାବୁ, ସ୍ୱର୍ଗତା ପାଇଁ ପ୍ରୀତି ଉପହାର ।

 

ତା’ପଛରେ ରଜନୀ ପୁଷ୍ପଗୁଚ୍ଛ ସହ ଅନ୍ତରରେ ଲହୁକୁ ଲୁହ କରି କେଇ ବୁନ୍ଦା ଢାଳି ଦେଲା ଶବ ଉପରେ । ପଛକୁ ପଛ ଜଣ ଜଣ କରି ସବୁ କର୍ମଚାରୀ ଅର୍ପଣ କରି ଚାଲିଲେ ପୁଷ୍ପାଞ୍ଜଳି ଶବାଧାରରେ ।

 

ଏଥର ଚାଲ ! ଆଖିରୁ ଚଷମା ଓହ୍ଲାଇ ଲୁହଧାର ପୋଛୁ ପୋଛୁ କହିଲେ ବୃଦ୍ଧ ବହିଦାର ।

 

ଏ ଯାଏଁ ପ୍ରକାଶ ବାବୁ ଆସି ନାହାନ୍ତି ସାର, ଉଷା ଭଉଣୀର ଶେଷ ଇଚ୍ଛା ଥିଲା ସେ ମୁଖାଗ୍ନି ଦେବେ । କାନ୍ଦୁରା ସ୍ଵରରେ କହିଲା ଡାକ୍ତର ରଜନୀ ।

 

ସେ କ’ଣ ବଲାଙ୍ଗୀରରେ ନାହିଁ ? ଏତେ ଡେରି କ’ଣ କରୁଛି ? ବିରକ୍ତି ମିଶା କଣ୍ଠରେ କହି ପକାଇଲେ ବହିଦାର ବାବୁ ।

 

ମୁଁ ଚୌକିଦାରକୁ ତାଙ୍କୁ ଖବର ଦେବାକୁ ପଠାଇଛି ସାର, ଏଇନେ ଆସିଯିବେ ଯେ... ନିର୍ମୋହିନୀର ଶେଷ ଇଚ୍ଛା ଅନ୍ତତଃ ପୂରଣ ହେବା ଉଚିତ୍ ସାର୍ । ଏମିତି ତ ବିଚାରୀର ଅନେକ ସ୍ଵପ୍ନ ରଙ୍ଗ ଧରୁ ଧରୁ ଭାଙ୍ଗି ଚୂରମାର ହୋଇଗଲା ।

 

... ପ୍ରକାଶ ବାବୁ ବଲାଙ୍ଗିରରେ ନାହାନ୍ତି ଦିଦି । ଗତ ତିନି ଚାରି ଦିନ ହେବ ସେ କୁଆଡ଼େ ଚାଲି ଯାଇଛନ୍ତି ଯେ କ୍ୱାଟରକୁ ଫେରି ନାହାନ୍ତି ବୋଲି ପଡ଼ୋଶୀ କହିଲେ ଦିଦି । ଚୌକିଦାର କ୍ୟାମ୍ପସ୍ ଭିତରକୁ ପଶି ଆସୁ ଆସୁ କହିଲା ।

 

ଓଃ ହତଭାଗିନୀ... ସ୍ଵଗତୋକ୍ତି କଲେ ବହିଦାର ବାବୁ । ଶେଷ ଇଚ୍ଛାଟା ବି ପୂରଣ ହୋଇ ପାରିଲାନି । ହଉ ଏବେ ଆଉ ଅପେକ୍ଷା କାହିଁକି ରଜନୀ ।

 

...ହଁ ସାର୍ ।

 

ଅର୍ଥି ଉଠିଲା, କାନ୍ଧ ନେଲେ ସ୍ଵୟଂ ବହିଦାର ଏବଂ ଅନ୍ୟ ଡାକ୍ତର ତଥା ଅନ୍ୟ କର୍ମଚାରୀ ବୃନ୍ଦ । ବାରେ ନିୟତି...ବାଃ...ସାରା ଜୀବନର ସୁଖ ଦୁଃଖ, ହାନିଲାଭ, ଭଲମନ୍ଦକୁ ପଛରେ ପକାଇ ଗୋଟିଏ ପୁନର୍ଜନ୍ମ ଆଶାରେ ଯେ ଧାଇଁ ଆସିଥିଲା ଏଇ ବଲାଙ୍ଗିର ମାଟିକୁ ଆଶ୍ରା ପାଇଁ ତାକୁ ପଠାଇ ଦେଲୁ ଆର ପାରିକୁ । ପୁଣି ଥରେ ପ୍ରମାଣ କରିଦେଲୁ ଯେ ପତ୍ର ଥରେ ଝାଉଁଳିଲେ ସ୍ୱଦେହରେ ଆଉ କେବେ ସତେଜ ହୁଏନା ।

 

ବଲାଙ୍ଗିର ସହରର ଅନତିଦୂରରେ ପୂର୍ବ ଦିଗରେ କାହିଁ କେତେ କାଳରୁ ବୋହିଚାଲିଛି ସୁଖତେଲ ନଦୀ । ଠିକ ବଲାଙ୍ଗୀରବାସୀଙ୍କ ପରି ନଦୀଟା ବି । ଅତି ଉଛୁଳା ସମ୍ପଦ ନହେଲେ ନଦୀର ସମ୍ପଦ କେହି ଦେଖି ପାରନ୍ତିନି ମାତ୍ର ଜାଣିବାର ଲୋକ ବାଲି ଆମ୍ପୁଡ଼ି ଠିକ ଧାରକୁ ଉପଯୋଗ କରନ୍ତି । ସହରର ଅଗଣିତ ଜୀବନ୍ତ ବର୍ତ୍ତମାନ ହଠାତ୍ ମୃତ ଅତୀତ ହୋଇଗଲେ ଜନପଥରୁ ଆଣି ଏଇଠି ମର ଶରୀରକୁ ପଞ୍ଚଭୂତକୁ ସମର୍ପଣ କରାଯାଏ । ଅତଃ ଆଜି ମଧ୍ୟ ଏଇ ସୁଖତେଲ ନଦୀର ଉପକଣ୍ଠରେ ଉପସ୍ଥିତ ହୋଇ ପ୍ରସ୍ତୁତି କରି ଚାଲିଛନ୍ତି ଉଷାର ମରଶରୀରକୁ ଅଗ୍ନି ସଂଯୋଗ କରିବାକୁ ।

 

ଏତେବେଳ ଯାଏ ସ୍ଵର୍ଗତା ଉଷାର ନିର୍ବୋଧ ପୁତ୍ର ଆକାଶ ଶବ ଯାତ୍ରାର ଆଗରେ ମାଠିଆ ଧରି ଚାଲି ଆସିଥିଲା । ବାଲ୍ୟ ସୁଲଭ ଚପଳ ମସ୍ତିଷ୍କ ବୁଝିପାରିନଥିଲା ବାସ୍ତବତା । ରଜନୀର ନିର୍ଦ୍ଦେଶରେ ନିଆଁଖୁଣ୍ଡି ଧରି ଶବାଧାରରେ ଅଗ୍ନି ସଂଯୋଗ କଲା ପରେ ହଠାତ୍ କମ୍ପିତ ଓଠରେ ପ୍ରଶ୍ନ କଲା ରଜନୀକୁ... ।

 

ଆଣ୍ଟି ମୋ ମାକୁ ଉଠାଅ... ନିଆଁ ଲାଗି ଯିବ ଯେ ? ଶୁଣି ବି ଶୁଣିଲାନି ରଜନୀ । ଡକ୍ଟର ବହିଦାରଙ୍କ କର୍ଣ୍ଣରେ ଏକଥା ପଡ଼ିଲା...ମାତ୍ର କିଂକର୍ତ୍ତବ୍ୟବିମୂଢ଼ । କରୁଣ ଦୃଷ୍ଟିରେ ଚାହିଁଲେ ଶିଶୁ ଆକାଶ ଆଡ଼କୁ ।

 

ଚାହୁଁ ଚାହୁଁ ଅଗ୍ନିର ଲେଲିହାନ ଶିଖା ବାଣ୍ଟି ଦେଲା ଉଷାର ମରଶରୀରକୁ ପଞ୍ଚଭୂତ ମଧ୍ୟରେ । ଅପ୍, ବ୍ୟୋମ ତେଜ ଆଦି ସମସ୍ତେ ନିଜ ନିଜର ଭାଗ ଆତ୍ମସାତ କରି ଛାଡ଼ି ଗଲେ କେବଳ ମୁଠାଏ ପାଉଁଶ... ମୃଣ୍ମୟ... ମୃତ୍ତିକାର ଭାଗ । ସେଇଥିରୁ ପୁଳାଏ ସାଉଁଟି ଯତ୍ନରେ ସାଇତି ରଖିଲେ ବହିଦାର ବାବୁ । ପୁଣ୍ୟତୋୟା ସୁଖତେଲ ନଦୀରେ ସ୍ନାନ ଶୌଚ ଆଦି କରି ସାରି ଗୃହାଭିମୁଖୀ ହେଲେ ସମସ୍ତେ ।

 

ଶିଶୁ ପୁତ୍ର ଆକାଶକୁ କୋଳରେ ଉଠାଇ ନଦୀଧାରକୁ ପଛକରି ପାଦ ଉଠାଇଲା ରଜନୀ-। ମାତ୍ର ଶିଶୁର ପ୍ରଶ୍ନ ପୁଣି ଶଙ୍କିତ କଲା... ଆଣ୍ଟି ମୋ ମା କାଇଁ ? ମୋ ମାକୁ କିଆଁ ପୋଡ଼ି ଦେଲ ?

 

କି ଉତ୍ତର ଦେବ ରଜନୀ । ପୁଣି କୋଳକୁ ନେବାକୁ ଚେଷ୍ଟାକଲା ମାତ୍ର ମୋ ମା କାଇଁ ଆଣ୍ଟି...ମୁଁ କା ସହ ଶୋଇବି... ମୋ ମାକୁ ଆଣି ଦିଅ । କଇଁ କଇଁ ହୋଇ କାନ୍ଦି ଉଠିଲା ରଜନୀ । ଅବୋଧ ଶିଶୁକୁ ମାତୃ ବିୟୋଗ କଥା କିପରି ବୁଝାଇବ ।

 

ଆକାଶକୁ କୋଳରେ ନେଇ କହିଲା ନାଇଁ ପୁଅ ମୁଁଇ ତୋର ମା’ । ସେଇ ନିଆଁରୁ ଧୂଆଁ ହୋଇ ତୋ ମା' ମୋର ଶରୀରରେ ମିଶି ଯାଇଛି । ମୁଁ ହିଁ ତୋର ମା । ଚାଲ ପୁଅ ଚାଲ ।

 

ବଲ୍‍ବଲ୍‍ କରି ରଜନୀର ମୁହଁକୁ ଚାହିଁ ଆକାଶ ତାର ମା’କୁ ଖୋଜୁଥିଲା ବେଳେ ରଜନୀର କାନ୍ଧରେ ହାତ ଥୋଇଲେ ଡକ୍ଟର ବହିଦାର ସାବାସ୍ ରଜନୀ, ବ୍ରେଭ ଗାର୍ଲ... ମେ ଗଡ୍ ହେଲ୍‍ପ ୟୁ ।

 

ଆଶ୍ଵସ୍ତି ବୋଧ କଲା ରଜନୀ । ସାଥରେ ଅବୋଧ ଆକାଶ ମ ରଜନୀ ମଧ୍ୟରୁ ଉଷାକୁ ଖୋଜି ଆଶ୍ୱସ୍ତ ।

***

 

‘ଅଣଚାଳିଶ’

 

କଲିଂବେଲର ମଧୁର ଧ୍ୱନି କର୍ଣ୍ଣ ଦେଇ ପ୍ରବେଶ କରି ମସ୍ତିଷ୍କକୁ ବାର୍ତ୍ତା ଦେଲା ରଜନୀର, ଏବେ ନିଦ୍ରାତ୍ୟାଗ କରିବାର ବେଳେ ଆସିଛି । ଗତ ଦିନର ଅଘଟଣ ସବୁର ସ୍ମୃତିକୁ ବିଶ୍ଳେଷଣ କରୁ କରୁ ଶିଶୁ ଆକାଶକୁ କୋଳରେ ଧରି ଶୋଇ ପଡ଼ିଥିଲା ରଜନୀ ଗତ ରାତ୍ରିରେ । ବିଛଣାରୁ ଉଠି କାନ୍ଥ ଘଣ୍ଟାକୁ ଚାହିଁଲା ସମୟ ସକାଳ ସାଢ଼େ ପାଞ୍ଚଟା । ବ୍ରାହ୍ମ ମୁହୂର୍ତ୍ତ ରଜନୀର ଆଶୁ ବିଦାୟର ସୂଚନା ସାଥେ ଉଷା ସୂଚାଏ ନିଜ ଉପସ୍ଥିତି । ଅସତ୍ୟର ଅନ୍ଧକାରକୁ ଧୋଇ ଦିଏ ସତ୍ୟର ପ୍ରକାଶନର ଘଡ଼ି । ସମୟର ବିଶ୍ଳେଷଣ କରୁ କରୁ ବାଜି ଉଠିଲା ପୁଣି କଲିଂବେଲ୍ । ପ୍ରକୃତିସ୍ଥ ହେଲା ରଜନୀ, କିଏ ହୋଇପାରେ ? ?

 

ପଲଙ୍କରୁ ଓହ୍ଲାଇ ଗାଉନ୍‍ଟା ଟିକିଏ ସଜାଡ଼ି ଦେଇ ଖୋଲା ବାଳକୁ ସାଉଁଳି ପଛକୁ ନେଇ ଗଣ୍ଡିଟିଏ କରି ଚାଲିଲା ରଜନୀ ଦ୍ୱାର ପାଖକୁ । ସନ୍ତର୍ପଣରେ କବାଟ ଖୋଲ ଦେଖିଲା ସାମ୍ନାରେ ବହିଦାର ବାବୁଙ୍କର ବସା ପିଅନ ରାଧେଶ୍ୟାମ ।

 

...କ’ଣ ହେଲା ? ରାଧେଶ୍ୟାମର ନମସ୍କାରର ପ୍ରତିନମସ୍କାର ଜଣାଉ ଜଣାଉ ପଚାରିଲା ରଜନୀ-

 

...ଦିଦି, ସାହେବ ଆପଣଙ୍କୁ ତାଙ୍କର ବସା ପାଖକୁ ଡକାଇ ପଠାଇଚନ୍ତି ।

 

... କାହିଁକି, ଏତେ ସକାଳୁ କ’ଣ ଦରକାର ପଡ଼ିଲା ? ଆଶ୍ଚର୍ଯ୍ୟ ହୋଇ ପଚାରିଲା ରଜନୀ-

 

...ମୁଁ ଜାଣିନି ଦିଦି, ସକାଳୁ ମୋତେ ଚୌକିଦାରକୁ ଡାକିବାକୁ କହିଲେ । ତାଙ୍କୁ ତାଙ୍କର ଓକିଲ ଶ୍ରୀକାନ୍ତ ଗୌତମ ଜୈନ୍ ସାହେବଙ୍କୁ ଡାକିବାକୁ ପଠାଇଲେ । ଏବଂ ମୋତେ ଆପଣଙ୍କୁ ଡାକିବାକୁ ପଠାଇଲେ ।

 

...ହଉ ଠିକ୍ ଅଛି, ତୁମେ ଯାଅ । ମୁଁ ଏଇ ଆସୁଛି ।

 

କ'ଣ ଏମିତି ଏତେ ସକାଳୁ ଦରକାର ପଡ଼ିଲା ସାର୍‍ଙ୍କର । ସ୍ଵଗତୋକ୍ତି କରୁ କରୁ ରେକ୍ ଉପର ତଉଳିଆ ଉଠାଇ ବାଥରୁମରେ ପଶିଲା ରଜନୀ ଏବଂ ଖୁବ୍ କମ୍ ସମୟ ମଧ୍ୟରେ ଫ୍ରେସ୍ ହୋଇ ବାହାରି ପଡ଼ିଲା । ଡ୍ରେସିଂ ମିରର୍‍ ସାମ୍ନାରେ ଠିଆ ହୋଇ ଯତ୍‍ସମ୍ଭବ ହାଲୁକା ମେକ୍ଅପ୍ ଟିକିଏ କରିନେଇ ଚିରାଚରିତ ଧବଳ ପୋଷାକ ପରିଧାନ କଲା ଏବଂ କ୍ଷିପ୍ର ପଦକ୍ଷେପରେ ଆଗେଇ ଗଲା ଡକ୍ଟର ବହିଦାରଙ୍କ ପର୍ସନାଲ ଚେମ୍ବର ଆଡ଼କୁ ।

 

ଅତି ସନ୍ତର୍ପଣରେ ଚେମ୍ବର ଭିତରେ ପ୍ରବେଶ କଲାବେଳେକୁ ଉତ୍ସାହିତ କଣ୍ଠରେ ବହିଦାର ବାବୁ ତାକୁ ସ୍ୱାଗତ କଲେ ।

 

ଆସ ଆସ ରଜନୀ, ତୁମ ବିନା ମୋ ସଙ୍କଳ୍ପ ଅଧୁରା ରହିଯିବ । ଆସ, ବସ ।

 

ବହିଦାର ବାବୁଙ୍କର ଏଇ କୋଠରୀଟିର ଭିତରୁ ଏଇ ଯେ ନୂଆ କରି ପ୍ରବେଶ କଲା ରଜନୀ ତା’ନୁହଁ । ମାତ୍ର ଏଥରରକର ଅନୁଭୂତି ପୁର୍ବଥର ଠାରୁ ସମ୍ପୂର୍ଣ୍ଣ ଭିନ୍ନ । କୋଠରୀଟିର ଭୌଗୋଳିକ ସ୍ଥିତି ମଧ୍ୟ ସମ୍ପୂର୍ଣ୍ଣ ଅଲଗା । ଛୋଟ ବିଛଣାଟି ଗୁଡ଼ା ହୋଇ ବେଡ଼ିଂଟାଏ ବନ୍ଧାହୋଇ ଥୁଆ ହୋଇଛି ଖଟ ଉପରେ । ଟେବୁଲ ଉପରେ ବଡ଼ ଲେଜରଟି ମଧ୍ୟ ବନ୍ଦ କରାଯାଇ ଥୁଆ ହୋଇଛି । ଏସବୁ କାହିଁକି ? କିଛି ବୁଝି ପାରିଲାନି ରଜନୀ ।

 

ମୁଁ ଗୋଟାଏ ନିଷ୍ପତ୍ତି କରିଛି ରଜନୀ । ଏଇତ ଓକିଲ ବାବୁ ବି ଆସିଗଲେ । ତମେ ଟିକିଏ ସେଇ ଚେୟାରଟା ଏ କଡ଼କୁ ଟାଣି ଦିଅତ । ପାଖ ଚେୟାର ଆଡ଼କୁ ନିର୍ଦ୍ଦେଶ କରି କହିଲେ ବହିଦାର ବାବୁ ଏବଂ ଇସାରା କଲେ ରଜନୀକୁ ବସିବାକୁ ।

 

ହସ ହସ ମୁହଁରେ କୋଠରୀ ଭିତରକୁ ପ୍ରବେଶ କରୁ କରୁ ଓକିଲ ଶ୍ରୀଯୁକ୍ତ ଶ୍ରୀକାନ୍ତ ଗୌତମ ଜୈନ୍ ନମସ୍କାର ଜଣାଇଲେ ବୃଦ୍ଧ ବହିଦାରଙ୍କ ଉଦ୍ଦେଶ୍ୟରେ ।

 

ପ୍ରତିନମସ୍କାର ଜଣାଇ ପାଖ ଚେୟାରରେ ବସିବାକୁ ଅନୁରୋଧ କଲେ ଏବଂ ପ୍ରଶ୍ନ କଲେ ଆପଣ ମୋର ୱିଲନାମାଟିକୁ ଆଣିଛନ୍ତି ତ ।

 

...ହଁ ଆଣିଛି ଯେ, ହଠାତ୍ କ’ଣ ଏମିତି ଦରକାର ପଡ଼ିଲା ।

 

...ମୁଁ ସେଥିରେ କେତୋଟି ପରିବର୍ତ୍ତନ କରିବାକୁ ଚାହେଁ ।

 

...ସେଥିପାଇଁ ଏତେ ତରବର କାହିଁକି, ଏତେ ସକାଳୁ ସକାଳୁ ।

 

...ନା ଶ୍ରୀକାନ୍ତ, ଏବେ ଠିକଣା ସମୟ ଆସିଯାଇଛି । ମୁଁ ଏଇ ସାଢ଼େ ଏଗାରଟା ଗାଡ଼ିରେ ବଲାଙ୍ଗିର ଛାଡ଼ି ଚାଲିଯିବି ସବୁଦିନ ପାଇଁ ।

 

... ଏକ’ଣ କହୁଛନ୍ତି ସାର, ବିସ୍ମୟ ଚକିତ ହୋଇ ଏକ ସଙ୍ଗେ ସମସ୍ୱରରେ ପ୍ରଶ୍ନ କଲେ ରଜନୀ ଓ ଶ୍ରୀକାନ୍ତ ବାବୁ ।

 

...ହଁ ଏହା ସତ୍ୟ । ଏ ନିଷ୍ପତ୍ତି ମୁଁ ନେଇସାରିଛି । ଏଇତ ପ୍ରକୃଷ୍ଟ ସମୟ । ଦେଖ ଶ୍ରୀକାନ୍ତ ମୁଁ ଖୁବ୍‍ ଅହଂବାଦୀ । ନିଜକୁ ସର୍ବଦା ଭଗବାନଙ୍କଠୁ ବି ଗରୀୟାନ ମନେ କରିଛି ଏବଂ ପ୍ରମାଣ କରିଛି ମଧ୍ୟ । ଶୂନ୍ୟରୁ ଆରମ୍ଭ କରି ମୋର ଗୋଟାଏ ଦୁନିଆ ସୃଷ୍ଟି କରି ପାରିଛି ମୁଁ । ମାତ୍ର ଏବେ ଆଉ ନୁହଁ । ପ୍ରତି ମୁହୂର୍ତ୍ତରେ ମୋର ଜାଗ୍ରତ ଆତ୍ମା ଡାକୁଛି ପ୍ରଭୁ ପାଦତଳକୁ । ସେଇଠି ମୁଁ ମୋର ବାକି କେତୋଟି ଦିନ କାଟିବି ।

 

... ସାର ଏତେ ଜଲ୍‍ଦି ଏତେ ବଡ଼ ନିଷ୍ଠୁର ନିଷ୍ପତ୍ତି...ବାଷ୍ପାକୁଳ କଣ୍ଠରେ କହିଲା ରଜନୀ ।

 

ସବୁ କର୍ମ କରିବାର ଏକ ପ୍ରକୃଷ୍ଟ ସମୟ ଅଛି ରଜନୀ । ଆଉ ଏଇଟା ମୋ ନିଷ୍ପଭି କାର୍ଯ୍ୟକାରୀ ପାଇଁ ପ୍ରକୃଷ୍ଟ ସମୟ । ହଁ ଶ୍ରୀକାନ୍ତ ଟିକିଏ ୱିଲଟା ବାହାର କର ତ ।

 

...ସାର, କିନ୍ତୁ ଆପଣ ଅନ୍ତତଃ ଟିକିଏ ଅଧିକ ଭାବିଥିଲେ ଭଲ ହୋଇଥାନ୍ତା । ବ୍ରିଫ୍‍କେସ୍ ମଧ୍ୟରୁ କାଗଜପତ୍ର ବାହାର କରୁ କରୁ କହିଲେ ଓକିଲ ଶ୍ରୀକାନ୍ତ ଗୌତମ ।

 

....ମୋତେ ବିଚଳିତ କରନାହିଁ ଶ୍ରୀକାନ୍ତ । ରଜନୀ ତୁମେ ଟିକିଏ ମୋର ଯିବାର ବନ୍ଦୋବସ୍ତ କରି ଦିଅ ତ । କାହାକୁ ପଠାଇ ମୋର ହୀରାଖଣ୍ଡ ଏକ୍ସପ୍ରେସ୍‍ରେ ହାଓଡ଼ା ତକ ରିଜରଭେସନ୍‍ଟା କରାଇ ନିଅ ତ ସେଇଠୁ ମୁଁ ହରିଦ୍ୱାର ଚାଲିଯିବି । ସେଇଠି ମୋର ଅନ୍ତିମ ସମୟଟା ବିତେଇବି ।

 

....ସନ୍ଦିଗ୍ଧ ଓ ଦୁଃଖିତ ମନରେ ଗୋଟାଏ ଗୋଟାଏ ପାଦ ଉଠାଇ ରଜନୀ କୋଠରୀ ମଧ୍ୟରୁ ବାହାରି ଯାଉ ଯାଉ ଶୁଣିଲା ‘ରଜନୀ, ତୁମେ କାହାକୁ ପଠାଇକରି ଜଲ୍‍ଦି ଆସ । ୱିଲନାମା ପରିବର୍ତ୍ତନ କରିବା ।

 

ଅଫିସ୍ ଆସିଷ୍ଟାଣ୍ଟକୁ ସବୁକଥା ବୁଝାଇ ଟଙ୍କାର ବନ୍ଦୋବସ୍ତ କରି ଆସିଲା ବେଳକୁ ଶ୍ରୀକାନ୍ତ ବାବୁ ପ୍ୟାଡ୍ ଧରି ବସିଛନ୍ତି ଏବଂ ପ୍ରାରମ୍ଭିକ କାର୍ଯ୍ୟ ମଧ୍ୟ କରିସାରିଥାନ୍ତି । କହି ଚାଲିଥାନ୍ତି ବହିଦାର ବାବୁ ।

 

ହଁ ଶ୍ରୀକାନ୍ତ-ସେଥରେ ଉଲ୍ଲେଖ କର... ମୋର ଇଷ୍ଟେଟ୍‍ଟି ମୋ ଅନ୍ତେ ସାର୍ବଜନୀନ ବ୍ୟବହାର ପାଇଁ ବିଶେଷ କରି ଧର୍ମଶାଳାଟିଏର ଗଠନ ପାଇଁ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ବ୍ୟବହୃତ ହେବ । ନର୍ସିଂହୋମ୍‍ଟିର ଫଣ୍ଡକୁ ନେଇ ଏକ ଟ୍ରଷ୍ଟି ଗଠନ କରାଯିବ ମୋ ଅନ୍ତେ । ସେ ଟ୍ରଷ୍ଟିର ସ୍ଵତ୍ତ୍ଵାଧିକାରୀ ହେବେ ଉଷାର ଦୁଇ ଶିଶୁପୁତ୍ର ଆକାଶ ଓ ଗଗନ । ସେମାନେ ସାବାଳକ ହେବା ପର୍ଯ୍ୟନ୍ତ ଟ୍ରଷ୍ଟିର ତତ୍ତ୍ୱାବଧାରକ ରହିବେ ଡକ୍ଟର ରଜନୀ । ମୋର ବ୍ୟାଙ୍କ ବାଲାନ୍‍ସ, ମାର୍କେଟ ସେୟାର ଆଦି ସବୁ ନର୍ସିଂହୋମର ଟ୍ରଷ୍ଟ ଫଣ୍ଡରେ ମିଶିବ । ମୋର ଶେଷ ଇଛା ମୋ ନର୍ସିଂହୋମର ସମସ୍ତ ଷ୍ଟାଫ୍ ଏଠାରେ ରହିବେ । କାହାକୁ ବହିଷ୍କାର କରାଯିବନି ।

 

ମେସିନ୍ ପରି ଲେଖିଚାଲିଥିଲେ ପ୍ୟାଡ୍ ଉପରେ ଶ୍ରୀକାନ୍ତ ଗୌତମ । ଶେଷରେ ବଢ଼ାଇ ଦେଲେ ବହିଦାର ବାବୁଙ୍କୁ ପ୍ୟାଡ୍‍ଟି ସନ୍ତକ ଉଦ୍ଦେଶ୍ୟରେ । ସନ୍ତକ କରିଲା ବେଳକୁ ବହିଦାରବାବୁଙ୍କ ମୁହଁରେ ଫୁଟି ଉଠୁଥିଲା ତେଜସ୍କ୍ରିୟତା ଓ ଆତ୍ମତୃପ୍ତିର ଏକ ଝଲକ । ମାତ୍ର ଅପର ପକ୍ଷରେ ରଜନୀ ଆଖିରୁ ଝରି ପଡ଼ିଲା କେଇବୁନ୍ଦା ଅଶ୍ରୁ । ସେ ଅଶ୍ରୁ ଆନନ୍ଦର ନୁହଁ କି ଦୁଃଖର ନୁହଁ...ଦୁନିଆରେ ଏହା ବି ସମ୍ଭବ ? ? ... ଏପରି ଏକ ବିସ୍ମୟାତ୍ମକ ପ୍ରଶ୍ନବାଚୀର ଉତ୍ତର ଚାପକ ଅଶ୍ରୁ ଧୀରେ ଧୀରେ ଗଣ୍ଡସିକ୍ତ କଲା ରଜନୀର ।

 

ହଉ... ଏବେ ଚାଲ । ରଜନୀ ଦେଖ ତ ସବୁ ବନ୍ଦୋବସ୍ତ ହେଲା କି । ସମୟ ବିତ ସାଢ଼େ ୧୦ଟା ହେଲାଣି । ତୁମେ ଟିକିଏ ସବୁ ଷ୍ଟାଫ୍‍ଙ୍କୁ ଏ ଖବର ଜଣାଇ ଦିଅ । ମୁଁ ଅନ୍ତତଃ ସମସ୍ତଙ୍କୁ ଟିକିଏ ଦେଖା କରିନେବି ଏବଂ ସମସ୍ତଙ୍କର ଶୁଭେଚ୍ଛା ଆଶା କରିବି ।

 

ସମୟ ଓ ପରିସ୍ଥିତିର ଦୟନୀୟତା ରଜନୀର ହୃଦୟକୁ ଚିରି ଖଣ୍ଡ ଖଣ୍ଡ କରି ପକାଉଥିଲା-। ତଥାପି ସେଥିଲା ସମ୍ପୂର୍ଣ୍ଣ ପ୍ରତିକ୍ରିୟାହୀନ । ମେସିନ୍‍ଟିଏ ପରି କରି ଯାଉଥିଲା ସମସ୍ତ ଆଦେଶ ପାଳନ । ଜଣ ଜଣ କରି ସବୁ ସହକର୍ମୀଙ୍କୁ ଏ ନିଷ୍ଣୁର ସତ୍ୟ ଅବଗତ କରାଇଲା ବେଳକୁ ଆତ୍ମା ତାର ବିଚଳିତ ହୋଇ ପଡ଼ୁଥିଲା । ଅଧିକାଂଶ ସମୟରେ ବାର୍ତ୍ତା କଣ୍ଠରୁଦ୍ଧ ହୋଇ ଯାଉଥିଲା । ନର୍ସିଂହୋମର ସମସ୍ତ ଷ୍ଟାଫ୍ ଅନ୍ତେବାସୀ... ଏ ମର୍ମନ୍ତୁଦ ସମାଚାର ଶୁଣି ଦୁଃଖରେ ଭାଙ୍ଗି ପଡ଼ୁଥିଲେ-। ତେବେ ସମସ୍ତେ ଏକାଠି ହେବାର ଆହ୍ୱାନ । ଆକୁଳିତ ହୃଦୟର ଏକ ଦାରୁଣ ବେଦନା ସମ୍ବଳିତ ବିଦାୟ ସମ୍ବର୍ଦ୍ଧନା ପରି ସମୟ ସହ ସାମ୍ନାସାମ୍ନି । ଓ କି କଷ୍ଟକର ।

 

ଗୋଟାଏ ନିୟମିତ ଲୟରେ ଟିକ୍ ଟିକ୍ କରି ଆଗେଇ ଚାଲିଥିଲା ବଲାଙ୍ଗିର ରେଳଷ୍ଟେସନର ବହୁ ପୁରୁଣା ଘଣ୍ଟାଟା । ୧ ନମ୍ବର ପ୍ଲାଟଫର୍ମ ଉପରେ ଟଙ୍ଗା ହୋଇଥିବା ଘଣ୍ଟାଟା ଦେଖିଲେ କେଉଁ ତ୍ରେତୟା ଯୁଗରୁ ଅଦ୍ୟାବଧି ସେଇ ନିର୍ଦ୍ଦିଷ୍ଟ ସ୍ଥାନରେ ସ୍ଥାପିତ । ଅଙ୍ଗେ ଅଙ୍ଗେ ପୁରାତନର ଛାପ...ମ୍ଲେଚ୍ଛ ଅଙ୍ଗ । ତଥାପି ଦୃଷ୍ଟି ଆକର୍ଷଣ କରେ ସମସ୍ତଙ୍କର ଏଇ ଘଣ୍ଟାଟି । କାରଣ ସେ କରିଚାଲିଛି ତାର କର୍ତ୍ତବ୍ୟ, ଠିକ୍ ଭାବରେ ସୂଚାଇ ଚାଲିଛି ସମୟ । ଏଇ କର୍ତ୍ତବ୍ୟରତ ମେସିନ୍‍ଟି ତାର ରୂପ ସୌନ୍ଦର୍ଯ୍ୟ ନିର୍ବିଶେଷରେ ସର୍ବାଦୃତ । କାମ ହିଁ ଏକମାତ୍ର ମାନଦଣ୍ଡ... ଏହା ଯୁଗେ ଯୁଗେ କ୍ଷେତ୍ରେ କ୍ଷେତ୍ରେ ପ୍ରତିପାଦିତ ।

 

ଆଜି ବଲାଙ୍ଗିର ରେଳ ଷ୍ଟେସନର୍‍ ଏକ ନମ୍ବର ପ୍ଲାଟଫର୍ମରେ ଛୋଟ ଧରଣର ଗୋଟିଏ ଗହଳି ସୃଷ୍ଟି କରିଛନ୍ତି ଯଶୋଧାରା ନର୍ସିଂହୋମର ଷ୍ଟାଫ୍‍ମାନେ । ସମସ୍ତ ଡାକ୍ତର, ନର୍ସ, ଫାର୍ମାସିଷ୍ଟ, ଆସିଷ୍ଟାଣ୍ଡ, ଚୌକିଦାର, ପିଅନ...ସମସ୍ତେ ଆଗେଇ ଆସିଛନ୍ତି ସ୍ୱତଃସ୍ଫୂର୍ତ୍ତ ଭାବେ...ଭାବବିହୀନ ବିଦାୟ ସମ୍ବର୍ଦ୍ଧନା ଜଣାଇବାକୁ ତାଙ୍କର ଅନ୍ନଦାତା, ଜ୍ଞାନଦାତା...ଡାକ୍ତର ବହିଦାର ବାବୁଙ୍କ । ପ୍ଲାଟଫର୍ମ କ୍ଲକ୍‍ର ଦୋଳାୟିତ ଗତି ସାଙ୍ଗକୁ ଆନ୍ଦୋଳିତ ସମସ୍ତଙ୍କର ହୃଦୟର ଗତି । କେବଳ ନିର୍ବିକାର...ନିର୍ବିକାର ପୁରୁଷ ବହିଦାର ବାବୁ ।

 

ଧୀରେ ଧୀରେ ପ୍ଲାଟଫର୍ମ କ୍ଲକ୍‍ର ଦୋଳାୟମାନ ଗତିକୁ ସ୍ଥିର କରିଦେଲା ଠିକ୍ ଏଗାରଟା ପଚିଶ ମିନିଟ୍ ପାଖରେ ନିୟତି । ଝନ୍‍ଝିନ୍ ହୋଇ ବାଜି ଉଠିଲା ଷ୍ଟେସନ୍‍ର ସୂଚକ ବେଲ ସାଙ୍ଗକୁ ଉଦ୍‍ଘୋଷିକାର ମଧୁର କଣ୍ଠସ୍ୱର । ହୀରାଖଣ୍ଡ ଏକ୍ସପ୍ରେସ୍ ଇଜ୍ ଆରାଇଭିଙ୍ଗ୍ ଅନ୍ ପ୍ଲାଟଫର୍ମ ନଂ-୧-। ଧିରେ ଧିରେ ନର୍ସିଂହୋମର କର୍ମଚାରୀ ସମୃଦ୍ଧ ଗହଳିଟି ଚଳଚଞ୍ଚଳ ହୋଇଉଠିଲା । ଜଣକ ପରେ ଜଣେ ନଇଁ ପଡ଼ି ବୃଦ୍ଧ ବହିଦାରଙ୍କର ପଦସ୍ପର୍ଶ ପୂର୍ବକ ଶୁଭେଚ୍ଛା ଜଣାଇଲେ । ବହିଦାର ବାବୁ ମଧ୍ୟ ଅକୁଣ୍ଡଚିତ୍ତରେ କରି ଚାଲିଲେ ଆଶୀର୍ବାଦ । ଜଣାଇ ଚାଲିଲେ ଶୁଭେଚ୍ଛାର ଧନ୍ୟବାଦ । କାମନା କଲେ ସମସ୍ତଙ୍କର ଉତ୍ତରୋତ୍ତର ବୃଦ୍ଧିର ।

 

ସବାଶେଷରେ ରଜନୀ ଆଗେଇ ଯାଇ ପାଦଛୁଇଁଲା ବହିଦାରଙ୍କର। ଆଖିରୁ ଝରି ପଡ଼ିଲା ଦୁଇ ବୁନ୍ଦା ତପ୍ତ ଅଶ୍ରୁ ଠିକ୍ ପାଦ ଉପରେ । କାନ୍ଧ ଧରି ଉଠାଇ ଆଣିଲେ ବହିଦାର, କହିଲେ ‘ରଜନୀ... ଅଧୈର୍ଯ୍ୟ ହୁଅନି । ତୁମକୁ ରାସ୍ତା ଜଣା, ଲକ୍ଷ୍ୟ ବିଷୟରେ ଚିନ୍ତା କରନି, କେବଳ ଆଗେଇ ଚାଲ, ଆଗେଇ ଚାଲ । ମାଇଁ ବ୍ରେଭ ଚାଇଲ୍ଡ ।”

 

ଆଖି ଉଠାଇ ଚାହିଁଲା ରଜନୀ, ଏବେ ବି ଚକ୍ଷୁ କୋଣରେ ନିଷ୍ପତ୍ତିର ପୁନର୍ବିଚାର କରିବା ପାଇଁ ଶତ ନିବେଦନ । ଠିକ୍ ବୁଝିଲେ ବହିଦାର ବାବୁ ।

 

ମୋତେ ଦୁର୍ବଳ କରି ଦିଅନା । ମୋ ରାସ୍ତାରେ ମୋତେ ଆଗେଇବାକୁ ଦିଅ ।

 

ଛୁକ୍‍ ଛୁକ୍ କରି ହୀରାଖଣ୍ଡ ଏକ୍ସପ୍ରେସ୍ ଆସି ଠିଆ ହୋଇଗଲା ପ୍ଲାଟଫର୍ମ ନଂ-୧ ଉପରେ-। ଗୋଟିଏ ଚଳନ୍ତି ବିଶ୍ଵର ନମୁନା ଏଇ ଟ୍ରେନ୍ ଭିତରୁ ବାହାରିଗଲେ କେତେ ଜଣ, ପୁଣି ଧସେଇ ପସିଲେ ଆଉ କିଛି । ରାଧେଶ୍ୟାମ ଯାଇ ବାବୁଙ୍କର ସବୁ ଜିନିଷ ସଜାଡ଼ି ରଖିଲା ସିଟ୍ ପାଖରେ । ଏଥରକ ବହିଦାର ବାବୁ ସ୍ଵୟଂ ଯିବେ । ଅନ୍ୟ ଚାରା ନାହିଁ ।

 

ଗାଡ଼ି ଠିକ୍ ସମୟରେ ଲମ୍ବା ହ୍ୱିସିଲ ଦେଇ ଛାଡ଼ିଲା । ରଜନୀ ସମେତ ସମସ୍ତ କର୍ମଚାରୀଙ୍କ ଗହଣରୁ ତାଙ୍କର କର୍ମଦାତା ବିଦା ହୋଇ ଚାଲିଗଲେ । ଧୀରେ ଧୀରେ ଜଣ ଜଣ ହୋଇ ଷ୍ଟେସନ ଛାଡ଼ି ଗୃହାଭିମୁଖୀ ହେଲେ । ହାତରେ ତାଙ୍କର ଅନେକ କାମ ଅନେକ ଫଳ ପ୍ରାପ୍ତିର ଆଶା ।

 

ମାତ୍ର ରଜନୀ... ଧୀରେ ଧୀରେ ଓହ୍ଲାଇ ପଡ଼ିଲା ପ୍ଲାଟଫର୍ମରୁ ଧାରଣା ଉପରକୁ । ଦିପାଦ ଆଗକୁ ଯାଇ ସାମ୍ନାକୁ ଚାହିଁଲା... ଅଗଣିତ ସ୍ଲିପର ଉପରେ ଲମ୍ବିଯାଇଛି ରେଳଧାରଣା କାହିଁ କେତେ ଦୂର ପର୍ଯ୍ୟନ୍ତ । ପଛକୁ ଚାହିଁଲା...ଅନୁରୂପ ଆଖି ସାମ୍ନାରେ କେବଳ ରାସ୍ତା ହିଁ ନଜର ଆସୁଛି । ନା ଆରମ୍ଭ ନା ଶେଷ । ଲକ୍ଷ୍ୟର ଚିହ୍ନ ବର୍ଣ୍ଣ ନାହିଁ, କେବଳ ରାସ୍ତା ପଡ଼ିଛି । ମନେ ହେଲା ଏହା ଏକ ଶିଡ଼ି, ସ୍ଵର୍ଗକୁ ଲମ୍ବିଛି । ଲମ୍ବି ଯାଇଛି ଠିକ୍ ମୂଳ ସତ୍ତା ପର୍ଯ୍ୟନ୍ତ । ଠିକ୍ ପରମାତ୍ମା ହୃଷୀକେଶଙ୍କ ନାଭିସ୍ଥଳ ପର୍ଯ୍ୟନ୍ତ । ସେଇଠି ହିଁ ସବୁର ଉତ୍ପତ୍ତି ସବୁର ସମାପ୍ତି । ମନେ ହେଲା ରଜନୀ ସାମ୍ନାରେ ସ୍ୱୟଂ ବିଷ୍ଣୁ ବିଶ୍ଵରୂପ ଧାରଣ କରି ଉପସ୍ଥିତ । ସାମ୍ନାରେ ନଦ ନଦୀ, ପାହାଡ଼, ପର୍ବତ, ଜଳ, ସ୍ଥଳ, ବନାନୀ, ରଜ, ସତ୍, ତମ... ସବୁ ପରିପୂର୍ଣ୍ଣ । ସର୍ବ ପରିବ୍ୟାପ୍ତ ମନେ ହେଲା ବିଷ୍ଣୁ କହୁଛନ୍ତି...ରଜନୀ...ଦେଖୁଛି ତ ସକଳର ଆଧାର ମୁଁ... ତେବେ ବି ମୁଁ ନିରାଧାର । ମୁଁ ସର୍ବବ୍ୟାପ୍ତ ତଥାପି ଅନ୍ତର୍ନିହିତ । ମୁଁ ତ ତୁମରି ଭିତରେ ପ୍ରଜ୍ଞା ରୂପେ । ମୁଁ ହିଁ ତ ଲକ୍ଷ୍ୟ...ମୁଁ ହିଁ ତ ଲକ୍ଷ୍ୟ । ଚାରି ଆଡ଼କୁ ଚାହିଁ ମାର୍ଗ ଅନେକ । କର୍ମ ଜ୍ଞାନ, ଯୋଗ, ସନ୍ୟାସ ଇତ୍ୟାଦି ଇତ୍ୟାଦି...ମାର୍ଗ ଅନେକ... ଲକ୍ଷ ଏକ...କେବଳ ମୁଁ... ମୁଁ ହିଁ । ସର୍ବସ୍ୱତ୍ୱାଧିକାରୀ ।

 

ସମ୍ବିତ୍ ପାଇଲା ରଜନୀ । ମନେ ମନେ ବହିଦାର ବାବୁଙ୍କର ବାକ୍ୟ ହେଜିଲା । ରାସ୍ତା ତୁମକୁ ଜଣା... ଆଗେଇ ଚାଲ ।

 

ପାଦ ଉଠାଇଲା ରଜନୀ । ଧୀରେ ଧୀରେ ଆଗେଇ ଚାଲିଲା ତା’ର ବର୍ତ୍ତମାନର ଲକ୍ଷ୍ୟ ଯଶୋଧାରା ନସିଂହୋମ୍ ଦିଗରେ ।

***

 

‘ଶେଷ’

 

ଶେଷର ଅନ୍ୟନାମ ଆରମ୍ଭ । ଗୋଟିଏର ସମାପ୍ତି ତ ଅନ୍ୟର ଆରମ୍ଭ । ଶୈଶବର ସମାପ୍ତିରେ କୈଶୋରର ଆରମ୍ଭ ଏବଂ କୈଶୋରର ସମାପ୍ତିଠି ଯୌବନର ଆରମ୍ଭ । ପ୍ରତ୍ୟେକ ଶେଷରେ ଆଉ ଏକର ଆରମ୍ଭ । ଆଜି ରଜନୀ ଜୀବନରେ ଗୋଟିଏ ଅଧ୍ୟାୟରେ ପୂର୍ଣ୍ଣଚ୍ଛେଦ ଟାଣି ଦେଇଛନ୍ତି ବହିଦାର ବାବୁ । ଏପର୍ଯ୍ୟନ୍ତ ସଦା ସର୍ବଦା ରଜନୀର ଜୀବନ କଟିଥିଲା କୌଣସି ଏକ ଛତ୍ରର ଛାୟାରେ । ମାତ୍ର ଏବେ ସେ ନିଜେ ଛତ୍ର ବନିବ । ଏହା ହିଁ ସମୟର ଆହ୍ୱାନ, ଏହା ହିଁ ତାର କର୍ତ୍ତବ୍ୟ । ଲକ୍ଷ୍ୟଭେଦ ନିମିତ୍ତ ଏକମାତ୍ର ପଥ ।

 

ଛୋଟ ଧରଣର ଗୋଟିଏ ସଭା ଡକାଇଛି ରଜନୀ, ନର୍ସିଂହୋମର ସମସ୍ତ କର୍ମଚାରୀ ଏକାଠି ହୋଇଛନ୍ତି । ଡାକ୍ତର ନର୍ସ ଫର୍ମାସିଷ୍ଟ ତଥା ଅନ୍ୟ କର୍ମଚାରୀମାନେ ଏକତ୍ରିତ । ସମସ୍ତେ ସନ୍ଦିଗ୍ଧ ଏ ଏକତ୍ରୀକରଣର ଉଦ୍ଦେଶ୍ୟ ! ଗତ କିଛିଦିନ ଧରି ନର୍ସିଂହୋମରେ ଘଟିଯାଉଥିବା ଅପ୍ରତ୍ୟାଶିତ ଘଟଣାବଳୀର ଶୃଙ୍ଖଳା ଠାରେ ବିସ୍ଥିତ ସମସ୍ତେ । ଆଜି ଆଉ କ’ଣ ହେବ ? ଏଇ ପ୍ରଶ୍ନବାଚୀ ସମସ୍ତଙ୍କ ମନୋମସ୍ତିଷ୍କରେ ।

 

ସମସ୍ତ ଉତ୍କଣ୍ଠାର ସମାପ୍ତିର ସନ୍ଦେଶ ନେଇ ଉପସ୍ଥିତ ସମସ୍ତ କର୍ମଚାରୀଙ୍କ ସମ୍ମୁଖସ୍ଥ ଛୋଟ ମଣ୍ଡପଟିରେ ପ୍ରବେଶ କଲା ରଜନୀ ସାଥିରେ ଉଷାର ପୁତ୍ର ଆକାଶ ଓ କୋଳରେ ସଦ୍ୟଜାତ ପୁତ୍ର ଗଗନ । ସନ୍ତର୍ପଣରେ ସମସ୍ତଙ୍କୁ ଉଦ୍‍ବୋଧନ ଦେଇ କହିଲା ରଜନୀ...

 

ବନ୍ଧୁ ଗଣ !

 

ଆଜି ଆମ ଗହଣରୁ ଆମର ପ୍ରିୟ କର୍ମଦାତା ଶ୍ରୀଯୁକ୍ତ ବହିଦାରଙ୍କ ଅନୁପସ୍ଥିତିର ଦୁଃଖ ପରସ୍ପର ମଧ୍ୟରେ ବାଣ୍ଟିବା ଅବକାଶରେ ମୁଁ ତାଙ୍କର ବାର୍ତ୍ତା ଆପଣମାନଙ୍କୁ ଜଣାଇ ଦେଉଛି । ଆଜିଠାରୁ ଏ ନର୍ସିଂହୋମର ମାଲିକ ହେଲେ ଆପଣମାନଙ୍କ ସାମ୍ନାରେ ଥିବା ଏଇ ଶିଶୁ ଦୁଇଟି । କିନ୍ତୁ ପରୋକ୍ଷରେ ଏଇ ନର୍ସିଂହୋମର ପ୍ରକୃତ ମାଲିକ ହେଲେ ଆପଣମାନେ । ଆପଣମାନଙ୍କର ବିଶ୍ୱସନୀୟତା ତଥା ପରିଶ୍ରମ । ଆଜି ଆମର ପରାମର୍ଶଦାତାଙ୍କର ଅନୁପସ୍ଥିତିରେ ଆମମାନଙ୍କ କାନ୍ଧରେ ଯେଉଁ ଗୁରୁଦାୟିତ୍ୱ, ତାକୁ ଆମେ ଉପଲବ୍ଧି କରି କର୍ତ୍ତବ୍ୟ କ୍ଷେତ୍ରରେ ପ୍ରତିପାଦନ କରିବା । ମ୍ୟାନେଜମେଣ୍ଟ ଦାୟିତ୍ୱ ନ୍ୟସ୍ତ ଏକ ଟ୍ରଷ୍ଟି ହାତରେ । ସେ ଟ୍ରଷ୍ଟିର ଅଧ୍ୟକ୍ଷା ହିସାବରେ ମୋ ଦ୍ଵାର ଆପଣମାନଙ୍କର ପ୍ରତ୍ୟେକ ଅଭିଯୋଗ, ପରାମର୍ଶ ତଥା ଉପଦେଶ ପାଇ ସର୍ବଦା ଉନ୍ମକ୍ତ । ଏଇ ଶିଶୁଦୁଇଟିର ଭବିଷ୍ୟତର ରୂପରେଖ ଗଠନ ପାଇଁ ଆମ ସମସ୍ତଙ୍କର ହାତରେ ଆଜି ନିହାଣ ଅଛି । ଯେତେ ବିଶ୍ଵାସନୀୟ ପରିଶ୍ରମ କରିବା ସେତେ ସୁନ୍ଦର ହୋଇ ଗଢ଼ି ତୋଳିବ ଏମାନଙ୍କର ଭବିଷ୍ୟତ, ସାଥରେ ଆମର ବି । ତେଣୁ ଆପଣମାନଙ୍କୁ ମୋର ସଶ୍ରଦ୍ଧ ଅନୁରୋଧ ଆପଣମାନେ ଯଥା ପୂର୍ବଂ ତଥା ପରଂ ରୀତିରେ କର୍ତ୍ତବ୍ୟ ସମ୍ପାଦନ କରିବେ ଯା ଦ୍ୱାରା ଡକ୍ଟର ବହିଦାରଙ୍କ ସ୍ଵପ୍ନ ସାକାର ହେବ ।

 

ସମସ୍ତେ ହତବାକ୍, ବହିଦାର ବାବୁଙ୍କର ଏ କି ନିଷ୍ପତ୍ତି ! ସମ୍ପତ୍ତିର ସ୍ଵତ୍ୱାଧିକାରୀ ଉଷାର ଶିଶୁ ପୁତ୍ର ଦୁହେଁ ? ପ୍ରାୟ ସମସ୍ତେ ଭାବିଥିଲେ ହୁଏତ ସମ୍ପତ୍ତିର ମାଲିକ ହୋଇଥିବ ରଜନୀ । ମାତ୍ର... ତେବେ...।

 

ସଭା ସାଙ୍ଗ ହେଲା, ଜଣ ଜଣ ହୋଇ ସମସ୍ତେ ବିଦାୟ ନେଲେ । ଆକାଶରୁ ଆଦିତ୍ୟ ମଧ୍ୟ ଧୀରେ ଧୀରେ ବିଦାୟ ନେଲେ ମଟଖାଇର ଆଢ଼ୁଆଳରେ । କ୍ରମେ ସାରା ଧରାରେ ଆସିଗଲା ରଜନୀର ସତ୍ତା ଅନ୍ଧକାର ରୂପେ । ରଜନୀ ବାହୁ ପ୍ରସାରି ଆବୋରି ନେଲା ନିଜ ବକ୍ଷରେ ଆକାଶକୁ...ଗଗନକୁ । ଚିର ପ୍ରସନ୍ନା ରଜନୀ... ଏବେ ସବୁ ତାରି ନିୟନ୍ତ୍ରଣରେ ।

 

ସମାପ୍ତ